spot_img
Home Blog Page 1204

ଓଡ଼ିଆ ନବବର୍ଷ ପୂର୍ବରୁ ସରିବ ବିଜେଡିର ନବକଳେବର: ସୁପ୍ରିମୋଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ହେଲା ଖସଡ଼ା

ଭୁବନେଶ୍ବର: ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶଙ୍ଖ ଭବନରେ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ। ଏଥିରେ ଉପଦେଷ୍ଟା କମିଟିର ଆବାହକ, କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ, ସଦସ୍ୟ ସଂଗ୍ରହ ଅଭିଯାନ କମିଟି ଆବାହକ, ବରିଷ୍ଠ ରାଜ୍ୟ ଗଣମାଧ୍ୟମ ସଂଯୋଜକ ତଥା ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସାଙ୍ଗଠନିକ ନିର୍ବାଚନ ଉପରେ ଆଲୋଚନା କରିଛନ୍ତି । ସମସ୍ତେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ସହ ମିଶି ନିର୍ବାଚନୀ ଖସଡ଼ା ପ୍ରସ୍ତୁତ କରିଛନ୍ତି ।

ଓଡ଼ିଆ ନବବର୍ଷ ପୂର୍ବରୁ ସରିବ ବିଜେଡିର ନବକଳେବର। ସଭାପତି ନିର୍ବାଚନ ସହ ନିର୍ବାଚିତ ହେବେ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ଷ୍ଟେଟ କାଉନସିଲ ସଦସ୍ୟ। ବିଜେଡି ସମନ୍ବୟ କମିଟି ବୈଠକରେ ସ୍ଥିର ହୋଇଛି ଦଳର ସାଂଗଠନିକ ନିର୍ବାଚନର ରୂପରେଖ । ନିର୍ବାଚନ ପରିଚାଳନା କରୁଥିବା ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଏହି ଖସଡ଼ାକୁ ବିଭିନ୍ନ କମିଟି ଆଗରେ ଉପସ୍ଥାପନ କରିଛନ୍ତି। ସଠିକ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀଓ୍ବାରୀ ନେତା ଓ ଜିଲ୍ଲାସ୍ତରୀୟ ନେତାଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜୁ ଜନତା ଦଳ । ଖୁବଶୀଘ୍ର ଡିଆରଓ ବା ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ। ସେମାନେ ଜିଲ୍ଲା ସଭାପତି ନିର୍ବାଚିତ କରିବେ । ଡିଆରଓ ନିଯୁକ୍ତିର ୧୦ ଦିନ ପରେ ଆସେମ୍ବଲି ନିର୍ବାଚନ ଅଧିକାରୀ ବା ଏଆରଓ ନିଯୁକ୍ତି ପାଇବେ । ସେମାନେ ପଞ୍ଚାୟତ ଓ ପୌର ସଭାପତି ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବେ। ଏହି ସବୁ ପ୍ରକ୍ରିୟା ଓଡ଼ିଆ ନବବର୍ଷ ପୂର୍ବରୁ ଶେଷ ହେବ। ବରିଷ୍ଠ ଓ ଯୁବ ବର୍ଗଙ୍କ ସମନ୍ବୟରେ ଏହି କାର୍ଯ୍ୟକ୍ରମ ଶେଷ ହେବ ବୋଲି କହିଛି ବିଜେଡି।

ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସଂଗଠନକୁ ଆଗକୁ ନେବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ନେତା ଓ କର୍ମୀ। କାରଣ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ନେତୃତ୍ବକୁ ହିଁ ଜନମତ ମିଳି ଆସୁଛି । ଗତ ନିର୍ବାଚନରେ ବିରୋଧୀ ଆସନରେ ଥିଲେ ସୁଦ୍ଧା ସରକାରୀ ଦଳ ବିଜେପି ଠାରୁ ଅଧିକ ଭୋଟ୍ ପାଇଥିଲା ବିଜୁ ଜନତା ଦଳ । ଗଣତାନ୍ତ୍ରିକ ପଦ୍ଧତିରେ ବିଜୁ ଜନତା ଦଳ ସବୁ ସମୟରେ ନିର୍ବାଚନ କରି ଆସିଛି । ନିର୍ବାଚନ ମଣ୍ଡଳୀରେ ଜନସେବା ଓ ଗ୍ରହଣୀୟତାକୁ ଭିତ୍ତି କରି ପଦାଧିକାରୀ ଚୟନ କରୁଛି ବିଜେଡି।

ଗୁରୁମନ୍ତ୍ର ଦେବେ ନବୀନ: ବିଧାନସଭାରେ ଲୋକଙ୍କ ସ୍ବର ସାଜିବ ବିଜେଡି

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପାଇଁ ବିଜେଡିର ସଜବାଜ । ୧୨ ତାରିଖରେ ବସିବ ବିଧାୟକ ଦଳ ବୈଠକ । ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରିବେ ରଣନୀତି । ଗୃହରେ ଆହୁରି ଶାଣିତ ହେବ ସ୍ବର । ୭ମାସରେ ବିଜେପି ସରକାରରେ ଅତିଷ୍ଠ ଲୋକେ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ହତ୍ୟା, ଚୋରି, ଡକାୟତି ସହ ନାରୀ ନିର୍ଯାତନା ବଢିବଢି ଚାଲିଛି । ଦରଦାମ ନିୟନ୍ତ୍ରଣ ବାହାରେ । ଧାନ କିଣା ବିକାରେ ଚାଲିଛି ବ୍ୟାପକ କଟନି ଛଟନି । ପୁରୀ କଣାସରେ ହାଇଜାରେ ୬ଜଣଙ୍କ ମୃତ୍ୟୁ । ସବୁ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇ ବସିପଡ଼ୁଛନ୍ତି । ଆସନ୍ତା ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାର ନିଜର ଦାୟିତ୍ବ ସଠିକ ଭାବେ ତୁଲାଉନଥିବାରୁ ଲୋକଙ୍କ ସ୍ବର ସାଜି ବିଧାନସଭାରେ ବିଜେଡି ସରକାରଙ୍କୁ ଘେରିବ । ଆସନ୍ତା ୧୨ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ବିଧାୟକ ଦଳ ବୈଠକ ବସିବ । ଶଙ୍ଖଭବନରେ ନବୀନ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବା ସହ ବଜେଟ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ବିଜେଡି କହିଛି ।

ଅନ୍ୟପଟେ ଲଗାତାର କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଉଥିବାରୁ ଏହା ବିରୋଧରେ ମଧ୍ୟ ଗୃହରେ ସ୍ବର ଉଠାଇବ ବିଜେଡି । ବିହାର, ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ଅନୁଦାନ ଦିଆଯାଉଥିବା ବେଳେ ଓଡ଼ିଶା ପ୍ରତି କାହିଁକି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ସେନେଇ ପ୍ରଶ୍ନ ଉଠାଇବ । କେନ୍ଦ୍ରର ବଜେଟ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ନେଇ ସ୍ବର ଉଠାଇଛନ୍ତି । ସଂସଦରେ ବିଜେଡି ସାଂସଦମାନେ ଏ ପ୍ରସଙ୍ଗକୁ ଅଧିକ ଶାଣିତ କରିଥିବାରୁ ବିଧାନସଭାରେ ବିଧାୟକମାନେ କେନ୍ଦ୍ର ଅବହେଳାକୁ ଜୋରଦାର କରିବେ ବୋଲି କହିଛନ୍ତି । ବଜେଟରେ ଓଡ଼ିଶା ପ୍ରତି କେନ୍ଦ୍ରର ଅଣଦେଖା ସତ୍ତ୍ବେ ବିଜେପି କିନ୍ତୁ ଚିରାଚରିତ ଢଙ୍ଗରେ ଜବାବ ଦେଇଛି  । ବିଧାନସଭାର ବଜେଟ ଅଧିବେଶନରେ ଲୋକଙ୍କ ସ୍ବରକୁ ଶାଣିତ କରିବା ପାଇଁ ବିଜେଡି ସଜବାଜ ଆରମ୍ଭ କରିଛି । ବିଜେପି ସରକାର ଦେଇଥିବା ପ୍ରତିଶୃତି କେତେ ପାଳନ କରିଛି ? ଡବଲ ଇଂଜିନ ସରକାରରେ ଓଡ଼ିଶା ପାଉଛି କେତେ ଓ ହରାଉଛି କେତେ ? ତାର ହିସାବ ନିକାଶ ପାଇଁ ବିଜେଡି ପ୍ରସ୍ତୁତ ।

ମାନବ ସମ୍ବଳ ବିକାଶ ସୂଚକାଙ୍କରେ ତଳକୁ ତଳକୁ ଯାଉଛି ଭାରତ: ୧୮ଟି କ୍ଷେତ୍ରରେ ଦେଶର ପ୍ରଦର୍ଶନ ନୈରାଶ୍ୟଜନକ

ନୂଆଦିଲ୍ଲୀ: ବଡ ଆକାରର ବଜେଟ । ଜନକଲ୍ୟାଣ ପାଇଁ ବଡ଼ ବଡ଼ ଘୋଷଣା । ହେଲେ ଦରଦାମ ବୃଦ୍ଧି, ବେକାରୀ ଯୋଗୁ ମାନସିକ ଚାପରେ ଦେଶର ଲୋକେ । ଯେଉଁଥିପାଇଁ ମାନବ ସମ୍ବଳ ସୂଚକାଙ୍କରେ ତଳକୁ ତଳ ଖସିଚାଲିଛି ଭାରତ । ସଦ୍ୟ ପ୍ରକାଶିତ ଗ୍ଲୋବାଲ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ୍ ଏକ୍ସପେଣ୍ଡିଚର ତାଲିକାରେ ୧୮ଟି କ୍ଷେତ୍ରରେ ଭାରତର ସ୍ଥାନ ଖସି ଖସି ଯାଉଛି । ବିଶ୍ବ ମାନସିକ ଶାନ୍ତି ସୂଚକାଙ୍କରେ ଭାରତ ୧୧୬ତମ ସ୍ଥାନରେ । କ୍ଷୁଧା ସୂଚକାଙ୍କ ୧୦୫, ଖୁସି ସୂଚକାଙ୍କ ୧୨୬, ଲିଙ୍ଗଗତ ପାର୍ଥକ୍ୟ ୧୨୯, ମାନବ ସମ୍ବଳ ବିକାଶ ସୂଚକାଙ୍କ ୧୩୪, ଦୁର୍ନୀତି ସୂଚକାଙ୍କରେ ୯୩ ସ୍ଥାନରେ ରହିଛି । ଏପରିକି ଦେଶରେ ଗଣମାଧ୍ୟମର ସ୍ବାଧୀନତା ନେଇ ବି ପ୍ରଶ୍ନ ଉଠିଛି । ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଦେଶର ସ୍ଥାନ ୧୫୯ ନମ୍ବର ସ୍ଥାନରେ ।

ଏପରି ବିଶ୍ଲେଷଣ କଲେ ୧୮ଟି କ୍ଷେତ୍ରରେ ତଳେ ରହିଛି ଭାରତ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ସମୀକ୍ଷକ । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଅଭିଯୋଗ, କେନ୍ଦ୍ର ସରକାର ପ୍ରତିବର୍ଷ ଯେଉଁ ବଜେଟ୍ ଦେଉଛନ୍ତି ସେଥିରେ ଅନ୍ୟ ରାଷ୍ଟ୍ର ତୁଳନାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ କ୍ଷେତ୍ର ଉପରେ ବ୍ୟୟ ବରାଦ ହ୍ରାସ କରିଚାଲିଛନ୍ତି । ଯାହାଯୋଗୁ ଧନୀ ଗରିବ ତାରତମ୍ୟ ବଢି ବଢିଚାଲିଛି । ଜିଏସଟି ଭଳି କର ବ୍ୟବସ୍ଥା ଲାଗୁ କରି ରାଜ୍ୟର ଆର୍ଥିକ ସ୍ବାୟତ୍ତତାକୁ ନିଜ ହାତକୁ ଟାଣି ନେଇଛି କେନ୍ଦ୍ର । ଫଳରେ ନିରନ୍ତର ବିକାଶ ଲକ୍ଷ୍ୟରେ ରିପୋର୍ଟ ଅନୁଯାୟୀ ଭାରତର ସ୍ଥାନ ୧୧୨ତମ ସ୍ଥାନରେ ରହିଛି । ଯାହାକି ଆଦୌ ଶୁଭଙ୍କର ନୁହଁ ।

ଦେଶର ୧୪୦ କୋଟି ଲୋକଙ୍କ ବିକାଶ ସୂଚକାଙ୍କ କାହିଁକି ଏତେ ତଳେ ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀକ୍ଷକ । ବିଶ୍ବ ସ୍ତରରେ ମାନବ ସମ୍ବଳ ବିକାଶ ପାଇଁ ଖର୍ଚ୍ଚ ହେଉଛି ୧.୧୭ ଟ୍ରିଲିୟନ୍ ଆମେରିକୀୟ ଡଲାର । ଆମେରିକା ଯେଉଁଠି ଉଦ୍ଭାବନ ପାଇଁ ୫୦୦ ବିଲିୟନ୍ ଡଲାର ଖର୍ଚ୍ଚ କରୁଛି ଭାରତ ସେଠି ମାତ୍ର ୫୦୦ କୋଟି ଦେଉଛି । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବଜେଟ୍ ବିଶ୍ବରେ ୪ର୍ଥ ସ୍ଥାନରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି ଜିଡିପିର ୪ ପ୍ରତିଶତ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟ ବରାଦ କରିବା କଥା । ବିକଶିତ ରାଷ୍ଟ୍ରମାନେ ଖର୍ଚ୍ଚ କରୁଛନ୍ତି ୮ ପ୍ରତିଶତ । କିନ୍ତୁ ଭାରତ ସରକାର ବଜେଟରେ ଜିଡିପିର ୧.୯ ପ୍ରତିଶତ ସ୍ବାସ୍ଥ୍ୟ ବଜେଟ୍ ଦେଉଛନ୍ତି । ସେହିପରି ଜାତୀୟ ଶିକ୍ଷା ନୀତି- ଏନ୍ଇପି ଲାଗୁ କରିବାକୁ ହେଲେ ଶିକ୍ଷା ପାଇଁ ବଜେଟ୍ରେ ୬ ପ୍ରତିଶତ ବ୍ୟୟ ବରାଦ ହେବା କଥା । କିନ୍ତୁ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ୪ ପ୍ରତିଶତ । ଏହାଫଳରେ ଦେଶର ସବୁ ଅଞ୍ଚଳରେ ଏନ୍ଇପି ଲାଗୁ କରିବା ସମ୍ଭବ ହେବ ନାହିଁ । ବଜେଟରେ ବଡ଼ ବଡ଼ ଚିତ୍ର ଦେଖାଇ ଦିଆଯାଉଛି । କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ରେ ଆୟର ଉତ୍ସକୁ ଯଦି ଲକ୍ଷ୍ୟ କରାଯିବା ତାହେଲେ ୫୦ ଲକ୍ଷ ୬୫ ହଜାର କୋଟି ବଜେଟରେ ଆୟ ୨୪ ପ୍ରତିଶତ ଋଣ କରିବାକୁ ପଡ଼ୁଛି ।

ସୌନ୍ଦର୍ଯ୍ୟକରଣ ନାଁରେ ଆଧ୍ୟାତ୍ମିକ ଦିଗକୁ ଅଣଦେଖା: ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ମନରେ ଆଘାତ

ପୁରୀ: ସୌନ୍ଦର୍ଯ୍ୟକରଣ ନାଁରେ ଆଧ୍ୟାତ୍ମିକ ଦିଗକୁ ଅଣଦେଖା। ବିକାଶ ନାଁରେ ପ୍ରାଚୀନ ସଂସ୍କୃତିକୁ କ୍ଷୂଣ୍ଣ କରାଯିବାର ଅଭିଯୋଗ। ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ମନରେ ଏହା ଆଘାତ ଦେଇଛି। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପତିତପାବନ ମନ୍ଦିର ଉପରେ ଥିବା ଦଶାବତାର ମୂର୍ତ୍ତିକୁ ଅପସାରଣ କରାଯାଇଛି। ଦଶାବତାର ମୂର୍ତ୍ତିକୁ ହଟାଯାଇ କରାଯାଇଛି ରୁପା ଛାଉଣୀ । ଯେତେବେଳେ ସେବାୟତ, ଭକ୍ତ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ, ସେତେବେଳେ ପତିତପାବନଙ୍କ ସହିତ ଦଶାବତାର ମୂର୍ତ୍ତିଙ୍କୁ ଦର୍ଶନ କରୁଥିଲେ। କିନ୍ତୁ ଏବେ ସେହି ଦଶାବତାର ମୂର୍ତ୍ତିକୁ ଅପସାରଣ କରାଯାଇଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ସମସ୍ତେ। ଏହାକୁ ନେଇ ସେବାୟତ, ଭକ୍ତ ଓ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ରୂପା ଛାଉଣୀ କରାଯିବା ଠିକ୍ କଥା। କିନ୍ତୁ ଐତିହ୍ୟ, ପରମ୍ପରାର ବ୍ୟତିକ୍ରମ କାହିଁକି କରାଯିବ। ଏହାକୁ ଅପସଂସ୍କୃତି ଓ କଳାପାହାଡ଼ ଭଳି କାମ ବୋଲି ସମାଲୋଚନା କରାଯାଇଛି। ପ୍ରାଚୀନ ଦଶାବତାର ମୂର୍ତ୍ତିକୁ ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି ସେବାୟତ ଓ ଭକ୍ତ।

ଆଗରୁ ଶ୍ରୀମନ୍ଦିରର ସିଂହଦ୍ଵାରରେ ମଧ୍ୟ ଦଶାବତାର ମୂର୍ତ୍ତି ଥିଲା। ଗୁମୁଟ ମରାମତି ବେଳେ ସେହି ମୂର୍ତ୍ତି ହଟାଯାଇଛି। ଖାଲି ପଡ଼ିଛି ସେହି ସ୍ଥାନ। ପତିତପାବନଙ୍କ ନିକଟରେ ଯେଉଁ ଦଶାବତାର ମୂର୍ତ୍ତି ଥିଲା, ତାକୁ ମଧ୍ୟ ଏବେ ଅପସାରଣ କରାଯାଇଛି। ସେହି ସ୍ଥାନରେ ଗତ ଡିସେମ୍ଵର ୩୧ ତାରିଖରେ କରାଯାଇଛି ରୂପା ଛାଉଣୀ। ଯେଉଁ ମୂର୍ତ୍ତି ସବୁ ଅପସାରଣ କରାଯାଇଛି, ସେଗୁଡ଼ିକ ବହୁ ପ୍ରାଚୀନ। ସେହି ମୂର୍ତ୍ତି ସବୁର କୌଣସି ତୁଳନା ନାହିଁ। ଆଧ୍ୟାତ୍ମିକ ଦିଗ ମଧ୍ୟ ଜଡ଼ିତ ରହିଛି। ଭକ୍ତଙ୍କ ଭାବଗତ ସଂପର୍କ ରହିଛି। ସୌନ୍ଦର୍ଯ୍ୟକରଣ ଓ ବିକାଶ ନାଁରେ ଏପରି ପ୍ରାଚୀନ ମୂର୍ତ୍ତିଗୁଡ଼ିକୁ ହଟାଯାଇଥିବାରୁ ତାକୁ ନାପସନ୍ଦ କରିଛନ୍ତି ଭକ୍ତ, ବୁଦ୍ଧିଜୀବୀ। ଏପରିକି ସେହି ପ୍ରାଚୀନ ମୂର୍ତ୍ତି ସବୁ କେଉଁଠି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ଥିବା, ଜଗନ୍ନାଥି ସଂସ୍କୃତି ସହିତ ଆଧ୍ୟାତ୍ମିକ ଗୁରୁତ୍ଵ ଥିବା ମୂର୍ତ୍ତିର ଅପସାରଣକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ। ଏହା କେଉଁ ପ୍ରକାର ଓଡ଼ିଆ ଅସ୍ମିତା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ପାଣି ପାଇଁ ରାଜଧାନୀରେ ହଲ୍ଲାବୋଲ: ପାଣି ଯୋଗାଣରେ ବାଧା ସୃଷ୍ଟି ହେବାରୁ ଆନ୍ଦୋଳନକୁ ଓହ୍ଲାଇଲେ ବସ୍ତିବାସିନ୍ଦା

ଭୁବନେଶ୍ବର: ପାଣି ପାଇଁ ରାଜଧାନୀରେ ହଲ୍ଲାବୋଲ । ଦୀର୍ଘଦିନ ହେଲା ପାଣି ଆସୁନଥିବାରୁ ରାସ୍ତରେ ବାଲଟି ଧରି ଅଭିନବ ଆନ୍ଦୋଳନ । ଭୁବନେଶ୍ୱର ବୁଦ୍ଧବିହାର ବସ୍ତିବାସିନ୍ଦା ପାଣି ପାଇଁ ରାସ୍ତାରୋକ କରିଥିଲେ । ହାତୀଆସୁଣୀ – ଉତ୍କଳ ହସପିଟାଲ ରାସ୍ତାର ଉଭୟ ପାର୍ଶ୍ୱରେ ବସି ପ୍ରତିବାଦ କରିଥିଲେ ବସ୍ତିବାସିନ୍ଦା । ଦୀର୍ଘ ୮ ଦିନ ହେବ ପାଣି ଯୋଗାଯୋଗରେ ବାଧା ସୃଷ୍ଟି ହେଉଥିବାରୁ ଶତାଧିକ ମହିଳା ଗରା ବାଲଟି ଧରି ପ୍ରତିବାଦ କରିଥିଲେ । ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଓ ସହକାରୀ ଯନ୍ତ୍ରୀ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ସନ୍ଧ୍ୟା ୭ଟା ସୁଦ୍ଧା ମଟର ସଜାଡ଼ି ପାଣି ଯୋଗାଇବା ଓ ଦୁଇ ଦିନ ଭିତରେ ନୂଆ ମଟର ଲଗାଇବାକୁ ପ୍ରତିଶୃତି ମିଳବା ପରେ ଆନ୍ଦୋଳନରୁ ଓହରିଛନ୍ତି ବସ୍ତିବାସିନ୍ଦା । ପ୍ରତିଶୃତି କାର୍ଯ୍ୟକାରୀ ନହେଲେ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବସ୍ତିବାସିନ୍ଦା ।

ଦିନ ଦ୍ବିପ୍ରହରରେ ହେଉଛି ଖଣିଜ ସମ୍ପଦ ଲୁଟ୍: ନୂଆ ସରକାର ଆସିବା ପରେ ସମସ୍ତଙ୍କ ଜାଣତରେ ଲୁଟ୍ ହେଉଥିବା ଅଭିଯୋଗ

ଭୁବନେଶ୍ବର: କୋରାପୁଟ ଜିଲ୍ଲାରେ ଦିନ ଦ୍ବିପ୍ରହରରେ ହେଉଛି ଖଣିଜ ସମ୍ପଦର ଲୁଟ୍ । ନୂଆ ସରକାର ଆସିବା ପରେ ସମସ୍ତଙ୍କ ଜାଣତରେ ଏସବୁ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । କୋରାପୁଟରେ ଦିନ ଦହାଡ଼େ ଲୁଟ୍ । ସମସ୍ତଙ୍କ ଜାଣତରେ ଲୁଟ ହେଉଛି ଖଣିଜ ସମ୍ପଦ । ଖଣି ଖନନ କରି ମନଇଛା ହେଉଛି ରପ୍ତାନୀ । ମୁଣ୍ଡଟେକୁଛି ଆନ୍ଦୋଳନ । ପ୍ରତିବାଦରେ ଜୟପୁର ବିଧାୟକଙ୍କ ନେତୃତ୍ୱରେ ଜ଼ିଲ୍ଲାର ବିଭିନ୍ନ ବ୍ଲକରୁ ଶହ ଶହ ଲୋକେ ବିରାଟ ରାଲିରେ ଆସି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ଥିବା ଖଣିକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କମ୍ପାନୀକୁ ଟେକି ଦେଇଛନ୍ତି । ବିନା ଗ୍ରାମସଭା ଓ ପଲ୍ଲୀ ସଭାରେ କମ୍ପାନୀ ମାନେ ନିଜ ଇଚ୍ଛା ଅନୁସାରେ ଖଣି ଖୋଳି ନେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ସୌନ୍ଦର୍ଯ୍ୟ ହରାଇବା ସହ ଏଠାକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମଧ୍ୟ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସଂଗ୍ରେସ ।

ରାଷ୍ଟୀୟ ସମିତିର ଆବାହକ ପ୍ରଫୁଲ ସାମନ୍ତାରାଏ ନେତୃତ୍ବରେ ଏନେଇ ଜନ ଆନ୍ଦୋଳନ କରାଯିବା ସହ କୋରାପୁଟ ଜନ ସୁରକ୍ଷା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ବନ୍ଦ କରିବାକୁ ଦାବି ହୋଇଛି । ବିକାଶ ନାଁରେ ଉତ୍କର୍ସ ଓଡିଶା ବା ପ୍ରଭାସୀ ଓଡିଶା ଆୟୋଜନ କରି ବଡ ବଡ କମ୍ପାନୀକୁ ଖଣି ଖାଦାନ ଟେକି ଦେବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ପ୍ରଫୁଲ ସାମନ୍ତରାଏ । ଜିଲ୍ଲାର ବାଲଦା ଖଣି, ସିଜି ମାଳି, ମାଲି ପର୍ବତ, କିମ୍ବା କୁଟୃ ମାଳିକୁ ସୁରକ୍ଷିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏପଟେ ଖଣି ଓ ଇସ୍ପାତ ମନ୍ତ୍ରୀ କୋରାପୁଟ ଜିଲ୍ଲାର ଗ୍ରସ୍ତ କରି ସମୀକ୍ଷା କରିଛନ୍ତି । ସମସ୍ତ ଖଣିଜ ସମ୍ପଦ ଚୋରା ଚାଲାଣକୁ ରୋକିବାକୁ ନିର୍ଦ୍ଦେଷ ଦେଇଛନ୍ତି । ନୂତନ ଖଣିକୁ ସଠିକ୍ ଭାବରେ ତଦାରଖ କରାଯିବ ଓ ପଥର ବାଲି ଚୋରା ଚାଲାଣ ଉପରେ ଖଣିଜ ବିଭାଗ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।କୋରାପୁଟ ଜିଲ୍ଲାର କଣିଜ ସମ୍ପଦ ଉପରେ ଆଖି ରଖିଥିବା ପଞ୍ଜିପତିମାନଙ୍କୁ ବିକାଶ ନାମରେ ଖଣିଜ ସମ୍ପଦ ଟେକି ଦେବା ବିରୋଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକୁଛି ।

ଷ୍ଟାର ହୋଟେଲରେ ମାତିଲେ ସୁଟ୍ ବୁଟ୍ ପିନ୍ଧା ଲୁଟେରା: ବିବାହ ଭୋଜିକୁ ସମ୍ଭ୍ରାନ୍ତ ବେଶରେ ଆସି ଲୁଟିନେଲେ ହୀରା, ସୁନା ଓ ଟଙ୍କା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର, ଏଠି ଚୋର ମଚାଏ ସୋର୍ । କୋମାରେ କମିଶନରେଟ୍ ପୋଲିସ୍ , ଆଇସିୟୁରେ ଆଇନଶୃଙ୍ଖଳା । ସୁଟ୍ ବୁଟ୍ ପିନ୍ଧି ଷ୍ଟାର ହୋଟେଲରୁ ସଫା କରିଦେଲା ଚୋର । ସରୋଜ କୁମାର ମିଶ୍ର । ଘର ଶାସ୍ତ୍ରୀନଗର । ମାନବ ସମ୍ବଳ ବିଭାଗରୁ ଅବସର ନେବା ପରେ ନିଜର ଏକମାତ୍ର ଡାକ୍ତର ଝିଅର ବିବାହ ବେଶ ଧୁମଧାମରେ କରିବାକୁ ଚାହିଁଥିଲେ । ଭୋଜି ଭାତ, ଜାନି ଯୌତୁକ କେଉଁଥିରେ ସାମାନ୍ୟ ହେଳା କରିନଥିଲେ । ଷ୍ଟାର ହୋଟେଲରେ ବିବାହକୁ ବେଶ ଆଡ଼ମ୍ବରରେ କରିବା ପାଇଁ ଠିକ କରିଥିଲେ ଡାକ୍ତର ଜ୍ବାଇଁ । ମୈତ୍ରୀବିହାରରେ ଗତକାଲି ହେଉଥିବା ବାହାଘରରେ ବାଜା ବାଣ ରୋଷଣୀ ସହ ପହଞ୍ଚିଥିଲେ ବରଯାତ୍ରୀ । ବୈଦିକ ରୀତିନୀତିରେ ବାହାଘର ହୋଇଥିଲା । ହାତଗଣ୍ଠିରେ ସମସ୍ତେ ବ୍ୟସ୍ତ ଥିବାବେଳେ ହଠାତ୍ କଳାକନା ବୁଲାଇବା ଆରମ୍ଭ କରିଥିଲା ସମ୍ଭ୍ରାନ୍ତ ଦିଶୁଥିବା ଏହି ଚୋର । ଭଲକରି ଦେଖିରଖନ୍ତୁ ଏହି ବାବୁ ଜଣଙ୍କୁ । ବରଯାତ୍ରୀଙ୍କ ସହ ଆସିବା ଭଳି ଅଭିନୟ କରି ଷ୍ଟେଜ ଉପରେ ଅନେକ ଫଟୋ ଉଠାଇବା ପରେ ଲୁଟି ନେଇଛି ୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ସହ ନଗଦ ଅଢେଇ ଲକ୍ଷ ଟଙ୍କା । ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି କନ୍ୟାପିତା ।

ରାଜଧାନୀରେ ଛତୁ ଫୁଟିବା ଭଳି ଖୋଲୁଥିବା ବିବାହ ମଣ୍ଡପ ଓ ଷ୍ଟାର ହୋଟେଲରେ ଦିନିକିଆ ଉତ୍ସବ ପାଇଁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଭଡା ଆଦାୟ କରାଯାଉଛି । ଏହାକୁ ଛାଡିଲେ ଭୋଜି ଭାତ ବାବଦରେ ପ୍ଲେଟ ପିଛା ଆଖିବୁଜା ଟଙ୍କା ନେଉଛନ୍ତି ହୋଟେଲ ମାଲିକ । କିନ୍ତୁ ସୁରକ୍ଷା ସମ୍ପର୍କିତ କୌଣସି ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନାହିଁ । ରାଜଧାନୀରେ ଏଭଳି ଲୁଟ ନୂଆ ନୁହେଁ । କିଛିମାସ ତଳେ ବଡଗଡ଼ ଥାନା ଅଧୀନ ବାଇପାସ ରୋଡ଼ରେ ଥିବା କିଛି ମଣ୍ଡପରେ ସମାନ ଢଙ୍ଗରେ ଲୁଟପାଟ କରିଥିଲେ । ଲୁଟେରାଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଥିଲେ । ପରେ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା କମିଶନରେଟ୍ ପୋଲିସ । ଏବେ ଏହି ଘଟଣାରେ ହସ୍ତଗତ ସିସିଟିଭି, ଚୋର ଚଳାଉଥିବା ସୁଇଫ୍ଟ ଗାଡିର ନମ୍ବର ଆଧାରରେ ତଦନ୍ତ କରୁଥିବାବେଳେ ଅଭିଯୁକ୍ତର ଘର ମଧ୍ୟପ୍ରଦେଶ ବୋଲି ତଦନ୍ତ ବେଳେ ଜାଣିବାକୁ ମିଳିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାରେ ଲୁଟ ସାମଗ୍ରୀ ଜବତ ତ ଦୂରର କଥା, ଲୁଟେରା ସମ୍ପର୍କରେ ଟେର ପାଇନାହିଁ ପୋଲିସ । ରାଜଧାନିର ଭିଭିଆଇପି ଏରିଆରୁ ଏଭଳି ଲୁଟରେ ଲଗାମ ଲାଗୁନଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ, ତାହା ସ୍ପଷ୍ଟ ଅନୁମେୟ ।

ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ କଣ ଦେଲା: ସାଧାରଣ ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଇଛି ବୋଲି କହିଲା ବିଜେଡି

ଭୁବନେଶ୍ବର: କେନ୍ଦ୍ର ବଜେଟକୁ ନେଇ ବର୍ଷିଲା ବିଜେଡି। ସାଧାରଣ ବଜେଟରେ ଓଡ଼ିଶାକୁ କରାଯାଇଛି ଅଣଦେଖା। ନିର୍ବାଚନ ସମୟରେ ବିଜେପି କହିଥିଲା ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ଅନୁଦାନ ମିଳିବ। କିନ୍ତୁ ଓଡ଼ିଶାକୁ ଡବଲ ଇଞ୍ଜିନ ସରକାର କଣ ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ। ଗତଥର ଆନ୍ଧ୍ରକୁ ଦିଆଯାଇଥିଲା ଏଥର ବିହାର ନିର୍ବାଚନକୁ ନଜରରେ ରଖି ବିହାରକୁ ଦିଆଯାଇଛି ଅନୁଦାନ। ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ପେଶାଲ କାଟାଗୋରୀ ଷ୍ଟାଟସ ଦେବାକୁ କହିଥିଲା ବିଜେପି। ହେଲେ ସେକଥା କୁଆଡେ ଗଲା ? ବଜେଟ ବହିରେ ନାହିଁ ଓଡ଼ିଶାର ନାଁ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୟାଲିଟି ରିଭିଜନ ପାଇଁ ଦାବି କରି ଆସୁଛନ୍ତି। କିନ୍ତୁ ଓଡ଼ିଶାର ଦାବିକୁ ଶୁଣୁନାହାନ୍ତି କେନ୍ଦ୍ର ସରକାର। କଟନ ଟେକ୍ନୋଲୋଜି ମିଶନ ଓଡିଶାରେ ଆଗରୁ ଅଛି । କିନ୍ତୁ କେନ୍ଦ୍ର ସରକାର କହୁଛନ୍ତି ଏହା ନୂଆ ହୋଇଛି। ଓଡିଶାରେ ହାରାହାରି ୫୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି। କିନ୍ତୁ କେନ୍ଦ୍ର ସରକାର କହୁଛନ୍ତି ଟ୍ୟାକ୍ସ କମିଲା। ଯାହା ୫୦ ପ୍ରତିଶତ ଲୋକଙ୍କ ପାଇଁ କିଛି ଲେନଦେନ ନାହିଁ। ଦରଦାମ ବୃଦ୍ଧି ୫୦ ପ୍ରତିଶତ ମଧ୍ୟବିତ୍ତଙ୍କୁ ପ୍ରଭାବିତ କରୁଛି। ଗ୍ୟାସ ସିଲିଣ୍ଡର ଦର କମାଇବା ପାଇଁ ବଜେଟରେ କିଛି ନାହିଁ ବୋଲି କହିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟ କାଗଜପତ୍ର ବୁଲାଉଛନ୍ତି। ନିର୍ବାଚନ ସମୟରେ କହୁଥିଲେ ଓଡିଶା ସବୁ କ୍ଷେତ୍ରରେ ଡବଲ ପାଇବ। ହେଲେ ଓଡ଼ିଶା ବଜେଟରୁ କଣ ପାଇଲା ବୋଲି ବିଜେପିକୁ ପ୍ରଶ୍ନ କରିଛି ବିଜେଡି।

ଚୀନଠାରୁ ଭାରତ ବହୁ ପଛରେ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ଯୋଜନା ଫେଲ୍ । କେନ୍ଦ୍ର ସରକାର ଆରମ୍ଭ ସିନା କରିଥିଲେ, କିନ୍ତୁ ସଫଳ କରିପାରିଲେ ନାହିଁ। ମ୍ୟାନୁଫ୍ୟାକଚରିଂ ସେକ୍ଟର ଫ୍ଲପ୍‌। ଚୀନଠାରୁ ଆମେ ବହୁ ପଛରେ ପଡିଛୁ। ଏପରି କହି ଆଜି ସଂସଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସିଧାସଳଖ କେନ୍ଦ୍ରକୁ ନିଶାନା କରିଛନ୍ତି।

ରାହୁଲ କହିଛନ୍ତି, ଚୀନ ଆମର ଉଭୟ ମାର୍କେଟ ଓ ସୀମାକୁ ମାଡ଼ି ବସିଛି। ହେଲେ ସରକାର ମାନୁ ନାହାନ୍ତି। କଟାକ୍ଷ କରି ରାହୁଲ କହିଛନ୍ତି, ଯଦି ଆମର ମ୍ୟାନୁଫ୍ୟାକଚରିଂ ଭଲ ଥାଆନ୍ତା ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଯୋଗାଡ଼ କରିବାକୁ ବୈଦେଶିକ ମନ୍ତ୍ରୀ ବାରମ୍ଵାର ଆମେରିକା ଗସ୍ତ କରିନଥାନ୍ତେ। ବରଂ ଟ୍ରମ୍ପ ନିଜେ ଡାକିଥାନ୍ତେ। ଯୁବ ଗୋଷ୍ଠୀଙ୍କୁ ମଧ୍ୟ ଚାକିରି ଦେବାରେ ସରକାର ଫେଲ୍ ବୋଲି କହିଛନ୍ତି ରାହୁଲ।

କେବଳ ସେତିକି ନୁହେଁ, ଦେଶର ନିର୍ବାଚନ ପ୍ରକ୍ରିୟା ଓ ସମ୍ବିଧାନ ସୁରକ୍ଷା ନେଇ ମଧ୍ୟ ସେ ଉଦବେଗ ପ୍ରକାଶ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, ଲୋକସଭା ନିର୍ବାଚନ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ହଠାତ୍ କେଉଁଠୁ ଆସିଲେ ୭୦ ଲକ୍ଷ ନୂଆ ଭୋଟର। ଏଥିରେ ଜାଲିଆତି କରାଯାଇଥିବାର ସନ୍ଦେହ କରିଛନ୍ତି ରାହୁଲ ଗାନ୍ଧି।

କଳିଙ୍ଗ ପରେ ବିର୍ସା ମୁଣ୍ଡାରେ ବିବାଦ: ଟ୍ରାକ ଉପରେ ନାଚିଲେ ଅଭିନେତ୍ରୀ, ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ଫେଲ୍

ରାଉରକେଲା: ଇଏ କି କ୍ରୀଡ଼ା ପ୍ରତିବଦ୍ଧତା ? କଳିଙ୍ଗ ପରେ ବିର୍ସା ମୁଣ୍ଡାରେ ବିବାଦ । ଟ୍ରାକ ଉପରେ ନାଚିଲେ ଅଭିନେତ୍ରୀ । ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ଫେଲ୍ । କଳିଙ୍ଗ ଷ୍ଟାଡିୟମର ଆଥଲେଟିକ ଟ୍ରାକ ଉପରେ ଗାଡି ବୁଲିବା ପରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ଟର୍ଫ ଉପରେ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରୁବାକୁ ନେଇ ସବୁଠି ହୋଇଛି ସମାଲୋଚନା । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହିରୋ ହକି ଇଣ୍ଡିଆ ପୁରୁଷ ଲିଗର ଫାଇନାଲ ମ୍ୟାଚରେ ବଲିଉଡ ଅଭିନେତ୍ରୀ ସାରାଅଲ୍ଲୀ ଖାନ ଓ ତାଙ୍କ ଟିମ ଟର୍ଫ ଉପରେ ନୃତ୍ୟ ପ୍ରଦର୍ଶନ କରିବା ଘଟଣାକୁ ହକି ଖେଳାଳି, ହକି ପ୍ରେମୀ ଓ ବରିଷ୍ଠ ହକି କୋଚ ନାପସନ୍ଦ କରିଛନ୍ତି । ବିଶ୍ବର ବୃହତ୍ତ ଷ୍ଟାଡିୟମ ଭାବେ ସାରା ବିଶ୍ବର ରହିଛି ଏହାରି ଉପରେ ନଜର । ଷ୍ଟାଡିୟମର ରକ୍ଷଣାବେକ୍ଷଣ କିପରି ହେଵ ସେଥିପ୍ରତି ଧ୍ୟାନ ଦେଵା ବଦଳରେ ହକି ଟର୍ଫ ଉପରେ କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିବା ଘଟଣାକୁ ବରିଷ୍ଠ ହକି କୋଚ ନାପସନ୍ଦ କରିଛନ୍ତି ।

ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀଙ୍କ ଉପସ୍ଥିତିରେ ହକି ଟର୍ଫ ଉପରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ତାଙ୍କ ଟିମ ନୃତ୍ୟ ପ୍ରଦର୍ଶନ କରିବା ଘଟଣାକୁ କ୍ରୀଡ଼ାପ୍ରେମୀ, ସହରବାସୀ ଓ ବୁଦ୍ଧିଜୀବୀ ମାନେ ମଧ୍ୟ ନାପସନ୍ଦ କରିଛନ୍ତି । ସାରା ଅଲ୍ଲି ଖାନଙ୍କ ନୃତ୍ୟ ପ୍ରଦର୍ଶନ ଦେଖିବା ପାଇଁ ଷ୍ଟାଡିୟମ୍ ଵାହାରେ ବ୍ୟାପକ ବିଶୃଙ୍ଖଳା ହୋଇଥିଲା । ହାତରେ ହକି ଟିକେଟ ଥାଇ ମଧ୍ୟ ହଜାର ହଜାର ଦର୍ଶକ ଷ୍ଟାଡିୟମ ଭିତରକୁ ପସି ନପାରି ଧସ୍ତାଧସ୍ତି କରିବା ସହ ଦୁଇ ନମ୍ଵର ଗେଟ ଭାଙ୍ଗି ଧସେଇ ପଶିଥିଲେ । ସରକାର ଓ ପ୍ରଶାସନର ପରିଚାଳନାଗତ ତୃଟି ଯୋଗୁଁ ହଜାର ହଜାର ଦର୍ଶକ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଥିଲେ । ସରକାରଙ୍କ ପରିଚାଳନାଗତ ତ୍ରୁଟି ଓ ଭିଡ ନିୟନ୍ତ୍ରଣ କରିବାରେ ପୋଲିସ ଏବଂ ପ୍ରଶାସନର ଅବ୍ୟବସ୍ଥା ଯୋଗୁଁ ଵହୁ ମହିଳା ଓ ଛୋଟ ଛୋଟ ଛୁଆ ଦଳା ଚକଟାରେ ପଡି ଆହତ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି ।