spot_img
Home Blog Page 1376

ବାଙ୍କୀ କଇଁମୁଣ୍ଡି ଫାଣ୍ଡି ନିକଟରେ ଜେସିବି ଉପରକୁ ବୋମା ମାଡ଼

ବାଙ୍କୀ: ବାଙ୍କୀ ଥାନା କଇଁମୁଣ୍ଡି ଫାଣ୍ଡି ନିକଟରେ ବୋମାମାଡ଼। କଇଁମୁଣ୍ଡି ଛକ ନିକଟରେ ବ୍ରିଜ କାମ କରୁଥିବା ଏକ ଠିକା ସଂସ୍ଥାର ଜେସିବି ମେସିନ ଉପରକୁ ବୋମାମାଡ଼ ହୋଇଛି । ଦୁଇଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ, ବୋମାମାଡ଼ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ଦାଦା ବଟିକୁ ନେଇ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ବୋମାମାଡ଼ରେ ଜେସିବି ମେସିନର କାଚ ସହ ଅନ୍ୟାନ୍ୟ ଜିନିଷ ଭାଙ୍ଗି ରୁଜି ଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସାଲିମାର୍-ସିକନ୍ଦରାବାଦ ସ୍ପେଶାଲ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ ଦୁର୍ଘଟଣା। ଶନିବାର ଭୋର ସମୟରେ ସାଲିମାର୍-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ହାୱଡା ନାଲପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳବାଇ ସୂଚନା ଅନୁସାରେ, କୌଣସି ବଡ଼ କ୍ଷତି ହୋଇନାହିଁ। କେବଳ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

ଲୋକଙ୍କୁ ଚୂନ ଲଗାଇଲେ ବ୍ୟାଙ୍କ ମିତ୍ର, ୮୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗ

ନୟାଗଡ଼: ବ୍ୟାଙ୍କରେ ଟଙ୍କା କାରବାର ବେଳେ ୮୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗ ।  ନୟାଗଡ଼ ଜିଲ୍ଲା ବିରୁଡ଼ା ପଞ୍ଚାୟତର ୯ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅନ୍ୟ ବ୍ୟକ୍ତିଙ୍କୁ ଚୂନ ଲଗାଇଲେ ବ୍ୟାଙ୍କ ମିତ୍ର । ପୋଲିସ ଘଟଣାରେ ବ୍ୟାଙ୍କ ସହାୟକ ମିତ୍ର ସୌଦାମିନୀ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ୟାଙ୍କ ମିତ୍ରଙ୍କ ସହ ଇଣ୍ଡିଆନ ବ୍ୟାଙ୍କର କିଛି କର୍ମଚାରୀଙ୍କ ନାମରେ ଠକେଇ ଅଭିଯୋଗ ପାଇ ନୟାଗଡ଼ ଇଟାମାଟି ଥାନା ପୋଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ଜାଲ ବଣ୍ଡ, ଡିପୋଜିଟ ସ୍ଲିପ, ଲୋକଙ୍କ ଟିପ ଚି଼ହ୍ନ ନେଇ ମିନି ବ୍ୟାଙ୍କ ମାଧ୍ୟମରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

ବ୍ୟାଙ୍କରେ ଅଭିଯୋଗ ପରେ ମଧ୍ୟ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ନୟାଗଡ଼ ଇଣ୍ଡିଆନ ବ୍ୟାଙ୍କରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ନେଇ ବ୍ୟାଙ୍କ ମିତ୍ରଙ୍କ ଦ୍ୱାରା ସୁଝିଥିବା ବେଳେ ସେହି ଟଙ୍କା ବ୍ୟାଙ୍କରେ ଡିପୋଜିଟ ହୋଇନଥିବା ଜାଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଟ୍ରମ୍ପଙ୍କ ଇମିଗ୍ରେସନ ପଲିସିକୁ ନେଇ ଚିନ୍ତାରେ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଇମିଗ୍ରେସନ ପଲିସିକୁ ନେଇ ଚିନ୍ତାରେ ଭାରତୀୟ। ଆମେରିକାରେ ରହୁଥିବା ଭାରତୀୟମାନେ ଚିନ୍ତିତ ହୋଇ ପଡିଛନ୍ତି। କାରଣ ଇମିଗ୍ରେସନ ପଲିସିକୁ କଡାକଡ଼ି କରିବାକୁ ସେ ଘୋଷଣା କରିଛନ୍ତି। ବିଶେଷ କରି ନେଚୁରାଲ ସିଟିଜେନସିପ୍ ମିଳିବନି ବୋଲି ସେ ନିର୍ବାଚନ ବେଳେ ସେ ପ୍ରଚାର କରିଥିଲେ। ଏବଂ କହିଥିଲେ, ଦାୟିତ୍ଵ ନେବାର ପ୍ରଥମ ଦିନରେ ହିଁ ଏହାକୁ ସେ ବାତିଲ କରିବେ।

ଆମେରିକା ନିୟମ ଅନୁସାରେ, ଆମେରିକାରେ ଯେଉଁ ଭାରତୀୟ ରହୁଛନ୍ତି, ସେମାନଙ୍କର ପୁଅ ଝିଅ ଆମେରିକାରେ ଜନ୍ମ ହେଲେ, ସେମାନେ ସ୍ଵାଭାବିକ ଭାବେ ଆମେରିକାର ନାଗରିକ ହୁଅନ୍ତି। ଆପେ ଆପେ ସେହି ପିଲାଙ୍କୁ ଆମେରିକାର ନାଗରିକତ୍ଵ ମିଳିଯାଏ। ଟ୍ରମ୍ପ ଘୋଷଣା କରିଛନ୍ତି, ଏବେ କିନ୍ତୁ ସେପରି ହେବନି। ବାପା କିମ୍ଵା ମାଆଙ୍କ ମଧ୍ୟରୁ ଜଣେ ଆମେରିକାର ନାଗରିକ ହୋଇଥିଲେ ହିଁ ପିଲାକୁ ଆମେରିକାର ସିଟିଜେନସିପ୍ ମିଳିବ । ଏହାକୁ ନେଇ ସେଠାରେ ରହୁଥିବା ଭାରତୀୟଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ତା’ଛଡ଼ା ଆମେରିକାର ଏବେ ବି ବହୁତ ଭାରତୀୟ ବେଆଇନ ଭାବେ ରହୁଛନ୍ତି।

 

ବିଜାପୁରରେ ପୋଲିସ ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ, ଚାଲିଛି ସର୍ଚ୍ଚ ଅପରେସନ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପମେଡ ଅଞ୍ଚଳରେ ପୁଲିସ ଏବଂ ନକ୍ସଲ ମୁହାଁମୁହିଁ। ଏଥିରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି। ସବୁ ଯବାନ ସୁରକ୍ଷିତ ଅଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି। ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପମେଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ମିଳିତ ପୁଲିସ ପାର୍ଟି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ପ୍ରଥମେ ଗୁଳି ଚଳାଇଥିଲେ ମାଓ ବାଦୀ । ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଛି।

ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସାଲିସବିହୀନ ରାଜନେତା : ନବୀନ

ଭୁବନେଶ୍ବର : ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସାଲିସବିହୀନ ରାଜନେତା । ଜଣେ ନିର୍ଭୀକ ସାମ୍ବାଦିକ ଓ ଜଣେ ଜନନାୟକ । ପ୍ରଗତିବାଦୀ ଖବର କାଗଜର ପ୍ରତିଷ୍ଠାତା ଭାବେ ଲୋକଙ୍କ ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ନେଇ ସେ କାମ କରିଆସୁଥିଲେ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଦ୍ଯୁମ୍ନ ବଳଙ୍କ ଦୁଇ ଦିନିଆ ଜୟନ୍ତୀ ସମାରୋହର ଉଦଯାପନୀ ସଂଧ୍ଯାରେ ଯୋଗଦେଇ ଏହି ମତ ରଖିଛନ୍ତି ନବୀନ । ପ୍ରଗତିବାଦୀ ପକ୍ଷରୁ ପ୍ରଦ୍ଯୁମ୍ନ ବଳଙ୍କ ଜୟନ୍ତୀ ପାଳନ କରିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ ସମସ୍ତ ପୁରସ୍କୃତ ଓ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କୁ ନବୀନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ନବୀନ ପହଞ୍ଚିବା ପରେ ପ୍ରଥମେ ସ୍ବର୍ଗତ ପ୍ରଦ୍ଯୁମ୍ନ ବଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପ୍ରଗତିବାଦୀର ନିର୍ଦ୍ଦେଶିକା ଶାଶ୍ଵତୀ ବଳ, ଅଧ୍ୟକ୍ଷ ମୋନାଲିସା ବଳ, କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଏହି ଅବସରରେ ପ୍ରଦ୍ଯମ୍ନ ବଳଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ସଂକଳନକୁ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ବିଶିଷ୍ଟ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ପ୍ରଦ୍ଯମ୍ନ ବଳ ସମ୍ମାନ-୨୦୨୪ ଓ ମୟୂରଭଞ୍ଜ ବେତନଟୀର ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କୁ ପ୍ରଦ୍ଯମ୍ନ ବଳ ସାମ୍ବାଦିକତା ସମ୍ମାନ ପ୍ରଦାନ କରିଥିଲେ ନବୀନ । ଏହାବାଦ ଅନ୍ୟପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସିଙ୍ଗଡ଼ାକୁ ନେଇ ହିମାଚଳ ରାଜନୀତି ସରଗରମ

ନନ୍ଦିଘୋଷ ବ୍ୟୁରୋ : ସମୋସା ବା ସିଙ୍ଗଡ଼ାକୁ ନେଇ ହିମାଚଳ ରାଜନୀତିରେ ଦେଖାଦେଇଛି ବିବାଦ । ସମୋସା ଯୋଗୁ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେବଳ ଏତିକି ନୁହେଁ, ସେମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ରାଜ୍ୟର ସିଆଇଡି ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଗତ ଅକ୍ଟୋବର ୨୧ରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିଆଇଡି ହେଡକ୍ଵାର୍ଟରରେ ସାଇବର ୱିଙ୍ଗ୍ ଷ୍ଟେସନ ଉଦଘାଟନ କରିବାକୁ ଯାଇଥିଲେ । ଏଠାରେ ସିଏମଙ୍କ ପାଇଁ ଅଣାଯାଇଥିବା କେକ୍ ଓ ସିଙ୍ଗଡ଼ାକୁ ତାଙ୍କ ଷ୍ଟାଫମାନଙ୍କୁ ବାଣ୍ଟି ଦିଆଯାଇଥିଲା । ପ୍ରାଥମିକ ଭାବେ ସିଆଇଡି ଏହାର ଯାଞ୍ଚ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ ସିଙ୍ଗଡ଼ା ଓ କେକ୍ ଖାସ୍ କରି ସିଏମଙ୍କ ପାଇଁ ଥିଲା, ଯାହା କେବଳ ଏସଆଇ ହିଁ ଜାଣିଥିଲେ । ଏହି ଜଳଖିଆ ବାକ୍ସଗୁଡ଼ିକୁ ଯେତେବେଳେ ମହିଳା ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା, ସେ କୌଣସି ବରିଷ୍ଠ ଅଧିକାରୀଙ୍କଠାରୁ ନିଶ୍ଚିତ ହୋଇ ନ ଥିଲେ ଏବଂ ମେକାନିକାଲ୍ ଟ୍ରାନ୍ସପୋର୍ଟ ବିଭାଗକୁ ଜଳଖିଆ ପଠାଇ ଦେଇଥିଲେ । ଏହି ଛୋଟିଆ ଭୁଲ୍ ଯୋଗୁ ଜଳଖିଆ ଠିକ୍ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରି ନ ଥିଲା । ତିନୋଟି ବାକ୍ସରେ ରଖାଯାଇଥିବା ଜଳଖିଆକୁ ୧୦-୧୨ ଜଣଙ୍କ ମଧ୍ୟରେ ଚା’ ସହିତ ପରସି ଦିଆଯାଇଥିଲା । ଶେଷରେ ବାକ୍ସ ଖୋଲାଯିବା ବେଳକୁ ସେଥିରେ ଥିବା ଜଳଖିଆ ସବୁ ବଣ୍ଟା ହୋଇସାରିଥିଲା, ଯାହାକୁ ନେଇ ଏବେ ହିମାଚଳ ରାଜନୀତିରେ ବିବାଦ ଦେଖାଦେଇଛି ।

ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ : ସରିଲା ରକ୍ ଷ୍ଟାର୍ ଜଜଙ୍କ କାର୍ଯ୍ୟକାଳ। ଆଜି ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ତାଙ୍କର ୨ ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୨ ନଭେମ୍ଵର ୯ ତାରିଖରେ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ଵ ନେଇଥିଲେ। ଆଜି ଥିଲା ତାଙ୍କ କାର୍ଯ୍ୟକାଳର ଶେଷ ଦିନ। ତାଙ୍କୁ ବିଦାୟ ଦେବା ପାଇଁ ସୁପ୍ରିମକୋର୍ଟ ବାର୍ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେ କହିଛନ୍ତି, ପ୍ରତିଦିନ ବିଚାରପତିମାନେ ଏକ ତୀର୍ଥଯାତ୍ରୀ ପରି କୋର୍ଟକୁ ଆସନ୍ତି। ସେମାନଙ୍କର ଗୋଟିଏ ଗୋଟିଏ ରାୟର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଥାଏ। ନିଜର ମହାନତା ଦେଖାଇ ସେ କହିଥିଲେ, କାମ ସମୟରେ ଯଦି କେବେ ମୁଁ କାହା ମନରେ କଷ୍ଟ ଦେଇଥାଏ,ତେବେ କ୍ଷମା କରିଦେବେ। ନିଜର ନିର୍ଭୀକ ବ୍ୟକ୍ତିତ୍ଵ ପାଇଁ ସାଥୀ ଜଜ୍ ଏବଂ ଓକିଲମାନେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ରକ୍ ଷ୍ଟାର୍ ବୋଲି କହୁଥିଲେ। ତାଙ୍କର ଖଣ୍ଡପୀଠ ଦେଇଥିବା ଅନେକ ରାୟ ଦେଶର ଇତିହାସରେ ଲିପିବଦ୍ଧ ହୋଇ ରହିବ। ବିଶେଷ କରି ସାଧାରଣ ଜନତାଙ୍କ ଜୀବନରେ ସେହି ରାୟର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ବାପା ଜଷ୍ଟିସ୍ ୱାଇ ଭି ଚନ୍ଦ୍ରଚୂଡ଼ ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ। ସେ ସୁପ୍ରିମକୋର୍ଟର ଷୋଡ଼ଶ ପ୍ରଧାନ ବିଚାରପତି ଭାବେ ୧୯୭୮ ଫେବ୍ରୁଆରି ୨୨ରୁ ୧୯୮୫ ଜୁଲାଇ ୧୧ ଯାଏ କାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଂଜୀବ ଖାନ୍ନା। ସେ ନଭେମ୍ବର ୧୧ ତାରିଖରେ ଶପଥ ନେବେ।

୩ ଦିନ ହେଲାଣି ଅଚଳ ଭୁବନେଶ୍ବର ମୁଖ୍ୟ ଡାକଘର : କାମ କରୁନି ସର୍ଭର

ଭୁବନେଶ୍ବର : ଭୁବନେଶ୍ବର ମୁଖ୍ୟ ଡାକଘରେ ଲିଙ୍କ ଫେଲ । ଫେରିବାକୁ ବାଧ୍ୟ ହେଉଛନ୍ତି ଲୋକ ।  ଦିନେ କି ଦୁଇଦିନ ନୁହେଁ । ୩ ଦିନ ହେଲାଣି କାମ କରୁନି ସର୍ଭର । ହେଲେ ନିହଲ କର୍ତ୍ତୃପକ୍ଷ । ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଜମାକାରୀ ଟଙ୍କା ଜମା କରିପାରୁନାହାନ୍ତି । ସେପଟେ ଟଙ୍କା ବି ଉଠାଇପାରୁନାହାନ୍ତି । ଦୂର ଦୂରାନ୍ତରୁ ଆସୁଥିବା ଜମାକାରୀ ହଇରାଣ ହରକତ ହୋଇ ଫେରୁଛନ୍ତି । ସେପଟେ ପୋଷ୍ଟାଲ୍ ଏଜେଣ୍ଟ୍ମାନେ ମଧ୍ୟ ହାତବାନ୍ଧି ବସିଛନ୍ତି । କିଏ ମାସିକିଆ ଜମା କରିପାରୁନି ତ ଆଉ କିଏ କଷ୍ଟାର୍ଜିତ ଜମା ଉପରେ ମାସିକିଆ ସୁଧ ପାଇପାରୁନି । ପେନ୍ସନ୍ଭୋଗୀ ବି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି  ।

ମୁଖ୍ୟ ଡାକଘରେ ନାହିଁ ଲିଙ୍କ । ଗ୍ରାହକଙ୍କୁ ରାମ ଭରୋସେ ଛାଡ଼ି ଦେଇଛନ୍ତି ପୋଷ୍ଟାଲ କର୍ତ୍ତୃପକ୍ଷ ।  ଲିଙ୍କ ଫେଲ୍ ବୋଲି ବୋର୍ଡ଼ ମାରିଦେଇ ବସିଛନ୍ତି ପୋଷ୍ଟାଲ୍ ଅଧିକାରୀ ।  କର୍ତ୍ତୃପକ୍ଷଙ୍କ କହିବା କଥା ଏପରି ସମସ୍ୟା ଇଣ୍ଟରନେଟ୍ ଫେଲ୍ ଯୋଗୁ ହୋଇଛି । ଦେଶର ମୁଖ୍ୟ ଡାକଘରଗୁଡ଼ିକ ଏବେ ଏହି ସମସ୍ୟା ଭୋଗୁଛନ୍ତି । କାମ ଚାଲିଛି ହେଲେ କେତେବେଳେ ଲିଙ୍କ ଆସିବ କହିହେବନି ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଯଦି  ମୁଖ୍ୟ ଡାକଘରର ଏପରି ଅବସ୍ଥା ତାହେଲେ ଅନ୍ୟ ପୋଷ୍ଟ ଅଫିସ କଥା କଣ ହୋଇଥିବା ତାହା ବେଶ୍ ଜଣାପଡୁଛି ।

ଉତ୍କଳ ୟୁନିଭରସିଟିରେ ରାଜନୈତିକ ଚାପରେ ନାମଲେଖା ଅଭିଯୋଗ : ବାଦ୍ ପଡୁଛନ୍ତି ମେଧାବୀ

ଭୁବନେଶ୍ବର : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଘନଘନ ଅଣ୍ଡାମାଡ଼। ଭାଙ୍ଗିଲେ ବ୍ୟାରିକେଡ୍ । ପୋଲିସ ସହ ମୁହାଁମୁହିଁ । କର୍ଡନ ଉପରେ ନାରାବାଜି । ଉତ୍କଳ ବିଶ୍ବବିଦ୍ୟାଳୟର ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ କରି ଗର୍ଜନ କରିଛି ଛାତ୍ର କଂଗ୍ରେସ । କଂଗ୍ରେସ ଭବନରୁ ଛାତ୍ର କଂଗ୍ରେସର କର୍ମୀମାନେ ରାଲିରେ ଆସି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ  ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି। କିଛି ସମୟ ପାଇଁ ଲୋୟର ପିଏମ୍ଜିରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଭିତରେ ଚାଲିଥିଲା ଛକାପଞ୍ଝା ।

ବାଲେଶ୍ବରର ଛାତ୍ର ବିଜୟ କୁମାର ସାହୁ ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ୍ ପାଇଁ ସାମସ୍ ଓ୍ବେବସାଇଟରେ ଆବେଦନ କରିଥିଲେ। ଓ୍ବେଟିଂ ଲିଷ୍ଟରେ ତାଙ୍କର ନାଁ ରହିଥିଲା। ଆଡମିସନ୍ ପାଇଁ ପିଜି କାଉନସିଲରୁ ତାଙ୍କୁ ଯାଇଥିଲା କଲ୍ । ସେ ସମସ୍ତ ଡକୁମେଣ୍ଟ ଦାଖଲ କରିଥିଲେ। କିନ୍ତୁ ପରେ ଡକୁମେଣ୍ଟ ଫେରେଇ ଦିଆଯାଇଥିଲା। ଓ୍ବେଟିଂ ଲିଷ୍ଟରେ ତାଙ୍କ ନାଁ ୯ ନମ୍ଵରରେ ରହିଥିବା ବେଳେ ବିଜୟଙ୍କୁ ଆଡମିଶନ ଦିଆନଯାଇ ୧୧ ନମ୍ବର ରେ ଥିବା ଜଣେ ପିଲାକୁ ଆଡମିସନ୍ ମିଳିଛି ।

ପ୍ରତିବାଦରେ ବିଜୟ ଗତ ମାସ ୫ ତାରିଖରେ ପିଜି କାଉନସିଲ୍ ଆଗରେ ଧାରଣା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି, ବିଜୟଙ୍କ ବଦଳରେ ଯେଉଁ ପିଲାକୁ ଆଡମିସନ୍ ମିଳିଛି, ସେ ମନ୍ତ୍ରୀଙ୍କ ଖାସ୍ ହୋଇଥିବାରୁ ଚାପରେ ତାଙ୍କର ନାଁ ଲେଖା ଯାଇଛି। ଏ ସଂପର୍କରେ ଉଚ୍ଚଶିକ୍ଷା ସଚିବ ଏବଂ ରାଜ୍ୟପାଳଙ୍କୁ ମଧ୍ୟ ଫେରାଦ ହୋଇଥିଲା ଛାତ୍ର କଂଗ୍ରେସ। କିନ୍ତୁ କିଛି ସୁଫଳ ମିଳିନି। ଏ ନେଇ ମନ୍ତ୍ରୀଙ୍କୁ ଜବାବ ମାଗିଛି ଛାତ୍ର କଂଗ୍ରେସ। ପ୍ରଶ୍ନ ଉଠୁଛି ସାମସ୍ ଓ୍ବେବସାଇଟ୍ରେ ପଛରେ ଥିବା ଛାତ୍ରଙ୍କୁ କିଭଳି ମିଳିଲା ଆଡମିସନ୍ ? ସତରେ ରାଜନୈତିକ ଚାପରେ ଏପରି ହୋଇଛି କି। ମେଧାବୀ ଛାତ୍ରଙ୍କ କ୍ୟାରିୟରକୁ ନେଇ ଖେଳ କାହିଁକି ଖେଳୁଛନ୍ତି କର୍ତ୍ତୃପକ୍ଷ ? ଏ ନେଇ କିନ୍ତୁ ଉତ୍କଳ ୟୁନିଭରସିଟିର କୁଳପତି ମୁହଁ ନ ଖୋଲି ନାହାନ୍ତି।