spot_img
Home Blog Page 1326

ବଜେଟରେ ଠକାମୀର ଶିକାର ହୋଇଛନ୍ତି ସାଧାରଣ ଲୋକେ ଓ ଖଟିଖିଆ

ଭୁବନେଶ୍ବର:  ଚଳିତ ବଜେଟରେ ସାଧାରଣ ଲୋକ ଓ ଖଟିକିଆଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ବଜେଟରେ କିଛି ନୂତନତ୍ୱ ନାହିଁ । କେବଳ ସାଧାରଣ ବଜେଟ ନୁହେଁ ବରଂ ରେଳ ବଜେଟ ମଧ୍ୟ ଓଡିଶା ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ।

ବଜେଟ ଶ୍ରମିକ, କୃଷକ, ଛାତ୍ର ଓ ଯୁବ ବିରୋଧୀ । ଯୁବପିଢୀଙ୍କ ପାଇଁ କିଛି ନାହିଁ । ଏହା ଓଡ଼ିଶା ପ୍ରତି ଚରମ ଅବହେଳା । ଇଷ୍ଟ କୋଷ୍ଟ ରେଳ ଜୋନକୁ ବିଭାଜନ କରି ଓଡିଶା ସ୍ଵାର୍ଥକୁ ଜଳାଞ୍ଜଳି ଦିଆଯାଇଛି । ଏପରି ଅଭିଯୋଗ କରି ଭାରତୀୟ କମ୍ଯୁନିଷ୍ଟ ପାର୍ଟି ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସିପିଆଇ ଭୁବନେଶ୍ୱର ଆଞ୍ଚଳିକ କମିଟି ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ କେନ୍ଦ୍ର ବଜେଟର ଜୋରଦାର ପ୍ରତିବାଦ କରାଯାଇଛି ।

କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲୁଥିବା ଓ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ରେଳମନ୍ତ୍ରୀ ଦାୟିତ୍ବ ନେଇଥିବା ଅଶ୍ୱିନୀ ବୈଷ୍ଣବ କେଉଁ ସ୍ୱାର୍ଥରେ ଓଡିଶାକୁ ଭୁଲିଗଲେ ବୋଲି ପ୍ରଶ୍ନ କରିଛି ସିପିଆଇ । ତେବେ ଏଥିରେ ସୁଧାର ନ ଆସିଲେ ସିପିଆଇ ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି ।

ଅଧାରୁ ସରିଗଲା ଭୋଜି , ଭାଙ୍ଗିଗଲା ବାହାଘର ।

ଗୁଜୁରାଟ: ଖାଇବା ସରିଯିବାରୁ ଭାଙ୍ଗିଗଲା ବାହାଘର  । ଭୋଜି ନଖାଇ ରାଗିଗଲେ ବରଯାତ୍ରୀ । ବାହା ନହୋଇ ଫେରିଗଲା ବର  ।  ବାଜା ବଜାଇ ରୋଷଣୀ କରି ଆସିଥିଲା ବର । ଡିଜେ ବଜାଇ ନାଚଗୀତ କରି ବରଯାତ୍ରୀ ପହଁଞ୍ଚିଲେ କନ୍ୟା ଘରେ । ବର ଯାଇ ବସିଲା ମଣ୍ଡପ ଉପରେ । ବରଯାତ୍ରୀ ଖାଉଥିଲେ ଭୋଜି । କିନ୍ତୁ ଅଧାରୁ ସରିଗଲା ଭୋଜି  । ସେତେବେଳକୁ ପାଖାପାଖି ୧୦୦ଜଣ ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ ।  ଖାଇବା ସରିଯିବା ନେଇ ବର ଓ କନ୍ୟା ଘର ମଧ୍ୟରେ ଆରମ୍ଭ ହୋଇଗଲା ତୁ ତୁ ମେ ମେ । ଗଣ୍ଡଗୋଳ ଏତେ ବଢିଗଲା ଯେ, ବାହା ନ ହୋଇ ଫେରିଗଲା ବର  । ବନ୍ଦ ହୋଇଗଲା ବାହାଘର । ହସ ଖୁସିର ମାହୋଲରେ ଛାଇଗଲା ନିରାଶା  ।

କନ୍ୟା କିନ୍ତୁ ତାର ବାହାଘର ଭାଙ୍ଗିଯାଉ ବୋଲି ଚାହୁଁ ନଥିଲା  । ସେ ସାହାଯ୍ୟ ପାଇଁ ପୋଲିସକୁ ଫୋନ କଲା  । ଆଉ ପୋଲିସକୁ ଯେ କୈଣସି ଉପାୟରେ ବାହାଘର କରାଇବା ପାଇଁ ଅନୁରୋଧ କରିଥିଲା  । କନ୍ୟାର କଥା ଶୁଣି ପୋଲିସ ତା କଥାରେ ରାଜି ହୋଇ ତୁରନ୍ତ ବର ଘର ଅଭିମୁଖେ ବାହାରିଥିଲା । ଆଉ ବରକୁ ଭ୍ୟାନରେ ବସାଇ ପୋଲିସ ଷ୍ଟେସନକୁ ନେଇ ଆସିଥିଲା । ଏହା ପରେ ପୋଲିସ ବରକୁ ବୁଝାସୁଝା କରି ଥିଲେ  । ବର ମଧ୍ୟ ପୋଲିସ ବାବୁଙ୍କ କଥାରେ ରାଜି ହେଲା ଓ ବାହା ହେବା ପାଇଁ ହଁ ମଧ୍ୟ କହିଲା  । ସେତେବେଳକୁ କନ୍ୟା  ମଧ୍ୟ ଆସି ପୋଲିସ ଷ୍ଟେସନରେ ପହଁଞ୍ଚି ସାରିଥିଲା  । ଉଭୟ ବିବାହ ପାଇଁ  ରାଜି ମଧ୍ୟ ହେଲେ  । ଦୁହେଁ ସର୍ତ୍ତ ରଖିଲେ କି ବାହାଘର ଥାନାରେ କରିବା ପାଇଁ  ।

ଦୁହିଁଙ୍କ କଥାରେ ରାଜି ହୋଇ ପୋଲିସ କର୍ମଚାରୀ ଫୁଲମାଣ କିଣି ଆଣିଲେ  । ବ୍ରାହ୍ମଣ ମଧ୍ୟ ଡକାଗଲା । ରୀତିନୀତି ଅନୁସାରେ ଦୁହେଁ ଦୁହିଁଙ୍କୁ ଫୁଲମାଳ ପିନ୍ଧାଇଲେ  । ବିବାହ ସମ୍ପର୍ଣ୍ଣ ହେଲା  । ଥାନା କର୍ମଚାରୀଙ୍କ ଉପସ୍ଥିତିରେ ବିବହା ଅନୁଷ୍ଠିତ ହେଲା । ବାହାଘର ପରେ ପୋଲିସ୍ ବରକନ୍ୟାଙ୍କୁ ନେଇ ବର ଘରକୁ ଗଲେ । ବର ଘର ଲୋକ ଓ ଗାଁ ଲୋକଙ୍କୁ ପୋଲିସ ବୁଝାଇଲା  । ଗାଁ ଲୋକ ରାଜି ହେଲେ  । ପୋଲିସଙ୍କ କଥାରେ ସମସ୍ତେ ବରକନ୍ୟାଙ୍କୁ ଆଶୀର୍ବାଦ କଲେ  ।  ନୂଆ ବୋହୂକୁ ସ୍ୱାଗତ କଲେ ।  ପୋଲିସର ସହାୟତା ପାଇଁ ଭାଙ୍ଗି ଯାଇଥିବା ବାହାଘର ପୁଣି ହେଲା  ।  ଏହି କାର୍ଯ୍ୟ ପାଇଁ ପୋଲିସକୁ ମିଳୁଛି ପ୍ରଶଂସା ।  ଘଟଣାଟି  ଗତ ରବିବାର ଦିନ  ଗୁଜରାଟର ସୁରଟରେ ଘଟିଥିବା ଜଣାପଡ଼ିଛି  ।

୧୦ ହଜାର ଧାର ଟଙ୍କା ପାଇଁ ପୁତୁରା ମାଡ଼ରେ ମଉସା ମୃତ

ଭୁବନ: ଷ୍ଟିଲ ପାଇପରେ ପିଟି ମଉସାକୁ ହତ୍ୟା କଲା ପୁତୁରା । ଘଟଣା ଘଟିଛି ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ ସ୍ଥିତ ଏକ ଷ୍ଟିଲ ଦୋକାନ ସମ୍ମୁଖରେ । ଅଭିଯୁକ୍ତ ପୁତୁରା ମଉସାକୁ ପିଟୁଥିବାର ଦୃଶ୍ୟ ସିସିଟିଭିରେ ହୋଇଛି ରେକର୍ଡ । ଧାର ଦଶ ହଜାର ଟଙ୍କାକୁ ନେଇ ପୁତୁରା ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ମୃତ ମଉସା ହେଉଛନ୍ତି ସୁଶାନ୍ତ ସେଠୀ । ମୃତକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ହାପି ବେହେରାଙ୍କୁ ଗିରଫ କରି ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁସାରେ ୧୦ ହଜାର ଟଙ୍କା ପାଇଁ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଧାର ଟଙ୍କା ମାଗିବା ପାଇଁ ହାପି, କାମ କରୁଥିବା ଏକ ଷ୍ଟିଲ ଦୋକାନରେ ପହଞ୍ଚିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ହାପି, ସୁଶାନ୍ତଙ୍କୁ ପଛପଟୁ ଏକ ଷ୍ଟିଲ ପାଇପରେ ପିଟି ଦେଇଥିଲେ । ଫଳରେ ରକ୍ତାକ୍ତ ଅବସ୍ଥାରେ ସୁଶାନ୍ତ ତଳେ ପଡ଼ିଯାଇଥିଲେ । ତାଙ୍କୁ ପ୍ରଥମେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଢେଙ୍କାନାଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସୁଶାନ୍ତଙ୍କ ସ୍ତ୍ରୀ ଟିକିନା ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ହାପିଙ୍କୁ ଭୁବନ ଥାନା ପୋଲିସ ଗିରଫ କରି ପଚାରଉଚାର କରୁଛି ।

ରେଳ ଓ୍ବାଗନରୁ ବୋମା ଜବତ ଘଟଣାରେ ଦୁଇ କର୍ମଚାରୀ ନିଲମ୍ବିତ

ବଲାଙ୍ଗୀର: କଣ୍ଟାବାଞ୍ଜି ଷ୍ଟେସନରେ ଏକ ମାଲଗାଡ଼ି ଓ୍ବାଗନରୁ ବୋମା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ଦୁଇ କର୍ମଚାରୀ । କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ସସପେଣ୍ଡ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂରା ଘଟଣାର ତଦନ୍ତ କରୁଛି ।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଯାଞ୍ଚ ବେଳେ ଗୋଟିଏ ମାଲଗାଡ଼ିର ୱାଗନରୁ ୧୨ଟି ଜୀବନ୍ତ ବୋମା ଜବତ ହୋଇଥିଲା । ୧୫୫ ଏମ୍‌ଏମ ବିଶିଷ୍ଟ ଏହି ବୋମା ବୋଫର୍ସ ତୋପରେ ବ୍ୟବହାର ହୁଏ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ଫୁଲଗାଓରୁ କିଛି ବୋମା ବଡ଼ମାଲ ଗୋଲାବାରୁଦ କାରଖାନାକୁ ଆସିଥିଲା । ଗୋଟିଏ ୟୁନିଟ୍ ବୋମା ରେଳ ୱାଗନରେ ରହି ଯାଇଥିଲା । ବଡ଼ମାଲ ଗୋଳାବାରୁଦ କାରଖାନାର ଅଧିକାରୀଙ୍କ ସହିତ ଆଲୋଚନା ପରେ ରେଳ କର୍ତ୍ତୃପକ୍ଷ ସେହି ବୋମାକୁ ବଡ଼ମାଲ ଅର୍ଡିନାନସ ଫ୍ୟାକଟ୍ରିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ ।

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

ସୋନପୁର: ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ପୋଲିସ ବାବୁ । ବାଇକ ଛାଡିବାକୁ ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଟିମ୍ । ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳର । ଥାନାର ଏଏସଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ ।

ଅଭିଯୋଗ ଅନୁସାରେ ଏକ ଦୁର୍ଘଟଣା ମାମଲାରେ ବୀରମହାରଜପୁର ପୋଲିସ ଏକ ବାଇକ୍ ଜବତ କରିଥିଲା । ଉକ୍ତ ବାଇକକୁ ଛାଡିବାକୁ ଗାଡି ମାଲିକଙ୍କୁ ପୋଲିସ ବାବୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବାଇକ୍ ମାଲିକ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ଆଜି ବାଇକ ମାଲିକ ଗାଡି ଆଣିବାକୁ ଯାଇଥିଲେ । ଏହି ସମୟରେ ସେ ରସାୟନ ବୋଳା ୬ ହଜାର ଟଙ୍କା ଲାଞ୍ଚୁଆ ପୋଲିସ ବାବୁଙ୍କୁ ଦେଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଘଟଣା ସ୍ଥଳରେ ଧରିବା ସହ ତାଙ୍କ ପାଖରୁ ରସାୟନ ବୋଳା ଟଙ୍କା ଜବତ କରିଥିଲା ।

ଲାଞ୍ଚୁଆ ପୋଲିସ ବାବୁଙ୍କୁ ଧରିବା ପରେ ପୋଲିସ ତାଙ୍କ ଫାଇଲ ଖୋଳିବା ଆରମ୍ଭ କରିଛି । ଆଗରୁ କେତେ ଲାଞ୍ଚ ନେଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଛନ୍ତି କି ଜାଣିବାକୁ ବୁଡୁଙ୍କ ପଟାଭାଡ଼ି ସ୍ଥିତ ଘର ସହିତ ବୀରମହାରାଜପୁର ଥାନାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ଓଡ଼ିଶାରେ ଷୋଡଶ ଅର୍ଥ କମିଶନ: ବିଜେଡି କହିଲା ରାଜ୍ଯ ସ୍ବାର୍ଥ ଦାବି ରଖାଯିବ

ଭୁବନେଶ୍ବର:  ୪ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି ଷୋଡଶ ଅର୍ଥ କମିଶନ । ଡକ୍ଟର ଅରବିନ୍ଦ ପାନଗେରିଆଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ବୁଲିବେ କମିଶନ ସଦସ୍ୟ । ଆସନ୍ତାକାଲି ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ କୋଣାର୍କ ମଧ୍ୟ ବୁଲିବେ । ୬ ତାରିଖରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ରହିଛି । ସେହିଦିନ ଅର୍ଥ କମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ରହିଛି ।

ସେପଟେ ବିଜେଡି କହିଛି, ଷୋଡ଼ଶ ଅର୍ଥ କମିଶନଙ୍କ ଆଗରେ ରାଜ୍ଯ ସ୍ବାର୍ଥ ଦାବି ରଖାଯିବ । ବିଜେଡି ପୂର୍ବରୁ କେନ୍ଦ୍ର ନିକଟରେ ଯେଉଁ ଦାବି ରଖି ଆସିଛି ସେହିସବୁ ଦାବି କମିଶନଙ୍କ ଆଗରେ ପୁଣି ରଖାଯିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅମର ପଟ୍ଟନାୟକ । ୬ ତାରିଖ ଅପରାହ୍ନରେ କମିଶନ ରାଜନୈତିକ ଦଳଙ୍କୁ ଭେଟି ଆଲୋଚନା କରିବେ । ସେହି ବୈଠକରେ ବିଜେଡି ପୂର୍ବର ସବୁ ରାଜ୍ୟ   ସ୍ବାର୍ଥ ପ୍ରସଙ୍ଗ ଉଠାଇବ । ଏଥିରେ କୌଣସି ଦ୍ବିମତ ନାହିଁ ବୋଲି ଗଣମାଧ୍ଯମକୁ କହିଛନ୍ତି ଅମର । ଗତ ବୈଠକରେ ବିଜେଡି ସଭାପତି ଏ ସଂପର୍କରେ ଆଲୋଚନା କରିସାରିଛନ୍ତି ।

୨୦୨୫ରେ ନୂଆ ଟିକସ ବ୍ୟବସ୍ଥା କେବେ ଠାରୁ ଲାଗୁ ହେବ ?

ବଜେଟ୍ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଟ୍ୟାକ୍ସ ରିଜିମ୍‌ରେ ବଡ଼ ପରିବର୍ତ୍ତନ କରି ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାପରେ ଏବେ ଦେଶରେ ନୂଆ ଟ୍ୟାକ୍ସ ସ୍ଲାବ୍ ଲାଗୁ ହେବ । ତେବେ ଏଥରେ କଣ ନୂଆ ଅଛି ? ନୂଆ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କେବେଠାରୁ ଲାଗୁ ହେବ ? କେବେଠାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗୁ ହେବ ନାହିଁ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନରୁ ଉତ୍ତର…

୨୦୨୫ରେ ନୂଆ ଟିକସ ବ୍ୟବସ୍ଥା କେବେ ଠାରୁ ଲାଗୁ ହେବ ?

ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଆୟକରରେ ପରିବର୍ତ୍ତନ ୧ ଏପ୍ରିଲ୍‌ ୨୦୨୫ରୁ ଲାଗୁ ହେବ । ଏହାର ଅର୍ଥ ହେଉଛି ଆଗାମୀ ଆର୍ଥିକ ବର୍ଷରୁ ଟିକସ ଦାତାମାନେ ଏହି ପରିବର୍ତ୍ତନର ଲାଭ ପାଇବା ପାଇ ପାରିବେ। ୨୦୨୫-୨୬ ଆର୍ଥିକ ବର୍ଷରେ, ଆପଣ ୧୨ ଲକ୍ଷ ଟଙ୍କା ଉପରେ ଜିରୋ ଟିକସ ଦେବାକୁ ପଡ଼ିବ ।

ସଂସଦରେ ଉପସ୍ଥାପିତ ହେବାକୁ ଥିବା ନୂଆ ଆୟକର ଆଇନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ି କି ?

ବଜେଟ୍‌ରେ ଆୟକରରେ ହୋଇଥିବା ପରିବର୍ତ୍ତନ ଏଥର ସଂସଦରେ ଗୃହୀତ ହେବ । ଏହା ୨୦୨୫ରୁ କାର୍ଯ୍ୟକାରୀ ହେବ । ନୂଆ ଟିକସ ବ୍ୟବସ୍ଥାର ନୂଆ ଆଇନ ସହ କୌଣସି ସମ୍ପର୍କ ନାହିଁ।

ତେବେ ନୂଆ ଆୟକର ଆଇନ୍‌ରେ କଣ ଅଛି ?

ବଜେଟ ଅଧିବେଶନ ସମୟରେ ସଂସଦରେ ନୂଆ ଆୟକର ଆଇନ ଆଗତ କରାଯିବ। ଏହା ଏକ ନୂଆ ଆଇନ ହେବ, କିନ୍ତୁ ଏହା ଆଇନରେ ସଂଶୋଧନ ନୁହେଁ। ନୂତନ ଆୟକର ଆଇନ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆୟକର ଆଇନ, ୧୯୬୧କୁ ସରଳ, ସ୍ପଷ୍ଟ କରିବ। ଯଦି ଏହି ବିଲ୍ ସଂସଦର ଅନୁମୋଦନ ପାଏ ଏବଂ ସମସ୍ତ ପ୍ରକ୍ରିୟା ଯଦି ଶେଷ ହୁଏ, ତେବେ ଦେଶରେ ଏକ ନୂଆ ଆୟକର ଆଇନ କାର୍ଯ୍ୟକାରୀ ହେବ।

ନୂଆ ଆୟକର ଆଇନ କାର୍ଯ୍ୟକାରୀ ହେଲେ କ’ଣ ହେବ ?

ଟିକସ ପ୍ରକ୍ରିୟାକୁ ସରଳ କରିବାକୁ ପଡିବ, ଯାହା ଦ୍ବାରା ସାଧାରଣ ଲୋକ ମଧ୍ୟ ସରଳ ଭାଷାରେ ଟିକସ ବ୍ୟବସ୍ଥାକୁ ବୁଝିପାରିବେ । ବର୍ତ୍ତମାନର ଟିକସ ଆଇନରେ ଅନେକ ଟିକସ ସମ୍ବନ୍ଧୀୟ ଜଟିଳତା ଥିବାରୁ ଏକ ନୂଆ ଆଇନ ମଧ୍ୟ ଆବଶ୍ୟକ । ନୂଆ ଆଇନ ଅନୁଯାୟୀ ଯେକୌଣସି ପରିବର୍ତ୍ତନ ପାଇଁ ଆୟ ଗଣନା ପ୍ରକ୍ରିୟା ପାଇଁ ସହଜରେ ବୁଝିହେବା ସୂତ୍ର ସୃଷ୍ଟି କରାଯିବ । ଏହା ମଧ୍ୟ କୁହାଯାଉଛି ଯେ ମୂଲ୍ୟାୟନ ବର୍ଷ ଏବଂ ଆର୍ଥିକ ବର୍ଷ ବଦଳରେ, ଗୋଟିଏ ‘କର ବର୍ଷ’ ହୋଇପାରେ । ଆୟକର ଆଇନ ୧୯୬୧ ୧ ଏପ୍ରିଲ୍ ୧୯୬୨ରେ କାର୍ଯ୍ୟକାରୀ ହୋଇଥିଲା, ଯାହାକୁ ସରକାର ଏବେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି  ।

ଯଦି ନୂତନ ଟିକସ ବ୍ୟବସ୍ଥା- ୨୦୨୫ ଲାଭଦାୟକ, ତେବେ ଟିକସଦାତା ମାନେ କେବେ ଏହାକୁ ପରିବର୍ତ୍ତନ କରିପାରିବେ ?

ଟିକସଦାତା ମାନେ ୨୦୨୫-୨୬ ଆର୍ଥିକ ବର୍ଷରୁ ବଜେଟରେ ପ୍ରଚଳିତ ନୂଆ ଟିକସ ସ୍ଲାବକୁ ପରିବର୍ତ୍ତନ କରିପାରିବେ । କାରଣ ଏହି ପରିବର୍ତ୍ତନ ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୪-୨୫ ପାଇଁ ନୁହେଁ । ଯଦି ଆପଣ ମଧ୍ୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ  ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ୧ ଏପ୍ରିଲ୍ ୨୦୨୫ ପରେ ଏହି ବ୍ୟବସ୍ଥା ବାଛିପାରିବେ ।

ଦିଲ୍ଲୀ ବିଧାନସଭା ନିର୍ବାଚନ: କିଏ ଦେଇଛି କି ପ୍ରତିଶ୍ରୁତି ?

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ପାଇଁ ପଡ଼ିବ ଭୋଟ୍ । ଗତକାଲିଠାରୁ ପ୍ରଚାର ସରିଛି । ଚଳିତ ନିର୍ବାଚନ ସାରା ଦେଶରେ ଚର୍ଚ୍ଚାରେ ରହିଛି । ମଦ ନୀତି ମାମଲାରେ ଆପ୍ କାଠଗଡ଼ାରେ ଛିଡ଼ା ହୋଇଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଛି । ଦିଲ୍ଲୀ ସଂହାସନ ଦଖଲ କରିବାକୁ ତିନି ପ୍ରମୁଖ ରାଜନୖେତିକ ଦଳ ଆପ୍, ବିଜେପି ଓ କଂଗ୍ରେସ ଦିନରାତି ଏକ କରି ଦେଇଥିଲେ । ଏହାରି ଭିତିରେ ତିନି ଦଳ ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତିର ସୁନେଲି ସ୍ବପ୍ନ ଦେଖାଇଛନ୍ତି । ଆସନ୍ତୁ ଜାଣିବା ନିଜ ନିର୍ବାଚନ ଇସ୍ତାହାରରେ କେଉଁ ଦଳ କି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀବାସୀଙ୍କୁ ।

ଆପର ନିର୍ବାଚନୀ ଇସ୍ତାହାର

ତୃତୀୟ ଥର କ୍ଷମତା ଦଖଲ କରିବାକୁ ଆପ ମୁଖ୍ୟ କେଜ୍ରିଓ୍ବାଲ ଏବଂ ଦଳୀୟ ନେତା ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ଆଉ ଏହାରି ଭିତରେ ଆପ ପକ୍ଷରୁ ଦିଲ୍ଲୀବାସୀଙ୍କ ପାଇଁ ନିଜ ନିର୍ବାଚନୀ ଇସ୍ତାହାରରେ ଏକାଧିକ ପ୍ରତିଶ୍ରୁତି ଦିଆଯାଇଛି । ଯେଉଁଥିରେ ମୁଖ୍ୟ ପ୍ରତିଶ୍ରୁତି ସଞ୍ଜୀବନୀ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଚିକିତ୍ସା । ସିକ୍ୟୁରିଟି ଗାର୍ଡ ଲାଗି ଆବାସିକ କଲ୍ଯାଣ ସଂଘକୁ ପାଣ୍ଠି ଯୋଗାଣ । ଅଟୋ ଡ୍ରାଇଭରଙ୍କ ଲାଗି ୫ଟି ଗ୍ଯାରେଣ୍ଟି । ଅଟୋ ଡ୍ରାଇଭରଙ୍କ ଝିଅର ବାହା ଘର ଲାଗି ୧ ଲକ୍ଷ ଟଙ୍କା । ଅଟୋ ଡ୍ରାଇଭରଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଜୀବନ ବୀମା ପରି ଘୋଷଣା ରହିଛି । ସେହିପରି ଭଡ଼ାଟିଆଙ୍କୁ ମାଗଣା ପାଣି ଓ ବିଜୁଳି । ଧୋବୀ ସମାଜ କଲ୍ଯାଣ ବୋର୍ଡ ଗଠନ । ଦିଲ୍ଲୀବାସୀଙ୍କ ଲାଗି ରୋଜଗାରର ଗ୍ଯାରେଣ୍ଟି । ମହିଳାଙ୍କୁ ପ୍ରତିମାସରେ ୨୧ ଶହ ଟଙ୍କା ପେନସନ । ବରିଷ୍ଠ ନାଗରିକଙ୍କ ପାଇଁ ସଂଜୀବନୀ ଯୋଜନା । ମେଟ୍ରୋ ସେବାରେ ଛାତ୍ରଙ୍କ ଲାଗି ଯାତ୍ରାରେ ୫୦ ପ୍ରତିଶତ ରିହାତି । ମନ୍ଦିର ପୂଜକଙ୍କୁ ପ୍ରତିମାସ ୧୮ ହଜାର ଟଙ୍କା ପାଉଣା ପରି ପ୍ରତିଶ୍ରୁତି ରହିଛି ।

ବିଜେପିର ନିର୍ବାଚନୀ ଇସ୍ତାହାର

୨୫ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ବିଜେପି ପୂରା ଦମ ଲଗାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, ଏକାଧିକ କ୍ୟାବିନେଟ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ନେତା ଦିନରାତି ଏକ କରି ପ୍ରଚାର କରିଛନ୍ତି । ଆଉ ପ୍ରତିଶ୍ରୁତି ଦେବାରେ ବିଜେପି ବି ପଛରେ ପଡ଼ିନି ।

ମହିଳା ସମୃଦ୍ଧି ଯୋଜନାରେ ମହିଳାଙ୍କୁ ମାସିକ ୨,୫୦୦ ଟଙ୍କା ଦେବାକୁ ବିଜେପି ଘୋଷଣା କରିଛି । ମୁଖ୍ଯମନ୍ତ୍ରୀ ମାତୃତ୍ବ ସୁରକ୍ଷା ଯୋଜନାରେ ଗର୍ଭବତୀଙ୍କୁ ୨୧ ହଜାର ଟଙ୍କା । ଆର୍ଥିକ ଦୁର୍ବଳଙ୍କୂ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର । ୬୦ରୁ ୭୦ ବର୍ଷ ବୟସ୍କଙ୍କ ପେନସନ ପରିମାଣ ୨ ହଜାରରୁ ୨୫୦୦କୁ ବୃଦ୍ଧି । ବିଧବା, ଦିବ୍ଯାଙ୍ଗ, ପତିତାଙ୍କ ସହାୟତା ପରିମାଣ ୨୫୦୦ରୁ ୩ ହଜାରକୁ ବୃଦ୍ଧି ଭଳି ଘୋଷଣା କରିଛି ବିଜେପି । କମ୍ପିଟିଟିଭ ଏକଜାମ ଲାଗି ଆଶାୟୀ ଛାତ୍ରଛାତ୍ରୀଙ୍କୁ ୧୫ ହଜାର ଟଙ୍କା ସହାୟତା । କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା । ଘରୋଇ ସ୍ତରରେ କାମ କରୁଥିବା ଶ୍ରମିକଙ୍କ ଲାଗି କଲ୍ଯାଣ ବୋର୍ଡ ଗଠନ ଓ ୧୦ ଲକ୍ଷ ଟଙ୍କାର ବୀମା । ଗିଗ୍ ୱାର୍କରଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା । ୫୦ ହଜାର ଚାକିରି, ୨୦ ଲକ୍ଷ ଆତ୍ମନିଯୁକ୍ତି ସୁଯୋଗ । ୧୭୦୦ ବେଆଇନ କଲୋନୀରେ ଘର କିଣାବିକା ଓ ନିର୍ମାଣରେ ପୂର୍ଣ୍ଣ ବ୍ଯକ୍ତିଗତ ଅଧିକାର ପରି ଘୋଷଣା କରିଛି ବିଜେପି ।

କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଆପ ଓ ବିଜେପି ମଧ୍ୟରେ ଫେସ ଟୁ ଫେସ ଟକ୍କର ହେଉଥିବା ବେଳେ କଂଗ୍ରେସ ମୈଦାନରେ ଫୁଲ ଦମରେ ଓହ୍ଲାଇଛି । ଦୁଇ ବିରାଡିଙ୍କ କଳିରେ ମାଙ୍କଡର ଲାଭ ଭଳି ଦୀର୍ଘ ଦିନ ପରେ ପୁଣି ଥରେ ଦିଲ୍ଲୀ ଦଖଲ ଆଶା ରଖିଛି କଂଗ୍ରେସ । ଦଳ ପକ୍ଷରୁ ଦିଲ୍ଲୀବାସୀଙ୍କୁ ଲମ୍ବା ପ୍ରତିଶ୍ରୁତି ଦିଆଯାଇଛି । ମାଗଣା ୩୦୦ ୟୁନିଟ ବିଜୁଳି, ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର । ପ୍ରତି ପରିବାରକୁ ପ୍ରତି ମାସରେ ମାଗଣା ରାସନ କିଟ । ରାସନରେ ରହିବ ଚାଉଳ, ଚିନି, ରନ୍ଧନ ତେଲ, ଶସ୍ଯ ଓ ଚା । ପ୍ଯାରି ଦିଦି ଯୋଜନାରେ ମହିଳାଙ୍କୁ ମାସିକ ୨,୫୦୦ ଟଙ୍କା ଘୋଷଣା କରାଯାଇଛି । ଜୀବନ ରକ୍ଷା ଯୋଜନାରେ ୨୫ ଲକ୍ଷ ଲେଖାଏଁ ଟଙ୍କାର ବୀମା । ଶିକ୍ଷିତ କିନ୍ତୁ ବେକାରୀ ଯୁବକଙ୍କୁ ମାସିକ ୮,୫୦୦ ଟଙ୍କା ଷ୍ଟାଇପେଣ୍ଡ ଘୋଷଣା କରିଛି ଦଳ । ମହାନଗରରେ ୧୦୦ଟି ଇନ୍ଦିରା କ୍ଯାଣ୍ଟିନ ଖୋଲିବାକୁ ପ୍ରତିଶ୍ରୁତି ଦେଇଛି ଦଳ ।

କ୍ୟାନସରୁ ସଚେତନ ରହିବାର ଉପାୟ ଜାଣନ୍ତୁ ……

କର୍କଟ ରୋଗ ଏପରି ଏକ ରୋଗ ଯାହା ଜଣେ ବ୍ୟକ୍ତିକୁ ଶାରୀରିକ ଏବଂ ମାନସିକ ଭାବରେ ଭାଙ୍ଗିଦିଏ। ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସୁସ୍ଥ ହେବା ପରେ ମଧ୍ୟ ଏହା ପୁନରାବୃତ୍ତି ହୋଇପାରେ। ଆଜିକାଲି ଲୋକଙ୍କ ଜୀବନଶୈଳୀ ଖରାପ ହୋଇଥିବାରୁ ଏହାବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ନିଜର ଖରାପ ଅଭ୍ୟାସ ପାଇଁ ବ୍ୟକ୍ତି କର୍କଟ ରୋଗର ଶିକାର ହୋଇଥନ୍ତି  । କିନ୍ତୁ ବ୍ୟକ୍ତି ଏହା ବିଷୟରେ ଜାଣିନଥାନ୍ତି । କର୍କଟ ରୋଗର ଆଶଙ୍କା କମାଇବା ପାଇଁ, କିଛି ଅଭ୍ୟାସ ବଦଳାଇବା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜିବିଶ୍ବ କ୍ୟାନସର ଦିବସ ଅବସରରେ ବସନ୍ତୁ ଜାଣିବା କିପରି ଏହି ରୋଗ ଠାରୁ ଦୂରେଇ ରହିପାରିବା  ।

୯ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ କ୍ୟାନସର ହେବାର ସମ୍ଭାବନା ଥାଏ   ।  ଇଣ୍ଡିଆନ କାଉନସିଲ୍ ଆଫ ମେଡିକାଲ୍ ରିସର୍ଚ୍ଚ (ICMR)-ନ୍ୟାସନାଲ୍ ସେଣ୍ଟର ଫର୍ ଡିଜିଜ୍ ଇନଫର୍ମେଟିକ୍ସ ଆଣ୍ଡ୍ ରିସର୍ଚ୍ଚ (NCDIR) ଅନୁଯାୟୀ, ପ୍ରତି ୯ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ କର୍କଟ ରୋଗର ପିଡୀତ ହେବାର ସମ୍ଭାବନା ରହିଛି । ଫୁସଫୁସ ଏବଂ ସ୍ତନ କର୍କଟ ରୋଗର ଅଧିକାଂଶ ମାମଲା ଦେଖାଯାଉଛି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ ପ୍ରତି ୨୯ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏବଂ ପ୍ରତି ୬୭ ଜଣ ପୁରୁଷଙ୍କ ମଧ୍ୟରୁ ଜଣଙ୍କର  ତାଙ୍କ ଜୀବନ କାଳ ମଧ୍ୟରେ ଫୁସଫୁସ ଏବଂ ସ୍ତନ କର୍କଟ ରୋଗହେବାର  ଆଶଙ୍କା ରହିଥାଏ ।

ଖରାପ ଜୀବନଶୈଳି ଏହି ରୋଗର ମୁଖ୍ୟ କାରଣ । ବିଶ୍ବ ସ୍ବାସ୍ଥ ସଂଗଠନ ଅନୁଯାୟୀ  ବିଶ୍ୱରେ 40% କର୍କଟ ରୋଗ ଶେଷ ପର୍ଯ୍ୟାୟରେ । ତୁର୍କୀର ଆକିବାଡେମ ମସଲାକ ହସ୍ପିଟାଲ ଦ୍ବାରା କରାହାଇଥିବା ଏକ ଅଧ୍ୟୟନ ଅନୁଯାୟୀ କର୍କଟ ରୋଗର ଏକ ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ। ତମାଖୁ ସେବନ କରୁଥିବା ଲୋକଙ୍କ ଫୁସଫୁସ କର୍କଟ ହେବାର ଆଶଙ୍କା ୮୫% ଥାଏ। ଖରାପ ଖାଦ୍ୟପେୟ, ମଦ୍ୟପାନ ଏବଂ ବ୍ୟାୟାମର ଅଭାବ ମଧ୍ୟ କର୍କଟ ରୋଗର ଆଶଙ୍କାକୁ ୫୦% ବୃଦ୍ଧି କରେ। ଏହା ମୁଣ୍ଡ, ବେକ, ଅଗ୍ନାଶୟ ଏବଂ ମୂତ୍ରାଶୟର କର୍କଟ ସୃଷ୍ଟି କରିପାରେ।  ତମାଖୁ ଏବଂ ମଦ୍ୟପାନ କର୍କଟ ରୋଗର ମୁଖ୍ୟ କାରଣ। ଯଦି ଜଣେ ବ୍ୟକ୍ତି ଏକକାଳୀନ ଧୂମପାନ ଏବଂ ମଦ୍ୟପାନ କରନ୍ତି, ତେବେ କର୍କଟ ରୋଗର ଆଶଙ୍କା ଚାରି ଗୁଣ ବଢ଼ିଯାଏ।

ତମାଖୁ , ଧୂମପାନ ଏବଂ ମଦ୍ୟପାନଠାରୁ ଦୂରରେ ରୁହନ୍ତୁ  । ତମାଖୁ ସେବନ କରୁଥିବା ଲୋକମାନେ ମୁହଁ, ଫୁସଫୁସ ଏବଂ ପେଟ ର୍କକଟ ରୋଗରେ ପୀଡିତ ହୁଅନ୍ତି। ତମାଖୁ ପରି, ଧୂମପାନ ଏବଂ ମଦ୍ୟପାନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରେ। ଧୂମପାନ କରୁଥିବା ଲୋକଙ୍କର ଫୁସଫୁସ କର୍କଟ ହେବାର ଆଶଙ୍କା ୮୭% ପର୍ଯ୍ୟନ୍ତ ଥାଏ। ମଦ୍ୟପାନ ସ୍ତନ ଏବଂ ଯକୃତ କର୍କଟକୁ ପ୍ରୋତ୍ସାହିତ କରେ। ACIBADEMରେ ପ୍ରକାଶିତ ରିର୍ପୋଟ ଅନୁଯାୟୀ , ଯେଉଁମାନେ ପ୍ରତିଦିନ ୧୪ ଗ୍ରାମ ଅର୍ଥାତ୍ ୩୬୦ml ବିୟର, ୧୫୦ml ୱାଇନ୍, ୪୫ml ହ୍ୱିସ୍କି ସେବନ କରନ୍ତି, ସେମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗର ଆଶଙ୍କା ୨୩%, କୋଲନ୍ କର୍କଟ ରୋଗର ଆଶଙ୍କା ୧୭% ଏବଂ ଖାଦ୍ୟନଳୀ କର୍କଟ ରୋଗର ଆଶଙ୍କା ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଏ।  ତେଣୁ ମଦ୍ୟପାନ , ତମାଖୁ ସେବନ , ଧୂମପାନ ଠାରୁ ସବୁବେଳେ ଦୁରରେ ରୁହନ୍ତୁ  । ଏକ ସାଧାରଣ ଜିବନଶୈଳିକୁ ବାଛି ସୁସ୍ଥ ରୁହନ୍ତୁ ।

ମାଟ୍ରିମୋନି ସାଇଟରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୩ ଲକ୍ଷ ଟଙ୍କା ଓ ଦାମୀ ମୋବାଇଲ ଠକି ନେଲେ ତିନି ଛୁଆର ବାପା

ଭୁବନେଶ୍ବର: ଠକଙ୍କ ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଫେକ ଆକାଉଣ୍ଟ ଖୋଲି ଯୁବତୀଙ୍କୁ ଲଗାଉଛନ୍ତି ଚୂନ । ମିଠା ମିଠା କଥା କହି ସମ୍ପର୍କ ଯୋଡ଼ୁଛନ୍ତି । ବିବାହର ପ୍ରଲୋଭନ ଦେଖାଉଛନ୍ତି । ଲକ୍ଷା ଲକ୍ଷ ଟଙ୍କା ଚୂନ ଲଗାଉଛନ୍ତି । ଏମିତି ଏକ ଅଭିଯୋଗ ହୋଇଛି ଭୁବନେଶ୍ବରରେ । ମାଟ୍ରିମୋନି ସାଇଟରେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଲୁଟିଥିବା ଜଣେ ତିନି ଛୁଆର ବାପା ଧରାପଡ଼ିଛନ୍ତି । ଯୁବତୀଙ୍କୁ ମିଠା ମିଠା କଥା କହି ଅଭିଯୁକ୍ତ ୩ ଲକ୍ଷ ଟଙ୍କା ଓ ଏକ ଦାମୀ ମୋବାଇଲ ନେଇଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

ଠକେଇର ଶିକାର ଯୁବତୀ କହିଛନ୍ତି, ୨୦୨୪ ଡିସେମ୍ବରରେ ସେ ଭାରତ ମାଟ୍ରିମୋନିରୁ ମୋତେ ଅନୁରୋଧ ପଠାଇଥିଲେ । ସେହିଠାରୁ କଥାବାର୍ତ୍ତା ହେବା ପରେ ସେ ମୋତେ ଦେଖା କଲେ । ମୋର ବାପାମାଆ ନାହାନ୍ତି । ଏହାପରେ ଭିଡିଓ କଲରେ ସେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ମଧ୍ୟ ମୋର କଥାବାର୍ତ୍ତା କରାଇଲେ । ତେଣୁ ମୁଁ କେବେ ବି ଜାଣିପାରିଲିନି ସେ ଠକ ବୋଲି ।

ଆଗକୁ ସେ କହିଛନ୍ତି, କାରକୁ ନେଇ ପ୍ରଥମେ ମୋର ସନ୍ଦେହ ହୋଇଥିଲା । ମୁଁ ତାଙ୍କ ଘରେ ଥିବା ବେଳେ ଜଣେ ଲୋକ ଆସି ତାଙ୍କ ଘର ଆଗରେ ମୋର ୪ ଲକ୍ଷ ଟଙ୍କା ନେଇ ଦେଖା ଦେଉନି କହି ପାଟି କରିଥିଲା । ସେତେବେଳେ ସେ ଘରେ ଥିଲେ ବି ଘରେ କାମ କରୁଥିବା ମହିଳା ବାବୁ ନାହାନ୍ତି କହି ଘର ଚାବି ପକାଇ ଦେଇଥିଲା । ଏହା ଦେଖି ମୁଁ ସନ୍ଦେହ କରିବା ଆରମ୍ଭ କରିଥିଲି ।

ପ୍ରଥମେ କଥା ହେବା ପରେ ସେ ତାଙ୍କ ନାଁ ଦୀପ୍ତିଦାସ ପଟ୍ଟନାୟକ ବୋଲି ପରାମର୍ଶ ଦେଇଥିଲେ । ଆଇଏମଏସ୍ କଲେଜର ଫାଉଣ୍ଡର ତାଙ୍କ ବାପା ବୋଲି କହିବା ସହ ତାଙ୍କର ଛାଡ଼ପତ୍ର ହୋଇଛି ବୋଲି କହିଥିଲେ । ଆମ ଘର ଲୋକଙ୍କ ସହ କଥା ହେବା ବେଳେ 3୨ଟା ଫ୍ଲାଟ ଥିବା, ୫ ଲକ୍ଷ ଟଙ୍କା ଘଣଭଡ଼ା ଆସୁଥିବା, କଲେଜରେ ୫୦ ପ୍ରତିଶତ ସେୟାର ଅଛି ବୋଲି କହିଥିଲେ । ଏହାସହ ଷ୍ଟକ ମାର୍କେଟରେ ବି ଟଙ୍କା ଲଗାଇଥିବା କହି ଆପ୍ ଦେଖାଇଥିଲେ । ପରେ ମୁଁ ଜାଣିଲେ ସେ ଦେଖାଉଥିବା ଆପଟି ଏକ ଡମି ଆପ ଥିଲା । ଏସବୁ କାରଣରୁ ଧିରେ ଧିରେ ସନ୍ଦେହ ବଢ଼ିଥିଲା ।

ଏକ ସପ୍ତାହ ପୂର୍ବେ ମୁଁ ତାଙ୍କ ଗାଁକୁ ଯାଇଥିଲି । ସେଠାରେ ତାଙ୍କ ବଡ଼ବାପା ରହୁଛନ୍ତି । ସେଠାକୁ ଯାଇ ଜାଣିଲି ତାଙ୍କ ସ୍ତ୍ରୀ ଓ ତିନିଟି ପିଲା ଅଛନ୍ତି । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ । ସେମାନେ ତାଙ୍କ ସାନ ଭାଇଙ୍କ ସହ ସହିଦ ନଗର ଘରେ ରହୁଛନ୍ତି ।

ତାଙ୍କ ଆକାଉଣ୍ଟ ବ୍ଲକ ହୋଇଥିବା କହିଲେ । ଦେଢ଼ ଲକ୍ଷ ଟଙ୍କାର ଫୋନ କିଣିକି ଦେଲି । ଆକାଉଣ୍ଟ ଖୋଲିଲେ ଟଙ୍କା ଫେରାଇବେ ବୋଲି କହିଥିଲେ । ହେଲେ ପରେ ସମସ୍ତଙ୍କୁ କହି ବୁଲିଲେ କି ମୁଁ ତାଙ୍କୁ ଫୋନଟା ଗିଫ୍ଟ କରିଛି ବୋଲି । ଟଙ୍କା ଫେରାଇବା ନାଁ ନେଉ ନଥିଲେ । କାଲି ପୁରୀରେ ଜମି ବିକ୍ରି ହେଉଛି କକହି ଯାଇଥିଲେ । ସେ ଜମି ତାଙ୍କ ମାଆଙ୍କ ନାଁରେ ରହିଛି । ବିକ୍ରି ହୋଇ ପାରିଲାନି । ସେଠାରୁ ଫେରି ମଦ ପିଇ ମୋତେ ଫୋନରେ ଗାଳିଗୁଲଜ କରିଥିଲେ । ଏହାପରେ ମୁଁ ମୋ ଭାଇ ଓ ପରିବାର ସହ ତାଙ୍କ ଘରକୁ ଆସିଥିଲୁ । ସେଠାରେ ସେ ମୋତେ ଧକ୍କା ମରାମରି କରିଥିଲେ । ଏହାପରେ ଆମେ ପୋଲିସକୁ ଫୋନ କରି ଡକାଇଥିଲୁ ।

ଥାନାକୁ ଯିବା ପରେ ତାଙ୍କ ଓକିଲ ପାଖରୁ ସ୍ତ୍ରୀ, ପିଲା କଥା ସତ ବୋଲି ଜଣାପଡିଥିଲା । ଏପରିକି ପୈତୃକ ସମ୍ପତ୍ତି ତାଙ୍କ ବାପା ତାଙ୍କ ସ୍ତ୍ରୀ ଓ ପିଲାଙ୍କ ନାଁରେ କରି ଯାଇଥିବା ମଧ୍ୟ ଜଣାପଡିଛି । ଏପରିକି ଥାନାକୁ ଯିବା ପରେ ପୋଲିସ ଅଧିକାରୀମାନେ ମଧ୍ୟ ତାଙ୍କୁ ଚିହ୍ନଟ କରିଥିଲେ । କାରଣ କିଛିଦିନ ପୂର୍ବେ ଗୋଟେ ଝିଅ ସହ ତାଙ୍କର ଏମିତି ଝଗଡ଼ା ହୋଇଥିଲା । ଯାହାର ସମାଧାନ ଥାନାରେ ହୋଇଥିଲା । ମୋ ପରି ଏକାଧିକ ଝିଅଙ୍କୁ ସେ ଠକିଥିବାର ପ୍ରମାଣ ରହିଛି ।