spot_img

Latest Posts

ପଶ୍ଚିମବଙ୍ଗରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ; TMC ଓ BJP ମଧ୍ୟରେ କଡ଼ା ଟକ୍କର

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନ ଲାଗି ୧ ହଜାର ୪୭୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୬୦ ଲକ୍ଷ ୭୭ ହଜାର ଭୋଟର l ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲା ଅର୍ଥାତ- ମାଲଦା, ମୁର୍ଶିଦାବାଦ, ପୁରୁଲିଆ, ବାଙ୍କୁରା, ପଶ୍ଚିମ ମେଦିନୀପୁର, କୁଚବେହାର, ଆଲିପୁରଦୁଆର, ଜଲପାଇଗୁଡି, ଦାର୍ଜିଲିଂ, ଉତ୍ତର ଓ ଦକ୍ଷିଣ ଦିନାଜପୁର, ଝାରଗ୍ରାମ, ପଶ୍ଚିମ ବର୍ଦ୍ଧମାନ, ବୀରଭୂମ ଓ ନଦିଆ ଜିଲ୍ଲାରେ ହେବ ଭୋଟ। ଗତ ୧୫ ବର୍ଷ ଧରି ଶାସନରେ ଥିବା ଟିଏମସି ଲାଗି ଏହି ନିର୍ବାଚନ ହେବ ଅଗ୍ନିପରୀକ୍ଷା।

ବିଜେପିକୁ ମୁକାବିଲାରେ ଦଳ ସଫଳ କି ବିଫଳ ହେବ ତାହା ଜଣାପଡିବ ମେ ୪ରେ। ଗତ ୨୦୨୧ରେ ୨୯୪ ଆସନରୁ ଟିଏମସି ୨୧୩ ଆସନ ଅର୍ଥାତ ୪୭.୯ ପ୍ରତିଶତ ଭୋଟ ଲାଭ କରିଥିଲା। ମମତାଙ୍କ ଲକ୍ଷ୍ମୀ ଭଣ୍ଡାର ଯୋଜନା ତାଙ୍କ ବିଜୟ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲା। ଚଳିତ ଥର ମମତାଙ୍କ ହାତରୁ ଶାସନ ଛଡ଼ାଇନେବା ଲାଗି ବିଜେପି ପ୍ରାଣମୂର୍ଚ୍ଛା ସଂଗ୍ରାମ କରିଛି। ଗତ ୨୦୨୧ରେ ବିଜେପି ହାସଲ କରିଥିଲା ୭୭ ଆସନ।

ସେପଟେ କଂଗ୍ରେସ ଓ ବାମପନ୍ଥୀ ଦଳ ସମ୍ମାନ ରକ୍ଷା ଲାଗି ଲଢୁଥିବା ପ୍ରତୀୟମାନ ହେଉଛି। ସେପଟେ ମୁସଲିମ ଭୋଟ ହାତେଇ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଏଆଇଏମଆଇଏମ। ଚଳିତ ଥର ୧୧ଟି ଆସନରେ ପ୍ରାର୍ଥୀ ଦେଇଛି ଦଳ। ଟିଏମସିରୁ ସସପେଣ୍ଡ ହୋଇଥିବା ହ୍ୟୁମାୟୁନ କବୀରଙ୍କ ଆମ୍ ଜନତା ଉନ୍ନୟନ ପାର୍ଟି ବା ଏଜେୟୁପି ସହ ଏଆଇଏମଆଇଏମ ମେଣ୍ଟ କରିଥଇଲେ ବି ବିଜେପି ସହ ଡିଲ୍ ସଂକ୍ରାନ୍ତ ଭିଡିଓ ଲୋକଲୋଚନକୁ ଆସିବା ପରେ ଏହି ମେଣ୍ଟ ଭାଙ୍ଗିଥିଲା। ଏହି ନିର୍ବାଚନରେ ଏଜେୟୁପି ମୋଟ ୧୮୦ ଆସନରେ ପ୍ରାର୍ଥୀ ଦେଇଛି।

ଚଳିତ ନିର୍ବାଚନରେ ଲଢୁଛନ୍ତି ଟିଏମସି, ବିଜେପି ଓ କଂଗ୍ରେସର ହାଇପ୍ରୋଫାଇଲ ପ୍ରାର୍ଥୀ । ବରହମପୁର ଆସନରୁ ଲଢୁଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ସୁବ୍ରତ ମଇତ୍ରା ଓ ଟିଏମସିର ନାରୁ ଗୋପାଳ ମୁଖାର୍ଜୀ । ନନ୍ଦିଗ୍ରାମରେ ଲଢୁଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ତାଙ୍କ ବିରୋଧରେ ଟିଏମସିରୁ ଲଢୁଛନ୍ତି ପବିତ୍ର କର ଓ କଂଗ୍ରେସର ଶେଖ ଜରିଆତୁଲ ହୋସେନ । ୨୦୨୧ ନିର୍ବାଚନରେ ଏହି ଆସନରୁ ପ୍ରାୟ ୨ ହଜାର ଭୋଟରେ ଶୁଭେନ୍ଦୁଙ୍କଠାରୁ ପରାସ୍ତ ହୋଇଥିଲେ ମମତା ବାନାର୍ଜୀ । ୨୦୧୬ରେ ଏଠାରୁ ଶୁଭେନ୍ଦୁ ଟିଏମସି ପ୍ରାର୍ଥୀ ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଖଡଗପୁର ସଦର ଆସନରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପସଭାପତି ଦିଲ୍ଲୀପ ଘୋଷ ଲଢୁଥିବାବେଳେ ଟିଏମସିରୁ ଲଢୁଛନ୍ତି ପ୍ରଦୀପ ସରକାର ।

Latest Posts

Don't Miss