spot_img
Home Blog Page 1284

କଳା ତାଲିକାଭୁକ୍ତ କମ୍ପାନୀଙ୍କୁ ସ୍କୁଲ କାମ ଦେବା ପ୍ରସଙ୍ଗ : ପ୍ରତିବାଦରେ ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ

ଭୁବନେଶ୍ବର : କଳା ତାଲିକାଭୁକ୍ତ କମ୍ପାନୀକୁ ସ୍କୁଲ କାମ ଦେଇଛି ଏସସି ଏସଟି ବିଭାଗ। ଏହି ଅଭିଯୋଗ କରି ଆଜି ଗର୍ଜିଛି କଂଗ୍ରେସ। ରାଜଧାନୀରେ ଯୁବ କଂଗ୍ରେସ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କରିଛି। ଦଳ ଅଭିଯୋଗ କରିଛି, ସୁନ୍ଦରଗଡ଼ର ବିଜୁଳିବନ୍ଧ ପୋଖରୀର ସୌନ୍ଦର୍ଯ୍ୟକରଣର ଦୁର୍ନୀତିରେ ଯେଉଁ କମ୍ପାନି କଳା ତାଲିକାଭୁକ୍ତ ହୋଇଥିଲା, ସେହି କମ୍ପାନିକୁ ଦିଆଯାଇଛି କାମ। ପ୍ରତିବାଦରେ ଯୁବ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ଏସସି ଏସଟି ଉନ୍ନୟନ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଅଣ୍ଡା ଟମାଟୋ ମାଡ଼ କରିଛନ୍ତି। ତୁରନ୍ତ କାର୍ଯ୍ୟାଦେଶ ପ୍ରତ୍ୟାହାର ଦାବି କଲା କଂଗ୍ରେସ। ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ହୀରାକୁଦ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ

ସମ୍ବଲପୁର :

ହୀରାକୁଦ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଅମାପ ସମ୍ପତ୍ତି । ତାଙ୍କ ସମ୍ପତ୍ତିର ଦେଖି ଭିଜିଲାନ୍ସ ଟିମ୍ ତାଜୁବ। ସମ୍ବଲପୁରରେ ଅଛି ୯ ହଜାର ୭୦୦ ବର୍ଗ ଫୁଟର ୩ମହଲା କୋଠା, ଗୋଟିଏ କମର୍ସିଆଲ ବିଲଡିଂ, ସମ୍ବଲପୁରରେ ୩ଟି ଫ୍ଲାଟ, ଭୁବନେଶ୍ଵର ଘାଟିକିଆ ଅଞ୍ଚଳରେ ଗୋଟିଏ ଫ୍ଲାଟ, ୭ଟି ପ୍ଲଟ, ନଗଦ ୧୪ ଲକ୍ଷ ଟଙ୍କା। ସୁନା ୧୫୦ ଗ୍ରାମ ମିଳିଛି। ଆୟବହର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି।  ସମ୍ବଲପୁର, ବରଗଡ଼ର ୯ଟି ସ୍ଥାନରେ ଚଢାଉ ଜାରି ରହିଛି। ତାଙ୍କର ସରକାରୀ ବାସଭବନ, ଅଫିସ, ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସ। ବରଗଡ଼ ଜିଲ୍ଲାଲାର ପଦ୍ମପୁର ଓ ବଲଣ୍ଡାରେ ମଧ୍ୟ ରେଡ଼୍ କରାଯାଉଛି।

ପବ୍ଲିକ ସର୍ଭିସ କମିଶନ ପରୀକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ

ପାଟନା: ବିହାରର ପାଟନାରେ ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ । ପୋଲିସ ଓ ଆଶାୟୀଙ୍କ ମଧ୍ଯରେ ହୋଇଛି ମାରପିଟ । ସିଭିଲ ସର୍ଭିସ ପରୀକ୍ଷାରେ ୱାନ୍ ସିଫ୍ଟ ୱାନ୍ ପେପର ଦାବିରେ ଛାତ୍ରଛାତ୍ରୀ କରିଛନ୍ତି ଆନ୍ଦୋଳନ । ୭୦ ତମ ସିଭିଲ ସର୍ଭିସ ପ୍ରିଲିମକୁ ସ୍ଥଗିତ ରଖିବା ଲାଗି ଆନ୍ଦୋଳନକାରୀ ଦାବି କରିଛନ୍ତି । ଏହାସହ ମାର୍କିଂ ପ୍ରକ୍ରିୟାରେ ସ୍ବଚ୍ଛତା ଲାଗି ଦାବି କରିଛନ୍ତି ଛାତ୍ରଛାତ୍ରୀ । ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ଲାଠିମାଡ କରିଥିଲା ।

ଆଶାୟୀଙ୍କ ରାସ୍ତାରୋକ କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଲାଠିମାଡରେ ଛାତ୍ର ନେତା ଦିଲୀପ କୁମାରଙ୍କ ସମେତ କିଛି ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାଯାଇଛି । ବିପିଏସସି ଅଫିସ ସାମନାରେ ଆଜି ସମବେତ ହୋଇଥିଲେ ଶହ ଶହ ଛାତ୍ରୀ । ନାରାବାଜିରେ କମ୍ପିଥିଲା ପରିବେଶ । ଏହି ସମୟରେ ଆନ୍ଦୋଳନକାରୀ ରାସ୍ତାକୁ ବି ଅବରୋଧ କରି ରଖିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ସେଠାରେ ଲାଠିଚାର୍ଜ କରିଥିଲା । ଡିଏସପି ଅନୁ କୁମାର କହିଛନ୍ତି, ଆନ୍ଦୋଳନକାରୀମାନେ ଆଇନ ଭଙ୍ଗ କରିଛନ୍ତି ।

କାହିଁକି ହଲରେ ରିଲିଜ୍ ହେଲାନି ‘ପୁଷ୍ପା-୨’: ହଲ୍ ମାଲିକଙ୍କୁ ହତ୍ୟା ଧମକ ଦେଲା ପାଗଳ ଫ୍ୟାନ୍

ତେଲେଙ୍ଗାନା: ସାରା ଦେଶରେ ଏବେ ପୁଷ୍ପା ଆଉ ପୁଷ୍ପା । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ପୁଷ୍ପା-୨କୁ ନେଇ କ୍ରେଜ୍ । ଫିଲ୍ମ ରିଲିଜ ହେଉ ହେଉ ସବୁ ରେକର୍ଡ ଭାଙ୍ଗି ଛପର ଫାଡ଼ ବିଜନେସ ଆରମ୍ଭ କରିଛି । ଗୁରୁବାର ଦେଶର ବିଭିନ୍ନ ହଲରେ ଏହା ମୁକ୍ତିଲାଭ କରିଛି । ଫିଲ୍ମ ଓ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଦର୍ଶକଙ୍କ ପାଗଳାମୀ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି । ପୁଷ୍ପା-୨କୁ ନେଇ ତେଲେଙ୍ଗାନରୁ ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବ । ଆଜ୍ଞା ହଁ, ଫିଲ୍ମ ରିଲିଜ ନହେବାରୁ ଜଣେ ଦର୍ଶକ ହଲର ପଶି ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଏକ ମାମଲା ରୁଜୁ କରିଛି ।

ରିପୋର୍ଟ ଅନୁସାରେ, ତେଲେଙ୍ଗାନାର ମଞ୍ଚେରିଅଲ ଜିଲ୍ଲା ଚେନ୍ନୁର ଟାଉନରୁ ଆସିଛି ଅଭିଯୋଗ । ଚେନ୍ନୁରରେ ଥିବା ଶ୍ରୀନିବାସ ହଲରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଚାଲି ନଥିଲା । ଯାହାକୁ ନେଇ ଜଣେ ବ୍ୟକ୍ତିଙ୍କ ରାଗ ପଞ୍ଚମ ହୋଇଯାଇଥିଲା । ହଲ କର୍ମଚାରୀଙ୍କ ବିରୋଧ ସତ୍ତ୍ବେ, ବ୍ୟକ୍ତି ଜଣଙ୍କ ନିଜ ସାଙ୍ଗଙ୍କ ସହ ହଲ ଭିତରକୁ ଜବରଦସ୍ତ ପଶି ଝରକା କାଚ ଭାଙ୍ଗି ଦେଇଛନ୍ତି ।

ଏତିକିରେ ବ୍ୟକ୍ତି ଜଣଙ୍କ ଶାନ୍ତ ହୋଇ ନଥିଲେ । ହଲ ମାଲିକ ରାଜାମଲ ଗୌଡ଼ଙ୍କୁ ହତ୍ୟା ଧମକ ଦେବାକୁ ବି ପଛାଇ ନଥିଲେ । ଏନେଇ ହଲ ମାଲିକ ଅଭିଯୋଗ କରିବା ପରେ ଏକାଧିକ ଧାରା ଲଗାଇ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ।

୨୫ ବର୍ଷ ପରେ ଭାରତ ଫେରିଲେ ମମତା କୁଲକର୍ଣ୍ଣି,ଖୋଲିଲେ ଗୁମର

ମୁମ୍ବାଇ: ଦୀର୍ଘ ୨୫ ବର୍ଷ ପରେ ଭାରତ ଫେରିଛନ୍ତି ୯୦ ଦଶକର ବଲିଉଡ଼ ଷ୍ଟାର ମମତା କୁଲକର୍ଣ୍ଣି । ଆଉ ଭାରତ ଫେରିବା ପରେ ଭିକିଙ୍କ ସହ ତାଙ୍କ ସମ୍ପର୍କ, ବିବାହ ଓ ଡ୍ରଗ୍ସ କାରବାର ଭଳି ଗୋଟି ଗୋଟି କଥା ଗୁମର ଖୋଲିଛନ୍ତି । ତ୍ରିରଙ୍ଗା, କ୍ରାନ୍ତିବୀର, କରନ ଅର୍ଜୁନ ପରି ସୁପରହିଟ୍ ପିଲ୍ମର ନାୟିକା ମମତା କୁଲକର୍ଣ୍ଣିଙ୍କୁ ଭାରତ ଫେରିବାକୁ କାହିଁକି ଲାଗିଲା ୨୫ ବର୍ଷ ଆସନ୍ତୁ ଜାଣିବା ।

ଦେଶକୁ ଫେରିବାକୁ ନେଇ ମମତା କହିଛନ୍ତି, ’୨୫ ବର୍ଷ ହେଲା ଭାରତ ବାହାରେ ଥିଲି । ମୁଁ ନିଜକୁ ଖୋଜୁଥିଲି । ଏବେ କୁମ୍ଭ ମେଳା ହେବାକୁ ଯାଉଥିବାରୁ ମୁଁ ଆସିଛି । ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିବାକୁ ବି ବିଗ ବସରେ ସାମିଲ ହେବାକୁ ଆସିନି । ମୁଁ ଏବେର ମୋର ଜୀବନକୁ ନେଇ ଖୁସି ଅଛି । ମୁଁ ଭାରତ ଛାଡିବା ବେଳେ ମୋ ପାଖରେ ୪୩ଟି ଫିଲ୍ମର ଅଫର ଥିଲା । ସେତେବେଳେ ଏସବୁକୁ ମୁଁ ଛାଡି ଦେଇଥିଲି, ଏବେ ଆଉ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବାର ନାହିଁ ।’

ଭିକି ଗୋସ୍ବାମୀଙ୍କୁ ନେଇ କଲେ ଖୁଲାସା

ଭିକି ଗୋସ୍ବାମୀଙ୍କୁ ନେଇ ମମତା କୁଲକର୍ଣ୍ଣି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘ମୁଁ ଭିକିଙ୍କୁ ଜାଣିଥିଲି । ୨୦୧୪ର ଯେଉଁ ମାମଲା ସମ୍ପୃକ୍ତି ନେଇ ପୋଲିସ କହୁଛି, ସେହି ସମୟରେ ଭିକିଙ୍କୁ ଭେଟିବାକୁ ମୁଁ କେନିଆ ଯାଇଥିଲି । ହେଲେ ସେଠାରେ ସେ କାହା ସହ ମିଟିଂ କରିଥିଲା ମୁଁ ଜାଣିନି । ପୋଲିସ ମୋ ନାଁକୁ ଡ୍ରଗ୍ସ ମାମଲାରେ ଯୋଡ଼ିଲା । ହେଲେ ଭିକିର ବ୍ୟବସାୟ ସହ ମୋର କୌଣସି ନେଣଦେଣ ନଥିଲା । କୋର୍ଟ ଏହି ମାମଲାରୁ ମୋତେ ମୁକ୍ତ କରିସାରିଛନ୍ତି ।’

ସେ ଆହୁରି କହିଛନ୍ତି, ‘ଭିକି ହୃଦୟରୁ ଜଣେ ଭଲ ମଣିଷ । ଇଣ୍ଡଷ୍ଟ୍ରିର ପ୍ରାୟ ସବୁ ଲୋକ ତାଙ୍କୁ ଭେଟିବାକୁ ଯାଉଥିଲେ, ମୁଁ ବି ଯାଇଥିଲି । ହେଲେ, ତାଙ୍କ ସହ ଦେଖା କରିଥିବା ଇଣ୍ଡଷ୍ଟ୍ରିର ଶେଷ ଲୋକ ମୁଁ ଥିଲି । ତାଙ୍କ ବିଷୟରେ ଜାଣିବା ପରେ ମୁଁ ତାଙ୍କୁ ଛାଡି ଦେଇଥିଲି । ସେ ଦୁବାଇ ଜେଲରେ ଥିବା ବେଳେ ତାଙ୍କ ମୁକ୍ତି ପାଇଁ ମୁଁ ଧ୍ୟାନ ଓ ସାଧନାକୁ ଚାଲିଯାଇଥିଲି । ୨୦୧୨ରେ ସେ ଜେଲରୁ ବାହାରିଥିଲେ । ୨୦୧୬ରେ ତାଙ୍କୁ ଦେଖା କରିଥିଲି । ଏହାପରେ ସେ ପୁଣି ଗିରଫ ହୋଇଥିଲେ । ଭିକି ସହ ମୋର ବିବାହ ହୋଇନାହିଁ । ମୁଁ ଏବେ କି ସିଙ୍ଗଲ ଅଛି । ଭିକି ସହ ମୋର ସମ୍ପର୍କ ରହିଥିଲା । ହେଲେ ୪ ବର୍ଷ ପୂର୍ବରୁ ମୁଁ ତାଙ୍କୁ ବ୍ଲକ କରିଦେଇଛି । ସେ ଏବେ ମୋ ଅତୀତ, ମୁଁ ତାଙ୍କୁ ଛାଡି ସାରିଛି ।’

ଚାଷୀଙ୍କ ଦିଲ୍ଲୀ ଚାଲୋ ହୁଙ୍କାର, ନିଷାଧାଦେଶ ସତ୍ତ୍ବେ ବି ନିୟମ ଭାଙ୍ଗିବାକୁ ଚାଷୀଙ୍କ ଯୋଜନା

ନୂଆଦିଲ୍ଲୀ: ଶହ ଶହ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ । ଶମ୍ଭୁ ସୀମାରୁ ଚାଲିବ ଅଭିଯାନ । ଦିଲ୍ଲୀ ପୋଲିସ ପକ୍ଷରୁ ସମାଗମ, ରାଲି ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ବି ନିୟମକୁ ଉଲ୍ଲଂଘନ କରିବାକୁ ଚାଷୀଙ୍କ ଯୋଜନା । ହରିୟାଣାର ଅମ୍ବାଲାରେ ଜନସମାଗମ ଉପରେ ଲାଗିଛି ନିଷେଧାଦେଶ । କୃଷକମାନେ ଶମ୍ଭୁ ସୀମାରୁ ପାର୍ଲାମେଣ୍ଟ ଅଭିମୁଖେ ଯାତ୍ରା କରିବେ ।

ଗତ ସୋମବାର ଉତ୍ତର ପ୍ରଦେଶର ଚାଷୀମାନେ ପାର୍ଲାମେଣ୍ଟ ଅଭିଯାନ କରିଥିଲେ । ତେବେ ସେମାନଙ୍କୁ ନୋଏଡାରେ ଅଟକ ରଖିଥିଲା ପୋଲିସ । ଏହି ଆନ୍ଦୋଳନକୁ ନେଇ ସୀମାରେ ଟ୍ରାଫିକ୍  ଜାମ୍ ହୋଇଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚା ବ୍ଯାନରରେ ଚାଷୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚାଷୀଙ୍କୁ ବିଭିନ୍ନ ଶସ୍ୟରେ ଏମଏସପି ପ୍ରଦାନ କରିବା, ଋଣ ଚାଡ଼, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ବିଦ୍ୟୁତ ଦର ବୃଦ୍ଧି ନ କରିବା, ୨୦୨୧ ଲଖିମପୁରୀ ଘଟଣାରେ ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ଆଦି ଦାବିରେ ଆନ୍ଦୋଳନ କରୁଛନ୍ତି ଚାଷୀ ।

ଗତ ଫେବ୍ରୁଆରୀ ୧୩ରୁ ଚାଷୀମାନେ ପଞ୍ଜାବ ଓ ହରିୟାଣା ସୀମା ଅନ୍ତର୍ଗତ ଶମ୍ଭୁ ଓ ଖାନାଉରିରେ କ୍ଯାମ୍ପ ପ୍ରତିଷ୍ଠା କରି ରହିଛନ୍ତି । ସୀମାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ଥିବାବେଳେ ବିଭିନ୍ନ ସ୍ଥାନରେ ବ୍ଯାରିକେଡ ଲଗାଯାଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଗଣତାନ୍ତ୍ରିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଥିବାରୁ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି । ଗତ ୨୦୨୪ ଫେବ୍ରୁଆରୀ ୨୧ରେ ଶୁଭକରଣ ସିଂ ନାମକ ପଞ୍ଜାବର ଜଣେ ଚାଷୀ ଖାନାଉରିରେ ପ୍ରାଣ ହରାଇଥିଲେ ।

୧୧ ଥର ଲାଗି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ଲଗାତାର ୧୧ ଥର ଲାଗି ଅପରିବର୍ତ୍ତିତ ରହିଲା ରେପୋରେଟ । ୬.୫ ପ୍ରତିଶତ ରହିଲା ରେପୋରେଟ । ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି, ନିମ୍ନ ଅଭିବୃଦ୍ଧି ହାରକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ରିଜର୍ଭ ବ୍ଯାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ବ୍ଯାଙ୍କର ପ୍ରାଥମିକତା ହୋଇଥିବାରୁ ପୁଣି ଥରେ ରେପୋରେଟ ଅପରିବର୍ତ୍ତିତ ରଖାଯାଇଛି ବୋଲି କହିଛନ୍ତି ଗଭର୍ଣ୍ଣର । ତେବେ ରିଜର୍ଭ ବ୍ଯାଙ୍କର ଏହି ଘୋଷଣା ବଳରେ ଋଣ ସୁଧହାର ବି ଅପରିବର୍ତ୍ତି ରହିବ । ଗତ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଧିମା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ରିଜର୍ଭ ବ୍ଯାଙ୍କର ଅର୍ଥନୈତିକ ନୀତି କମିଟି ବା ଏମପିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଷ୍ଟାଣ୍ଡିଂ ଡିପୋଜିଟ ଫାସିଲିଟି ବା ଏସଡିଏଫ ବି ରହିଛି ୬.୨୫ ପ୍ରତିଶତ । ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫ ରହିଛି ୬.୭୫ ପ୍ରତିଶତ ।

ଆଦାନୀ ଝଡ଼: କଳାପଟି ବାନ୍ଧି ବିରୋଧୀ ସାଂସଦଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ସଂସଦରେ ଆଦାନୀ ଝଡ଼ । ଚାଲି ପାରୁନି ଗୃହ । କଳାପଟି ବାନ୍ଧି ବିରୋଧୀ ଦଳ ସାଂସଦଙ୍କ ପ୍ରତିବାଦ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ବରେ ନାରାବାଜି ।

ଆଦାନୀ ପ୍ରସଙ୍ଗରେ ସରକାର ବିରୋଧୀଙ୍କୁ ଚୁପ୍ କରିବାକୁ ଚାହୁଁଛନ୍ତି । ସମ୍ବିଧାନର ସୁରକ୍ଷା ଲାଗି କେନ୍ଦ୍ର ସରକାର ଚାହୁଁ ନାହାନ୍ତି । ବାରମ୍ବାର ସମ୍ବିଧାନକୁ ଉଲ୍ଲଂଘନ କରାଯାଉଛି ବୋଲି ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି ।

ଶୋଭାଯାତ୍ରା ସମୟରେ ସାଂସଦମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଆମ୍ବେଦକରଙ୍କ ତିରୋଧାନ ଦିବସରେ ସାଂସଦମାନେ କରିଛନ୍ତି ପ୍ରତୀକାତ୍ମକ ଆନ୍ଦୋଳନ । ସାଂସଦମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବଡ଼ ଦୁର୍ନୀତି ଅଭିଯୋଗ ଆସିଲେ କିମ୍ବା ଆଦାନୀ ପ୍ରସଙ୍ଗ ଆସିଲେ କେନ୍ଦ୍ର ସରକାର ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ସାଂସଦ ।

ଆଳୁ ଯୋଗାଣ ସ୍ବଭାବିକ କରିବା ବଦଳରେ ଅବାନ୍ତର ଯୁକ୍ତି କରୁଛନ୍ତି ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ସାରା ରାଜ୍ୟରେ ଲାଗି ରହିଛି ଆଳୁ ସଙ୍କଟ । ବଜାରରେ ବିକ୍ରି ହେଉଛି ଚଢ଼ା ଦରରେ । ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟରୁ ଆଳୁ ଆମଦାନୀ କରିବାରେ ହୋଇଛନ୍ତି ବିଫଳ । ହେଲେ ନିଜ ବିଫଳତା ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ନିଜର ଅପାରଗତା ଲୁଚାଇବାକୁ ବାରମ୍ବାର ଦେଇ ଚାଲିଛନ୍ତି ବିତାଣ୍ଡ ଯୁକ୍ତି । ଆଜି ପୁଣି କହିଛନ୍ତି, ଆଳୁ ନେଇ ଯାହା ମନ୍ତବ୍ୟ ଦିଆ ଯାଉଛି, ଠିକ୍ ମନ୍ତବ୍ୟ ଦିଆଯାଉଛି । ରାଜ୍ୟରେ ଏବେ ଅଧିକ ଆଳୁ ମହଜୁଦ ଅଛି । ଏବେ ରେଟ୍ ୩୦ରୁ ୩୫ ଟଙ୍କା ଅଛି । ଆଗକୁ ଆହୁରି ଦର କମିବ ବୋଲି ସେ କହିଛନ୍ତି ।

ତେବେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡି । ମନ୍ତ୍ରୀ କ’ଣ କହୁଛନ୍ତି, ଜାଣିପାରୁ ନାହାନ୍ତି । ସାରଦା ନାୟକ କହିଛନ୍ତି, ବିଜେଡି ସରକାରରେ ଆଳୁ ସମସ୍ୟା ହେଲେ ତୁରନ୍ତ ସମାଧାନ କରୁଥିଲେ । ଏ ସରକାର ଲୋକଙ୍କ ସ୍ଵାର୍ଥ ଦେଖିବା ବଦଳରେ କେବଳ ଭାଷଣ ମାରୁଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଯୋଗାଣ ମନ୍ତ୍ରୀ କହିଥିଲେ ଓଡ଼ିଶାରେ ଆଳୁର ଅଭାବ ମନ୍ୟୁଷକୃତ । ଯାହାକୁ ନେଇ ପୂରା ଦିନ ହୋହାଲ୍ଲା ହୋଇଥିଲା ।

ବିଧାନସଭାରେ ପୋଲାଭରମ ତାତି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ପୋଲାଭରମ ପ୍ରସଙ୍ଗକୁ ନେଇ ଗୃହରେ ଜୋରଦାର ହଙ୍ଗାମା । ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ସେପଟେ ପୋଲାଭରମ ପ୍ରସଙ୍ଗ ଅଦାଳତରେ ବିଚାରାଧୀନ ଥିବାରୁ କଂଗ୍ରେସର ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ହୋଇଛି । ଗତକାଲି କଂଗ୍ରେସର ତରଫରୁ ଏହି ନୋଟିସ୍ ଦିଆଯିବା ପରେ ବିଭାଗୀୟ ମନ୍ତ୍ରୀଙ୍କୁ ପଠାଇ ଦିଆଯାଇଥିଲା । ସେଠାରୁ ଉତ୍ତର ଆସିଥିଲା ଯେ ଘଟଣା ବିଚାରାଧୀନ ଅଛି । ତେଣୁ ବିଧାନସଭା ବିଧି ଅନୁଯାୟୀ ବିଚାରାଧୀନ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇପାରିବ ନାହିଁ । ପୋଲାଭରମ ପ୍ରସଙ୍ଗ ନେଇ ଆଗତ ମୁଲତବି ପ୍ରସ୍ତାବକୁ ଏଥିଲାଗି ଅଗ୍ରାହ୍ୟ କରାଗଲା ବୋଲି ବାଚସ୍ପତି କହିଥିଲେ ।

ଯାହାକୁ ନେଇ ଆଜି ଗୃହ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଥିଲେ । ଫଳରେ ଗୃହ ଚାଲି ପାରି ନଥିଲା । ପରେ ବାଚସ୍ପତି ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ । ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଫଳରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରି ଦିଆଯାଇଛି ।

ସେହିଭଳି ପୋଲାଭରମ୍ ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଦୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରହିଛନ୍ତି । ନବୀନ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ଆଗରୁ ଲଢ଼େଇ କରୁଥିଲା । ଆଉ ଆଗକୁ ବି ଏହି ଲଢ଼େଇ ଜାରି ରହିବ ।