spot_img
Home Blog Page 1370

ସରକାରୀ ଜାଗାରେ ଘର କରିବାକୁ ନେଇ ମହିଳାଙ୍କୁ ଆକ୍ରମଣ

ଗଞ୍ଜାମ: ଜାଗା ସରକାରଙ୍କର । ମାଡି ବସି ଚାଷବାସ କରୁଥିଲେ ଜଣେ ମହିଳା । ତା’ ଉପରେ ପଡ଼ିଲା ତାଙ୍କ ଦେଢଶୁର ଓ ଦିଅରଙ୍କ ନଜର । ଉକ୍ତ ଜାଗାକୁ କବଜାକୁ ନେଇ ତିଆରି କରୁଥିଲେ ଘର । ପୂର୍ବରୁ ଜବରଦଖଲ କରିଥିବା ମହିଳା ବିରୋଧ କରିବାରୁ କଲେ ମରଣାନ୍ତକ ଆକ୍ରମଣ । ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପୁଷ୍ପନଗର ଗାଁରେ ।

ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି । ତାଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ଅନୁସାରେ, ପୁଷ୍ପନଗର ଗାଁର ୩୨ ବର୍ଷୀୟା ମହିଳା ସୁନି ପାଢ଼ୀ ଏକ ସରକାରୀ ଜମିରେ ଚାଷ ବାସ କରୁଥିଲେ । ସେହି ଜାଗାରେ ମହିଳାଙ୍କ ଦେଢଶୁର ଓ ଦିଅର ଘର କରିବାରୁ ମହିଳା ବିରୋଧ କରିଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ହାତାହାତି ହୋଇଥିଲେ । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଦିଅର ଓ ଦେଢ଼ଶୁର ସମେତ ୭ ଜଣ ମିଶି ତାଙ୍କ ଘରେ ପଶି କୁରାଢ଼ୀ, ଠେଙ୍ଗାବାଡି ଓ କୋଦାଳ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ ।

ଅମିତାଭ ବଚ୍ଚନଙ୍କ ନାତିକୁ କୋଳେଇଲେ ରେଖା

ନନ୍ଦିଘୋଷ ବ୍ୟୁରୋ: ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟଙ୍କୁ କୋଳେଇଲେ ଅଭିନେତ୍ରୀ ରେଖା । ହାତଯୋଡ଼ି ନମସ୍କାର କଲେ ଅଗସ୍ତ୍ୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରାଜ କପୁରଙ୍କ ୧୦୦ତମ ଜୟନ୍ତୀ ଅବସରରେ କପୁର ପରିବାର ପକ୍ଷରୁ ଏକ ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରିଛି । ଯେଉଁଥିରେ ବଲିଉଡର ବହୁ ଜଣାଶୁଣା କଳାକାରଙ୍କଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି । ଏହି ଅବସରରେ ଅଭିନେତ୍ରୀ ରେଖା ମଧ୍ୟ ଯୋଗ ଦେଇଛନ୍ତି । ଏକ ସ୍ବତନ୍ତ୍ର ଶୈଳୀରେ ପୋଷାକ ପିନ୍ଧି ରେଖା ଏହି କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଏହି ଅବସରରେ ଅମିତାଭଙ୍କ ନାତି ଅଗସ୍ତ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ ଅଗସ୍ତ୍ୟଙ୍କୁ ଦେଖିବା ପରେ ରେଖା ତାଙ୍କୁ କୋଳେଇ ନେଇଥିଲେ । ଅଗସ୍ତ୍ୟ ମଧ୍ୟ ସମ୍ମାନ ଜଣାଇ ତାଙ୍କୁ ନମସ୍କାର କରିଥିଲେ । ଅନ୍ୟପଟେ ରାଜ କପୁରଙ୍କ ପୋଷ୍ଟରକୁ ଦେଖି ରେଖା ଭାବପ୍ରବଣ ହୋଇଥିଲେ । ୧୩ ତାରିଖରୁ ଆରମ୍ଭ ହୋଇ ଏହି ଫେଷ୍ଟିଭାଲ ୧୫ ପର୍ଯ୍ୟନ୍ତ ଚାଲିବ ।

ହାନ ଦୁ ସୁ ହେଲେ ଦକ୍ଷିଣ କୋରିଆର କାମଚଳା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର କାମଚଳା ରାଷ୍ଟ୍ରପତି ହେଲେ ହାନ ଦୁ ସୁ । ଶନିବାର ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କୁ ମହାଭିଯୋଗ ପ୍ରସ୍ତାବ କ୍ରମେ ବହିଷ୍କାର କରାଯିବା ପରେ ନୂଆ ଦାୟିତ୍ବ ନେଇଛନ୍ତି ହାନ୍ । ସାମୟିକ ମାର୍ଶଲ ଆଇନ କାର୍ଯ୍ୟକାରୀ କରାଯିବାକୁ ନେଇ ୟୁନଙ୍କ ବିରୋଧରେ ତାତିଥିଲେ ଦେଶବାସୀ ।

ଆଣବିକ କ୍ଷମତା ସମ୍ପନ୍ନ ଉତ୍ତର କୋରିଆର ବାରମ୍ବାର ଧମକ, ଦେଶରେ ଚାରି ଦଶନ୍ଧି ଧରି ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ଯରେ ଦକ୍ଷିଣ କୋରିଆର ନେତୃତ୍ବ ପରିବର୍ତ୍ତନକୁ ନେଇ ଅନେକ ସସପେନ୍ସ ଲାଗି ରହିଛି । ସେପଟେ ମାର୍ଶଲ ଆଇନକୁ ନେଇ ୟୁନଙ୍କ ବିରୋଧରେ ଅପରାଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି । ନୂଆ ରାଷ୍ଟ୍ରପତି ହାନ ତିନି ଦଶନ୍ଧି ଧରି ପାଞ୍ଚ ଜଣ ରାଷ୍ଟ୍ରପତିଙ୍କ ଅଧୀନରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ୟୁନଙ୍କ ବିପକ୍ଷରେ କୋର୍ଟ ରାୟ ନଆସିବା ଯାଏଁ ଦେଶରେ ନିର୍ବାଚନ ସମ୍ଭାବନା ନାହିଁ । ଯଦି ମହାଭିଯୋଗ ପ୍ରସ୍ତାବକୁ କୋର୍ଟ ମଞ୍ଜୁର କରନ୍ତି, ତେବେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ ।

ଗତ ଡିସେମ୍ବର ୩ ତାରିଖରେ ଦେଶରେ ମାର୍ଶଲ ଆଇନ କାର୍ଯ୍ୟକାରୀ କରି ୟୁନ ବିବାଦକୁ ଆସିଥିଲେ । ସାମୟିକ ମାର୍ଶଲ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିଲା ଅସ୍ଥିରତା । ଦେଶବ୍ଯାପୀ ଆନ୍ଦୋଳନ ତେଜିବାରେ ଲାଗିଥିଲା । ମାର୍ଶଲ ଆଇନକୁ ନେଇ ସୃଷ୍ଟି ହୋଇଥିଲା ସାମ୍ବିଧାନିକ ସଙ୍କଟ । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ ୨୦୪ ସାଂସଦ । ଏପରିକି ୟୁନଙ୍କୁ ନିଜ ଦଳର ନେତାମାନେ ମଧ୍ୟ ସମର୍ଥନ ଦେଇ ନଥିଲେ ।

ମହାରାଷ୍ଟ୍ରରେ ଆଜି ଗଠନ ହେବ ନୂଆ ମନ୍ତ୍ରିମଣ୍ଡଳ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଗଠନ ହେବ ନୂଆ ମନ୍ତ୍ରିମଣ୍ଡଳ । ଏନେଇ ଚୂଡାନ୍ତ ହୋଇଛି ସମୀକରଣ । ଅପରାହ୍ଣରେ ନାଗପୁରରେ ହେବ ଶପଥ ଗ୍ରହଣ ଉତ୍ସବ । ଆସନ୍ତାକାଲିଠାରୁ ୨୧ ଯାଏଁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ବିଜେପି, ଶିବସେନା (ସିନ୍ଦେ) ଓ ଏନସିପି (ଅଜିତ) ମଧ୍ଯରେ ହୋଇଛି ଭାଗବଣ୍ଟା । ପୂର୍ବ ନିଷ୍ପତ୍ତି ଅନୁଯାୟୀ ମନ୍ତ୍ରୀ ପଦ ବଣ୍ଟନ ହୋଇଥିବା କୁହାଯାଇଛି ।

ବିଜେପିକୁ ସର୍ବାଧିକ କ୍ୟାବିନେଟ ପଦବୀ ମିଳିବ । ସେହିପରି ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପିକୁ ସେମାନଙ୍କ ବିଧାୟକଙ୍କ ସଂଖ୍ଯା ଅନୁସାରେ ମନ୍ତ୍ରୀ ପଦ ମିଳିବ । ଶିବସେନାରୁ ୧୩ ବିଧାୟକ ମନ୍ତ୍ରୀ ପଦ ପାଇବା କୁହାଯାଇଛି । ସେମାନଙ୍କ ମଧ୍ଯରେ ଅଛନ୍ତି ଉଦୟ ସାମନ୍ତ, ଶମ୍ଭୁରାଜେ ଦେଶାଇ, ଗୁଲାବରାଓ ପାଟିଲ, ଦାଦା ଭୁସେ, ସଞ୍ଜୟ ରାଠୋଡ ପ୍ରମୁଖ । ସେହିପରି ଶିବସେନାର ସଞ୍ଜୟ ସିରସାତ, ଭାରତ ଗୋଗବାଲେ, ପ୍ରକାଶ ଅବିତକର ପ୍ରମୁଖ ମନ୍ତ୍ରୀ ପଦ ପାଇବେ ବୋଲି ଚର୍ଚ୍ଚା ହେଉଛି । ଏନସିପିରୁ ଯେଉଁମାନେ ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚା ହେଉଛି ସେମାନେ ହେଲେ ଆଦିତି ତତକାରେ, ବାବାସାହେବ ପାଟିଲ, ଦତ୍ତାତ୍ରେୟ ଭରାନେ, ହାସନ ମୁଶରିଫ, ନରହରି ଜିରୱାଲ ପ୍ରମୁଖ । ବିଜେପିରୁ ନୀତେଶ ରାଣେ, ଶିବେନ୍ଦ୍ର ରାଜେ, ଗିରୀଶ ମହାଜନ, ପଙ୍କଜା ମୁଣ୍ଡେ, ଜୟକୁମାର ରାୱଲ, ମଙ୍ଗଳ ପ୍ରଭା ଲୋଧା ପ୍ରମୁଖଙ୍କୁ ମିଳିପାରେ କ୍ଯାବିନେଟ ପଦ । ବିଜେପିକୁ ସର୍ବାଧିକ ୨୦ ପଦ ମିଳିପାରେ । ଶିବସେନାକୁ ଗୃହ ନିର୍ମାଣ ମନ୍ତ୍ରାଳୟ ଦିଆଯିବା ଚର୍ଚ୍ଚା ହେଉଛି ।

ଟ୍ରେନରେ କଟି ଦୁଇ ପାଚିକା, ସହାୟିକାଙ୍କ ମୃତ୍ୟୁ

ଗଞ୍ଜାମ: ଚିକିଟି ବ୍ଲକ ଜଗନ୍ନାଥପୁର ଗାଁର ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ଟ୍ରେନରେ କଟି ଉଭୟଙ୍କ ମୃତ୍ୟୁ ଘଟିଛି । ଟ୍ରେନ ଚଢ଼ିବା ବେଳେ ଖସି ପଡ଼ିବାରୁ ଟ୍ରାକକୁ ଚାଲିଯାଇଥିଲେ । ଉଭୟ ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯାଉଥିଲେ । ଘଟଣା ସୋରଳ ଷ୍ଟେସନରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ମହିଳା ଦ୍ବୟ ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାମ କରନ୍ତି । ଭୁବନେଶ୍ବରରେ ପାଚିକା ସଙ୍ଘର ଏକ ସଭା ହେବାର ଥିଲା । ଏଥିପାଇଁ ସେମାନେ ଭୁବନେଶ୍ବର ଯିବାକୁ ସୋରଳ ଷ୍ଟେସନରେ ପହଞ୍ଚି ଥିଲେ । ତେବେ ଟ୍ରେନରେ ଚଢ଼ିବା ବେଳେ ଅସାବଧାନତା ବଶତଃ ସେମାନଙ୍କ ଗୋଡ଼ ଖସି ଯାଇଥିଲା । ସେମାନେ ଟ୍ରାକ ଭିତରକୁ ଚାଲିଯାଇଥିଲେ ଓ ଟ୍ରେନତ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ଜିଆରପି ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଧାରୁଆ ଅସ୍ତ୍ରରେ ଅଟୋ ଚାଳକଙ୍କ ଗଳା କାଟି ହତ୍ୟା

ରାୟଗଡ଼ା: କାଶୀପୁର ବ୍ଲକ କଂସାରିଗୁଡା ଛକ ନିକଟରେ ଅଟୋ ଚାଳକଙ୍କୁ ହତ୍ୟା । ଧାରୁଆ ଅସ୍ତ୍ରରେ ଅଟୋ ଚାଳକଙ୍କ ଗଳାକାଟି ହତ୍ୟା କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ରାୟଗଡା ଏସଡିପିଓଙ୍କ ସହ କାଶୀପୁର ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ମୃତ ଅଟୋ ଚାଳକ କୋରାପୁଟ ବନ୍ଧୁଗାଁ ବ୍ଲକ ଗରିଡି ଗାଁର । ସେ ଦୀର୍ଘ ଦିନ ଧରି ଦୋରାଗୁଡା ସ୍ଥିତ ଆରଆର କଲୋନୀରେ ରହୁଥିଲେ । ହତ୍ୟାକାଣ୍ଡର କାରଣ ଜଣାପଡିନି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି ।

ଆଜି ସିବିଆଇରେ ହାଜର ହେବେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ !

ଭୁବନେଶ୍ବର: ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସିବିଆଇ ହାତରେ ପୁଳାପୁଳା ପ୍ରମାଣ ଲାଗିବା ପରେ ବିଷ୍ଣୁପଦଙ୍କ ପାଇଁ ବଢ଼ିଛି ଅଡୁଆ । ଏପଟେ ସିବିଆଇର ସମନ ପରେ ମଧ୍ୟ ହାଜର ହେଉ ନଥିବା ବିଷ୍ଣୁପଦ ଆଜି ହାଜର ହେବାର ସମ୍ଭାବନା ରହିଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସି ଥାଇ ମଧ୍ୟ ବିଷ୍ଣୁପଦ କେଉଁ ଅଦୃଶ୍ୟ କାରଣରୁ ଓପନ୍ ଟେଣ୍ଡର ନକରି କେନ୍ଦ୍ରୀୟ ପିଏସୟୁଗୁଡ଼ିକୁ ସରକାରୀ ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ ଟେକି ଦେଉଥିଲେ ତା’ର ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସିବିଆଇ ହାତରେ ଲାଗିଥିବା ଜଣାପଡ଼ିଛି । ରାଜ୍ୟର କିଛି ନିର୍ଦ୍ଦିଷ୍ଟ ରିୟଲ ଇଷ୍ଟେଟ୍ ସଂସ୍ଥାକୁ ଏସବୁ କାର୍ଯ୍ୟ ଟେକି ଦେବା ପାଇଁ ଆଇନର ଗଳାବାଟରେ କେନ୍ଦ୍ରୀୟ ପିଏସୟୁକୁ ମାଧ୍ୟମ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

କିଙ୍ଗ ଖାନଙ୍କ ସହ ଫିଲ୍ମ କରିବାକୁ ଚାହାଁନ୍ତି ଏହି ଓସ୍କାର ବିଜେତା ହଲିଉଡ ଅଭିନେତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଶାହାରୁଖ ଖାନଙ୍କ ଫ୍ୟାନ୍ସ ସବୁଠି । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବେଶ କ୍ରେଜ୍ ଦେଖିବାକୁ ମିଳେ । ବଲିଉଡର ବାଦଶାହାଙ୍କ ଅଭିନୟ ସମସ୍ତଙ୍କୁ ବାନ୍ଧି ରଖି ପାରିଛି । ତାଙ୍କ ସହ ଅଭିନୟ କରିବା ପାଇଁ ହିରୋଇନ ମାନେ ଲାଇନ ଲଗାଇଥାନ୍ତି । ତେବେ ଓସ୍କାର ବିଜେତା ଅଭିନେତ୍ରୀ ମଧ୍ୟ ଶାହାରୁଖଙ୍କ ସହ ଅଭିନୟ କରିବା ପାଇଁ ଚାହୁଁଛନ୍ତି । ହଲିଉଡର ଜଣାଶୁଣା ଅଭିନେତ୍ରୀ ଯିଏକି ଓସ୍କାର ବିଜେତା । ତଥାପି ସେ କିଙ୍ଗ ଖାନଙ୍କ ହିରୋଇନ ହେବାକୁ ଚାହୁଁଥିବା ଏକ ଇଣ୍ଟରଭିୟୁରେ କହିଛନ୍ତି । ତେବେ ସେହି ଅଭିନେତ୍ରୀ ଜଣକ ହେଲେ ନିକୋଲ କିଡମେନ । ସେ କହିଛନ୍ତି ଶହାରୁଖଙ୍କ ସହ କାମ କରିବା ବହୁଲ ଭଲ । ଜୁମରେ ବାର୍ତ୍ତାଳାପ ବେଳେ ନିକୋଲ କହିଛନ୍ତି କି, ମୁଁ ଗୋଆ, ଜୟପୁର ଆଦି ସହରକୁ ଯାଇଛି । ମୁଁ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ସହ ମଧ୍ୟ ଭେଟ ହୋଇଛି । ଏହାସହ ’ଦ ପରଫେକ୍ଟ କପଲ’ ସିରିଜରେ ଇଶାନ ଖଟରଙ୍କ ସହ ମଧ୍ୟ ଭଅିନୟ କରିଛନ୍ତି । ଏହାସହ ତାଙ୍କୁ ପଚରା ଯାଇଥିଲା କି, ଆପଣ ଶାହାରୁଖଙ୍କ ସହ ଅଭିନୟ କରିବେ କି ? ଯାହାର ଉତ୍ତରରେ ସେ କହିଥିଲେ ଭଲ ହୁଅନ୍ତା । ସେପଟେ ନିକୋଲଙ୍କ ପୂର୍ବରୁ ବହୁ ଜଣାଶୁଣା ହଲିଉଡ ଅଭିନେତ୍ରୀ ମଧ୍ୟ ଶାହାରୁଖଙ୍କ ସହ ଫିଲ୍ମ କରିବା ପାଇଁ ଚାହୁଁଥିବା ଜଣାଇଛନ୍ତି ।

କହି ରଖୁଛୁ କି, ବଲିଉଡକୁ ବହୁ ହିଟ୍ ଫିଲ୍ମ ଉପହାର ଦେଇଥିବା କିଙ୍ଗ ଖାନଙ୍କ ଜ୍ବଳନ୍ତ ଅଭିନୟ ଦର୍ଶକଙ୍କୁ ଆଜି ମଧ୍ୟ ବାନ୍ଧି ରଖିଛି । ଜଓ୍ବାନ ନିକଟରେ ତାଙ୍କର ବେଶ ହିଟ୍ ହେବା ସହ ବକ୍ସ ଅଫିସରେ ଭଲ ରୋଜଗାର କରିଛି । ତେବେ ଆଗାମୀ ଦିନରେ ’ମୁଫାସା: ଦ ଲାୟନ କିଙ୍ଗ’ ଆସିବାକୁ ଯାଉଛି । ଶାହାରୁଖଙ୍କ ଅଭିନିତ ଏହି ଫିଲ୍ମ ପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ଏହା ବକ୍ସ ଅଫିସରେ ବଡ଼ ରେକର୍ଡ କରିବ ବୋଲି ସେ ମଧ୍ୟ ଆଶାବାଦୀ ଅଛନ୍ତି ।

କଲମାର ସବୁ ଗେଟ ବନ୍ଦ: ୧୦ ହଜାର ଘନଫୁଟ ସ୍ଥାନରେ ହୀରାକୁଦକୁ ପ୍ରବେଶ କରୁଛି ୫୩୯ ଘନଫୁଟ ପାଣି

ସମ୍ବଲପୁର: ଛତିଶଗଡ଼ର ମନମାନୀ ଓ କେନ୍ଦ୍ର ସରକାରଙ୍କ ପାତରଅନ୍ତର ମନୋଭାବ ପାଇଁ ଓଡ଼ିଶାରେ ମହାନଦୀ ମରିବାକୁ ବସିଛି । ରାଜ୍ୟବାସୀଙ୍କ ଜୀବନରେଖା ମହାନଦୀ ପୋଲାଭରମ ସହ ଛତିଶଗଡ଼ର ଏକାଧିକ ଡ୍ୟାମ୍ ପାଇଁ ସୁଖିଲା ପଡ଼ିଛି । ଛତିଶଗଡ଼ ପାଣି ଛାଡୁ ନାହିଁ । ଫଳରେ ଆଜି ହୀରାକୁଦକୁ ଚଳିତବର୍ଷର ସବୁଠାରୁ କମ୍ ଜଳ ପ୍ରବେଶ କରିଛି ।

ଆଜି ମାତ୍ର ୫୩୯ ଘନଫୁଟ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଛି । ଉପରମୁଣ୍ଡରେ କଲମl ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ ଥିବାରୁ ହଠାତ୍ ହୀରାକୁଦରେ କମି ଯାଇଛି ଜଳ ପ୍ରବେଶ ମାତ୍ରା । ଆଉ ଏହି ସମୟରେ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୩୭୧୫ ଘନଫୁଟ ଜଳ । ଯେଉଁ ସମୟରେ ୧୦ ହଜାର ଘନଫୁଟ ପାଣି ଆସିବା କଥା, ସେ ସମୟରେ ମାତ୍ର ୫୩୯ ଘନଫୁଟ ପାଣି ଆସୁ ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି ।

ସିରାଜଙ୍କୁ ଚିଡ଼ାଇଲେ ଅଷ୍ଟ୍ରେଲିୟ ଫ୍ୟାନ୍ସ, ବିରାଟ ଦେଲେ ଏମିତି ଜବାବ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳୁଛି । ସିରିଜ ୧-୧ରେ ବରାବର ରହିଛି । ଏବେ ତୃତୀୟ ମ୍ୟାଚ ଖେଳ ଚାଲିଥିବାବେଳେ ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିଲା । ତେବେ ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ଭାରତୀୟ ଖେଳାଳିଙ୍କୁ ଲଗାତାର ଭାବେ ଅଷ୍ଟ୍ରେଲିୟ ଫ୍ୟାନ୍ସମାନେ ଚିଡ଼ାଉଥିବା ଦେଖିବାକୁ ମିଳୁଛି । ତେବେ ଦ୍ବିତୀୟ ଟେଷ୍ଟରେ ହେଡଙ୍କୁ ବୋଲ୍ଡ ସାଙ୍ଗକୁ ବ୍ୟବହାର ପାଇଁ କଙ୍ଗାରୁ ଦଳର ପ୍ରଂଶସକଙ୍କ ଟାର୍ଗେଟରେ ରହିଛନ୍ତି ସିରାଜ । ତାଙ୍କୁ ବାରମ୍ବାର ଭାବେ ଫ୍ୟାନ୍ସମାନେ ଚିଡ଼ାଉଛନ୍ତି । ସିରାଜଙ୍କୁ ’ବୁ’ କହି ଥଟ୍ଟା କରୁଥିବା ଦେଖିବାକୁ ମିଳିଛି । ଯେତେବେଳେ ସେ ପ୍ରଥମ ଓଭର ବୋଲିଂ କରିଥିଲେ ଫ୍ୟାନ୍ସମାନେ ଏଭଳି ବୁ’ କହି ଚିଲାଇବା ଆରମ୍ଭ କରିଥିଲେ । ପରେ ଯେତେବେଳେ ସିରାଜ ବାଉଣ୍ଡୁରୀ ଲାଇନରେ ଫିଲ୍ଡି କରିଥିଲେ ସେତେବେଳେ ମଧ୍ୟ ପ୍ରଂଶସକମାନେ ଚୁପ୍ ହୋଇ ନଥିଲେ ।

ତେବେ ଲାବ୍ରୁସେନ ନୀତିଶ ରେଡ୍ଡିଙ୍କ ବଲରେ ଖେଳିବାକୁ ଯାଉଥିବାବେଳେ ସ୍ଲିପରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଆଉ ଏହି କ୍ୟାଚଟି ବରାଟ କୋହଲି ଧରିଥିଲେ । ଏହାପରେ ଚିରାଚରିତ ଢ଼ଙ୍ଗରେ ବିରାଟ ଆଗ୍ରେସିଭ୍ ମୁଡରେ ଆସିଥିଲେ । ଆଉ ଚିଲାଉଥିବା ଅଷ୍ଟ୍ରେଲିୟ ଫ୍ୟାନ୍ସଙ୍କୁ ଚୁପ୍ କରାଇଥିଲେ । ପାଟିରେ ଆଙ୍ଗୁଠି ଦେଇ ଫ୍ୟାନ୍ସଙ୍କ ଆଡ଼କୁ ନିର୍ଦ୍ଦେଶ କରିଥିଲେ କୋହଲି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ହେଡଙ୍କ ସହ ସିରାଜଙ୍କ ବିବାଦ ପରେ ଅଷ୍ଟ୍ରେଲିଞ ଫ୍ୟାନ୍ସମାନେ ଲଗାତାର ଭାବେ ସିରାଜଙ୍କୁ ଏଭଳି ଭାବେ ଚିଡ଼ାଉଥିବା ଦେଖିବାକୁ ମିଳୁଛି । ଯେଉଁ କାରଣରୁ ବାଉଣ୍ଡୁରୀ ଲାଇନରେ ଫିଲ୍ଡିଂ କରିବା ଅସୁବିଧା ଉପୁଜାଉଛି ।