ପିପିଲିରେ ପ୍ରକଳ୍ପର ବର୍ଷା, ୭୦ କୋଟିର ଉପହାର ଭେଟିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପିପିଲିକୁ ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ପ୍ରଦୀପ ମହାରଥୀଙ୍କ ଅଵର୍ତ୍ତମାନରେ ପିପିଲି ବିକାଶ ପାଇଁ ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ପୌରାଞ୍ଚଳ ପାଇଁ 67 କୋଟି 68 ଲକ୍ଷ ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ମନେ ପକାଇ ପିପିଲିର ବିକାଶ ପାଇଁ ଶପଥ ନେଇଥିଲେ । କହିଥିଲେ, ଦୁଃଖ ଯେ ପ୍ରିୟ ମହାରଥୀ ନାହାନ୍ତି । ଗତ 30 ବର୍ଷରୁ ଅଧିକ ସମୟରୁ ସେ ପିପିଲି ଡେଲାଙ୍ଗର ବିକାଶ ଓ ଆପଣଙ୍କ ଭଲ ମନ୍ଦ ସୁଖ ଦୁଃଖରେ ଥିଲେ । ବିକାଶ ପାଇଁ ସେ ସାରା ଜୀବନ କାମ କରିଛନ୍ତି । ମୁଁ ଗାଁ ଉପରେ ଫୋକସ କରେ । ମହିଳା ବିକାଶ ଫୋକସ, ଚାଷୀ ଭାଇ କଲ୍ୟାଣ, ଗରିବ ମୁହଁରେ ହସ ମତେ ଅଧିକ ସନ୍ତୋଷ ଦେଇଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ପିପିଲି ବ୍ଲକ୍ ପାଇଁ ୨୪ କୋଟି ୪୧ଲକ୍ଷ ଓ ପୌରାଞ୍ଚଳ ପାଇଁ ୧୬ କୋଟି ୮୫ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପିପିଲି ପୌରାଞ୍ଚଳରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କୋଟିଏ ୫୦ ଲକ୍ଷ, ନୂଆ ହସ୍ତଶିଳ୍ପ ଭେଣ଼୍ଡଂ ମାର୍କେଟ ପାଇଁ କୋଟିଏ ୫୦ ଲକ୍ଷ, ଟାଉନହଲ ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏକ କୋଟି ୫୦ ଲକ୍ଷ, ଭୁବନାନନ୍ଦ ପୁଷ୍କରିଣୀ ପୁନରୁଦ୍ଧାର ଓ ଉନ୍ନତି ପାଇଁ ୨କୋଟି, ପାଣି ପାଇପ୍‌ ଲାଇନ ସମ୍ପ୍ରସାରଣ ପାଇଁ ୭କୋଟି , ୭୭ଟି କଂକ୍ରିଟ ରୋଡ୍ , କମ୍ୟୁନିଟି ସେଣ୍ଟର, ଡ୍ରେନ୍ ଆଦି ନିର୍ମାଣ ପାଇଁ ୧କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି ଆଦର୍ଶ ଶବଦାହ କେନ୍ଦ୍ର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୭୫ଲକ୍ଷ ଟଙ୍କା। ୭୫ ଲକ୍ଷ ଟଙ୍କାରେ ସ୍ମାର୍ଟପାର୍କ ନିର୍ମାଣ କରାଯିବ । ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଗୋପୀନାଥ ଦେବ ମନ୍ଦିର ଓ ପୁଷ୍କରିଣୀ ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ୩କୋଟି, ରାସ୍ତା ପୁନରୁଦ୍ଧାର ଏବଂ ଉନ୍ନତି ପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହେବ । କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ ପାଇଁ ୫୦ ଲକ୍ଷ, ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୧୦କୋଟି, ପିପିଲି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଟ୍ରେନିଂ ସେଣ୍ଟର ନିର୍ମାଣ ପାଇଁ ୫୦ ଲକ୍ଷ , ହାଇଲେଭେଲ ସେତୁ ନିର୍ମାଣ ପାଇଁ ୨କୋଟି ୭୦ ଲକ୍ଷ, ଗଙ୍ଗୁଆ ନାଳ ଉପରେ ହାଇଲେଭଲ ସେତୁ ନିର୍ମାଣ ପାଇଁ ୧କୋଟି ୮୦ ଲକ୍ଷ, ଗାଁ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୨କୋଟି ୫୨ ଲକ୍ଷ, ୧୨୭ଟି କମ୍ୟୁନିଟି ସେଣ୍ଟର ଓ କଲ୍ୟାଣମଣ୍ଡପ ପାଇଁ ୭କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

Leave a Reply