ମୋଦିଙ୍କ ବିରୁଦ୍ଧରେ ଆଚାର ସଂହିତା ଉଲ୍ଲଙ୍ଘନ ଅଭିଯୋଗ: ଇସିଙ୍କ ନିକଟରେ ଫେରାଦ ହେଲା ଟିଏମସି

କୋଲକାତା: ଏପ୍ରିଲ ୧ରେ ପଶ୍ଚିମବଙ୍ଗରେ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଚାରର ଅନ୍ତିମ ଦିନ। ତେଣୁ ସମସ୍ତ ଦଳ ଆଜି ନିଜ ନିଜର ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଆଗରେ ଫେରଦା ହୋଇଛି ଟିଏମସି ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ବାଙ୍ଗଲାଦେଶ ଗସ୍ତରେ ଯାଇଥିଲେ। ତେବେ ଏହି ସମୟରେ ସେ ଓରକାଣ୍ଡିର ମତୁଆ ସମ୍ପ୍ରଦାୟର ମନ୍ଦିର ଦର୍ଶନ ମଧ୍ୟ କରିଥିଲେ। ତେବେ ଏହା ବିରୁଦ୍ଧରେ ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ଟିଏମସି କହିଛି ଯେ ପ୍ରଧାନମନ୍ତ୍ରୀ ଆଚାର ସଂହିତାର ଉଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛି ଟିଏମସି।

ଅନ୍ୟପଟେ ଶିବସେନା ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଶିବସେନା କହିଛି ଯେ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ନେପାଳର ଏକ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାଂଲାଦେଶର ଏକ ମନ୍ଦିରରେ ଦେଖିବାକୁ ମିଳିଛି, ଏହା କୌଣସି ସଂଯୋଗ ନୁହେଁ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗର ମତୁଆ ସମ୍ପ୍ରଦାୟର ଜନସଂଖ୍ୟା ପ୍ରାୟ ୨ କୋଟି । ଆଉ ଏମାନେ ପଶ୍ଚିମବଙ୍ଗ ନିର୍ବାଚନରେ ​​ଭୋଟ୍ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସପ୍ରଦାୟର ଅଧିକରୁ ଅଧିକ ଭୋଟ୍ ହାତେଇବା ପାଇଁ ବିଜେପି, ଟିଏମସି ଏବଂ ଅନ୍ୟାନ୍ୟ ଦଳ ସମସ୍ତ ପ୍ରକାରର ଚେଷ୍ଟା ଚଲାଇଛନ୍ତି।

Leave a Reply