ପିଛା ଛାଡୁନି କୋଭିଡ, ଡିସେମ୍ବରରେ ୧୦ ହଜାର ଲୋକଙ୍କ ଜୀବନ ନେଇଛି ଭାଇରସ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବବାସୀଙ୍କ ପିଛା ଛାଡୁନି କୋଭିଡ । ଏବେ ବି ଜାରି ରଖିଛି ତାଣ୍ଡବ । ଗତ ଡିସେମ୍ବରରେ ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ନେଇଛି ଭାଇରସ । ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ । କରୋନା ବିପଦରୁ ବିଶ୍ବ ରକ୍ଷା ପାଇଯାଇଛି ବୋଲି କୁହାଯାଉଥିଲେ ବି ଏବେ ବି ଭାଇରସ ନିଜର ଉତ୍ପାତ ବିଭିନ୍ନ ରାଷ୍ଟ୍ରରେ ଜାରି ରଖିଛି ବୋଲି କହିଛି ସଂଗଠନ । ବିଶେଷ କରି ଖ୍ରୀଷ୍ଟମାସ ସେଲିବ୍ରେସନ ଯୋଗୁ ଭାଇରସ ପରିବ୍ଯାପ୍ତ ହୋଇଥିଲା ।

ବିଶ୍ବରେ ଜେଏନ.1 ଭାରିଆଣ୍ଟ ଅଧିକ ବେଗରେ ସଂକ୍ରମିତ ହେଉଥିବାରୁ ଡିସେମ୍ବରରେ ମୃତ୍ଯୁସଂଖ୍ଯା 10 ହଜାର ହେଲା ବୋଲି କହିଛି ସଂଗଠନ । କୋଭିଡ ୧୯ ଏକ ଗ୍ଲୋବାଲ ହେଲଥ ଏମର୍ଜେନସି ହୋଇ ନଥିବା ସତ୍ତ୍ବେ ନିଜର ପ୍ରଭାବ ବଳବତ୍ତର ରଖିଛି ବୋଲି କହିଛନ୍ତି ଜାତିସଂଘ ସ୍ବାସ୍ଥ୍ୟ ସଂସ୍ଥାର ମୁଖ୍ଯ ଟେଡରସ ଅଧନମ ଘେବ୍ରେସିସ । ଗତ ଡିସେମ୍ବରରେ ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ସଂଖ୍ଯା ୪୨ ପ୍ରତିଶତ ବଢିଥିଲା ।

ୟୁରୋପ ଓ ଆମେରିକାର ପ୍ରାୟ ୫୦ଟି ରାଷ୍ଟ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଆକଳନ କରାଯାଇଛି ବୋଲି ସେ କହିଛନ୍ତି । ସେପଟେ ସ୍ପେନରେ କୋଭିଡ ସଂକ୍ରମଣ ବଢୁଥିବାରୁ ସମସ୍ତ ହସ୍ପିଟାଲ ଓ ସ୍ବାସ୍ଥ୍ଯ ସେବା ପ୍ରତିଷ୍ଠାନରେ ମାସ୍କକୁ ବାଧ୍ଯତାମୂଳକ କରାଯାଇଛି । ଦେଶରେ ଫ୍ଲୁ ଓ କୋଭିଡ ସଂକ୍ରମଣ ଖୁବ୍ ଅଧିକ ହେବାରେ ଲାଗିଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ପେନ ସ୍ବାସ୍ଥ୍ୟ ମନ୍ତ୍ରୀ ମୋନିକା ଗାର୍ସିଆ । ଘରୋଇ କ୍ଲିନିକ, ଫାର୍ମାସି, ଦନ୍ତ ବିଭାଗ ହସ୍ପିଟାଲ ଓ କାର୍ଯ୍ୟାଳୟ ସମେତ ଅନ୍ଯାନ୍ୟ ମେଡିକାଲ ଫାସିଲିଟିରେ ବି ଏହି ନିୟମ ପାଳନ ହେବ ।