ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
1 min read
ଭୁବନେଶ୍ବର: ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଅପରାହ୍ନ ୫ ଟା ୧୦ ମିନିଟରେ ଭୁବନେଶ୍ବର ପହଞ୍ଚିବ ମହାମହିମ । ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ଭୁବନେଶ୍ବର ସିଜୁଆ ସ୍ଥିତ AIIMS ହସ୍ପିଟାଲରେ ୫ଟା ୩୫ରେ ପହଞ୍ଚିବେ ରାଷ୍ଟ୍ରପତି । AIIMSର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ରଖିବା ସହିତ ୬୪୩ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିବେ । ସେହିପରି ୩୧ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ସଫଳତା ପାଇଁ ୫୯ଟି ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ । ସେଠାରୁ ୬ଟା ୪୫ରେ ବାହାରି ସିଧା ରାଜଭବନ ଯାଇ ରାତ୍ରୀଯାପନ କରିବେ ।
୧୫ ତାରିଖରେ କଟକରେ ବ୍ୟାପକ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ସକାଳ ୧୦ରୁ ରାଜଭବନରୁ ବାହାରି ୧୦ଟା ୫୦ରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପହଞ୍ଚିବେ । ୧୧ଟାରୁ ୧୨ ଯାଏ ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ୧୨ଟା ୨୦ରେ ରେଭେନ୍ସା ଗାର୍ଲ୍ସ ହାଇସ୍କୁଲ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ମାଛୁଆ ବଜାର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ଆଦିକବି ଶାରଳା ଦାସଙ୍କ ମାଲ୍ୟାର୍ପଣ କରିବେ । ଏହାପରେ ୪ଟାରୁ ୫ ଟା ଯାଏଁ ଇଣ୍ଡୋର ଷ୍ଟାଡିୟମରେ ଶାରଳା ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ଶାରଳା ଦାସଙ୍କ ୬ଶହ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରୁ ବାହାରି ୬ଟା ବେଳେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ଦିଲ୍ଲୀ ଫେରିଯିବେ ।