spot_img
Home Blog Page 1294

ବିଜେପି ଶାସନର ମାତ୍ର ୬ ମାସରେ ଆଇନ ଶୃଙ୍ଖଳାର ସ୍ଥିତି ସାଂଘାତିକ: ଲୋକେ ଅସୁରକ୍ଷିତ, ବେଧଡ଼କ ବୁଲୁଛନ୍ତି ଅପରାଧୀ

ଭୁବନେଶ୍ବର: ଲୋକଙ୍କୁ ସୁରକ୍ଷା ଦେଇପାରୁନି ବିଜେପି ସରକାର । ରାଜ୍ୟବାସୀ ଅସୁରକ୍ଷିତ । ବିଜେପି ଶାସନ କ୍ଷମତାକୁ ଆସିବା ପରଠୁ ବଢ଼ି ଚାଲିଛି ଅପରାଧ । ଖୁଲମଖୁଲା ବୁଲୁଛନ୍ତି ଅପରାଧୀ, ପୋଲିସ ପ୍ରତି ନାହିଁ ଡର ଭୟ । ତଥ୍ୟକୁ ଆଧାର କରି ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମାତ୍ର ଛ ମାସରେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଓଡ଼ିଶା। ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ତା’ ଛଡ଼ା ଦଳୀୟ ଭିତ୍ତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ କରି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ।

ବିଜେପି ଶାସନରେ ଭୁଶୁଡ଼ି ଯାଇଛି ରାଜ୍ୟର ଆଇନ ଶୃଙ୍ଖଳା । ଜୁନରୁ ନଭେମ୍ବର ଭିତରେ ସ୍ଥିତି ସାଂଘାତିକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଭାବେ ବିଧାନସଭାକୁ ଯେଉଁ ଉତ୍ତର ଦେଇଛନ୍ତି, ସେଥିରୁ ଏହା ସ୍ପଷ୍ଟ ହୋଇଛି । ଏହି ୬ ମାସ ଭିତରେ ୫୦୯ ଦୁଷ୍କର୍ମ, ୪୧ ଦୁଷ୍କର୍ମ ଉଦ୍ୟମ, ୭୬୯ ନାବାଳିକା ଦୁଷ୍କର୍ମ, ୪୫୯ ହତ୍ୟା, ୧୬୧ ମହିଳା ହତ୍ୟା, ୯୨୪୮ ମହିଳା ନିର୍ଯାତନା, ୨୪ ଯୌତୁକ ହତ୍ୟା ଓ ୫୩୯୮ ଯୌତୁକ ଜନିତ ନିର୍ଯାତନା ମାମଲା ରୁଜୁ ହୋଇଛି ।

ଏହି ଉଦବେଗଜନକ ଆଇନ ଶୃଂଖଳା ପରିସ୍ଥିତି ନେଇ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେମାନେ ଅଭିଯୋଗ କରିଛନ୍ତି, ଅପରାଧ ବଢୁଥିବା ସତ୍ତେ, ପୋଲିସ ନୀରବଦ୍ରଷ୍ଟା ସାଜିଛି । କଟକରେ ଦୁଷ୍କର୍ମ ମାମଲାରେ ପୋଲିସ FIR ରଖିଲାନି । ପୋଲିସ ନିଜ କାମ ଠିକରେ କରୁନଥିବାରୁ ଅପରାଧୀଙ୍କ ସାହସ ବଢ଼ିଛି । ଏମିତି ବି ହେଉଛି ବିଜେପି କର୍ମୀଙ୍କୁ ଦିଆଯାଉଛି ଜାମିନ, କିନ୍ତୁ ବିଜେଡି କର୍ମୀଙ୍କୁ ଜେଲ ପଠାଯାଉଛି । ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଲେ, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନାହିଁ । ତଥ୍ୟ ସଂଗ୍ରହ କରାଯାଉଛି କହି କଥାକୁ ଫାଙ୍କି ଦେଲେ ମୁଖ୍ୟମନ୍ତ୍ରୀ । ଭରତପୁର ଥାନା ମାମଲାରେ ସତ୍ୟପାଠ ପରେ ସତ୍ୟପାଠ ଦାଖଲ ଚାଲିଛି । କିନ୍ତୁ ତଦନ୍ତରେ ଅଗ୍ରଗତି ନାହିଁ । ସେହିପରି ଚିକିଟି ମଦ ମୃତ୍ୟୁ, ଆମ୍ବ ଟାକୁଆ ମୃତ୍ୟୁ, ରଥଯାତ୍ରା ବିଭ୍ରାଟର ତଦନ୍ତରେ ଅଗ୍ରଗତି ନାହିଁ । ଏହାର ପ୍ରତିବାଦରେ ଆନ୍ଦୋଳନର ଧମକ ଦେଇଛି ବିଜେଡି ।

DG ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଗଲା । ତାଙ୍କ ଶାସନରେ ମାଓବାଦୀ କାର୍ଯ୍ୟକଳାପ କମିଛି । ସେତେବେଳେ ପୋଲିସ କାମରେ ବିଜେଡି ହସ୍ତକ୍ଷେପ କରୁ ନଥିବାରୁ ଆଇନ ଶୃଂଖଳା ଠିକ୍ ଥିଲା ବୋଲି କହିଛି ବିଜେଡି । ଏବେ କିନ୍ତୁ ପୋଲିସ ଉପରେ ବିଜେପିର ପ୍ରବଳ ଚାପ । ଯାଜପୁର ଘଟଣାରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ସେପଟେ ଚାନ୍ଦବାଲିର ୧୪୪ ଧାରା ଅଞ୍ଚଳରେ ମନମୋହନ ସାମଲ ରାଲି କରିଥିବାର ଅଭିଯୋଗ ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ନଥିବାର ଏହା ବଡ଼ ଉଦାହରଣ ବୋଲି କହିଛି ବିଜେଡି । କଂଗ୍ରେସର ଅଭିଯୋଗ, ବିଜେପି ସରକାରରେ ଗରିବଙ୍କ ଗୋଟିଏ ଆଇନ, ଧନୀଙ୍କ ପାଇଁ ଆଉ ଏକ ଆଇନ ।

ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ପରେ ଆଇନ ଶୃଂଖଳା ବିଗିଡ଼ିଥିବା ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ଚେଷ୍ଟା କରିଛି ବିଜେପି । ଚିରାଚରିତ ଭାବେ ପୂର୍ବ ସରକାରକୁ ଦାୟୀ କରିବା ସହ ନିଜକୁ ଶିଶୁ ସରକାର କହି ଖସିବାକୁ ଅପଚେଷ୍ଟା କରିଛି ।

ରାଜ୍ୟରେ କେତେ ଜାମିନ ବିହୀନ ପରଓ୍ବାନା ଜାରି ହୋଇଛି, ସେ ତଥ୍ୟ ବି ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଏହାର ତଥ୍ୟ ସଂଗ୍ରହ କରାଯାଉଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ଅପରାଧ ଓ ଅପରାଧୀଙ୍କ ପ୍ରତି ସରକାରଙ୍କ ଢିଲା ମନୋଭାବ ହିଁ ରାଜ୍ୟକୁ ଅସୁରକ୍ଷିତ କରିଥିବା ବିରୋଧୀ କହିଛନ୍ତି ।

ଜୋରଦାର ହେବ ପୋଲାଭରମ ଲଢ଼େଇ: ତଥ୍ୟ ସଂଗ୍ରହ ପାଇଁ କାଲି ଦିଲ୍ଲୀ ଯିବ ବିଜେଡି ଟିମ

ଭୁବନେଶ୍ବର: ମାଟି ଓ ମାଆ ପାଇଁ ଲଢେଇକୁ ଜୋରଦାର କଲା ବିଜେଡି । ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ । ୫ ତାରିଖ ଯାଏଁ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର ଦେବ ଦଳ ।

ଦିଲ୍ଲୀ ଅଭିମୁଖେ ଓଡିଶାରୁ ଯିବେ ୭ ଜଣିଆ ଟିମ । ସେଠାରେ ସାତ ଜଣ ସାଂସଦ ମଧ୍ଯ ଏହି ଟିମ ସହ ସାମିଲ ହେବେ । କମିଟିରେ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ରହିଛନ୍ତି । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟିର ସହାୟତା ଦେଇଛନ୍ତି । ଟିଡିପି ମଧ୍ୟ ଏହି କାର୍ଯ୍ୟ ସାରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ଏନଜିଟି ଅର୍ଡରକୁ ବି ଷ୍ଟେ କରି ପ୍ରକଳ୍ପ କାମ କରାଯାଉଛି । ଏସବୁ ସମସ୍ୟା ଅବଗତ କରିବାକୁ ଉଦ୍ୟମ କରିବ ବିଜେଡି । ମାଲକାନଗିରିରେ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ବିଜେଡି ଟିମ ରିପୋର୍ଟ ଦେଇଥିଲେ । ପୋଲାଭରମ ପ୍ରକଳ୍ପରେ ୩୬ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନକୁ ୫୦ ଲକ୍ଷ କ୍ୟୁସେକରେ ପରିବର୍ତ୍ତନ ପରେ କ୍ଷୟକ୍ଷତିର ଆକଳନ ହୋଇନି । ବିଜେଡି ଟିମ ପୋଲାଭରମ ସାଇଟରେ ପ୍ରସ୍ତୁତି ଦେଖି ଫେରିଛି । ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ ମୁଖ୍ଯ ନରସିଂହ ମୂର୍ତ୍ତି ଓ ଟେକ୍ନିକାଲ ଟିମ ସହ ଆଲୋଚନା ହୋଇଥିଲା । କିନ୍ତୁ ସେମାନେ ପ୍ରକଳ୍ପକୁ ନେଇ ସବିଶେଷ ତଥ୍ୟ ଦେଇ ନଥିଲେ ।

୨୦୦୭ରୁ ଟ୍ରାଇବଲ ଆଫେୟାର୍ସ, ଜଙ୍ଗଲ ପରିବେଶ ବିଭାଗର ନିର୍ଦ୍ଦେଶ ଉଲ୍ଲଙ୍ଘନ ନେଇ ପ୍ରଶ୍ନ ଉଠାଇ ଆସୁଛି ଦଳ । ଆଇନଗତ ଲଢେଇ ମଧ୍ୟ ଜାରି ରହିଛି । ପ୍ରକଳ୍ପର ପରିବର୍ତ୍ତନ ଡିଜାଇନର କ୍ଷୟକ୍ଷତି ଆକଳନ କରାଯାଇ ସୁପ୍ରିମକୋର୍ଟକୁ ଦିଆଯାଇନି । ପ୍ରଥମେ ବ୍ୟାକ ୱାଟର ୧୭୪.୨୨ ମିଟର ରହିବ ବୋଲି ଆକଳନ କରାଯାଇଥିଲା । ପରେ ୨୧୩ ମିଟର ଯାଏଁ ରହିବ ବୋଲି କୁହାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୩୨.୨୮ ମିଟର ବ୍ୟାକ ୱାଟର ରହିବ ବୋଲି ଆଇଆଇଟି ରୁରକି ଆକଳନ କରିଛି । ଏ ସମ୍ପର୍କରେ କର୍ତ୍ତୃପକ୍ଷ ଟେକ୍ନିକାଲ ସ୍ବଚ୍ଛତା ଦେଇନାହାଁନ୍ତି । ବର୍ତ୍ତମାନ ନିଷ୍ପତ୍ତି ଅନୁଯାୟୀ ବିଜେଡି ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ।

ଖାଦ୍ଯଶସ୍ଯ ଓ ପନିପରିବା ସାଇତି ରଖିବାକୁ ଓଡ଼ିଶା ସମ୍ପୂର୍ଣ୍ଣ ସକ୍ଷମ

ଭୁବନେଶ୍ବର: ରାଜ୍ୟରେ ଖାଦ୍ୟଶସ୍ୟ ଓ ପନିପରିବା ଗଚ୍ଛିତ ରଖିବାକୁ ଆବଶ୍ୟକ ଗୋଦାମ ସୁବିଧା ରହିଛି । ଖୋଦ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ମୁନ୍ନା ଖାନଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ଏଥିସହିତ ରାଜ୍ୟରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରିହାତି ପ୍ରଦାନ କରୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଖାଦ୍ୟଶସ୍ୟ ଓ ପନିପରିବା ପାଇଁ ଆସନ୍ତା ଉତ୍ପାଦନ ଋତୁରେ ଷ୍ଟୋରେଜ ବ୍ୟବସ୍ଥା ସହ ଶୀତଳ ଭଣ୍ଡାର ଭିତ୍ତିଭୂମି ବୃଦ୍ଧି ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ବିଜେଡିର ଦୁଇ ସାଂସଦ ପ୍ରଶ୍ନ କରିଥିଲେ ।

ରାଜ୍ୟରେ ଖାଦ୍ୟଶସ୍ୟ ମହଜୁଦ ରଖିବାକୁ ୮ ଲକ୍ଷ ୭୩ ହଜାର ମେଟ୍ରିକ ଟନ ଷ୍ଟୋରେଜ ଆବଶ୍ୟକତା ଥିବା ବେଳେ ଖାଦ୍ୟ ନିଗମର ୧୨ ଲକ୍ଷ ୬୦ ହଜାର ମେଟ୍ରିକ ଟନ କ୍ଷମତାର ଗୋଦାମ ରହିଛି । ସେହିଭଳି ପନିପରିବା ଗଚ୍ଛିତ ରଖିବାକୁ ରାଜ୍ୟରେ ରହିଛି ୧୮୨ଟି ଶୀତଳ ଭଣ୍ଡାର । ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୫ ହଜାର ମେଟ୍ରିକ ଟନ ପନିପରିବା ଗଚ୍ଛିତ ରଖିବାକୁ ଶୀତଳ ଭଣ୍ଡାରର ଆବଶ୍ୟକତା ଥିବା ବେଳେ ୧୮୨ଟି କୋଲ୍ଡ ଷ୍ଟୋରେଜର କ୍ଷମତା ୫ ଲକ୍ଷ ୭୯ ହଜାର ମେଟ୍ରିକ ଟନ । ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ମୁନ୍ନା ଖାନଙ୍କ ଲିକ୍ଷିତ ପ୍ରଶ୍ନରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରମନାଥ ଠାକୁର ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ଗୋଦାମ କ୍ଷମତା ଓ ଶୀତଳ ଭଣ୍ଡାର ଭିତ୍ତିଭୂମି ବୃଦ୍ଧି ପାଇଁ କି ଯୋଜନା ରହିଛି ବୋଲି ପ୍ରଶ୍ନ କରିଥିଲେ ଦୁଇ ବିଜେଡି ସାଂସଦ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ନିଜସ୍ବ ଶୀତଳ ଭଣ୍ଡାର ପ୍ରତିଷ୍ଠା କରନ୍ତି ନାହିଁ । କିନ୍ତୁ କୌଣସି ବ୍ୟକ୍ତି, ଚାଷୀ ଗୋଷ୍ଠୀ, ନିଗମ, ସମବାୟ ସଂସ୍ଥା କିମ୍ବା ରାଜ୍ୟ ସରକାରଙ୍କୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରିହାତି ପ୍ରଦାନ କରିଥାନ୍ତି । ସମନ୍ବିତ ଉଦ୍ୟାନ କୃଷି ମିଶନ ଜରିଆରେ ୫ ହଜାର ମେଟ୍ରିକ ଟନ ପର୍ଯ୍ୟନ୍ତ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ସଂପ୍ରସାରଣ ପାଇଁ ରାଜ୍ୟ ସରକାର ବାର୍ଷିକ ଆକ୍ସନ ପ୍ଲାନ ଆଧାରରେ ସହାୟତା ଓ ରିହାତି ପ୍ରଦାନ କରିଥାନ୍ତି । ଶୀତଳ ଭଣ୍ଡାର ପାଇଁ ସାଧାରଣ ଭାବେ ୩୫ ପ୍ରତିଶତ ଓ ପାହାଡିଆ ଅଞ୍ଚଳ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଓଡିଶା ସମେତ ଅନ୍ୟ ରାଜ୍ୟକୁ ମଧ୍ୟ କେନ୍ଦ୍ର ସରକାର ରିହାତି ପ୍ରଦାନ କରୁଛନ୍ତି । ଶୀତଳ ଭଣ୍ଡାର ପାଇଁ କେନ୍ଦ୍ର ସରକାର କୃଷି ଭିତ୍ତିଭୂମି ପାଣ୍ଠିରେ ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହି ପାଣ୍ଠି ଜରିଆରେ ଶୀତଳ ଭଣ୍ଡାର ପାଇଁ ୨ କୋଟି ପର୍ଯ୍ୟନ୍ତ ଋଣ ଓ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରାଯାଉଛି ।

ଆଳୁ ସଙ୍କଟ: ହୁଲସ୍ତୁଲ ବିଧାନସଭା, ୧୦ ଦିନରେ ଡବଲ ଇଞ୍ଜିନ ସରକାରରେ ଦର ହେଲା ଡବଲ

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟକୁ ନେଇ ହୁଲସ୍ତୁଲ ବିଧାନସଭା l ଶୂନ୍ୟକାଳରେ ମୁଖ୍ୟ ବିରୋଧୀ ବିଜେଡି ଏ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ଯୋଗାଣ ମନ୍ତ୍ରୀଙ୍କ ଉପରେ ବର୍ଷିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆଳୁ ଉଭାନ କରିଦେଇଛନ୍ତି ନୂଆ ସରକାର । ପଶ୍ଚିମବଙ୍ଗ ଆଳୁ ବନ୍ଦ କଲା ପରେ ଆଈ ମା କାହାଣୀ ଗପ କହୁଛନ୍ତି ମନ୍ତ୍ରୀ । ଲୋକେ ହଇରାଣ ହେଉଥିବା ବେଳେ, ଯୋଗାଣ ମନ୍ତ୍ରୀ କେଉଁଠୁ ୩୦ ଟଙ୍କାରେ ଆଳୁ କିଣିଲେ, ତା’ର ଠିକଣା ଦିଅନ୍ତୁ । ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କ ବିଫଳତାକୁ ନେଇ ବର୍ଷିବା ସହ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । କିନ୍ତୁ ସବୁ ଜାଣିଲା ପରେ ବି ପଦୁଟିଏ ପାଟି ଖୋଲୁନାହାନ୍ତି ମନ୍ତ୍ରୀ ।

ରାଜ୍ୟରେ ଆଳୁ ସସମ୍ୟାକୁ ନେଇ ଶୂନ୍ୟକାଳରେ ସରଗରମ ହୋଇଛି ବିଧାନସଭା । ରାଜ୍ୟରେ ଆଳୁ ସଙ୍କଟକୁ ନେଇ ସରକାର ଓ ଯୋଗାଣ ବିଭାଗ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୧୦ ଦିନ ଭିତରେ ୩୦ ଟଙ୍କାରୁ ବଢ଼ି ୬୦ ଟଙ୍କାରେ ପହଞ୍ଚିଲାଣି ଆଳୁ କେଜି । ହେଲେ ସମସ୍ୟାର ସମାଧାନ ନକରି ଖାଲି ଶସ୍ତା ମନ୍ତବ୍ୟ ଦେଉଛନ୍ତି ଯୋଗାଣ ମନ୍ତ୍ରୀ । କିପରି ଗ୍ରାହକଙ୍କୁ ଆଳୁ ମିଳିବ, ସେନେଇ ସରକାରଙ୍କ ଚିନ୍ତା ନାହିଁ । କିନ୍ତୁ ବିଭ୍ରାନ୍ତ କରିବାକୁ ଖାଲି କହୁଛନ୍ତି, ଉତ୍ତର ପ୍ରଦେଶରୁ ଟ୍ରେନରେ ଆସିବ ଆଳୁ । ଅଭାବ ଭିତରେ, ମନ୍ତ୍ରୀ ଶସ୍ତା ମନ୍ତବ୍ୟ ନଦେଇ କେଉଁ ଦୋକାନରେ ୩୦ ଟଙ୍କାରେ ଆଳୁ ମିଳୁଛି, ତାହାର ଠିକଣା ଲୋକଙ୍କୁ ଦିଅନ୍ତୁ ବୋଲି ଗୃହରେ ଦାବି କରିଥିଲା ବିଜେଡି l ଯୋଗାଣ ମନ୍ତ୍ରୀଙ୍କୁ କଟାକ୍ଷ କରି ପ୍ରମିଳା କହିଥିଲେ ଯେ, ଆଳୁ କେଉଁ ଟ୍ରେନରେ ଆସୁଛି, ତାର ଇଞ୍ଜିନ କ’ଣ ଟାଣୁନାହିଁ କି ? ସେହିପରି ଆଳୁକୁ ନେଇ ଖାଉଟି ଚିନ୍ତାରେ ଥିବା କହିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସପ୍ତାହକ ମଧ୍ୟରେ ଦୁଇ ଗୁଣ ହେଲାଣି ଦର । ତେଣୁ ଯଥାଶୀଘ୍ର ଆଳୁ ଚାହିଦାକୁ ସରକାର ମେଣ୍ଟାନ୍ତୁ ବୋଲି ଦାବି କରିଛି ବିଜେଡି ।

କେବଳ ବିଜେଡି ନୁହେଁ, କଂଗ୍ରେସ ବିଧାୟକ ମଧ୍ୟ ଆଳୁ ଅଭାବ ଓ ଦରଦାମ ନିୟନ୍ତ୍ରଣ ବାହାରକୁ ଯିବା ନେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସରକାର ଆସିବା ପରେ ହୁ ହୁ ହୋଇ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦାମ । ଆଳୁ ସଙ୍କଟ ପାଇଁ ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ସେହିପରି ସରକାର ଏଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ହେଲେ ଏ ପ୍ରସଙ୍ଗରେ ଏକଦମ ଚୁପ୍ ଯୋଗାଣ ମନ୍ତ୍ରୀ । ଖାଲି ସେତିକି ନୁହେଁ, ଆଳୁ ପ୍ରସଙ୍ଗରେ ବିତଣ୍ଡା ଯୁକ୍ତି ବାଢୁଛନ୍ତି ବିଜେପି ବିଧାୟକ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

ବିଧାନସଭାରେ ଆଳୁ ସମସ୍ୟା ନେଇ ସୃଷ୍ଟି ହୋଇଛି ଝଡ଼ । ତୁରନ୍ତ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିରୋଧୀ । ଏଭଳି ସ୍ଥିତିରେ ଆଳୁ ସମସ୍ୟାର କେବେ ହେବ ସମାଧାନ ? କେବେ ଉପକୃତ ହେବେ ଖାଉଟି ତା’ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ତଥ୍ୟ ଲୁଚାଇବାକୁ ସରକାରଙ୍କ ଉଦ୍ୟମ !

ଭୁବନେଶ୍ବର: ତଥ୍ୟ ଲୁଚାଇବାର ନୂଆ ତରିକା । ଗତ ରଥଯାତ୍ରା ସମୟରେ ରାଷ୍ଟ୍ରପତି ପୁରୀ ରାଜଭବନରେ ଥିବା ସମୟରେ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିଲେ । ହେଲେ ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ତାକୁ ସେଥିରୁ ସ୍ପଷ୍ଟ ବାରି ହୋଇପଡୁଛି ସରକାର ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ପୁଅ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ଥାନାରେ ମାମଲା ହୋଇଛି । ଏହାକୁ ନେଇ ରାଜ୍ୟରେ ତୁମ୍ଭିତୋଫାନ ହୋଇଥିଲା । ପୂର୍ବତନ ସେନା ଅଧିକାରୀମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେ ସମୟରେ ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ୧୫ ଦିନରେ ସେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏହି ଘଟଣାରେ ଜିଲ୍ଲାପାଳଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି କି ନାହିଁ ? ଯଦି ରିପୋର୍ଟ ଆସିଛି, କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ସେ ନେଇ ଆଜି ବିଧାନସଭାରେ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ ବିଧାୟକ ତୁଷାରକାନ୍ତି ବେହେରା । ଆଉ ଏହାର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେଉଁ ଘଟଣାକୁ ନେଇ ଏତେ ହଟଚମଟ ହୋଇଥିଲା ତା’ର ତଦନ୍ତ ରିପୋର୍ଟ ଏଯାଏଁ ସରକାରଙ୍କ ହସ୍ତଗତ ହେଲା କି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାନାହିଁ । ତଥ୍ୟ ସଂଗ୍ରହ ଚାଲୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏକ ଉଦବେଗର କଥା ହେଲା, ଡିସେମ୍ବର ୨ ତାରିଖର ପ୍ରଶ୍ନ ଓ ଉତ୍ତର ହୋଇଥିଲେ ମଧ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ଯୋଗାଇ ଦିଆଯାଇଥିବା ଲିଖିତ ଉତ୍ତରପତ୍ର ଉପରେ ସେପ୍ଟେମ୍ବର ଦୁଇ ତାରିଖ ବୋଲି ଲେଖାଯାଇଛି । ଜାଣିଶୁଣି ଗଣମାଧ୍ୟମକୁ ବିଭ୍ରାନ୍ତ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ଭୁଲ ତାରିଖ ଦର୍ଶାଇ ଯାଇଥିବା ଅଭିଯୋଗ ହୋଇଛି ।

କାଲିଠୁ ବନ୍ଦ ହୋଇଯିବ କି ରାଜ୍ୟରେ ରାସନ ସାମଗ୍ରୀ ବଣ୍ଟନ ?

ଭୁବନେଶ୍ବର: ଡିଲରଙ୍କ ଦାବିକୁ ରାଜ୍ୟ ସରକାରଙ୍କ ବେଖାତିର । ୭ ଦିନ ସମୟ ନେଇ ବିତିଗଲାଣି ଦେଢ଼ ମାସ । ହେଲେ ଡିଲରଙ୍କୁ ମିଳିଲାନି ଟଙ୍କାଟିଏ । ଏମିତି ସ୍ଥିତିରେ କାଲି ସୁଦ୍ଧା ସମସ୍ୟାର ସମାଧାନ ନହେଲେ ଖାଉଟିଙ୍କୁ ରାସନ ସାମଗ୍ରୀ ଦେବା ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି ଡିଲର ।

ଅଭିଯୋଗ ଅନୁସାରେ, କେନ୍ଦ୍ର ଓ ରାଜ୍ୟ ସରକାର ଧାରାବାହିକ ଭାବରେ ରାଜ୍ୟର ପ୍ରାୟ ୭ ହଜାରରୁ ଅଧିକ ସରକାରୀ ଖୁଚୁରା ବିକ୍ରେତାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି । ଜଣେ ଡିଲର ପ୍ରତି ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ବାକି ପଡିଛି । ଖାଉଟିଙ୍କୁ ସାମଗ୍ରୀ ଦେବା ପାଇଁ ଜିପିଆରଏସ୍ ବ୍ୟବସ୍ଥା ଉଭୟ ବିକ୍ରେତା ଓ ଯୋଗାଣକାରୀଙ୍କ ଉପରେ ଲାଗୁ ହେଲା । କିନ୍ତୁ କିଛି ଦିନ ଗଲା ପରେ ଠିକାଦାରଙ୍କ ଉପରୁ ଏହାକୁ ହଟାଇ ଦିଆଗଲା । ଚାଉଳ ପ୍ରତି କୁଇଣ୍ଟାଲରେ ୨ରୁ ୩ କେଜି କମ ଆସୁଥିବାରୁ ତାହାର ଭରଣା କିଏ କରିବ ବୋଲି ଅଭିଯୋଗ ହୋଇଛି ।

ତେବେ ୭ ଦିନ ମଧ୍ୟରେ ଡିଲରଙ୍କର ସମସ୍ତ ବକେୟା ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ ଯୋଗାଣ ଅଧିକାରୀ । କିନ୍ତୁ ଦେଢମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମିଳିଲା ନାହିଁ । ଆସନ୍ତା କାଲି ସୁଦ୍ଧା ଯଦି ସମସ୍ୟା ସମାଧାନ ନହୁଏ ତେବେ ରାଜ୍ୟରେ ଥିବା ସମସ୍ତ ଡିଲର ପଏଣ୍ଟରେ ଖାଉଟିଙ୍କୁ ସାମଗ୍ରୀ ଯୋଗାଣ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଉଛି ।

ସ୍ତ୍ରୀକୁ ହାଣି ପୋତିବା ବେଳେ ଧରାପଡ଼ିଲା ସ୍ବାମୀ

କାମାକ୍ଷାନଗର: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଜଙ୍ଗଲରେ ପୋତୁଥିବା ବେଳେ ଧରାପଡିଲା ସ୍ବାମୀ । ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ମହାବିରୋଡ଼ ଥାନା ମଝିକା ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ଜଣକ ମଝିକା ଗାଁର ଝୁମୁରି ଦେହୁରୀ । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଜଗା, ପତ୍ନୀ ଝୁମୁରିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପରେ ମୃତଦେହକୁ ଘର ପାଖ ଜଙ୍ଗଲକୁ ନେଇ ଗାତ ଖୋଳି ପୋତିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଦେଖିଥିଲେ । ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଛି । ତେବେ କେଉଁ କାରଣକୁ ନେଇ ଜଗା ନିଜ ସ୍ତ୍ରୀକୁ ଏଭଳି ବିଭତ୍ସ ଭାବେ ହତ୍ୟା କରିଛି ତାହାର କାରଣ ଅସ୍ପଷ୍ଟ ରହିଛି l

‘ଏମକେସିଜି ମେଡିକାଲ କଲେଜ ରାଗିଂ ଅଭିଯୋଗ ମିଛ’

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗର ନୂଆ ମୋଡ । ଘଟଣାର କୌଣସି ସତ୍ୟତା ନଥିବା କହିଛନ୍ତି ଏମକେସିଜି କଲେଜ ଡିନ୍ । ଅଭିଯୋଗ ଆସିବା ପରେ ଏନେଇ ଜୁନିୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା । ତେବେ ଅଭିଯୋଗ କରିଥିବା ଅଭିଭାବକ କୌଣସି ଛାତ୍ରୀଙ୍କ ବାପା ନୁହନ୍ତି ଓ ଉକ୍ତ ସାଙ୍ଗିଆରେ କୌଣସି ଛାତ୍ରୀ କଲେଜରେ ପଢୁ ନଥିବା ସେ ସ୍ପଷ୍ଟ କରିଛନ୍ତି ।

ତେଣୁ ଚିଠି ମିଥ୍ୟା ହୋଇପାରେ ବୋଲି କହିଛନ୍ତି କଲେଜ ଡିନ୍ । ତଥାପି ଏହାର କେତେ ସତ୍ୟତା ରହିଛି ତାକୁ ନେଇ ଏକ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

ମେଡିକାଲ କଲେଜରେ ରାଗିଂ ହୋଇଥିବା ଜଣେ ଛାତ୍ରୀଙ୍କ ବାପା ଚିଠି ଲେଖି ଅଭିଯୋଗ କରିଥିଲେ ଯେ, ପ୍ରାୟ ଶହେ ଜଣ ଛାତ୍ର ଓ ୪୦ ଜଣ ଜୁନିୟର ଛାତ୍ରୀଙ୍କୁ ସିନିୟର ଛାତ୍ରଛାତ୍ରୀ ନିଜର ହୋମୱାର୍କ କରିବାକୁ ବାଧ୍ୟ କରୁଛନ୍ତି । ପ୍ରତିବାଦ କଲେ ସିନିୟର ଛାତ୍ରଛାତ୍ରୀମାନେ ଧମକ ଦେଉଛନ୍ତି । ରାତି ସାଢ଼େ ୧୦ଟା ପରେ ହଷ୍ଟେଲକୁ ଆସି ଜୁନିୟର ଛାତ୍ରଛାତ୍ରୀଙ୍କୁ ହୋମୱାର୍କ କରିବାକୁ ସିନିୟର ଛାତ୍ରଛାତ୍ରୀମାନେ ବାଧ୍ୟ କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଥିଲା ।

ଏନେଇ ଅଭିଯୋଗ ପରେ ଆଜି ରାଗିଂ କରିଥିବା କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଅଭିଯୋଗ କରିଥିବା ଅଭିଭାବକ କୌଣସି ଛାତ୍ରୀଙ୍କ ବାପା ନୁହନ୍ତି ବୋଲି ଜଣାପଡ଼ିଛି ।

ପ୍ରେମିକ ଆଗରେ ପ୍ରେମିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ୪ ଅଟକ

ସମ୍ବଲପୁର: ପୁଣି ଏକ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଆସିଛି ସମ୍ବଲପୁରରୁ । ପ୍ରେମିକ ଆଗରେ ତାଙ୍କ ପ୍ରେମିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଘଟଣା ସମ୍ବଲପୁରର ବାମରା ଅଞ୍ଚଳରେ ଘଟିଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି ।

ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଚାଲିଗଲା ଯୁବ ଆଇପିଏସଙ୍କ ଜୀବନ

ହସନ: ଅଧା ରହିଗଲା ଆଇପିଏଓ ଚାକରିରି କରି ଚୌକିରେ ବସିବାର ସ୍ବପ୍ନ । ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଚାଲିଗଲା ଜଣେ ଦକ୍ଷ ଆଇପିଏସଙ୍କ ଜୀବନ । ଘଟଣା ଘଟିଛି କର୍ଣ୍ଣାଟକର ହସନରେ । ମୃତକ ହେଲେ ୨୬ ବର୍ଷୀୟ ଆଇପିଏସ୍ ହର୍ଷବର୍ଦ୍ଧନ । ତାଙ୍କ ଘର ମଧ୍ୟପ୍ରଦେଶ ଜବଲପୁରରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ପିଲାଟେ ଦିନରୁ ଆଇପିଏସ୍ ହୋଇ ଲୋକଙ୍କ ସେବେ କରିବାକୁ ସ୍ବପ୍ନ ଦେଖିଥିଲେ ହର୍ଷବର୍ଦ୍ଧନ । ଆଉ ବାପାମାଆଙ୍କ ସ୍ବପ୍ନ ବି ପୂରଣ କରିବେ । ପରିଶ୍ରମ କରି ଆଇପିଏସ୍ ପାଇ ବି ଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଚାକିରିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ହର୍ଷବର୍ଦ୍ଧନଙ୍କ ଜୀବନ ।

ବିଡ଼ମ୍ଵନା ଯେ, ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ଘଟିଛି । ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା କର୍ଣ୍ଣାଟକର ହସନ ଜିଲ୍ଲାରେ । ଚାକିରିରେ ଯୋଗ ଦେବାକୁ ସେ ଯିବା ବେଳେ ତାଙ୍କ ଜିପର ଟାୟାର ଫାଟି ଯାଇଥିଲା । ଡ୍ରାଇଭର ଗାଡ଼ି ସମ୍ଭାଳି ନପାରିବାରୁ ତାହା ଓଲଟି ପଡ଼ିଥିଲା । ଏଥିରେ ଡ୍ରାଇଭର ଓ ହର୍ଷବର୍ଦ୍ଧନ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଯୁବ ଆଇପିଏସଙ୍କ ମୃତ୍ୟୁ ଘଟିଥିଲା । ୨୦୨୩ ବ୍ୟାଚର ଆଇପିଏସ୍ ହର୍ଷବର୍ଦ୍ଧନ କିଛି ଦିନ ତଳେ ମହୀଶୂରରେ ଟ୍ରେନିଂ ସାରିଥିଲେ । ଡ୍ରାଇଭର ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।