ନନ୍ଦିଘୋଷ ବ୍ୟୁରୋ : ବନ୍ଦେ ମାତରଂ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ବନ୍ଦେ ମାତରଂର ସମସ୍ତ ପଦଗୁଡ଼ିକୁ ଯଦି ଜଣେ ବ୍ୟକ୍ତି ଗାନ କରନ୍ତି ନାହିଁ ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦୟର ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨ ସପ୍ତାହ ମଧ୍ୟରେ କର୍ଣ୍ଣାଟ ସଂଗୀତଜ୍ଞ ଟିଏମ କ୍ରିଷ୍ଣାଙ୍କ ପିଟିସନର ଉତ୍ତର ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ଆଇନର ସାମ୍ବିଧାନିକ ବୈଧତା ପ୍ରସଙ୍ଗକୁ ଚାଲେଞ୍ଜ କରି ଦାୟର ଏକ ପିଟିସନର ଉତ୍ତର ଦାଖଲ ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଆଇନରେ ଜାତୀୟ ସମ୍ମାନ ପ୍ରତି ଅବମାନନା ବିରୋଧରେ ୩ ବର୍ଷ ଯାଏ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ମତ ଦେଇଛନ୍ତି- ଯେଉଁ ବ୍ୟକ୍ତିମାନେ ଧାର୍ମିକ କିମ୍ବା ବିବେକଗତ ବିଶ୍ୱାସ କାରଣରୁ ‘ବନ୍ଦେ ମାତରମ୍’ର ସମସ୍ତ ପଦ ଗାନ ନ କରିବାକୁ ନିଷ୍ପତ୍ତି ନିଅନ୍ତି, ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯିବା ଉଚିତ୍ ନୁହେଁ। ଏନେଇ ଟି.ଏମ୍. କ୍ରିଷ୍ଣା ଏକ ‘ଜନସ୍ୱାର୍ଥ ମାମଲା’ ଦାଖଲ କରିଥିଲେ। ଏଥିରେ ସେ ‘ବନ୍ଦେ ମାତରମ୍’ର ସମସ୍ତ ଛଅଟି ପଦ ଗାନ କରିବାକୁ ବାଧ୍ୟତାମୂଳକ କରୁଥିବା ନିୟମ ଏବଂ ଏଥିପାଇଁ ଅପରାଧିକ ଦଣ୍ଡବିଧାନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ଏଠାରେ ନିଜର ୧୯୮୬ ମସିହାର ଏକ ପ୍ରସିଦ୍ଧ ରାୟ ବିଜୋ ଇମାନୁଏଲ୍ ବନାମ କେରଳ ରାଜ୍ୟର ଉଲ୍ଲେଖ କରିଥିଲେ। ଏହି ରାୟରେ ସେହି ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା ଯେଉଁମାନେ ଜାତୀୟ ସଙ୍ଗୀତ କିମ୍ବା ଜାତୀୟ ଗୀତ ସମୟରେ ସମ୍ମାନର ସହ ଛିଡ଼ା ହୁଅନ୍ତି, କିନ୍ତୁ ନିଜର ବ୍ୟକ୍ତିଗତ କିମ୍ବା ଧାର୍ମିକ ବିଶ୍ୱାସ ଯୋଗୁଁ ନିରବ ରୁହନ୍ତି। ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ଆଇନ, ୨୦୨୬’ ଅନୁଯାୟୀ, ଜାତୀୟ ଗୀତ ଗାନକୁ ଜାଣିଶୁଣି ବନ୍ଦ କରିବା କିମ୍ବା ବାଧା ସୃଷ୍ଟି କରିବା ପାଇଁ ଅପରାଧିକ ଦଣ୍ଡ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନା ବ୍ୟବସ୍ଥା ଲାଗୁ କରାଯିବା ପରେ ଏହି ଆଇନଗତ ବିବାଦ ଉପୁଜିଥିଲା।

