କଟକ : ମନ ଟାଣୁଛି କଟକ ବାଲିଯାତ୍ରା । ମହାନଦୀ ତଟରେ ପଡ଼ିଛି ରାଜ୍ଯର ସର୍ବବୃହତ୍ତ ମୁକ୍ତାକାଶ ବ୍ଯବସାୟ । ସଂଧ୍ଯା ନଇଁଲେ ଜମୁଛି ଖଚାଖଚ ଭିଡ଼ । ଘର କରଣା ସାମଗ୍ରୀ ଠାରୁ ଆରମ୍ଭକରି ବିଭିନ୍ନ ସାମଗ୍ରୀ ଗୋଟିଏ ସ୍ଥାନରେ ମିଳୁଥିବାରୁ ଲୋକେ ଏହାକୁ ହାତଛଡ଼ା କରୁ ନାହାନ୍ତି । ଚଟପଟି ଖାଦ୍ଯ ସାଙ୍ଗକୁ ଦେଶ ବିଦେଶର ସାମଗ୍ରୀ ଏଠାରେ ଉପଲବ୍ଧ ହେଉଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଖୋଲିଛି ଦହିବରା ହାଟ । କଟର ପ୍ରଶିଦ୍ଧ ରଘୁ, ବାବୁଲା, ପ୍ରତାପ, ତ୍ରିନାଥଙ୍କ ଭଳି ବଛା ବଛା ବ୍ୟବସାୟଙ୍କୁ ଗୋଟିଏ ସ୍ଥାନରେ ଦେଖି ଗ୍ରାହକ ବି ଖୁସ୍ । ତେବେ ପ୍ରତିବର୍ଷ ଉପର ପଡ଼ିଆରେ ତାଙ୍କୁ ସୁଯୋଗ ମିଳୁଥିବାବେଳେ ଏଥର ପ୍ରଶାସନ କଟକଣା ଯୋଗୁଁ ଟିକିଏ ଅଶନ୍ତୋଷ ପ୍ରକାଶ କରିଛନ୍ତି ବ୍ଯବସାୟୀ ।
ମନକୁ ଟିକିଏ ହାଲୁକା କରିବା ଓ ଯାତ୍ରାରେ ବୁଲିବା ମଜା ଲୁଟିବାକୁ ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଲୋକେ । କିଏ ଦୋଳିରେ ବୁଲି ମଜା ନେଉଛି ତ କିଏ ପରିବାର ସହ ମିଶି ଚଟପଟି ଖାଦ୍ଯର ମଜା ଲୁଟୁଛନ୍ତି । ଏହାରି ଭିତରେ ଦୁଇପଇସା ରୋଜଗାର ପାଇଁ ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଭିକାରୀ । ଦିବ୍ଯାଙ୍ଗ ଭିକାରୀମାନେ ଭିଡ଼ ଭିତରେ ଲୋକଙ୍କ ହାତକୁ ଅନାଇ ବସିଛନ୍ତି । ଲୋକେ ବି ବୁଲାବୁଲି ସାରି ତାଙ୍କ ହାତରେ କିଛି ପଇସା ଧରାଇ ଦେଉଛନ୍ତି । ତେବେ ଯାତ୍ରାରେ ଅଧିକ ଭିଡ଼ ଥିବାରୁ ସେମାନଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆସନ୍ତା ୧୨ ଯାଏଁ ଚାଲିବ । ଏଥର ଯାତ୍ରାରେ ଅଧିକ ବ୍ଯବସାୟ ପାଇଁ ଆଶା ରଖିଛି ଓରମାସ ।
ଜମୁଛି କଟକ ଐତିହାସିକ ବାଲିଯାତ୍ରା, ଆଜି ତୃତୀୟ ଦିନରେ ଖଚାଖଚ ଭିଡ଼

