spot_img
Home Blog Page 1122

୫ ଦିନ ହେବ ବନ୍ଦ ପଡିଛି ଆହାର କେନ୍ଦ୍ର, ତୁରନ୍ତ ଖୋଲିବାକୁ ଦାବି

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ୫ ଦିନ ହେଲା ବନ୍ଦ ପଡିଛି। ରାଉରକେଲା ସରକାରୀ ଡାକ୍ତରଖାନାକୁ ଦୈନିକ ଚିକିତ୍ସା ପାଇଁ ଆସୁଥିବା ଶହ ଶହ ଗରିବ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଶ୍ରମିକ ଓ ଗରିବ ଲୋକେ ୫ ଟଙ୍କିଆ ଆହାର ଖାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଆହାର କେନ୍ଦ୍ର ଖୋଲା ନଗଲେ ଆନ୍ଦୋଳନର ଚେତାବନୀ ଦେଇଛି  ମେଡିକାଲ କର୍ମଚାରୀ ସଂଘ ।

ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ସମ୍ମୁଖରେ କିଛି ଡ଼୍ରାଇଭର ଗାଡି ଜୋର ଜବରଦସ୍ତ ପାର୍କିଂ କରୁଛନ୍ତି। ନିର୍ଦ୍ଦେଶକ କିଛି ପଦକ୍ଷେପ ନେଉନଥିବାରୁ ସମସ୍ୟା ସୃଷ୍ଟି ହେବାରୁ ଆହର କେନ୍ଦ୍ର ବନ୍ଦ କରାଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି। ଆହାର କେନ୍ଦ୍ର ଖୋଲିବା ପାଇଁ ରାଉରକେଲା ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରାଯିବ ବୋଲି ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଆହାର କେନ୍ଦ୍ର ବନ୍ଦ ରହିଥିବାରୁ ହୋଟେଲରେ ଅଧିକ ଟଙ୍କା ଦେଇ ଖାଦ୍ୟ ଖାଇନପାରି ବହୁ ଗରିବ ଲୋକେ ଭୋକ ଉପାସରେ ରହୁଛନ୍ତି ।

ବିଗିଡିବାରେ ଲାଗିଛି ରାଜଧାନୀର ଆଇନଶୃଙ୍ଖଳା, ସହରର ଛାତି ଉପରେ ଲୁଟେରାଙ୍କ ହଲ୍ଲାବୋଲକୁ ନେଇ ଚିନ୍ତାରେ ସହରବାସୀ

ଭୁବନେଶ୍ବର : ୨୫ ତାରିଖ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଆଉ ଗତକାଲି ରାତିରେ ନୟାପଲ୍ଲୀ N2 ରେ ଥିବା ଆଉ ଏକ ଘରୁ ଲୁଟ ଉଦ୍ୟମ । ରାତି ପ୍ରାୟ ୧୧ ଟା ୩୫ ବେଳେ ନିରଞ୍ଜନଙ୍କ ପଡୋଶୀ ଘରେ ପଶିଛି ଚୋର । N 25 ପ୍ଲଟ ନମ୍ବର ରେ ପଶିଥିବା ବେଳେ ଏ ହେଉଛି ସିସିଟିଭି । ଦେଖନ୍ତୁ ମୁଣ୍ଡରେ କ୍ୟାପ ଲଗାଇ କିଭଳି ବୁଲୁଛି ଚୋର । ସିସିଟିଭିରେ ଚୋର ପଶିଥିବା ଦେଖି ସ୍ଥାନୀୟ ଲୋକେ ଏକାଠି ହୋଇ ପୋଲିସକୁ ଖବର ଦେଇଥିଲେ । ରାତି ଅଧରେ ନିଜେ ଭୁବନେଶ୍ୱର ଡିସିପି ମଧ୍ୟ ଘଟଣାସ୍ଥଳରେ ପହଁଚି ଚୋରକୁ କାବୁ କରିଥିଲେ । କିନ୍ତୁ ପୂର୍ବ ଲୁଟ ର ଅଭିଯୁକ୍ତ ସହ ଏ ଲୁଟେରାର କୌଣସି ସମ୍ପୃକ୍ତି ନଥିବା ଜାଣିବାକୁ ପାଇଛି ପୋଲିସ୍ । ତେବେ ଗୋଟିଏ ପଟେ ଉତ୍କର୍ଷ ଓଡିଶା ପାଇଁ ଛକ ବଜାରରେ ଚେକିଂ ବ୍ଲକିଂ କୁ ବ୍ୟାପକ କରାଯାଇଥିବା ବେଳେ ଲୁଟେରାଙ୍କ ଏଭଳି ହଲାବୋଲକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସାଧାରଣ ଲୋକେ ।

ଲିଙ୍ଗରାଜ ଥାନା ସମନ୍ତରାପୁର ର ଶ୍ରୀରାମନଗର ରେ ଥିବା SBI ଏଟିଏମ ରେ ପଶି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିଲେ ଲୁଟେରା। କେବଳ ଟଙ୍କା ଲୁଟିନଥିଲେ ବରଂ ATM ମେସିନକୁ ତାଡି ନେଇ ଗଙ୍ଗୁଆ ନାଳରେ ଫୋପାଡିଥିଲେ । ସେହି କେସରେ ପୋଲିସ ଅଭିଯୁକ୍ତଙ୍କୁ ଏଯାବତ ଧରିପାରିନାହିଁ । ସେହିପରି ଧଉଳି ଥାନା ଲିଙ୍ଗିପୁର ମେଳନ ପଡିଆ ନିକଟରୁ ମିଳିଛି ମହିଳାଙ୍କ ଗଳିତ ମୃତଦେହ । ୧୦ ରୁ ୧୫ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୟା ନଦୀ କୂଳରୁ ମୃତଦେହ ଜବତ କରାଯାଇଛି । ସ୍ଥାନୀୟ ଲୋକେ ଏହାକୁ ଦୁଷ୍କର୍ମ ସହ ହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସହର ବଢିବା ସାଙ୍ଗକୁ ଅପରାଧୀଙ୍କ ଅପରେସନ ର ଅନ୍ଦାଜ ପରିବର୍ତ୍ତନ ହେଉଥିବା ଦେଖି ଚିନ୍ତାପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ବିଜେଡି

ଭୁବନେଶ୍ବର : ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଦିନ ଦିପ୍ରହରରେ ଘଟୁଛି ଡକାୟତି ଓ ହତ୍ୟାକାଣ୍ଡ । ରାଜ୍ୟରେ ଏବେ ଯେଉଁଭଳି ଅପରାଧ ହେଉଛି ଓଡ଼ିଶାରେ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଏହା ସିଷ୍ଟମକୁ ସିଧା ଚ୍ୟାଲେଞ୍ଜ କରୁଛି । ପୋଲିସ ବିଭାଗକୁ ବି ଅପରାଧୀଙ୍କ ସିଧା ଚ୍ୟାଲେଞ୍ଜ ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ପୂର୍ବରୁ ସହଦେଵ ନାୟକଙ୍କ ମୁଣ୍ଡଗଣ୍ଡି ଅଲଗା କରିଦିଆଗଲା । ଏଭଳି ବିଭତ୍ସ ହତ୍ୟା ରାଜ୍ୟରେ କେବେ ହୋଇନଥିଲା । ଦୁଇ ଦିନ ତଳେ ଚାରିଆଡେ ପୋଲିସ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ରାତିରେ ଚୋର ପଶିଲା। ଏହା ରାଜ୍ୟ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ଧାନ କିଣିବାକୁ ମନା କରିବାରୁ ହୃଦଘାତରେ ଚାଷୀଙ୍କର ଚାଲିଗଲା ଜୀବନ

ଭଞ୍ଜନଗର : ବିଜେପି ସରକାରଙ୍କ ପ୍ରତିଶୃତି ପାଲଟିଛି ପାଣିରଗାର । ଥମୁନି ଚାଷୀ ଯନ୍ତ୍ରଣା । ମିଲରଙ୍କ ମନମାନିରେ ବଳି ପଡିଯାଉଛନ୍ତି ଅନ୍ନଦାତା । ସୁରୁଖୁରୁରେ ଧାନ ବିକ୍ରି ନହେବାରୁ ଅକାଳରେ ଚାଲିଯାଉଛି ଜୀବନ । ଧାନବିକ୍ରି ପାଇଁ ମଣ୍ଡି ଓ ମିଲରଙ୍କ ପାଖକୁ ବାରମ୍ବାର ଦୌଡି ନିରାଶ ହେବା ପରେ ଶେଷରେ ଆଜି ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ଯୁ ଘଟିଛି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଲେମ୍ଭାକୁମ୍ପା ଗାଁରେ । ମୃତ ଚାଷୀ ହେଲେ ଚାକୁଣ୍ଡା ଗାଁର ଗଣେଶ ବିଷୋୟୀ । ସୂଚନା ଅନୁସାରେ, ମିଲକୁ ଧାନ ବିକ୍ରି ପାଇଁ ନେଇଥିଲେ ଗଣେଶ । କିନ୍ତୁ ଧାନର ମାନ ଖରାପ ଥିବା କହି ଫେରାଇ ଦେଇଥିଲେ ମିଲର। ନିଜର ଅମଳ ଧାନକୁ ବିକ୍ରି କରିବା ପାଇଁ ବାରମ୍ବାର ଦୌଡ଼ି ନିରାଶ ହୋଇପଡ଼ିଥିଲେ । ଧାନବସ୍ତାକୁ ଗାଡ଼ିରୁ ଓଜନ କରାଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଗଣେଶ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗଣେଶଙ୍କ ମୃତ୍ଯୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ପୋଲିସ ଓ ପ୍ରଶାସନ ସହ ମିଶି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।…

ଏପଟେ ଗଣେଷଙ୍କ ମୃତ୍ଯୁକୁ ନେଇ ଆସିଛି ଚାଞ୍ଚଲ୍ଯକର ତଥ୍ଯ । ଗଣେଶଙ୍କ ଠାରୁ ପନ୍ଦର ବସ୍ତା ଧାନ ରଖି ବଳକା ଧାନ କେବଳ ଫେରାଇ ଦେଇ ନାହାନ୍ତି ମିଲର, ଅନ୍ଯ ଧାନକୁ ଫିଙ୍ଗା ଫୋପଡା କରି ଦେଇଥିବା ମୃତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନବିନ କରିବା ସହିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଆସିକା ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି l ଏଠି ପ୍ରଶ୍ନ ଉଠୁଛି ଚାଷୀ ମୃତ୍ଯୁରେ କେବେ ରୋକ ଲାଗିବ ? କେବେ ବନ୍ଦ ହେବ ମିଲରଙ୍କ ମନମାନୀ? କାହିଁକି ମିଲରଙ୍କ ଉପରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ? କେବେ ଶୃଙ୍ଖଳିତ ହେବ ଧାନ ଉଠାଣ ପ୍ରକ୍ରିୟା?

ମଣ୍ଡିକୁ ଆସୁନି ମିଲରଙ୍କ ଗାଡ଼ି, ଧାନ ରଖି ଚାଷୀଙ୍କ ରାସ୍ତା ଅବରୋଧ

ବିଞ୍ଝାରବୁର : ମଣ୍ଡିକୁ ଆସୁନି ମିଲରଙ୍କ ଗାଡ଼ି । ପ୍ରତିବାଦରେ ଧାନ ରଖି ଚାଷୀଙ୍କ ରାସ୍ତା ଅବରୋଧ । ଲାପ୍ସ ହେବାକୁ ବସିଲାଣି ଟୋକନ । ମଙ୍ଗଳପୁର-ନାରୀଗାଁ ରାସ୍ତା ଅବରୋଧ କଲେ ଚାଷୀ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ସମବାୟ ସମିତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଶ୍ୱ ମାଆ ତାରିଣୀ ମଣ୍ଡିକୁ ଆସୁନାହାନ୍ତି ମିଲର । ପାଖାପାଖି ୫ ଦିନ ହେଲା ମଣ୍ଡିରେ ପଡ଼ିରହିଛି ହଜାର ହଜାର କ୍ୟୁଣ୍ଟାଲ ଧାନ । ଷଣ୍ଢ, ଗୋରୁଗାଈଙ୍କ ସୁରକ୍ଷା ଦେବାକୁ ରାତି ରାତି ଅନିଦ୍ରା ହୋଇ ନିଜ ଧାନକୁ ଜଗୁଛନ୍ତି ଚାଷୀ । ଅନ୍ୟାପଟେ ଧାନ ଉଠିବା ବିଳମ୍ବ ଫଳରେ ଟୋକେନ ଲାପ୍ସ କରିବାର ସମ୍ଭାବନା ରହିଛି । ଯାହାକୁ ପ୍ରତିବାଦ କରି ଆଜି ଏହି ଅଂଚଳର ଶତାଧିକ ଚାଷୀ ନିଜ ଧାନଙ୍କୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି । ଯଦି ତୁରନ୍ତ ସରକାର ମଣ୍ଡିରୁ ଧାନ ନଉଠାନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଏକର ଏକର ଜମିରେ ମିଠାମକା ଚାଷ କରି ସ୍ଵାବଲମ୍ବୀ ଚାଷୀ

କାମାକ୍ଷାନଗର :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କଦଳୀପାଳ ଏହି ଗାଁରେ ଏକର ଏକର ଜମିରେ ମିଠାମକା ଚାଷ କରି ସ୍ଵାବଲମ୍ବୀ ହେଉଛନ୍ତି ଚାଷୀ । ଯୁଆଡେ ଦେଖିଲେ ସବୁଜ ଦିଶୁଛି ପରିବେଶ । ସବୁଜ କିଆରୀରେ ମନ ମୋହୁଛି ଫୁରୁଫୁରୁ ହୋଇ ଉଡୁଥିବା ଫୁଲ କେଶର ।  ଅଳ୍ପ ଖର୍ଚ୍ଚରେ ବେଶ ଭଲ ଦୁଇ ପଇସା ଲାଭ ହେଉଥିବାରୁ ଗାଁର ପ୍ରାୟ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମିଠା ମକା ଚାଷ  । ଗାଁ ଆରମ୍ଭରୁ ଶେଷ ପର୍ଯ୍ଯନ୍ତ ରାସ୍ତା ପାର୍ଶ୍ଵରେ ସବୁଜିମା ପରିବେଶରେ ଚାଷ ହେଉଛି ମିଠାମକା । ମକାର ବଜାର ଚାହିଦା ଭଲ ଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନି କରାଯାଉଛି ।

ମିଠା ମକା ଚାଷ ପ୍ରାୟତଃ ବର୍ଷ ସାରା କରାଯାଇଥାଏ  । ପ୍ରତି ତିନି ମାସରେ ଥରେ ମିଠାମକା ଚାଷ ପାଇଁ ବିଲରେ ମଞ୍ଜି ପକାଯାଇ ତାହାକୁ ପ୍ରସ୍ତୁତ କରାଯାଏ  । । । । ମଞ୍ଜି ସବୁ ଧାଡ଼ିରେ ଲଗାଯାଇ ଅଳ୍ପ ସାର, ଖତ ଦେବା ପରେ ମାତ୍ର ଦୁଇ ମାସରେ ମକା ଫଳିବା ଆରମ୍ଭ ହୋଇଥାଏ l ପ୍ରତି ଥରକେ ଚାଷୀ ଦୁଇରୁ ଅଢେଇ ଲକ୍ଷ ଟଙ୍କା ବିନିଯୋଗ କରି ପ୍ରାୟ ଛଅରୁ ସାତ ଲକ୍ଷ ଟଙ୍କାର ମିଠାମକା ବିକ୍ରି କରିଥାଏ l ତେବେ ମିଠାମକା ଚାଷ ପାଇଁ ପ୍ରସିଦ୍ଧ କଦଳୀପାଳ ଗାଁରେ ଜଳସେଚନର ଅଭାବ ଏବେ ମକା ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇଛି l ତେଣୁ ଚାଷ ନିମନ୍ତେ ଜଳସେଚନ ବ୍ଯବସ୍ଥା କରିବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ଚାଷୀ । ମିଠା ମକାର ବଜାର ଚାହିଦା ଭଲ ଥିବାରୁ ଅନ୍ଯ ଚାଷ ଛାଡି ମିଠା ମକା ଚାଷରେ ମନ ବଳାଉଛନ୍ତି ଚାଷୀ ।

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଘର ଭିତରେ ଶିକୁଳିରେ ବନ୍ଧା ଜୀବନ

ରେଢ଼ାଖୋଲ : କେତେବେଳେ ଯେ କାହା ଉପରେ ଦୁଃଖର କଳା ପାହାଡ ଛିଣ୍ଡି ପଡିବ ତାହା କେହି କହିପାରିବେ ନାହିଁ । ସେମିତି ଏକ ଦୁଃଖର ପାହାଡ ଲଦି ହୋଇପଡିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡର ଗୀତା ବଂଛୁରଙ୍କ ପରିବାର ଉପରେ । ୧୯ ବର୍ଷର ପୁଅ ମାନସିକ ରୋଗରେ ପୀଡିତ ହୋଇ ଘରେ ପଡିରହିଛନ୍ତି । ପୁଅକୁ ଭଲ କରିବା ପାଇଁ ଗୀତା ବିଭିନ୍ନ ମେଡିକାଲରେ ଚିକିତ୍ସା କରିବା ପରେ କୌଣସି ସୁଫଳ ପାଇପାରିନାହାଁନ୍ତି । ଏବେ ପୁଅର ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଥିବାରୁ ପୁଅର ମାନସିକ ସ୍ଥିତି ବିକୃତ ହେବାରେ ଲାଗିଛି । ବିଭିନ୍ନ ସମୟରେ ଘରେ ମାରପିଟ,ଘରର ଆସବାବପତ୍ର ଭଙ୍ଗାରୁଜା କରୁଥିବାରୁ ବାଧ୍ଯ ହୋଇ ପୁଅକୁ ଶିକୁଳିରେ ବାନ୍ଧି ଘରେ ରଖିଛନ୍ତି ଗୀତା ।

ପୁଅ ମାନସିକ ସ୍ଥିତି ହରାଇ ପରେ ତାଙ୍କ ବାପା କୁଆଡେ ଚାଲିଯାଇଥିବା ଅଭିଯୋଗ ହୋଇଛି । ଏବେ ପୁଅ ଜିତୁକୁ ଜଗି ରହିଛି ଏକାକି ମାଆ । କାଳେ ପୁଅ କେତେବେଳେ କେଉଁଆଡେ ପଳେଇଯିବ ଭାବି ଶିକୁଳିରେ ବାନ୍ଧି ରଖିଛନ୍ତି ମାଆ । ପ୍ରତିଦିନ ସକାଳୁ ପୁଅକୁ ଖୁଆଇ ପିଆଇ କାମକୁ ବାହାରି ଯାଉଛନ୍ତି ଗୀତା । ଏଣେତେଣେ ମୂଲ ମଜୁରୀ ଲାଗି ଯାହା ପଇସା ଆଣୁଛନ୍ତି ସେଥିରେ ପରିବାର ଚଳାଇବା ସହିତ ପୁଅର ଔଷଧ ଖର୍ଚ୍ଚ କରିବା ଗୀତାଙ୍କ ପକ୍ଷେ ଅସମ୍ଭବ ହୋଇପଡୁଛି । ତେଣୁ ଜିତୁର ଚିକିତ୍ସା ନିମନ୍ତେ ରାଜ୍ଯ ସରକାର, ଜିଲ୍ଲାପାଳ,ଏନେଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ୱାର୍ଡ କାଉନସିଲର  । ଏହି ଅସହାୟ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ନିହାତି ଜରୁରୀ ହୋଇପଡିଛି ।

ସରକାରୀ ଜମି ଉଚ୍ଛେଦ ନାଁରେ ହାଇଡ୍ରାମା, ତଦନ୍ତ ଆଳରେ ଆଦିବାସୀଙ୍କୁ ବିସ୍ଥାପିତ କରାଯାଉଥିବା ଅଭିଯୋଗ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ବ୍ଲକ କୁମାରପୁର ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ଆଦିବାସୀ ମାନେ ଏଠାରେ ଦୀର୍ଘ ବର୍ଷ ଧରି ଜଙ୍ଗଲ ସଫା କରି ରହି ଆସୁଛନ୍ତି । ଦମ୍ପତିପୁର ମୌଜାର ଖାତା ନମ୍ୱର ୭୦ର ପ୍ଲଟ ନମ୍ବର ୨୫୭ରେ ଥିବା ୮ ଏକର ୬ ଡିସିମିଲି ଜଙ୍ଗଲ ଜାଗାକୁ କିଛି ଲୋକ ବେଆଇନ ଭାବେ ଦଖଲ କରିଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ ରାଜସ୍ବ ଅଧିକ୍ଷକ ତଦନ୍ତ କରି ଆଦିବାସୀ ମାନେ ସେଠାରେ ବେଆଇନ ଭାବେ ରହିଥିବା ନେଇ ଦର୍ଶାଇ ଥିବାରୁ ଚିନ୍ତାରେ ଆଦିବାସୀ ପରିବାର । ଏଠାରେ ଥିବା ଆଦିବାସୀମାନେ ଜମି ବାଡ଼ି ନଥିବାରୁ ଜଙ୍ଗଲ ସଫା କରି ୨୦ ବର୍ଷ ଧରି ରହି ଆସିଥିବା କହିଛନ୍ତି । ଜଙ୍ଗଲ ଆଇନ ଅନୁଯାୟୀ ତାଙ୍କୁ ସେ ଜମି ଅଧିଗ୍ରହଣ କରିବା ପାଇଁ ଅନୁମତି ଦେବା ପାଇଁ ଦାବି କରିଛନ୍ତି।…

ସେହି ଜମିର ୮ ଏକର ଜାଗାକୁ ଆଠଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଦଖଲ କରିଥିବା ନେଇ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଛି । ନୋଟିସକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ରଂଜନ ଆଚାର୍ଯ୍ୟ । ତାଙ୍କ ନାମରେ ଆସିଥିବା ନୋଟିସର ଜମିକୁ ସେ ଦଖଲ କରି ନଥିବା କହିବା ସହ ତାଙ୍କୁ ଜାଣିଶୁଣି ବଦନାମ କରାଯାଉଛି ବୋଲି କହିଛନ୍ତି। ଏନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଅନ୍ୟପଟେ ଅଭିଯୋଗ ପାଇବା ପରେ ରାଜସ୍ବ ଅଧକାରୀଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଦଖଲକାରୀ ରଞ୍ଜନ ଆଚାର୍ଯ୍ୟଙ୍କୁ ନୋଟିସ କରାଯାଇଥିବା କହିଛନ୍ତି ଅତିରିକ୍ତ ତହସିଲଦାର । ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଭୂମିହୀନ ଲୋକ ଯଦି ଏକ ସ୍ଥାନରେ ରହି ଆସୁଛି ତେବେ ତାକୁ ଜମି ପଟ୍ଟା ଯୋଗାଇ ଦେବାର ସରକାର ନିୟମ ରହି ଆସିଛି। ଏହି ନିୟମ ଅନୁଯାୟୀ ଆଦିବାସୀ ପରିବାରଙ୍କୁ ଜମି ପଟ୍ଟା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ମଧ୍ୟବିତ୍ତଙ୍କୁ ନେଇ ଦେଶରେ ବଡ ଚର୍ଚ୍ଚା, ଆପଣ ଧନୀ ନା ଗରିବ ଜାଣନ୍ତୁ

ନୂଆଦିଲ୍ଲୀ :  ଆପଣ ଶୁଣିଥିବେ ଦେଶରେ ଧନୀଙ୍କ ଧନ ବଢିବାରେ ଲାଗିଥିବା ବେଳେ ଗରିବ ବି ଗରିବ ହେବାରେ ଲାଗିଛି । କିନ୍ତୁ ଆଜିକାଲି ବେଶୀ ମଧ୍ୟବିତ୍ତଙ୍କ ଉପରେ ଆଲୋଚନା ହେଉଛି ।  ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ବହୁତ ଅଧିକ । ତେଣୁ ପ୍ରତ୍ୟେକ ବଜେଟ ଓବର୍ତ୍ତମାନ ମଧ୍ୟ ନିର୍ବାଚନରେ ମଧ୍ୟବିତ୍ତ ବର୍ଗ ଉପରେ ଆଲୋଚନା ହେଉଛି। ଯେତେବେଳେ ବଜେଟ୍ ଆସୁଛି, ସେତେବେଳେ ଆୟକର ଛାଡ କିମ୍ବା ଜିଏସଟି ରିହାତିକୁ ନେଇ ବହୁତ ଆଶା ମଧ୍ୟବିତ୍ତ ଶ୍ରେଣୀର ରହିଥାଏ । ଦିଲ୍ଲୀ ନିର୍ବାଚନରେ ବିଭିନ୍ନ ଦଳ ମଧ୍ୟବିତ୍ତଙ୍କୁ ହିଁ ଟାର୍ଗେଟ କରୁଛନ୍ତି । ଦିଲ୍ଲୀରେ ପ୍ରାୟ ୩୦ ପ୍ରତିଶତ ମଧ୍ୟବିତ୍ତ ଜନସଂଖ୍ୟା ଅଛନ୍ତି । ଗତ ଦଶନ୍ଧି ମଧ୍ୟରେ ସବୁଠୁ ଅଧିକ ଚାପ ପଡୁଛି । ସେମାନଙ୍କର ଖର୍ଚ୍ଚ ବଢୁଛି ଓ ଆୟ କମୁଛି । ଖାଲି ସେତିକି ନୁହେଁ, ସେମାନଙ୍କ ଉପରେ ଟ୍ୟାକ୍ସ ବୋଝ ମଧ୍ୟ ପଡୁଛି । ଏଭଳି ପରିସ୍ଥିତିରେ ମଧ୍ୟବିତ୍ତ ରାଜନୀତି ଓ ଅର୍ଥନୀତି କେନ୍ଦ୍ରରେ ରହିଛନ୍ତି ।

ମଧ୍ୟବିତ୍ତଙ୍କ ପରିଭାଷା କ‘ଣ ? କେମତି ଜାଣିବା କିଏ ଉଚ୍ଚ ବର୍ଗ, ମଧ୍ୟବିତ୍ତ ବର୍ଗ ଓ ନିମ୍ନ ବର୍ଗ ? ଲୋକଙ୍କ ଆୟ ଉପରେ ନିଷ୍ପତ୍ତି କରାଯାଏ । କିଛି ରିପୋର୍ଟ ଓ ବିଶେଷଜ୍ଞଙ୍କ ବିଧ୍ୟବିତ୍ତ ଶ୍ରେଣୀକୁ ଆକଳନ କରିବା ପାଇଁ କୌଣସି ସ୍କେଲ ନାହିଁ ବୋଲି କହିଛନ୍ତି । ତାଙ୍କର ଆୟକୁ ନେଇ ମାପ କରାଯାଇନପାରେ ।

ଗୋଲ୍ଡମ୍ୟାନ ସୈକ୍ସଙ୍କ ଅନୁସାରେ, ଭରତରେ ୧୦ କୋଟି ଲୋକ ଉଚ୍ଚ ବର୍ଗ ଅର୍ଥାତ୍ ଧନୀ ଶ୍ରେଣୀର ଲୋକ ଅଛନ୍ତି । ଏହାର ଅନୁମାନ ୨୦୨୪ ବର୍ଷକୁ ନେଇ ଆକଳନ କରାଯାଇଛି । କିଛି ଅନୁଷ୍ଠାନ ଓ ବିଶେଷଜ୍ଞ ୧୨ କୋଟି ଲୋକଙ୍କୁ ଉଚ୍ଚ ବର୍ଗରେ ସ୍ଥାନିତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତରେ ବାର୍ଷିକ ୧୦ ହଜାର ଡଲାରରୁ ଅଧିକ ରୋଜଗାର କରୁଥିବା ଲୋକଙ୍କୁ ଉଚ୍ଚ ବର୍ଗର ବୋଲି କୁହାଯାଏ । ସମସ୍ତ ରିପୋର୍ଟରେ, ଯେଉଁମାନେ ବାର୍ଷିକ ୯-୧୨ ଲକ୍ଷରୁ ଅଧିକ ରୋଜଗାର କରନ୍ତି ସେମାନେ ଉଚ୍ଚ ବର୍ଗରେ ଆସନ୍ତି । ଏହି ବର୍ଗକୁ ଧନୀ ବୋଲି ମଧ୍ୟ କହିପାରିବେ । ସାଧାରଣତଃ ଯେଉଁମାନେ ୩ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଆୟ କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗରେ ରୁହନ୍ତି । ଯାହାର ମୁଣ୍ଡପିଛା ଆୟ ବାର୍ଷିକ ୨.୫ ଲକ୍ଷ ଟଙ୍କା ସେମାନେ ମଧ୍ୟବିତ୍ତ ବର୍ଗରେ ଆସନ୍ତି ।  ଯଦି ଗୋଟିଏ ପରିବାରରେ ଚାରିଜଣ ସଦସ୍ୟ ଅଛନ୍ତି ଏବଂ ସେମାନଙ୍କର ମୁଣ୍ଡପିଛା ଆୟ ବାର୍ଷିକ ୨.୫ ଲକ୍ଷ ଟଙ୍କା, ତେବେ ସମଗ୍ର ପରିବାରର ଆୟ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ଅଟେ, ସେହି ଅନୁଯାୟୀ ଏହି ପରିବାରକୁ ମଧ୍ୟବିତ୍ତ ବର୍ଗର ବୋଲି କୁହାଯିବ ।

ଏଥି ସହିତ, କିଛି ବର୍ଷ ପୂର୍ବେ, ଏକ ଭାରତୀୟ ଥିଙ୍କ ଟ୍ୟାଙ୍କର ଦ୍ୱାରା କରାଯାଇଥିବା ଏକ ସର୍ଭେରେ କୁହାଯାଇଥିଲା ଯେ ଯେଉଁ ପରିବାରଙ୍କ ବାର୍ଷିକ ଆୟ ୫-୩୦ ଲକ୍ଷ ଟଙ୍କା ମଧ୍ୟବିତ୍ତ ବର୍ଗରେ ବିବେଚନା କରାଯାଏ । ମାଷ୍ଟରକାର୍ଡ ରିପୋର୍ଟ ଅନୁଯାୟୀ, ଯେଉଁମାନେ ବାର୍ଷିକ ୧୫୧୬୫୧ ଟଙ୍କା ରୋଜଗାର କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗକୁ ଆସନ୍ତି  । ମୋଟ ଉପରେ, ଏହା କୁହାଯାଇପାରେ ଯେ ଯେଉଁମାନେ ୨୫ ହଜାରରୁ ୧୦ ଲକ୍ଷ ଟଙ୍କା ରୋଜଗାର କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗରେ ଆସନ୍ତି  । କୁହାଯାଏ ଯେ ଦେଶରେ ମଧ୍ୟବିତ୍ତ ବର୍ଗର ଜନସଂଖ୍ୟା ୩୦ ପ୍ରତିଶତରୁ ଅଧିକ, ଅର୍ଥାତ୍ ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ପ୍ରାୟ ୩୦ କୋଟି । କେତେକ ବିଶେଷଜ୍ଞ ୫୦ କୋଟି ଲୋକଙ୍କୁ ମଧ୍ୟବିତ୍ତ ବର୍ଗର ବୋଲି ବିବେଚନା କରନ୍ତି। ମଧ୍ୟବିତ୍ତ ବର୍ଗର ଲୋକମାନେ ନିମ୍ନ ବର୍ଗକୁ ଆସନ୍ତି, ଅର୍ଥାତ୍ ଯେଉଁମାନଙ୍କର ଆୟ ୩ ଲକ୍ଷରୁ କମ୍, ସେମାନେ ସମସ୍ତେ ନିମ୍ନ ବର୍ଗରେ ଆସନ୍ତି ଏବଂ ଦେଶରେ ଏହି ବର୍ଗରେ ସର୍ବାଧିକ ସଂଖ୍ୟକ ଲୋକ ଅଛନ୍ତି  । ଏକ ଆକଳନ ଅନୁଯାୟୀ ଦେଶରେ ଅତି କମରେ ୮୦ କୋଟି ଲୋକ ଏହାର ଅଧୀନରେ ଅଛନ୍ତି ।

ଗତବର୍ଷ ୟୁରୋପରେ ରହୁଥିବା ଜଣେ ଭାରତୀୟ ନିବେଶକ ତଥା ବ୍ୟବସାୟୀ ସୌରଭ ଦତ୍ତ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ ଯେ, ଭାରତରେ କିଏ ଧନୀ ଏବଂ କିଏ ଗରିବ ?  ତାଙ୍କର ବିଶ୍ଳେଷଣ ଅନୁଯାୟୀ, ଆଜିର ଯୁଗରେ, ଯଦି ଜଣେ ବ୍ୟକ୍ତିଙ୍କର ନଗଦ ୧୦ ଲକ୍ଷ ଟଙ୍କା ଅଛି, ତେବେ ସେ ଗରିବ ବର୍ଗରେ ଆସନ୍ତି ।  ଏଥି ସହିତ, ଯେଉଁ ବ୍ୟକ୍ତିଙ୍କର ନଗଦ ୫୦ ଲକ୍ଷ  ଅଛି ସେ ନିମ୍ନ ମଧ୍ୟବିତ୍ତ, ଯଦି ୧ କୋଟି ଅଛି ସେ ମଧ୍ୟମ ବର୍ଗ, ଯଦି ୨ କୋଟି ଉଚ୍ଚ ମଧ୍ୟବିତ୍ତ, ଯଦି ୨ କୋଟି ଧନୀ ଏବଂ ୧୦ କୋଟି ଅଛି ତେବେ ଏନଏଚଆଇ ଶ୍ରେଣୀର ବ୍ୟକ୍ତି ଅଟନ୍ତି  ।

ଆତଙ୍କବାଦୀ ଲିଙ୍କରେ ଦୁଇଟି ରାଜ୍ୟରେ ଏନଆଇଏ ରେଡ୍

ଶ୍ରୀନଗର : ଆତଙ୍କବାଦୀ ଲିଙ୍କ ସନ୍ଦେହରେ ଏନଆଇଏ ରେଡ୍। ଜାମ୍ମୁ କାଶ୍ମୀରର ୬ଟି ସ୍ଥାନରେ ଏନଆଇଏ ରେଡ କରିଥିବା ଜଣାପଡିଛି। ଆତଙ୍କବାଦୀ ଲିଙ୍କରେ ଏନଆଇଏ ଏହି ରେଡ୍ କରିଥିବା ଜଣାପଡିଛି। ଆତଙ୍କବାଦୀଙ୍କ ସହ ସମ୍ପର୍କ ସନ୍ଦେହରେ ଜାବେଦ ଅହମ୍ମଦ ଶେଖ, ଏ ଆର ଶଲ୍ଲା ଏବଂ ନିସାର ଅହମ୍ମଦଙ୍କ ଘରେ ଏନଆଇଏ ରେଡ କରୁଛି। ଜାମ୍ମୁ କାଶ୍ମୀର ସୋପୋର ଏବଂ ଶ୍ରୀନଗରର ଦୁଇ ସ୍ଥାନରେ ମଧ୍ୟ ଏନଆଇଏ ରେଡ୍ କରିଛି। ସୋପୋର ଅଂଚଳର ଜଣେ ବ୍ଯକ୍ତିଙ୍କ ଶ୍ରୀନଗର ଘର ଏବଂ ଅଫିସରେ ରେଡ୍ ଚାଲିଛି।.. ସେହିପରି ISIS ଲିଙ୍କରେ ତାମିଲନାଡୁର ମଧ୍ୟ ୨୫ଟି ସ୍ଥାନରେ ଚାଲିଛି ଏନଆଇଏ ରେଡ୍। ରାଜଧାନୀ ଚେନ୍ନାଇ, ମଥିଲାଦୁଥୁରଇ ଜିଲ୍ଲାର ଏକାଧିକ ସ୍ଥାନରେ ରେଡ ଚାଲିଛି। ୨୦୨୩ରେ କୋଇମ୍ବାଟୁରରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏହି ରେଡ୍ ଚାଲିଛି। ଆରବୀୟ ଭାଷା କେନ୍ଦ୍ର ଉପରେ ମଧ୍ୟ ରେଡ୍ ଚାଲିଛି। ବିଦେଶୀ ଆତଙ୍କୀ ସଂଗଠନ ସହ ଲିଙ୍କ ଥିବା ଜଣାପଡିଛି।