ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଥମୁନି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ବଦଳୁଛି ଆନ୍ଦୋଳନର ରୂପରେଖ । ମୁଣ୍ଡ ଟେକୁଛି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି । ଆଜି ୭୫ ତମ ସମ୍ବିଧାନ ଦିବସ ଅବସରରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । କନିଷ୍ଠ ଶିକ୍ଷକଙ୍କ ସହ ଜିଲ୍ଲାର ସମସ୍ତ ଗ୍ରୁପ-ସି ଓ ଗ୍ରୁପ-ଡି ପଦବୀ ଜିଲ୍ଲାର ଯୁବକଯୁବତୀଙ୍କୁ ପ୍ରଦାନ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ସହରର ରାମ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅବିଭକ୍ତ କୋରାପୁଟକୁ ସ୍ୱତନ୍ତ୍ର ରାଜ୍ୟ ଦାବି କରିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାରୋଟି ବିଦ୍ୟୁତ ପ୍ରକଳ୍ପ ରହିଛି, ଜିଲ୍ଲାରେ ହେଚଏଏଲ, ନାଲକୋ ଭଳି ସଂସ୍ଥା ରହିଛି । ଏବଂ ପ୍ରାକୃତିକ ଖଣି ସମ୍ପଦ ଭରପୁର ଥିବାବେଳେ ଏହାର କୋଟି କୋଟି ଟଙ୍କା ରାଜସ୍ୱ ସରକାର ପାଉଛନ୍ତି । ଏହା ସ୍ଥାନୀୟ ଅଞ୍ଚଳର ବିକାଶରେ ଲାଗୁନଥିବା ବେଳେ ସ୍ବତନ୍ତ୍ର ରାଜ୍ୟ ହେଲେ ତାହାର ସୁବିନିଯୋଗ କରି ଅଞ୍ଚଳବାସୀ ସ୍ବାବଲମ୍ବୀ ହୋଇପାରିବେ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି ।
କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ । ୧୨ଟି ମୁଖ୍ୟ ଦାବି ସହ ମୋଟ ୨୬ଟି ଦାବି ପୂରଣ ନେଇ ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରେସନ ସମ୍ମୁହ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନର ନେତା ଓ କର୍ମୀମାନେ ରାଜମହଲ ଛକରୁ ଏକ ବିରାଟ ରାଲିରେ ଆସି ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଶରେ ଦରଦାମ ଏବଂ ଔଷଧର ଦାମ ବୃଦ୍ଧି, ବେକାରୀ ସମସ୍ୟା ଉତ୍କଟ, ଶ୍ରମିକ ବିରୋଧୀ ଶ୍ରମ କାନୁନ୍ ପ୍ରତ୍ୟାହାର କରିବା, ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, କୃଷି ଋଣ ଛାଡ କରିବା, ସରକାରୀ ଦପ୍ତର ଗୁଡିକ କର୍ପୋରେଟ ହାତକୁ ଟେକିଦେବା ଆଦିକୁ ବିରୋଧ କରି ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାର ଯଦି ଏହା ଉପରେ ବିଚାର କରି ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
ପରିବାରକୁ ନ୍ୟାୟ ଓ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା
ବରଗଡ : ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପରିବାରକୁ ନ୍ୟାୟ ଓ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିରେ ପ୍ରତିବାଦ । ହାତରେ ପ୍ଲା କାର୍ଡ ଧରି ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଧାରଣା । ଗତ କିଛିଦିନ ତଳେ ପଦ୍ମପୁର ପାଇକମାଳ ଥାନା ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଥିଲା । ଦୋଷୀକୁ ଫାଶୀ ଦଣ୍ଡ ଦାବି କରି ଆଜି ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରୁ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ପଦ୍ମପୁରର ବିଭିନ୍ନ ସଂଗଠନ ଓ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା ରାଲି କରିଥିଲେ । ପରେ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପ-ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ନ୍ୟାୟୋଚିତ ତଦନ୍ତ ଚାଲିଛି । ଫରେନସିକ ଏବଂ ବ୍ୟବଛେଦ ରିପୋର୍ଟ ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି ।
ମହିଳାଙ୍କ ଠାରୁ ସୁନା ଗହଣା ଲୁଟିନେଲେ ଖଟିଆ ବାବା
ପାଟକୁରା : କେନ୍ଦ୍ରାପଡ଼ା ଡେରାବିଶରେ ସାରଥୀ ବାବାଙ୍କ ପରେ ଏବେ ଖଟିଆ ବାବା । ମହିଳାଙ୍କୁ ତାଙ୍କ ବିଧବା ଯୋଗ ଓ ସ୍ୱାମୀ ଅପମୃତୁ ଯୋଗ ଅଛି କହି ଲୁଟୁଛନ୍ତି ସୁନା ଅଳଙ୍କାର । ଖଟିଆ ବାବା ନାମରେ ଖ୍ୟାତ ବିକ୍ରମ ସ୍ୱାଇଁ ନାମକ ଜଣେ ଭଣ୍ଡ ଡେରାବିଶ ଲକ୍ଷ୍ମୀ ନାରାୟଣ ପୂର ଗାଁର ଦମୟନ୍ତୀ ରାଉତଙ୍କୁ ଠକି ସୁନା ମୁଦି ନେଇଯାଇ ଥିବା ଅଭିଯୋଗ ହୋଇଛି । ଦମୟନ୍ତୀ ମିଶନ ଶକ୍ତି କାର୍ଯାଳୟରୁ ଘରକୁ ଫେରୁଥିବା ବେଳେ ବାବା ତାଙ୍କ ପାଖକୁ ଯାଇ ତାଙ୍କର ବିଧବା ଯୋଗ ଥିବା କହି ଡରାଇଥିଲେ । ସାଙ୍ଗେସାଙ୍ଗେ ଦୁଇ ମିନିଟ ଭିତରେ ସୁନା ଦାନ କଲେ ବାବା ଗ୍ରହ ମାନଙ୍କ ସହ ଲଢ଼ି ତାଙ୍କ ସ୍ୱାମୀଙ୍କ ଆୟୁଷ ବଢ଼ାଇ ଦେବେ ବୋଲି କହିଥିଲେ । ମହିଳା ଜଣଙ୍କ ମୁଣ୍ଡରେ ଖଟିଆ ବାବା ସିନ୍ଦୁର ଚନ୍ଦନ ଲଗାଇବା ପରେ ମହିଳା ଜଣଙ୍କ ବଶୀଭୂତ ହୋଇ ବାବାଙ୍କୁ ତାଙ୍କ ହାତରୁ ସୁନା ମୁଦି କାଢି ଦେଇଥିଲେ । ପରବର୍ତୀ ସମୟରେ ମହିଳା ଜଣଙ୍କ ବାବାଙ୍କ ଦ୍ୱାରା ଠକେଇ ର ଶିକାର ହେବା କଥା ଜାଣି ଡେରାବିଶ ଥାନାରେ ଅଭିଯୋଗ କରିଥିଲେ । ଆଜି ପୁଣି ବାବା ଗାଁ କୁ ଆସିଥିବାବେଳେ ଗ୍ରାମବାସୀଙ୍କ ସହାୟତା କାବୁକରି ଡେରାବିଶ ଥାନା ଜିମା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଧ୍ୟକ୍ଷଙ୍କୁ ମାଡି ବସିଲା ଭିଜିଲାନ୍ସ
ନୟାଗଡ : ଏକଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାହାଡାଝୋଲା ଯୁକ୍ତତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୂୟାଁଙ୍କୁ କାବୁ କଲା ନୟାଗଡ ଭିଜିଲାନ୍ସ । ଏରିଅର୍ ଟଙ୍କା କରାଇଦେବା ପାଇଁ ମହାବିଦ୍ୟାଳୟର ଲାଇବ୍ରେରିଆନ୍ ହୃଷିକେଶ ବେହେରାଙ୍କ ଠାରୁ ନେଉଥିଲେ ଲାଞ୍ଚ । ନଳିନୀଙ୍କ ମାଣିକପାଟଣାସାହି ସ୍ଥିତ ଘର ଏବଂ କଲେଜରେ ଭିଜିଲାନ୍ସ ତଲାସି କରିଛି । ବାହାଡାଝୋଲା ଦଧିବାମନ ଜୀଉ ମହାବିଦ୍ୟାଳୟର ଲାଇବ୍ରେରୀଆନ ହୃଷିକେଶ ବେହେରାଙ୍କ ୩ ମାସର ଏରିୟର ଟଙ୍କା ବାକି ଥିଲା । ସେହି ଟଙ୍କା ରିଲିଜ କରାଇଦେବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୂୟାଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ସନ୍ଧ୍ୟା ସମୟରେ ଲାଇବ୍ରେରୀଆନ ଅଧ୍ୟକ୍ଷ ଘରକୁ ଯାଇ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ । ଲାଞ୍ଚ ନେବା ସମୟରେ ଭୁବନେଶ୍ୱର ଭିଜିଲାନ୍ସ ଟିମ ଓ ନୟାଗଡ ଭିଜିଲାନ୍ସ ଟିମ ଅଧ୍ୟକ୍ଷଙ୍କୁ କାବୁ କରିଛି । ଅଧ୍ୟକ୍ଷଙ୍କ ବାହାଡାଝୋଲା ଘର ଓ ମହାବିଦ୍ୟାଳୟର ଅଫିସ ଭିଜିଲାନ୍ସ ଟିମ ଯାଞ୍ଚ କରିଛି ।
ଫସଲ ନଷ୍ଟ କରୁଛି ଅଜଣା ଜନ୍ତୁ
ସାଲେପୁର : ସାଲେପୁର ବ୍ଲକ୍ ତେନ୍ତୋଳ ବାରଗୋଡିଆ ପାଟପୁର ଆତୋଡ଼ା ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ । ଚାଷ ଜମିରେ ଅଜଣା ଜନ୍ତୁ ପଶି ଫସଲ ଖାଇବା ସହ ନଷ୍ଟ କରିଦେଉଛନ୍ତି । ହଜାର ହଜାର ହେକ୍ଟେର୍ ଚାଷ ଏବେ ନଷ୍ଟ ହେବାକୁ ଲାଗିଲାଣି ।ଫସଲର ସୁରକ୍ଷା ନେଇ ଚିନ୍ତାରେ ଚାଷୀ । ରାତିରେ ଏହି ଅଜଣା ଜନ୍ତୁ ଆସୁଥିବା ବେଳେ ଚାଷୀମାନେ ଭୟରେ ପାଖକୁ ଯାଇପାଉନାହାନ୍ତି । ତିନି ବର୍ଷ ହେବ ଅଜଣା ଜନ୍ତୁ ପଶି ନଷ୍ଟଭ୍ରଷ୍ଟ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ମାସକ ଭିତରେ ଏହି ଅଜଣା ଜନ୍ତୁର ପ୍ରଭାବରେ ଆଳୁ,ବରକୋଳି, କଖାରୁ ଓ ଅନ୍ୟାନ୍ୟ ପନି ପରିବା ସହ ଧାନ ଫସଲ ନଷ୍ଟ କରିଦେଉଛନ୍ତି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଚି ଚାଷୀ । ଏହି ଜନ୍ତୁକୁ କେହି କେହି ଜଙ୍ଗଲି ବାରହା କହୁଥିବା ବେଳେ ଅନ୍ୟ କେହି ଜଙ୍ଗଲି ଜନ୍ତୁ କହିଛନ୍ତି । ଦଳ ଦଳ ହୋଇ ଆସି ଫସଲ ନଷ୍ଟ କରୁଥିବା ବେଳେ ପାଦ ଦୁଇଟି ବଡ଼ ବଡ଼ ଖୋଜ ପଡ଼ିଥିବା ଲୋକେ କୁହନ୍ତି । ଏଥିପ୍ରତି ବନ ବିଭାଗ କିମ୍ଵା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଥମୁନି ଉତ୍ତରପ୍ରଦେଶ ସମ୍ଭଲରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ
ଲକ୍ଷ୍ନୌ : ଥମୁନି ଉତ୍ତରପ୍ରଦେଶ ସମ୍ଭଲରେ ଉତ୍ତେଜନା। ମସଜିଦର ସର୍ଭେ କାର୍ଯ୍ଯକୁ ନେଇ ତିନି ଦିନ ଧରି ସେଠାରେ ଥମୁନି ହିଂସା। ସର୍ଭେ କାର୍ଯ୍ୟକୁ ବିରୋଧ କରି ହୋଇଛି ଟେକାପଥର ମାଡ। ଉତ୍ତେଜନା ଦୃଷ୍ଟିରୁ ସେଠାରେ ଇଣ୍ଟରନେଟ ସେବା ରଦ୍ଦ କରାଯାଇଛି। ସେପଟେ ଶାନ୍ତି ବଜାୟ ରଖିବା ଲାଗି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୈଠକ କରାଯାଇଛି। ବିଭିନ୍ନ ସ୍ଥାନରେ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି। ବାହାର ନେତାମାନଙ୍କୁ ସମ୍ଭଲ ଯିବା ଉପରେ ଆସନ୍ତା ୩୦ ତାରିଖ ଯାଏ ଜାରି କରାଯାଇଛି କଟକଣା। ହରିହର ମନ୍ଦିରକୁ ଭାଙ୍ଗି ସେଠାରେ ମୋଗଲ ଶାସକ ମସଜିଦ ନିର୍ମାଣ କରିଥିଲେ ବୋଲି ଅଭିଯୋଗ କ୍ରମେ ତାହାର ସର୍ଭେ ଲାଗି କୋର୍ଟ ଦେଇଥିଲେ ନିଷ୍ପତ୍ତି। ଏହାକୁ ନେଇ ଗତ ୧୮ ତାରିଖରୁ ସେଠାରେ ଉତ୍ତେଜନା ବଳବତ୍ତର ରହିଛି। ତେବେ ସମ୍ଭଲରେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ମୋରାଦାବାଦ ଡିଭିଜନାଲ କମିଶନର ଅଞ୍ଜୁନେୟ କୁମାର। ଉତ୍ତରପ୍ରଦେଶ ସମ୍ଭଲରେ ପ୍ରତିଷ୍ଠିତ ଏକ ମସଜିଦକୁ ନେଇ କିଛି ଦିନ ଧରି ବିବାଦ ଚାଲିଛି। ସେଠାରେ ମୋଗଲ କାଳରେ ଏକ ମନ୍ଦିର ଭାଙ୍ଗି ସାହି ଜାମା ମସଜିଦ ନିର୍ମାଣ କରାଯାଇଥିଲା ବୋଲି ଅଭିଯୋଗ ଆସିବା ପରେ ତାହାକୁ ନେଇ ଚାଲିଛି ଉତ୍ତେଜନା। ମସଜିଦର ସର୍ଭେ ଲାଗି ଆସିଥିବା ଏକ ଟିମକୁ ସ୍ଥାନୀୟ ଲୋକେ ବିରୋଧ କରିବା ପରେ ସେଠାରେ ପରିସ୍ଥିତି ହୋଇଛି ଗମ୍ଭୀର। ସେପଟେ ହିଂସା ସତ୍ତ୍ବେ ଆଡଭୋକେଟ କମିଶନ ପକ୍ଷରୁ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ମସଜିଦର ଭିଡିଓଗ୍ରାଫି କରାଯାଇଛି ବୋଲି ଜିଲ୍ଲା ମାଜିଷ୍ଟ୍ରଟ ରାଜେନ୍ଦର ପେନସିୟା କହିଛନ୍ତି। ଆସନ୍ତା ନଭେମ୍ବର ୨୯ରେ କୋର୍ଟ ନିକଟରେ ଏହି କମିଶନ ନିଜ ରିପୋର୍ଟ ଦାଖଲ କରିବ।
ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ : ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭୋଟ ଗଣତି ପରେ ଇଭିଏମ ମେସିନରେ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଜିତିଲେ ମେସିନ ଠିକ୍, ଆଉ ହାରିଲେ ମେସିନ ସହ ହେରଫେର କେମିତି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଇଭିଏମକୁ ବାଦ ଦେଇ ବାଲଟ ପେପରରେ ଭୋଟ ଗ୍ରହଣ କରିବାକୁ ନେଇ ହୋଇଥିବା କେଏ. ପଲଙ୍କ ଆବେଦନ ଉପରେ ଶୁଣାଣି କରି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ବେଂଚ। ଆବଦନକାରୀ ଅଦାଲତରେ ପୂର୍ବରୁ ଜଗନମୋହନ ରେଡ୍ଡି ଏବଂ ଚନ୍ଦ୍ରବାବୁ ନାଇଡୁ ଭଳି ନେତା ଇଭିଏମ ତଥ୍ୟ ହେରଫେର ନେଇ ପ୍ରଶ୍ନ ଉଠାଇଥିଲେ ବୋଲି କହିଥିଲେ। ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ ଯେ, ଯେତେବେଳେ ଚନ୍ଦ୍ରବାବୁ ନାଇଡୁ ଓ ଜଗନମୋହନ ରେଡ୍ଡି ନିର୍ବାଚନରେ ପରାସ୍ତ ହେଉଛନ୍ତି ସେମାନେ ଇଭିଏମକୁ ନେଇ ପ୍ରଶ୍ନ ଉଠାଉଠଛନ୍ତି ଆଉ ଯେତେବେଳେ ବିଜୟୀ ହେଉଛନ୍ତି ସେତେବେଳେ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି। ଆବେଦନକାରୀ ଶିଳ୍ପପତି ଏଲନ ମସ୍କଙ୍କ ଉଦାହରଣ ଦେଇ ମଧ୍ୟ ଇଭିଏମର ତଥ୍ୟକୁ ହେରଫେର କରାଯାଇପାରିବ ବୋଲି ଦେଇଥିବା ତଥ୍ୟକୁ ଉପସ୍ଥାପନ କରିଥିଲେ। ଆବେଦନକାରୀ ଦେଢଶହରୁ ଅଧିକ ଦେଶ ଗସ୍ତ କରିଛି ବୋଲି କହିବା ସହ ଅଧିକାଂଶ ଦେଶରେ ବାଲଟ ପେପରରେ ଭୋଟଗ୍ରହଣ ହେଉଛି ବୋଲି କହିଥିଲେ। ଭାରତ ମଧ୍ୟ ବାଲଟ ପେରର ଭୋଟଗ୍ରହଣ ବ୍ୟବସ୍ଥାକୁ ପୁଣି ଆପଣାଇବା ଉଚିତ ବୋଲି ଦର୍ଶାଇଥିଲେ। ତେବେ କୋର୍ଟ ଏହାର ଯବାବରେ କହିଥିଲେ ଯେ, ତୁମେ କାହିଁକି ଅନ୍ୟ ଦେଶଠାରୁ କିଛିଟା ଅଲଗା ହେବାକୁ ଚାହୁଁନାହଁ। ସେହିପରି ପୂର୍ବରୁ EVMକୁ ନେଇ ବିରୋଧୀ ଆଣିଥିବା ସମସ୍ତ ଅଭିଯୋଗକୁ ନିରାଧାର କହିବା ସହ ଏଥିରେ କୌଣସି ପ୍ରମାଣ ମିଳିନଥିବା କହିଥିଲେ ନିର୍ବାଚନ କମିଶନ।
କୁନି କଳକୀ ବାବାଙ୍କ ବାପା କାଶୀନାଥ ମିଶ୍ରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ
ଭୁବନେଶ୍ବର : କୁନି କଳକୀ ବାବାଙ୍କ ବାପା କାଶୀନାଥ ମିଶ୍ରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ସ୍ଵାମୀ ଠାରୁ ସ୍ତ୍ରୀକୁ ଛଡ଼ାଇ ନେଇଛନ୍ତି କାଶୀନାଥ ମିଶ୍ର। ଏନେଇ ସହିଦ ନଗର ଥାନାରେ ଅଭିଯୋଗ ଆଣିଛନ୍ତି ଜିତେନ୍ ଗିରି। ୪ ବର୍ଷ ୯ ମାସ ଧରି କାଶୀନାଥ ତାଙ୍କ ପତ୍ନୀଙ୍କୁ ଦୂରେଇ ଦେଇଛନ୍ତି ବୋଲି ଅଭିଯୋଗ ସେ ଆଣିଛନ୍ତି। ଜିତେନଙ୍କ ପତ୍ନୀ ଜଣେ ଆଧ୍ୟାତ୍ମିକ ମହିଳା ହୋଇଥିବାରୁ କୋଭିଡ ସମୟରେ ଅନ୍ୟ ଜଣେ ଯୁବତୀଙ୍କ ସମ୍ପର୍କରେ ଆସି ବୈକୁଣ୍ଠ ଧାମ ଆଶ୍ରମ ଯାଇଥିଲେ। ସେହିପରି ଆଶ୍ରମରେ ବହୁ ଅନୈତିକ କାର୍ଯ୍ୟରେ ଅନ୍ତେବାସୀ ଲିପ୍ତ ଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଜିତେନ। କ୍ରିଷ୍ଣା ନନ୍ଦ ପ୍ରଭୁ ନାମକ ଜଣେ ବ୍ୟକ୍ତି ଆଶ୍ରମରେ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ହୋଇଛି। ଜିତେନଙ୍କ କହିବା କଥା ତାଙ୍କ ପତ୍ନୀଙ୍କ ମାଇଣ୍ଡ ଓ୍ବାସ କରି କାଶୀନାଥ କେଉଁଆଡେ ରଖିଛନ୍ତି ବୋଲି ଅଭିଯୋଗ ହୋଇଛି।
‘ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାରୁ ଟଙ୍କା ଆଦାୟ କରୁଛି ପୋଲିସ’
ପୁରୀ : ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାରୁ ପୋଲିସ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ଦଇତାପତି ସେବାୟତ l ବହୁ ପ୍ରାଚୀନ କାଳରୁ ଯାତ୍ରୀପଣ୍ଡା କରି ଚଳି ଆସୁଥିବା ସେବାୟତଙ୍କ ପ୍ରତି ଅଣଦେଖା କରାଯିବା ସହ ପୋଲିସ ଖୁଲମ ଖୁଲା ଟଙ୍କା ଆଦାୟ କରୁଥିବା ଦୁର୍ଭାଗ୍ୟ ଜନକ ବୋଲି କହି ସେବାୟତ କ୍ଷୋଭ ପ୍ରକାଶ କରିଛନ୍ତି l ଏ ନେଇ ଆଜି ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲପାଳ ଓ ଏସପିଙ୍କୁ ଅବଗତ କରାଯାଇଥିବା ବେଳେ ଘଟଣାକୁ ଗୁରୁତର ସହ ନେବାକୁ ଦାବି କରାଯାଇଛି l ମହାମହିମ ରାଷ୍ଟ୍ରପତି ଗସ୍ତକୁ ନେଇ ଆଜି ଛତିଶା ନିଯୋଗ ବୈଠକରେ ପୋଲିସ ଟଙ୍କା ନେବା ପ୍ରସଙ୍ଗକୁ ନେଇ ମଧ୍ୟ ବେଶ ସରଗରମ ଆଲୋଚନା ହୋଇଥିଲା l ଡିସେମ୍ବର ୨୫ତାରିଖ ମଧ୍ୟରେ ଏହି ସମସ୍ୟାର ସମଧାନ କରାନଗଲେ ସେବାୟତ ପ୍ରଶାସନକୁ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି।

