ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବୃଆରୀ ୧ରେ ଆଗତ ହେବ ୨୦୨୫-୨୬ କେନ୍ଦ୍ର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ବଜେଟ। ବଜେଟ ଆଗତ ପୂର୍ବରୁ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ। ବଡ଼କଥା ହେଉଛି ଲଗାତାର ଅଷ୍ଟମ ଥର ଲାଗି ବଜେଟ ଆଗତ କରିବେ ନିର୍ମଳା। ଦେଶରେ ମହଙ୍ଗାମାଡ଼ ଜାରି ରହିଥିବାବେଳେ ବଜେଟର ରୂପରେଖ କିପରି ରହିବ ତାଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ଗତ ସଂସଦ ଅଧିବେଶନରେ ଆଦାନୀ, ସମ୍ବିଧାନ ସୁରକ୍ଷା, ଚାଷୀ ସମସ୍ଯା ସମେତ ଅନ୍ଯାନ୍ଯ ବହୁ ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜି ଯୋଗୁ ଉଭୟ ଗୃହର କାର୍ଯ୍ଯ ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ବଜେଟ ଅଧିବେଶନରେ କିପରି ଶାନ୍ତିଶୃଙ୍ଖଳାରେ ଗୃହ ସୁରୁଖୁରୁରେ ଚାଲିପାରିବ ସେଥିପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିବେ। ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ବଜେଟ ଅଧିବେଶନ ଆରମ୍ଭରେ ଗୃହରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ଯାଏ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏ ଚାଲିବ। ଫେବୃଆରୀ ୩ରୁ ୫ ଯାଏ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଗତ ଜାନୁଆରୀ ୨୩ରେ ବଜେଟ ଲାଗି ପାରମ୍ପରିକ ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଥିଲା।
ଉତ୍କର୍ଷ ଓଡ଼ିଶା ସମ୍ମିଳନୀ, ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ
ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଦୁଇ ଦିନିଆ ଉତ୍କର୍ଷ ଓଡିଶା ସମ୍ମିଳନୀ। ଦୁଇ ଦିନିଆ ଉତ୍କର୍ଷ ଓଡିଶା ସମ୍ମିଳନୀ ଅପାର ସଫଳତା ଆଣିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ୧୪୫ଟି ଏମଓୟୁ ସ୍ବାକ୍ଷର ହୋଇଛି । ଯାହାକି ଓଡ଼ିଶାର କାୟା କଳ୍ପ ପରିବର୍ତ୍ତନ କରିବ । ଏହି ଅବସରରେ ୧୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଏମଓୟୁ ସ୍ବାକ୍ଷର ହୋଇଛି। ୮.୯୪ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବ । ୩.୮୪ ଲକ୍ଷ କୋଟି ଟଙ୍କାର ୪୪୮ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଏହା ଦ୍ୱାରା ୩.୯୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୋଟ ୨୦ଟି କ୍ଷେତ୍ରରେ ପ୍ରାୟ ୧୬ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ସିଙ୍ଗାପୁର ଓ ମାଲେସିଆ ଭଳି ୧୬ ଦେଶର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ହାତୀ ମୃତ୍ୟୁ ରୋକିଲା ଏଆଇ ଟାଓ୍ବାର କ୍ୟାମେରା
ରାଉରକେଲା: ହାତୀ ମୃତ୍ୟୁ ରୋକିଲା AI ଟାଓ୍ବାର କ୍ୟାମେରା। ସଫଳ ହେଲା ବନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ। ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ଓ ଜଙ୍ଗଲର ନିଆଁ ରୋକିବା ପାଇଁ ରାଉରକେଲା ବନଖଣ୍ଡର ୪ ଟି ସ୍ଥାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଲଗାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାର ଡଲାକୁଦର, ଚାନ୍ଦୋପୋଷ, ମହିପାଣି ଓ ସୋନାଖାନ ନିକଟରେ ୧୨୦ ଫୁଟ ଉଚ୍ଚତା ବିଶିଷ୍ଟ ଟାୱାର ନିର୍ମାଣ କରାଯାଇ କ୍ୟାମେରା ଲଗାଯାଇଥିଲା। ୫ କିଲୋମିଟର ଦୂରତ୍ଵ ପର୍ଯ୍ୟନ୍ତ କ୍ୟାମେରା କାମ କରୁଥିବା ବେଳେ ୩୬୦ ଡିଗ୍ରୀ ଦୃଶ୍ୟ ରେକର୍ଡ କରିପାରୁଛି। ଗତ ଡ଼ିସେମ୍ବର ମାସ ୬ ତାରିଖ ସନ୍ଧ୍ୟାରେ ୨୮ ଟିକିଆ ହାତୀପଲଙ୍କ ମଧ୍ୟରୁ ୫ ଟି ହାତୀପଲ ରେଲୱେ ଟ୍ରାକ ନିକଟକୁ ଆସିଥିବା କ୍ୟାମେରାରୁ ଜଣାପଡିଥିଲା । ପରେ ଟ୍ରେନ ଅଟକାଇ ହାତୀପଲଙ୍କ ଜୀବନ ରକ୍ଷା କରାଯାଇ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇ ଦିଆଯାଇ ପାରିଥିଲା। ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ରାଉରକେଲା ବନ ବିଭାଗ ଭଲ କାର୍ଯ୍ୟ କରୁଥିବାରୁ ରାଉରକେଲା ଡିଏଫଓଙ୍କୁ ପୁରସ୍କୃତ କରାଯାଇଛି।
AI କ୍ୟାମେରା ଜରିଆରେ ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ରାଉରକେଲା ଡିଏଫଓଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏବେ ଅନ୍ୟ ୧୫ଟି ସ୍ଥାନରେ କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି । ୨୦୧୩ ମସିହାରୁ ୨୦୨୪ ମସିହା ମଧ୍ୟରେ ରାଉରକେଲା ବନଖଣ୍ଡରେ ୨୦ ଟି ହାତୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ AI ଟାୱାର କ୍ୟାମେରା ଲାଗାଯିବା ପରେ ହାତୀ ମୃତ୍ୟୁ ରୋକାଯାଇ ପାରିଛି ।
ଜୟପୁର ବିମାନ ବନ୍ଦରକୁ ମିଳିପାରୁନି 3C ଲାଇସେନ୍ସ
କୋରାପୁଟ: ଜୟପୁର ବିମାନ ବନ୍ଦରକୁ ମିଳିପାରୁନି 3C ଲାଇସେନ୍ସ। ବଡ଼ ବିମାନ ଉଡିବା ପାଇଁ ହୋଇ ପାରୁନି ବିମାନ ବନ୍ଦରର ସମ୍ପ୍ରସାରଣ। ନୂଆ ସରକାର ଆସିବାର ହେଲାଣି ୭ ମାସ। ହେଲେ ଇଞ୍ଚେ ବି ଏୟାରପୋର୍ଟର ବଢିନି ରନଓ୍ବେ କାମ। ପୂର୍ବ ସରକାର ସମୟରେ ଗମନାଗମନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା। ଜୟପୁର ସହରରେ ଏକ ବିମାନ ବନ୍ଦର କରିବାକୁ ବହୁ ପ୍ରଚେଷ୍ଠା କରିଥିଲେ ନବୀନ। ସେତେବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ 2 B ଲାଇସେନ୍ସ ଦେଇଥିଲେ । ତାହାପରେ 9 ଟିକିଆ ବିମାନ ଚଳାଚଳ କରିଥିଲା। ପରେ 2 C ଲାଇସେନ୍ସ ମଧ୍ଯ ମିଳିଥିଲା। କିନ୍ତୁ ନୁଆଁ ସରକାର ଆସିବା ପରେ ଏବେ ଜୟପୁର ବିମାନ ବନ୍ଦର ସେତିକିରେ ସେମିତି ହୋଇରହିଯାଇଛି । 9 ସିଟ୍ ବିଶିଷ୍ଟ ବିମାନ ଚାଲିବା ପାଇଁ ୧୧୯୫ ମିଟର ରନ୍ ୱେ ତିଆରି ହୋଇଥିଲା। 3C ଲାଇସେନ୍ସ ମିଳିବା ପାଇଁ ବିମାନ ବିନ୍ଦରକୁ ସଂପ୍ରସାରଣ କରିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନର ବିଜେପି ସରକାର ଏଥିପ୍ରତି କୌଣସି ପଦକ୍ଷେପ କରୁନଥିବା ଅଭିଯୋଗ ହୋଇଛି।
ଜୟପୁରରୁ ଭୁବନେଶ୍ବର ଓ ବିଶାଖାପାଟଣକୁ ଯାଉଛି ବିମାନ। ପୁର୍ବ ସରକାର ୭୨ ଜଣିଆ ବିମାନ ଉଡିବାକୁ ରନ୍ ଓ୍ବେ ତିଆରି କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ସମସ୍ୟା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଜେନାଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସେପଟେ ଜମି ଅଧିଗ୍ରହଣ କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଅନୁମୋଦନ କଲେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ।
ଜାତୀୟ ରାଜପଥ ପାଲଟିଛି ମୃତ୍ଯୁପଥ
ଯାଜପୁର: ଜାତୀୟ ରାଜପଥ ପାଲଟିଛି ମୃତ୍ଯୁପଥ। ପାଦେ ପାଦେ ବିପଦ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଘଟୁଛି ସଡ଼କ ଦୁର୍ଘଟଣା। ବିଶେଷ କରି ଜାତୀୟ ରାଜପଥରେ ବେଆଇନ ପାର୍କିଂ ଓ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେତୁ ପ୍ରତିଦିନ ଘଟୁଛି ଦୁର୍ଘଟଣା। ୫୩ ନମ୍ବର ଜାତୀୟ ରାଜପଥଟି ପାରାଦ୍ୱୀପରୁ ଶିଳ୍ପ ନଗରୀ କଳିଙ୍ଗନଗରକୁ ସଂଯୋଗ କରୁଛି। ଏହି ଜାତୀୟ ରାଜପଥଟି ବହୁ ଗୁରୁତ୍ଵ ବହନ କରୁଛି। ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଗମନାଗମନ କରୁଛି। ହେଲେ ବହୁ ବର୍ଷ ପରେ ବି ଏହି ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ଯେଉଁଥିପାଇଁ ବାରମ୍ବାର ସଡକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଫଳରେ ଅକାଳରେ ଚାଲିଯାଉଛି ବହୁ ନିରୀହ ଜୀବନ । ପ୍ରତ୍ୟେକ ବର୍ଷ ସଡ଼କ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ ହେଉଥିଲେ ସୁଦ୍ଧା ସଡ଼କ ଦୁର୍ଘଟଣା କମିବାରେ ନା ନେଉନି।
ସେହିପରି ଚଣ୍ଡିଖୋଲ ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ମଧ୍ୟ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି। ରାସ୍ତାରେ ଗାଡ଼ି ରଖିବା ପାଇଁ କୌଣସି ପାର୍କିଂର ସୁବିଧା ନ ଥିବାରୁ ଗାଡ଼ି ଗୁଡ଼ିକ ଜାତୀୟ ରାଜପଥ ଉପରେ ବେଆଇନ ପାର୍କିଂ କରୁଛନ୍ତି ଯେଉଁଥିପାଇଁ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି। ଫଳରେ ବେଆଇନ ପାର୍କିଂ ଉପରେ ଏନଫୋର୍ସମେଣ୍ଟକୁ ବ୍ୟାପକ କରିବା ସହ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି ।
କୋରେଇ ବିଡ଼ିଓ ଓ ବ୍ଲକ ପ୍ରଶାସନର ମନମୁଖୀ ଶାସନ ବିରୋଧରେ ବିଜେଡିର ବିକ୍ଷୋଭ
ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବିଡ଼ିଓ ଓ ବ୍ଲକ ପ୍ରଶାସନର ମନମୁଖୀ ଶାସନ ବିରୋଧରେ ବିଜେଡିର ଆନ୍ଦୋଳନ। କୋରେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣ ଧାରଣା ଦିଆଯାଇଛି। ଏହି ଆନ୍ଦୋଳନରେ ବହୁ ସଂଖ୍ୟକ ବିଜେଡ଼ି ନେତା ଓ କର୍ମୀ ସାମିଲ ହୋଇଥିଲେ।
ଅଭିଯୋଗ ଅନୁସାରେ ପୂର୍ବ ବିଜେଡି ସରକାର ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତା’ର ବିଲ୍ ମିଳିନାହିଁ। ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଠିକାଦାର ମାନେ ବିଲ୍ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ବିଡ଼ିଓ ଦିନ ଗଡ଼ାଇ ଚାଲିଛନ୍ତି । ବିଡ଼ିଓ ପାତର ଅନ୍ତର ନୀତି ଅବଲମ୍ବନ କରି ବିଜେପି ନେତାଙ୍କ ପ୍ରରୋଚନାରେ ବିଲ୍ ବନ୍ଦ କରି ରଖିଥିବା ବିଜେଡି ଅଭିଯୋଗ କରିଛି । ବିଡିଓଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ବାଧ୍ୟ ହୋଇ ଏପରି ଆନ୍ଦୋଳନ କରିଥିବା ବିଜେଡି ନେତାମାନେ କହିଛନ୍ତି।
E-ଶ୍ରମ ଯୋଜନାରେ ଶ୍ରମିକ ପାଇବେ ୨ ଲକ୍ଷ ଟଙ୍କା ! କେମିତି କରିବେ ଆବେଦନ?
ନନ୍ଦିଘୋଷ ବ୍ୟୁରୋ : E-ଶ୍ରମ ଯୋଜନାକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଯୋଜନାରେ ମିଳୁଛି ଢେର ସାରା ଲାଭ । ଭାରତ ସରକାରଙ୍କ ଦ୍ୱାରା ଏହି ଯୋଜନାକୁ ବାହାର କରାଯାଇଛି। ଏଥିରେ ଲୋକେ ଅନେକ ସୁବିଧା ପାଇପାରିବେ। ତେବେ କ’ଣ ଏହି E-ଶ୍ରମ ଯୋଜନା, ଏବଂ ଏହାକୁ କେମିତି କରିବେ ଆବେଦନ? ଜାଣି ରଖନ୍ତୁ ।
ଅଳ୍ପ କାମ କରି ଅଧିକ ସୁବୁଧା ପାଇବାକୁ ଚାହୁଁଥିଲେ ଏହି ଯୋଜନାକୁ ହାତ ଛଡା କରନ୍ତୁ ନାହିଁ । ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ୱାରା ୨୬ ଅଗଷ୍ଟ ୨୦୨୧ ରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ଡାଟାବେସ୍ ତିଆରି କରିବା ପାଇଁ ଇ-ଶ୍ରମ ପୋର୍ଟାଲ ଲଞ୍ଚ କରାଯାଇଥିଲା। ଏହି ପୋର୍ଟାଲରେ ସବୁବର୍ଗର ଲୋକ ନିଜର ରେଜିଷ୍ଟ୍ରେସନ କରିପାରିବେ। ଏହି ଯୋଜନା ସେହି ଶ୍ରମିକଙ୍କ ପାଇଁ ପ୍ରଯ୍ୟୁଜ୍ୟ ଯେଉଁମାନେ EPFO ଏବଂ ESIC ର ସଦସ୍ୟ ହୋଇନଥିବେ। ଏଥିପାଇଁ କେବଳ ଆଧାର ନମ୍ୱର ଏବଂ ବ୍ୟାଙ୍କ ଡିଟେଲ ଆବଶ୍ୟକ ହୋଇଥାଏ। ଏଥିରେ ସମସ୍ତ ଶ୍ରମିକ ନିଜର ରେଜିଷ୍ଟ୍ରେନ କରି ଫାଇଦା ଉଠାଇ ପାରିବେ ।
E-ଶ୍ରମ ପୋର୍ଟାଲ କଣ?
ଏହି ପୋର୍ଟାଲ ଏମିତି ଏକ ପ୍ଲାଟଫର୍ମ, ଯେଉଁଥିରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତୀୟ ନାଗରିକଙ୍କ କଲ୍ୟାଣ ପାଇଁ ଶ୍ରମ ମନ୍ତ୍ରାଳୟ ଦ୍ୱାରା ବନାଯାଇଛି ।
ପୋର୍ଟାଲରେ ଅନଲାଇନ୍ ପଞ୍ଜୀକରଣ ପାଇଁ ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ୍ ନମ୍ବର ରହିବା ଆବଶ୍ୟକ। ମୋବାଇଲ୍ ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ ।
ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବୟସ ୧୮ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ଇ-ଶ୍ରମ ଯୋଜନାରେ ପଞ୍ଜୀକୃତ ପରେ ଯଦି ଶ୍ରମିକ ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ମୃତ୍ୟୁ କିମ୍ବା ଶାରୀରିକ ଅକ୍ଷମତା ହେଲେ ସେମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆଂଶିକ ଅକ୍ଷମତା କ୍ଷେତ୍ରରେ, ଏକ ଲକ୍ଷ ଟଙ୍କା ସହାୟତା ଦିଆଯାଏ ।
ଏହାକୁ କେମିତି ଆବେଦନ କରିବେ
ଇ-ଲେବର ପୋର୍ଟାଲ eshram.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଆବେଦନ ପ୍ରକ୍ରିୟା ପୂରଣ କରିବେ । ଇ-ଶ୍ରମ ପୋର୍ଟାଲରେ ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ପଞ୍ଜୀକରଣ କରିପାରିବେ ।
ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ନିର୍ବାଚନୀ ଇସ୍ତାହାର। ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଇସ୍ତାହାର ଉନ୍ମୋଚିତ ହୋଇଛି । ଏଥିରେ ମହିଳାଙ୍କୁ ମାସିକ ୨୫ ହଜାର ଟଙ୍କା, ୨୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ବାସ୍ଥ୍ୟବୀମା ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଘୋଷଣା କରାଯାଇଛି। ଏହା ସହ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର, ମାଗଣା ରାସନ କିଟ୍ ପ୍ରତି ପରିବାରକୁ ମାସିକ ୩୦୦ ୟୁନିଟ ବିଜୁଳି ମାଗଣା ପ୍ରତିଶ୍ରୁତି ଦିଆଯାଇଛି। ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ପୂର୍ବାଞ୍ଚଳବାସୀଙ୍କ ଲାଗି ଏକ ଉତ୍ସର୍ଗୀକୃତ ମନ୍ତ୍ରାଳୟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଦିଲ୍ଲୀ ପ୍ରଦେଶ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ।
ସେହିପରି ବେକାରୀ ଯୁବକଯୁବତୀଙ୍କୁ ମାସିକ ୮ ହଜାର ୫୦୦ ଟଙ୍କା ବର୍ଷକ ଲାଗି ଦିଆଯିବ। ସାରା ସହରରେ ୧୦୦ଟି ଇନ୍ଦିରା କ୍ୟାଣ୍ଟିନ ଖୋଲିବା ସହ ଏହା ଜରିଆରେ ୫ ଟଙ୍କାରେ ଖାଦ୍ୟ ଯୋଗାଇବା ଲାଗି କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଫେବୃଆରୀ ୮ରେ ହେବ ଭୋଟ ଗଣତି।

