spot_img
Home Blog Page 1291

ଦୁଇ ଦିନ ସାମାନ୍ୟ ଗରମ ପରେ ପୁଣି ବଢ଼ିବ ଥଣ୍ଡା: ତାପମାତ୍ରା କମିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ବର: ଦୁଇ ଦିନ ସାମାନ୍ୟ ଗରମ ପରେ ପୁଣି ବଢିବ ଥଣ୍ଡା । ଅସନ୍ତା ଶନିବାର ଠାରୁ ପୁଣି ତାପମାତ୍ରା କମିବା ନେଇ ର୍ପୂବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ପାରଦ । ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ଥଣ୍ଡା ଅନୁଭବ ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ। ଗୁରୁଚାପ ବଳୟର ଉପସ୍ଥିତି ତଥା ପଶ୍ଚିମାଝଡ଼ର ଆଗମନ ହେତୁ ଉପକୂଳ ଓଡ଼ିଶା ତଥା ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ଦୃଶ୍ୟମାନ ହେବ । ତେବେ ଗତ ୨୪ ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ଓ ଅନୁଗୁଳରେ ୩୫.୭, ସମ୍ବଲପୁରରେ ୩୫.୩, ଭବାନୀପାଟଣା, ଭଦ୍ରକ ଓ ସୋନପୁରରେ ୩୫.୨, ମାଲକାନଗିରିରେ ୩୫.୧ ଡିଗ୍ରୀ ‌ରହିଥିଲା। ପାରାଦୀପ ଓ ଦାରିଙ୍ଗବାଡ଼ି ବ୍ୟତୀତ ଅନ୍ୟ ସମସ୍ତ ସହରରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା ।

ଶୀଘ୍ର ପୃଥିବୀକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ

ଶୀଘ୍ର ପୃଥିବୀକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର। ମାର୍ଚ୍ଚ ମଧ୍ୟଭାଗ କିମ୍ବା ଶେଷ ଆଡକୁ ଉଭୟ ମହାକାଶଚାରୀ ମହାକାଶରୁ ମୁକୁଳିବା ସମ୍ଭାବନା ରହିଥିବା ସୂଚନା ଦେଇଛି ନାସା ଏବଂ ସ୍ପେସଏକ୍ସ ଏଜେନ୍ସିର ସ୍ପେସଏକ୍ସ । ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଖୁବଶୀଘ୍ର ଫେରାଇ ଆଣିବା ପାଇଁ କାମ ଆରମ୍ଭ ହୋଇଯାଇଛି। ସ୍ପେସଏକ୍ସ ଆଗାମୀ ମହାକାଶଚାରୀ ଉଡ଼ାଣ ପାଇଁ କ୍ୟାପସୁଲକୁ ପରିବର୍ତ୍ତନ କରିବ। ଯାହା ଦ୍ୱାରା ମାର୍ଚ୍ଚ ଶେଷ କିମ୍ବା ମାର୍ଚ୍ଚ ମଧ୍ୟଭାଗରେ ୱିଲମୋର ଏବଂ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଫେରାଇ ଅଣାଯିବ।। ୨୦୨୪ରେ ବୋଇଂର ଷ୍ଟାରଲାଇନର୍‌ ମହାକାଶଯାନ ଯୋଗେ ଆଇଏସଏସ ପାଇଁ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ମହାକାଶକୁ ଯାତ୍ରା କରିଥିଲେ। ଗତ ବର୍ଷ ଜୁନ ମାସରୁ ଉଭୟ ମହାକାଶଚାରୀ ମହାକାଶରେ ଫସି ରହିଛନ୍ତି ।

ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ। ଦିନ ୧୧ ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଏହାପରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବକୁ ଗୃହରେ ମୁଖ୍ୟମନ୍ତ୍ରୀ ଆଗତ କରିବେ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବଜେଟ ଅଧିବେଶନରେ ମୋଟ 28 ଟି କାର୍ଯ୍ୟ ଦିବସ ରହିଛି । ୧୭ ତାରିଖ ଦିନ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ । ଅଧିବେଶନ ପାଇଁ ବିଜେପି, ବିଜେଡ଼ି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିରୋଧୀ ବିଜେଡ଼ି ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରିବ। ଏହାସହ ଚାଷୀ, ଧାନ ମଣ୍ଡି ଅବ୍ୟବସ୍ଥା ସହିତ କଟନି ଛଟ ନି ଆଦି ପ୍ରସଙ୍ଗକୁ ଉଠାଇ ଶାସକ ଦଳକୁ ଘେରିବ। ସେହିପରି କଂଗ୍ରେସ ଏସବୁ ପ୍ରସଙ୍ଗ ସହିତ ବାରବାଟି ଅବ୍ୟବସ୍ଥା, ନିର୍ବାଚନୀ ପ୍ରତିଶ୍ରୁତି ଆଦିକୁ ଗୃହରେ ପ୍ରମୁଖ ପ୍ରସଙ୍ଗ କରିବ । ଶାସକ ବିଜେପି ୮ ମାସରେ ସରକାରଙ୍କ ସଫଳତା ସହିତ ବିକଶିତ ଓଡିଶା ଗଠନକୁ ଗୃହରେ ରଖିବ । ଦୁଇ ବିରୋଧୀଙ୍କ ସବୁ ଅଭିଯୋଗର ଆଲୋଚନା ମାଧ୍ୟମରେ ଜବାବ ଦେବାକୁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛି । ଯାହାକୁ ନେଇ ଏଥର ବଜେଟ ଅଧିବେଶନ ସରଗରମ ହେବା ଆଶା କରାଯାଉଛି ।

ଋଷ-ୟୁକ୍ରେନ ଯୁଦ୍ଧ ଖୁବ୍ ଶୀଘ୍ର ଘଟିପାରେ ଅନ୍ତ: ପୁଟିନ ଓ ଜେଲେନସ୍କିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଋଷ-ୟୁକ୍ରେନ ଯୁଦ୍ଧରେ ଖୁବ୍ ଶୀଘ୍ର ଘଟିପାରେ ଅନ୍ତ। ବ୍ୟକ୍ତିଗତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେପଟେ ୱାଶିଂଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ମୋଦୀ ଆଲୋଚନା କରିବେ। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ଟ୍ରମ୍ପ। ଦୁଇ ଦେଶ ମଧ୍ୟରେ ଚାଲିଥିବା ରକ୍ତକ୍ଷୟୀ ଯୁଦ୍ଧର ଅବସାନ ନେଇ ତିନି ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯୁଦ୍ଧର ଅନ୍ତ ଘଟାଇବାକୁ ଖୁବ୍ ଶୀଘ୍ର ଉଭୟ ପୁଟିନ ଓ ଜେଲେନସ୍କି ପଦକ୍ଷେପ ନେବେ ବୋଲି କହିଛନ୍ତି ଟ୍ରମ୍ପ। ଫୋନ ଜରିଆରେ ହୋଇଥିବା ଆଲୋଚନା ବେଳେ ଟ୍ରମ୍ପଙ୍କୁ ମସ୍କୋ ଆସିବା ଲାଗି ଅନୁରୋଧ କରିଥିଲେ ପୁଟିନ। କଥାବାର୍ତ୍ତା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ସିଆଇଏ ନିର୍ଦ୍ଦେଶକ ଜନ ରାଟକ୍ଲିଫ, ଜାତୀୟ ନିରାପତ୍ତା ପରାମର୍ଶଦାତା ମାଇକେଲ ୱାଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ। ପୂର୍ବରୁ ଋଷ ସହ କେତେକ ଅଞ୍ଚଳର ଅଦଳବଦଳ କରିବାକୁ ସହମତି ପ୍ରକାଶ କରିଥିଲେ ଜେଲେନସ୍କି । ଜଣେ ଆମେରିକୀୟ ବନ୍ଦୀଙ୍କୁ ଋଷ ମୁକ୍ତ କରିବା ପରେ ଋଷ ପ୍ରତି ଆମେରିକା ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟ ନରମ ହୋଇଥିଲା । ଆସନ୍ତା କାଲି ମ୍ୟୁନିକ ନିରାପତ୍ତା ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହ ଜେଲେନସ୍କିଙ୍କ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଟ୍ରାଫିକ୍ ଜାମ୍ ପାଇଁ ଭାରତରେ ଏକ ନୂଆ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ : ଯଦି ଆପଣ ଦିଲ୍ଲୀ, ମୁମ୍ବାଇ କିମ୍ବା ବେଙ୍ଗାଲୁରୁ ଭଳି ବଡ଼ ସହରରେ ରହୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଟ୍ରାଫିକ୍ ଜାମ୍‌ର ସମ୍ମୁଖୀନ ହୋଇଥିବେ । କିନ୍ତୁ ଆପଣ କେତେ ସମୟ ପାଇଁ କିମ୍ବା କେତେ ସମୟ ପାଇଁ ଟ୍ରାଫିକ୍ ଜାମ୍‌ରେ ଫସି ରହିବେ? ଅଧିକାଂଶ ଲୋକଙ୍କ ଉତ୍ତର ହେବ ଦେଢ଼ କିଲୋମିଟର କିମ୍ବା ୨ରୁ ୪ କିଲୋମିଟର। କିନ୍ତୁ, ଯଦି ଆମେ ବିଶ୍ୱର ସବୁଠାରୁ ଲମ୍ବା ଟ୍ରାଫିକ୍ ଜାମ୍ ବିଷୟରେ କଥା ହେବା, ତେବେ ଏଠାରେ ଗାଡିଗୁଡିକ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ଫସି ରହିଥିଲା।

ଭାରତୀୟ ରାଜପଥ ଏବଂ ଜାତୀୟ ରାଜପଥ ଯାନବାହାନରେ ଅନେକ ସମୟରେ ଟ୍ରାଫିକ ଜାମ ହୋଇଥାଏ । ଏବେ ଆମ ଦେଶରେ ଟ୍ରାଫିକ ଜାମର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମହାକୁମ୍ଭ ପାଇଁ ପ୍ରୟାଗରାଜ ଯାଉଥିବା ଟ୍ରେନଗୁଡ଼ିକରେ ଭିଡ ଦେଖିବାକୁ ମିଳୁଛି । କିନ୍ତୁ ଏବେ ରାଜପଥଗୁଡ଼ିକରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ଯେଉଁଠାରେ ତୀର୍ଥଯାତ୍ରୀମାନେ ମହାକୁମ୍ଭ ପାଇଁ ଯାତ୍ରା କରୁଛନ୍ତି ଏବଂ ଲମ୍ବା ଟ୍ରାଫିକ୍ ଧାଡ଼ିରେ ଫସି ରହିଛନ୍ତି। ବିଶ୍ୱର ସବୁଠାରୁ ଲମ୍ବା ଟ୍ରାଫିକ୍ ଜାମ୍ ବିଷୟରେ କହିବାକୁ ଗଲେ, ଭାରତ ଏହାର ରେକର୍ଡ ସୃଷ୍ଟି କରିଛି।

ପ୍ରକୃତରେ, ଏହି ଜାମ୍ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ ସମୟରେ ଘଟିଛି। ଏହି ଜାମର ମୋଟ ଲମ୍ବ ପ୍ରାୟ ୩୦୦ କିଲୋମିଟର ବୋଲି କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରୟାଗରାଜରୁ ମଧ୍ୟପ୍ରଦେଶର ରେୱା, ଜବଲପୁର, ସେଓନି, କଟନି ପର୍ଯ୍ୟନ୍ତ ଏକ ବଡ଼ ଟ୍ରାଫିକ୍ ଜାମ୍ ହୋଇଥିଲା। ଗତ ୭୨ ଘଣ୍ଟା ଧରି ଏଠାରେ ଯାନବାହାନ ଧିମେଇ ଚାଳୁଥିଲା । ଏହି ଜାମ୍ ୯ ଫେବୃଆରୀ ୨୦୨୫ରେ ହୋଇଥିଲା ଯେତେବେଳେ ୟୁପିରେ ମହାକୁମ୍ଭ ଯୋଗୁଁ ପ୍ରାୟ ୩୦୦ କିଲୋମିଟର ଲମ୍ବା ଜାମ୍ ହୋଇଥିଲା। ପ୍ରବଳ ଟ୍ରାଫିକ ଜାମ ଯୋଗୁଁ, ମଧ୍ୟପ୍ରଦେଶରୁ ପ୍ରୟାଗରାଜ ଯାଉଥିବା ଶହ ଶହ ଯାନବାହନ ଅଟକି ଯାଇଥିଲା।

ଅତିରିକ୍ତ ଟ୍ରାଫିକ କମିଶନରଙ୍କ ଅନୁଯାୟୀ, ମେଳା ସ୍ଥଳକୁ ବହୁ ସଂଖ୍ୟକ ଯାନବାହନ ପହଞ୍ଚିବାକୁ ଚେଷ୍ଟା କରୁଥିବାରୁ ଏହି ଜାମ୍ ହୋଇଥିଲା। ସେ ଆହୁରି କହିଛନ୍ତି ଯେ ଯାନବାହାନ ସଂଖ୍ୟା ଏତେ ଅଧିକ ଯେ ଅନେକ ଯାତ୍ରୀ ମହାକୁମ୍ଭମେଳା ଅଞ୍ଚଳରେ ପହଞ୍ଚିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆଗାମୀ ଦିନରେ ଶିବରାତ୍ରି ଅବସରରେ ମହାକୁମ୍ଭରେ ଅଧିକ ଯାନବାହାନ ଆସିବାର ସମ୍ଭାବନା ଥିବାରୁ ସଡ଼କ ପଥରେ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।

ଏହା ପୂର୍ବରୁ ସବୁଠାରୁ ବଡ଼ ଟ୍ରାଫିକ୍ ଜାମ ବ୍ରାଜିଲରେ ହୋଇଥିଲା । ବ୍ରାଜିଲର ସାଓ ପାଉଲୋରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟ୍ରାଫିକ୍ ଜାମ୍ ହୋଇଥିଲା। ୧୦ ଜୁନ୍ ୨୦୦୯ରେ ହୋଇଥିବା ଏହି ଜାମ୍ ପ୍ରାୟ ୨୯୨ କିଲୋମିଟର ଲମ୍ବା ଥିଲା। ଏହି ଜାମ୍ ଯୋଗୁଁ ସହର ଏବଂ ଏହାର ଆଖପାଖରେ ୮୪୦ କିଲୋମିଟର ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା।

କର୍ମଚାରୀମାନଙ୍କୁ ଖୁସି କରିବା ପାଇଁ କମ୍ପାନୀର ଚମତ୍କାର ଅଫର

ନନ୍ଦିଘୋଷ ବ୍ୟୁରୋ : ଏକ ଜାପାନୀ କମ୍ପାନୀ ତାର କର୍ମଚାରୀଙ୍କୁ ଖୁସି ରଖିବା ପାଇଁ ଏକ ଚମତ୍କାର ଅଫର ଦେଉଛି । ଓସାକା-ସ୍ଥିତ ଟ୍ରଷ୍ଟ ରିଙ୍ଗ କମ୍ପାନୀ କର୍ମଚାରୀମାନଙ୍କୁ କାମ ସମୟରେ ମଦ୍ୟପାନ ଏବଂ ହ୍ୟାଙ୍ଗଓଭର ଛୁଟି ପ୍ରଦାନ କରୁଛି । ଏହା କରିବାର ଉଦ୍ଦେଶ୍ୟ ହେଉଛି ନୂତନ ନିଯୁକ୍ତି ପାଇଥିବା ଲୋକଙ୍କୁ ଆକର୍ଷିତ କରିବା ଏବଂ କାର୍ଯ୍ୟାଳୟରେ ଏକ ଆରାମଦାୟକ ପରିବେଶ ସୃଷ୍ଟି କରିବା ।

ଅଧିକାଂଶ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଭଲ ଦରମା ଏବଂ ବୃଦ୍ଧି ପ୍ରଦାନ କରନ୍ତି । କିନ୍ତୁ ଏହି ଜାପାନୀ କମ୍ପାନୀ ତାଙ୍କ କର୍ମଚାରୀମାନଙ୍କୁ ଖୁସି କରିବା ପାଇଁ ଏକ ଭିନ୍ନ ଉପାୟ ବାଛିଛି । କମ୍ପାନୀ କାର୍ଯ୍ୟ ସମୟରେ ବିଭିନ୍ନ ପ୍ରକାରର ପାନୀୟ ଯୋଗାଇଥାଏ । ଟ୍ରଷ୍ଟ ରିଙ୍ଗ କର୍ମଚାରୀମାନଙ୍କୁ ୨ରୁ ୩ ଘଣ୍ଟାର ହ୍ୟାଙ୍ଗଓଭର ଛୁଟି ମଧ୍ୟ ଦିଏ ।

ବଡ଼ କମ୍ପାନୀଗୁଡ଼ିକ ତୁଳନାରେ ଏହାର ସୀମିତ ବଜେଟକୁ ଦୃଷ୍ଟିରେ ରଖି, ଟ୍ରଷ୍ଟ ରିଙ୍ଗର ସିଇଓ କହିଛନ୍ତି ଯେ କମ୍ପାନୀ ଏକ ନିଆରାଏବଂ ଆନନ୍ଦଦାୟକ ପରିବେଶ ସୃଷ୍ଟି କରିବା ଉପରେ ଧ୍ୟାନ ଦେଉଛୁ। ଆମେ ଦରମା ପାଇଁ ପ୍ରତିଯୋଗିତା କରିପାରିବୁ ନାହିଁ । କିନ୍ତୁ ଆମେ ଏକ ମଜାଦାର ଏବଂ ଆରାମଦାୟକ ପରିବେଶ ପ୍ରଦାନ କରିପାରିବା ଯାହା ଲୋକଙ୍କୁ ଆମ ସହିତ ରହିବାକୁ ପସନ୍ଦ କରିବେ । କମ୍ପାନୀର ସିଇଓ ମଧ୍ୟ ତାଙ୍କ କର୍ମଚାରୀମାନଙ୍କ ସହିତ ମଦ୍ୟପାନ କରନ୍ତି। ସେ ନିଜେ କମ୍ପାନୀଗୁଡ଼ିକରେ ନୂତନ କର୍ମଚାରୀମାନଙ୍କୁ ପରିଚିତ କରାନ୍ତି। କମ୍ପାନୀର ପ୍ରାରମ୍ଭିକ ଦରମା ପ୍ରାୟ ୧ ଲକ୍ଷ ୨୭ ହଜାର ଟଙ୍କା।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ

ଅହମ୍ମଦାବାଦ : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତର ଦମଦାର ପ୍ରଦର୍ଶନ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ୧୪୨ ରନରେ ବିଜୟୀ । ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମ ବ୍ଯାଟିଂ କରି ଇଂଲଣ୍ଡ ଆଗରେ ୩୫୭ ରନର ବିଶାଳ ବିଜୟ ଲକ୍ଷ୍ଯ ରଖିଥିଲା ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ଶୁବମନ ଗିଲ ଶତକୀୟ ପାଳି ଖେଳି ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଥିଲେ । ସେହିପରି ବିରାଟ କୋହଲି ଓ ଶ୍ରେୟସ ଆୟାର ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି ୫୫ ବଲରେ ୫୨ ରନ କରିଥିବାବେଳେ ଆୟାର ୬୪ ବଲରେ ୭୮ ରନ କରିଥିଲେ । ସେହିପରି ଦଳୀୟ ଖାତାରେ ୪୦ ରନ ଯୋଡ଼ିଥିଲେ କେଏଲ ରାହୁଲ୍ । ଫଳରେ ନିର୍ଦ୍ଧାରିତ ଓଭରରେ ଦଳ ସମସ୍ତ ୱିକେଟ ହରାଇ ୩୫୬ ରନ କରିଥିଲା । ଜବାବରେ ଇଂଲଣ୍ଡ ଟିମ ୨୧୪ ରନ କରି ସମସ୍ତ ୱିକେଟ ହରାଇଥିଲା । ଟିମ୍‌ ୩୪.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୧୪ ରନ୍‌ କରିପାରିଥିଲା । ଫଳରେ ଶେଷ ମ୍ଯାଚକ ୧୪୨ ରନରେ ଜିତି ସିରିଜ କ୍ଲିନସ୍ବିପ୍ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ପାଇଁ ସମସ୍ତ ବୋଲର ସଫଳତା ପାଇଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ପାଇଥିଲେ। ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।

କେଉଁଠି ବି ଜଳାଶୟରେ ମିଳିବନି ମାଛ, ଲୋପ ପାଇଯିବ ମାଛ ବଂଶ !

ଭୁବନେଶ୍ବର : ସମୁଦ୍ର, ନଦୀ କି ପୋଖରୀ । କେଉଁଠି ବି ଜଳାଶୟରେ ମିଳିବନି ମାଛ । ଲୋପ ପାଇଯିବ ମାଛ ବଂଶ । କିଲୋତ ଦୂରର କଥା ଶହେ ଗ୍ରାମ ବି ମାଛ ଦେଖିବା ହୋଇଯିବ ମୁଶକିଲ । ପରିବେଶ ପ୍ରଦୂଷଣ ସହ ବେଆଇନ ଭାବେ ମାଛଙ୍କର ଜୁଭେନାଇଲ କିଲିଂ ହେଉଛି । ୨୦୪୫ ସୁଦ୍ଧା ଆଉ ମାଛ ମିଳିବେ ନାହିଁ ବୋଲି ଗବେଷଣାରୁ ଜଣାପଡିଛି  । ସବୁ ଜଳାଶୟରେ ଯେଉଁଭଳି ବେଆଇନ ଭାବେ ଛୋଟ ଛୋଟ ମାଛଙ୍କୁ ହତ୍ୟା କରାଯାଉଛି , ତାଦ୍ବାରା ମାଛଙ୍କ ବଂଶବୃଦ୍ଧି ହେବ ନାହିଁ। ତେଣୁ ତୁରନ୍ତ ସରକାର ବିହିତ ପଦକ୍ଷେପ ନିଅନ୍ତୁ ଵୋଲି ଦାବି ହୋଇଛି। ବର୍ତ୍ତମାନ ଜୁଭେନାଇଲ ସେଭ ହେବା ଦରକାର ବୋଲି ସିଫୁଡ଼ ଆସୋସିଏନ ଅଫ ଇଣ୍ଡିଆ ଓଡିଶା ଶାଖା ପକ୍ଷରୁ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି କରାଯାଇଛି। ମାଛ ବଡ଼ ହେଲେ ତାକୁ ବିକ୍ରି କରାଯାଉ କିନ୍ତୁ ଅତି ଛୋଟ ଛୋଟ ମାଛଙ୍କୁ ମାରି ନଦିଆଯାଉ ବୋଲି ଦାବି ହୋଇଛି। ସେପଟେ ଯେତେ ଜଳୀୟ ଉତ୍ସ ସବୁଆଡେ ପ୍ରଦୂଷଣ ବଢିବା ସହ ତାପମାତ୍ରା ବୃଦ୍ଧିର ବଡ଼ ପ୍ରଭାବ ମାଛ ଓ ଅନ୍ୟ ଜଳ ଜୀବଙ୍କ ଉପରେ ପଡୁଛି। ଯେତିକି ମାଛ ଧରିବା କଥା ତାଠାରୁ ଅଧିକ ମାଛ ଜିରୋ ନେଟ ଲଗାଇ ଧରିନିଆ ଯାଉଛି । ମାଛ ବଡ଼ ହୋଇ ଅଧିକ ପ୍ରଜନନ କରିବା ପୂର୍ବରୁ ବାଧା ଦିଆଯାଉଛି ।  ଏସବୁ ରୋକିବା ପାଇଁ ଆଇନ ଅଛି କିନ୍ତୁ ପାଳନ ହେଉ ନାହିଁ। ଏହା ନିୟନ୍ତ୍ରଣକୁ ନଆଣିଲେ ମାଛ ସଂଖ୍ୟା ଓ ଜାତି ମଧ୍ୟ ଲୋପ ପାଇଯିବେ ବୋଲି ପରିବେଶବିତ ଆଶଙ୍କା ପ୍ରକାଶ କରିଛନ୍ତି।

ବିଭିନ୍ନ ଜନ ସଂଗଠନ ଗୁଡିକ ବି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆଣିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଆଇନଶୃଙ୍ଖଳା ରକ୍ଷା କରିବା ଆଦି ସବୁଥିରେ ବିଫଳ ରାଜ୍ୟ ସରକାର ଏବେ ପରିବେଶ ଓ ଜଳ ଜୀବଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବିଫଳ ବୋଲି ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ। ସେପଟେ ଜିରୋ ନେଟ ବ୍ୟାନ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ। ଯେତେବେଳେ ଅନିୟମିତତା କଥା ନଜରକୁ ଆସୁଛି ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଆମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ ସବୁଠୁ ପ୍ରିୟ ଖାଦ୍ୟ ମାଛ। କିନ୍ତୁ ମନଇଚ୍ଛା ଛୋଟ ଛୋଟ ମାଛଙ୍କୁ ଧରିବା ଓ ବେଆଇନ କାର୍ଯ୍ୟକଳାପ ମାଛବଂଶକୁ ଧ୍ୱଂସ ଆଡ଼କୁ ନେଇ ଯାଉଥିବା କୁହାଯାଉଛି ।

ଅସଜଡ଼ା କଂଗ୍ରେସକୁ ସଜାଡ଼ିବା ଭକ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ବର ; କଂଗ୍ରେସର ନୂଆ ମୁରବୀ ଭକ୍ତ ଦାସ । ଓଡ଼ିଶା କଂଗ୍ରେସର ନୂଆ କମାଣ୍ଡାଣ୍ଟ ଭକ୍ତ ଦାସ । ୮ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମୁଖିଆ। ଦଳକୁ ସଂଗଠିତ କରିବା ଅନେକ ଚ୍ୟାଲେଞ୍ଜ । ବିଧାୟକ ଓ ନେତାଙ୍କ ଭିନ୍ନ ଭିନ୍ନ ପରାମର୍ଶ । କଂଗ୍ରେସର ଆହ୍ବାନ `ଏକ ହୋଇ କରିବା କାମ’ ।  ହାଇକମାଣ୍ଡଙ୍କ ବିଶ୍ବାସ ଜିଣିଲେ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ । ୧୪ ତମ ପିସିସି ସଭାପତି ଭାବେ ସେ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ସାଜିଛନ୍ତି । ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ଦୁର୍ବଳ ହୋଇପଡିଥିବା ହାତ ଶିବିରକୁ ଟାଣ କରିବେ ଭକ୍ତ । ୨୦୨୪ ନିର୍ବାଚନ ଫଳାଫଳା ପରେ ୮ ମାସ ଧରି ପିସିସି ସଭାପତି ପଦ ଖାଲି ପଡ଼ିଥିଲା । ଏଆଇସିସି ସଂପାଦକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ବ ତୁଲାଇଥିବା ଭକ୍ତ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଂଗଠନ ସଜାଡ଼ିବା ଦାୟିତ୍ବ ଦିଆଯାଇଛି । ରାଜ୍ୟ କଂଗ୍ରେସକୁ ସଜାଡିବା ପାଇଁ ଏଆଇସିସି ତାଙ୍କୁ ଦାୟିତ୍ବ  ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଏବେ ନଜର ପକାଇବା  ଭକ୍ତଙ୍କ ପାଇଁ  କି କି ବଡ଼ ଚ୍ୟାଲେଞ୍ଜ ରହିଛି ? ସବୁ ଗୋଷ୍ଠୀକୁ ସାଙ୍ଗରେ ନେଇ ଚାଲିବା  ଭକ୍ତଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ । ଏହାସହ ତୃଣମୂଳ ସ୍ତରରେ ଅସଜଡ଼ା କଂଗ୍ରେସ ସଙ୍ଗଠନକୁ ସଜାଡ଼ିବା ହେବ ଦ୍ବିତୀୟ ଚ୍ଯାଲେଞ୍ଜ । ତା ସାଙ୍ଗକୁ ରାଜ୍ୟର ପରିବର୍ତ୍ତିତ ରାଜନୀତି ପରିସ୍ଥିତିରେ କଂଗ୍ରେସକୁ ଶକ୍ତିଶାଳୀ କରିବା ଓ  ଦଳୀୟ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ହେବ ବଡ଼ ଟାସ୍କ । କଂଗ୍ରେସକୁ ରାଜ୍ୟରେ ତୃତୀୟ ସ୍ଥାନରୁ ଉପରକୁ ଉଠାଇବା ଏବଂ  ଦଳ ସହ ମହିଳା, ଯୁବ, ଛାତ୍ରଙ୍କୁ କଂଗ୍ରେସ ଦଳ ସହ ଯୋଡ଼ିବା ବି ତାଙ୍କ ପାଇଁ ଚ୍ଯାଲେଞ୍ଜ ହେବ ।  ଦଳ ଛାଡ଼ିଥିବା ପ୍ରମୁଖ ନେତାଙ୍କୁ ଘରବାହୁଡ଼ା କରିବା ବି ହେବ ମୁସ୍କିଲ କାମ ।

ସେପଟେ ୮ମାସ ପରେ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଥିବାରୁ କଂଗ୍ରେସ ଶିବିର ଉତ୍ସାହିତ । ଦଳର ବରିଷ୍ଠ , ବିଧାୟକ ଓ ଯୁବନେତାମାନେ ଭକ୍ତଙ୍କ ନେତୃତ୍ବରେ କଂଗ୍ରେସ ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ଭକ୍ତ ଦାସ ଜଣେ ଅଭିଜ୍ଞ ରାଜନେତା । ଦଳକୁ ଆଗକୁ ନେବାରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ । ପିସିସି ସଭାପତି କଂଗ୍ରେସ ପାଇଁ କାମ କରୁ୍‌ଥିବା ନେତାଙ୍କୁ ନେଇ ଛୋଟିଆ ନୂଆ ଟିମ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ଜୟଦେବ । ଅନ୍ୟପଟେ ଦଳ ଭିତରେ ଯେମିତି ଗୋଷ୍ଠୀ ତିଆରି ନହେବ ତାହା ଉପରେ ପିସିସି ସଭାପତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପିସିସି ସଭାପତିଙ୍କ ନେତୃତ୍ବରେ ଦଳ ଶକ୍ତିଶାଳୀ ହେବ ବୋଲି କହିଛନ୍ତି । ଭକ୍ତ ଦାସ ଖୁବଶୀଘ୍ର ଓଡ଼ିଶା ଫେରିବା ପରେ ବିଶାଳ ପଟୁଆରରେ ନୂଆ ପିସିସି ସଭାପତିଙ୍କୁ ସ୍ବାଗତ କରିବାକୁ କଂଗ୍ରେସ ନେତା ଓ କର୍ମୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ବିଜେପିକୁ ବିଧାୟକ ଦରକାର ନାହିଁ ବୋଲି କହି ଶୀର୍ଷ ନେତୃତ୍ବକୁ ତେରେଛା ବାଣ ମାରିଛନ୍ତି ଜୟ ନାରାୟଣ

ଭୁବନେଶ୍ବର :ନିଜ ଦଳ ବିରୋଧରେ ପୁଣି ଅସନ୍ତୋଷ ଜାହିର କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାରଣ ମିଶ୍ର । କିଛିଦିନର ନିରବତା ପରେ ଦଳୀୟ ପରିଚାଳନା ନେଇ ଉଠାଇଛନ୍ତି ପ୍ରଶ୍ନ । ବିଜେପି ଦଳରେ ବରିଷ୍ଠତାର କିଛି ମୂଲ୍ୟ ନାହିଁ ବୋଲି ସିଧାସଳଖ ଗଣମାଧ୍ୟମ ଜରିଆରେ ବାଣ ମାରିଛନ୍ତି ଜୟ ନାରାୟଣ। ରୋକଠୋକ୍ କହିଛନ୍ତି, ଦଳରେ ଯାହା ନିଷ୍ପତ୍ତି ହେଉଛି ତାହା ଭିତରେ ସେ ନାହାନ୍ତି। ଏହାସହ ବିଜେପିରେ ବିଧାୟକ ଆବଶ୍ୟକ ନାହିଁ ବୋଲି କହି ନିଜ ଦଳକୁ ଟାର୍ଗେଟ କରିଛନ୍ତି। ଦଳର ନେତୃତ୍ବ ତାଙ୍କୁ କିପରି ଅଣଦେଖା କରୁଛନ୍ତି ସେନେଇପୂର୍ବରୁ କହିଥିଲେ ଜୟ ନାରାୟଣ। ଏଠି ପ୍ରଶ୍ନ ଉଠୁଛି ବିଜେପିରେ ବରିଷ୍ଠ ନେତାଙ୍କର କାହିଁକି ମୂଲ୍ୟ ନାହିଁ। ଦଳରେ କାହାକୁ ଇଙ୍ଗିତ କରି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଜୟ ନାରାୟଣ। ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ବ ଯେବେ ଚାହିଁବେ ସେବେ ସଭାପତି ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସେପଟେ ବିଜେପିରେ ସାଂଗଠନିକ ନିର୍ବାଚନକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷର ନିଆଁ। ଡେଡଲାଇନ ସରିବା ପରେ ବି ଛିଡୁନି ୧୪ ଜିଲ୍ଲାର ସଭାପତି ଚୟନ ଅଙ୍କ। ଏହାସହ ରାଜ୍ୟ ସଭାପତି ମଧ୍ୟ ଚୟନ ହୋଇପାରୁନାହିଁ। ଦଳୀୟ ବିଧାୟକ ଅମର ନାୟକ କହିଛନ୍ତି ଯେ, ବିଜେପିରେ କାହାକୁ ଅଣଦେଖା କରାଯାଇନି । ପର୍ଯ୍ୟାୟ କ୍ରମେ ବାକିଥିବା ଜିଲ୍ଲା ସଭାପତି ନାଁ ଘୋଷଣା ହେବା ସହ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯିବ। ଜାତୀୟ ଦଳ ଭାବେ ବିଜେପି ବେଶ ଶୃଙ୍ଖଳିତ ଦଳ ବୋଲି ଡିଣ୍ଡିମ ପିଟୁଛନ୍ତି ଦଳୀୟ ନେତା। ହେଲେ ଦଳୀୟ ବ୍ୟାପାରକୁ ବରିଷ୍ଠ ବିଧାୟକ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରିବା ଏବେ ଶୀର୍ଷ ନେତୃତ୍ବଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।