spot_img
Home Blog Page 1203

ଦାଦା ବଟି ପାଈଁ ମାଛ ବ୍ୟବସାୟୀଙ୍କୁ ରକ୍ତାକ୍ତ କଲେ ଦୁର୍ବୁତ୍ତ

କେନ୍ଦ୍ରାପଡ଼ା : ଦାଦାବଟିକୁ କେନ୍ଦ୍ରକରି ମାଛ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ। ଦାଦାବଟି ନଦେବାରୁ ଆକ୍ରମଣ କରି ସୁନା ଚେନ, ମୁଦି, ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚି ଅଭିଯୋଗ କଲେ ବ୍ୟବସାୟୀ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା କୁଦାନଗରୀ ଥାନା ଅଞ୍ଚଳର ଘଟଣା। ବ୍ୟବସାୟୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଚଅଁପୁର ଗାଁର ବ୍ୟବସାୟୀ ରାକେଶ ମାହାଳିକଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ଘରକୁ ଫେରୁଥିଵା ସମୟରେ ମାହାଳ ବାବା କଲ୍ୟାଣ ମଣ୍ଡପ ନିକଟରେ ଆକ୍ରମଣ ହୋଇଛି।

କାବିଲ ପୁର ଓ ଛକନା ଅଞ୍ଚଳର କିଶୋର ଓରଫ ଖଟୁ ନାୟକ, ଚିଙ୍କୁ,ଚିଣ୍ଟୁ,ବିଳାସ ରାଉଳ ଓ ତାଙ୍କର ସହଯୋଗୀ ତାଙ୍କୁ ଅଟକାଇଥିଲେ। ମଦ ବୋତଲରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ପରେ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରି ଟଙ୍କା,ସୁନା ଲୁଟି ନେଇଥିଲେ। ପୂର୍ବରୁ ଏମାନେ ବାରମ୍ବାର ଦାଦାବଟି ମାଗୁଥିଲେ। ହେଲେ ରାକେଶ ଦାଦାବଟି ନ ଦେବାରୁ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ କୁଦାନଗରୀ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

ସିରିଆରେ ଭୟଙ୍କର କାର୍ ବମ୍ ବିସ୍ଫୋରଣ, ୧୯ ମୃତ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ସିରିଆର ମନ୍‌ବିଜ୍‌ ସହରରେ ଭୟଙ୍କର ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଛି । କିଛି ସ୍ଥାନୀୟ କୃଷି ଶ୍ରମିକଙ୍କୁ ନେଇ ଏକ ଟ୍ରକ୍‌ ଯାଉଥିବାବେଳେ ନିକଟରେ ଥିବା ଏକ କାର୍‌ରେ ବୋମା ବିସ୍ଫୋରଣ ଘଟିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ସେହିପରି ଅନ୍ୟ ୧୫ ଜଣ ମହିଳା ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ମହିଳାଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ମନ୍‌ବିଜ୍‌ ସହରରେ ଗତ ମାସକ ମଧ୍ୟରେ ଏହା ସପ୍ତମ କାର୍‌ ବୋମା ବିସ୍ଫୋରଣ ବୋଲି ସ୍ଥାନୀୟ ନାଗରିକ ସୁରକ୍ଷା ଉପନିର୍ଦ୍ଦେଶକ ମୁନୀର ମୁସ୍ତଫା କହିଛନ୍ତି।

ସରିଲା ଦିଲ୍ଲୀ ପ୍ରଚାର, କାଲି ଭୋଟ ; ଦେଢ଼ କୋଟିରୁ ଅଧିକ ଭୋଟର୍ କରିବେ ମତଦାନ

ନୂଆଦିଲ୍ଲୀ : ଆସନ୍ତାକାଲି ଭୋଟ ଦେବ ଦିଲ୍ଲୀ। ଗତ ସଂଧ୍ୟାରେ ସରିବ ପ୍ରଚାର। ଏଥର ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। କେଜରିୱାଲ କହିଛନ୍ତି, ତାଙ୍କ ଦଳ ୫୫ଟି ସିଟ୍ ପାଇବ। ୨୦୨୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି। ଆରପଟେ ପ୍ରାୟ ୨୭ ବର୍ଷ ହେଲାଣି ଦିଲ୍ଲୀ ଗାଦି ଦଖଲ କରିପାରି ନାହିଁ ବିଜେପି। ସୁରୁଖୁରୁରେ ନିର୍ବାଚନ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ। ଦେଢ଼ କୋଟିରୁ ଅଧିକ ଭୋଟର୍ ଏଥର ନିଜର ପ୍ରତିନିଧି ବାଛିବେ। ଏଥିପାଇଁ ୧୩ ହଜାର ୭୬୬ ଟି ବୁଥ୍ କରାଯାଇଛି। ସେଥି ମଧ୍ୟରୁ ପ୍ରାୟ ୩ ହଜାର ସମ୍ବେଦନଶୀଳ ବୁଥ ଅଛି। ସୁରକ୍ଷା ପାଇଁ ୪୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଉଛି। ଏଥିରେ ରହିଛନ୍ତି ୨୨୦ କମ୍ପାନି ଅର୍ଦ୍ଧ ସାମରିକ ବାହିନୀ। ୬୦୦ ରୁ ଅଧିକ ଫ୍ଲାଇଂ ସ୍କ୍ଵାର୍ଡ ବି ରହିଛନ୍ତି। ଦିଲ୍ଲୀ ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟର ପୋଲିସ ମଧ୍ୟ ଆଲର୍ଟ ଅଛନ୍ତି। କାଲି ଭୋଟ ସରିବା ପରେ ୮ ତାରିଖରେ ହେବ ଗଣତି।

ଆଜି ପବିତ୍ର ମାଘ ସପ୍ତମୀ, ବୁଡ଼ ପକାଇବାକୁ ଚନ୍ଦ୍ରଭାଗାରେ ଭକ୍ତଙ୍କ ଭିଡ଼

କୋଣାର୍କ : ଆଜି ମାଘ ସପ୍ତମୀ । ଏନେଇ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ। କୋର୍ଣାକରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭୋରରୁ ଅନେକ ଭକ୍ତ ସ୍ନାନ ବି କରିସାରିଲେଣି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ମାଘ ବୁଡକୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ଓ ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ମାନଙ୍କରେ କୋଣାର୍କ ଏନଏଏସି ପକ୍ଷରୁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି।

+୨ ପରୀକ୍ଷା ନେଇ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ, ପ୍ରସ୍ତୁତିର ହେବ ସମୀକ୍ଷା

ଭୁବନେଶ୍ୱର : ପ୍ଲସ୍ ଟୁ ପରୀକ୍ଷା ନେଇ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହେଉଛି। ସକାଳ ୧୦ଟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଭିଡିଓ କନଫରେନସରେ ଏହି ବୈଠକ ହେବ। ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଯୁକ୍ତ ଦୁଇ ପରୀକ୍ଷାକୁ ସୁରୁଖୁରୁରେ କେମିତି ସଂପନ୍ନ କରାଯିବ, କୌଣିସ ବିଭ୍ରାଟ ବା ତ୍ରୁଟି ହେବ ନାହିଁ, ତା ଉପରେ ବୈଠକରେ ଫୋକସ୍ ଦିଆଯିବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗା ଦେବେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ଭୁବନେଶ୍ଵର-କଟକର ପୋଲିସ କମିଶନର୍, ସବୁ କଲେଜର ପ୍ରିନସପାଲ ଓ ପରୀକ୍ଷା ପରିଚାଳନା ହବ୍ ର ସୁପର ଭାଇଜର୍ ।

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ: ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଲେ ନବୀନ

ଭୁବନେଶ୍ବର: ଅଲ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟକା ସଂଘର ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାପରେ ସେମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଶିଶୁବାଟିକାରେ ଅଙ୍ଗନବାଡ଼ି କର୍ମୀକୁ ଶିକ୍ଷକ ଭାବରେ ନିଯୁକ୍ତି ଦେବା, ପଦୋନ୍ନତି ତଥା ସେମାନଙ୍କ ସରକାରୀ କର୍ମଚାରୀ ମାନ୍ୟତା ଆଦି ପ୍ରସଙ୍ଗରେ ସେମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ମା ଓ ଶିଶୁମାନଙ୍କ କଲ୍ୟାଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଯେପରି ଗୁରୁ ଦାୟିତ୍ବ ତୁଲାଇ ଆସୁଛନ୍ତି ସେଥିପାଇଁ ସେମାନଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ସମସ୍ୟାର ସମାଧାନ ପାଇଁ  ସରକାରଙ୍କ ଦୃଷ୍ଟି  ଆକର୍ଷଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧିମାନଙ୍କୁ କହିଥିଲେ । ଏହି ଆଲୋଚନା ସମୟରେ ସଂଘର ଉପଦେଷ୍ଟା ସୁବାସ ସିଂ, ସଭାନେତ୍ରୀ ନନ୍ଦିନୀ ପଣ୍ଡା,  ସମ୍ପାଦିକା ମଞ୍ଜୁଲତା ଦାସ, ସୁଶ୍ରୀ ସଂଗୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସହର  ଛାଡ଼ି ତୁରନ୍ତ ପଳାୟନ କରିବାକୁ ଭାରତୀୟଙ୍କୁ କହିଲା କଙ୍ଗୋସ୍ଥିତ ଦୂତାବାସ

କିନଶାସା, ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋ ସ୍ଥିତ ଭାରତୀୟ ଦୂତାବାସ ତରଫରୁ କେନ୍ଦ୍ରୀୟ ଆଫ୍ରିକା ଦେଶର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।  ଏହି ଅବସରରେ ବାକାଭୁରେ ଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ରବିବାର ଦିନ କୁହାଯାଇଛି । ଏନେଇ ଦୂତାବାସ ତରଫରୁ ୩ଟି ଆଡଭାଇଜରୀ ଜାରି କରାଯାଇଛି । ସମସ୍ତଙ୍କୁ ଜରୁରୀ ପ୍ଲାନ ପ୍ରସ୍ତୁତି ନେଇ କୁହାଯାଇଛି । କଙ୍ଗୋରେ ପାଖାପାଖି ୧ ହଜାର ଭାରତୀୟ ନାଗରିକ ରହୁଛନ୍ତି ।

ବୁକାଭା ଠାରୁ ପାଖାପାଖି ୨୦-୨୫ କିମି ଦୂରରେ M23 ରହିଥିବା ରିପୋର୍ଟରେ କୁହାଯାଇଛି । ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ବୁକାଭୁରେ ଅବସ୍ଥାନ କରୁଥିବା ସମସ୍ତ ଭାରତୀୟଙ୍କୁ ସହର ଛାଡ଼ି ସଙ୍ଗେସଙ୍ଗେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପୁଣି ଥରେ କୁହାଯାଇଛି । ବିମାନବନ୍ଦର, ସୀମା ଓ ବାଣିଜ୍ୟିକ ରୁଟ ଏବେ ବି ଖୋଲା ରହିଛି । ବୁକାଭୁକୁ ଜମାରୁ ନ ଯିବାକୁ ଆଡଭାଇଜରିରେ କୁହାଯାଇଛି । ଏକ ଏମର୍ଜେନ୍ସି ପ୍ଲାନ ପ୍ରସ୍ତୁତ କରିବାକୁ ସଦ୍ୟ ଜାରି ହୋଇଥିବା ଆଡଭାଇଜରିରେ କୁହାଯାଇଛି । ପାଖରେ ଔଷଧ, ପୋଷାକ, ଟ୍ରାଭେଲ ଡକୁମେଣ୍ଟ, ଖାଦ୍ୟ, ଜଳ ଆଦି ବ୍ୟାଗରେ ରଖିବାକୁ କୁହାଯାଇଛି । ଲୋକାଲ ମେଡ଼ିଆ ଚାନେଲର ଅପଡେଟ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ସୋସିଆଲ ମିଡିଆରେ ମଧ୍ୟବିତ୍ତ କିଏକୁ ନେଇ ଯୁଦ୍ଧ,ବାର୍ଷିକ 60 ଲକ୍ଷରୁ କମ ଆୟକାରୀ ଗରିବ ?

ଆମ ସମାଜରେ ବିଭିନ୍ନ ବର୍ଗର ଲୋକେ ବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଧନୀ, ମଧ୍ୟବିତ୍ତ ଓ ଗରିବ ରହିଥାନ୍ତି । ତେବେ ଅଧିକାଂଶ ସମୟରେ ମଧ୍ୟବିତ୍ତମାନେ ବେଶି ପ୍ରଭାବିତ ହୋଇଥାନ୍ତି ବୋଲି ଚର୍ଚ୍ଚା ହୋଇଥାଏ । ତେବେ ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ଯଦି ୬୦ ଲକ୍ଷରୁ କମ୍ ହୋଇଥାଏ ତେବେ ତାଙ୍କୁ ଗରିବ ବୋଲି  ଗ୍ରହଣ କରାଯିବ ।  ଭାରତରେ ଇନକମର ଅସମାନତାକୁ ନେଇ ଜଣେ ଫିନଟେକ ବିଶେଷଜ୍ଞଙ୍କ ଏଭଳି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସାଧାରଣ ବଜେଟରେ କେନ୍ଦ୍ର ସରକାର ଆଣିଥିବା ନୂଆ ଟ୍ୟାକ୍ସ ସ୍ଲାବକୁ ନେଇ ଏକ ପୋଷ୍ଟରେ ଏଭଳି କମେଣ୍ଟ ଦିଆଯାଇଥିଲା ।

ସେଥିରେ ଲେଖାଥିଲା, ’୧୨ ଲକ୍ଷ ଆୟ ଉପରେ ଟ୍ୟାକ୍ସ ରିହାତି ଘୋଷଣା ହେବା ପରେ କେବଳ ଆଇଟି ଲୋକମାନେ କାନ୍ଦୁଛନ୍ତି । ଅନେକ ଅଣ-ଆଇଟିଧାରୀ ୭-୧୦ ବର୍ଷ କାମ କରିବା ପରେ ୧୨ ଲକ୍ଷ ଟଙ୍କାର ପ୍ୟାକେଜ ସେମାନଙ୍କ ପାଇଁ ଏକ ଡ୍ରିମ୍ ଜବ ହୋଇଥାଏ । ଏହି ଆଇଟି ଲୋକମାନେ ବର୍ଷକୁ ୨୪ ଲକ୍ଷ ଟଙ୍କା ରୋଜଗାର କରୁଥିବାରୁ ସେମାନେ ନିଜକୁ ’ନିମ୍ନ ମଧ୍ୟବିତ୍ତ ଶ୍ରେଣୀ’ ବୋଲି କହିବାର ନିବୃତ୍ତ ରହିବା ଉଚିତ । ସେମାନେ ଭାରତରେ ବେତନକୁ ନେଉ କେଉଁ ସ୍ଥାନରେ ରହିଛନ୍ତି, ତାହା ସେମାନେ ଭୁଲି ଯାଉଛନ୍ତି । ୨୪ ଲକ୍ଷ ଟଙ୍କାରେ ଚାକିରି କରୁଥିଲେ ବି ସେମାନେ ନିଜେ ଗରିବର ଅଭିନୟ କରିନଥାନ୍ତି କି? ଏଭଳି ନନସେନ୍ସ ଚିନ୍ତାଧାରା ସେମାନେ ବନ୍ଦ କରିବା ଉଚିତ ।’

ଯଦି ଆପଣ ବର୍ଷକୁ ୬୦ ଲକ୍ଷ ଇନକମ କରୁଛନ୍ତି, ତେବେ ମେଟ୍ରୋ ସିଟିରେ ନିଜର ଫ୍ଲାଟ କିଣିବା ପାଇଁ ଆପଣଙ୍କୁ ଅତିକମରେ ୫-୬ ବର୍ଷ ଲାଗିବ ବୋଲି ସେ କହିଛନ୍ତି ।  ଯିଏ ବି ବର୍ଷକୁ ୬୦ ଲକ୍ଷରୁ କମ୍ ଆୟ କରୁଛନ୍ତି ସେ ଗରିବ । ଆପଣମାନେ ୭୦ ପ୍ରତିଶତ ଇନକମକୁ ଜିଏସଟି, ଇନକମ ଟ୍ୟାକ୍ସ ଓ ଭ୍ୟାଟ ଆକାରରେ ଦେଇଥାନ୍ତି । ମାସିକ ୨ ଲକ୍ଷରୁ ଇନକମ କରୁଥିବା ଲୋକଙ୍କୁ ମଧ୍ୟବିତ୍ତ କୁହାଯିବ । ବାର୍ଷିକ ୬୦ ଲକ୍ଷରୁ ୧ କୋଟି ଆୟଧାରୀଙ୍କୁ ମଧ୍ୟବିତ୍ତ କୁହାଯିବ ।  ୧ କୋଟିରୁ ଅଧିକ ହେଲେ ଉଚ୍ଚ ମଧ୍ୟବିତ୍ତ କୁହାଯିବ । ଜେନେରେସନ ଓ୍ବେଲଥ ନଥିଲେ ଆପଣଙ୍କୁ ଧନୀ କୁହାଯିବ ନାହିଁ ବୋଲି ସେ କହିଛନ୍ତି ।

ତେବେ ୬୦ ଲକ୍ଷରୁ ୧ କୋଟି ଆୟକାରୀଙ୍କୁ ଯଦି ମଧ୍ୟବିତ୍ତ କୁହାଯିବ, ତେବେ ୧୨ ଲକ୍ଷ ଆୟକାରୀଙ୍କୁ କ’ଣ କୁହାଯିବ, ଦାରିଦ୍ର୍ୟ ସୀମା ରେଖା ତଳେ ?… ବୋଲି ୟୁଜର୍ସ କମେଣ୍ଟ କରିଛନ୍ତି । ବାର୍ଷିକ ୪ ଲକ୍ଷ ଆୟକାରୀଙ୍କୁ ନିମ୍ନ ଆୟ ଗ୍ରୁପରେ ରଖାଯିବ, ୪-୮ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ, ୮-୧୨ ମଧ୍ୟବିତ୍ତ ଶ୍ରେଣୀ, ୧୨-୧୫ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ, ୧୫-୨୦ ଉଚ୍ଚ ଶ୍ରେଣୀ ବୋଲି ଆଉ ଜଣେ ଲେଖିଛନ୍ତି ।  ମୁମ୍ବାଇ, ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟିରେ ରହିବା ପାଇଁ ସର୍ବନିମ୍ନ ୫୦ ଲକ୍ଷ ଆବଶ୍ୟକ ବୋଲି ଆଉ ଜଣେ କହିଛନ୍ତି । ବାର୍ଷିକ ୬୦ ଲକ୍ଷ ଆପଣଙ୍କୁ ନିମ୍ନ ମଧ୍ୟବିତ୍ତ ଶ୍ରେଣୀରେ ରଖିବ । ୧୦୦ କୋଟି ନେଟ ଓ୍ବର୍ଥ ଥିଲେ ଜଣଙ୍କୁ ଧନୀ କୁହାଯିବ ବୋଲି ଆଉ ଜଣେ ଲେଖିଛନ୍ତି ।

୨୦୨୫  ଭାଲେଣ୍ଟାଇନ ଡେ’ରେ ଜମାରୁ ପ୍ରପୋଜ୍ କରନ୍ତୁନି! ପାର୍ଟନର ଦେଇପାରନ୍ତି ଧୋକା- ଜ୍ୟୋତିଷଶାସ୍ତ୍ର

ସାଧାରଣ ଭାବେ ଫେବୃଆରୀ ମାସ ସମସ୍ତ ପ୍ରେମିକ / ପ୍ରେମିକାଙ୍କ ପାଇଁ ବେଶ୍ ଖାସ୍ ହୋଇଥାଏ । କୁହାଯାଏ, ଭାଲେଣ୍ଟାଇନ ଡେ’ ଅବସରେର ଯଦି କୌଣସି ଯୁବକ / ଯୁବତୀ ନିଜର ପାର୍ଟନରଙ୍କୁ ପ୍ରେମ ନିବେଦନ କରନ୍ତି, ତେବେ ପାର୍ଟନର ମନା କରିପାରି ନଥାନ୍ତି । ମାତ୍ର ଏଥର ଭାଲେଣ୍ଟାଇନ ଡେ ପ୍ରେମପକ୍ଷୀଙ୍କୁ ବଡ଼ ଝଟକା ଦେବାକୁ ଯାଉଛି । ଏଥର ଭାଲେଣ୍ଟାଇନ ଡେ’ରେ ଯଦି ଆପଣମାନେ ପ୍ରେମ ପ୍ରକାଶ କରିବାକୁ ଭାବୁଥାନ୍ତି ତେବେ ଆପଣଙ୍କୁ ଧୋକା ମିଳିବାର ସମ୍ଭାବନା ରହିଛି । ଆପଣଙ୍କର ରିଲେସନ ବେଶିଦିନ ତିଷ୍ଠିବାର ସମ୍ଭାବନା ନାହିଁ ।

ଜ୍ୟୋତିଷଶାସ୍ତ୍ର ମୁତାବକ, ୨୦୨୫ ଭାଲେଣ୍ଟାଇନ  ଡେ ଅବସରରେ ପ୍ରେମ ନିବେଦନ କରୁଥିବା ଯୁବକ, ଯୁବତୀଙ୍କ ପାଇଁ ତାହା ଶୁଭଙ୍କର ହେବନି । ଏହି ଦିନ ନୂଆ ସମ୍ପର୍କର ଶୁଭାରମ୍ଭ କରୁଥିବା ପ୍ରେମପକ୍ଷୀଙ୍କୁ ଧୋକା ମିଳିବାର ସମ୍ଭାବନା ଥିବା ଜ୍ୟୋତିଷମାନେ କହିଛନ୍ତି । ବିଶିଷ୍ଟ ଜ୍ୟେତିଷାଚାର୍ଯ୍ୟ ଡ. ବସନ୍ତ ସୋନୀ କହିଛନ୍ତି, ଚଳିତ ବର୍ଷ ଫେବୃଆରୀ ୧୪ ତାରିଖ କୁଣ୍ଡଳୀ ଆପଣଙ୍କୁ ଦୁଃଖ ଦେଇପାରେ । ଏହି ଦିନ ନିଜର ହୃଦୟର ଭାବନାକୁ ପ୍ରକାଶ କରୁଥିବା ପୁଅ, ଝିଅମାନେ ଯଦି ବିବାହ କରନ୍ତି, ତେବେ ସେମାନେ ପାର୍ଟନରଙ୍କ ଠାରୁ ଧୋକେ ପାଇବେ । ଶାସ୍ତ୍ର ମୁତାବକ, ହିନ୍ଦୁ ଧର୍ମରେ ବିବାହ ପାଇଁ ବିଭିନ୍ନ ଶ୍ରେଣୀ ନିର୍ଦ୍ଧାରିତ କରାଯାଇଛି । ପ୍ରେମ ନିବେଦନ କରି ବିବାହ କରିବା ଗନ୍ଧର୍ବ ବିବାହ ଶ୍ରେଣୀରେ ଆସିଥାଏ । ଏଥିରେ କୌଣସି ପୁଅ ବା ଝିଅ ନିଜର ପ୍ରେମ ନିବେଦନ କରିଥାନ୍ତି । ପାର୍ଟନର ତାହାକୁ ସ୍ବୀକାର କରିବା ପରେ ଉଭୟେ ବିବାହ କରିଥାନ୍ତି । ଏହି ବିବାହ ପିତାମାତାଙ୍କ ସହମତିରେ ହୋଇନଥାଏ ।

ଡ. ବସନ୍ତ ସୋନୀ କହିଛନ୍ତି, ଏହି ଦିନ କୁମ୍ଭ ଲଗ୍ନର ପତ୍ରିକା ପଡ଼ୁଛି । ଲଗ୍ନରେ ସୂର୍ଯ୍ୟ ଓ ବୁଧ ଏକ ସଙ୍ଗେ ବସିଛନ୍ତି । ପଞ୍ଚମ ଭାବରେ ମଙ୍ଗଳ ବସିଛି, ଯାହାକି ସନ୍ତାନଙ୍କୁ ସମସ୍ୟାରେ ପକାଇବ । କୁଣ୍ଡଳୀ ଦୁଇ ବିବାହର ଯୋଗକୁ ଦର୍ଶାଉଛି । ଏହାର ଅର୍ଥ ହେଉଛି ଯଦି ଏହି ଦିନ ଜଣେ ପ୍ରେମ ନିବେଦନ କରି ବିବାହ କରନ୍ତି, ତେବେ ଭବିଷ୍ୟତରେ ତାଙ୍କର ସମ୍ପର୍କ ଭାଙ୍ଗିପାରେ । କାରଣ ସେମାନେ ପରସ୍ପରକୁ ଧୋକା ଦେବେ ଓ ଅନ୍ୟ କାହାକୁ ବିବାହ କରିବେ ବା ରିଲେସନଶିପରେ ରହିବେ ।

କଲେଜ ଓ ବିଶ୍ବବିଦ୍ୟାଳୟର ରାଙ୍କ ପାଇଁ ଲାଞ୍ଚ କାରବାର: ଆଶଙ୍କା ଘେରରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ନୂଆଦିଲ୍ଲୀ: କଲେଜ ଓ ବିଶ୍ୱବିଦ୍ୟାଳୟର ରାଙ୍କ ପାଇଁ ଲାଞ୍ଚ କାରବାର। ସିବିଆଇ ହାତରେ ମାମଲାର ତଦନ୍ତ। ଜେଏନୟୁ ପ୍ରଫେସର ଲାଞ୍ଚ କାରବାରର ମାଷ୍ଟର ମାଇଣ୍ଡ। ନାକ୍ ଅନୁଧ୍ୟାନ କମିଟିର ଅଧ୍ୟକ୍ଷ ମୁଖ୍ୟ କାର୍ପଟଦାର। ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣା। ବିଭିନ୍ନ ଜାଗାରୁ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ। ଆଗକୁ ଆହୁରି ବଢ଼ିପାରେ ଗିରଫଦାରୀ ସଂଖ୍ୟା। ନାକ୍ ମାନ୍ୟତାକୁ ଆଧାର କରି ୟୁଜିସି ବିଭିନ୍ନ ଅନୁଦାନ ପ୍ରଦାନ କରିଥାଏ। ନାକ ମାନ୍ୟତା ପାଇଁ ଅନୁଷ୍ଠାନର ଭିତ୍ତିଭୂମି, ପାଠପଢ଼ାର ମାନ, ଶୈକ୍ଷିକ ପରିବେଶ, ଶିକ୍ଷାର ନୂଆ ନୂଆ ଦିଗ ଭଳି ୭ଟି ପାରାମିଟରକୁ ଅନୁଧ୍ୟାନ କରାଯାଏ। ହେଲେ ନିଜ ପକେଟ ଗରମ କରି ଏସବୁ ସର୍ତ୍ତ ସହ ବୁଝାମଣା କରୁଥିଲେ ନାକ ଅନୁଧ୍ୟାନ କମିଟି। ଯେଉଁଥିରେ ସହଯୋଗର ହାତ ବଢ଼ାଇଥିଲେ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ। ଏଭଳି ଖବର ପଦାକୁ ଆସିବା ପରେ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ଶିକ୍ଷାବିତ୍।

ଗତବର୍ଷ ଜୁଲାଇ ମାସରେ ନିଟ୍ ପ୍ରଶ୍ନ ପତ୍ର ଲିକ୍ ମାମଲା ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲା। ଏବେ ନାକ୍ ମାନ୍ୟତା ପାଇଁ ଲାଞ୍ଚ କାରବାର ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ଉଠାଇଛି। ଶିକ୍ଷାର ବ୍ୟାପକ ଘରୋଇକରଣ ବ୍ୟବସ୍ଥା ଭିତରେ ମାଫିଆଙ୍କ ଦବଦବା ଏବଂ ଅସାଧୁ ପ୍ରଫେସରଙ୍କ ଲାଞ୍ଚ ଖୋର ମନୋବୃତ୍ତି ଯୋଗୁଁ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଶଙ୍କା ଘେରକୁ ଠେଲି ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ଲାଞ୍ଚ କାରବାରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଶିକ୍ଷାବିତ୍। ସିବିଆଇ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟ KLEFକୁ ଭଲ ମାନ୍ୟତା ଦେବା ପାଇଁ କୋଟିଏ ୮୦ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ ନାକ ଅନୁଧ୍ୟାନ କମିଟି। ଏଥିରେ ଜେଏନୟୁର ଜଣେ ପ୍ରଫେସର ମଧ୍ୟସ୍ଥତା କରିବା ପରେ ପ୍ରତି ଟମ୍ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ ଲାପଟପ୍ ସହ ୩ ଲକ୍ଷ ଟଙ୍କା, କମିଟି ଅଧ୍ୟକ୍ଷଙ୍କୁ ୧୦ ଲକ୍ଷ ଟଙ୍କା ଏବଂ କମିଟିର ଜଣେ ସଦସ୍ୟଙ୍କ ପତ୍ନୀଙ୍କ ପାଇଁ ଫ୍ଲାଇଟ୍ ଟିକେଟ ଓ ସୁବିଧା ସାଙ୍ଗକୁ ଆଇଫୋନ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ଜଣାପଡିବା ପରେ ସିବିଆଇ ୧୦ ଜଣଙ୍କୁ ଗିରଫ କରିଛି।