କୋଭିଡ ମହାମାରି ସମୟରେ ଜନପ୍ରତିନିଧି ସାଜିଥିଲେ ଶତ୍ରୁ, ରଙ୍ଗେଇଲୁଣ୍ଡାରେ ବିଧାୟକଙ୍କ ଭଦ୍ରମୁଖା ଖୋଲିଲେ 5T ସଚିବ

1 min read

ଗଞ୍ଜାମ: କୋଭିଡ ମହାମାରି ସମୟରେ ଜନପ୍ରତିନିଧି ସାଜିଥିଲେ ଶତ୍ରୁ । ବିଧାୟକଙ୍କ ନାଁ ନେଇ ଭଦ୍ରମୁଖା ଖୋଲିଲେ 5T ସଚିବ । ଜଣେ ଜନପ୍ରତିନିଧି କିଭଳି ପ୍ରଭାବିତ ଲୋକଙ୍କ ଶତ୍ରୁ ସାଜିଥିଲେ ତାର ମୁଖା ଖୋଲିଛନ୍ତି 5T ସଚିବ । ଜନପ୍ରତିନିଧି ହୋଇ ମଧ୍ୟ ରାଜ୍ୟ ବାହାରେ ଥିବା ଗଂଜାମ ଲୋକ ନିଜ ଘରକୁ ଫେରନ୍ତୁ ତାହା ଚାହୁଁ ନଥିଲେ ବୋଲି ଚାହିଁଥିଲେ ଜନପ୍ରତିନିଧି । ଏହି କଳଙ୍କିତ ଜନପ୍ରତିନିଧିଙ୍କ ଅସଲ ଚେହାରା ଆଜି ପଦାରେ ପଡିଛି । ସେବା ନାଁରେ ଲୋକଙ୍କୁ ଠକୁଥିବା ଏହି ବ୍ୟକ୍ତି ଆଜି ତାର ପରିଣାମ ମଧ୍ୟ ଭୋଗୁଛନ୍ତି । କୋଭିଡ ବେଳେ ରାଜ୍ୟ ବାହାରେ ବହୁ ଓଡିଆ ଲୋକ ଫସିରହିଥିଲେ । ସେମାନେ ନିଜ ନିଜ ଘରକୁ ଫେରିପାରୁ ନଥିଲେ ।

ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ । ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଫେରାଇଆଣିବାର ଦାୟିତ୍ବ ନେଇଥିଲେ । ଏବାବଦ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ଏହି ଜନପ୍ରତିନିଧି ଏଭଳି ଏକ ଜଟିଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟେଲିଫୋନ କରି ରାଜ୍ୟ ବାହାର ଲୋକଙ୍କୁ ଗଂଜାମ ଫେରାଇ ନଆଣିବାକୁ କହିଥିଲେ । କାରଣ ସେମାନେ ଫେରିଲେ ଗଂଜାମର ସ୍ଥିତି ସଂଗୀନ ହୋଇଯିବ ବୋଲି ସେ କହିଥିଲେ । ଆଗ ଆମେ ବଂଚିବା, ପରେ ଅନ୍ୟମାନଙ୍କ କଥା ଚିନ୍ତା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।

ଏଭଳି ସ୍ବାର୍ଥପର ଜନପ୍ରତିନିଧିଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଥିଲେ । ବିଧାୟକଙ୍କୁ କିଛି ନକହିଲେ ବି ଆମକୁ ସେବା ମନୋବୃତ୍ତିର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିସ୍ବାର୍ଥପର ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଉଥିବା ଲୋକ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବିବା ଉଚିତ । ସ୍ବାର୍ଥ ପାଇଁ ସେବା କଲେ ଭଗବାନ ରୁଷ୍ଟ ହୋଇଥାନ୍ତି । ସମ୍ପୃକ୍ତ ଜନପ୍ରତିନିଧି କିନ୍ତୁ ନିଜ ସ୍ବାର୍ଥ ସାଧନ ପାଇଁ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରି ଲୋକଙ୍କ ଆତ୍ମବିଶ୍ବାସ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ଏହାଦ୍ବାରା କୋଭିଡ ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ ଓ ମିଶନ ଶକ୍ତି ମା’ମାନେ ବିଚଳିତ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ସିଧାସଳଖ ସେମାନଙ୍କ ସହ ଭିଡିଓ କନଫରେନସିଂରେ କଥା ହୋଇଥିଲେ । ମା ମାନଙ୍କ ସହଯୋଗ ଓ ମା ତାରାତାରିଣୀଙ୍କ ଆଶୀର୍ବାଦରୁ କୋଭିଡ ମୁକାବିଲାରେ ଗଂଜାମ ଦେଶରେ ସୁନାମ ଅର୍ଜନ କରିଛି । ଜନପ୍ରତିନିଧି ନିଜ ସ୍ବାର୍ଥ ପାଇଁ ଲୋକଙ୍କ ସେବାରେ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିବାରୁ ଭଗବାନ ତାର ଫଳ ତାଙ୍କୁ ଦେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା । ଯିଏ ବି ନିଜ ସ୍ବାର୍ଥ ପାଇଁ ଲୋକଙ୍କ ସେବାରେ ବ୍ୟାଘାତ ସୃଷ୍ଟି କରନ୍ତି, ତାର ବିଚାର ମା ତାରାତାରିଣୀ ଓ ଭଗବାନ କରିବେ ବୋଲି କହିଛନ୍ତି 5T ସଚିବ ।