spot_img
Home Blog Page 1371

ହାତୀ ଆକ୍ରମଣରେ ଦୁଇ ଶିଶୁ ମୃତ: ଜଣଙ୍କୁ କଚାଡ଼ି ମାରିଲା, ଅନ୍ୟ ଜଣଙ୍କ ଉପରେ କାନ୍ଥ ପକାଇ ଦେଲା

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପୁଣି ଜୀବନ ନେଲା ଦନ୍ତା ହାତୀ । ହାତୀ ଆକ୍ରମଣରେ ଦୁଇ ଶିଶୁଙ୍କ ଜୀବନ ଯାଇଛି । ବଣାଇ ବନଖଣ୍ଡ ତାମଡା ରେଞ୍ଜ ଅଧୀନ କଣ୍ଟାପାଲି ଗାଁରେ ଘଟିଛି ଅଘଟଣ । ହାତୀ ଆକ୍ରମଣରେ ଗାଁର ରଞ୍ଜନ ମୁଣ୍ଡାଙ୍କ ଦୁଇ ପିଲାଙ୍କ ମୃତ୍ୟୁ ଘଟିଛି ।

ଅଭିଯୋଗ ଅନୁସାରେ, ଦନ୍ତା ହାତୀଟି ରଞ୍ଜନଙ୍କ ଘର ଭାଙ୍ଗୁଥିଲା । ଏହି ସମୟରେ ୧୧ ବର୍ଷିୟ ପିଲାଟି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀଟି ତାକୁ କଚାଡି ମାରି ଦେଇଥିଲା । ସେହିପରି ହାତୀ କାନ୍ଥ ଭାଙ୍ଗୁଥିବା ବେଳେ ଉକ୍ତ କାନ୍ଥ ଅନ୍ୟ ଏକ ଶିଶୁ ଉପରେ ପଡ଼ି ଯାଇଥିଲା । ଯାହା ଫଳରେ ତାର ମୃତ୍ୟୁ ଘଟିଥିଲା । ଅନ୍ୟ ଏକ ଶିଶୁକୁ ତାଙ୍କ ମାଆ ଧରି ଦୌଡ଼ଇ ପଳାଇବାରୁ ସେମାନେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବନ ବିଭାଗର ଅପାରଗତା ଯୋଗୁଁ ଦୁଇ ପିଲାଙ୍କ ଜୀବନ ଚାଲିଗଲା ପୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହାତୀଟି ଏବେ ବି ଉକ୍ତ ଅଞ୍ଚଳରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା: ପତ୍ନୀ ନିକିତାଙ୍କ ସହ ତାଙ୍କ ମାଆ ଓ ଭାଇ ଗିରଫ

ବେଙ୍ଗାଲୁରୁ: ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନାରେ ଅତିଷ୍ଠ ସଫ୍ଟଓ୍ବେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା । ତାଙ୍କ ପତ୍ନୀ ନିକିତା, ଶାଶୁ ଏବଂ ଶାଳକଙ୍କୁ ଗିରଫ କଲା ପୋଲିସ । ଗିରଫଦାରୀ ଏଡାଇବାକୁ ସମସ୍ତେ ଆଗୁଆ ଜାମିନ ପାଇଁ କରିଥିଲେ ଆବେଦନ । ଗିରଫ ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି ।

ସ୍ତ୍ରୀର ନିର୍ଯାତନା ସହି ନପାରି ଅତୁଲ ଆତ୍ମହତ୍ୟା କରିଥିଲେ । ମରିବା ପୂର୍ବରୁ ଭିଡିଓ କରି ତାଙ୍କ ଉପରେ ହୋଇଥିବା ନିର୍ଯାତନାର ସବୁ କିଛି କହି ଯାଇଛନ୍ତି । ଏହାସହ ସେ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି । ଏହି ଆଧାରରେ ବେଙ୍ଗାଲୁରୁ ପୋଲିସ ପତ୍ନୀ ନିକିତା, ଶାଶୁ ଏବଂ ଶାଳକଙ୍କୁ ହାଜର ହେବାକୁ ସମନ କରିଥିଲା ।  ବୟାନ ରେକର୍ଡ କରିବାକୁ ଏହି ସମନ କରାଯାଇଥିଲା । କିନ୍ତୁ ଗିରଫଦାରୀ ଏଡ଼ାଇବାକୁ ସେମାନେ ଆଗୁଆ ଜାମିନ ଆବେଦନ କରିଥିଲେ ।

ଅତୁଲଙ୍କ ଆତ୍ମହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଛି । ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଆଇନ କରାଯାଇଥିଲା, ତାର ଅପବ୍ୟବହାର କରି କେମିତି ସ୍ଵାମୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏହା ହେଉଛି ତା’ର ଏକ ଉଦାହରଣ । ସ୍ଵାମୀଙ୍କ ବିରୋଧରେ ମିଛ କେସ୍ କରି କୋଟି କୋଟି ଟଙ୍କା ଅସୁଲ କରୁଥିଲେ ନିକିତା । ଅତୁଲଙ୍କ ଆତ୍ମହତ୍ୟା ପରଠାରୁ ସମସ୍ତେ ଫେରାର ଥିଲେ ।

ଭୁଶୁଡ଼ିଲା ଯାତ୍ରା ପାର୍ଟି ଲୁହା ତୋରଣ, ଶତାଧିକ ଆହତ

ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ ଅଘଟଣ । ଯାତ୍ରା ଆରମ୍ଭରୁ ଭୁଶୁଡିଲା ଲୁହାର ଏଣ୍ଟ୍ରି ଗେଟ୍ । ଚାପି ହୋଇ ଶତାଧିକ ଦର୍ଶକ ଆହତ । ଶନି ପଡ଼ିଆରେ ଯାତ୍ରା ରାଜାରାଣୀ ନାଟକ ପରିବେଷଣ କରୁଥିବା ବେଳେ ଏହି ଅଘଟଣ ଘଟିଛି ।

ଯାତ୍ରା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଦର୍ଶକମାନେ ଟିକେଟ ଯାଞ୍ଚ କରି ଏଣ୍ଟ୍ରି ଗେଟ୍ ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ହଠାତ ଲୁହାର ଏଣ୍ଟ୍ରି ଗେଟଟି ଭୁଶୁଡି ପଡିଥିଲା । ଫଳରେ ଶତାଧିକ ମହିଳା, ପୁରୁଷ ଓ ବୟସ୍କ ସମେତ ଛୋଟ ପିଲା ଗେଟ ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସାଲେପୁର ସମେତ ବିଭିନ୍ନ ମେଡିକାଲରେ ଭର୍ତ୍ତି କରିଥିଲେ ।

ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ରୁ ଊର୍ଦ୍ଧ୍ବ ଆହତ ଦର୍ଶକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ଅଧିକ ଦର୍ଶକ ଏକାସଙ୍ଗେ ପ୍ରବେଶ କରିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅଘଟଣ ପରେ ଯାତ୍ରାକୁ ବନ୍ଦ କରାଯାଇଥିଲା ।

ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା: ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ, ୧୭ରୁ ବର୍ଷା

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ପାରଦ । ସ୍ବଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଲା ତାପମାତ୍ରା । ଆଉ ଦିନକ ପାଇଁ ଶୀତ ଲହରୀ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ସୁନ୍ଦରଗଡ ଓ ଝାରସୁଗୁଡାକୁ ସତର୍କତା ଜାରି କରାଯାଇଛି ।

ଗତ ତିନି ଦିନ ହେବ ରାଜ୍ୟରେ ତାପମାତ୍ରା କମିବା ସହ ଜାଡ ବଢିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ପ୍ରବଳ ଜାଡ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ । ସୁନ୍ଦରଗଡ, କନ୍ଧମାଳ ଓ କୋରାପୁଟରେ ୧୦୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ ବୋଲି ଆକଳନ କରାଯାଇଛି ।

ଆସନ୍ତା ୧୭ ତାରିଖରୁ ରାଜ୍ୟରେ ପୁଣି କୋହଲା ପାଗ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୧୭ରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିଭଳି ୧୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୯ ରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରିରେ ହାଲୁକା ବର୍ଷା ହେବ । ବର୍ଷା ପ୍ରଭାବରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାଦର । ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ୨୦ ତାରିଖରୁ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ ।

ସଫ୍ଟଓ୍ବେର ଇଞ୍ଜିନିୟର ଆତ୍ମହତ୍ୟା ଘଟଣା: ଆଗୁଆ ଜାମିନ ଆବେଦନ କଲେ ସ୍ତ୍ରୀ, ମାଆ ଓ ଭାଇ

ବେଙ୍ଗାଲୁରୁ: ସ୍ତ୍ରୀ ନିର୍ଯାତନା ସହି ନପାରି ବେଙ୍ଗଳୁରୁର ସଫ୍ଟଓ୍ବାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ଘଟଣା । ଆଗୁଆ ଜାମିନ ପାଇଁ ଆବେଦନ କଲେ ପତ୍ନୀ ନିକିତା । ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଏହି ଜାମିନ ଆବେଦନ କରିଛନ୍ତି । ଆଲ୍ଲାହାବାଦ ହାଇକୋର୍ଟରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହାସହ ତାଙ୍କ ମାଆ ଓ ଭାଇ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।

ସ୍ତ୍ରୀର ନିର୍ଯାତନା ସହି ନପାରି ଅତୁଲ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ସେ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି । ଯେଉଁଥିରେ ତାଙ୍କ ପତ୍ନୀ ଓ ପରିବାର ଲୋକେ ତାଙ୍କୁ ଦେଇଥିବା ନିର୍ଯାତନା ଗୋଟି ଗୋଟି ଉଲ୍ଲେଖ କରି ଯାଇଛନ୍ତି ।

ଏହାକୁ ଆଧାର କରି ବେଙ୍ଗଲୁରୁ ପୋଲିସ ଆସନ୍ତାକାଲି ସୁଦ୍ଧା ହାଜର ହେବାକୁ ପତ୍ନୀ ନିକିତାଙ୍କୁ ସମନ କରିଛି । ବୟାନ ରେକର୍ଡ କରିବାକୁ ଏହି ସମନ କରାଯାଇଛି । ଗିରଫଦାରିକୁ ଏଡ଼ାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଆଇନ କରାଯାଇଥିଲା, ତା’ର ଅପବ୍ୟବହାର କରି କେମିତି ସ୍ଵାମୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏହା ତାର ଏକ ଉଦାହରଣ ।

ସକାଳ ସ୍ବନକ୍ଷତ୍ର ଦିବସ: ସକାଳୁ ସକାଳୁ ଦୌଡିଲା ସାରା ଓଡ଼ିଶା

ଭୁବନେଶ୍ବର: ଚଳିତମାସ ଏକ ତାରିଖରେ ଲୋକପ୍ରିୟ ଦୈନିକ ଖବର କାଗଜ ‘ସକାଳ’କୁ ପୂରିଛି ଚାରି ବର୍ଷ । ସତ୍ୟ, ସେବା ଓ ସାମର୍ଥ୍ୟର ଚାରି ବର୍ଷକୁ ଆଜି ପାଳନ କରୁଛି ସକାଳ । ଏହି ଚତୁର୍ଥ ସ୍ବନକ୍ଷତ୍ର ଅବସରରେ ଆଜି ଭୋରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଛି ମିନି ମାରାଥନ ।

ଭୁବନେଶ୍ବର, କଟକ ଓ ବ୍ରହ୍ନପୁର ସମେତ ରାଜ୍ୟର ୮ ସହରରେ ଆୟୋଜିତ ହେଉଛି ମିନି ମାରାଥନ । ଗଣଦୌଡ଼ରେ ଶହଶହ ଛାତ୍ରଛାତ୍ରୀ, ଯୁବକ, ଯୁବତୀ, ସାଧାରଣ ଲୋକଙ୍କ ସହିତ ସେଲିବ୍ରିଟି ଯୋଗ ଦେଇ ସଚେତନତା ବାର୍ତ୍ତା ଦେଇଛନ୍ତି । ମାରାଥନରେ ନେତା ଓ ସେଲିବ୍ରିଟି ମଧ୍ୟ ସାମିଲ ହୋଇଛନ୍ତି । ଭୁବନେଶ୍ବର ଶିଶୁଭବନ ଛକରୁ ଏକାମ୍ର ହାଟ ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହେଉଛି । ଏକାମ୍ର ହାଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଜରୁରୀ ଓ ସଠିକ୍ ସମାଚାର ଦେବାର ସଂକଳ୍ପ ନେଇ ୨୦୨୦ ମସିହା ଡିସେମ୍ବର ୧ ତାରିଖରେ ଆତ୍ମପ୍ରକାଶ କରିଥିଲା ସକାଳ । ନିରବଚ୍ଛିନ୍ନ ଖବର ପ୍ରକାଶ କରି ଖୁବ୍ କମ୍ ସମୟରେ ପାଠକଙ୍କ ଆଦୃତି ଲାଭ କରିବା ସହ ସକାଳ ହୋଇପାରିଛି ସମସ୍ତଙ୍କ ପସନ୍ଦ ।

ରାଜଧାନୀରେ ଦୋକାନ ସହ ଜଳିଗଲା ଟ୍ରକ, କଟକରେ ମୋ ବସରେ ଲାଗିଲା ନିଆଁ

ଭବନେଶ୍ବର/କଟକ: ଟ୍ବିନସିଟି କଟକ ଓ ଭୁବନେଶ୍ବରରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ । ଗୋଟିଏ ସ୍ଥାନରେ ମୋ ବସ ଜଳି ଯାଇଥିବା ବେଳେ ଅନ୍ୟ ସ୍ଥାନରେ ଏକ ଦୋକାନ ଓ ମିନି ଟ୍ରକ ଜଳି ପାଉଁଶ ହୋଇଯାଇଛି ।

ଭୁବନେଶ୍ଵର ମଞ୍ଚେଶ୍ୱର ଥାନା ମହିନ୍ଦ୍ରା ଛକ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଛକରେ ଥିବା ଏକ ଦୋକାନରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହିଁ ନିଆଁ ଦୋକାନ ପାଖରେ ଥିବା ଏକ ମିନି ଟ୍ରକକୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ଟ୍ରକଟିକୁ ଦୋକାନ ନିକଟରୁ ଦୂରକୁ ପେଲି ପେଲି ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାକୁ ନିଆଁ ଦାଉରୁ ରକ୍ଷା କରିପାରି ନଥିଲେ । ନିମିଷକ ମଧ୍ୟରେ ଉଭୟ ଦୋକାନ ଓ ଟ୍ରାକ ଜଳିପୋଡ଼ି ପାଉଁଶ ହୋଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସେହିପରି କଟକ ଲିଙ୍କ ରୋଡରେ ମୋ ବସରେ ନିଆଁ ଲାଗିଯାଇଥିଲା । ରାତି ପ୍ରାୟ ୮ଟାରୁ ସାଢେ ୮ଟା ଭିତରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବସଟି ଭୁବନେଶ୍ବରରୁ କଟକ ଆସୁଥିବା ବେଳେ ଲିଙ୍କରୋଡ୍ ନିକଟରେ ହଠାତ ଖରାପ ହୋଇଯାଇଥିଲା । ସବୁ ଚେଷ୍ଟା ପରେ ମଧ୍ୟ ବସ ଷ୍ଟାଟ ନହେବାରୁ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ତଳକୁ ଓହ୍ଲାଇ ଦିଆଯାଇଥିଲା । କିଛି ସମୟ ମଧ୍ୟରେ ବସକୁ ଟାଣି ଟାଣି ନେବାକୁ ବ୍ୟବସ୍ଥା ହେଉଥିବା ବେଳେ ହଠାତ ବସର ସାମ୍ନାପଟୁ ପ୍ରବଳ ଧୂଆଁ ବାହାରିଥିଲା । କର୍ମଚାରୀ ବସରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବିଫଳ ହୋଇଥିଲେ । ଚାହୁଁ ଚାହୁଁ ବସଟି ଜୋରରେ ଜଳିବାକୁ ଲାଗିଥିଲା । ଏନେଇ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀ ଆସି ଏକ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରିଥିଲେ । ବସଟି ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଜଳି ଯାଇଛି । ତେବେ ନିଆଁ ଲାଗିବା ପୂର୍ବରୁ ଲୋକେ ଓହ୍ଲାଇ ପଡିଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।

ବ୍ରହ୍ମପୁର ବିଶ୍ବବିଦ୍ଯାଳୟ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ସ୍ବର୍ଣ୍ଣ ଜୟନ୍ତୀ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ଯାଳୟ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ସ୍ବର୍ଣ୍ଣ ଜୟନ୍ତୀ । ଏହି ଅବସରରେ ଗଣ ଯୋଗାଯୋଗ ଶିକ୍ଷାକ୍ଷେତ୍ରରେ ଦୀର୍ଘ ୫୦ ବର୍ଷର ଗରିମାମୟ ଇତିହାସକୁ ନେଇ ଏକ ଅର୍ନ୍ତଜାତୀୟ ସମ୍ମିଳନୀ ଓ ପୂର୍ବ ଛାତ୍ରଛାତ୍ରୀମାନଙ୍କର ସମାବେଶର ଆୟୋଜନ କରାଯାଇଥିଲା । ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବିଭିନ୍ନ ଅତିଥି, ଶିକ୍ଷାବିତ୍ ଓ ପୂର୍ବତନ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୋଗ ଦେଉଛନ୍ତି ।

୫୦ ବର୍ଷ ପୂର୍ତ୍ତି ଅବସରରେ ଉଦଘାଟିତ ହୋଇଛି ସ୍ବର୍ଣ୍ଣିମ ଜୟନ୍ତୀ ସମାରୋହ ଓ ‘ଦୋଛକିରେ ଗଣମାଧ୍ୟମ’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ । ଉଦଘାଟନୀ କାର୍ଯ୍ଯକ୍ରମରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ । କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ପୌରହିତ୍ଯରେ ଆଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗଣମାଧ୍ୟମ ବିଷାରଦ ବି.ପି. ସଞ୍ଜୟ, ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ ।

୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବିଭିନ୍ନ ଅତିଥି, ଶିକ୍ଷାବିତ୍ ଓ ପୂର୍ବତନ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଭାଗର ସ୍ବର୍ଣ୍ଣିମ ଜୟନ୍ତୀ ଲୋଗୋ ଓ ଆନ୍ତର୍ଜାତିକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ସୁକାନ୍ତ କୁମାର ତ୍ରିପାଠୀ, କୁଳ ସଚିବ ସଚିଦାନନ୍ଦ ନାୟକ, ସଂଯୋଜକ ପ୍ରଫେସର ଗଣେଶ ସେଠୀ, ବିଭାଗୀୟ ମୁଖ୍ଯ ବନ୍ଦିତା କୁମାରୀ ପଣ୍ଡା ଓ ପୂର୍ବତନ ଛାତ୍ର ସଂସଦ ସଭାପତି ପ୍ରଫେସର ଜାମୁଲା ଶେଷଗିରି, ଉପସଭାପତି ହୃଷିକେଶ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ଯକ୍ରମରେ ୫୦ ବର୍ଷର ଛାତ୍ରଛାତ୍ରୀଙ୍କ ଉପସ୍ଥିତି ସାଙ୍ଗକୁ ପରିଷଦ ମଧ୍ଯରେ ଭାବ ଆଦାନ ପ୍ରଦାନ ସହ ବିଭିନ୍ନ କାର୍ଯ୍ଯକ୍ରମ କରାଯାଇଥିଲା । ସହ ପ୍ରାଧ୍ଯାପକ ଜୟନ୍ତ କୁମାର ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ ।

ମାତିଛନ୍ତି ଲୁଟେରା: ଟାର୍ଗେଟରେ ରାଜଧାନୀ ଉପକଣ୍ଠ ଡୁପ୍ଲେକ୍ସ, ଗୋଟିଏ ରାତିରେ ୪ ଘରେ ବୁଲାଇଲେ କଳାକନା

ଭୁବନେଶ୍ବର: ଆପାର୍ଟମେଣ୍ଟ ଲୁଟ ପାଇଁ ବଦନାମ କମିଶନରେଟ ପୋଲିସ । ଦୁର୍ବଳ ପାଟ୍ରୋଲିଂ ଆଉ ଅନଭିଜ୍ଞ ଅଫିସର ପାଇଁ ବ୍ୟାକଫୁଟରେ କମିଶନରେଟ ପୋଲିସ । ପ୍ରତିଦିନ ଆପାର୍ଟମେଣ୍ଟରେ ଲୁଟେରା ବୁଲାଉଛନ୍ତି କଳାକନା । ପାହାଳ ଥାନା ଅଧୀନରେ ଥିବା ସିଟି ହୋମ ଆପାର୍ଟମେଣ୍ଟରୁ ଗୋଟିଏ ରାତିରେ ୪ଟି ଡୁପ୍ଲେକ୍ସରୁ ଚୋରି ପରେ ପୋଲିସ ଦକ୍ଷତା ନେଇ ଉଠିଛି ପ୍ରଶ୍ନ । ଜଣେ ଶିକ୍ଷୟିତ୍ରୀ ଝିଅ ବାହାଘର ପାଇଁ କିଣି ଥିବା ୪୦ ଲକ୍ଷର ସୁନା, ରୁପା ଓ ହୀରା ଅଳଙ୍କାର ଲୁଟି ନେଇ ଦୁର୍ବୃତ୍ତ ।

ରାଜଧାନୀରେ କମିଶନରେଟ ପୋଲିସର ନିଦ ହଜେଇଛନ୍ତି ଲୁଟେରା । ଟାର୍ଗଟରେ ରାଜଧାନୀ ଉପକଣ୍ଠ ଡୁପ୍ଳେକ୍ସ । ତାଲା ଭାଙ୍ଗି ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ସୁନା, ରୁପା ଏବଂ ହୀରା ଗହଣା । ସିସିଟିଭି ଆଧାରରରେ ତଦନ୍ତ ଚଳାଇଛି ପୋଲିସ । ଭୟରେ ଘର ବିକି ଗାଁକୁ ଚାଲିଯିବେ କହିଛନ୍ତି ବରିଷ୍ଠ ନାଗରିକ । ଲୁଟ୍ ଦିନ ଘରେ ଥିଲେ ଚାଲିଯାଇଥାନ୍ତା ଜୀବନ । ବିଳମ୍ବିତ ରାତିରୁ ସକାଳ ଯାଏଁ ନିର୍ଭୟରେ ଆତଙ୍କ ରଚିଥିଲେ ୬ ମୁଖାପିନ୍ଧା ଲୁଟେରା ।

ସିଟି ହୋମର ପ୍ଲଟ ନମ୍ବର–ଡି ୧୩ରେ ରହୁଥିବା ଶିକ୍ଷୟିତ୍ରୀ ସୁଚେତା ମିଶ୍ର ଝିଅ ବାହାଘର ପାଇଁ ସୁନା ଗହଣା ରଖିଥିଲେ । ହେଲେ ସବୁ ସ୍ବପ୍ନ ଛାରଖାର ହୋଇଗଲା । ୯ ତାରିଖ ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ଲୁଟେରା ଲୁଟି ନେଲେ ୧୫ ଭରି ସୁନା ଅଳଙ୍କାର । ଏପରିକି ଠାକୁରଙ୍କୁ ବି ଛାଡିନାହାନ୍ତି ଚୋର ।

କେବଳ ଡି-୧୩ ନମ୍ବର ନୁହେଁ, ସିଟି ହୋମର ୪ଟି ଡୁପ୍ଲେକ୍ସରେ କଳାକନା ବୁଲାଇଛନ୍ତି ଲୁଟେରା । ଯେଉଁ ଘରୁ ଚୋରି ହୋଇଛି ସେସବୁ ଘର ବନ୍ଦ ଥିଲା ଓ ଘରେ କେହି ନଥିଲେ । ପ୍ରଶ୍ନ ଉଠୁଛି, ଘରେ କେହି ନଥିବା ଖବର ଦୁର୍ବୃତ୍ତ ଜାଣିଲେ କେମିତି ? ଲୁଟରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହିଛି କି ? ଲୁଟେରାଙ୍କୁ ଧରିବା ବଦଳରେ କାହିଁକି ଚୁପ ବସିଛି ପୋଲିସ ? କେତେ ଆପାର୍ଟମେଣ୍ଟ ଖାଲି ହେଲେ ପୋଲିସର ଚେତା ପଶିବ ?  ଠାଉକିଆ ଚୋରକୁ ଧରି ସମ୍ବାଦିକ ସମ୍ମିଳନୀ ଡାକୁଟିବା କମିଶନରେଟ ପୋଲିସ ଏତେ ବଡ ସିରିଜ୍ ଲୁଟ୍ ଉପରେ କାହିଁକି ମୁହଁ ଖୋଲୁନି ? ତଦନ୍ତରେ ବାଧା ସୃଷ୍ଟି ହେବ କହି ପୋଲିସ ନିଜ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି । ଏନେଇ ପୋଲିସ ଉପରେ ଭରସା ତୁଟୁଛି ବୋଲି କହିଛନ୍ତି ଘର ମାଲିକ ।

କେବଳ ଉପକଣ୍ଠ ନୁହେଁ, ସହରର ଛାତି ଉପରେ ବି ଲୁଟେରାମାନେ ଆତଙ୍କ ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ପୋଲିସ କାର୍ଯ୍ଯଦକ୍ଷତା ଉପରେ ଉଠିଛି ପ୍ରଶ୍ନ ।

ଆସନ୍ତାକାଲି ଦୈନିକ ଖବର କାଗଜ ‘ସକାଳ’ର ୪ର୍ଥ ସ୍ବନକ୍ଷେତ୍ର, ଦୌଡ଼ିବ ଓଡ଼ିଶା

ଭୁବନେଶ୍ବର: ଆସନ୍ତାକାଲି ଦୌଡିବ ଓଡ଼ିଶା । ଚଳିତମାସ ଏକ ତାରିଖରେ ଲୋକପ୍ରିୟ ଦୈନିକ ଖବର କାଗଜ ‘ସକାଳ’କୁ ପୂରିଛି ୪ ବର୍ଷ । ସତ୍ୟ, ସେବା ଓ ସାମର୍ଥ୍ୟର ୪ ବର୍ଷକୁ ଆସନ୍ତକାଲି ପାଳନ କରିବ ସକାଳ । ଏହି ଚତୁର୍ଥ ସ୍ବନକ୍ଷତ୍ର ଅବସରରେ କାଲି ଭୋରରୁ ଦୌଡ଼ିବ ସାରା ଓଡ଼ିଶା । ଭୁବନେଶ୍ବର, କଟକ ଓ ବ୍ରହ୍ନପୁର ସମେତ ରାଜ୍ୟର ବିଭିନ୍ନ ସହରରେ ଆୟୋଜିତ ହେବ ମିନି ମାରାଥନ ।

ଗଣଦୌଡ଼ରେ ଶହଶହ ଛାତ୍ରଛାତ୍ରୀ, ଯୁବକ, ଯୁବତୀ, ସାଧାରଣ ଲୋକଙ୍କ ସହିତ ସେଲିବ୍ରିଟି ଯୋଗଦେଇ ସଚେତନତା ବାର୍ତ୍ତା ଦେବେ । ମାରାଥନରେ ନେତା ଓ ସେଲିବ୍ରିଟି ମଧ୍ୟ ସାମିଲ ହେବେ । ଭୁବନେଶ୍ବର ଶିଶୁଭବନ ଛକରୁ ଏକାମ୍ର ହାଟ ପର୍ଯ୍ୟନ୍ତ ଦୌଡ଼ିବେ ସମସ୍ତେ । ଏକାମ୍ର ହାଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଜରୁରୀ ଓ ସଠିକ୍ ସମାଚାର ଦେବାର ସଂକଳ୍ପ ନେଇ ୨୦୨୦ ମସିହା ଡିସେମ୍ବର ୧ ତାରିଖରେ ଆତ୍ମ ପ୍ରକାଶ କରିଥିଲା ସକାଳ । ନିରବଚ୍ଛିନ୍ନ ଖବର ପ୍ରକାଶ କରି ଖୁବ୍ କମ୍ ସମୟରେ ପାଠକଙ୍କ ଆଦୃତି ଲାଭ କରିବା ସହ ସକାଳ ହୋଇପାରିଛି ସମସ୍ତଙ୍କ ପସନ୍ଦ ।