ଟ୍ରକ୍ ଧକ୍କାରେ ସାମ୍ବାଦିକଙ୍କ ପୁତ୍ର ବିୟୋଗ, ବିଶ୍ୱାସ କରିପାରୁନାହାଁନ୍ତି ଅଞ୍ଚଳବାସୀ

1 min read

ଯାଜପୁର: ସଡକ ଦୁର୍ଘଟଣାରେ ଦୈନିକ ସକାଳର ବରିଷ୍ଠ ସହ-ସମ୍ପାଦକ ଶ୍ରୀନାଥ ଜେନାଙ୍କର ଏକମାତ୍ର ପୁତ୍ର ସୁପ୍ରତ୍ୟୁଷ ଜେନାଙ୍କର ପରଲୋକ ହୋଇଛି । ସୁପ୍ରତ୍ୟୁଷ ଓଡିଶା ଖଣିନିଗମର ଭୂତତ୍ୱବିତ ଭାବେ କାର୍ଯ୍ୟ କରୁଥିଲେ। ସରକାରୀ କାର୍ଯ୍ୟରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଯାଇଥିବା ବେଳେ କଟିକଟା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନଡିଆସାହସପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ସୁପ୍ରତ୍ୟୁଷଙ୍କ ପିତା ବର୍ତ୍ତମାନ ଦୈନିକ ସକାଳର ବରିଷ୍ଠ ସହ-ସମ୍ପାଦକ ଭାବେ କାର୍ଯ୍ୟରତ ଥିବାବେଳେ ମା ଓଡିଶା ଖଣି ନିଗମର ବରିଷ୍ଠ ଅର୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସୁପ୍ରତ୍ୟୁଷ ଜଣେ ମେଳାପୀ ଏବଂ ପରୋପକାରୀ ଯୁବକ ହୋଇଥିବା ବେଳେ ତାଙ୍କର ଏପରି ଆକସ୍ମିକ ପରଲୋକକୁ ସ୍ଥାନୀୟ ଲୋକ ସହଜରେ ବିଶ୍ବାସ କରପାରୁନାହାନ୍ତି ।

ସୁପ୍ରତ୍ୟୁଷଙ୍କ ପରଲୋକ ଖବର ପାଇ ସମଗ୍ର ଯାଜପୁର ଜିଲାରେ ଶୋକର ଛାୟା ଖେଳିଯାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଦାସ ପାଂଉଣ୍ଡେସନର ସଚିବ ଭବପ୍ରସାଦ ଦାସ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓ, କୈଳାସ ଚନ୍ଦ୍ର ନାୟକ, ସନ୍ଦୀପ୍ତ ରାୟଙ୍କ ସମେତ ପୁରା ସକାଳ ପରିବାର ସଦସ୍ୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।