ଅଗଷ୍ଟରେ ଶିକ୍ଷା ନିଯୁକ୍ତିର ବିପ୍ଲବ

1 min read

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଅଗଷ୍ଟ ଲେଖିଛି ସଫଳତାର ସ୍ବତନ୍ତ୍ର ଫର୍ଦ୍ଦ। ଶିକ୍ଷାର ବିକାଶ ପାଇଁ ସ୍କୁଲରୁ ଆରମ୍ଭ କରି କଲେଜ ଯାଏଁ ଶିକ୍ଷକ ଓ ଅଧ୍ୟାପକ ପଦ ପୂରଣ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । କନିଷ୍ଠ ଶିକ୍ଷକଙ୍କଠାରୁ ଆରମ୍ଭ କରି ଅଧ୍ୟାପକଙ୍କ ଯାଏଁ ମେଗା ନିଯୁକ୍ତି ସ୍କିମ୍ ଯୋଗୁଁ ଶିକ୍ଷାର ବ୍ୟାପକ ବିକାଶ ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା। ଆଗକୁ ଏହାଦ୍ବାରା ଶିକ୍ଷାଦାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ରଖାଯାଇଛି।

ଅଗଷ୍ଟରେ ଶିକ୍ଷା ନିଯୁକ୍ତିର ବିପ୍ଲବ । ଶିକ୍ଷା ବର୍ଷ ଆରମ୍ଭରୁ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଅଗଷ୍ଟ ଆଣିଛି ଆଶାୟୀ ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ଗତ ୨୨ତାରିଖରେ ଏକା ସଙ୍ଗେ ୨୦ହଜାର କନିଷ୍ଠ ଶିକ୍ଷକ ଯୋଜନାଭିତ୍ତିକଙ୍କୁ କମ୍ପ୍ୟୁଟର ବେସଡ୍ ଟେଷ୍ଟ ଦ୍ବାରା ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତିନି ବର୍ଷ ଭଲ ପ୍ରଦର୍ଶନ ପରେ ଏମାନେ କନିଷ୍ଠ ଶିକ୍ଷକ ହୋଇ ପାରିବେ। ସେହିପରି ଗତ ୨୮ ତାରିଖରେ ସରକାରୀ କଲେଜ ପାଇଁ ୨୬୨ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏଥର ଷ୍ଟେଟ ସିଲେକସନ୍ ବୋର୍ଡ ଦ୍ବାରା ବେସରକାରୀ ଏଡେଡ କଲେଜ ପାଇଁ ହେବ ମେଗା ନିଯୁକ୍ତି। ୧୦୬୫ ଅଧ୍ୟାପକ ପଦ ପାଇଁ ଆବେଦନ କରିବାକୁ ବିଜ୍ଞାପନ ପ୍ରକାଶ ପାଇଛି। ଶିକ୍ଷକ ପଦ ପୂରଣ ହେଲେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣର ଆହୁରି ବିକାଶ ହେବ। ଏଥିସହ ଶିକ୍ଷକ ଅଭାବ ଯୋଗୁ ଚାପରେ ପଡ଼ି ଏକାଧିକ ବିଷୟକୁ ଜଣେ ପଢାଇବା କଷ୍ଟରୁ ବି ନିବୃତ୍ତ ହେବେ। ସେହିପରି ଅଧ୍ୟାପକ ନିଯୁକ୍ତି ଯୋଗୁଁ କଲେଜର ଗ୍ରେଡେସନ୍ ବି ବଢେ । କାରଣ ନାକ୍ ଆକ୍ରିଡିଏସନର ଗୁରୁତ୍ବପୂର୍ଣ୍ଣ ଦିଗ ହେବ ଖାଲି ପଡ଼ିଥିବା ଅଧ୍ୟାପକ ପଦ ପୂରଣ।

୨୦୧୬-୧୭ରୁ ଏଯାଏଁ ୪ହଜାର ଅଧ୍ୟାପକଙ୍କୁ ବିଭିନ୍ନ ସରକାରୀ କଲେଜରେ ନିଯୁକ୍ତି ଦିଆଯାଇଛି। ତେବେ ଷ୍ଟେଟ ସିଲେକସନ୍ ବୋର୍ଡ ଯେଉଁ ଅଧ୍ୟାପକ ଚୟନ କରିବ, ତାକୁ ସ୍ବାଗତ କରିଛି ଲେକଚରର୍ ସଂଘ । 5T ଅଧୀନକୁ ଆସିବା ସହ ସ୍କୁଲ ଓ କଲେଜର ରୂପାନ୍ତର ହେଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଷ୍ଟେଟ ସିଲେକସନ୍ ବୋର୍ଡ ଲେକଚର୍ ସଂଘ ବର୍ଦ୍ଧିତ ଗ୍ରେଡ-ପେ ପାଇଁ ନିବେଦନ କରିଛନ୍ତି। ସେପଟେ ଦରମା ଓ ଗ୍ରେଡ ପେ ସମସ୍ୟା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା ନେଇ ବିଭନ୍ନ ସମୟରେ ଅବଗତ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ।