ରାସ୍ତା ଉପରେ ବସ୍ ରହଣି ଯୋଗୁଁ ସୃଷ୍ଟି ହେଉଛି ଟ୍ରାଫିକ୍ ସମସ୍ୟା

ବିଞ୍ଝାରପୁର : ମୁଖ୍ୟ ରାସ୍ତା ପାଲଟିଛି ବସ ଷ୍ଟାଣ୍ଡ । ରାସ୍ତା ଉପରେ ବସ୍ ରହଣି ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି। ବିଶ୍ରାମାଗାର ନଥିବାରୁ ହନ୍ତସନ୍ତ ଯାତ୍ରୀ। ଏ ହେଉଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ବଜାର ଦୃଶ୍ୟ । ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୧୦ଟି ବ୍ଲକର ହଜାର ହଜାର ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳର ମୁଖ୍ୟ ଦ୍ୱାର ହେଉଛି ସିଂହପୁର ବଜାର । ଏହି ବଜାରରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ବାହାର ରାଜ୍ୟକୁ ବସ୍ ଚଳାଚଳ କରିଥାଏ । ହେଲେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ବସ୍ ଷ୍ଟାଣ୍ଡ ଟିଏ ନାହିଁ । ବସ୍ ରହଣି ପାଇଁ ସ୍ଥାନ ନଥିବାରୁ ବାଧ୍ୟ୍ୟହୋଇ ରାସ୍ତା ଉପରେ ବସ୍ ରଖୁଛନ୍ତି ଡ୍ରାଇଭର । ରାସ୍ତା ଉପରେ ବସ୍ ରହଣି ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଅନେକ ସମୟରେ ଲୋକମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି ।

ବିଭିନ୍ନ ସ୍ଥାନରୁ ବସଯୋଗେ ଯିବାକୁ ସିଂହପୁର ବଜାରରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ସାମଗମ ହୋଇଥାଏ । ଏଠାରେ ଲୋକମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ବି ଉପଲବ୍ଧ ହୋଇପାରିନାହିଁ । ବିଶେଷ କରି ପିଇବା ପାଣି, ଶୌଚାଳୟ, ଯାତ୍ରୀ ବିଶ୍ରାଗାର ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ ଅନେକ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏ ନେଇ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ୟା ବିଷୟରେ ସ୍ଥାନୀୟ ଲୋକେ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ସବୁ ସମସ୍ୟାର ସମାଧାନ ହୋଇପାରିନାହିଁ । ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ହୋଲି କହିଛନ୍ତି ବିଞ୍ଝାରପୁର ବ୍ଲକ ଉନ୍ନୟନ ଅଧିକାରୀ  । ସିଂହପୁର ବଜାରର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ତୁରନ୍ତ ବସ ଷ୍ଟାଣ୍ଡ ନିର୍ମାଣ ସହିତ ବିଶ୍ରାମାଗାର, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି ।