ଭୁବନେଶ୍ବର : ଆରମ୍ଭ ହୋଇଛି ପବିତ୍ର ମାଘ ସପ୍ତମୀ ମେଳା । ମନ୍ତ୍ରଧ୍ଵନିରେ କମ୍ପୁଛି ଖଣ୍ଡଗିରି ପର୍ବତାଞ୍ଚଳ । ସମସ୍ତ ଆଖଡା ମାନଙ୍କରେ କଳସ ସ୍ଥାପନ ହୋଇ ଯଜ୍ଞ ଆରମ୍ଭ ହୋଇଛି । ମାଘ ସପ୍ତମୀରୁ ମାଘ ପୂର୍ଣିମା ଯାଏଁ ଚାଲିବ ହୋମଯଜ୍ଞ । ବୈଦିକ ରୀତିନୀତି ଅନୁସାରେ ପଞ୍ଚ କୁଣ୍ଡିୟ ୟଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ ହୋଇ ମହାମନ୍ତ୍ରରେ ଯଜ୍ଞ ଆରମ୍ଭ କରିଛନ୍ତି ସାଧୁ । ଅର୍କ କ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ ପକାଇ ଖଣ୍ଡଗିରିରେ ଆସି ପହଞ୍ଚିଛନ୍ତି ଶତାଧିକ ନାଗା ସାଧୁ । ହରହର ମହାଦେବଙ୍କ ନାରାରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି । ସାଧୁମାନଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କର ବି ବେଶ ଭିଡ଼ ଦେଖିବାକୁ ମିଳିଛି ।
ପାଚେରୀ ଭାଙ୍ଗି ଵସ୍ତି ଭିତରକୁ ପଶିଗଲା ଟ୍ରେନ୍
ରାଉରକେଲା : ରାଉରକେଲା ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଦୁର୍ଘଟଣା । ରେଲୱେ ଟ୍ରାକରୁ ଲାଇନଚ୍ୟୁତ ହେଲା ୪ ଟି ବଗି । ରେଲୱେ ପାଚେରୀ ଭାଙ୍ଗି ମାଲଵାହୀ ଟ୍ରେନଟି ଵସ୍ତି ଭିତରକୁ ପଶିଯାଇଛି । ଫଳରେ ଦୁଇଟି ଅଟୋ ସହ ୮ ଟି ଠେଲା ଗାଡି ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ ରେଲୱେ ଏଆରଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଓ ରେଲୱେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ଗ୍ରସ୍ତ ଟ୍ରେନକୁ ଟ୍ରାକକୁ ଉଠାଇବା ପାଇଁ ରେଲୱେ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି ।
ମା’ ସ୍କୁଲ ଯିବାକୁ ଗାଳି ଦେବାରୁ ଜୀବନ ହାରିଲା ଝିଅ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାରାଣସୀରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ନିଜ ଘରେ ଓଢଣୀ ଲଗାଇ ଜୀବନ ହାରିଛନ୍ତି । ଝିଅଟି ସ୍କୁଲ ଯିବାକୁ ଚାହୁଁ ନଥିବା ବେଳେ ତାର ମା’ ସ୍କୁଲ ଯିବାକୁ କହିଥିଲେ । କାରଣ ସେ ୧୫ ଦିନ ହେବ ସ୍କୁଲ ଯାଉନଥିଲେ । ଝିଅଟିର ମାଆ ଏଥିପାଇଁ ତାକୁ ଗାଳି ଦେଇଥିଲେ ଏବଂ କହିଥିଲେ ଯେ ଯଦି ସେ ନିଜେ ସ୍କୁଲ ନଯାଏ, ତେବେ ସେ ତାକୁ ସ୍କୁଲକୁ ଟାଣି ନେଇଯିବେ। ଝିଅଟିର ମାଆ ତାକୁ ଗାଳି ଦେବା ପରେ ପଡ଼ୋଶୀଙ୍କ ଘରକୁ ଚାଲିଯାଇଥିଲେ । ଏହା ପରେ, ଝିଅଟି ଘରେ ଓଢଣୀ ଲଗାଇ ଜୀବନ ହାରିଥିଲା । ଏହି ମାମଲା ଅନୁଲା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ପ୍ରିୟା ମା’ଙ୍କ ଠାରୁ ଗାଳି ଶୁଣିବା ପରେ ଜୀବନ ହାରିଛି । ତାର ବାପା ମନୋଜ କୁମାରଙ୍କ କହିବା କଥା ସେମାନେ ଭଡା ଘରେ ରୁହନ୍ତି ।
ମନୋଜ କୁମାର କହିଥିଲେ ଯେ, ସେ ଅଟୋ ଚଳାଇ ନିଜ ପରିବାରର ଜୀବିକା ନିର୍ବାହ କରନ୍ତି। ତାଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ଅଛି। ବଡ଼ ଝିଅର ନାମ ପ୍ରୀତି, ଯିଏ ସ୍ନାତକ ପଢୁଛି । ସାନ ଝିଅ ପ୍ରିୟା ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲା। ପ୍ରିୟା କିଛି ଦିନ ପାଇଁ ସ୍କୁଲ ଯିବାକୁ ଇଚ୍ଛା କରୁନଥିଲା । ସେ କହୁଥିଲା ଯେ, ତାର ପାଠପଢ଼ାରେ ଆଗ୍ରହ ନାହିଁ ଏବଂ ଯଦି ସେ ପରୀକ୍ଷା ଦିଅନ୍ତି, ତେବେ ସେ ଫେଲ୍ ହୋଇଯିବ। ପ୍ରିୟା ଗତ ୧୫ ଦିନ ଧରି ସ୍କୁଲ ଯାଇ ନଥିଲା, ଯେତେବେଳେ ତାଙ୍କୁ ସ୍କୁଲ ଯିବାକୁ କୁହାଯାଉଥିଲା, ସେ ଏହି ଏହାକୁ ଏଡାଇ ଯାଉଥିଲା। ସେ କହୁଥିଲା ଯେ, ସେ ପଢିବାକୁ ଚାହୁଁନାହିଁ, ମୋତେ ଘରେ ରହିବାକୁ ଦିଅ। ତାର ମାଆ ତାଙ୍କୁ ଗାଳି ଦେଇଥିଲେ ଏବଂ କହିଥିଲେ, ତତେ ସ୍କୁଲ ଯିବାକୁ ପଡିବ । ନଚେତ୍ ଟାଣି ସ୍କୁଲକୁ ନେଇଯିବି ।
ଏହି କଥାକୁ ନେଇ ମାଆ ଏବଂ ଝିଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ତା’ପରେ ମାଆ ପଡ଼ୋଶୀକୁ ଚାଲିଗଲେ ଏବଂ ବଡ଼ ଝିଅ ପ୍ରୀତି ମଧ୍ୟ କୌଣସି କାମରେ ତାର ସାନ ଭାଇ ସହିତ ବଜାରକୁ ଯାଇଥିଲା । ସନ୍ଧ୍ୟା ପ୍ରାୟ ୬ଟା ବେଳେ ପ୍ରୀତି ଏବଂ ତାଙ୍କ ଭାଇ ବଜାରରୁ ଫେରିବା ପରେ ସେମାନେ ଦେଖିଲେ ଯେ ପ୍ରିୟା ଜୀବନ ହାରିଛି । ପ୍ରୀତି ତାଙ୍କ ଭଉଣୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ସେ ଚିତ୍କାର କରିବାକୁ ଲାଗିଲେ, ଲୋକମାନେ ଚାରିପାଖରେ ଜମା ହୋଇଗଲେ। ପ୍ରିୟା ତାର ଓଢଣୀ ସାହାଯ୍ୟରେ ଜୀବନ ହାରିଥିଲା । ତା’ ପରେ ବଡ ଝିଅ ବାପାଙ୍କୁ ଜଣାଇଥିଲା । ସେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି ଫରେନସିକ୍ ଟିମକୁ ସୂଚନା ଦେଇଥିଲା । ପରିବାର ଲୋକ ପୋଲିସକୁ କହିଥିଲେ ସେ ତାକୁ ଦ୍ୱାଦଶରେ ବଢିବାକୁ କହୁଥିଲେ । କିନ୍ତୁ ସେ ବଢିବାକୁ ଆଦୌ ଚାହୁଁନଥିଲା ।
ଯୁବତୀଙ୍କୁ ଧମକ ଦେଇ ଅଢେଇ କୋଟି ଟଙ୍କା ଲୁଟ୍ !
ହାଇଦ୍ରାବାଦ : ହାଇଦ୍ରାବାଦରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ହଷ୍ଟେଲ ପରିଚାଳକ ହଷ୍ଟେଲରେ ରହୁଥିବା ଜଣେ ଯୁବତୀକୁ ବ୍ଲାକମେଲ୍ କରି ତାଙ୍କଠାରୁ ୨ କୋଟି ୫୩ ଲକ୍ଷ ଟଙ୍କା ନେଇଛନ୍ତି । ଅଭିଯୁକ୍ତମାନେ ଝିଅର ବାପାମାଆଙ୍କୁ ମଧ୍ୟ ବ୍ଲାକମେଲ୍ କରୁଥିଲେ। ବର୍ତ୍ତମାନ, ଝିଅଟି ନିଦାଦାଭୋଲୁ ପୋଲିସ ଷ୍ଟେସନରେ ଅଭିଯୁକ୍ତ ପରିଚାଳକଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।
ପୀଡିତା ଜଣକ ହାଇଦ୍ରାବାଦର ଏକ ସଫ୍ଟୱେର୍ କମ୍ପାନୀରେ କାମ କରନ୍ତି। ସେ ହାଇଦ୍ରାବାଦର ଏକ ଲଡିସ୍ ହଷ୍ଟେଲରେ ରହୁଥିଲେ, ଯେଉଁଠାରେ ତାଙ୍କର ଅନୁଷା ଦେବୀ ନାମକ ଏକ ଯୁବତୀଙ୍କ ସହିତ ପରିଚୟ ହୋଇଥିଲା। ଅନୁଷା ତାଙ୍କର ପିଲାଦିନର ବନ୍ଧୁ ଥିଲେ। ଅନୁଷା ହଷ୍ଟେଲର ପରିଚାଳକ ଦେବନାୟକ ଓରଫ ମଧୁ ସାଇକୁମାରଙ୍କୁ ନିଜର ସ୍ୱାମୀ ଭାବରେ ଯୁବତୀଙ୍କୁ ପରିଚୟ କରାଇଥିଲେ।
କିଛି ଦିନ ପରେ, ଦେବନାୟକ ଯୁବତୀଙ୍କ ଏକ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ଭିଡିଓ ଭାଇରାଲ କରିବଦେବାର ଧମକ ଦେଇଥିଲେ । ଅନ୍ୟ ମୋବାଇଲକୁ ସେୟାର ପ କରିବା ପାଇଁ ସେ ତାଙ୍କୁ ଟଙ୍କା ମାଗିଥିଲେ । ପ୍ରଥମେ ସେ ଯୁବତିଙ୍କ ଠାରୁ କିଛି ଟଙ୍କା ସଂଗ୍ରହ କରିଥିଲେ। ତା’ପରେ ସେ ଝିଅଟିକୁ କାନାଡା ପଠାଇବାକୁ ପ୍ରତିଶ୍ରୁତି ଦେଲେ। ଏଥିରେ ସେ ଝିଅଠାରୁ ଟଙ୍କା ମଧ୍ୟ ଆଦାୟ କରିଥିଲେ।
ଦେବନାୟକ ଟଙ୍କା ପାଇଁ ଯୁବତୀଙ୍କ ବାପାମାଆଙ୍କୁ ମଧ୍ୟ ବ୍ଲାକମେଲ୍ କରୁଥିଲେ। ଝିଅଟି କହିଲା ଯେ ସେ ଫୋନ୍ ପେ ଏବଂ ଗୁଗୁଲ୍ ପେ ମାଧ୍ୟମରେ ଅନେକ ଥର ଟଙ୍କା ଦେଇଛନ୍ତି । ଦେବନାୟକ ତାଙ୍କୁ ଏବଂ ତାଙ୍କ ପିତାମାତାଙ୍କୁ ପ୍ରାୟ ୨.୫୩ କୋଟି ଟଙ୍କା ଠକିଛନ୍ତି । ଯୁବତୀ ଏ ବିଷୟରେ ନିଦାଦାଭୋଲୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦେବନାୟକଙ୍କୁ ଗିରଫ କରିଛି । ତାର ସହଯୋଗୀମାନଙ୍କ ଠାରୁ ୧.୮୧ କୋଟି ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।
ଆଜିଠୁ ବିକ୍ରି ହେବ ଅଫଲାଇନ ଟିକେଟ
କଟକ : ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି। ସେଥିପାଇଁ ଗତ ରାତିରୁ ହିଁ କାଉଣ୍ଟର ଆଗରେ ଲାଗିଛି ଲମ୍ବା ଧାଡ଼ି। ଟିକଟ ଖଣ୍ଡେ ନେଇ ବାରବାଟୀ ଷ୍ଟାଡିୟମରେ ବସି ଲାଇଭ୍ କ୍ରିକେଟ ମ୍ୟାଚ ଦେଖିବାକୁ ଏତେ ପରିଶ୍ରମ। ଆସନ୍ତା ୯ ତାରିଖରେ ହେବ ମ୍ୟାଚ। ପିଚ୍ କୁ ସୁରକ୍ଷା ବଳୟକୁ ନେଇଛି କମିଶନରେଟ୍ ପୋଲିସ୍ । ୨୪ ଘଣ୍ଟିଆ ସୁରକ୍ଷାରେ ରହିଛନ୍ତି ବନ୍ଧୁକଧାରୀ ପୋଲିସ୍ । ପୂର୍ବରୁ ଅନଲାଇନ ଓ ଅନୁବନ୍ଧିତ ସଂସ୍ଥା ସେମାନଙ୍କ ଟିକେଟ ନେଇସାରିଥିବାବେଳେ ଆଜି ସାଢ଼େ ୯ଟାରେ ଖୋଲିବ କାଉଣ୍ଟର। ପରିଚୟ ପତ୍ର ଦେଖାଇ ଜଣକା ଦୁଇଟି ଲେଖାଏଁ ଟିକେଟ କିଣିପାରିବେ। ମୋଟ ତିନୋଟି କଣ୍ଟେନର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଚାରିଟି କାଉଣ୍ଟର ରହିବ। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳାରେ କ୍ରିକେଟ ପ୍ରେମୀ କିପରି ଟିକେଟ କିଣି ପାରିବେ, ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଏସପିଙ୍କ ହସ୍ତକ୍ଷେପ ପରେ ଥମିଲା ଉତ୍ତେଜନା
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡିହିରେ ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା । ରାତି ସାରା ଶବ ଧରି ବସିଲେ ପରିବାର ଲୋକ । ବିଳମ୍ବିତ ରାତ୍ରୀରେ ଭଦ୍ରକ ଏସ୍ପି ମାଡକର ସନ୍ଦୀପ ସମ୍ପତ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଏସ୍ପିଙ୍କ ପ୍ରତିଶୃତି ପରେ ଥାନା ଭିତରୁ ଶବ ନେଇଛନ୍ତି ପରିବାର ଲୋକ। ପୂର୍ବ ଶତୃତାକୁ କେନ୍ଦ୍ର କରି କରଞ୍ଜଆଡିଆ ଗାଁର ନବଘନ ମଲ୍ଲିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବଘନଙ୍କର ମୃତ୍ୟୁ ହୋଇଥିଲା । ଶବ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଥିଲା । ନ୍ୟାୟ ଦାବିରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଥାନା ଆଗରେ ଶବ ରଖି ଧାରଣା ଦେଇଥିଲେ ଶହ ଶହ ଗ୍ରାମବାସୀ । କରଞ୍ଜଆଡିଆ ଗ୍ରାମର ନବଘନ ମଳିକଙ୍କ ସହ ସେହି ଗ୍ରାମର ଭଗବାନ ମଳିକଙ୍କ ପରିବାର ମଧ୍ଯରେ ଶତୃତା ଲାଗି ରହିଥିଲା । ଗତ ୨ ତାରିଖ ଦିନ ନବଘନ ଘଣ୍ଟେଶ୍ଵରରୁ ବାଲିଆପାଳ ଘାଟର ମନ୍ତେଇ ନଦୀ ପାର ହୋଇ ଘରକୁ ଫେରୁଥିବାବେଳେ ଭଗବାନ ମଳିକଙ୍କ ପରିବାର ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ଲୋକେ ପହଞ୍ଚିବାରୁ ଛାଡି ପଳାଇ ଯାଇଥିଲେ । ସଜ୍ଞାହୀନ ଅବସ୍ଥାରେ ତାଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ନିଆଯାଇଥିଲା । ଏକ ଘରୋଇ ଡାକ୍ତରଖାନାର ଚିକିତ୍ସାଧିନ ବେଳେ ନବଘନଙ୍କ ମୃତ୍ଯୁ ହୋଇଥିଲା। ଗତକାଲି ସନ୍ଧ୍ୟାରେ ମରଶରୀର ନାୟକାଣୀଡିହିରେ ପହଞ୍ଚିବା ପରେ ଉତ୍ତେଜିତ ଗ୍ରାମବାସୀ ଥାନା ଫାଟକ ଭିତରକୁ ଧସେଇ ପସିଥିଲେ । ଶବକୁ ଥାନା ଭିତରେ ରଖି ଗ୍ରାମବାସୀ ଧାରଣା ଦେଇଥିଲେ।
ଶିକ୍ଷାକେନ୍ଦ୍ରରେ ଆଖିବୁଜା ଗୁଳିମାଡ
ନୂଆଦିଲ୍ଲୀ : ସୁଇଡେନର ଓରେବ୍ରୋର ଏକ ଶିକ୍ଷାକେନ୍ଦ୍ରରେ ଆଖିବୁଜା ଗୁଳିମାଡ। ପ୍ରାଣ ହରାଇଛନ୍ତି ୧୦ରୁ ଅଧିକ ଲୋକ। ସୁଇଡେନ ଇତିହାସରେ ଏହା ସବୁଠାରୁ ବଡ଼ ଘାତକ ଆକ୍ରମଣ ବୋଲି କୁହାଯାଇଛି। ଘଟଣାରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟେରସନ। ବୟସ୍କଙ୍କୁ ଶିକ୍ଷା ଦେବା ଲାଗି ଉଦ୍ଦିଷ୍ଟ ରିସବର୍ଗସ୍କା ସ୍କୁଲରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଶିକ୍ଷାର୍ଥୀମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା। ଗୁଳିମାଡରେ ମୃତକଙ୍କ ସଂଖ୍ଯା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଏହା କୌଣସି ଆତଙ୍କବାଦୀ ହମଲା ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି।
ଦିଲ୍ଲୀ ବିଧାନସଭା ନିର୍ବାଚନ:ମତଦାନ ଜାରି
ନୂଆଦିଲ୍ଲୀ : ଭୋଟ ଦେଉଛି ଦିଲ୍ଲୀ । ବିଧାନସଭା ନିର୍ବାଚନରେ ମତଦାନ ଚାଲିଛି। ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ମୈଦାନରେ ଅଛନ୍ତି ୬୯୯ ପ୍ରାର୍ଥୀ । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଦେଢ଼ କୋଟି ଭୋଟର୍। ସକାଳ ୭ରୁ ସଂଧ୍ୟା ୬ଟା ଯାଏ ମତଦାନ ହେବ। ୧୩ ହଜାର ୭୬୬ଟି ବୁଥ୍ କରାଯାଇଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୩ ହଜାର ସମ୍ବେଦନଶୀଳ ବୁଥ ଅଛି। ସୁରକ୍ଷା ପାଇଁ ୪୫ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏଥିରେ ରହିଛନ୍ତି ୨୨୦ କମ୍ପାନି ଅର୍ଦ୍ଧ ସାମରିକ ବାହିନୀ। ୬୦୦ ରୁ ଅଧିକ ଫ୍ଲାଇଂ ସ୍କ୍ଵାର୍ଡ ବି ରହିଛନ୍ତି। ଦିଲ୍ଲୀ ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟର ପୋଲିସ ମଧ୍ୟ ଆଲର୍ଟ ଅଛନ୍ତି। ଗତକାଲି ରାତି ସାରା ଦିଲ୍ଲୀ ଓ ଏହାର ସୀମାକୁ ଲାଗି ଥିବା ବିଭିନ୍ନ ରାଜ୍ୟରେ ଜୋରଦାର ଗାଡ଼ି ଚେକିଂ ହୋଇଥିଲା। ୮ ତାରିଖରେ ହେବ ଗଣତି । ଏଥର ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ୨୦୧୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି। ଆରପଟେ ପ୍ରାୟ ୨୭ ବର୍ଷ ହେଲାଣି ଦିଲ୍ଲୀ ଗାଦି ଦଖଲ କରିପାରି ନାହିଁ ବିଜେପି।
ଯୁକ୍ତଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପ୍ରଶାସନ ଓ ପୋଲିସ
ଭୁବନେଶ୍ବର: ଯୁକ୍ତ ଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପ୍ରଶାସନ ଓ ପୋଲିସ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଅନୁରୋଧ କରାଯାଇଛି ।
ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦଶମ ପରୀକ୍ଷାର ଗୋପନୀୟ ଦସ୍ତାବିଜ୍ କଟକର ମୁଖ୍ୟାଳୟରୁ ନୋଡାଲ ସେଣ୍ଟର ଯାଏଁ ପହଞ୍ଚାଯିବ । ୩୧୪ଟି ନୋଡାଲ ସେଣ୍ଟରକୁ ଏହି ଗୋପନୀୟ ଦସ୍ତାବିଜର ସଂରକ୍ଷଣ ପାଇଁ ଚିହ୍ନଟ କରାଯାଇଛି । ସେହିପରି ଉତ୍ତର ଖାତା ବୋର୍ଡ ଅଧିକାରୀଙ୍କ ପାଖକୁ ପଠାଯିବା ସହ ସଂପୂର୍ଣ୍ଣ ପରୀକ୍ଷା ପରିଚାଳନା ଶେଷ ଯାଏଁ ଜିଲ୍ଲାପାଳ ଓ ଏସପି ସମସ୍ତ ପ୍ରକ୍ରିୟାର ତଦାରଖ କରିବେ ।
ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ତେବେ ଦଶମ ଓ ଦ୍ବାଦଶ ପରୀକ୍ଷା ସରିବାର ୪୫ ଦିନରେ ପ୍ରକାଶ ପାଇବ ଫଳାଫଳ ।
ପୋଲିସ ବେକରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା
ଭଦ୍ରକ: ମାତିଛନ୍ତି ଲଟେରା । ପୋଲିସକୁ ବି ଛାଡୁନାହାନ୍ତି । ଭଦ୍ରକ ପରିବା ମାର୍କେଟରେ ପୋଲିସ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁଇ ଲୁଟେରା । ବାଇକରେ ଆସି ଲୁଟ କରି ଫେରାର ହେଉଥିବା ବେଳେ ଜଣଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ ।
ସୂଚନା ଅନୁସାରେ, ମୋନାଲିସା କର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି । ଭଦ୍ରକ ପରିବା ମାର୍କେଟରେ ଆଜି ପରିବା କିଣୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ ଝାମ୍ପି ଚମ୍ପଟ ମାରିଥିଲେ । ୨ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟବାସିନ୍ଦା । ଲୁଟରେ ବ୍ୟବହାର ଗାଡିକୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରିବା ସହିତ ପୋଲିସର ଜିମା ଦେଇଛନ୍ତି ।
ଅନ୍ୟପଟେ ଲୁଟ ଗାଡିର ନମ୍ବର ପ୍ଲେଟ ଛତିଶଗଡ଼ର ହୋଇଥିବା ବେଳେ ପୋଲିସ ଗାଡିକୁ ଜବତ କରିବା ସହିତ ଲୁଟେରାକୁ ପଚାରାଉଚରା ଜାରି ରଖିଛି । ଲୁଟ ଘଟଣାକୁ ନେଇ ସ୍ପେଶଲ୍ ବ୍ରାଞ୍ଚର ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ କହିଛନ୍ତି, ଗିରଫ ଅଭିଯୁକ୍ତ ଇରାନି ଗ୍ୟାଙ୍ଗର । ଏହି ଗ୍ୟାଙ୍ଗ ଏକାଧିକ ଲୁଟରେ ସାମିଲ ଅଛି ।

