spot_img
Home Blog Page 102

ସରିଆସିଲାଣି ଟାର୍ଗେଟ, ତଥାପି ମଣ୍ଡିରୁ ଉଠୁନି ଧାନ

କେନ୍ଦ୍ରାପଡ଼ା : ଖରିଫ ଯାଇ ରବି ହେଲାଣି । ଏଯାଏଁ ସରୁନି ଖରିଫ ଧାନ କିଣା । ମଣ୍ଡିରେ ଗଦା ହୋଇରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ବସ୍ତା । ମିଲର୍ସ ଓ ପ୍ୟାକ୍ସ ସଂପାଦକଙ୍କ ମନମାନି ଯୋଗୁଁ ପେଷି ହେଉଛନ୍ତି ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲାରେ ଚରମ ସୀମାରେ ପହଞ୍ଚିଛି ମଣ୍ଡି ସମସ୍ୟା । ଡେରାବିଶ ବ୍ଲକ ରଘୁଦେଇପୁର ସମବାୟ ସମିତି ଅଧୀନରେ ଥିବା ଅନେକ ଚାଷୀଙ୍କ ଟୋକନ ଲାପ୍ସ ହୋଇଗଲାଣି । ତଥାପି ସେମାନେ ଧାନ ବିକ୍ରି କରିପାରୁନାହାନ୍ତି । ଆଜି ଆସ କାଲି ଆସ କହି ଖୋଦ ପ୍ୟାକ୍ସ ସଂପାଦକ ଚାଷୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଜାନୁଆରୀ ୯ ତାରିଖରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ମଣ୍ଡି ଉଦଘାଟନ କରାଯାଇଥିଲା । ଧାନ ବିକ୍ରି କରିବା ପାଇଁ ୫୨ ହଜାର ଚାଷୀ ପଞ୍ଜୀକରଣ କରିଥିଲେ । ଧାନ କିଣାକୁ ସରୁଖୁରୁରେ ସାରିବା ପାଇଁ ଯୋଗାଣ ବିଭାଗ, ସମବାୟ ବିଭାଗକୁ ଦାୟିତ୍ଵ ଦିଆଯାଇଥିଲା । ହେଲେ ଏଯାଏଁ ମାତ୍ର ୨୯ ହଜାର ଚାଷୀଙ୍କ ଧାନ କିଣା ସରିଛି । ଏଠି ପ୍ରଶ୍ନ ଉଠୁଛି- ସରକାରଙ୍କ ପକ୍ଷରୁ ଆଉ ଟାର୍ଗେଟ ଆସିବ ତ ?  ନା ମଣ୍ଡିରେ ସେମିତି ପଡ଼ିରହିଥିବ ଧାନ ? ଯାହାକୁ ନେଇ ସନ୍ଦିହାନ ଅବସ୍ଥାରେ ଚାଷୀ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ କ୍ଵିଣ୍ଟାଲ ଧାନ କିଣା ସରିଲାଣି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଗ୍ରୀଷ୍ମ ପୂର୍ବରୁ ଆରମ୍ଭ ହେଲାଣି ଜଳକଷ୍ଟ, ପାଣି ଟୋପାଏ ପାଇଁ ଘାଣ୍ଟି ହେଲେଣି ଲୋକେ

ଆସିକା : ଖରା ପୂର୍ବରୁ ଆରମ୍ଭ ହେଲାଣି ଜଳକଷ୍ଟ । ହାଣ୍ଡି, ଟପ୍ ଧରି ଧାଇଁଲେଣି ମହିଳା । ଭରସା ସାଜିଛି ଝରଣା ପାଣି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାବା ପଞ୍ଚାୟତର ଅଶୋକପଲ୍ଲୀ ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା । ଗାଁରେ ୨୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ରହିଛି ଦୁଇଟି ମାତ୍ର ନଳକୂପ । ସେଥିରୁ ଗୋଟିଏ ଅଚଳ ହୋଇ ପଡିଛି । ଅନ୍ୟଟିରୁ କଳଙ୍କି ଯୁକ୍ତ ପାଣି ବାହାରୁଛି । ଯେଉଁ ଓଭରହେଡ ପାଣି ଟାଙ୍କି ରହିଛି ସେଥିରୁ ଆବଶ୍ୟକୀୟ ପାଣି ମିଳୁନାହିଁ । ବାଧ୍ୟ ହୋଇ ଲୋକେ ଗାଁ ଠାରୁ ବହୂ ଦୂରରେ ଥିବା ଝରଣାରୁ ପାଣି ଆଣି ଚଳୁଛନ୍ତି ।

ଅଶୋକପଲ୍ଲୀ ଗାଁରେ ଲାଗିରହିଥିବା ପାନୀୟ ଜଳ ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନଙ୍କୁ ଜଣାଇଲେଣି । ହେଲେ କେହି ଦୃଷ୍ଟି ଦେଉନାହାନ୍ତି । ବାଧ୍ୟ ହୋଇ ଝରଣାର ଦୂଷିତ ପାଣି ପିଇ ଲୋକେ ଅନେକ ସମୟରେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଆଗକୁ ଅଧିକ ଖରା ହେଲେ ଝରଣା ପାଣି ବି କମିଯିବ । ଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି । ନଚେତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଲେଣି ଲୋକେ । କେବେ ଅଶୋକପଲ୍ଲୀ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ ? କେବେ ଲୋକେ ବିଶୁଦ୍ଧ ପାଣି ପାଇବେ ? ନା ଝରଣା ପାଣି ହିଁ ସେମିତି ମେଣ୍ଟାଉଥିବ ଶୋଷ ? ଏହାର ଉତ୍ତର କିଏ ଦେବ ?

କୋଲ୍ଡ ଷ୍ଟୋର ନଥିବାରୁ ସମସ୍ୟା, ଅଭାବୀ ବିକ୍ରିର ଶିକାର ଚାଷୀ…

ଆନନ୍ଦପୁର : ଟମାଟୋ ଚାଷୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ଅଭାବୀ ବିକ୍ରିର ଶିକାର ଚାଷୀ । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଘଷିପୁରା ବ୍ଲକରେ କୋଲ୍ଡ ଷ୍ଟୋର ନଥିବାରୁ ଉପୁଜିଛି ସମସ୍ୟା ।  ଆନନ୍ଦପୁର ଓ ଘଷିପୁରା ବ୍ଲକର ୪୦ରୁ ଉର୍ଦ୍ଧ୍ଵ ଗାଁରେ ଚାଷୀ ଟମାଟୋ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ଏଠାରୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ଟମାଟୋ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଥାଏ । ହେଲେ ଦୁଃଖର ବିଷୟ ଏଠାରେ ଶୀତଳଭଣ୍ଡାର ଟିଏ ନଥିବାରୁ ସମସ୍ୟା ଭୋଗୁଛନ୍ତି ଚାଷୀ ।

ଧାର କରଜ କରି ଚାଷୀ ଏକର ଏକର ଜମିରେ ଟମାଟୋ ଚାଷ କରିଥିଲେ । ହେଲେ ବର୍ତ୍ତମାନ ବଜାରରେ ବିଲାତି ଦର କମିଯିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । କେମିତି ଋଣ ପରିଶୋଧ କରିବେ ? କେମିତି ପରିବାର ପ୍ରତିପୋଷଣ କରିବେ ? ତାକୁ ନେଇ ଚିନ୍ତାରେ । ଅନ୍ୟପଟେ ଅଭାବୀ ବିକ୍ରିର ଶିକାର ହୋଇଥିବା ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି । ଚାଷୀଙ୍କୁ କେବେ କ୍ଷତିପୂରଣ ଯୋଗାଇ ଦିଆଯାଉଛି ତାକୁ ହିଁ ଅପେକ୍ଷା ।

କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଭଞ୍ଜନଗର : ଗଞ୍ଜାମ ଭଞ୍ଜନଗରରେ ଅଭାବନୀୟ ଘଟଣା । କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ମୃତ ଯୁବକ ଜଣକ ହେଲେ ବୁଦୁଲି ଗାଁର ଅଶୋକ ସ୍ୱାଇଁ । ଅଶୋକ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟକୁ ଆସିଥିଲେ । କାମ ସାରି ବାଇକରେ ଫେରୁଥିବା ବେଳେ କୋର୍ଟ ସାମନାରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇ ଲହୁଲୁହାଣ କରିଥିଲା ଅଭିଯୁକ୍ତ ଦିଲ୍ଲୀପ ଜେନା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଜଣକ କୋର୍ଟରେ ଆତ୍ମସମର୍ପଣ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଜଣାପଡିଛି ।ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି ।.

ରାଜ୍ୟସଭା ଯିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ଧରଣର ହଲଚଲ। ରାଜ୍ୟସଭା ଯିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ସେ ଦଳବଳ ଧରି ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ପାଟନାସ୍ଥିତ ନୀତୀଶଙ୍କ ବାସଭବନ ଆଗରେ ହଙ୍ଗାମା ଦେଖାଦେଇଛି । ସମର୍ଥକମାନେ ନୀତୀଶଙ୍କ ନିଷ୍ପତ୍ତିର କଡ଼ା ପ୍ରତିବାଦ କରିଛନ୍ତି । କାହିଁକି ନୀତୀଶ ମୁଖ୍ୟମନ୍ତ୍ରୀ ପଦ ଛାଡି ରାଜ୍ୟସଭା ଯାଉଛନ୍ତି ବୋଲି ହଙ୍ଗାମା କରିଛନ୍ତି ସମର୍ଥକ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିର ହେବା ସମ୍ଭାବନା ଥିବାରୁ ଏହାକୁ ସେମାନେ ଗ୍ରହଣ କରିପାରିନାହାଁନ୍ତି ।

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ। ବିଜେଡି ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ କମନ କ୍ୟାଣ୍ଡିଡେଟ ଡ. ଦତ୍ତେଶ୍ବର ହୋତା ଦାଖଲ କଲେ ପ୍ରାର୍ଥିପତ୍ର। ସଂତୃପ୍ତ ୨ ସେଟ ଓ ଦତ୍ତେଶ୍ବର ୩ ସେଟ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଭୟ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦୁଇ ପ୍ରାର୍ଥୀ ନିର୍ବାଚନରେ ନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି ।

ସେପଟେ ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ସିପିଏମ ସମ୍ପାଦକ ସୁରେଶ ପାଣିଗ୍ରାହୀ। ଭକ୍ତ କହିଛନ୍ତି- ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୟନ୍ତୀ। ବିଜୁ ବାବୁ ଭାରତୀୟ ରାଜନୀତିରେ ନୂଆ ଦିଗ ଦେଇ ଆସିଥିଲେ। ସବୁବେଳେ ନୂଆ ଉଦାହରଣ ସୃଷ୍ଟି କରିଥଲେ। ତାଙ୍କ ଲିଗାସୀକୁ ୨୪ ବର୍ଷ ଧରି ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାରେ ଶାସନ ଭାର ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିଥିଲେ।  ଉଭୟ ବିଜେଡି ଓ କଂଗ୍ରେସ ଧର୍ମନିରପେକ୍ଷବାଦରେ ବିଶ୍ବାସ ରଖନ୍ତି। ଯେଉଁଥିପାଇଁ ଏହି ରାଜ୍ୟସଭା ନିର୍ବାଚନରେ ନବୀନ ବାବୁଙ୍କ କମନ ପ୍ରାର୍ଥୀ ପ୍ରସ୍ତାବରେ ଏଆଇସିସି ତତକ୍ଷଣାତ ମୋହର ମାରିଥିଲା। ଆମର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ଏବଂ ନିଶ୍ଚିତ ଚତୁର୍ଥ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଡାକ୍ତର ଦତ୍ତେଶ୍ବର ହୋତା ବିଜୟୀ ହେବେ। ସେହିପରି ଉଚ୍ଚକୋଟୀର ଡାକ୍ତର, ପଶ୍ଚିମ ଓଡ଼ିଶାର ଦକ୍ଷ ଡାକ୍ତର ପ୍ରଥମ କରି ରାଜ୍ୟରେ କିଡନୀ ଅପରେସନ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏଭଳି ଜଣେ ଦକ୍ଷ ବ୍ୟକ୍ତି ରାଜ୍ୟସଭା ଗଲେ ଓଡ଼ିଶାର ଅଶେଷ ଉନ୍ନତି ସାଧିତ ହେବ।

ସେହିପରି ସିପିଏମ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି ସାରା ଦେଶରେ ଧର୍ମନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନକୁ ସମର୍ଥନ କରିଛି ସିପିଏମ। ସିପିଏମର ଜଣେ ବିଧାୟକ ଅଛନ୍ତି। ୧୬ ତାରିଖ ଭୋଟ ଦିନ କମନ ପ୍ରାର୍ଥୀ ଦତ୍ତେଶ୍ବରଙ୍କୁ ନିଜର ଭୋଟଦାନ କରିବେ।

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା

ଚମ୍ପୁଆ : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ବନାଯୋଡି ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦର ରେଞ୍ଜ ବନାଯୋଡି ଗାଁକୁ ଖାଦ୍ୟ ଅନ୍ୱେଷଣ ପାଇଁ ଆସିଥିବା ତିନୋଟି ଦନ୍ତା ମଧ୍ୟରୁ ଗୋଟିଏ ଦନ୍ତା ଏକ କୂଅରେ ଖସି ପଡିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ନିକଟରୁ ଖବର ପାଇ ବନ ବିଭାଗ କର୍ମଚାରୀ ପହଁଞ୍ଚି ଅନେକ ପରିଶ୍ରମ ପରେ ତାକୁ ଉଦ୍ଧାର କରିଛନ୍ତି। କୂଅଟି ଅଣଓସାରିଆ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।

ଆମେରିକାର ଆଣବିକ ସାମର୍ଥ୍ୟସମ୍ପନ୍ନ ମିସାଇଲ ପରୀକ୍ଷଣ

ନନ୍ଦିଘୋଷ ବ୍ୟୁରୋ :  ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆମେରିକାର ଆଣବିକ ସାମର୍ଥ୍ୟସମ୍ପନ୍ନ ମିସାଇଲ ପରୀକ୍ଷଣ। ମିନଟମ୍ୟାନ-୩ ଅନ୍ତର୍ଦେଶୀ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କରିଛି ଆମେରିକା। ହିରୋସିମାରେ ୧୯୪୫ରେ ପକାଯାଇଥିବା ବୋମାଠାରୁ ଏହା ବହୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ହାସଲ କରିଛି। କାଲିଫର୍ଣ୍ଣିଆର ବଣ୍ଡେନଗର୍ଗ ସ୍ପେସ ଫୋର୍ସ ବେସରୁ ମିନଟମ୍ୟାନ -୩ ଆଇସିବିଏମକୁ ପରୀକ୍ଷଣ ଖରିଛି ଆମେରିକା। ଏନେଇ ସୂଚନା ଦେଇଛି ଆମେରିକା ସ୍ପେସ ଫୋର୍ସ। ଏହି କ୍ଷେପଣାସ୍ତ୍ରର ବେଗ ଘଣ୍ଟାପ୍ରତି ୧୫ ହଜାର ମାଇଲ ବେଗ ଗତି କରିପାରିବାର କ୍ଷମତା ହାସଲ କରିଛି। କିଛି ମିନଟ ଭିତରେ ଏହା ବିଶ୍ବର ଯେ କୌଣସି ସ୍ଥାନକୁ ହିଟ୍ କରିବାର କ୍ଷମତା ହାସଲ କରିଛି।

ଦ୍ଵିତୀୟ ସେମିଫାଇନାଲରେ ଇଣ୍ଡିଆ-ଇଂଲଣ୍ଡ ଟକ୍କର

ନନ୍ଦିଘୋଷ ବ୍ୟୁରୋ ;  ଆଜି T-20 ବିଶ୍ଵକପ୍ ର ଦ୍ଵିତୀୟ ସେମିଫାଇନାଲରେ ଇଣ୍ଡିଆ-ଇଂଲଣ୍ଡ ଟକ୍କର। ମୁମ୍ଵାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବେ ଏହି ମ୍ୟାଚ। T-20 ବିଶ୍ଵକପ୍ ଇତିହାସରେ ଭାରତ ଷଷ୍ଠ ଥର ସେମିଫାଇନାଲରେ ପ୍ରବେଶ କରିଛି। ତେବେ ଆଜିର ମ୍ୟାଚର ଓପନର୍ ଯୋଡ଼ି କିଏ ହେବ, ତାକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଛି। ସଂଜୁ ସାମସନଙ୍କ ସହିତ ଅଭିଷେକ ଶର୍ମା ଓପନ କରିବା ନେଇ ସନ୍ଦେହ ରହିଚି। ଏହି ମ୍ୟାଚରେ ବ୍ଯାଟିଂ ଅର୍ଡର ପରିବର୍ତ୍ତନ ନେଇ ଆକଳନ କରାଯାଉଛି। ଅନ୍ଯ ପକ୍ଷରେ ଇଂଲଣ୍ଡ ଦଳ ବେଶ ଭଲ ଫର୍ମରେ ଥିବାରୁ ମୁକାବିଲା ଜୋରଦାର ହେବ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଆଜି ଜିତିବ, ସେ ଟାଇଟଲ ପାଇଁ ନ୍ଯୁଜିଲାଣ୍ଡ ସହିତ ଖେଳିବ। ୮ ତାରିଖରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ଯାଚ ଖେଳାଯିବ।

ନେପାଳରେ ଆଜି ସାଧାରଣ ନିର୍ବାଚନ, କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ

ନନ୍ଦିଘୋଷ ବ୍ୟୁରୋ ;  ନେପାଳରେ ଆଜି ସାଧାରଣ ନିର୍ବାଚନ। ନୂଆ ସରକାର ଲାଗି କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ। ଜେନ ଜେଡ ଆନ୍ଦୋଳନ ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ନେପାଳୀ କଂଗ୍ରେସ ନେତା ଶେର ବାହାଦୂର ଦେଉବା, କମ୍ୟୁନିଷ୍ଟ ପାର୍ଟି ସିପିଏନ-ୟୁଏମଏଲ ନେତା କେ.ପି. ଶର୍ମା ଓଲି ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ ସେଣ୍ଟର) ନେତା ପୁଷ୍ପ କମଲ ଦହଲଙ୍କ ହୋଇଛି ଅଗ୍ନିପରୀକ୍ଷା। ଏହା ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ନେତା ରବି ଲାମଚିହାନେଙ୍କ ଲାଗି ବି ଏହା ଅଗ୍ନିପରୀକ୍ଷା ହୋଇଛି। ଚଳିତ ନିର୍ବାଚନକୁ ନିରପେକ୍ଷ କରିବା ଲାଗି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି। ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦେଇଛନ୍ତି ଗୃହମନ୍ତ୍ରୀ ଓମ ପ୍ରକାଶ ଆରିଆଲ ଓ କାମଚଳା ନିର୍ବାଚନ କମିଶନର ରାମ ପ୍ରସାଦ ଭଣ୍ଡାରୀ। ଗତବର୍ଷ ସେପ୍ଟେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ୭୩ ବର୍ଷ ବୟସ୍କା କାର୍କି। କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଦେଶରେ ଦେଖାଦେଇଥିଲା ଅଚଳାବସ୍ଥା। ଦେଶରେ ଦୁର୍ନୀତି ଓ ସୋସିଆଲ ମିଡିଆ ନିଷିଦ୍ଧ ପରେ ଆରମ୍ଭ ହୋଇଥିଲା ଜେନ ଜେଡ ଆଦୋଳନ। ଗତବର୍ଷ ସେପ୍ଟେମ୍ବର ୮ରେ ଆରମ୍ଭ ହୋଇଥିଲା ଜେନ ଜେଡ ଆନ୍ଦୋଳନ। ପରଦିନ ଇସ୍ତଫା ଦେଇଥିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେ.ପି ଶର୍ମା ଓଲି। ସେପ୍ଟେମ୍ବର ୧୦ରେ ସୁଶୀଳା କାର୍କି ହୋଇଥିଲେ ନୂଆ କାମଚଳା ପ୍ରଧାନମନ୍ତ୍ରୀ। ଫେସବୁକ, ଇନଷ୍ଟାଗ୍ରାମ, ମେସେଞ୍ଜର, ୟୁଟ୍ୟୁବ, ହ୍ବାଟସଆପ, ଏକ୍ସ, ଲିଙ୍କଡଇନ, ସ୍ନାପଚାଟ, ରେଡିଟ ଆଦି ବ୍ୟାନ କରାଯିବା ପ୍ରତିବାଦରେ ଦେଶରେ ଦେଖାଦେଇଥିଲା ଆନ୍ଦୋଳନ।