spot_img
Home Blog Page 1220

ସହଦେବ ନାୟକଙ୍କୁ ହତ୍ୟା ଘଟଣା, ପୋଲିସ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମୃତ ସହଦେବଙ୍କ ପତ୍ନୀ

ଭୁବନେଶ୍ବର : ସହଦେବ ନାୟକ ହତ୍ୟା ଘଟଣାରେ ସାଂଘାତିକ ଆରୋପ। ପୋଲିସକୁ କାଠଗଡାକୁ ଟାଣିଲେ ସହଦେବଙ୍କ ପତ୍ନୀ। ହତ୍ୟା ଷଡ଼ଯନ୍ତ୍ରରେ ରହିଛି ବ୍ରାଉନସୁଗାର ମାଫିଆ ଓ ପୋଲିସର ହାତ। ପୂର୍ବରୁ ସହଦେବଙ୍କୁ ଫସାଇବାକୁ ଚାହିଁଥିଲା ପୋଲିସ। ବିଳମ୍ବିତ ରାତିରେ ଭଡା ଘରେ ଧସେଇ ପଶିଥିଲେ ସ୍ପେଶାଲ ସ୍କ୍ବାଡର ୮ ଜଣିଆ ଟିମ୍ । ଶିଡି ତଳେ ନିଜେ ବ୍ରାଉନସୁଗାର ରଖି ସହଦେବଙ୍କୁ ବାନ୍ଧିବାକୁ ପୋଲିସ ରଚିଥିଲା ଷଡ଼ଯନ୍ତ୍ର। ହେଲେ ସିସିଟିଭି ପାଇଁ ଫସର ଫାଟିଥିଲା ଚକ୍ରାନ୍ତ। ଡିସିପିଙ୍କ ନିକଟରେ ଅଭିଯୋଗ ପରେ ବି ପଦକ୍ଷେପ ଶୂନ୍। ଜଘନ୍ୟ ହତ୍ୟାର ଦୁଇ ଦିନ ପରେ ପୋଲିସ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସହଦେବଙ୍କ ପତ୍ନୀ। ବସ୍ତିରୁ ନିଶା ମୁକ୍ତ କରିବା ପାଇଁ ଅଭିଯାନ ଚଳାଇଥିଲେ ସହଦେବ। ପୋଲିସକୁ ଦେଉଥିଲେ ଟିକିନିଖି ସୂଚନା। ଯାହାକୁ ନେଇ ଖପ୍ପା ଥିଲେ ନିଶା ମାଫିଆ। ତେଣୁ ପୋଲିସ, ଚାନ୍ଦା ପାଇବା ଆଶାରେ ସହଦେବଙ୍କୁ ଫସାଇବା ପାଇଁ ରଚିଥିଲା ଷଡ଼ଯନ୍ତ୍ର। ଭଲକରି ଦେଖନ୍ତୁ ଏହି ସିସିଟିଭି ଭିଜୁଆଲକୁ । କିଭଳି ରକ୍ଷକ ହୋଇ ଭକ୍ଷକ ଭଳିଆ ସହଦେବଙ୍କୁ ଫସାଇବାକୁ ପୋଲିସ ନିଜେ ବ୍ରାଉନସୁଗାର ରଖି ନିଜେ ସିଜ୍ କରୁଛି। ଯାହାକୁ ଦେଖିବା ପରେ ପୋଲିସକୁ ପ୍ରଶ୍ନ କରିଥିଲେ ସହଦେବଙ୍କ ଝିଅ।

ପ୍ରଶ୍ନ ଉଠୁଛି, ଯଦି ସହଦେବ ବ୍ରାଉନସୁଗାର କାରବାର ବନ୍ଦ ପାଇଁ ଉଦ୍ୟମ କରୁଥିଲେ ତେବେ ପୋଲିସ ତାଙ୍କୁ କାହିଁକି ଫସାଇବା ପାଇଁ ଚେଷ୍ଟା କରୁଥିଲା ? କେଦାରପଲ୍ଲୀ ବସ୍ତିରେ ବ୍ରାଉନସୁଗାର କାରବାର କରୁଥିବା ମାଷ୍ଟରମାଇଣ୍ଡକୁ ବାନ୍ଧିବାକୁ କାହିଁକି ସାହସ ଜୁଟାଉନଥିଲା ପୋଲିସ ? ନା ନିଶା କାରବାର ଖବର ଦେଉଥିବା ସହଦେବଙ୍କୁ ଚୁପ କରିବାକୁ ଚାହୁଁଥିଲା ପୋଲିସ ? ପୋଲିସ ଓ ବ୍ରାଉନସୁଗାର ମାଫିଆଙ୍କ ଚୋରା ପୀରତିରେ ସହଦେବ ସାଜୁଥିଲେ କି ବାଧକ ? ଚାନ୍ଦା ନ ମିଳିବାରୁ ଏପରି ଚକ୍ରାନ୍ତ କରିଥିଲା କି ପୋଲିସ ? ନା ସହଦେବଙ୍କୁ ଫସାଇ ଜେଲରେ ରଖିବାକୁ ଚାହୁଁଥିଲା ପୋଲିସ ? ଯଦି ସହଦେବଙ୍କ ଘରେ ରେଡ୍ କରିବାକୁ ପୋଲିସ ଯାଇଥିଲା, ତେବେ ମହିଳା ପୋଲିସ କାହିଁକି ଯାଇନଥିଲେ ? ସହଦେବଙ୍କ ଘରେ ରେଡ୍ କରିବାକୁ ଯାଇଥିବା ପୋଲିସ ଅଧିକାରୀ କିଏ ? ଯଦି ଘରୁ ବ୍ରାଉନସୁଗାର ମିଳିଥିଲା, ତେବେ ପୋଲିସ ତାଙ୍କୁ ଗିରଫ କଲାନାହିଁ କାହିଁକି ? ତେଣୁ ସହଦେବଙ୍କ ହତ୍ୟା ଘଟଣାରେ ପୋଲିସ ସହ ମାଷ୍ଟରମାଇଣ୍ଡ ରମା ନାୟକ, ନିଲୁ ନାୟକ, ସୁଶେଇ ନାୟକ ସଂପୃକ୍ତ ବୋଲି କହିଛନ୍ତି ପତ୍ନୀ। ବୀଭତ୍ସ ହତ୍ୟାର ୧୨ ଘଣ୍ଟା ମଧ୍ୟରେ ଗିରଫ ହେଲେ ହତ୍ୟାକାରୀ। ମାମଲାକୁ ଗୁରୁତ୍ବପୂର୍ଣ୍ଣ କହି ବାହାବା ନେବାକୁ ଶତ ଚେଷ୍ଟା କଲା କମିଶନରେଟ ପୋଲିସ। ହେଲେ ସେଦିନ ପୋଲିସ କାହିଁକି ଶୁଣିନଥିଲା ସହଦେବଙ୍କ ଅଭିଯୋଗ। ଘଟଣାରେ ପୋଲିସର ସଂପୃକ୍ତି ଥିବା ସନ୍ଦେହରେ ତଦନ୍ତ କଲେନାହିଁ କି ସିପି ଡିସିପି। ଯାହାକୁ ନେଇ ଏବେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଛି ଅନେକ ପ୍ରଶ୍ନ।

ଚଣ୍ଡିଖୋଲରେ ନିକଟରେ ଟ୍ରକ ମାଲିକ ସଂଘର ଧାରଣା, ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ସ୍ପେଶାଲ ଲୋଡିଂ ବ୍ୟବସ୍ଥାକୁ ବନ୍ଦ ଦାବି

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରୁ ଟ୍ରକ ଯୋଗେ କ୍ରୋମାଇଟ ପରିବହନକୁ ନେଇ ଦେଖାଦେଇଛି ବିବାଦ। ମୁହାଁମୁହିଁ ହୋଇଛନ୍ତି ଟ୍ରକ୍ ମାଲିକ ସଂଘ । ସୃଷ୍ଟି ହୋଇଛି ଅଶାନ୍ତିର ବାତାବରଣ । ରୋଜଗାର ହରାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଟ୍ରକ ମାଲିକ। ଚାଲିଛି ଜୋରଦାର ଆନ୍ଦୋଳନ। ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ଅବମାନନା କରିବା ସହ ଟ୍ରକ ଲୋଡିଂରେ ଅନିୟମିତତା ଅଭିଯୋଗରେ ବିଭିନ୍ନ ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । କ୍ରୋମାଇଟ ବୋଝେଇ କରି ଆସୁଥିବା ଟ୍ରକ ଗୁଡିକୁ ଯାଜପୁର ରୋଡ ଓ ଚଣ୍ଡିଖୋଲ ନିକଟରେ ରଖି ୪ଟି ଟ୍ରକ ମାଲିକ ସଂଘ ଧାରଣାରେ ବସିଛନ୍ତି । କାଳିଆପାଣି ଖଣି ଅଞ୍ଚଳରେ ସୁବ୍ୟବସ୍ଥିତ ଢଙ୍ଗରେ କ୍ରୋମାଇଟ ପରିବହନ ପାଇଁ ବହୁ ପୂର୍ବରୁ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମ ଲାଗୁ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ପରେ ବିଭିନ୍ନ ଟ୍ରକ୍ ମାଲିକ ସଂଘର ମିଳିତ ନିଷ୍ପତି କ୍ରମେ ପାର୍କିଂ ବ୍ୟବସ୍ଥା କରାଯାଇ ଏହି ନିୟମରେ ଟ୍ରକ ଲୋଡିଂ କରାଯାଉଥିଲା। ହେଲେ ଗତ ୨୦୨୪ ଅକ୍ଟୋବର ମାସରୁ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଛି। ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ଟ୍ରକ୍ ମାଲିକ ଓ ସୁକିନ୍ଦା ମିନେରାଲ ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ଜୋର ଜବରଦସ୍ତ ସେମାନଙ୍କ ଟ୍ରକ୍ ଲୋଡିଂ କରାଉଥିବା ବେଳେ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ଆସୁଥିବା ଟ୍ରକ୍ ଗୁଡ଼ିକୁ ଲୋଡିଂ ଦିଆଯାଉନାହିଁ। ଫଳରେ ଟ୍ରକ୍ ମାଲିକମାନେ କ୍ଷତି ସହିବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାଧ୍ୟହୋଇ ଗତକାଲି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୪ଟି ଟ୍ରକ୍ ମାଲିକ ସଂଘ ।

ଖଣି ଉପନିର୍ଦ୍ଦେଶକ ଓ ପ୍ରଶାସନର ଗୋଚରରେ ଏସବୁ ହେଉଥିବା ଟ୍ରକ ମାଲିକ ମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏସବୁ ସମସ୍ୟାର ସମାଧାନ କରା ନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି । ସେମାନେ ଖଣି ଓ କାରଖାନା ଦ୍ୱାରା ପ୍ରଭାବିତ ହେଉଥିବାରୁ ସେମାନଙ୍କ ଗାଡିକୁ ଅଗ୍ରାଧିକାର ଭିତ୍ତିରେ ଲୋଡିଂ ଦିଆଯିବା ଦରକାର ବୋଲି ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା କହିଛନ୍ତି । ଅନ୍ୟପଟେ ଏନେଇ ଜିଲ୍ଲା ପ୍ରଶାସନ ବା ଖଣି ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସମସ୍ଯା ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।

ବିଜେପି ଗଡ଼ରେ ପଦ ବଜାୟ ରଖିଲେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର

କାମାକ୍ଷାନଗର : ବିଜେପି ଗଡ଼ରେ ପଦ ବଜାୟ ରଖିଲେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ନାମରେ ଆସିଥିବା ଅନାସ୍ଥା ରଦ୍ଦ ହୋଇଛି l କୋରମ ଅଭାବରୁ ଅନାସ୍ଥା ରଦ୍ଦ ହେବା ନେଇ ଘୋଷଣା କରିଛନ୍ତି କଙ୍କଡାହାଡ଼ ତହସିଲଦାର । ଗତ କିଛିମାସ ତଳେ ଚାରୁଲତା ମିଶ୍ରଙ୍କ ନାମରେ ବ୍ଲକର କିଛି ସରପଞ୍ଚ ଓ ସମିତିସଭ୍ୟ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ l ଯାହାକୁ ନେଇ ଆଜି ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟରେ ଅନାସ୍ଥା ସମ୍ପର୍କିତ ଭୋଟ ଆଗତ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା l ହେଲେ ଅନାସ୍ଥା ବେଳେ ମାତ୍ର ଜଣଙ୍କୁ ଛାଡିଦେଲେ ଆଉ କୌଣସି ସରପଞ୍ଚ, ସମିତିସଭ୍ୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିନଥିଲେ l ଯାହାକୁ ନେଇ ନିର୍ବାଚନ ଦାୟିତ୍ୱରେ ଥିବା କଙ୍କଡାହାଡ଼ ତହସିଲଦାର କୋରମ ଅଭାବରୁ ଅନାସ୍ଥା ରଦ୍ଦ ହେବା ସହ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଚାରୁଲତା ପଦ ବଜାୟ ରଖିବା ନେଇ ସୂଚନା ଦେଇଛନ୍ତି ।

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଅଷ୍ଟମ ଦିନ, କଂସର ଚିଟାଉ ନେଇ ଅକ୍ରୂରଙ୍କ ଗୋପପୁର ଗମନ

ବରଗଡ଼ : ସାରା ଗୋପପୁର ହୋଇପଡ଼ିଛି କୃଷ୍ଣମୟ । କୃଷ୍ଣ ପ୍ରେମରେ ରାଧାଙ୍କ ସହ ଷୋହଳ ସହସ୍ର ଗୋପୀ ହୋଇପଡ଼ିଛନ୍ତି ଆତ୍ମବିଭୋର । ଗୋଟିଏ ପରେ ଗୋଟିଏ ଲିଳା କରିଚାଲିଛନ୍ତି ନଟଖଟିଆ କାହ୍ନୁ । କେତେବେଳେ ଗୋପୀଙ୍କ ଦଧିହାଣ୍ଡି ଭାଗୁଛନ୍ତି ତ ଆଉ କେତେବେଳେ ବସ୍ତ୍ରହରଣ କରୁଛନ୍ତି । ପ୍ରତିଦିନ ଭଳି ରାଧା ଓ ଗୋପୀମାନେ ମଥୁରାକୁ ଦଧି ବିକି ଗୋପପୁର ଫେରିବା ବାଟରେ ଯମୁନା ପାରି ହୋଇ ଆସିଲା ବେଳେକୁ କୃଷ୍ଣ ନାଉରିଆ ବେଶରେ ଜଗି ରହିଥାନ୍ତି । ତା ପରେ ହୋଇଥାଏ ରାଧାକୃଷ୍ଣଙ୍କ ନାବକେଳି । ସପ୍ତମ ଦିନର ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧ ଠାରେ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା । ଯାହାକୁ ଦେଖି ଆତ୍ମବିଭୋର ହୋଇପଡ଼ିଥିଲେ ଦର୍ଶକ ।

ଏପେଟ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମହାରାଜ କଂସ କରିଚାଲିଛନ୍ତି ଷଢ଼ଯନ୍ତ୍ର । କଳେବଳେ କୌଶଳେ କିପରି କୃଷ୍ଣ ବଳରାମଙ୍କୁ ନିଧନ କରିବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଠିକ ଏତିକି ବେଳେ ଦେବର୍ଷି ନାରଦ ଧନୁଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ମଥୁରାରେ ଆୟୋଜିତ ଏହି ଧନୁଯାତ୍ରା ଦେଖିବାକୁ କୃଷ୍ଣ ବଳରାମଙ୍କୁ ନେଇ ଆସିବା ପାଇଁ ମନ୍ତ୍ରୀ ଅକ୍ରୂରଙ୍କ ହାତରେ ଏକ ଚିଟାଉ ଦେଇ ପଠାଇଛନ୍ତି ଗୋପପୁରକୁ । ଏହା ସହ ମଥୁରା ପହଂଚିବା ପରେ ଯେପରି କୃଷ୍ଣ ବଳରାମ ଗୋପପୁରକୁ ଫେରି ନପାରିବେ ସେନେଇ ମହାରାଜ କଂସ ସମସ୍ତ ପ୍ରହାରୀମାନଙ୍କୁ ସଜାଗ କରିଛନ୍ତି । ଏବଂ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଶଙ୍ଖଚୁଡ ସାପକୁ ଗୋପକୁ ପଠାଇଛନ୍ତି । ଧନୁଯାତ୍ରାର ଅଷ୍ଟମ ଦିବସରେ ଆଜି ମହାରାଜ କଂସଙ୍କ ନଗରଭ୍ରମଣ, ଇନ୍ଦ୍ରଙ୍କ ସହ ଯୁଦ୍ଧ ଓ ବନ୍ଦୀ, ଯମପୁର ଆକ୍ରମଣ ଦୃଶ୍ଯ ଅଭୀନିତ ହେବ । ତା ସାଙ୍ଗକୁ ଅକ୍ରୁରଙ୍କ ଗୋପପୁର ଗମନ ଓ ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ , କୃଷ୍ଣ ବଳରାମ ସହ ଅକ୍ରୂରଙ୍କ ସାକ୍ଷାତ ଶ୍ରୀକୃଷ୍ଣଙ୍କ ଗୀରି ଗୋବର୍ଦ୍ଧନ ଧାରଣ, ଆଦି ଦୃଶ୍ୟ ଅଭିନୀତ ହେବ ।

ହଜିଗଲାଣି କେନ୍ଦରା ବାଦ୍ୟ, କୂଳ ବେଉଶା ପ୍ରତି ମୁହଁ ଫେରାଇଲେଣି କେନ୍ଦରା ବାଦକ

ପୁରୁଷୋତ୍ତମପୁର : ଗାଁ ଦାଣ୍ଡରେ ଆଉ ଶୁଭୁନି କେନ୍ଦରା ବାଦ୍ୟ । କି ଶୁଭୁନି ସୁମଧୁର ଲୋକ ସଙ୍ଗୀତ ।  ଆଧୁନିକତାର ଛାପରେ ମିଳେଇଯାଇଛି  ପୁରୁଣା ଲୋକ ସଂସ୍କୃତି । ଏହି ବାଦ୍ୟ ବଜାଇବା ତ ଦୂରର କଥା ଏହି ଲୋକ କଳା ଶିଖାଇବାକୁ ଗୁରୁନାହାନ୍ତି । ଧିରେ ଧିରେ ଏଭଳି ନିଆରା ବାଦ୍ୟଯନ୍ତ୍ର ବଜାଇବା ପ୍ରତି ମୁହଁ ଫରାଇଲେଣି କଳାକାର । ଆଜିକୁ ପ୍ରାୟ ୩୦ ବର୍ଷ ପୂର୍ବେ ଗାଁ ଗହଳିରେ ସଭିଙ୍କର ପ୍ରିୟ ବାଦ୍ୟ ଥିଲା କେନ୍ଦରା ।  କେନ୍ଦରା ବାଦ୍ୟକୁ ଶୁଣିବା ପରେ ଲୋକେ ଖୁସି ହୋଇ ବାଦକଙ୍କୁ ଟଙ୍କା କିମ୍ବା ଚାଉଳ ଦେଉଥିଲେ । କେନ୍ଦରା ବଜାଇ କଳାକାର ନିଜର ଗୁଜୁରାଣ ମେଣ୍ଟାଉଥିଲେ । କେନ୍ଦରା ବାଦ୍ୟର ଆଉ ଚାହିଦା ନଥିବାରୁ ଏହାକୁ ନେଇ ପରିବାର ପ୍ରତିପୋଷଣ କରିବା କଷ୍ଟକର । ଏଥିରୁ ନିବୃତ୍ତ ରହି ପେଟପାଟଣା ପାଇଁ ଅନ୍ୟ ରାସ୍ତା ଆପଣାଉଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର କିଛି କେନ୍ଦରା ବାଦକ।

କେନ୍ଦରା ବାଦ୍ୟ ସହ ଯେଉଁ ସଙ୍ଗୀତ ପରିବେଷଣ କରାଯାଉଥିଲା ତାହା ଥିଲା ନାଥ ସମ୍ପ୍ରଦାୟର ଗୀତ । ଖ୍ରୀଷ୍ଟ ପୂର୍ବ  ୧୨୦୦ ମଧ୍ୟରେ ଗୋରଖନାଥ କେନ୍ଦରା ବାଦ୍ୟ ଗୀତକୁ ଆରମ୍ଭ କରିଥିଲେ ବୋଲି ପୌରାଣିକ ମତ ରହିଛି । ସେହି ସମୟରେ ନାଥ ସମ୍ପ୍ରଦାୟର ଲୋକେ କେନ୍ଦରା ବାଦ୍ୟ ସହ ଗୀତ ମାଧ୍ୟମରେ ଏ ସଂସାର ହେଉଛି କ୍ଷଣସ୍ଥାୟୀ, ଏଠି ଗର୍ବ, ମାନ ଅଭିମାନର ସ୍ଥାନ ନାହିଁ । କେବଳ ଭଗବାନ ହିଁ ସର୍ବେ ସର୍ବା ବୋଲି ବାର୍ତ୍ତା ପ୍ରଚାର କରୁଥିଲେ । ପୁରୁଣା ସଂସ୍କୃତି ଓ ଲୋକ କଳାକୁ ଛାଡ଼ି ଦାନନ ଖଟି ବାହାର ରାଜ୍ୟକୁ ବାହୁରୁଛନ୍ତି କଳାକାର ।  ସରକାର କେନ୍ଦରା ବାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ପଦକ୍ଷେପ ନେଲେ ଏହି ଲୋକକଳା ପୁଣି ଉଜ୍ଜିବିତ ହୋଇପାରିବ।

ହାରିଯିବା ଭୟରେ କରିଥିଲେ ଚକ୍ରାନ୍ତ ! କୋରମ ଅଭାବରୁ ଝାରସୁଗୁଡ଼ା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ସ୍ଥଗିତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ସ୍ଥଗିତ  । ଚକ୍ରାନ୍ତ କରି ସ୍ଥଗିତ କରାଯାଇଥିବା ଅଭିଯୋଗ  । ପିଆରଆଇ ସଦସ୍ୟ କେମିତି ଅନାସ୍ଥା ଭୋଟରେ ଭାଗ ନେଇପାରିବେନି ସେ ନେଇ ହୋଇଥିଲା ଚକ୍ରାନ୍ତ ।  ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଭୟଭିତ ହୋଇପଡିଛି ବିଜେପି । ବିଜେଡି ନେତା ତଥା ପୂର୍ବତନ ବିଧାୟିକା ଦୀପାଳିଙ୍କ ଭାଇ ବିଶାଲ ଦାସଙ୍କୁ ଛତିଶଗଡ଼ ପୋଲିସ ଏବେ ରଖିଛି ଅଟକ। ବିଶାଲଙ୍କ ସହ ପିଆରଆଇ  ସଦସ୍ୟଙ୍କୁ ମଧ୍ୟ ଅଟକ ରଖାଯାଇଛି। ବିଜେଡି ସମର୍ଥିତ ପିଆରଆଇ ସଦସ୍ୟ ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ । ଶୁକ୍ରବାର ଅନାସ୍ଥା ଭୋଟ ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପିଆରଆଇ ସଭ୍ୟମାନେ ପୂର୍ବରୁ ଅଘଟଣର ଆଶଂକା କରିଥିଲେ । ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ ପିଆରଆଇ ସଦସ୍ୟ। ଭିଡ଼ିଓ ଜାରି କରି ମାଗିଥିଲେ ସୁରକ୍ଷା । ସେମାନଙ୍କୁ ସୁରକ୍ଷା ଦେଇପାରିନଥିବା ବେଳେ ପିଆରଆଇ ସଦସ୍ୟଙ୍କୁ ପୋଲିସ ଅଟକ ରଖିଛି।

ଉତ୍ତରାଞ୍ଚଳ ଆଇଜି ଘଟଣା ସମ୍ପର୍କରେ ଅବଗତ ଥିଲେ ମଧ୍ୟ ସୁରକ୍ଷା ଦେଇନଥିବା କୁହାଯାଉଛି। ରାଜ୍ୟରେ ବିଜେପି ସରକାର ଥିବାବେଳେ ଛତିଶଗଡ଼ରେ ମଧ୍ୟ ବିଜେପି ସରକାର ରହିଛି। ସରକାରଙ୍କ ଚାପରେ ପୋଲିସ ଏଭଲି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଅନାସ୍ଥା ଭୋଟରେ ପିଆରଆଇ ସଦସ୍ୟ ସାମିଲ ହୋଇନପାରନ୍ତି ଏହାର ଦାୟୀ ରାଜ୍ୟ ସରକାର ହେବେ ବୋଲି କହିଛନ୍ତି ଦୀପାଳି ଦାସ। ଗଣତନ୍ତ୍ରର ଏହା ହତ୍ୟା ବୋଲି ସମାଲୋଚନା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ବିଜେଡି ପୂର୍ବତନ ବିଧାୟିକା । ଧାର୍ଯ୍ୟ ସମୟ ମଧ୍ୟରେ ଆବଶ୍ୟକ ସଦସ୍ୟ ନ ଆସିବାରୁ ଅନାସ୍ଥା ଭୋଟ ବାତିଲ ହୋଇଛି। ଥରେ ଅନାସ୍ଥା ଭୋଟ ବାତିଲ ହେବା ପରେ ନିୟମ ଅନୁଯାୟୀ ବର୍ଷେ ପରେ ପୁଣି ଅନାସ୍ଥା ଭୋଟ ହୋଇପାରିବ କହିଲେ ଉପ ଜିଲ୍ଲାପାଳ। କିର୍ମିରା ବ୍ଲକରେ ବିଜେଡିର ସମିତି ସଭ୍ୟ ଓ ସରପଞ୍ଚଙ୍କ ସଂଖ୍ୟା ୧୨। କିର୍ମିରା ବ୍ଲକରେ ବିଜେପିର ସମିତି ସଭ୍ୟ ଓ ସରପଞ୍ଚଙ୍କ ସଂଖ୍ଯା ମାତ୍ର ୪। ଅନାସ୍ଥା ଭୋଟ ହୋଇଥିଲେ ବ୍ଲକ ଅଧ୍ୟକ୍ଷା ହାରିବା ନିଶ୍ଚିତ ଥିଲା । ସେଥିପାଇଁ ଏଭଳି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । ଏପରିକି ପୋଲିସ ମଧ୍ୟ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଜଣାପଡିଛି ।

ପାଞ୍ଚଦିନ ପରେ ବି ଖଣି ଭିତରେ ଫସିଛନ୍ତି ଶ୍ରମିକ

ଦିସପୁର : ପାଞ୍ଚଦିନ ପରେ ବି ଖଣି ଭିତରେ ଫସିଛନ୍ତି ଶ୍ରମିକ । ଭାରତୀୟ ବାୟୁସେନା, ନୌସେନା ଓ ସେନାର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ଉଦ୍ଧାର ହୋଇପାରିନାହାନ୍ତି ଶ୍ରମିକ । ଆସାମର ଦିମା ହାସାଓ ଜିଲ୍ଲା ଅନ୍ତର୍ଗତ ଉମରାଙ୍ଗସୋର ୩ କିଲୋ କୋଲ କ୍ବାରୀରେ ଗତ ୬ ତାରିଖଠାରୁ ଫସିଛନ୍ତି ଶ୍ରମିକ । ଖଣି ଭିତରେ ପାଣି ପଶିଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି । ଗତକାଲି ଜଣେ ଶ୍ରମିକଙ୍କ ମୃତଦେହ ବାହାର କରାଯାଇଥିଲା । ଖଣି ଭିତରେ ଆଉ ୮ ଜଣ ଶ୍ରମିକ ଫସିଥିବା ସୂଚନା ମିଳିଛି । ବିଶେଷଜ୍ଞମାନେ କହିଛନ୍ତି ଖଣିରେ ବର୍ତ୍ତମାନ ପାଣି ପଶିଯାଇଛି ଏବଂ ତାହା କୋଇଲା ମିଶ୍ରିତ ପାଣି ହୋଇଯାଇଥିବାରୁ ତାହା ଏସିଡିକ୍ ଓ ଘନ ହୋଇଯାଇଛି । ଫଳରେ ଖଣି ଭିତରେ କିଛି ଦେଖାଯାଉନାହିଁ । ଉଦ୍ଧାରକାରୀ ଟିମର ସମସ୍ତ ଉଦ୍ୟମ ସତ୍ତ୍ବେ ସେମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ । ଖଣି ଭିତରକୁ ରିମୋଟ କଣ୍ଟ୍ରୋଲ୍ଡ ଯନ୍ତ୍ରପାତି ପଠାଯାଇଥିଲେ ତାହା ଫେଲ୍ ମାରିଛି । ଏହି ଖଣି ୩୦୦ ଫୁଟ ଗଭୀର ଏବଂ ସେଠାରୁ ପାଣି ନିଷ୍କାସନ କରିବା ଲାଗି ଅନେକ ପମ୍ପ ଲାଗିଛି । ଗତ ୮ତାରିଖରେ ଏକ ସି-୧୩୦ ହରକ୍ୟୁଲସ ପ୍ଲେନରେ  ଘଟଣାସ୍ଥଳକୁ ଓ୍ବେଷ୍ଟର୍ଣ୍ଣ କୋଲଫିଲ୍ଡସର ଏକ ୫ ଜଣିଆ ଟିମ ଯାଇଥିଲେ । ସେମାନେ ସାଥୀର ନେଇଥିବା ଉଚ୍ଚକ୍ଷମତାସମ୍ପନ୍ନ ପାଣି ପମ୍ପ ବି ନେଇଥିଲେ । ଏହି ପମ୍ପର କ୍ଷମତା ଥିଲା ୧୫୦ ମିଟର ତଳୁ ପ୍ରତି ମିନଟରେ ୫୦୦ ଗ୍ୟାଲନ ଜଳ ନିଷ୍କାସନ କରିବା । ତେବେ ଜଳର ଉଚ୍ଚତା ୧୦୦ ଫୁଟ କ୍ରମାଗତ ରହିଥିବାରୁ ଉଦ୍ଧାର କାର୍ଯ୍ୟ ଫେଲ୍ ମାରିଛି । ଖଣିରୁ କୋଇଲା ଉତ୍ତୋଳନ ଲାଗି ରାଟ ହୋଲରେ ଶ୍ରମିକମାନେ ବିପଜ୍ଜନକ ଅବସ୍ଥାରେ କାମ କରୁଥିଲେ । ସେହି ହୋଲଗୁଡିକ ମାତ୍ର ୩ ଫୁଟର ଏବଂ ଶ୍ରମିକଙ୍କ ମୁଣ୍ଡ ଉପରେ ମାତ୍ର ୪-୫ ଇଞ୍ଚର ଗ୍ଯାପ ରହୁଥିଲା ବୋଲି ଜଣେ ଶ୍ରମିକ କହିଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର : ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛତିଶଗଡ଼ ସରେଇପାଲି ଥାନାରେ ଅଟକ ଅଛନ୍ତି PRI ସଦସ୍ୟ । କିର୍ମିରା PRI ସଦସ୍ୟ ଅଟକ ପ୍ରସଙ୍ଗରେ ଚିଠି ଲେଖିଛନ୍ତି ନବୀନ । ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ନବୀନ । ଅଟକ PRI ସଦସ୍ୟଙ୍କ ମଧ୍ୟରେ ଅଛନ୍ତି କିଛି ମହିଳା।କିର୍ମିରା ବ୍ଲକ ବିରୋଧରେ ୧୨ ସଦସ୍ୟ ଆଣିଛନ୍ତି ଅନାସ୍ଥା ।  ସଦସ୍ୟ ଉପସ୍ଥିତ ନରହିବାରୁ ସ୍ଥଗିତ ରହିଲା ଅନାସ୍ଥା ଭୋଟ । ଅନାସ୍ଥାରେ ହାରିଯିବା ଭୟରେ ବିଜେପି ଏଭଳି ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି  । ନବ ଦାସଙ୍କ ପୁଅ ବିଶାଲଙ୍କୁ ଛତିଶଗଡରେ ଅଟକ ରଖାଯାଇଛି ।  ଭୋଟରେ ସାମିଲ ନହୋଇପାରିବା ଲାଗି ଚକ୍ରାନ୍ତ ହୋଇଛି  ।

ଲୋହରୀ ଶବ୍ଦର ଅର୍ଥ କ’ଣ ? ଏବଂ ଏହା କାହିଁକି ପାଳନ କରାଯାଇଥାଏ ?

ନନ୍ଦିଘୋଷ ବ୍ୟୁରୋ: ଲୋହରୀ ଶିଖ ଧର୍ମର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହା ପ୍ରତିବର୍ଷ ମକର ସଂକ୍ରାନ୍ତିର ପୂର୍ବଦିନ ରାତିରେ ପାଳନ କରାଯାଏ  । ଲୋହରୀ ଦିନ ପବିତ୍ର ଅଗ୍ନି ଜାଳି ପୂଜା କରାଯାଏ। ପଞ୍ଜାବର ଲୋକମାନେ ଲୋହରୀ ପର୍ବକୁ ବହୁତ ଉତ୍ସାହର ସହ ପାଳନ କରନ୍ତି । ଏହି ପର୍ବ ସୁଖ, ସମୃଦ୍ଧତା ଏବଂ ସୁଖର ପ୍ରତୀକ ବୋଲି କୁହାଯାଏ । ଏହି ପର୍ବ ସର୍ବାଧିକ ହରିୟାଣା ଏବଂ ଦିଲ୍ଲୀରେ ପାଳନ କରାଯାଇଥାଏ । ଏହି ଦିନ କୃଷକମାନେ ଅଗ୍ନିରେ ନୂତନ ଫସଲ ଉତ୍ସର୍ଗ କରନ୍ତି ଏବଂ ସୂର୍ଯ୍ୟ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି  । ଏହା ପରେ ସେମାନେ ଏକତ୍ର ହୋଇ ଖୁସିରେ ନାଚଗୀତ କରନ୍ତି ।

ଲୋହରୀ ଶବ୍ଦର ଅର୍ଥ କ’ଣ ?

ଲୋହରୀ ପର୍ବ ମକର ସଂକ୍ରାନ୍ତି ପୂର୍ବରୁ ରାତିରେ ପାଳନ କରାଯାଏ  । ଲୋହରୀର ଅର୍ଥ ହେଉଛି – ଲା (କାଠ), ଓହ (ଘଷି) ଏବଂ ଡି (ରେୱାରୀ), ତେଣୁ ଏହି ଦିନ କଦଳୀ, ତେଲ, ଗୁଣ୍ଡ, ଗଜାକ, ଚିଡୱେ, ମକା ପୋଡି ଦିଆଯାଏ  । ଲୋହରୀର ଅଗ୍ନି ଭର୍ନା କରିବା ପରେ ଖାଇବା ପରମ୍ପରା ଅଛି  । ଏହି ପର୍ବରେ ୨୦-୩୦ ଦିନ ପୂର୍ବରୁ ପିଲାମାନେ ଲୋହରୀର ଲୋକ ଗୀତ ଗାଇ କାଠ ଏବଂ ଘଷି ସଂଗ୍ରହ କରନ୍ତି  । ଏହା ପରେ, ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଛକ କିମ୍ବା ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଖୋଲା ସ୍ଥାନରେ ନିଆଁ ଜଳାଯାଇ ଘଷିର ମାଳ ଚଢାଯାଏ ଏହାକୁ ଚର୍ଖା ଅର୍ପଣ କୁହାଯାଏ ।

ଲୋହରୀ କାହିଁକି ପାଳନ କରନ୍ତି?

ଲୋହରୀ ପର୍ବ ପାଳନ କରିବା ପଛରେ ଅନେକ ଲୋକକଥା ଅଛି । ଏହି ପର୍ବ ଭଗବାନ ଶ୍ରୀକୃଷ୍ଣ ଏବଂ ଦୁଲା ଭଟ୍ଟୀଙ୍କ ସହ ଜଡିତ ବୋଲି ବିବେଚନା କରାଯାଏ। ଲୋକକଥା ଅନୁଯାୟୀ, ଦୁଲ୍ଲା ଭଟ୍ଟୀ ନାମକ ଜଣେ ବ୍ୟକ୍ତି ଥିଲେ ଯିଏ ଅନେକ ଝିଅଙ୍କୁ ଧନୀ ବ୍ୟବସାୟୀଙ୍କଠାରୁ ରକ୍ଷା କରିଥିଲେ । ସେତେବେଳେ ଝିଅମାନଙ୍କୁ ଧନୀ ପରିବାରକୁ ବିକ୍ରି କରାଯାଉଥିଲା । ଦୁଲା ଭଟ୍ଟୀ ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ସମସ୍ତ ଝିଅଙ୍କୁ ଉଦ୍ଧାର କରି ସେମାନଙ୍କୁ ବିବାହ କରିଥିଲେ । ଲୋହରୀ ଦିନ ତାଙ୍କୁ ସ୍ମରଣ କରାଯାଏ, ତେଣୁ ଲୋହରୀ ଦିନ ଦୁଲା ଭଟ୍ଟୀଙ୍କ ଗୀତ ଗାଇବାର ପରମ୍ପରା ଅଛି |

ମୃତ୍ୟୁ ପୂର୍ବରୁ ସହଦେବଙ୍କୁ ରାସ୍ତାରୁ ହଟାଇଦିଆଯିବା ଲାଗି ମିଳିଥିଲା ଧମକ : ବିଜେଡି

ଭୁବନେଶ୍ବର: ରାଜ୍ୟରେ ଚାଲିଛି ଜଙ୍ଗଲରାଜ । ସହଦେବ ନାୟକଙ୍କୁ ଜେଲରେ ପୁରାଇବାକୁ ଚାଲିଥିଲା ଯୋଜନା । ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଦିଆଯାଇଥିଲା ଧମକ । ସହଦେବ ନାୟକ ସାହସର ସହ ମୁକାବିଲା କରିଛନ୍ତି । ସ୍ପେଶାଲ ସ୍କ୍ବାଡ ନାମରେ ସହଦେବଙ୍କୁ କରାଯାଉଥିଲା ହଇରାଣ । ମୃତ୍ୟୁ ପୂର୍ବରୁ ସହଦେବଙ୍କୁ ରାସ୍ତାରୁ ହଟାଇଦିଆଯିବା ଲାଗି ମିଳିଥିଲା ଧମକ । ଡିସିପିଙ୍କୁ ବି ଏନେଇ ମିଳିଥିଲା ସୂଚନା । ହେଲେ ତଥାପି ସହଦେବଙ୍କୁ ହତ୍ୟା କରାଗଲା । ପୋଲିସ କିଛି କରିପାରିଲାନି । ପୋଲିସ ୫ ଜଣଙ୍କୁ ଗିରଫ କରି ବାହାବା ନେବାକୁ ଚେଷ୍ଟା କରୁଛି ବୋଲି ବିଜେଡି ପୁଣି ପ୍ରେସମିଟ କରି ବର୍ଷିଛି ।

ହତ୍ୟା ପଛରେ ବହୁତ କିଛି ରହସ୍ୟ ଅଛି । ନଭେମ୍ବର ୩ ତାରିଖର ଭିଡିଓ ଦେଖାଇ ସହଦେବ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । କିନ୍ତୁ ପୋଲିସ ତାଙ୍କୁ ସୁରକ୍ଷା ଦେଇପାରିଲାନାହିଁ । ହତ୍ୟା ପଛରେ କ’ଣ କାରଣ ରହିଛି ଭିଡିଓରୁ ସ୍ପଷ୍ଟ ହୋଇଛି । ସହଦେବ ନାୟକ ବ୍ରାଉନସୁଗାର ବେପାରକୁ ବିରୋଧ କରୁଥିଲେ । ଅନ୍ୟପଟେ ନଭେମ୍ବର ୧ କିମ୍ବା ୨ ରାତିରେ ସହଦେବଙ୍କ ଘରକୁ କିଏ ଯାଇଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି । ପୋଲିସକୁ କହିବା ପରେ ବି ପୋଲିସ ତଦନ୍ତ ହେଲା ନାହିଁ । ବିଜେଡି ବଡ଼ ଅଭିଯୋଗ କରି କହିଛି, ସହଦେବ ନାୟକଙ୍କୁ ଜେଲରେ ପୂରାଇବାକୁ ଯୋଜନା ଚାଲିଥିଲା ।

ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଧମକ ଦିଆଯାଇଥିଲା । ସହଦେବ ନାୟକ ସାହସର ସହ ମୁକାବିଲା କରିଛନ୍ତି । ହତ୍ୟା ପଛରେ ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଭୂମିକା ସନ୍ଦେହରେ ରହିଛି । ସହଦେବଙ୍କ ଘରେ ଥିବା ସିସିଟିଭି ଫୁଟେଜର ତଦନ୍ତ ହେବା ଦରକାର । ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠୁଛି । ହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର ।