ଜୟସ୍ୱାଲଙ୍କ ’ଯଶସ୍ୱୀ’ ଇନିଂସ, ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା ଯୁବରାଜଙ୍କ ରେକର୍ଡ

1 min read

କୋଲକାତା: ଆଇପିଏଲରେ ଇତିହାସ ରଚିଲେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ । ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି ହେଲେ ନମ୍ବର ଓ୍ୱାନ୍ । IPL ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ଗୌରବ ଅର୍ଜନ କଲେ ଯଶ୍ୱସୀ । ମାତ୍ର ୧୩ ବଲରେ ୫୦ ରନ କରି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ଜୟସ୍ୱାଲ ।

ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ । ଚଳିତ ସିଜିନରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଥିଲେ ଜୟସ୍ୱାଲ । ତେବେ ଗୁରୁବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ବିଧ୍ୱଂସୀ ଇନିଂସ ଖେଳି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଯୁବ ତାରକା ଜୟସ୍ୱାଲ । KKR ବିପକ୍ଷ ମ୍ୟାଚରେ ମାତ୍ର ୧୩ ବଲରେ ଅର୍ଦ୍ଧଶତକ କରି ଏକ ନୂଆ ରେକର୍ଡ ସେ ତାଙ୍କ ନାଁରେ କରିଛନ୍ତି । ଜୟସ୍ୱାଲଙ୍କ ଏହି ବିସ୍ଫୋରକ ବ୍ୟାଟିଂ କିନ୍ତୁ ଭାଙ୍ଗି ପାରିନି ଯୁବରାଜ ସିଂ ରେକର୍ଡ । କ୍ରିକେଟ ଇତିହାସରେ ଯୁବରାଜ ମାତ୍ର ୧୨ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ ଯୁବରାଜ । କିନ୍ତୁ ଆଇପିଏଲରେ ଏପର୍ଯ୍ୟନ୍ତ କେହି ୧୩ଟି ବଲରେ ଅର୍ଦ୍ଧଶତକ ହାସଲ କରିନଥିଲେ । ଏହା ପୂର୍ବରୁ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ କେଏଲ ରାହୁଲ ଓ ପ୍ୟାଟ୍ କମିନ୍ସଙ୍କ ନାମରେ ରହିଥିଲା । ଉଭୟ ବ୍ୟାଟ୍ସମ୍ୟାନ ୧୪ ବଲରେ ହାସଲ କରିଥିଲେ ଅର୍ଦ୍ଧଶତକ ।

ଯଶସ୍ୱୀ ଜୟସ୍ୱାଲଙ୍କ ଏହି ଇନିଂସ ପାଇଁ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ । ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ବିରେନ୍ଦ୍ର ସେହଓ୍ୱାଗଙ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଯଶସ୍ୱୀ ଜୟସ୍ୱାଲଙ୍କୁ ପ୍ରଶଂସା କରିଛନ୍ତି । କେବଳ ଭାରତୀୟ କ୍ରିକେଟର ନୁହଁନ୍ତି ବରଂ ଅନ୍ୟ ଦେଶର ଖେଳାଳୀ ଓ ଅନ୍ୟ ଫ୍ରାଞ୍ଚାଇଜ୍ ମଧ୍ୟ ଜୟସ୍ୱାଲଙ୍କ ଏହି ଇନିଂସକୁ ପ୍ରଶଂସା କରିଛନ୍ତି । ତେବେ ଚଳିତ ସିଜିନରେ ଯଶସ୍ୱୀ ଜୟସ୍ୱାଲ ବ୍ୟାଟରୁ ଦେଖିବାକୁ ମିଳୁଛି ବନ ଇନିଂସ । ସେ ୧୨ଟି ମ୍ୟାଚରୁ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସହ ୫୭୫ ରନ କରିଛନ୍ତି । ତେବେ ଆଗକୁ ମଧ୍ୟ ଯଶସ୍ୱଙ୍କ ବ୍ୟାଟରୁ ଏମିତି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।