ଚିଲିକା : ଚିଲିକାରେ ଚାଲିଛି ପକ୍ଷୀ ଗଣନା। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ଟି ଟିମ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। ୧୯ଟି ଟିମ ଜଳପଥରେ ଓ ଅନ୍ୟ ୨ଟି ଟିମ ସ୍ଥଳ ଭାଗରେ ପକ୍ଷୀଗଣନାରେ ନିୟୋଜିତ ହୋଇଛନ୍ତି। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଛି l ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି, ଚିଲିକାରେ ଗୋଟିଏ ଟିମ ନିୟୋଜିତ ହୋଇଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, କ୍ୟାମେରା, ନୋଟ ବୁକ ଆଦି ବ୍ୟବହାର କରାଯାଇଛି। ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହୋଇଛନ୍ତି l ପକ୍ଷୀ ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି l ଗତ ବର୍ଷ ଚିଲିକାରେ ମୋଟ ୧୮୭ଟି ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ଟି ଦେଶୀ ଓ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିଲେ l
ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଅନୁଭୂତ ହେବ ଘନକୁହୁଡି, ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ବର : ଆଜି ଭୋରରୁ ବି ରାଜ୍ୟରେ ଅନୁଭୂତ ହୋଇଛି ଘନକୁହୁଡି । ଏନେଇ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଥିଲା ପାଣିପାଗ କେନ୍ଦ୍ର । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ନୟାଗଡ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିଲା । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିଥିଲା ଦୃଶ୍ୟମାନ କ୍ଷମତା । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ରହିବ ବୋଲି ଚେତାଇ ଦେଇଥିଲା ପାଣିପାଗ କେନ୍ଦ୍ର । ତେଣୁ ଘାଟି ରାସ୍ତା, ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଏହାସହ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ କିଛି ଥଣ୍ଡା ପବନ ପ୍ରବାହିତ ହୋଇପାରେ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ସ୍ଥିତି ଉପୁଜିବା ସହ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଯାଞ୍ଚ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଆଜି ପ୍ରାର୍ଥୀପତ୍ର ଯାଞ୍ଚ । ଗତକାଲି ନାମାଙ୍କନ ଦାଖଲ ଶେଷ ହୋଇଥିବାବେଳେ ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୨୦ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି। ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୮ ତାରିଖରେ ହେବ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ଯାମ୍ପେନିଂ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର କରୁଛନ୍ତି। ମୋଟ୍ ୮୪୧ ଜଣ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି। ମୋଟ୍ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନରେ ଫେବୃଆରୀ ୫ରେ ହେବ ଭୋଟ୍ ଗ୍ରହଣ। ୧ କୋଟି ୫୫ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ୨ ଲକ୍ଷ ନୂଆ ଭୋଟର ଏଥର ନିର୍ବାଚନରେ ସାମିଲ ହୋଇଛନ୍ତି। ୧୩ ହଜାରରୁ ଅଧିକ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ୨୦୨୦ରେ ଆପ୍ ୬୨ଟି ଆସନ ଜିତି ସରକାର ଗଠନ କରିଥିଲା। ୨୦୧୫ ଓ ୨୦୨୦ରେ କଂଗ୍ରେସ ଗୋଟିଏ ବି ଆସନ ଜିତିନଥିଲା। ।
ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ : ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ। ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ଏହି ବଜେଟ ଅଧିବେଶନ। ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପର ଦିନ ଅର୍ଥାତ ଫେବୃଆରୀ ୧ ତାରିଖରେ ବଜେଟ ଆଗତ ହେବ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ଲାଗି ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ। ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିଲ୍ଲୀ ଭୋଟ ଦିନ ବଜେଟ ଅଧିବେଶନ ଚାଲିବ ନାହିଁ।୩ ଫେବୃଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ। ବଜେଟରେ ଏଥର ପୁରୁଣା ଟାକ୍ସ ବ୍ୟବସ୍ଥା ଉପରେ କିଛି ପରିବର୍ତ୍ତନ ଆସିପାରେ। ପୁରୁଣା ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ପ୍ରଥମରୁ ଚର୍ଚ୍ଚା ଲାଗି ରହିଛି। ଏହି ଟ୍ଯାକ୍ସ ବ୍ୟବସ୍ଥା ୧ ଏପ୍ରିଲ ୨୦୨୦ରେ ଲାଗୁ କରାଯାଇଥିଲା। ଅଷ୍ଟାଦଶ ଲୋକସଭା ନିର୍ବାଚନ ପରେ ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ। ପରମ୍ପରା ଅନୁସାରେ ବଜେଟ ଅଧିବେଶନ ଆରମ୍ଭ ଦିନ ୩୧ ଜାନୁଆରୀରେ ସଂସଦର ଦୁଇ ଗୃହର ମିଳିତ ଅଧିବେଶନ ବୈଠକ ହେବ। ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବ। ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ପର୍ଯ୍ଯାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଦୁଇ ଗୃହରେ ଆଲୋଚନା ହେବ। ଦୁଇ ସଦନରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ଏହା ସମାପନ ହେବାର ପରମ୍ପରା ରହିଛି। ଏହା ପୂର୍ବରୁ ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ପକ୍ଷରୁ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା। ପୁରା ଶୀତ ଅଧିବେଶନ ଫିକା ପଡିଥିଲା। ଗୋଟିଏ ଦିନ ବି ଠିକରେ ଚାଲିପାରିନଥିଲା ଗୃହ। ଶୀତ ଅଧିବେଶନର ୨୬ଟି କାର୍ଯ୍ୟ ଦିବସରେ ଲୋକସଭାର ୨୦ଟି ବୈଠକ ଏବଂ ରାଜ୍ୟସଭାର ୧୯ଟି ବୈଠକ ହୋଇଥିଲା। ଲୋକସଭାରେ ୫ ବିଧେୟକ ଆଗତ ହୋଇଥିଲା। ୪ ବିଲ ଲୋକସଭାରେ ପାରିତ ହୋଇଥିବାବେଳେ ୩ ବିଲ ରାଜ୍ୟସଭାରେ ପାରିତ ହୋଇଥିଲା।
ତାମିଲନାଡୁରେ ଦାଦନ ଶ୍ରମିକକୁ ହତ୍ୟା ଅଭିଯୋଗ
ବଲାଙ୍ଗୀର : ତାମିଲନାଡୁରେ ଦାଦନ ଶ୍ରମିକକୁ ହତ୍ୟା ଅଭିଯୋଗ । ବଲାଙ୍ଗୀର ୧୮ ନମ୍ବର ୱାର୍ଡ ବିଜାଖମନର ଶ୍ରମିକ ଝସକେତନ ମାଝୀ କାମ କରିବାକୁ ତାମିଲନାଡୁ ଯାଇଥିଲେ । ଏକ ମାସେ ତଳେ ଖପ୍ରାଖୋଲ ଅଞ୍ଚଳର ଦାଦନ ସର୍ଦ୍ଦାର ତାଙ୍କୁ ନେଇଥିଲେ । ତେବେ ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକଙ୍କ ମାଆ ଇନ୍ଦୁମତୀ ମାଝୀ । ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ ଝସକେତନ । ଗତକିଛି ବର୍ଷ ହେବ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାରରେ ବିଧବା ମାଆ, ନାବାଳକ ଭାଇ ଭଉଣୀ ଅଛନ୍ତି । ବିଶିଷ୍ଟ ଆାଦିବାସୀ ନେତା ସତ୍ୟ ନାରାୟଣ ଭୋଇ ମୃତ ଶ୍ରମିକଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଟାଉନ୍ ଥାନା ପୋଲିସ ପହଞ୍ଚି ପଚରାଉଚୁରା କରିଛି । ମୃଦେହ ଆଣିବା ପାଇଁ ଗରିବ ଆଦିବାସୀ ପରିବାର ନିକଟରେ ଅର୍ଥ ନଥିବାରୁ ଚିନ୍ତାରେ ଅଛନ୍ତି ପରିବାର । ତେବେ ଏଯାଏଁ ଶ୍ରମ ବିଭାଗ ତାଙ୍କ ନିକଟରେ ପହଞ୍ଚି ନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ନାମାଙ୍କନ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ। ମୋଟ ୮୪୧ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହେଉଛି ୨୦ ତାରିଖ । ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୮ ତାରିଖରେ ହେବ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ଯାମ୍ପେନିଂ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜେନେରେଟଡ କଣ୍ଟେଣ୍ଟର ବ୍ଯବହାର ନେଇ ଆଡଭାଇଜରୀ ଜାରି କରିଛନ୍ତି ନିର୍ବାଚନ କମିଶନ। ଏନେଇ ସମସ୍ତ ରାଜନୈତିକ ଦଳକୁ ପରାମର୍ଶ ଦେଇଛନ୍ତି କମିଶନ। ଦାୟିତ୍ବସମ୍ପନ୍ନ ଓ ସ୍ବଚ୍ଛ ବ୍ଯବହାର ପ୍ରତି ଯତ୍ନବାନ ହେବାକୁ ଇସି ପରାମର୍ଶ ଦେଇଛନ୍ତି। ନିର୍ବାଚନରେ ଏଆଇର ବ୍ଯବହାର ଭୋଟରଙ୍କ ଦୃଷ୍ଟିଭଙ୍ଗୀ ଉପରେ ପ୍ରଭାବ ଓ ପ୍ରଚାର ବାର୍ତ୍ତାର ଯଥାର୍ଥତାକୁ ନେଇ ଆଶଙ୍କା ରହିଥିବାବେଳେ ଇସି ଏହି ପରାମର୍ଶ ପ୍ରଦାନ କରିଛନ୍ତି। ସମସ୍ତ ଜାତୀୟ ଦଳ ଓ ରାଜ୍ୟସ୍ତରୀୟ ଦଳ ଲାଗି ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ। ନିର୍ବାଚନ ପ୍ରକ୍ରିୟାର ମହତ୍ତ୍ବ ବଜାୟ ରଖିବା ଉପରେ ଇସିଆଇ ଗୁରୁତ୍ବ ଦେଇଛନ୍ତି।
କାଳ ସାଜିଛି ରୁଷ-ୟୁକ୍ରେନ ଯୁଦ୍ଧ, ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୧୨ ଭାରତୀୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଭାରତୀୟଙ୍କ ଲାଗି କାଳ ସାଜିଛି ରୁଷ-ୟୁକ୍ରେନ ଯୁଦ୍ଧ। ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୧୨ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା। ଯୁଦ୍ଧ ଲଢୁଥିବା ୧୬ ଭାରତୀୟଙ୍କ ମିଳୁନି ପତ୍ତା। ୧୬ ଜଣ ନିଖୋଜ ଥିବା ଜଣାପଡିଛି।ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରୁଷ ସେନା ସହ ଭାରତର ୧୨୬ ଜଣ ଯବାନ ଲଢେଇ କରୁଥିବା ସୂଚନା ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ସେମାନଙ୍କ ମଧ୍ୟରୁ ସ୍ଵଦେଶ ଫେରିଲେଣି ୯୬ ଭାରତୀୟ। ସେମାନଙ୍କୁ ଦାୟିତ୍ଵରୁ ଛୁଟି ପ୍ରଦାନ କରିଛନ୍ତି ରୁଷ କର୍ତ୍ତୃପକ୍ଷ। ତେବେ ଅନ୍ୟ ନିଖୋଜଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏବେ ରୁଷ ସେନାରେ ୧୮ ଭାରତୀୟ ଛନ୍ତି ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ପତ୍ତା ମିଳୁନି। ସେମାନଙ୍କୁ ନିଖୋଜ ଭାବେ ଦର୍ଶାଇଛି ରୁଷ। ତେବେ ଖୁବଶୀଘ୍ର ସେମାନଙ୍କୁ ଭାରତ ଫେରାଇବାକୁ ଦାବି କରିଛି ଭାରତୀୟ କର୍ତ୍ତୃପକ୍ଷ।
ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ଚୁକ୍ତି
ଭୁବନେଶ୍ବର : ୮ ଟି କ୍ଷେତ୍ରରେ ସହଯୋଗକୁ ମଜଭୁତ ପାଇଁ ଓଡ଼ିଶା ଏବଂ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଭୁବନେଶ୍ଵରରେ ଥିବା ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ୍ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉପସ୍ଥିତିରେ ୮ଟି MOU ସାକ୍ଷରିତ ହୋଇଛି। ଏଥିରେ ରହିଛି ଭବିଷ୍ୟତ ପାଇଁ ଦକ୍ଷତା ବିକାଶ। ଓଡ଼ିଶାରେ ଏହି କ୍ଷେତ୍ରରେ ବ୍ୟାପକତା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରର ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ସେହିପରି ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ, IIT ଭୁବନେଶ୍ୱର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନଭରସିଟି ମଧ୍ୟରେ ତ୍ରିପାକ୍ଷିକ MOU ସ୍ବାକ୍ଷରିତ ହୋଇଛି। ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପ ମଧ୍ୟରେ ହୋଇଛି ଏମଓୟୁ। ସେହିପରି ଭୁବନେଶ୍ଵରରେ ନୂତନ ସହର ବିକାଶ ଲାଗି ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ମଧ୍ୟ ଦୁଇ ପକ୍ଷ ପରସ୍ପରକୁ ସହଯୋଗ କରିବେ। ଏଥିପାଇଁ ରାଜ୍ୟ ଦକ୍ଷତା ବିକାଶ ବିଭାଗ ଓ ସିଙ୍ଗାପୁରର ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ MOU ହୋଇଛି। ଗ୍ରୀନ ହାଇଡ୍ରୋଜେନ୍ କରିଡ଼ର ସ୍ଥାପନ ଲାଗି ମଧ୍ୟ ଇପିକଲ ଓ ସିଙ୍ଗାପୁରର ସେମ୍ୱକର୍ପ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହା ସହିତ ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋ କେମିକାଲ ନିବେଶ ଲାଗି ଇଡକୋ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ MOU ହୋଇଛି। ଏହା ସହିତ ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରର GFTN ସହିତ MOU ହୋଇଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ଯରେ ଗଢ଼ି ଉଠିବ ଏକାଧିକ ସହର। ସିଙ୍ଗାପୁରଠାରୁ ନିଆଯିବ ବୈଷୟିକ ସହାୟତା । ସହର ବଢିବା ଯୋଗୁଁ ବହୁ ନୂଆ NAC ଗଠନ ଓ ଅନେକ NAC ମ୍ୟୁନିସପାଲିଟିରେ ରୂପାନ୍ତରିତ ହେବ। ଖୁବ ଶୀଘ୍ର ରାଜ୍ୟ ସରକାର ଏ ଦିଗରେ ନିଷ୍ପତ୍ତି ନେବେ।
କେନ୍ଦ୍ରାପଡ଼ା କୋର୍ଟ ପରିସରରେ ନାବାଳିକା ପିଇଲେ ବିଷ
କେନ୍ଦ୍ରାପଡ଼ା : କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା । ପ୍ରେମିକ ବିରୋଧରେ କୋର୍ଟରେ ବାପା ମାଆ ସାକ୍ଷ୍ଯ ପ୍ରଦାନ କରିବାକୁ ବିରୋଧ କରି ପିଇଲେ ବିଷ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ଥ୍ଯ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟରେ ଘଟିଛି ଏହି ଅଭାବନୀୟ ଘଟଣା । ଜମ୍ବୁ ମେରାଇନ ଥାନା ଅଞ୍ଚଳର ଜଣେ ନାବାଳିକା ଜଣଙ୍କ ଭିନ୍ନ ସମ୍ପ୍ରଦାୟର ଜଣେ ପୁଅ ସହିତ ପ୍ରେମ ସମ୍ପର୍କ ଥିଲା । ପୋକ୍ସୋ ଆକ୍ଟରେ କେନ୍ଦ୍ରାପଡ଼ା କୋର୍ଟରେ ମାମଲା ଚାଲିଥିଲା । ଉକ୍ତ ଯୁବକ ବିରୁଦ୍ଧରେ କୌଣସି ସାକ୍ଷୀ ଦେବେନାହିଁ ବୋଲି ନାବାଳିକାଙ୍କୁ ପରିବାର ଲୋକେ ପ୍ରତିଶୃତି ଦେଇଥିଲେ । ସେହି ପୁଅ ସହ ବିବାହ କରାଇବେ ବୋଲି ମଧ୍ଯ କହିଥିଲେ । କିନ୍ତୁ କୋର୍ଟ ପହଞ୍ଚି ନାବାଳିକାଙ୍କ ପ୍ରେମିକ ବିରୁଦ୍ଧରେ ସାକ୍ଷୀ ଦେବାରୁ ନାବାଳିକା ଜଣଙ୍କ କୋର୍ଟ ପରିସରରେ ହିଁ ବିଷ ପିଇ ଦେଇଥିବା ସରକାରୀ ଓକିଲ ସଞ୍ଜୟ ଜେନା କହିଛନ୍ତି ।
ଦିଲ୍ଲୀ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର
ନୂଆଦିଲ୍ଲୀ : ଦିଲ୍ଲୀର ମହିଳା ଭୋଟରଙ୍କୁ ମାସିକ ୨୫୦୦ ଟଙ୍କା ଦେବାକୁ ବିଜେପିର ପ୍ରତିଶ୍ରୁତି । ଏଲପିଜି ସିଲିଣ୍ଡର ପିଛା ୫ ଶହ ଟଙ୍କା ଲେଖାଏଁ ସବସିଡି ମିଳିବ। ହୋଲି ଓ ଦୀପାବଳିରେ ଦୁଇଟି ଲେଖାଏଁ ସିଲିଣ୍ଡର ମାଗଣା। ଗର୍ଭବତୀଙ୍କୁ ଦିଆଯିବ ଏକକାଳୀନ ୨୧ ହଜାର ଟଙ୍କା। ପ୍ରଥମ ପିଲା ହୋଇଥିଲେ ୫ ହଜାର ଟଙ୍କା ଓ ଦ୍ଵିତୀୟ ପିଲା ହୋଇଥିଲେ ମିଳିବ ୬ ହଜାର ଟଙ୍କା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏହି ସବୁ ପ୍ରତିଶ୍ରୁତି ଦେଇଛି ବିଜେପି। ନିର୍ବାଚନୀ ଇସ୍ତାହାର ଆଜି ଜାରି କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏହାକୁ ସଂକଳ୍ପ ପତ୍ର ବୋଲି କହି ବିଜେପି ଏତେ ସବୁ ପ୍ରତିଶ୍ରୁତି ଦେଇଛି। ନଡ୍ଡା କହିଛନ୍ତି, ପ୍ରଥମ କ୍ଯାବିନେଟ ବୈଠକରେ ଲାଗୁ କରାଯିବ ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ଦିଲ୍ଲୀବାସୀଙ୍କୁ ଅତିରିକ୍ତ ୫ ଲକ୍ଷର ବୀମା ମିଳିବ। ୬୦ରୁ ୭୦ ବର୍ଷର ଲୋକଙ୍କୁ ମିଳିବ ମାସିକ ୨ ହଜାରରୁ ୨୫୦୦ ଟଙ୍କା ଲେଖାଏଁ ଭତ୍ତା, ୭୦ରୁ ଅଧିକ ବର୍ଷର ଲୋକଙ୍କୁ ପ୍ରଦାନ କରାଯିବ ୩ ହଜାର ଟଙ୍କା। ପ୍ରତ୍ଯେକ ବସ୍ତିରେ ଅଟଳ କ୍ଯାଣ୍ଟିନର ବ୍ୟବସ୍ଥା। ଏଥିରେ ମାତ୍ର ୫ ଟଙ୍କାରେ ମିଳିବ ଭୋଜନ। ନଡ୍ଡା ସ୍ପଷ୍ଟ କରିଛନ୍ତି ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ମଧ୍ୟ ଆପ୍ ସରକାରର ସବୁ ଯୋଜନା ଜାରି ରହିବ। ୧୯୯୮ରୁ ଏଯାଏ ୨୭ ବର୍ଷ ହେଲା ବିଜେପି ଦିଲ୍ଲୀ ଦଖଲ କରିପାରି ନାହିଁ। କଂଗ୍ରେସ ଲଗାତର ୩ ଥର କ୍ଷମତା ହାସଲ କରିଥିଲା, ତା ପରେ ୨୦୧୩ରୁ କ୍ଷମତାରେ ଅଛି ଆମ୍ ଆଦମୀ ପାର୍ଟି। ତେଣୁ ଏଥର କଳେ ବଳେ କୌଶଳେ ଦିଲ୍ଲୀରେ ସରକାର ଗଠନ କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ସେଥିପାଇଁ ଦେଇଛି ଲୋଭନୀୟ ପ୍ରତିଶ୍ରୁତି । ବିଶେଷ କରି ମହିଳା ଓ ଯୁବକଙ୍କୁ ଟାର୍ଗେଟ କରିଛି। ମାଗଣାର ଲୋଭ ଦେଖାଇଛି। ଅନେକ ଜନହିତକର ଯୋଜନାକୁ ମାଗଣା ସଂସ୍କୃତି ସବୁବେଳେ ଅନ୍ୟ ସରକାର ଓ ଦଳକୁ ସମାଲୋଚନା କରୁଥିବା ବିଜେପି ଏଥର ଦିଲ୍ଲୀରେ ସେହି ରଣନୀତି ଆପଣେଇଛି। ନିଜେ ଏଥର ରେବଡ଼ି ବାଣ୍ଟିବାକୁ ଦେଇଛି ପ୍ରତିଶ୍ରୁତି ।

