spot_img
Home Blog Page 7724

ମର୍ଣ୍ଣିଂ ଓ୍ବାକ୍‌ ହେଲା କାଳ

ଧର୍ମଗଡ଼: ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ । କଳାହାଣ୍ଡି ଜୁନାଗଡ଼ ଥାନା ଘୁଲି ଯୁବା ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ମହଚିଲା ଗାଁର ଚନ୍ଦ୍ର ବେମାଲ ଓ କଳାବତୀ ବେମାଲ । ସକାଳୁ ମର୍ଣ୍ଣିଂ ଓ୍ବାକରେ ଯାଉଥିବା ସମୟରେ ଅଜଣା ଗାଡି ଧକ୍କାରେ ଉଭୟଙ୍କ ମୃତ୍ୟୁ ହୋଇଛି ।

 

ସେପଟେ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି କରି  ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଯାତାୟତ ଠପ୍‌ ହୋଇଯାଇଛି ।

ଟ୍ରକ୍‌ ପଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୧ ମୃତ ଦୁଇ ଗୁରୁତର

ଯାଜପୁର: ଯାଜପୁର ରୋଡ଼ ଥାନା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି । ଚାଳକ ସମେତ ୮ ମାସର ଶିଶୁ ପୁତ୍ର ଗୁରୁତର ଆହତ ହୋଇଛି । ଗୁରୁତରଙ୍କୁ ପ୍ରଥମେ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଚାଳକଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳା ଓ ଆହତ ଶିଶୁ ଟିର ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ପାଣିକୋଇଲିରୁ ଯାଜପୁର ରୋଡ଼ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଜ୍ଞାତବାସରେ ବାବା ନିତ୍ୟାନନ୍ଦ । ଓ୍ୱେବସାଇଟ୍‌ରେ ଘୂରି ବୁଲୁଛି ନୂଆ ରାଷ୍ଟ୍ରର ନକ୍ସା

ସ୍ୱୟମ୍ଭୁ ବାବା ନିତ୍ୟାନନ୍ଦଙ୍କୁ ଗିରଫ କରିବାକୁ ଖୋଜୁଛି ପୋଲିସ । ସେପଟେ  ପୋଲିସ ଆଖିରେ ଧୂଳି ଦେଇ ବାବା ଦେଶରୁ ଚମ୍ପଟ ମାରିଛନ୍ତି । ପୋଲିସ ତାଙ୍କର ଟେର୍‌ ପାଉନଥିବା ବେଳେ ସେ ଦେଶ ବାହାରେ ଏକ ନୂଆ ହିନ୍ଦୁ ରାଷ୍ଟ୍ର ବନାଇ ସାରିଲେଣି । ସେହି ହିନ୍ଦୁ ରାଷ୍ଟ୍ରର ମୁଖିଆ ବି ବନିସାରିଲେଣି । ବାବା ନିତ୍ୟାନନ୍ଦଙ୍କ ନୂଆ ହିନ୍ଦୁ ରାଷ୍ଟ୍ରର ନାମ ‘କୈଳାସ’ ରହିଛି । ଏହି ରାଷ୍ଟ୍ର ସମ୍ପର୍କରେ ଏକ ଓ୍ୱେବସାଇଟ୍‌ରେ ସବିଶେଷ ବିବରଣୀ ରହିଛି ।

ନିତ୍ୟାନନ୍ଦଙ୍କ କଥିତ ହିନ୍ଦୁ ରାଷ୍ଟ୍ର ‘କୈଳାସ’ ବିଶ୍ୱର କେଉଁ ସ୍ଥାନରେ ସେ ସମ୍ପର୍କରେ କାହାକୁ କିଛି ଜଣାନାହିଁ । ମାତ୍ର ଇଣ୍ଟରନେଟ୍‌ରେ ଏହି ଦେଶ ସମ୍ପର୍କିତ ତଥ୍ୟ ରହିଛି । ଏହି ରାଷ୍ଟ୍ରର ଲକ୍ଷ୍ୟ ହିନ୍ଦୁ ଧର୍ମର ରକ୍ଷା ଓ ମାନବିକତା ପ୍ରତି ଲୋକଙ୍କୁ ଜାଗ୍ରତ କରାଇବା । ଓ୍ୱେବସାଇଟ୍‌ ତଥ୍ୟ ଅନୁଯାୟୀ ଦେଶର ଲୋକସଂଖ୍ୟା ପ୍ରାୟ ୧୦ କୋଟି । ଦେଶବାସୀଙ୍କ ଭାଷା ହେଉଛି ଇଂରାଜୀ, ସଂସ୍କୃତ ଓ ତାମିଲ । ଇଂରାଜୀକୁ ପ୍ରାଥମିକ ଭାଷା ଭାବେ ବର୍ଣ୍ଣନା କରାଯାଇଥିବା ବେଳେ ସଂସ୍କୃତ ଦ୍ୱିତୀୟ ଓ ତାମିଲକୁ ତୃତୀୟ ଭାଷା ମର୍ଯ୍ୟାଦା ଦିଆଯାଇଛି । ଜାତୀୟ ପତାକାର ନାମ ଋଷଭ ରଖାଯାଇଛି ।

ତିନିକୋଣିଆ ପତାକାରେ ଭଗବାନ ଶିବ ଓ ନନ୍ଦୀର ଫଟୋ ରହିଛି । ଓ୍ୱେବସାଇଟ୍‌ରେ ନନ୍ଦୀକୁ ଜାତୀୟ ପଶୁ ଓ ପଦ୍ମକୁ ଜାତୀୟ ଫୁଲ ଭାବେ ବର୍ଣ୍ଣନା କରାଯାଇଛି । ବଟବୃକ୍ଷକୁ ଜାତୀୟ ବୃକ୍ଷ ଭାବେ ଗ୍ରହଣ କରାଯାଇଛି । ସନାତନ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ କୈଳାସ ଦେଶର ପରିକଳ୍ପନା ଆମେରିକାରେ କରାଯାଇଥିବା ଓ୍ୱେବସାଇଟ୍‌ରେ ଦର୍ଶାଯାଇଛି ।

ନିତ୍ୟାନନ୍ଦଙ୍କ ଏହି ଦେଶ ଚଳାଇବାକୁ ଗୃହ, ପ୍ରତିରକ୍ଷା, ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭାଗ ସମ୍ପର୍କରେ ସୂଚନା ଦିଆଯାଇଛି । ହିନ୍ଦୁ ଧର୍ମ ସହ ଜଡିତ ବହୁ ଦେବଦେବୀଙ୍କ ଫଟୋ ରହିଛି । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ନେଇ ମଧ୍ୟ ସୂଚନା ରହିଛି ।

ଚର୍ଚ୍ଚିତ ଓ ନିନ୍ଦିତ ବାବା ନିତ୍ୟାନନ୍ଦଙ୍କ ବିରୋଧରେ ରହିଛି ଦୁଷ୍କର୍ମ ମାମଲା । କର୍ଣ୍ଣାଟକରେ ଦୁଷ୍କର୍ମ ଓ ଅପହରଣ ମାମଲା ରୁଜୁ ହୋଇଛି । ଗୁଜରାଟରେ ମଧ୍ୟ ତାଙ୍କ ନାମରେ ନିର୍ଯ଼ାତନା ମାମଲା ରହିଛି ।

ତାଙ୍କୁ ଗିରଫ ପାଇଁ ନଭେମ୍ବର ୨୨ରେ ଗୁଜରାଟ ପୋଲିସ ଅହମ୍ମଦାବାଦସ୍ଥିତ ତାଙ୍କ ଆଶ୍ରମରେ ଚଢ଼ାଉ କରିଥିଲା । ସେତେବେଳେ ବାବା ଆଶ୍ରମରୁ ଚମ୍ପଟ ମାରିଥିବା ଜଣାପଡ଼ିଥିଲା । ଚମ୍ପଟ ମାରିବା ଖବରକୁ ୧୦ ଦିନ ପରେ ଓ୍ୱେବସାଇଟ୍‌ରେ ବାବାଙ୍କ ନୂଆ ରାଷ୍ଟ୍ରର ନକ୍ସା ବୁଲୁଛି ।

– ବିନୋଦିନୀ ରାଉଳ

‘ନିରାମୟ’ ଔଷଧ ନଲେଖିବାରୁ ବିଦାହେଲେ ଶିଶୁ ବିଶେଷଜ୍ଞ

ସାବଧାନ ଡାକ୍ତରବାବୁ । ନିରାମୟ ବଦଳରେ ଘରୋଇ ମେଡିସିନ ଦୋକାନକୁ ପଠାଉଛନ୍ତି କି? କୌଣସି ମୁହୂର୍ତ୍ତରେ ବି ଆପଣ ଆସିପାରନ୍ତି ସ୍ୱାସ୍ଥ୍ୟ ବିଭାଗ ସ୍କାନ୍‌ରରେ । ଯାହା ମହଙ୍ଗା ପଡ଼ିଛି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ଶିଶୁ ବିଶେଷଜ୍ଞ ଡାକ୍ତର ବିଜୟ ଅଗ୍ରଓ୍ୱାଲଙ୍କୁ । ଆଜି ଅଚାନକ୍‌ ହସ୍ପିଟାଲ୍‌ ପରିଦର୍ଶନରେ ଆସିଥିଲେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା । ଉଦ୍ଦେଶ୍ୟ ଥିଲା ରୋଗୀଙ୍କ ସୁବିଧା ବୁଝିବା । ଏଣୁ ବିଭିନ୍ନ ଓ୍ୱାର୍ଡ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲା । ଏଥିସହ ମେଡିକାଲ୍‌ରେ ଯୋଗାଇଦିଆଯାଉଥିବା ସୁବିଧା ଯାଞ୍ଚ କରିଥିଲେ । ଏହି ସମୟରେ ସ୍ୱାସ୍ଥ୍ୟ ସଚିବଙ୍କ ନଜରରେ ପଡ଼ିଥିଲ ପ୍ରେସ୍‌କିପସନ୍‌ ।

ଯେଉଁଥିରେ ନିରାମୟ ବଦଳରେ ଲେଖାଯାଇଥିଲା ଘରୋଇ ମେଡିସିନି । ଏ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ୱିତ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ।

ସମ୍ୱେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ: ବିଜେଡି

ଭୁବନେଶ୍ୱର: ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ କଂଗ୍ରେସ ଉପରେ ବର୍ଷିଲେ ସୁଲତା ଦେଓ, ଶ୍ରିମୟୀ ମିଶ୍ର, ଲେଲିନ ମହାନ୍ତି । ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ବାରମ୍ବାର ବିଭିନ୍ନ ଦଳକୁ ଅନୁରୋଧ କରିଛି ବିଜେଡି । କିନ୍ତୁ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛନ୍ତି । ଏହା ନିନ୍ଦନୀୟ ।  ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଏ ନେଇ ସମ୍ବେଦନଶୀଳ । ଘଟଣାର ରାଜନୀତିକରଣ କରି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ବିଶେଷକରି ବିଜେପି ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରୁଛନ୍ତି ! ଯାହା ଘୃଣ୍ୟ ଓ ମହିଳା ଏବଂ ସମାଜ ବିରୋଧୀ । ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବିଜେପି ।  ଏଥିରେ ବିଜେପି ବିଫଳ ହେବ । ଗତ ନିର୍ବାଚନ ପରି ଅଗାମୀଦିନରେ ବିଫଳତାର ସ୍ଵାଦ ଚାଖିବ ବିଜେପି ।

କ୍ରିକେଟ ଇତିହାସରେ ବାରବାଟୀ ସୃଷ୍ଟି କରିବ ନୂଆ ଅଧ୍ୟାୟ, ବର୍ଷା ହେଲେ ଗ୍ରାଉଣ୍ଡରେ ପଡ଼ିବନି ଟୋପାଏ ପାଣି

ଭୁବନେଶ୍ୱର : ବାରବାଟୀ ଷ୍ଟାଡ଼ିୟମ ଏଥର କ୍ରିକେଟ୍‌ ଇତିହାସରେ ଏକ ନୂଆ ଅଧ୍ୟାୟ ରଚିବାକୁ ଯାଉଛି। ଅନେକ ସମୟରେ ଦେଖିବାକୁ ମିଳେ ଯେ, ଖେଳ ସମୟରେ ବର୍ଷା ବାଧାକ ଯୋଗୁ ମ୍ୟାଚ୍‌ ବାତିଲ ହୋଇଥାଏ। ହେଲେ ପ୍ରଥମ ଥର ପାଇଁ ବାରବାଟୀରେ ବର୍ଷାକୁ ଆଉ ଡ଼ର ରହିବ ନାହିଁ। ବାରବାଟୀ ମ୍ୟାଚ ସମୟରେ ଯଦି ବର୍ଷା ହୁଏ ତେବେ ସମସ୍ତ ଗ୍ରାଉଣ୍ଡକୁ କଭରଅପ୍‌ କରିବାକୁ ଓସିଏ ନିକଟରେ ସମସ୍ତ ସୁବିଧା ରହିଛି।

ପ୍ରଥମ ଥର ପାଇଁ ବାରବାଟୀ ଷ୍ଟାଡ଼ିୟମରେ ଏହି ସୁବିଧା ଉପଲବ୍ଧ ହୋଇଥିବା ପିଚ୍‌ କ୍ୟୁରେଟର କହିଛନ୍ତି। ପୂର୍ବରୁ ଭାରତରେ କେବଳ କୋଲକାତାର ଇଡେନ୍‌ ଗାର୍ଡେନ ଷ୍ଟାଡ଼ିୟମରେ ବର୍ଷା ହେଲେ ସମ୍ପୁର୍ଣ୍ଣ ଗ୍ରାଉଣ୍ଡକୁ ଘୋଡାଇବାର ସୁବିଧା ଥିବା ବେଳେ ଏବେ ବାରବାଟୀ ଷ୍ଟାଡ଼ିୟମରେ ଏହି ସୁବିଧା ଉପଲବ୍ଧ ହୋଇପାରିଛି। ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ମିଳିଥିବାରୁ ଏହାକୁ କିପରି ସୁରୁଖୁରୁରେ ଆୟୋଜନ କରାଯିବ ସେ ନେଇ ରାତିଦିନ ଏକ କରିଦେଇଛି ଓସିଏ।

ମ୍ୟାଚ ପୂର୍ବରୁ ବାରବାଟୀ ଷ୍ଟାଡ଼ିୟମକୁ ନୂଆ ରୂପ ଦେବାକୁ ଓସିଏ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ଲାଗି ପଡ଼ିଛନ୍ତି। ସମସ୍ତଙ୍କର ଆଶା ମ୍ୟାଚକୁ ସଫଳ କରି ବାରବାଟୀରେ ନୂଆ ଇତିହାସ ରଚିବା । କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବାରବାଟୀ ଯେଉଁ ବଦମାନ୍ ମୁଣ୍ଡାଇ ଥିଲା, ଏବେ ବେଳ ଆସିଛି ସେ ସବୁ କଳଙ୍କକୁ ପୋଛିବାକୁ । ତା ସହ ନୂଆ ମ୍ୟାନେଜମେଣ୍ଟ କିଭଳି ମ୍ୟାଚ୍ ପରିଚାଳନା କରୁଛି ତାକୁ ମଧ୍ୟ ବିସିସିଆଇ ଅନୁଧ୍ୟାନ କରିବ । ଏହା ଭିତ୍ତିରେ ହିଁ ବାଟବାଟୀ ନିଜର ନୂଆ କୀର୍ତ୍ତିମାନ ସ୍ଥାପନ କରିବା ବୋଲି ଆଶା ।

ଗୁଜରାଟ ସରକାରଙ୍କ ନୂଆ ନିଷ୍ପତ୍ତି, ହେଲମେଟ୍ ନପିନ୍ଧିଲେ ବି ପଡ଼ିବନି ଫାଇନ୍

ଅହମ୍ମଦାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନକୁ ସବୁ ରାଜ୍ୟ କଡ଼ା କଡ଼ି ଭାବେ ଲାଗୁ କରିଥିବା ବେଳେ ଗୁଜରାଟ ସରକାର ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି । ଗତ ସେପ୍ଟେମ୍ୱରରେ ଫାଇନ୍ ପରିମାଣରେ କମ୍ କରିବା ପରେ ଆଜିଠାରୁ ହେଲମେଟ୍ ପିନ୍ଧିବା ନେଇ ଥିବା ବାଧ୍ୟତାମୂଳକ ନିୟମକୁ କୋହଳ କରିଛନ୍ତି ସରକାର ।

ଗୁଜରାଟ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ସହରାଞ୍ଚଳରେ ଆଉ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଯାହାର ଇଚ୍ଛା ହେବ ସିଏ ହେଲମେଟ୍ ପିନ୍ଧିବ ଏବଂ ଯିଏ ନ ଚାହିଁବ ସେ ଆଉ ହେଲମେଟ୍ ପିନ୍ଧିବ ନାହିଁ ବୋଲି ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ହେଲମେଟ୍ ନପିନ୍ଧିଲେ ବି ଫାଇନ୍ ପଡ଼ିବ ନାହିଁ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ମ୍ୟୁନିସିପାଲିଟି ଅଞ୍ଚଳରେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଗୁଜରାଟ ସରକାରଙ୍କ ପରିବହନ ମନ୍ତ୍ରୀ ଆର.ସି ଫାଲଦୁ ଆଜି ଏ ନେଇ ସୂଚନା ଦେଇଛନ୍ତି ।

ଚମକିବ ଏସ୍‌ସି-ଏସ୍‌ଟି ହଷ୍ଟେଲ୍‌, ବଢ଼ିବ ଶିକ୍ଷାର ମାନ, ମିଳିବ ଅଧିକ ସୁବିଧା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ‘ମିଶନ ସୁବିଦ୍ୟା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ୍‌ରେ ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧାର ମାନ ବୃଦ୍ଧି । ଏହି ଯୋଜନା ଅଧୀନରେ ହଷ୍ଟେଲ ବିଲ୍ଡିଂ, ଶୌଚାଳୟ, ବିଶୁଦ୍ଧ ପିଇବା ପାଣି ଭଳି ସୁବିଧାର ମାନ ସୁନିଶ୍ଚିତ କରାଯିବ ।  ଏନେଇ ରାଜ୍ୟ ସରକାର ଓ କ୍ୱାଲିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆ, ଅକ୍ଷରା ଫାଉଣ୍ଡେସନ୍‌, TRIFED ମଧ୍ୟରେ ତିନିଟି  ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

କ୍ୱାଲିଟି କାଉନସିଲ୍‌ ଅଫ୍ ଇଣ୍ଡିଆ ଏହି ହଷ୍ଟେଲଗୁଡ଼ିକୁ ISO 9001-2015 ମାନ୍ୟତା ପ୍ରାପ୍ତ କରାଇବାନେଇ କାର୍ଯ୍ୟ କରିବେ । ଏନେଇ କ୍ୱାଲିଟି କାଉନସିଲ ଅଫ୍‌ ଇଣ୍ଡିଆର ଡିଜି ଆର.ପି ସିଂହ ଏବଂ ଆଦିବାସୀ ବ୍ୟାପାର ନିର୍ଦ୍ଦେଶକ ସଚିନ୍ ଯାଦବ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

ପିଲାମାନେ କିପରି ଉନ୍ନତମାନର ଶିକ୍ଷା ପାଇପାରିବେ ସେ ଦିଗରେ ଅକ୍ଷରା ଫାଉଣ୍ଡେସନ୍ କାର୍ଯ୍ୟ କରିବ । ଏନେଇ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି ।  ଏହା ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

ଏଥିସହ ଆଦିବାସୀଙ୍କ ଦ୍ୱାରା ଉତ୍ପାଦ ସାମଗ୍ରୀ ନିମନ୍ତେ ବଜାର ସ୍ଥିର କରିବା ନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଟ୍ରାଇଫେଡ୍‌ର ଅମିତ ଭଟ୍ଟନାଗର ଓ TDCCOL ଏମ୍‌ଡି ଶରତ ମହାନ୍ତିଙ୍କ ବୁଝାମଣାପତ୍ର ସ୍ୱାକ୍ଷର ।

ମିଶନ୍‌ର ଶୁଭାରମ୍ଭ ନେଇ ଖୁସି ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ମିଶନ୍‌ ଦ୍ୱାରା SC-ST ହଷ୍ଟେଲରେ ଯୋଗାଇଦିଆଯାଉଥିବା ସୁବିଧାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।