ପୁରୀ : କିଏ ପଠାଇଲା ଧମକପୂର୍ଣ୍ଣ ମେସେଜ? ଶ୍ରୀମନ୍ଦିର ଓ ରାଜ୍ୟସଭା ସାଂସଦଙ୍କ ନିକଟକୁ ଧମକପୂର୍ଣ୍ଣ ମେସେଜ ପଠାଇଥିବା ଜୁଲି ରାନୀ ପଣ୍ଡା କିଏ? ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ପଠାଇବା ଘଟଣାର ତନାଘନା। ସାଂସଦ ଶୁଭାଶିଷଙ୍କୁ ଗୁଳିମାଡ଼ କରାଯିବ ବୋଲି ହୋଇଥିବା ଧମକ ସମ୍ପର୍କରେ ବି ଚାଲିଛି ତନାଘନା। ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ଦିଆଯାଇଥିବାବେଳେ ଏହି ଧମକ ଏବେ ଚିନ୍ତାର କାରଣ ହୋଇଛି। ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ସମ୍ପୃର୍ଣ୍ଣ ଢିଲା ହୋଇଛି ବୋଲି କହିଛନ୍ତି ସାଂସଦ। ବର୍ତ୍ତମାନ ଶ୍ରୀମନ୍ଦିରକୁ ଆସିବା ପାଇଁ ଲୋକ ଭୟ କରୁଛନ୍ତି l ଗତ ୧୯ତାରିଖରେ ୧୦ଲକ୍ଷ ଟଙ୍କା ଦେବା ପାଇଁ ରାଜ୍ୟସଭା ସାଂସଦଙ୍କ ନିକଟକୁ ଆସିଥିବା ଧମକପୂର୍ଣ୍ଣ କଲ ସମ୍ପର୍କରେ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିବା ଲାଗି ଦାବି ହୋଇଛି।
ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ସମେତ STU ଓ ସମସ୍ତ ଫୋର୍ସଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସିଟି ଡିଏସପିଙ୍କ ନେତୃତ୍ୱରେ ଗଠିତ ଟିମ୍ କରୁଛି ଯାଞ୍ଚ୍ ।ଏକାଧିକ ସନ୍ଦିଗ୍ଧଙ୍କୁ କରାଯାଇଛି ପଚରା ଉଚରା। ଫେସ୍ ବୁକ୍ URLରୁ ସଂଗ୍ରହ କରାଯାଉଛି ତଥ୍ୟ । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି । ଏହି ଆଇଡିରୁ ଏକ ୱେବ ଚ୍ୟାନେଲ ମାଲିକଙ୍କୁ ବି ଦିଆଯାଇଥିଲା ଧମକ । ତାଙ୍କ ଏତଲାକୁ ଭିତ୍ତି କରି ତଦନ୍ତ ଚଳାଇଛି ପୋଲିସ l ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ l ଖୁବ୍ ଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ଯାନୁଷ୍ଠାନ ଲାଗି ବିଭିନ୍ନ ମହଲରୁ ହୋଇଛି ଦାବି।

