ପାଉଁରୁଟି ଖାଉଥିଲେ ସାବଧାନ: ହୋଇପାରେ କୋଲୋରେକ୍ଟଲ କ୍ୟାନସର

ଭୁବନେଶ୍ବର: ଆପଣ ଯଦି ବ୍ରେଡ ଖାଇବାକୁ ପସନ୍ଦ କରନ୍ତି ଓ ନିୟମିତ ଏହାକୁ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ବ୍ରେଡ୍ ଖାଇବା ଦ୍ବାରା ହୋଇପାରେ କେଲୋରେକ୍ଟଲ କ୍ୟାନସର । ଏକ ରିସର୍ଚ୍ଚରୁ ଏମିତି ତଥ୍ୟ ଜଣାପଡିଛି ।

ଜର୍ନଲ ଅଫ ନ୍ୟୁଟ୍ରିଏଣ୍ଟସରେ ପ୍ରକାଶିତ ଏକ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଧଳା ପାଉଁରୁଟି ଖାଇବା ସହ ମଦ ପିଇଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା ବଢ଼ିଯାଇଥାଏ । ଶିରର ଶେଷ ଭାଗ ଓ ଝାଡ଼ଦ୍ବାରରେ ଏହି କ୍ୟାନସର ହୋଇଥାଏ । ଏହି ପ୍ରକାର କ୍ୟାନସର ବଢ଼ିବାକୁ ସମୟ ନେଇଥାଏ । ଆରମ୍ଭରୁ ଜଣାପଡିଗଲେ ଏହାର ଚିକିତ୍ସା ହୋଇପାରିବ ।

ଚୀନର ଝିଞ୍ଜିୟାଙ୍ଗ ବିଶ୍ବବିଦ୍ୟାଳୟ ଚିକିତ୍ସା ବିଦ୍ୟାଳୟ ପକ୍ଷରୁ ୟୁକେ ବାୟୋ କ୍ୟାଙ୍କ ସହଯୋଗରେ ଏହି ସର୍ଭେ କରାଯାଇଛି । ସର୍ଭେରେ ଏକ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ସର୍ଭେରେ ପ୍ରତିଦିନ ଖିଆ ଯାଉଥିବା ୧୩୯ ପ୍ରକାର ଖାଦ୍ୟ ପଦାର୍ଥ ଓ ଏଥିରେ ଥିବା ପୋଷକତତ୍ତ୍ବର ଯାଞ୍ଚ କରାଯାଇଥିଲା । ଏଥିରୁ ଜଣାପଡିଥିଲା, ଯେଉଁମାନେ ଧଳା ପାଉଁରୁଟି ଓ ମଦ ନିୟମିତ ପିଉଛନ୍ତି ସେମାନଙ୍କ ମଧ୍ୟରୁ ୧୩ ବର୍ଷ ମଧ୍ୟରେ ୧୪୬୬ ଜଣ କୋଲୋରେକ୍ଟଲ କ୍ୟାନସରରେ ପୀଡିତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ଅନ୍ୟ ବେମାରୀରେ ଆକ୍ରାନ୍ତ ଥିବା ଜଣାପଡିଛି ।

ସର୍ଭେରୁ ଜଣାପଡିଛି, ଧଳା ପାଉଁରୁଟିରେ କାର୍ସିନୋଜେନ୍ ରହିଛି । ଯାହା ଏହି ପ୍ରକାର କ୍ୟାନସର ହେବାର କାରଣ ହୋଇଥାଏ । ତେବେ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର, କ୍ୟାଲସିୟମ, ଫସଫରସ୍ ଓ ମ୍ୟାଗ୍ନେସିୟମ ଥିବା ଖାଦ୍ୟ ଖାଉଥିଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା କମି ଯାଇଥାଏ ।

ଆମେରିକୀ କ୍ୟାନସର ସୋସାଇଟି ଅନୁସାରେ ବିଶ୍ବରେ ଦିନକୁ ଦିନ କୋଲୋରେକ୍ଟଲ କ୍ୟାସନର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ଏକ ବଡ଼ ବିପଦ ହୋଇ ସାମ୍ନାକୁ ଆସିଛି । ବିଶ୍ବରେ ଦେଖାଯାଉଥିବା କ୍ୟାନସର ରୋଗରେ ତୃତୀୟ ସ୍ଥାନରେ କୋଲୋରେକ୍ଟର ରହିଛି ।