ମାରାଥନ ଅଜଗର ରେସ୍କ୍ୟୁ ଅପରେସନ, ଉଦ୍ଧାର ହେଲେ ଦୁଇଟି ବିଶାଳ ଅଜଗର

ଗଞ୍ଜାମ: ମାଟି ଖୋଳୁ ଖୋଳୁ ବାହାରିଲା ଅଜଗର। ଏକା ଥରକେ ଦୁଇ ଦୁଇଟି ବିଶାଳକାୟ ଅଜଗର। ଦେଖିଲେ ଭୟରେ ଗୋଡ଼ ହାତ ଥରିବ ଲୋମ ଟାଙ୍କୁରି ଉଠିବ। ନୂଆ ବନ୍ଧର ସୌନ୍ଦର୍ଯ୍ୟ କରଣ ଚାଲିଥିବା ବେଳେ ବାହାରିଥିଲା ଏହି ବିରାଟ ଜନ୍ତୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗାଁର ନୂଆ ବନ୍ଧ ନିକଟରେ। ଦୀର୍ଘ ୩ଘଣ୍ଟାର ଅକାଳ ପରିଶ୍ରମ ପରେ ଦୁଇଟି ଅଜଗର ସାପକୁ ସ୍ନେକ ହେଲ୍ପଲାଇନ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ପାଇପ ବାହାର କରିବାକୁ ନାଳ ଖୋଲା ଯାଉଥିଲା । ଉକ୍ତ ନାଳ ଖୋଲିବା ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଚାଲି ଆସିଥିଲେ। ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡିର ଡାଲାରେ ଦାବି ରଖିଥିଲେ ।

ଅନ୍ୟ ଗୋଟିଏ ସାପ ବିକଳରେ ଗାଡ଼ିର ଇଞ୍ଜିନ ମଧ୍ୟରେ ପଶିଯାଇଥିଲା । ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଜଣାଇଥିଲେ ସ୍ଥାନୀୟ ଲୋକେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।

ସ୍ୱାଧୀନ ପ୍ରଥମେ ସାତ ଫୁଟର ଅଜଗର ସାପକୁ ଉଦ୍ଧାର କରି ଏକ ଅଖା ଭିତରେ ଭର୍ତ୍ତି କରିଥିଲେ। ଏବଂ ତାପରେ ଯେଉଁ ଅଜଗରଟି ଜେସିବି ଭିତରେ ପଶିଯାଇଥିଲା ତାକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନ ଟିମକୁ ନାକେଦମ ହେବାକୁ ପଡ଼ିଥିଲା । ୧୧ ଫୁଟ ଲମ୍ବର ଅଜଗରଟି ଆଦୌ ଜେସିବି ଭିତରୁ ବାହାରିନଥିଲା।

ଅଜଗର ତା ଶରୀରକୁ ଫୁଲାଇ ଦେବା କାରଣରୁ ବାହାରକୁ ବାହାର କରିବା ବହୁତ କଷ୍ଟ ହେଉଥିଲା । ଏଣେ ଅଜଗରକୁ ବଳ ପ୍ରୟୋଗ କରି ଭିଡ଼ିଲେ କାଳେ ତା ଦେହରେ କ୍ଷତ ସୃଷ୍ଟି ହେବ ସେଥିପାଇଁ ସ୍ନେକ ହେଲ୍ପଲାଇନର ସଦସ୍ୟ ଧୀରେ ସୁସ୍ଥେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ୧୧ଫୁଟ ଲମ୍ବାର ଅଜଗରକୁ ସ୍ନେକ ହେଲ୍ପ ଲାଇନ ଜେସିବି ମଧ୍ୟରୁ ବାହାର କରିବାରେ ସଫଳ ହୋଇଥିଲା। ରାତି ୯ରୁ ୧୨ଟା ଯାଏଁ ଏହି ମାରାଥନ ରେସ୍କ୍ୟୁ ଅପରେସନ ଚାଲିଥିଲା। ସ୍ଥାନୀୟ ଗ୍ରାମବାସୀ ଏହି ଉଦ୍ଧାର କର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave a Reply