spot_img
Home Blog Page 1073

ବଢିଲା ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ଅଡୁଆ

ନନ୍ଦିଘୋଷ ବ୍ୟୁରୋ: ୟୁଟୁବର ରଣବୀର ଆଲ୍ଲାହାବାଦିଆଙ୍କ ବଢିଲା ଅଡୁଆ । ଆସାମ ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରଣବୀର ଆଲ୍ଲାହାବାଦିଆଙ୍କ ସହିତ, ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମଖିଜା, ସମୟ ରୈନା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ଆସାମ ପୋଲିସ ଷ୍ଟାଣ୍ଡ-ଅପ୍ କମେଡିଆନ ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ସାମ୍ପ୍ରତିକ ଏପିସୋଡ୍‌ରେ “ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଅଶ୍ଳୀଳ ଆଲୋଚନାରେ ଲିପ୍ତ ରହିବା” ଅଭିଯୋଗରେ ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ ଏବଂ ହାସ୍ୟ ଅଭିନେତା ସମୟ ରୈନାଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ୟୁଟୁବର ଏବଂ  ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମାଖିଜା ଏବଂ ଅନ୍ୟମାନଙ୍କ ନାଁ ମଧ୍ୟ FIR ରେ ରଖାଯାଇଛି। ସମସ୍ତେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ରହିଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ରଣବୀର ଆଲ୍ଲାହାବାଡିଆଙ ମନ୍ତବ୍ୟକୁ ନେଇ ୟୁଟ୍ୟୁବକୁ ଏକ ଚିଠି ଲେଖିଛନ୍ତି। ଏବେ ନୋଟିସ୍ ଜାରି କରିଛି ମାନବାଧିକାର କମିଶନ । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ପିତାମାତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ରଣବୀର ଟ୍ରୋଲର୍ସଙ୍କ ଟାର୍ଗେଟରେ ଅଛନ୍ତି।

ରାଜ୍ୟରେ ବଢୁଛି ଥଣ୍ଡା, କମୁଛି ପାରଦ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢୁଛି ଥଣ୍ଡା, କମୁଛି ପାରଦ । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୪.୪ଡିଗ୍ରି ‌ରେକର୍ଡ କରାଯାଇଛି । ମାଲକାନଗିରି‌ରେ ୩୪ଡିଗ୍ରି ରେକର୍ଡ ହୋଇଥିବା ବେଳେ ୩୨ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୮ ଡିଗ୍ରି ରହିଥିବା ବେଳେ ପୂର୍ବରୁ ସବୁଠାରୁ କମ୍‌ ତାପମାତ୍ରା ରହୁଥିବା ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ କରାଯାଇଛି। ଫୁଲବାଣୀରେ ୧୩ ଡିଗ୍ରି ରହିଛି।  ସେପଟେ  ଘନକୁହୁଡ଼ି ବି କଲବଲ କରୁଛି । ଆସନ୍ତା କାଲି ପର୍ଯ୍ୟନ୍ତ  ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦିନମାନଙ୍କରେ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କେତେକ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବା ଆଶଙ୍କା କରାଯାଉଛି। ଏଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି  ଗଞ୍ଜାମ ଓ ଗଜପତି ସମେତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ତାରିଖରୁ ପାଗରେ ପରିବର୍ତ୍ତନ ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି।

ଆଜିଠୁ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା । ସେଥିପାଇଁ ସଜେଇ ହୋଇଛି ପୂରା ମହିମାଗାଦୀ ପୀଠ । ଦୁଇ ଦିନ ର୍ପୂବରୁ ସାଧୁସନ୍ଥଙ୍କ ଏଠି ଭିଡ ଲାଗିଛି । କୁମ୍ଭ ମେଳାରୁ ବୁଡ ପକାଇ ସିଧା ମାଘମେଳାକୁ ଛୁଟିଆସିଛନ୍ତି ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ । ମହିମା ସନ୍ଯାସୀଙ୍କ ଅଲେଖ ମହିମା ଧ୍ଵନିରେ କମ୍ପିଲାଣି ପୂରା ମହିମା ଗାଦି । ବାଜା, ଖୋଲ କୀର୍ତ୍ତନ ସହ ଖଞ୍ଜଣି ମାଡରେ ବିଭୋର ହେଲେଣି ମହିମା ସନ୍ୟାସୀ ଓ ପର୍ଯ୍ୟଟକ । ୧୩ ତାରିଖ ପର୍ଯ୍ୟନ୍ତ ଉପାସନା ପୀଠରେ ଝାଡଦୀପ ପ୍ରଜ୍ୱଳନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗାଦୀମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଧୂନୀ ମନ୍ଦିର, ଶୂନ୍ୟ ମନ୍ଦିର, ବତୀ ମନ୍ଦିର ଓ ୨୧ହାତିଆ ଟୁଙ୍ଗି ଆଦିକୁ ସ୍ବଚ୍ଛ ନିର୍ମଳ କରାଯାଇଛି । ଚଳିତବର୍ଷ ୧୫୨ତମ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେଉଛି । ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥୀରୁ ଏହି ମେଳା ଆରମ୍ଭ ହୋଇ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ମହିମା ସାଧୁ ସନ୍ୟାସୀମାନେ ଜଗତ କଲ୍ୟାଣ ପାଇଁ ମହଣ ମହଣ ଘିଅ ଘୃତାହୂତୀ କରି ଝାଡଦୀପ ପ୍ରଜ୍ୱଳନ କରିବେ । ଶାନ୍ତିଶୃଙ୍ଖଳା ପାଇଁ ପ୍ରାୟ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମାଘମେଳା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ, ଅପେରା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି କ୍ୟାମେରା ଲଗାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣକୁ ଅଧିକ କଡାକଡି କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଜନ ସମାଗମ ହେବା ନେଇ ଅନୁମାନ କରିଛି ପ୍ରଶାସନ ।…

କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଖଚାଖଚ ଭିଡ଼

ନନ୍ଦିଘୋଷ ବ୍ୟୁରୋ: କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଖଚାଖଚ ଭିଡ଼ । ସୋରିଷ ପକାଇବାକୁ ବି ଯାଗା ନାହିଁ । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ରହୁଛି । ଲୋକେ ନାନା ସମସ୍ୟା ଦେଇ ଗତି କରୁଛନ୍ତି । ଏନେଇ ଭିଡ଼ ଏବଂ ବ୍ୟବସ୍ଥା ପରିଚାଳନା ପାଇଁ  ରାଜ୍ୟ ସରକାର କୁମ୍ଭକୁ ଅନେକ ଜିଲ୍ଲାରୁ ଅଧିକାରୀ ମାନଙ୍କୁ ପଠାଇଛନ୍ତି। ସେମାନଙ୍କ ମଧ୍ୟରୁ, ଏମ୍ଡି ବିଦ୍ୟୁତ୍ ଆଶିଷ ଗୋୟଲଙ୍କ ସମେତ ଅଧ ଡଜନ ଅଧିକାରୀଙ୍କୁ ତୁରନ୍ତ କୁମ୍ଭରେ ଦାୟିତ୍ୱ ଗ୍ରହଣ କରିବାକୁ ପଠାଯାଇଛି । ପ୍ରତି ଘଣ୍ଟାରେ ସହର ମଧ୍ୟକୁ ୮ ହଜାର ଯାନବାହନ ପଶୁଛି  । ମହାକୁମ୍ଭରେ ସ୍ନାନ କରିବା ପାଇଁ ଭକ୍ତଙ୍କ ଏକ ବିରାଟ ଭିଡ଼ ଜମିଛି । ଗତ ତିନି ଦିନରେ, କେବଳ ପ୍ରୟାଗରାଜ ସହରରେ ୧୫ ଲକ୍ଷ ଯାନବାହନ ପହଞ୍ଚିଛି। ରବିବାର ଗୋଟିଏ ଦିନରେ ପ୍ରାୟ ଦେଢ଼ କୋଟି ଭକ୍ତ ଏଠାରେ ସ୍ନାନ କରିଥିଲେ । ଭିଡ଼ ଏବଂ ଭୟଙ୍କର ଟ୍ରାଫିକ ଜାମର ଚିତ୍ର ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି। ତଥାପି, ବିଶ୍ୱାସର ଏହି ମହାନ କୁମ୍ଭରେ ଭକ୍ତଙ୍କ ପ୍ରବାହ ଥମିବାର ନାଁ ନେଉନାହିଁ। ମୌନୀ ଅମାବାସ୍ୟା ସ୍ନାନ ପରେ, ଅଧିକାଂଶ ଆଖଡା କୁମ୍ଭ ଛାଡିବା ପରେ ଏପରି ପରିସ୍ଥିତି ସୃଷ୍ଟି ହୁଏ । କିନ୍ତୁ ଏବେଠାରୁ ଏଭଳି ଜାମ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି  । ବୁଧବାର ମାଘ ପୂର୍ଣ୍ଣିମା ସ୍ନାନରେ ଆହୁରି ଅଧିକ ଭିଡ଼ ଜମିବାର ସମ୍ଭାବନା ରହିଛି । ଆଜି ପର୍ଯ୍ୟନ୍ତ ୪୫ କୋଟିରୁ ଅଧିକ ଭକ୍ତ ବୁଡ଼ ପକାଇ ସାରିଛନ୍ତି ।

ବାଘ ଧରିବାକୁ ଯାଇ ବନ କର୍ମଚାରୀ ଗୁରୁତର

କୋଲକାତା : ବାଘ ଧରିବାକୁ ଯାଇ ବନ କର୍ମଚାରୀ ଗୁରୁତର । ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଘଟଣାଟି ଘଟିଛି ପଶ୍ଚିମ ବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରୁ କୁଲତଲି ଅଞ୍ଚଳରେ । ସୁନ୍ଦରବନ ଜଙ୍ଗଲରୁ ଏକ ବାଘ ଆସି ବିଭିନ୍ନ ଗ୍ରାମରେ ବୁଲୁଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଅଧିକାରୀ ବାଘଟିକୁ ଟ୍ରାକ କରି ଧରିବାକୁ ଉଦ୍ୟମ କରିଥିଲେ । ନୈପୀଠ ଗ୍ରାମରେ ଧରିବା ପାଇଁ ଯାଇଥିବାବେଳେ ବାଘଟି ବନବିଭାଗ ଅଧିକାରୀ ଉପରେ ଆକ୍ରମଣ କରି ତାଙ୍କୁ କାମୁଡ଼ି ଧରିଥିଲା । ଏହାଦେଖି ଗ୍ରାମବାସୀ ଲାଠିରେ ବାଘକୁ ଆକ୍ରମଣ କରି ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ବନ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲେକ ଆତଙ୍କିତ ଥିବାରୁ ଘଟଣା ସ୍ଥଳରେ ପୋଲିସ ଓ ବନବିଭାଗ ବହୁ ସଂଖ୍ୟାରେ ଅଧିକାରୀ ଉପସ୍ଥିତ ରହି ବାଘ ଉପରେ ନଜର ରଖିଛନ୍ତି ।

ଟେଲିଗ୍ରାମ ସାଇବର ଅପରାଧୀ ଝାଡଖଣ୍ଡରୁ ଗିରଫ

ଜୟପୁର : ଟେଲିଗ୍ରାମ ସାଇବର ଅପରାଧୀ ଝାଡଖଣ୍ଡରୁ ଗିରଫ । ଟେଲିଗ୍ରାମ ଆପ ମାଧ୍ୟମରେ ପ୍ରଲୋଭନ ଦେଖାଇ ଠକୁଥିଲା ଠକ । ଅଭିଯୁକ୍ତ ପଶ୍ଚିମବଙ୍ଗ ଅଫତାବ ଅଲ୍ଲୀକୁ ଗିରଫ କଲା କୋରାପୁଟ ସାଇବର ପୋଲିସ । ଝାଡ଼ଖଣ୍ଡର ସଂପର୍କୀୟଙ୍କ ଘରକୁ ଯାଇଥିବାବେଳେ ମୋବାଇଲକୁ ଟ୍ରାକ କରି ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମନୋବ୍ରତା ଶତପଥୀ । କୋରାପୁଟ ରେଲୱେ କଲୋନୀରେ ରହୁଥିବା ଭାରତ ଭୂଷଣ ବାର୍ଗେଙ୍କ ମୋବାଇଲକୁ ଟେଲିଗ୍ରାମ ଆପରୁ ଗୋଟିଏ ଲିଙ୍କ ଆସିଥିଲା । ତାକୁ  କ୍ଲିକ କରିବାରୁ ଆପଲ ଭାକେସନ ନାମକ କମ୍ପାନୀ ତରଫରୁ ଟଙ୍କା ନିବେଶ କଲେ କମିଶନ ଦିଆଯିବ ବଲି ପ୍ରସ୍ତାବ ଦିଆ ଯାଇଥିଲା । ଏଥିରେ ସେ ପ୍ରଲୋଭିତ ହୋଇ ପ୍ରଥମେ ଅଳ୍ପ କିଛି ଟଙ୍କା ନିବେଶ କରି ୫ଶହରୁ ୮ଶହ ଟଙ୍କା କମିଶନ ପାଇଥିଲେ।  ପରବର୍ତ୍ତୀ ସମୟରେ କମ୍ପାନୀ ଅଧିକ ନିବେଶ କରି ଅଧିକ କମିଶନ ପାଇବାକୁ ପ୍ରସ୍ତାବ ଦେଇଥିଲା । ତେବେ  ୧୦ ହଜାର ଟଙ୍କା ନିବେଶ କରି ଆଉ ଫେରସ୍ତ ପାଇଲେନି ଭାରତ । କମ୍ପାନୀ ସହ ଯୋଗାଯୋଗ କରିବା ପରେ ତାଙ୍କୁ ଆହୁରି ଟଙ୍କା ନିବେଶ କରିବାକୁ କୁହାଯାଇଥିଲା । ସେ ମଧ୍ୟ କମ୍ପାନୀ ଉପରେ ଭରସା କରି ବାରମ୍ବାର ଟଙ୍କା ନିବେଶ କରି ଚାଲିଲେ । କିନ୍ତୁ କିଛି କମିଶନ ନ ଆସିବାରୁ ଠକେଇର ଶିକାର ହୋଇଥିବା ଜାଣି କୋରାପୁଟ ସାଇବର ଥାନାରେ ନଭେମ୍ବର୧୧ ରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କୋରାପୁଟ ସାଇବର ପୋଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ଥିବା ଅପରାଧୀ ଅଫତାଵ ଅଲ୍ଲୀର ମୋବାଇଲକୁ ଟ୍ରାକ କରି ଗିରଫ କରିବା ସହ ନଗଦ ୨ଲକ୍ଷ ଟଙ୍କା ସହ ଗୋଟିଏ ମୋବାଇଲ ଜବତ କରିଛି ସାଇବର ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଅତିରିକ୍ତ ଏସପି ମନବ୍ରୋତା ଶତପଥୀ ।

ଦିନିକିଆରେ ବିପୁଳ ବିଜୟ ପରେ ଭୁବନେଶ୍ବର ଛାଡ଼ିଲେ ଖେଳାଳି

ଭୁବନେଶ୍ବର : ବାରବାଟୀ ଦିନିକିଆରେ ବିପୁଳ ବିଜୟ ପରେ ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍ । ଭୁବନେଶ୍ବର ମେ-ଫେୟାରରୁ ବସ ଯୋଗେ କଡ଼ା ସୁରକ୍ଷା ମଧ୍ଯରେ ଏୟାରପୋର୍ଟ କଲେ ଉଭୟ ଦଳର ଖେଳାଳି । ପ୍ରଥମେ ଇଂଲଣ୍ଡ ଟିମ୍ ଓ ପରେ ପରେ ଭାରତୀୟ ଖେଳାଳିମାନେ ବସ ଯୋଗେ ଏୟାରପୋର୍ଟ ଗଲେ । ବିମାନ ଯୋଗେ ଅହମ୍ମଦାବାଦ ଯାତ୍ରା କରିଛନ୍ତି ଉଭୟ ଦଳର ଖେଳାଳି । ଗତକାଲି ବାରବାଟୀରେ ଏକଦିବସୀୟ ସିରିଜ ଦ୍ବିତୀୟ ମ୍ଯାଚରେ ବିଜୟ ସହ ସିରିଜ ହାତେଇଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଧୁଆଁଧାର ଶତକ ବଳରେ ଇଂଲଣ୍ଡକୁ ୪ ୱିକେଟରେ ହରାଇଛି ଭାରତ । ୧୨ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ସିରିଜର ଅନ୍ତିମ ତଥା ତୃତୀୟ ଏକଦିବସୀୟ ମ୍ଯାଚ । ଆଜି ଭାରତୀୟ ଟିମ ଭୁବନେଶ୍ବର ଛାଡ଼ିବା ସମୟରେ ଅନେକ କ୍ରିକେଟ ପ୍ରେମୀ ଏକାଠି ହୋଇ ଏଥିଲାଗି ଦଳକୁ ଶୁଭେଚ୍ଛା ଜଣାଇଥିଲେ ।

ବଜେଟରେ ଓଡ଼ିଶାକୁ ଅବହେଳା ନେଇ ସାଂସଦ ମାନସ ମଙ୍ଗରାଜଙ୍କ ସମାଲୋଚନା

ନୂଆଦିଲ୍ଲୀ : ଆମ ଓଡ଼ିଆରେ କଥାଟିଏ ଅଛି, କହି ଜାଣିଲେ କଥା ସୁନ୍ଦର। ଯାହାର ଅର୍ଥ ହେଉଛି ବନେଇ ଚୁନେଇ କହି ପାରିଲେ ଅତ୍ୟନ୍ତ ଗୌଣ ଓ ଗୁରୁତ୍ୱହୀନ କଥା ବି ଲୋକାଦୃତ ହୋଇ ପାରିବ । ଅର୍ଥମନ୍ତ୍ରୀ ସଂସଦରେ ଉପସ୍ଥାପନ କରିଥିବା ୨୦୨୫-୨୬ ବଜେଟ୍‌ ସେହିପରି ଅନେକ ଗୌଣ ଓ ଗୁରୁତ୍ୱହୀନ କଥାର ସମାହାର। ୨୦୨୫-୨୬ ବଜେଟ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି । ଏହି ବଜେଟ୍‌କୁ ଦେଶର ବଜେଟ ବୋଲି କୁହାଯିବା ପରିବର୍ତ୍ତେ ବିହାର ବଜେଟ ବୋଲି କହିବାରେ ଆଦୌ ଅସଙ୍ଗତି ନାହିଁ । ଅର୍ଥମନ୍ତ୍ରୀ ସମ୍ଭବତଃ ବିହାର ବ୍ୟତୀତ ଦେଶରେ ଆହୁରି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଥିବା କଥା ଭୁଲି ଯାଇଛନ୍ତି । କେଉଁ ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଓ ସହାୟତା ଦେବାକୁ ଆମେ ବିରୋଧ କରୁନାହୁଁ । ମାତ୍ର ସଂଘୀୟ ବ୍ୟବସ୍ଥା ଅନୁସାରେ ଓଡ଼ିଶା ପରି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏଥିପାଇଁ ସମାନ ଭାବରେ ହକ୍‌ଦାର ବୋଲି କହିଛନ୍ତି ମାନସ ମଙ୍ଗରାଜ। ଅର୍ଥମନ୍ତ୍ରୀ ତାଙ୍କର ୭୭ ମିନିଟ୍‌ର ଅଭିଭାଷଣରେ ୩ ମିନିଟ୍‌ କେବଳ ବିହାର କଥା କହିଛନ୍ତି । ୯ଥର ବିହାର ନାମ ଉଚ୍ଚାରଣ କରିଛନ୍ତି । ମାତ୍ର ଓଡ଼ିଶା, ପଶ୍ଚିମବଙ୍ଗ, ତେଲଙ୍ଗାନା, ତାମିଲନାଡ଼ୁ, କେରଳ, ମହାରାଷ୍ଟ୍ର ପରି ଅନ୍ୟ ରାଜ୍ୟଗୁଡ଼ିକ କ’ଣ ଭାରତ ଭିତରେ ନାହାନ୍ତି । ୬ ମାସ ତଳେ ୨୦୨୪ ବଜେଟ୍‌ରେ ବିହାର ପାଇଁ ୫୯୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଦିଆଗଲା। ଆନ୍ଧ୍ରପ୍ରଦେଶକୁ ପୋଲାଭରମ୍‌ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଦିଆଗଲା । ମାତ୍ର ଓଡ଼ିଶାକୁ ସେତେବେଳେ କିଛି ମିଳିଲା ନାହିଁ, ଏବେ ବି ବଜେଟ୍‌ରେ ଓଡ଼ିଶା ପାଇଁ କିଛି ଘୋଷଣା କରାଗଲା ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିପର୍ଯ୍ୟୟପ୍ରବଣ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରି ଆସୁଛି। ମାତ୍ର ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା କି ସ୍ୱତନ୍ତ୍ର ସହାୟତା ମିଳୁନାହିଁ। ଓଡ଼ିଶାର ଖଣିଜ ସମ୍ପଦରୁ ସଂଗୃହୀତ ରାଜସ୍ୱ ଅନ୍ୟ ରାଜ୍ୟରେ ଖର୍ଚ୍ଚ ହେଉଛି। ଓଡ଼ିଶା କୋଇଲା ସାରା ଦେଶକୁ ଆଲୁଅ ଯୋଗାଉଛି। ମାତ୍ର ଗ୍ରୀନ୍‌ ସେସ୍‌ରୁ କେନ୍ଦ୍ର ସରକାର ବର୍ଷକୁ ଓଡ଼ିଶାରୁ ୧୦ ହଜାର କୋଟି ସଂଗ୍ରହ କରୁଥିଲେ ବି କୋଇଲା ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଫଟା ପାହୁଲାଟିଏ ଦେଉ ନାହାନ୍ତି। କେନ୍ଦ୍ରୀୟ ବଜେଟରେ କୃଷି ଉତ୍ପାଦନ, ଲୋକଙ୍କ ଆୟ ବୃଦ୍ଧି, ଗ୍ରାମାଞ୍ଚଳରେ ନିଯୁକ୍ତି, ପୁଷ୍ଟିକର ସହାୟତା ବିସ୍ତାର, ମୁଦ୍ରାସ୍ଫୀତି ଚାପ ହ୍ରାସ, କୃଷକଙ୍କ ଋଣଭାର ଲାଘବ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ କରିବାକୁ ଦେଶର କୃଷକମାନେ କରୁଥିବା ଦାବି ସମ୍ପର୍କରେ ସରକାର ରହସ୍ୟମୟ ଭାବେ ନିରବ। କୃଷି ପାଇଁ ଥିବା କେସିସିର ବ୍ୟକ୍ତିଗତ ଋଣ ସୀମାକୁ ୩ରୁ ୫ଲକ୍ଷ ଟଙ୍କାକୁ ଯେଉଁ ବୃଦ୍ଧି ଘୋଷଣା ହୋଇଛି।  ତାହା ମୂଳତଃ କର୍ପୋରେଟ୍‌ କ୍ଷେତ୍ର ଦ୍ୱାରା ମହଙ୍ଗା ସାମଗ୍ରୀ ବିକ୍ରୟକୁ ବଜାୟ ରଖିବା ନିମନ୍ତେ ଉଦ୍ଦିଷ୍ଟ। ଏହା ଆର୍ଥିକ ଅଭିବୃଦ୍ଧିକୁ ପୁନରୁଦ୍ଧାର କରି ପାରିବ ନାହିଁ ବୋଲି କହିଛନ୍ତି ମାନସ। ଏହାସହ ଗ୍ରାମୀଣ ବିକାଶ ବରାଦ ଗତବର୍ଷ ତୁଳନାରେ ମାତ୍ର ୧ କୋଟି ଟଙ୍କା ବୃଦ୍ଧି କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ବୃଦ୍ଧି ମାତ୍ର୍ର ୨୦ ହଜାର କୋଟି। ସବୁଠାରୁ ବିଡ଼ମ୍ବନା ହେଉଛି ଖାଦ୍ୟ ସବସିଡି ପାଇଁ ଗତ ବଜେଟରେ ୨.୦୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ, ଚଳିତବର୍ଷ ୨.୦୩ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଛି। ଏହି ବଜେଟ୍‌ ଦେଶବାସୀଙ୍କୁ କିପରି ଲାଭାନ୍ୱିତ କରିପାରିବ ? ଦେଶର କୋଟି କୋଟି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ମାସିକ ଭତ୍ତାରେ କେନ୍ଦ୍ର ସରକାରଙ୍କ ଭାଗ ୨୦୦୬ ମସିହାରୁ ମାତ୍ର ୨୦୦ ଟଙ୍କା ରହିଥିବା ବେଳେ, ଚଳିତ ବଜେଟରେ ବି ସେଥିରେ କୌଣସି ବୃଦ୍ଧି ନ କରିବା କ୍ଷୋଭର ବିଷୟ। ସରକାର ପାଞ୍ଚ ଟ୍ରିଲିୟନ ଅର୍ଥନୀତିର ଗୋଲାପୀ ସ୍ୱପ୍ନ ଦେଖାଉଥିବା ବେଳେ, ଟଙ୍କାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି । ସ୍ୱାଧୀନତା ସମୟରେ ଡ଼ଲାର ଓ ଟଙ୍କାର ମୂଲ୍ୟ ପ୍ରାୟ ସମାନ ଥିଲା, ଏବେ ୧ ଡଲାରର ବିନିମୟ ମୂଲ୍ୟ ୮୮ ଟଙ୍କା ଛୁଇଁଲାଣି। ସୁଖୀ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ ତଳକୁ ତଳ ଖସି ଚାଲିଛି।  ଭାରତୀୟ ପାସପୋର୍ଟ ବର୍ଷକୁ ବର୍ଷ ଦୁର୍ବଳ ହୋଇ ଚାଲିଛି । ଏହା କି ପ୍ରକାର ଅଭିବୃଦ୍ଧି ? ଅର୍ଥମନ୍ତ୍ରୀ ୧୨ ଲକ୍ଷ ଟଙ୍କା ଯାଏ ଆୟକାରୀଙ୍କୁ ଟିକସରୁ ମୁକ୍ତ କରିଥିବା ଘୋଷଣା କରିଛନ୍ତି । ମାତ୍ର ଯେଉଁଠି ବେକାରଙ୍କ ପାଇଁ ଚାକିରି ଏକ ମରୀଚିକା, ସେଠାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କେବଳ କାନକୁ ଭଲ ଶୁଭୁଛି ସିନା, ଏହା ଯୁବ ବର୍ଗଙ୍କୁ କିଛି ଲାଭ ଦେଇ ପାରିବ ନାହିଁ ବୋଲି କହିଛନ୍ତି ମାନସ ମଙ୍ଗରାଜ ।

କଂଗ୍ରେସରେ ପିସିସି ଚୌକି ଚର୍ଚ୍ଚା, ୮ ମାସ ହେବ ମିଳୁନାହାନ୍ତି ମଙ୍ଗୁଆଳ

ଭୁବନେଶ୍ବର ; କଂଗ୍ରେସର ନୂଆ ମଙ୍ଗୁଆଳ ହେବେ କି ଓଡ଼ିଶା କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା ? ୮ ମାସ ଧରି ପିସିସି ସଭାପତି ଖୋଜାରେ ଏଆଇସିସି ଲଗାଇବ କି ବ୍ରେକ ? ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସଭାମଞ୍ଚରେ ସାଂସଦ ସପ୍ତଗିରି ଉଲାକାଙ୍କୁ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ସାଷ୍ଟାମ ନମସ୍କାର ପୁଣି ପିସିସି ସଭାପତି ଚୟନ ଚର୍ଚ୍ଚାକୁ ତାଜା କରିଛି। ତାରାଙ୍କ ଯୁକ୍ତି ହେଉଛି ଦୁଇଥର ସାଂସଦ ତଥା ଓଡ଼ିଶାର ଯୁବ ଚେହେରା ସପ୍ତଗିରି ଉଲାକା ପିସିସି ସଭାପତି ହୁଅନ୍ତୁ । ପିସିସି ସଭାପତି ହେବାକୁ ସେ ପୂରା ଯୋଗ୍ୟ। ଏହାସହ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧିଙ୍କ ସହ ସପ୍ତଗିରିଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ସେ ପିସିସି ସଭାପତି ହେବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ତାରା। ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ କହିବା କଥା, ଏଆଇସିସି ସ୍ଥିର କରିବ କିଏ ହେବେ ପିସିସି ମୁଖିଆ। ଖୁବଶୀଘ୍ର ହାଇକମାଣ୍ଡ ଅନ୍ୟ ରାଜ୍ୟ ସହ ଓଡ଼ିଶାର ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ। ସେହିପରି ବିଧାୟକ ଅଶୋକ ଦାସ କହିଛନ୍ତି, ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ସମସ୍ତେ ସହଯୋଗ କରିବେ।

କଂଗ୍ରେସ ପିସିସି ସଭାପତିଙ୍କ ନାଁ ଘୋଷଣା କରିପାରୁନଥିବା ବେଳେ, ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଛି। ରେସରେ ବରିଷ୍ଠ ନେତା ଭକ୍ତ ଦାସ, ଜୟଦେବ ଜେନା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନାଙ୍କ ନାଁକୁ ନେଇ ଚାଲିଛି ମାନସ ମନ୍ଥନ। ଏଆଇସିସିର ଦୁଇ ପର୍ଯ୍ୟବେକ୍ଷକ ମଧ୍ୟ ଓଡ଼ିଶା ନେତା ଓ କର୍ମୀଙ୍କ ମତାମତ ନେଇ ରିପୋର୍ଟ ପ୍ରଦାନ କରିଛନ୍ତି। କଂଗ୍ରେସ ହାଇକମାଣ୍ଡ ଚର୍ଚ୍ଚିତ ନେତାଙ୍କୁ ନୁହେଁ, ବରଂ ଡାର୍କହର୍ସଙ୍କୁ ପିସିସି ସଭାପତି ମୁକୁଟ ପିନ୍ଧାଇ ପାରନ୍ତି।

୨୫ ବର୍ଷ ହେବ କ୍ଷମତା ବାହାରେ ରହିଛି ରାଜ୍ୟ କଂଗ୍ରେସ। ଦଳକୁ ମଜବୁତ କରିବା ପାଇଁ ଏହାରି ଭିତରେ ଓଡ଼ିଶାକୁ ମିଳିଛି ୬ ଜଣ ପିସିସି ସଭାପତି। ହେଲେ ଦଳର ଭୋଟ ହାର ବଢିବା ବଦଳରେ କମି ଚାଲିଛି। ଏହାସହ ତୃଣମୂଳ ସ୍ତରରେ ମଧ୍ୟ ସଙ୍ଗଠନ ଅସଜଡ଼ା ହୋଇ ପଡିଛି। ଏସବୁ ଭିତରେ ଏଆଇସିସି ଓଡ଼ିଶା ପାଇଁ କାହାକୁ ମୁଖିଆ ଭାବେ ବାଛିବେ, ତାଉପରେ ରହିଛି କଂଗ୍ରେସ ନେତାଙ୍କ ନଜର।

ସରିଲା ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ, ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ ନିଯୁକ୍ତ

ଭୁବନେଶ୍ବର : ଓ୍ବାର୍ଡସ୍ତରରୁ ରାଜ୍ୟ କାର୍ଯ୍ୟକାରିଣୀ ଯାଏ ବିଜେଡି ସଙ୍ଗଠନର ହେବ ନବକଳେବର। ଏଥିଲାଗି ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରକ୍ରିୟା। ୩ ମାସର ସମୟ ସୀମା ମଧ୍ୟରେ ସାଂଗଠନିକ ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ଅଣ୍ଟା ଭିଡ଼ିଛି ବିଜେଡି। ଏହାରି ଭିତରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ସାଂଗଠନିକ ନିର୍ବାଚନୀ ପ୍ରକ୍ରିୟା। ନିର୍ବାଚନ ଅଧିକାରୀ ତଥା ବିଧାୟକ ପ୍ରତାପ ଦେବ ଜିଲ୍ଲାସ୍ତରର ନିର୍ବାଚନୀ ଅଧିକାରୀ ନିଯୁକ୍ତିକୁ ତ୍ବରାନ୍ବିତ କରିଛନ୍ତି। ଏହି ନିର୍ବାଚନ ଅଧିକାରୀ ନିର୍ଦ୍ଧାରିତ ସମୟରେ ୩୦ ଜିଲ୍ଲାରେ ବ୍ଲକ ଓ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ କରିବେ। ଓ୍ବାର୍ଡ, ପଞ୍ଚାୟତ, ବ୍ଲକ, ପୌର ପରେ ଜିଲ୍ଲା, ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯିବ। ପ୍ରତ୍ୟେକ ନିର୍ବାଚନୀ ମଣ୍ଡଳରୁ ଜଣେ ଲେଖାଏ ରାଜ୍ୟ ପରିଷଦକୁ ନିର୍ବାଚିତ ହେବେ। ରାଜ୍ୟ ପରିଷଦର ସଦସ୍ୟ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ କରିବେ। ରାଜ୍ୟ କାର୍ଯ୍ୟକାରିଣୀରେ ମୋଟ ୮୦ ନିର୍ବାଚିତ ସଦସ୍ୟ ସଭାପତି ଚୟନ କରିବେ। ଏହାପରେ ଦଳୀୟ ସଂଗଠନ ନୂଆ ରୂପ ପାଇବ ବୋଲି କହିଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ।

ରାଜ୍ୟରେ ଏବେ ଶକ୍ତ ବିରୋଧୀ ଦଳର ଭୂମିକା ତୁଲାଉଛି ବିଜେଡି। ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି, ବିଜେଡି ୨୦୨୪ ନିର୍ବାଚନରେ ସର୍ବାଧିକ ଭୋଟ ପାଇଛି। ହେଲେ ତାହା ସିଟରେ ପରିଣତ ହୋଇନାହିଁ। ଯାହା ପାଇଁ ବିଜେଡିକୁ ବିରୋଧୀ ଦଳ ଭାବେ ରହିବାକୁ ପଡ଼ିଥିଲା। ସବୁ ଦିଗକୁ ବିଚାର କରି ନବୀନ ତାଙ୍କ ନୂଆ ଟିମ ଗଢ଼ିବେ ବୋଲି ମତ ରଖିଛନ୍ତି ସମୀକ୍ଷକ। ବିଜେଡିର ନିର୍ବାଚନୀ ପର୍ବ ଚାଲିଥିବା ବେଳେ, ନବୀନଙ୍କ ନୂଆ ଟିମରେ କାହାକୁ ମିଳିବ କେଉଁ ଦାୟିତ୍ବ, ତାକୁ ନେଇ ଜାରି ରହିଛି ସସପେନ୍ସ। ଏହାରି ଭିତରେ ନବୀନ ପଟ୍ଟନାୟକ ଅନେକ ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦେଇ ସଂଗଠନକୁ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଛନ୍ତି।