ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ । ଆଜି ନୂଆଦିଲ୍ଲୀରେ ଏନେଇ ପ୍ରଥମ ଯୁଗ୍ମ ସଂସଦୀୟ କମିଟି ବୈଠକ ବସିଥିଲା। ବୈଠକରେ ଆଇନ ଓ ନ୍ୟାୟ ମନ୍ତ୍ରାଳୟର କର୍ତ୍ତୃପକ୍ଷଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ। ୩୯ଜଣିଆ କମିଟିରେ ବିଜେପି ସାଂସଦ ପିପି ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଏଥରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ, ଜେଡିୟୁର ସଞ୍ଜୟ ଝା, ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଆପର ସଞ୍ଜୟ ସିଂ, ଟିଏମସିର କଲ୍ୟାଣ ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ସଦସ୍ୟମାେନ ସାମିଲ ହୋଇଥିଲେ। ଗତ ଶୀତକାଳୀନ ଅଧିବେଶନରେ ଲୋକସଭାରେ ସମ୍ବିଧାନର ୧୨୯ ସଂଶୋଧନ ବିଲ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ଆଗତ ହୋଇଥିଲା। ପ୍ରଥମେ ଜେପିସିର ସଦସ୍ୟ ସଂଖ୍ୟା ୩୧ ଥିବାବେଳେ ପରେ ତାହାକୁ ୩୯କୁ ବୃଦ୍ଧି କରାଯାଇଥିଲା। ସେଥିରେ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ ସଦସ୍ୟ ରହିଛନ୍ତି। ପ୍ୟାନେଲର ପ୍ରମୁଖ ସଦସ୍ୟମାନେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପୁରୁଷୋତ୍ତମ ରୂପାଲା, ମନୀଷ ତିୱାରୀ, ଅନୀଲ ବାଲୁନି, ବାନସୁରୀ ସ୍ବରାଜ ପ୍ରମୁଖ।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସାକୁ ପରିବର୍ଦ୍ଧିତ କଲେ ଭାରତ ସରକାର
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସାକୁ ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ସରକାର। ଗତବର୍ଷ ଅଗଷ୍ଟ ମାସରରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ ହସିନା। ବାଂଲାଦେଶ ହାତରେ ପ୍ରତ୍ୟର୍ପଣ କରିବା ଲାଗି ଅନ୍ତରୀଣ ସରକାରଙ୍କ ପକ୍ଷରୁ ଚାପ ପଡୁଥିବା ବେଳେ ଭିସା ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର। ଗତ ବର୍ଷ ଅଗଷ୍ଟ ୫ରେ ଢାକାରୁ ଚାଲିଆସିଥିବା ହସିନାଙ୍କୁ ଭାରତ ଆଶ୍ରୟ ଦେଇଥିଲା । ହସିନାଙ୍କ ଭାରତ ରହଣୀ ଅବଧି ବୃଦ୍ଧି ଏକ ପାରିପାର୍ଶ୍ବିକ ପଦକ୍ଷେପ ବୋଲି ଭାରତ ପକ୍ଷରୁ କୁହାଯାଇଛି। ଗତ ଡିସେମ୍ବର ୨୩ ତାରିଖରେ ହସିନାଙ୍କୁ ବାଂଲାଦେଶ ହାତରେ ପ୍ରତ୍ଯର୍ପଣ କରିବା ଲାଗି ଭାରତ ନିକଟରେ ଦାବି କରିଥିଲେ ଅନ୍ତରୀଣ ସରକାର। ଗତ ୭ ତାରିଖରେ ଶେଖ ହସିନାଙ୍କ ସମେତ ୯୭ ଜଣଙ୍କ ପାସପୋର୍ଟ ରଦ୍ଦ କରିଥିଲେ ଅନ୍ତରୀଣ ସରକାର।
ଶିଶ୍ ମହଲ୍ ବନାମ ରାଜମହଲ ; ଚର୍ଚ୍ଚାରେ ଆଡ଼ମ୍ବରପୂର୍ଣ୍ଣ ବାସଭବନ
ନୂଆଦିଲ୍ଲୀ : ଦିଲ୍ଲୀରେ ଶିଶ୍ ମହଲ ରାଜନୀତିକୁ ନେଇ ହାଇଡ୍ରାମା। ବିଜେପିର ଅଭିଯୋଗ ଯେ, କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ୫୨ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ସରକାରୀ ବାସଭବନକୁ ମରାମତି କରିଥିଲେ। ସେଠାରେ ରହିଛି ସୁଇମିଂ ପୁଲ୍, ମଦ ବାର୍। କେଜରିୱାଲଙ୍କ ଦୁର୍ନୀତିମୁକ୍ତ ଶାସନ ଓ ଆମ୍ ଆଦମୀ ଚେହେରା ଧୁଆଁବାଣ ବୋଲି ବିଜେପି ଅଭିଯୋଗ କରିଆସୁଛି। ଏପରିକି ସିସ୍ ମହଲକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ବିଜେପିର ଏହି ଅଭିଯୋଗ କେତେ ସତ କେତେ ମିଛ,ତାର ରିୟଲିଟି ଚେକ୍ ପାଇଁ ଆଜି ମିଡିଆ ଧରି ସେଠାରେ ପହଞ୍ଚିଥିଲେ ଆପ୍ ନେତା। କିନ୍ତୁ ପୋଲିସ ବ୍ୟାରିକେଡ୍ ସହିତ କଡ଼ା ସୁରକ୍ଷା କରିଥିଲା।
ଆପ୍ ନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରେ କାହାକୁ ପଶିବାକୁ ଦେଇନଥିଲା। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଆପ୍ ନେତା ଓ ପୋଲିସ। ଆପ୍ ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ଵାଜ ପ୍ରଶ୍ନ କରିଛନ୍ତି, ଯଦି ବିଜେପିର ଅଭିଯୋଗ ସତ, ତେବେ ତାର ଯାଞ୍ଚ ପାଇଁ କାହିଁକି ମିଡିଆକୁ ଭିତରକୁ ଛାଡୁନି। ଡର କାହାକୁ। ଏଥିରୁ ବିଜେପିର ମିଛ ଧରା ପଡ଼ିଛି ବୋଲି ସେ କହିଛନ୍ତି।
ଏହା ସହିତ ଆପ୍ ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ୨୭୦୦ କୋଟି ଟଙ୍କା। କରୋନା ସମୟରେ ଯେତେବେଳେ ସାରା ଦେଶ, ସାରା ବିଶ୍ଵ ସଂକଟ ଦେଇ ଗତି କରୁଥିଲା, ସେତେବଳେ ଖର୍ଚ୍ଚ କରାଯାଇଥିଲା ୨୭ ଶହ କୋଟି ଟଙ୍କା। ସତ ପରଖିବା ପାଇଁ ସଂଜୟ ସିଂହ ଓ ସୌରଭ ଭରଦ୍ଵାଜ ଆପ୍ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼େ ଯିବା ବେଳେ ସମସ୍ତଙ୍କୁ ଅଟକାଇଥିଲା ପୋଲିସ । ଏହି ବିବାଦକୁ ନେଇ ଆଜି ଦିନ ସାରା ଆପ୍ – ବିଜେପି ବାକ୍ ଯୁଦ୍ଧ ଜାରି ରହିଛି।
ଦିନକୁ ଦିନ ବଲାଙ୍ଗୀରରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି
ବଲାଙ୍ଗୀର : ସରକାର ବଦଳିବା ପରେ ବଲାଙ୍ଗୀର ଜିଲ୍ଲାରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି । ଥାନା ସାମ୍ନାରେ ପୋଲିସ ଅଧିକାରୀ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିବାକୁ ପଛାଇନାହାନ୍ତି ଅପରାଧି । ବେଆଇନ ଜମି କାରବାର, ଦାଦାବଟି ଓ ନିଶା କାରବାର ହୁହୁ ହୋଇ ବଢ଼ି ଚାଲିଛି । ଗତ କିଛିମାସ ଭିତରେ ସିରିଜ୍ ହତ୍ୟାକାଣ୍ଡ, ମରଣାନ୍ତକ ଆକ୍ରମଣ, ଲୁଟ, ଡକାୟତି ଘଟଣା ବଢ଼ିଛି । ଗଳି ଗଳିରେ କପ୍ ସିରଫ, ନିଶା ଟାବଲେଟ ସହ ବେଆଇନ ମଦ କାରବାର ଚାଲିଛି । ଅଭିଯୋଗ ପରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଶୂନ ।
ଗତକିଛି ଦିନ ତଳେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଦଳିତ ଛାତ୍ରୀଙ୍କୁ ମଇଳା ବୋଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନଥିବା ଅଭିଯୋଗ ହୋଇଛି । ପୋଲିସ ନିରପେକ୍ଷ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ବଲାଙ୍ଗୀର ବିଧାୟକ ଉଦବେଗ ପ୍ରକାଶ କରି ବଲାଙ୍ଗୀର ଏସପିଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକଙ୍କ ସହ ବିଭିନ୍ନ ସଂଗଠନର ମହିଳା ମାନେ ଉପସ୍ଥିତ ରହିଥିଲେ । ସିସିଟିଭିରେ ଚିହ୍ନଟ କରାଯାଇ ଅସାମାଜିକ ଓ ନିଶାସକ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଏସପି ।

