ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର : ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ପତିଆରା ଜାହିର ପାଇଁ ଉଦ୍ଯମ । ଭଞ୍ଜବିହାର କ୍ୟାମ୍ପସରେ ଅଣଛାତ୍ରଙ୍କ ଗୁଣ୍ଡାରାଜ । ଅଣଛାତ୍ରଙ୍କ ଆକ୍ରମଣରେ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ଲହୁଲୁହାଣ । ଆହତ ଛାତ୍ର ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି । ବ୍ୟାପକ ପୋଲିସ ମୁତୟନ । କୁଳପତି ଡାକିଲେ ଶୃଙ୍ଖଳାଗତ ବୈଠକ । ନୂଆଖାଇ ପାଇଁ ଗତକାଲି ଭଞ୍ଜବିହାର ପରିସରରେ ବିଦ୍ୟାର୍ଥୀଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କ୍ୟାମ୍ପସ୍ ଭିତରେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଣଛାତ୍ର ବିନା ଅନୁମତିରେ ପ୍ରବେଶ କରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଛାତ୍ରମାନେ ଏହାକୁ ବିରୋଧ କରିବାରୁ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ । ଅଣଛାତ୍ରଙ୍କ ଆକ୍ରମଣରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଅଭିଳାଷ ମିଶ୍ର ଆହତ ହୋଇଛନ୍ତି । ୧୦ରୁ ୧୨ ଜଣ ଅଣଛାତ୍ର ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
କିଛି ଛାତ୍ର ରାତିରେ ଗୋପାଳପୁର ଥାନାରେ ଅଭିଯୋଗ ଦେବାକୁ ଯାଇଥିବା ବେଳେ ଥାନାରେ ସେମାନଙ୍କୁ କିଛି ଯୁବକ ଧମକ ଚମକ ଦେଇଥିଲେ । ପ୍ରତିବାଦରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଶହ ଶହ ସମର୍ଥକ ଥାନା ଆଗରେ ଧାରଣା ଦେଇଥିଲେ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ସ୍ଥିତି ଉତ୍ତେଜନପୂର୍ଣ୍ଣ ଥିବାରୁ ବିଶ୍ୱବିଦ୍ୟାଳୟରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସେପଟେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କ ସହ ଶୃଙ୍ଖଳାଗତ ବୈଠକ କରି ପଦକ୍ଷେପ ନିଆଯାଇଛି । ସବୁ ହଷ୍ଟେଲରେ ଆଜିଠାରୁ ହେବ କଡା ଦଦାରଖ କରାଯିବ ବୋଲି କହିଛନ୍ତି କୁଳପତି । କୌଣସି ଅପ୍ରିତିକର ପରିସ୍ଥିତିକୁ ନଜରେ ରଖି ବିଶ୍ବବିଦ୍ୟାଳୟ ପରିସରରେ କଡ଼ା ନଜର ରଖାଯାଇଛି ।