spot_img
Home Blog Page 1302

ନାଉକୋଣା ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ଖୋଲା ଆକାଶ ତଳେ ପଡିରହିଛି ଧାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡ଼ ନାଉକୋଣା ପ୍ରାଥମିକ କୃଷି ସମବାୟ ସମିତି ଧାନମଣ୍ଡିରେ ଖୋଲା ଆକାଶ ତଳେ ଗଦା ହୋଇଛି ଶହ ଶହ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନବସ୍ତା । ନା ଧାନ ଘୋଡେଇବା ପାଇଁ ଅଛି ପାଲ ନା ଗାଈ ଗୋରୁଙ୍କ ଦାଉରୁ ସୁରକ୍ଷା ଦେବାପାଇଁ କେହି ଅଛନ୍ତି ଜଗିବାକୁ । ୧୫ ଦିନରୁ ଅଧିକ ହେବ ଚାଷୀ ଧାନ ରଖି ଜଗି ରହିଥିବା ବେଳେ ମିଲରମାନେ ଧାନ ଉଠାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏପଟେ ମିଲର ମାନେ ଗାଡି ପଠାଉନଥିବାରୁ ମଣ୍ଡିରେ ଧାନ ପଡିରହିଛି ବୋଲି କହିଛନ୍ତି ସମବାୟ ସମିତି ସଂପାଦକ । ତେବେ ସମିତି ସଂପାଦକ ଓ ମିଲରଙ୍କ ଟଣାଓଟରା ଭିତରେ ଶୋଷଣ ହେଉଛନ୍ତି ନିରୀହ ଚାଷୀ ।

କେବଳ ନାଉକୋଣା ସମବାୟ ସମିତି ନୁହେଁ ଭାଡପଡା, ଓସ୍ତିଆ, ଈଶ୍ଵରପୁର, ତାଳଚୁଆ, ଚାନ୍ଦିବାଉଁଶମୂଳ, ଗୋପାଳପୁର ଆଦି ବିଭିନ୍ନ ଧାନ ମଣ୍ଡିରେ ମଧ୍ଯ ଧାନ ପଡିରହିଛି । ଫଳରେ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ମଣ୍ଡି ଉଦଘାଟନ ହେବା ପୂର୍ବରୁ ୨୪ ଘଣ୍ଟାରେ ଧାନ ମଣ୍ଡିରୁ ଉଠିବ ଏବଂ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ବୋଲି କହିଥିଲେ । ହେଲେ ମିଲର ଓ ସମବାୟ ସଂପାଦକ ମାନେ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି କଟନିଛଟନି ସାଙ୍ଗକୁ ମଣ୍ଡିରୁ ଧାନ ଉଠାଉନାହାଁନ୍ତି । ତେଣୁ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଅପରପକ୍ଷରେ ଏନେଇ ରାଜନଗର ବ୍ଲକ ଯୋଗାଣ ନୀରିକ୍ଷକଙ୍କୁ ଏ ବାବଦରେ ପଚାରିବାରୁ ଧାନ ମଣ୍ଡିରେ ୧୫ ରୁ ୨୦ ଦିନ ହେବ ଧାନ ପଡିରହିଥିବା ନେଇ ସେ ସ୍ଵୀକାର କରିଛନ୍ତି । ମିଲରଙ୍କୁ ଶୀଘ୍ର ଧାନ ଉଠାଇବାକୁ ଚେତାବନୀ ଦିଆଯାଇଛି ବୋଲି କହିଛନ୍ତି । ମଣ୍ଡିରୁ କେବେ ଧାନ ଉଠୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଟମାଟୋ କିଲୋ ପିଛା ୨ ରୁ ୩ ଟଙ୍କାରେ ହେଉଛି ବିକ୍ରି, ମୁଣ୍ଡରେ ହାତ ଦେଲେ ଚାଷୀ

ଗୁଣୁପୁର : ଟମାଟୋ ଦର ବୃଦ୍ଧିକୁ ନେଇ କିଛିମାସ ତଳେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ଟମାଟୋ ଦର ଏତେ ମାତ୍ରାରେ କମିଛି ଯେ ଯାହାକି ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ରାୟଗଡା ଜିଲ୍ଲା ଗୁଣୁପୁର ବଜାରରେ ଦୁଇରୁ ତିନି ଟଙ୍କାରେ କେଜିଏ ଟମାଟୋ ବିକ୍ରି କରୁଛନ୍ତି ଚାଷୀ । ଗୋଟିଏ  ୨୫ କେଜିଆ ଟ୍ରେ ଭର୍ତ୍ତି ଟମାଟୋ ୭୦ ଟଙ୍କାରେ ଚାଷୀ ବିକ୍ରି କରୁଛନ୍ତି । ଅଞ୍ଚଳରେ ଅମଳ ଫସଲକୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାରଟିଏ ନଥିବାରୁ ଚାଷୀ ବଜାରରେ ଟମାଟୋକୁ କମ ଦରରେ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଗୋଟିଏ ପଟେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଦଲାଲ ବେପାରୀ ମାନେ ମାଲାମାଲ ହେଉଛନ୍ତି । ହେଲେ ଏପର୍ଯ୍ଯନ୍ତ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କୈାଣସି ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ପନିପରିବା ସଂରକ୍ଷଣ ନିମନ୍ତେ ଶୀତଳଭଣ୍ଡାରଟିଏ ନିର୍ମାଣ କରିବାକୁ ଚାଷୀ ଦାବି କରିଛନ୍ତି । ଏପଟେ ଚାଷୀଙ୍କ ସମସ୍ଯା ନେଇ ଆମ ନଜର ରହିଥିବା ନେଇ କହିଛନ୍ତି ଗୁଣୁପୁର ନିୟନ୍ତ୍ରିତ ବଜାର କମିଟି ସଂମ୍ପାଦକ । ବିଭାଗ ପକ୍ଷରୁ ଚାଷୀଙ୍କ ନିମନ୍ତେ ସୋଲାର ମାଧ୍ୟମରେ ଶୀତଳଭଣ୍ଡାର କରାଯିବାର ବ୍ୟବସ୍ଥା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଯଦି ଏହାର ଅନୁମୋଦନ ହୁଏ ତେବେ ଅତିଶୀଘ୍ର କାମ କରାଯିବ ବୋଲି କହିଛନ୍ତି। ଅଭାବୀ ବିକ୍ରିକୁ ନେଇ ଚାଷୀର ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଚାଷୀଙ୍କୁ କେବେ ସରକାରୀ ପ୍ରତ୍ସାହନ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ବାଳକର ବେକରୁ ବାହାରିଲା ବ୍ଲେଡ ଚେନ୍ ଓ କାଠ ଖଣ୍ଡ

ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁରେ ଡାକ୍ତରମାନେ ଏକ ଅସ୍ତ୍ରୋପଚାର କରି ଜଣେ ୧୨ ବର୍ଷର ବାଳକର ଜୀବନ ବଞ୍ଚାଇଛନ୍ତି । ଯେଉଥିପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ରବିବାର ମାଙ୍ଗାଲୁରୁର ସରକାରୀ ୱେନଲକ୍ ହସ୍ପିଟାଲର କାର୍ଡିଓଥୋରାସିକ୍ ଏବଂ ଭାସ୍କୁଲାର ସର୍ଜନଙ୍କ ଏକ ଦଳ ଏକ ଅସ୍ତ୍ରୋପଚାର କରି ଜଣେ ୧୨ ବର୍ଷୀୟ ବାଳକର ବେକରୁ ଏକ ବଡ଼ ୨୦ ସେମି ଲମ୍ବା କାଠ ଖଣ୍ଡ ଏବଂ ଏକ ଭଙ୍ଗା ବ୍ଲେଡ୍ ଚେନ୍ ବାହାର କରିଛନ୍ତି।

ଜିଲ୍ଲା ସର୍ଜନ ଏବଂ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡିଏସ ଶିବପ୍ରକାଶ କହିଛନ୍ତି, ଆସାମର ମୂଳ ବାସିନ୍ଦା ବାଳକଟି ମାଡିକେରୀର ଏକ ଚା ବଗିଚାରେ ତାଙ୍କ ପିତାମାତାଙ୍କ ସହିତ ରୁହନ୍ତି। ଶନିବାର ସନ୍ଧ୍ୟାରେ ନଡ଼ିଆ ଗଛରୁ ପଡ଼ି ସେ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ, ଏକ କାଠ ଖଣ୍ଡ ଏବଂ ଏକ ଭଙ୍ଗା ବ୍ଲେଡ୍ ସହିତ ଏକ ଚେନ୍ ତାଙ୍କ ବେକରେ ଦେଇ ତାଙ୍କ ଛାତିରେ ଫସି ଯାଇଥିଲା। ଶନିବାର ସଂଧ୍ୟା ୭.୩୦ ମିନଟରେ ଏହି ଘଟଣା ଘଟିଥିବା ମେଡିକାଲ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି । ଏପରି ପରିସ୍ଥିତିରେ ପୁଅଟିକୁ ଶନିବାର ରାତି ୧୨. ୧୫ ମିନଟ ସମୟରେ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲରେ, ଡାକ୍ତର ସୁରେଶ ପାଇଙ୍କ ନେତୃତ୍ୱରେ ଏକ ଟିମ୍ ରାତି ୧.୩୦ ରୁ ୩.୩୦ ମଧ୍ୟରେ ବାଳକର ଅସ୍ତ୍ରୋପଚାର କରିଥିଲେ ଏବଂ କାଠ ଖଣ୍ଡ ଏବଂ ଭଙ୍ଗା ଚେନ ବାହାର କରିଥିଲେ।

ପୁଅଟି ଏବେ ସୁସ୍ଥ ଥିବା କଥା କହିଛନ୍ତି ଡାକ୍ତର ସୁରେଶ ପାଇ । ଏବେ ତା’ ଉପରେ କଡା ନଜର ରଖାଯାଇଛି । ଏହି ଅସ୍ତ୍ରୋପଚାର ମାଙ୍ଗାଲୋରର ୱେନଲକ୍ ସରକାରୀ ହସ୍ପିଟାଲରେ ମାଗଣାରେ କରାଯାଇଥିଲା। ସରକାରୀ ଡାକ୍ତରମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଆମ୍ବେଦକରଙ୍କୁ ସାକ୍ଷୀ ଓ ସମ୍ବିଧାନର ଶପଥ ନେଇ ବିବାହ କଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ଖମ୍ମମ ଜିଲ୍ଲାରେ ଏକ ନିଆରା ବିବାହ ହୋଇଛି । ଏହି ବିବାହରେ ମଣ୍ଡପ ସଜାଯାଇନଥିଲା କି ପୁରୋହିତ ଆସି ମନ୍ତ୍ର ପଢିନଥିଲେ । ଏକ ମଞ୍ଚରେ ଉଭୟ ବର ଓ କନ୍ୟା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ର ଆଗରେ ପରସ୍ପରକୁ ବରଣମାଳା ପିନ୍ଧାଇଲେ । ତାହା ପରେ ସମ୍ବିଧାନର ଶପଥ ନେଇ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ବିବାହରେ ଆମ୍ବେଦକାରଙ୍କୁ ଆଦର୍ଶ ବୋଲି ମାନୁଥିବା ଲୋକମାନେ ହିଁ ଉପସ୍ଥିତ ଥିଲେ ।

ଏହି ବିବାହର ଫଟୋ ଆଉ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାସାରେ, ଆନ୍ଧ୍ରପ୍ରଦେଶ ପୋଲିସରେ ନିଯୁକ୍ତ ଖମ୍ମମ୍ ଜିଲ୍ଲାର ପେନୁବାଲ୍ଲୀ ମଣ୍ଡଳର ଟେକୁଲାପାଲି ଗାଁର ବର ବିରଭଲ୍ଲୀ ପ୍ରଶାନ୍ତ, ମହିଳା କନଷ୍ଟେବଳ ନାଗା ଜ୍ୟୋତିଙ୍କୁ ବିବାହ କରିଥିଲେ। ସେମାନେ ନିଜର ବିବାହ ଆଡମ୍ବରରେ କରିବେ ନାହିଁ ବୋଲି ନିଷ୍ପତ୍ତି ନେଲେ । ଆମେ ରକ୍ଷଣଶୀଳ ପରମ୍ପରାରୁ ଉପରକୁ ଉଠି ଏକ ନିଆରା ବିବାହ କରିବୁ।

ଏଥିପାଇଁ, ଦୁହେଁ ପାରସ୍ପରିକ ସମ୍ମତିରେ ମନ୍ତ୍ର ଜପ କରି ବିବାହ କରିବା ପରିବର୍ତ୍ତେ ସମ୍ବିଧାନ ଉପରେ ଶପଥ ନେଇ ରବିବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିବାହ ପାଇଁ ଏକ ମଞ୍ଚ ସଜାଯାଇଥିଲା। ଏହି ମଞ୍ଚରେ, ଟେବୁଲ ଉପରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଏକ ଫଟୋ ରଖାଯାଇଥିଲା ଏବଂ ଏହା ଉପରେ ଫୁଲର ମାଳ ଦିଆଯାଇଥିଲା । ବର  ଓ କନ୍ୟା ମଞ୍ଚ ଉପରକୁ ଆସିଲେ ଏବଂ ବାବା ସାହେବଙ୍କୁ ସାକ୍ଷୀ ମନେ କରି ପରସ୍ପରକୁ ମାଳା ପିନ୍ଧାଇଲେ।

ଏହା ପରେ ଉଭୟ ଭାରତର ସମ୍ବିଧଶନର ଶପଥ ନେଇ ବିବାହ କରିଥିଲେ । ଏହି ବିବାହରେ ଉପସ୍ଥିତ ଥିବା ଲେକାମାନେ ଅଭିନନ୍ଦନ ଜଣାଇବା ସହ ଉଭୟଙ୍କ ଉଜ୍ଜଳ ବୈବାହିକ ଜୀବନ କାମନା କରିଥିଲେ । ସେଠାରେ ଉପସ୍ଥିତ ଲୋକମାନେ ଏହି ନିଆଣା ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

 

ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଲେ ଗ୍ରାମବାସୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଲେ ଗ୍ରାମବାସୀ । ଫ୍ଲାଏ ଆସ ଏବଂ ପାୱାର ପ୍ଲାଣ୍ଟକୁ ବନ୍ଦ କରି ବରୋବୋଗା ଓ ଆଲୁପଡ଼ା ଗ୍ରାମବାସୀଙ୍କ ଆନ୍ଦୋଳନ । ଆନ୍ଦୋଳନରେ ବିଧାୟକ ଯୋଗେଶ କୁମାର ସିଂ ଏବଂ ସମାଜସେବୀ ଡକ୍ଟର ହିମାଂଶୁ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି । ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟର ବର୍ଜ୍ୟ ପାଉଁଶ ପୋଖରୀ ବା ଫ୍ଲାଏ ଆସ ପଣ୍ଡ ଯୋଗୁଁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ଅନ୍ୟତ୍ର ଥଇଥାନ ପାଇଁ ପ୍ରଶାସନ ନଶୁଣିବାରୁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରଭାବିତ ଗ୍ରାମବାସୀ । ବରୋବୋଗା ଏବଂ ଆଲୁପଡ଼ା ଗ୍ରାମବାସୀ ଆଜି ସକାଳରୁ ଫ୍ଲାଏ ଆସ୍ ଏବଂ ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଇଛନ୍ତି । ପାଉଁଶ ପୋଖରୀ ମଧ୍ୟରେ ଥିବା ଗାଁକୁ ଅନ୍ୟତ୍ର ଥଇଥାନ ଓ କ୍ଷତିପୂରଣ ପ୍ରଦାନ ପାଇଁ ୨୦୧୩ ମସିହାରୁ ଦାବି କରିଆସୁଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି ଓ ଧାରଣାରେ ବସି ଆସୁଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ ।  ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରଭାବିତ ଲୋକମାନେ । ଯେପର୍ଯ୍ୟନ୍ତ ତାଙ୍କୁ ବିସ୍ଥାପିତ ଓ ଥଇଥାନ କରାଯିବା ନେଇ କମ୍ପାନୀ ପ୍ରତିଶ୍ରୁତି ନ ଦେଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ବିଜେଡି

ଯାଜପୁର : ଅପରାଧର ହଟ୍ ସ୍ପଷ୍ଟ ଓ ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ଯାଜପୁର। ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ‌ହୋଇପଡିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଥିବା ବେଳେ ତାଙ୍କ ଗସ୍ତ ଦିନ ହିଁ ଜିଲ୍ଲାରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ଓ ଡକାୟତି ଘଟଣା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ସରକାରଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଶନିବାର ବିଳମ୍ବିତ ରାତିରେ ଯାଜପୁର ରୋଡ଼ ଥାନା ସୋବରା ଅଞ୍ଚଳରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା ଘଟଣାରେ ବ୍ୟାସନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସର ପାରିବାପଣିଆ ବିରୋଧରେ ବିଷୋଦଗାର କରିଛି ବିଜେଡି । ଅଭିଯୋଗ ମୁତାବକ କିଛିଦିନ ତଳେ ଧର୍ମଶାଳା ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀ ଧର୍ମଶାଳା ଆସିଥିବା ସମୟରେ ଦିନ ଦ୍ବିପହରରେ ପାଣିକୋଇଲି ଠାରେ ଅଳଙ୍କାର ଦୋକାନ ଲୁଟ ଏବଂ ଡକାୟତଙ୍କ ଗୁଳିରେ ୨ ଜଣ ମୃତ୍ୟୁବରଣ କରିଥିଲେ। ସେହିପରି ଗତ ଶନିବାର ପୁଣି ମୁଖ୍ୟମନ୍ତ୍ରୀ ବ୍ୟାସନଗର ଆସିଥିବାବେଳେ ରାତିରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହାବ୍ୟତୀତ ବ୍ୟାସନଗର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ରାତିରେ ଚୋରି ଓ ଡକାୟତି ହେଉଛି। ଦିନ ଆଲୁଅରେ ରାସ୍ତାରେ ଛିନତାଇ ଓ ରାହାଜାନୀ ପରି ଘଟଣା ଦେଖିବାକୁ ମିଳୁଛି। ପୋଲିସର କାର୍ଯ୍ୟଦକ୍ଷତାକୁ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ ମଧ୍ୟ ଅପରାଧ ଉପରେ ଅଙ୍କୁଶ ଲଗାଇବା ପୋଲିସ ପକ୍ଷେ ସମ୍ଭବପର ହେଉନାହିଁ । ଏପରି ସ୍ଥିତିରେ ପୋଲିସ ଲୋକଙ୍କ ବିଶ୍ବାସନୀୟତା ହରାଇ ସାରିଥିବା ବିଜେଡି କହିଛି। ଏହାକୁ ଦୃଢ଼ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ଏହାର ପ୍ରତିକାର କରିବା ପାଇଁ ଆଗେଇ ଆସନ୍ତୁ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ।  ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ନ ଆଣିଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।

ଅନୁଦାନ ଦାବିରେ ରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକ

ଭୁବନେଶ୍ବର : ହକ ପାଇଁ ରାସ୍ତାରେ ଶିକ୍ଷକ । ଜୁନ ୨୦୦୮ରୁ ଡିସେମ୍ବର ୨୦୧୩ ମଧ୍ୟରେ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନେ ଅନୁଦାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ୨୦୨୪ ନଭେମ୍ବରରେ ଏମାନେ ଆନ୍ଦୋଳନ କଲାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସରକାରୀ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର ହୋଇଯିବାରୁ ପୁଣି ଥରେ ଏହି ବର୍ଗରେ ଥିବା ଅଧ୍ୟାପକ ଓ ଅଣଶିକ୍ଷକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଶହେ ଦିନରେ ସବୁ ସମସ୍ୟାର ସମାଧାନ କହି ସରକାରକୁ ଦୁଇଶହ ଦିନ ପୂରିଥିବା ବେଳେ ଆମ କଥା ବୁଝିବାକୁ ସମୟ ନାହିଁ। ବିକଶିତ ଓଡ଼ିଶାର ସ୍ଲୋଗାନ ଦେଉଥିବା ସରକାର ଆମ କଥା ବୁଝନ୍ତୁ । ଆମେମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ବେଳେ ଆମ ଛୁଆପିଲାଙ୍କ କଥା କିଏ ବୁଝିବ ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ହୋଇଥିଲେ ବି ଆମମାନଙ୍କ ଆର୍ଥିକ ଦୂରବସ୍ଥା କଥା କିପରି ବୁଝୁନାହାନ୍ତି ବୋଲି ଅଧ୍ୟାପକ ମାନେ ପ୍ରଶ୍ନ କରିଛନ୍ତି । ଦୁଇ ତିନି ହଜାର ଟଙ୍କାରେ ପରିବାର କେମିତି ଚାଲୁଛି ସରକାର ଜାଣିବା ଦରକାର। ସରକାର ତୁରନ୍ତ ସରକାରୀ ଅନୁଦାନ ନ ଦେଲେ ଆଗକୁ ଆତ୍ମାହୁତି ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛି ସଙ୍ଘ।

ଧୋନୀଙ୍କ ସ୍ଲୋଗାନ ..ଚାମ୍ପିଅନ୍ସ ଟ୍ରଫିରେ ନେବୁ ୮ବର୍ଷର ପୁରୁଣା ପ୍ରତିଶୋଧ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପ୍ରଶଂସକଙ୍କ ମନରେ ରାଜ କରୁଥିବା ଏକ ଆବେଗ  । ଭାରତୀୟ କ୍ରିକେଟକୁ ନେଇ ଯଦି ମହେନ୍ଦ୍ର ସିଂହ ଧୋନି କିଛି କୁହନ୍ତି ତାହା କମ ସମୟରେ ଚର୍ଚ୍ଚିତ ହୋଇଯାଏ ।  ଚାମ୍ପିଅନ୍ସ ଟ୍ରଫି ୨୦୨୫ପୂର୍ବରୁ, ଧୋନି ଏକ ସ୍ଲୋଗାନ ଦେଇଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଷ୍ଟାର ସ୍ପୋର୍ଟସ୍ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଧୋନି କିଛି ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳୁଛି। ଧୋନି ସ୍ଲୋଗାନର ଗୋଟିଏ ଧାଡି କହୁଛନ୍ତି ଏବଂ ତା’ପରେ ପ୍ରଶଂସକମାନେ ଏହାକୁ ଶେଷ କରୁଛନ୍ତି । ଧୋନି ଦେଇଥିବା ସ୍ଲୋଗାନ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ୍ ସହିତ ଜଡିତ ଅଛି ।

http://instagram.com/reel/DF3WSEuM26G/?utm_source=ig_embed&ig_rid=13669c47-996d-4fa4-95ce-51b3eb165f4f

ଚାମ୍ପିଅନ୍ସ ଟ୍ରଫି ୨୦୨୫ପାଇଁ ଧୋନୀଙ୍କ ସ୍ଲୋଗାନ

ଭିଡିଓରେ ଦେଖିବାକୁ ମିଳୁଛି କି, ଧୋନି ତାଙ୍କ ସମ୍ମୁଖରେ ବସିଥିବା ଦର୍ଶକଙ୍କ ସମ୍ମୁଖରେ ସ୍ଲୋଗାନ ଦେବା ଆରମ୍ଭ କରୁଛନ୍ତି ଧୋନୀ କହୁଛନ୍ତି କି ‘‘ମାଚିସ କି ତିଲ୍ଲୀ.. ଏହି ସମୟରେ ପ୍ରଶଂସକମାନେ କହୁଛନ୍ତି ଯେ ଶାମି ଉଡା ଦେ ବାବର ଆଜମକି ଗିଲ୍ଲୀ’’ । ଏହା ପରେ ସେ କହୁଛନ୍ତି ‘‘ଏକ, ଦୋ, ତିନ, ଚାର…ତା’ପରେ ପ୍ରଶଂସକମାନେ କହୁଛନ୍ତି ହିଟମ୍ୟାନ୍ ଶାହିନଙ୍କୁ ଚୌକା ମାର୍ ’’। ଧୋନିଙ୍କ ପରବର୍ତ୍ତୀ ସ୍ଲୋଗାନ ପାକିସ୍ତାନରେ ଟିଭି ଭାଙ୍ଗିବା ସହିତ ସମାନ। ସେ ପଚାରୁଛନ୍ତି ଯେ , ‘‘ଆସମାନ ମେଁ କିତନେ ତାରେ.. ଯାହାର ଉତ୍ତରରେ ପ୍ରଶଂସକମାନେ କହୁଛନ୍ତି ଟୁଟେଙ୍ଗେ ଉନକେ ଟିଭି ସାରେ ’’  ।

୨୦୧୭ର ପ୍ରତିଶୋଧ ନେବାକୁ ପ୍ରଣ

ଏହି ଭିଡିଓରେ ଧୋନି ଏହା ମଧ୍ୟ କହୁଛନ୍ତି ଯେ ଆମର ପରବର୍ତ୍ତୀ ପାଳି । ଯାହା ଉପରେ ପ୍ରଶଂସକମାନେ କହୁଛନ୍ତି ଯେ, ଲେନା ୨୦୧୭କା ବଦଲା ହେ ….ଆଗକୁ ଧୋନି ଯେମିତି କହୁଛନ୍ତି ଜୋର ସେ ବୋଲୋ….. ଲୋକମାନେ ଇଣ୍ଡିଆ ..ଇଣ୍ଡିଆ ..ସ୍ଲୋଗାନ ଦେଉଛନ୍ତି ।

ଆମକୁ ୨୦୧୭ର ପ୍ରତିଶୋଧ ନେବାକୁ ପଡିବ : ସୁରେଶ ରାଇନା

ଧୋନିଙ୍କ ଏହି ଭିଡିଓ ଦେଖିବା ପରେ, ସୁରେଶ ରାଇନା ମଧ୍ୟ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ। ସେ କହିଛନ୍ତି ଯେ ସେ ପୂର୍ବରୁ ଧୋନିଙ୍କ ଏହି ଶୈଳୀ କେବେ ଦେଖି ନାହାଁନ୍ତି। ତା’ପରେ ସେ କହିଲେ ଯେ ୨୦୧୭ର ପ୍ରତିଶୋଧ ନେବାକୁ ପଡିବ। କାରଣ, ଫାଇନାଲରେ ପାକିସ୍ତାନ ଭାରତକୁ ଯେଭଳି ପରାସ୍ତ କଲା, ଖେଳାଳିମାନେ ଗଭୀର ଆଘାତ ପାଇଥିଲେ। ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ-ପାକିସ୍ତାନ ମୁକାବିଲା ୨୩ ଫେବୃଆରୀରେ ଦୁବାଇରେ ହେବାର କାର୍ଯ୍ୟକ୍ରମ ରହିଛି ।

ବିବାହ ପାଇଁ ପୁଅର ଜିଦ୍, ମନାକରିବାରୁ ପୁଅର କାଠ ଫାଳିଆ ମାଡରେ ବାପା ମୃତ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ପୁଅର କାଠ ଫାଳିଆ ମାଡରେ ବାପା ମୃତ  । ମୃତକ ଜଣକ ହେଉଛନ୍ତି ଯୋଡ଼ା ପୌରାଞ୍ଚଳର ୧୩ ନଂ ୱାର୍ଡ ବାଂଶପାଣି ଅଞ୍ଚଳର ଅଜୟ ସେଠୀ । ପୁଅର ଏକା ଜିଦ୍ ବାହା ହେବ। ହେଲେ ବାପା ଚାହୁଁଥିଲେ ପୁଅ ଆଗ ଭଲକରି କାମ ଧନ୍ଦା କରୁ, ତା’ ପରେ ଯାଇ ବାହା ହେବ । ତେବେ ଏହି କଥାକୁ ନେଇ ବାପ ଓ ପୁଅଙ୍କ ମଧ୍ୟରେ ହୋଇଥିଲା ଜୋରଦାର ବଚସା ।  ଗତକାଲି ରାତିରେ ଏହି କଥାକୁ ନେଇ ଉଭୟ ବାପ ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଆଉ ତା’ପରେ ଉତକ୍ଷିପ୍ତ ସୈତାନ୍ ପୁଅ କେହି କିଛି ବୁଝିବା ଆଗରୁ ଏକ କାଠ ଫାଳିଆ ନେଇ ସିଧା ବାପାଙ୍କ ମୁଣ୍ଡକୁ ପିଟିଦେଇଥିଲା । ଘଟଣାଟି ଘଟିଛି ଯୋଡ଼ା ପୌରାଞ୍ଚଳର ୧୩ ନଂ ୱାର୍ଡ ବାଂଶପାଣି ଅଞ୍ଚଳରେ ।

ପରିବାର ଲୋକେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ହେଉଛନ୍ତି ଯୋଡ଼ା ଥାନା ବାଂଶପାଣି ଟୋଲ ଗେଟ୍ ଅଞ୍ଚଳର ଅଜୟ ସେଠୀ । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣାର କରି ଛାନବିନ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅ ବିକାଶ ସେଠୀକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

ବାରବାଟୀ ଲଜ୍ଜା : ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ କଡା ସମାଲୋଚନା

ଭୁବନେଶ୍ବର: ବାରବାଟୀରେ ଘୋର ଲଜ୍ଜା । କାହିଁକି ୨୮ ମିନିଟ୍ କଟିଗଲା ଫ୍ଲଡ୍ ଲାଇଟ୍ । ଷ୍ଟାଡିୟମରେ ଘୋର ଅନ୍ଧାର, ଦର୍ଶକଙ୍କ ପ୍ରଶ୍ନ ଦାୟୀ କିଏ ?  କାହିଁକି ଅନ୍ଧାର ହେଲା ବାରବାଟୀ ? ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କେମିତି କଟିଗଲା ଲାଇଟ୍ ? ସାରା ବିଶ୍ବରେ ଓଡ଼ିଶା ମ୍ୟାଚକୁ ନେଇ ଉଠିଲା ପ୍ରଶ୍ନ । ତେବେ ଏହି ମାମଲାକୁ ନେଇ ଓଡିଶା ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣା କଡା ନିନ୍ଦା କରିଛନ୍ତି ବରିଷ୍ଠ ନେତାମାନେ । ଏହା ଓଡିଆ ଅସ୍ମିତା ନା ଅଭିଶାପ କହି ରାଜ୍ୟ ସରକାରଙ୍କ କଟାକ୍ଷ କରିଛନ୍ତି ବିରୋଧୀ ନେତାମାନେ ।

ତେବେ ଏହାକୁ କଡା ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  । ଓଡିଆ ଅସ୍ମିତାକୁ ଅଭିଶାପ ବୋଲି ସେ କହିଛନ୍ତି । ବାରବାଟୀ ଫ୍ଲଡ୍ ଲାଇଟ୍ ବନ୍ଦ ହେବାକୁ ନେଇ ସେ ଅଭିଶାପ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅନ୍ତର୍ଜାତୀକ କ୍ରିକେଟ ମ୍ୟାଚ୍ ବେଳେ ବାରବାଟୀ ଅନ୍ଧାର ପାଇଁ ପୁରା ବିଶ୍ୱରେ ଲଜ୍ଜିତ ହେଲା ଓଡ଼ିଶା  । ବିଶ୍ଵ ଦେଖିଲା ଖେଳ ଚାଲୁଥିବା ବେଳେ ବାରବାଟୀ ଅନ୍ଧାର  । ଆଉ ବାରବାଟୀକୁ ଖେଳ ଆସିବ କି ନାହିଁ ସନ୍ଦେହ  । ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ତାରା ବାହିନୀପତି ।

ସେପଟେ କଂଗ୍ରେସ ବିଧାୟିକ ସୋଫିଆ ଫିର୍ଦ୍ଦୋଷ ଏ ଘଟଣାକୁ ନିନ୍ଦା କରିଥିବା ବେଳେ କହିଛନ୍ତି କାହିଁକି ଏପରି ତ୍ରୁଟି ହେଲା ଏହାର ତଦନ୍ତ ହେବ । ଏଭଳି ଘଟଣାର ପୁନରାବୃତ୍ତି ନ ହେଉ ତାହା ପାଇଁ ବିଧାନସଭାରେ ଲଢେଇ କରିବି ।

ବାରବାଟୀ ଅନ୍ଧାର ଘଟଣା ଆମକୁ ଆଘାତ ଦେଇଛି ।  କଟକର ଐତିହ୍ୟକୁ ଆଞ୍ଚ ଆଣିଛି ବାରବାଟୀ ଅନ୍ଧାର ଘଟଣା । ସମସ୍ତେ ଥାଇ ଏପରି ତ୍ରୁଟି କେମିତି ହେଲା ? କଠୋର ପଦକ୍ଷେପ ନିଆଯାଉ ଯେପରି ଭବିଷ୍ୟତରେ ଏପରି ପୁନରାବୃତ୍ତି ନହୁଏ ବୋଲି ଦାବି କରିଛନ୍ତି କଟକ ମେୟର ସୁବାସ ସିଂ । ତେବେ ଏହାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । କାହିଁକି ମ୍ୟାଚ ମଝିରେ ଲାଇନ୍ କଟିଲା ? କିଏ ଏହି କାରଣ ପାଇଁ ଦାୟୀ । ଏହି କାରଣରୁ ଓଡି଼ଶା ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି। ଓଡିଶାକୁ ଅପଦସ୍ତ କରନ୍ତୁନି ବୋଲି କହିଛନ୍ତି ।

ସେପଟେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ମ୍ୟାଚ ଦାୟିତ୍ଵରେ ଥିଲେ ଅନେକ ସବ୍ କମିଟି । ବିଦ୍ୟୁତ ଦାୟିତ୍ୱବି ଗୋଟେ କମିଟି ନେଇଥିଲା। କେଉଁ ସଂସ୍ଥା ଓ କିଏ କେଉଁ କମିଟି ଦାୟିତ୍ୱରେ ଥିଲେ, OCA ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । DG ଡ୍ରାଇଭର କି ବ୍ୟାକ ଅପ ଡ୍ରାଇଭର କାହିଁକି ନଥିଲା ? ବିଦ୍ୟୁତ କାଟ ବଡ଼ କଥା ନୁହେଁ, ବିଳମ୍ବ ହେବା ବଡ଼ କଥା। ୨୦ ସେକେଣ୍ଡରେ ବିଦ୍ୟୁତ ପୁନଃ ସୁଯୋଗ ହୋଇ ପାରିଥାନ୍ତା। ନ ହେବାରୁ ଏହା ସମସ୍ତଙ୍କୁ ଆଘାତ ଦେଇଛି। ମୁଁ DCP ଙ୍କୁ କହିଥିଲି, ସେହି ବ୍ୟକ୍ତିଙ୍କୁ ଗିରଫ କରିବାକୁ। କେଉଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଓ ପରିବହନ ଦାୟିତ୍ୱ ନେଇଥିଲେ, ତାର ଉତ୍ତର ବି ମଗାଯାଇଛି । ମୁଁ ଆଶ୍ୱାସନା ଦେଉଛି ଓଡ଼ିଶାକୁ ଆହୁରି ମ୍ୟାଚ ଆସିବ ବୋଲି କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ।