spot_img
Home Blog Page 1295

କ୍ୟାଲିବର କ୍ରୁଜ ମିସାଇଲ କେତେ ଘାତକ ? ଋଷ ପାଖରୁ ଭାରତ କିଣିବା ନେଇ ବୁଝାମଣା

ନନ୍ଦିଘୋଷ ବ୍ୟୁରୋ: ଋଷର କ୍ୟାଲିବର କ୍ରୁଜ ମିସାଇଲ ଏବେ ଭାରତୀୟ ନୌସେନାକୁ କରିବ ଶକ୍ତିଶାଳୀ । କାରଣ ଋଷ ପାଖରୁ ଭାରତ କିଣିବାକୁ ଯାଉଛି କ୍ଲବ-ଏସ ଆଣ୍ଟି ସିପ୍ ମିଜାଇଲ । ଏଥିପାଇଁ ଋଷ-ଭାରତ ମଧ୍ୟରେ ବୁଝାମଣା ହୋଇସାରିଛି । ଏହା ଭାରତର ସିନ୍ଧୁଘୋଷ କ୍ଲାସ୍ ପଣ୍ଡୁବିରେ ବ୍ୟବହାର ହେବ । ଏହାଦ୍ବାରା ଭାରତର ନୌସେନା ଆହୁରି ଶକ୍ତିଶାଳୀ ହୋଇଯିବ । କାରଣ ହିନ୍ଦ ମହାସାଗରରେ ଅପ୍ରତିଦ୍ବନ୍ଦ୍ବୀ ଭାରତୀୟ ନୌସେନାରେ ଏହି କ୍ଳବ-ଏସ କ୍ରୁଜ୍ ମିଜାଇଲ ସାମିଲ ହେବା ପରେ ଏହାର ଶକ୍ତି ଆହୁରି ବଢ଼ିଯିବ । ଯାହା ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନ ପାଇଁ ଏକ ଚେତାବନୀ କହିଲେ ଭୁଲ ହେବନାହିଁ ।

ଭାରତୀୟ ନୌସେନାକୁ ଆହୁରି ସୁଦୃଢ଼ ​​କରିବା ପାଇଁ ଭାରତ ଋଷଠାରୁ କ୍ଲବ୍-ଏସ୍ କ୍ରୁଜ୍ ମିସାଇଲ୍ କିଣିବା ପାଇଁ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଭାରତୀୟ ନୌସେନାର କିଲୋ-କ୍ଲାସ୍ ଆଟାକ୍ ପଣ୍ଡୁବିରେ ଲଗାଯିବ। ରିପୋର୍ଟ ଅନୁଯାୟୀ, ରୁଷିଆ କ୍ଷେପଣାସ୍ତ୍ରଗୁଡ଼ିକ ସିନ୍ଧୁଘୋଷ-କ୍ଲାସ୍ ନାମରେ ଜଣାଶୁଣା । ଏହା ଡିଜେଲ-ଇଲେକ୍ଟ୍ରିକ୍ ଚାଳିତ ଆକ୍ରମକାରୀ ପଣ୍ଡୁବିରେ ଲଗାଯିବ । ଯାହା କିଲୋ-କ୍ଲାସ୍ (ପ୍ରୋଜେକ୍ଟ 877) ଉପରେ ଆଧାରିତ। ଏହି ପଣ୍ଡୁବିଗୁଡ଼ିକୁ ଭାରତ ୧୯୮୦ cସିହାରେ ସୋଭିଏତ୍ ସଂଘ ନିକଟରୁ କିଣାଥିଲା।

ଏହି ମିସାଇଲକୁ ପଣ୍ଡୁବିରେ ଲଗାଯିବ । ଭାରତ ସରକାର ଋଷଠାରୁ ୧୦ଟି ପଣ୍ଡୁବି ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଯାହାର ନିର୍ମାଣ ସେବମାଶ ସିପୟାର୍ଡରେ କରାଯାଇଛି। ଏହା ବର୍ତ୍ତମାନ ୟୁନାଇଟେଡ୍ ସିପ୍ ବିଲ୍ଡିଂ କର୍ପୋରେସନର ଏକ ଅଂଶ। ଭାରତୀୟ ନୌସେନାରେ ଏହାର କମିଶନିଂ ୧୯୮୬ ମସିହାରେ ଆରମ୍ଭ ହୋଇଥିଲା। ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ପରେ, ରୁଷ ବୁଡ଼ାଜାହାଜ ନିର୍ମାଣ ଆରମ୍ଭ କରିଥିଲା ​​ଏବଂ ଶେଷ କରି ୨୦୦୦ ମସିହାରେ ଡେଲିଭରୀ କରିଥିଲା । ଯାହାର ନାମ INS ସିନ୍ଧୁଶାସ୍ତ୍ର ଥିଲା ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କ୍ରୁଜ୍ ମିସାଇଲ୍ କିଣିବାପାଇଁ ରୁଷ ସହିତ ଚୁକ୍ତିକୁ ନିଶ୍ଚିତ କରିଥିଲା । ତଥାପି, ଏହି କ୍ଷେପଣାସ୍ତ୍ରଗୁଡ଼ିକର ମଡେଲ କ’ଣ ହେବ ସେ ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳିପାରି ନାହିଁ।

ଏହି କ୍ଷେପଣାସ୍ତ୍ର ବିଷୟରେ ଉପଲବ୍ଧ ସୂଚନା ଅନୁସାରେ, ଏହା ୩୦୦କିଲୋମିଟର ଦୂରତା ପର୍ଯ୍ୟନ୍ତ ସ୍ଥଳ ଏବଂ ସମୁଦ୍ର ପୃଷ୍ଠକୁ ଆକ୍ରମଣ କରିପାରିବ । ସେହି ସମୟରେ, ଏହା ସମ୍ଭାବ୍ୟ ଭାବରେ ଅତ୍ୟାଧୁନିକ 3M-54TE କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ପ୍ରକାର ହୋଇପାରେ । ଯାହାକୁ କ୍ଲବ୍-N ଭାବରେ ନାମିତ କରାଯାଇଛି। 3M-54TE କ୍ଷେପଣାସ୍ତ୍ର ଏବଂ 3M-54E କ୍ଷେପଣାସ୍ତ୍ର ମିଶ୍ରଣର ଏକ ନୂତନ ପ୍ରକାର ହେବାର ସମ୍ଭାବନା ଅଛି । ଏବଂ ଉଭୟ ପ୍ରକାରର କ୍ଷେପଣାସ୍ତ୍ର ବର୍ତ୍ତମାନ ସିନ୍ଧୁଘୋଶ-ଶ୍ରେଣୀର ପଣ୍ଡୁବିରେ ବ୍ୟବହୃତ ହେଉଛି। ଯାହା ଶତ୍ରୁଙ୍କୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ।

ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଭବନରେ ଆଜି ହେବ ଏକ ସ୍ବତନ୍ତ୍ର ବିବାହ ଉତ୍ସବ

ନୂଆଦିଲ୍ଲୀ: ନୂଆ ଇତିହାସ ରଚିବ ରାଷ୍ଟ୍ରପତି ଭବନ। ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ ଏକ ସ୍ବତନ୍ତ୍ର ବିବାହ ଉତ୍ସବ। ରାଷ୍ଟ୍ରପତି ଭବନସ୍ଥିତ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଏକ ସିଆରପିଏଫ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ। ଭାରତୀୟ ରାଜନୀତି ଓ ସାଂସ୍କୃତିକ ଇତିହାସର ଅନେକ ସ୍ମାରକୀ ବହନ କରୁଥିବା ରାଷ୍ଟ୍ରପତି ଭବନରେ ଏହି ବିବାହ ଉତ୍ସବକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଇତିହାସରେ ପ୍ରଥମ ଥର ଲାଗି ବି ଜଣେ ରାଷ୍ଟ୍ରପତି ଏହି ଭବନ ଭିତରେ ଏକ ବିବାହ ଉତ୍ସବର ଆୟୋଜନ କରିଛନ୍ତି । ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ସିଆରପିଏଫର ଅଲ-ଓମେନ କଣ୍ଟିଜେଣ୍ଟର ନେତୃତ୍ବ ନେଇଥିବା ସିଆରପିଏଫ ଅଫିସର ପୁନମ ଗୁପ୍ତାଙ୍କ ସହ ସିଆରପିଏଫ ଅଫିସର ଅବିନାଶ କୁମାରଙ୍କ ବିବାହ ସମ୍ପନ୍ନ ହେବ ।

ସିଆରପିଏଫର ପର୍ସନାଲ ସିକ୍ଯୁରିଟି ଅଫିସର ହେଉଛନ୍ତି ପୁନମ ଗୁପ୍ତା । ସେହିପରି ଅବିନାଶ କୁମାର ହେଉଛନ୍ତି ସିଆରପିଏଫର ଆସିଷ୍ଟାଣ୍ଟ କମିଶନର । ସେ ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ରାଷ୍ଟ୍ରପତି ଭବନରେ ବିବାହ କରିବା କ୍ଷେତ୍ରରେ ପୁନମ ହେବେ ପ୍ରଥମ ଅଧିକାରୀ । ପୁନମ ଗୁପ୍ତାଙ୍କ ତ୍ଯାଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିଭୂତ କରିଥିଲା । ଫଳରେ ପୁନମଙ୍କ ବିବାହ ରାଷ୍ଟ୍ରପତି ଭବନରେ କରିବା ଲାଗି ସେ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତିଙ୍କ ସମ୍ମତି ପରେ ଏହି ବିବାହ ଉତ୍ସବ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ । ଚାରି ମହଲା ବିଶିଷ୍ଟ ରାଷ୍ଟ୍ରପତି ଭବନରେ ୩୪୦ଟି କୋଠରୀ ରହିଛି । ଏହି ସମସ୍ତ ରୁମର ସାଇଜ ଅଲଗା ଅଲଗା । ରାଷ୍ଟ୍ରପତି ଭବନରେ ଅନେକ ଚାମ୍ବର, ଆଣ୍ଟେରୁମ, କରିଡର, ଗ୍ଯାଲେରୀ, କୋର୍ଟ, ସାଲୁନ, ଥିଏଟର, କିଚେନ, ପାଣ୍ଟ୍ରି, ପ୍ରିଣ୍ଟିଂ ପ୍ରେସ ଆଦି ରହିଛି । ରାଷ୍ଟ୍ରପତି ଭବନରେ ଫ୍ଲୋର ଏରିଆ ପ୍ରାୟ ୨ ଲକ୍ଷ ବର୍ଗ ଫୁଟ ।

କିଏ ହେବେ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଆଜି ହେବ ନିଷ୍ପତ୍ତି

ଆଜି ଚଣ୍ଡୀଗଡ଼ରେ ବସିବ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ, ଆସନ୍ତା ୧୪ରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:: ଆସନ୍ତା ୧୪ରେ ଚଣ୍ଡୀଗଡ଼଼ରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରାଳୟର ଯୁଗ୍ମସଚିବ ପ୍ରିୟ ରଞ୍ଜନଙ୍କ ନେତୃତ୍ବରେ ଏକ ଟିମ୍ ଆନ୍ଦୋଳନରତ ଚାଷୀନେତା ଜଗଜିତ ସିଂ ଦାଲେଓ୍ବାଲ ଓ ଏସକେଏମ ଓ କେଏମଏମ ପ୍ରତିନିଧିଙ୍କୁ ଭେଟିଥିଲେ । ସେପଟେ ଆଜି ଚଣ୍ଡୀଗଡ଼ରେ ବସିବ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ । ଏହି ବୈଠକରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ତେଣେ ୩୨ଟି କୃଷକ ସଂଗଠନର ମଞ୍ଚ ସାଜିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ସମର୍ଥନ କରିଛି କିଷାନ ମଜଦୂର ମୋର୍ଚ୍ଚା ବା କେଏମଏମ । ୧୨ ଦଫା ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଏହି ଦାବି ମଧ୍ଯରେ ପ୍ରମୁଖ ଦାବି ରହିଛି କୃଷିଜାତ ସାମଗ୍ରୀର ମାର୍କେଟିଂ ସଂକ୍ରାନ୍ତ ଜାତୀୟ ନୀତି ଫ୍ରେମଓ୍ବାର୍କ- ବା NPAFMର ପ୍ରତ୍ୟାହାର ।

କେଏମଏମ ନେତା ଶର୍ବଣ ସିଂ ପାନ୍ଧେର କହିଛନ୍ତି, ସଂଯୁକ୍ତି ମୋର୍ଚ୍ଚାର ସମସ୍ତ ଦାବିକୁ କେଏମଏମ ସମର୍ଥନ କରୁଛି । ଗତବର୍ଷ ଫେବୃଆରୀ ୧୨ରୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଶମ୍ଭୁ ଓ ଖାନାଉରୀ ସୀମାରେ ଆନ୍ଦୋଳନ କରିଆସୁଛନ୍ତି କେଏମଏମ ଓ ଏସକେଏମ । ତେଣେ ୧୪ ତାରିଖରେ ହେବାକୁ ଥିବା ଆଲୋଚନା ଯଦି ବିଫଳ ହୁଏ ତେବେ ଆସନ୍ତା ୨୫ରେ ୧୦୧ଜଣ ଚାଷୀ ହରିୟାଣା ସୀମା ପାର୍ ହେବା ଲାଗି ଉଦ୍ୟମ କରିବେ । ଗତବର୍ଷ ଫେବୃଆରୀ ୮, ୧୨, ୧୫, ୧୮ରେ ଚାରିଥର କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ସହ ଆଲୋଚନା ହୋଇଥିବା ସତ୍ତ୍ବେ ସମାଧାନର ପନ୍ଥା ବାହାରିପାରି ନଥିଲା ।

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ୨୮ଟି କାର୍ଯ୍ୟଦିବସ ସହ ଲମ୍ବା ସମୟର ବଜେଟ ଅଧିବେଶନରେ ଅଡୁଆରେ ପଡିପାରନ୍ତି ସରକାର। ଅଧିବେଶନକୁ ସୁରୁଖୁରୁରେ ସାରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ। ସେପଟେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ରାଜ୍ୟ ସ୍ବାର୍ଥ ସହ ନୂଆ ଓ ପୁରୁଣା ପ୍ରସଙ୍ଗକୁ କିପରି ଶାଣିତ କରାଯିବ, ସେନେଇ ପ୍ରସ୍ତୁତ ହେବ ରଣନୀତି। ଲୋକଙ୍କ ସ୍ବର ସାଜି ଆକ୍ରମଣାତ୍ମକ ଭୂମିକା ଆପଣାଇବ ବିଜେଡି।

ଗୃହରେ ଉଠିବ ଆଇନଶୃଙ୍ଖଳା, ହଇଜା, ଧାନ କିଣାରେ କଟନି ଛଟନି ଆଦି ପ୍ରସଙ୍ଗ। ରାଜଧାନୀରେ ଯୁବକଙ୍କୁ ହତ୍ୟା, ଭିଆଇପି ଏରିଆରୁ ଚୋରି, ନେତାଙ୍କୁ ହତ୍ୟା ଧମକ ସହ ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବଡ଼ ଅସ୍ତ୍ର କରିବ ବିଜେଡି। ତେଣେ ସରକାର ଗଠନର ୨୪ ଘଣ୍ଟା ଭିତରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି, ବର୍ଦ୍ଧିତ ଭତ୍ତା, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବା ପରି ମାଳମାଳ ନିର୍ବାଚନୀ ପ୍ରତିଶୃତି ଭୁଲି ଯାଇଛି ଡବଲ ଇଞ୍ଜିନ ସରକାର। ଏକଥାକୁ କଂଗ୍ରେସ ପ୍ରସଙ୍ଗ କରି ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ୧୭ ତାରିଖରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ।

ରଣବୀର ଘରେ ପଶିଲା ମୁମ୍ବାଇ ପୋଲିସ, ସାଇବର ସେଲରେ ମାମଲା

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ୟୁଟ୍ୟୁବର ରଣବୀର ଆଲାହାବାଦିଆଙ୍କ ବଢ଼ିଲା ଅଡୁଆ । ତାଙ୍କ ଘରେ ମୁମ୍ବାଇ ପୋଲିସ ଛାନବିନ କରିଥିବାବେଳେ ମହାରାଷ୍ଟ୍ର ସାଇବର ସେଲ ପକ୍ଷରୁ ରୁଜୁ ହୋଇଛି ମାମଲା । ରଣବୀରଙ୍କ ସମେତ ୪୦ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଛି । ତେଣେ ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ ହଟାଇଛି ୟୁଟ୍ୟୁବ ।

ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ ବା ଏଆଇସିଡବ୍ଲୁଏ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବକୁ ନୋଟିସ ପଠାଇ ଏହି ଭିଡିଓକୁ ହଟାଇବାକୁ କହିଥିଲେ । ଯାହା ପରେ ୟୁଟ୍ୟୁବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିବାଦୀୟ ଭିଡିଓକୁ ହଟାଇ ଦେଇଛି । ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କା କାନୁନଗୋ ମଧ୍ୟ ଭିଡିଓଟିକୁ ହଟାଇବାକୁ କହିଥିଲେ ।

ସୋମବାର ଦିନ ସମାଲୋଚନାର ସମ୍ମୁଖୀନ ହେବା ପରେ, ୟୁଟ୍ୟୁବର କ୍ଷମା ପ୍ରାର୍ଥନା କରିଥିଲେ । ତାଙ୍କ ବିରୋଧରେ ଆସାମ ପୋଲିସ ମାମଲା ରୁଜୁ ପରେ ବାଧ୍ୟ ହୋଇ କ୍ଷମା ମାଗିଥିଲେ ରଣବୀର । ଆଲ୍ଲାହାବାଦିଆଙ୍କ ବିରୋଧରେ ମାମଲା ରୁଜୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍ କରି ସୂଚନା ଦେଇଥିଲେ । ଆଲ୍ଲାହାବାଦିଆଙ୍କ ସହିତ, ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମଖିଜା, ସମୟ ରୈନା ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।

ଆସାମ ପୋଲିସ ଷ୍ଟାଣ୍ଡ-ଅପ୍ କମେଡିଆନ ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ସାମ୍ପ୍ରତିକ ଏପିସୋଡ୍‌ରେ ‘ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଅଶ୍ଳୀଳ ଆଲୋଚନାରେ ଲିପ୍ତ ରହିବା’ ଅଭିଯୋଗରେ ୟୁଟ୍ୟୁବର ଆଲ୍ଲାହାବାଦିଆ ଏବଂ ହାସ୍ୟ ଅଭିନେତା ସମୟ ରୈନାଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ୟୁଟୁବର ଏବଂ ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମାଖିଜା ଏବଂ ଅନ୍ୟମାନଙ୍କ ନାଁ ମଧ୍ୟ FIR ରେ ରଖାଯାଇଛି । ସମସ୍ତେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ରହିଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ ନେଇ ୟୁଟ୍ୟୁବକୁ ଏକ ଚିଠି ଲେଖିଛନ୍ତି । ଏବେ ନୋଟିସ୍ ଜାରି କରିଛି ମାନବାଧିକାର କମିଶନ ।

ଆଉ ରାସ୍ତାରେ ଚାଲିବନି ରୋମିଓଙ୍କ ରାଜୁତି

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ । ହେଲମେଟ, ବ୍ଲାକଫିଲ୍ମ, ବିକଟାଳ ହର୍ଣ୍ଣ, ସିଟବେଲ୍ଟ, ରଙ୍ଗ ରୁଟ ଡ୍ରାଇଭିଂ କରୁଥିଲେ ଆଉ ମିଳିବନି ତ୍ରାହି । ପେଶାଦାର ଖିଲାପକାରୀଙ୍କୁ ଫାଇନ ନୁହେଁ, ଏବେ ପିଆର ବଣ୍ଡରେ ଛଡ଼ାଯାଉଛି ଗାଡି । ଏଜି ଛକ ଓ ନାଲକୋ ଛକରେ ବ୍ୟାପକ ହୋଇଛି ଚେକିଂ । କାଲିଠାରୁ ସମସ୍ତ ଛକ ବଜାରରେ କଡାକଡି ହେବ ଚେକିଂ ।

ରାସ୍ତାରେ ଚଳିବନି ରୋମିଓଙ୍କ ରାଜୁତି । କଳା କାଚ ବ୍ୟବହାରକାରୀ ପାଇଁ କଡା ଆକ୍ସନ୍ । ରଙ୍ଗରୁଟ ଡ୍ରାଇଭର ଓ ପିଲିୟନ ରାଇଡର ବି ସାବଧାନ । ଗାଡ଼ିରେ ବ୍ଲାକଫିଲ୍ମ, ନମ୍ବର ପ୍ଲେଟରେ ରାଜନୈତିକ ଦଳର ଚିହ୍ନ । ସହର ଭିତରେ ପଶି ପୁରୀ ଯାଉଥିବା ବେଳେ ଏଭଳି ଏକାଧିକ ବ୍ଲାକଫିଲ୍ମ ବ୍ୟବହୃତ ଗାଡିକୁ ଧରିଛି ଟ୍ରାଫିକ ପୋଲିସ ।

ଗୋଟିଏ କିମ୍ବା ଦୁଇଟି ନୁହେଁ, ବେନିୟମ ଭାବେ ଗାଡି ଚଳାଉଥିବା ଏକାଧିକ ଚାଳକଙ୍କ ଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ । ଏଜି ଛକ ଓ ନାଲକୋ ଛକରେ RTO ସହଭାଗୀତାରେ ଚେକିଂରେ ବ୍ଲାକ ଫିଲ୍ମ, ହର୍ଣ୍ଣ, ସିତବେଲ୍ଟ, ମଡ଼ିଫାଇଡ଼ ସାଇଲେନ୍ସର, ଟ୍ରିପଲ ରାଇଡିଂ, ହେଲମେଟ ସହ ଗାଡି କାଗଜପତ୍ର ଯାଞ୍ଚ କରାଯାଇଥିଲା । ସୋମବାରଠାରୁ ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ଏବେ କେବଳ ଫାଇନ କଟାଯାଉଥିବା ବେଳେ ଆଗକୁ ଗାଡ଼ିଗୁଡିକୁ ପିଆର ବଣ୍ଡରେ କୋର୍ଟରୁ ଆଣିବାକୁ ହେବ ବୋଲି କହିଛନ୍ତି RTO କର୍ମଚାରୀ ।

ବେପରୁଆ ଗାଡିଚାଳନା ପାଇଁ ସହରରେ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ସୋମବାର ବିଳମ୍ବିତ ରାତିରେ ବଡଗଡ଼ ଥାନା ଅନ୍ତର୍ଗତ ସାଇମନ୍ଦିର ଛକରେ ଦୁର୍ଘଟଣା ଘଟି ଚାଲିଯାଇଛି ୩ଟି ଜୀବନ । ଏକ ଟାଟା ହ୍ୟାରିୟର ଗାଡ଼ିରେ ଖଣ୍ଡଗିରି ଯାତ୍ରା ଦେଖିବାକୁ ଆସିଥିବା ୨ ଯୁବକ, ରଙ୍ଗ ରୁଟରେ ବିନା ହେଲମେଟରେ ଆସୁଥିବା ୩ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲେ । ହସ୍ପିଟାଲକୁ ନେବା ବାଟରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଗାଡି ସହ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ସେପଟେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ନୀତିଦିନ ଚାଲୁଥିବା ବେଳେ ଆଗକୁ ଏହା ଆହୁରି ବ୍ୟାପକ ହେବ ବୋଲି କୁହାଯାଇଛି । ବଡ଼କଥା ହେଉଛି କେବଳ ପୋଲିସର୍ ଚେକିଂ ନୁହେଁ ବରଂ ନିଜେ ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ, ସମସ୍ତ ନିୟମ ମାନିବାର ଆବଶ୍ୟକତା ଥିବା କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ । ସେପଟେ ବାହାର ରାଜ୍ୟରୁ ଆସିଥିବା ଲୋକ କଟକଣା ବିଷୟରେ ଅବଗତ ନଥିବା କହିଛନ୍ତି । ଆଗକୁ ମଡିଫାଏଡ଼ ପାର୍ଟ୍ସ ରଖୁଥିବା ଦୋକାନ ବା ଶୋ’ରୁମରେ ମଧ୍ୟ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ ।

ମହିଳା କମିଶନଙ୍କ କ୍ଷମତାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ବର: ଫାଙ୍କା ପଡ଼ିଛି ରାଜ୍ୟ ମହିଳା କମିଶନ ପଦ । ନ୍ୟାୟ ଆଶାରେ ଆସୁଥିବା ମହିଳା ହେଉଛନ୍ତି ହନ୍ତସନ୍ତ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିଶ କରୁଛନ୍ତି । ନିଜେ କିଛି ଆକ୍ସନ ନନେଇ ପୋଲିସ ଆକ୍ସନ ନେବାକୁ କରୁଛନ୍ତି ସୁପାରିଶ । ପୋଲିସ ପାୱାର ବିନା କମିଶନଙ୍କର କିଛି ମାନେ ନାହିଁ । ରାଜ୍ୟ ମହିଳା କମିଶନର ୩୨ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଯୋଗ ଦେଇ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ସେପଟେ କମିଶନଙ୍କର ଯାହା ବି ନିୟମ ଅଛି ତାକୁ ନେଇ ଭଲ କାମ କରି ହେବ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।

ଖାଲି ପଡ଼ିଛି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟ ପଦ । ପାଖାପାଖି ତିନି ମାସରୁ ଅଧିକ ସମୟ ଧରି ଖାଲି ପଡ଼ିଛି ପଦ । ନ୍ୟାୟ ଆଶାରେ ଆସୁଥିବା ମହିଳା ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ରାଜ୍ୟ ମହିଳା କମିଶନଙ୍କ ୩୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇ ମହିଳା କମିଶନ କ୍ଷମତାହୀନ ବୋଲି କହିଛନ୍ତି । କମିଶନଙ୍କ ଅଧିକାର ସମନ କରିବା, ଡାକିବା, ଦଣ୍ଡିତ କରିବା । କିନ୍ତୁ କମିଶନଙ୍କର ଦଣ୍ଡିତ କରିବାର କ୍ଷମତା ନାହିଁ । ମହିଳା କମିଶନଙ୍କୁ ୩୨ ବର୍ଷ ହୋଇଗଲାଣି । ହେଲେ ମହିଳା କମିଶନ କେବଳ ସୁପାରିଶ କରୁଛନ୍ତି । ନିଜେ କିଛି ଆକ୍ସନ ନନେଇ ପୋଲିସ ଆକ୍ସନ ନେବାକୁ ସୁପାରିଶ କରୁଛନ୍ତି । କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଯଦି କମିଶନଙ୍କର କ୍ଷମତା ନ ରହିବ ତା’ହେଲେ କମିଶନର କିଛି ମାନେ ରହିବ ନାହିଁ । ହେଲେ ଏବେ କମିଶନକୁ କ୍ଷମତା ଦେବାର ସମୟ ଆସିଛି । ମହିଳା କମିଶନ କ୍ଷମତାଶାଳୀ ହେବେ । ବିଭିନ୍ନ ବର୍ଗର ମହିଳାଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିଆଯିବ ପଦକ୍ଷେପ । ଶୀଘ୍ର ଅଧ୍ୟକ୍ଷା ନିଯୁକ୍ତି କରାଯିବ ବୋଲି କହିଛନ୍ତି ପ୍ରଭାତୀ ।

ସେପଟେ କମିଶନଙ୍କ କ୍ଷମତା ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା । କମିଶନଙ୍କର ନିଜସ୍ୱ ଆଇନ ଅଛି । ଏହାକୁ ନେଇ କମିଶନ ଚାଲିଛି । ଅଧିକ କ୍ଷମତା ମିଳିଲେ ତାହା ଅଲଗା କଥା । କେନ୍ଦ୍ର ଓ ରାଜ୍ୟ ଏ ବିଷୟରେ ବିଚାର କରିବେ । କିନ୍ତୁ ଯାହା ବି ନିୟମ ଅଛି ତାକୁ ନେଇ ଭଲ କାମ କରିହେବ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ।

ମହିଳା କମିଶନ ନିଜେ ଆକ୍ସନ ନେବା ଦରକାର । ଯଦି କମିଶନଙ୍କ କ୍ଷମତା ନ ରହିବ ତା’ହେଲେ କମିଶନର ମାନେ କିଛି ରହିବ ନାହିଁ । କମିଶନଙ୍କ ଉପରେ ମହିଳାଙ୍କର ଆଶା ଓ ଭରଷା କେତେ ଦୂର ରହିବ, ତାକୁ ନେଇ ଉଠିଛି ପ୍ରଶ୍ନ ।

ଦିନକ ପରେ ବିଧାନସଭାର ବଜେଟ ଅଧିବେଶନ, ମାଳ ମାଳ ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବେ ବିରୋଧୀ

ଭୁବନେଶ୍ବର: ଦିନକ ପରେ ବିଧାନସଭାର ବଜେଟ ଅଧିବେଶନ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନରେ କଟନି ଛଟନିଠାରୁ ଆରମ୍ଭ କରି ହଇଜା, ବାରବାଟୀ ଅବ୍ୟବସ୍ଥା ପରି ମାଳମାଳ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ମୁଖ୍ୟ ବିରୋଧୀ ବିଜେଡି । ରାଜ୍ୟ ସରକାରଙ୍କ ୮ ମାସର ବିଫଳତା ସହ ବଡ଼ ବଡ଼ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଗୃହରେ ନାକେଦମ କରିବ ବିଜୁ ଜନତା ଦଳ । ନିର୍ବାଚନୀ ପ୍ରତିଶ୍ରୁତିର ବିଫଳାତାକୁ ନେଇ କଂଗ୍ରେସ କରିବ ଶାଣିତ ଆକ୍ରମଣ । ଆସନ୍ତାକାଲି ୩ ଦଳର ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି। ଅନ୍ୟପଟେ ଲମ୍ବା ସମୟର ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କାଲି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଅନ୍ୟପଟେ ବିଧାୟକ ଦଳ ବୈଠକ ପୂର୍ବରୁ ବିଧାନସଭାର ପ୍ରସଙ୍ଗକୁ ନେଇ ମୁହାମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

ଗୁରୁବାରରୁ ବିଧାନସଭାର ବଜେଟ ଅଧିବେଶନ । ୨୮ଟି କାର୍ଯ୍ୟଦିବସ ସହ ଲମ୍ବା ସମୟର ବଜେଟ ଅଧିବେଶନ । ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ । ଶାସକ ଦଳକୁ ଘେରିବାକୁ ପୂରା ପ୍ରସ୍ତୁତ ମୁଖ୍ୟ ବିରୋଧୀ ବିଜେଡି । ରାଜଧାନୀରେ ଯୁବକଙ୍କୁ ହତ୍ୟା, ଭିଆଇପି ଏରିଆରୁ ଚୋରି, ନେତାଙ୍କୁ ହତ୍ୟା ଧମକ ସହ ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବଡ଼ ଅସ୍ତ୍ର କରିବ ବିଜେଡି । ବିଜେପି ସରକାରରେ ନାରୀ ନିର୍ଯାତନାରୁ ଆରମ୍ଭ କରି ହତ୍ୟା, ଚୋରି ଓ ଡକାୟତି ସୀମା ଟପିଛି । ଏସବୁର ଜବାବ ଗୃହରେ ମାଗିବ ବିଜେଡି । ସେହିପରି ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଧାନର ଅଭାବୀ ବିକ୍ରି ସହ କଟନି ଛଟନି ହେଉଛି । ତା’ ସାଙ୍ଗକୁ କଣାସରେ ହଇଜା, ବାରବାଟୀ ଫ୍ଲଟ ଲାଇଟ ବନ୍ଦ ହେବା ପରି ପ୍ରସଙ୍ଗକୁ ଉଠାଇବ ବିଜେଡି । ଏହା ପୂର୍ବରୁ ଆସନ୍ତାକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ରାଜ୍ୟ ସ୍ବାର୍ଥ ସହ ନୂଆ ଓ ପୁରୁଣା ପ୍ରସଙ୍ଗକୁ କିପରି ଶାଣିତ କରାଯିବ, ସେ ନେଇ ପ୍ରସ୍ତୁତ ହେବ ରଣନୀତି ।

ସରକାର ଗଠନର ୨୪ ଘଣ୍ଟା ଭିତରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି, ବର୍ଦ୍ଧିତ ଭତ୍ତା, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବା ପରି ମାଳମାଳ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି ଡବଲ ଇଞ୍ଜିନ ସରକାର । ଏକଥାକୁ କଂଗ୍ରେସ ପ୍ରସଙ୍ଗ କରି ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି । ଏହାଛଡ଼ା ଦଳ ଆଉ କେଉଁ ପ୍ରସଙ୍ଗ ଉଠାଇବ ତାହା ସ୍ଥିର କରାଯିବ । ବିଜେଡି କହିଛି, ବାଚସ୍ପତି ଗୃହରେ ଶାସକ ଓ ବିରୋଧୀ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ । ବିରୋଧୀ ଦଳ ଲୋକଙ୍କ ସ୍ବର ସାଜି ସରକାରଙ୍କୁ ପ୍ରଶ୍ନ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଅନ୍ୟପଟେ ବିଜେପିର କହିବା କଥା, ବିରୋଧୀ ଗୃହରେ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ, ସରକାର ତାର ଜବାବ ଦେବାକୁ ପୂରା ପ୍ରସ୍ତୁତ ଅଛନ୍ତି ।

୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ୧୭ ତାରିଖରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ । ଅଧିବେଶନକୁ ସୁରୁଖୁରୁରେ ସାରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ସର୍ବ ଦଳୀୟ ବୈଠକ ବସିବ । ବହୁ ପ୍ରସଙ୍ଗକୁ ନେଇ ବଜେଟ ଅଧିବେଶନ ବେଶ ସରଗରମ ହେବ । ତେବେ ଏହାକୁ ସରକାର କିପରି ମୁକାବିଲା କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛି ଶାସକ ଦଳ ।

ମହାକୁମ୍ଭରେ ବୁଡ଼ ପକାଇଲେ ଅମ୍ବାନୀ ପରିବାରର ଚାରି ପିଢି

ପ୍ରୟାଗରାଜ: ୧୪୪ ବର୍ଷ ପରେ ଆସିଛି ମହାକୁମ୍ଭ । ଆଉ ଏହି ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପାକାଇବାକୁ ସାରା ବିଶ୍ବରୁ ଧାଇଁ ଆସୁଛନ୍ତି ଲୋକେ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା, କଳାକାର ଓ ଶିଳ୍ପପତି ମଧ୍ୟ ବହୁ ସଂଖ୍ୟାରେ ଏଥିରେ ସାମିଲ ହୋଇ ବୁଡ଼ ପକାଉଛନ୍ତି । ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜ ପରିବାରର ଚାରି ପିଢିଙ୍କ ସହ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ।

ମାଆ କୋକିଲା ବେନ୍, ଦୁଇ ପୁଅ ଆକାଶ ଓ ଅନନ୍ତ, ଦୁଇ ବୋହୂ ଶ୍ଲୋକା ଓ ରାଧିକାଙ୍କ ସହିତ ମୁକେଶ ଅମ୍ବାନୀଙ୍କ ନାତି ନାତୁଣୀ ପୃଥ୍ବୀ ଓ ବେଦା, ଭଉଣୀ ଦୀପ୍ତି ସାଲଗାଓଁକର ଓ ନୀନା କୋଠାରୀ ମଧ୍ୟ ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ଏକାଠି ବୁଡ଼ ପକାଇଥିଲେ । ସଙ୍ଗମରେ ବୁଡ଼ ପକାଇବା ପରେ ଅମ୍ବାନୀ ପରିବାର ନିରଞ୍ଜନୀ ଆଖଡ଼ାର ପୀଠାଧୀଶ୍ୱର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଗିରି ଜୀ ମହାରାଜଙ୍କ ଉପସ୍ଥିତିରେ ମାଆ ଗଙ୍ଗାଙ୍କ ପୂଜା ପୂଜାର୍ଚ୍ଚନା କରିଥିଲେ ।

ତ୍ରିବେଣୀରେ ସ୍ନାନ କରିବା ପରେ ଅମ୍ବାନୀ ପରିବାର ମହାକୁମ୍ଭରେ ନିର୍ମିତ ପରମାର୍ଥ ନିକେତନ ଆଶ୍ରମରେ ପହଞ୍ଚି ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କୁ ଭେଟିବା ସହିତ ପରିବାର ପକ୍ଷରୁ ଆଶ୍ରମରେ ସଫେଇ କର୍ମୀ, ନୌକା ଚାଳକ ଏବଂ ତୀର୍ଥଯାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରିବାର ସଦସ୍ୟଗଣ ମଧ୍ୟ ତୀର୍ଥଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ଅମ୍ବାନୀ ପରିବାର ପକ୍ଷରୁ ନୌକା ଚାଳକମାନଙ୍କୁ ସେମାନଙ୍କ ନିଜର ତଥା ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏହାର ତୀର୍ଥଯାତ୍ରୀ ସେବା କାର୍ଯ୍ୟକ୍ରମ ଅଧୀନରେ ପରମାର୍ଥ ନିକେତନ ଆଶ୍ରମ, ଶାରଦା ପୀଠ ମଠ ଟ୍ରଷ୍ଟ ଦ୍ୱାରକା, ଶ୍ରୀ ଶଙ୍କରାଚାର୍ଯ୍ୟ ଉତ୍ସବ ସେବାଳୟ ଫାଉଣ୍ଡେସନ, ନିରଞ୍ଜନୀ ଆଖଡ଼ା ଏବଂ ପ୍ରଭୁ ପ୍ରେମୀ ସଂଘ ଚାରିଟେବୁଲ ଟ୍ରଷ୍ଟ ସମେତ ପ୍ରସିଦ୍ଧ ଆଧ୍ୟାତ୍ମିକ ସଂଗଠନଗୁଡିକ ସହିତ ମିଳିତ ଭାବରେ ମହାକୁମ୍ଭରେ ଅନ୍ନ ସେବା କରାଯାଉଛି । ‘ତୀର୍ଥଯାତ୍ରୀ ସେବା’ ମାଧ୍ୟମରେ ରିଲାଏନ୍ସ ଯାତ୍ରାକୁ ସୁରକ୍ଷିତ, ଆରାମଦାୟକ ଓ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିବାକୁ ପ୍ରୟାସ କରୁଛି । ପୁଷ୍ଟିକର ଭୋଜନ, ଆବଶ୍ୟକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ପରିବହନ ଓ ଯୋଗାଯୋଗ ସଂଯୋଗ ପରି ଅନେକ ସେବା ତୀର୍ଥଯାତ୍ରୀଙ୍କୁ ରିଲାଏନ୍ସ ପକ୍ଷରୁ ପ୍ରଦାନ କରାଯାଉଛି । ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟସେବାରେ ପୁରୁଷ ଓ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, ଓପିଡି ଏବଂ ଦନ୍ତ ଚିକିତ୍ସା ସେବା ଭଳି ସୁବିଧା ୨୪ ଘଣ୍ଟା ଉପଲବ୍ଧ କରାଯାଇଛି । ଏହା ବ୍ୟତୀତ ଯାତ୍ରାକୁ ସହଜ, ସୁଗମ ଓ ନିରାପଦ କରିବା ପାଇଁ ଆହୁରି ଅନେକ ଉଦ୍ୟମ ମଧ୍ୟ କରାଯାଉଛି ।