ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ପୁଣି ଟ୍ରମ୍ପ ରାଜ । ହ୍ବାଇଟ ହାଉସ ରେସରେ ପୁଣି ବାଜି ମାରି ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଅନେକ ବିବାଦରେ ଫସି ମଧ୍ୟ ସେ ଆମେରିକୀୟଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି । ମ୍ଯାଜିକ ନମ୍ବରଠାରୁ ବେଶ ଆଗରେ ରହି ଐତିହାସିକ ବିଜୟ ଲାଭ କରି ବିଶ୍ବର ସୁପର ପାୱାର ଦେଶ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ଟ୍ରମ୍ପ ପାଇଛନ୍ତି ୨୭୭। ଅନ୍ଯପଟେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଡେମୋକ୍ରାଟ କମଳା ହାରିସଙ୍କୁ ମିଳିଛି ୨୨୬ ଭୋଟ। ବିଜୟ ଲାଗି ମ୍ଯାଜିକ ନମ୍ବର ୨୭୦ ଦରକାର ଥିବାବେଳେ ଟ୍ରମ୍ପ ବାଜିମାତ କରିଛନ୍ତି। ୭ଟି ସ୍ୱିଙ୍ଗ ଷ୍ଟେଟରେ ବି ଦବଦବା ଦେଖାଇଥିଲେ ଟ୍ରମ୍ପ। ଇତିହାସରେ ଦ୍ବିତୀୟ ଥର ଲାଗି ହାରିଥିବା ପ୍ରାର୍ଥୀ ପୁଣି ଜିତିଛନ୍ତି । ପୂର୍ବତନ ରାଷ୍ଟ୍ରପତି ଗ୍ରୋଭର କ୍ଲିଭଲ୍ୟାଣ୍ଡଙ୍କ ୧୩୨ ବର୍ଷର ରେକର୍ଡର ସମକକ୍ଷ ହୋଇଛନ୍ତି ଟ୍ରମ୍ପ । ୧୮୮୮ରେ ହାରି ୧୮୯୨ରେ ପୁଣି ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ କ୍ଲିଭଲ୍ୟାଣ୍ଡ । ଅନ୍ଯପଟେ କମଳା ହାରିସଙ୍କ କ୍ଯାମ୍ପରେ ନୈରାଶ୍ଯ ଖେଳିଯାଇଛି । ସେ ତାଙ୍କ ଅଭିଭାଷଣକୁ ରଦ୍ଦ କରିଛନ୍ତି ।
ଖାଦ୍ୟ ଅଭାବରୁ ଲୋକେ ଅଖାଦ୍ୟ ଖାଉଛନ୍ତି, ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ବିଜେଡି
ଭୁବନେଶ୍ବର : କନ୍ଧମାଳରେ ଘଟିଥିବା ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି । ଏକ ପ୍ରେସମିଟରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖାଦ୍ୟ ଚାଉଳ ନ ପହଞ୍ଚିବାରୁ ୮ ପରିବାର ଆମ୍ବ ଟାକୁଆ ଯାଉ ଖାଇଲେ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୪ ମସିହାରେ ଏପରି ଘଟିବା କଳ୍ପନା ବାହାରେ । ଓଡ଼ିଶାକୁ ଏହା ବିଶ୍ୱରେ ନିନ୍ଦିତ କରିଛି । ଡବଲ ଇଂଜିନ ସରକାର, ବିକାଶ କଥା, ବିଶ୍ୱ ଗୁରୁ ହେବା କଥା କହିବା ବେଳେ ଅନାହାର ମୃତ୍ୟୁ ଗ୍ରହଣୀୟ ନୁହେଁ । ଓଡ଼ିଶାକୁ ସୁନେଲି ସ୍ୱପ୍ନ ଦେଖାଇ ଆସିଲେ ବିଜେପି ସରକାର, ହେଲେ ସେ ମିଛର ସୌଦାଗର । PDS ଚାଉଳ ଗରିବରୁ ଅତି ଗରିବ ଲୋକଙ୍କୁ ଦିଆଯାଇଥାଏ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଅନାହାର ଉପରେ କୁଠାରଘାତ କରାଗଲା । ଚାରି ମାସ ହେବ ସରକାର ବଦଳିଲା, ହେଲେ କଣ ବଦଳିଗଲା ଯେ ଆମ୍ବ ତାକୁଆ ଲୋକ ଖାଇଲେ । ସେ ପୁଣି ଆଦିବାସୀ ଖାଇଲେ । ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, କେନ୍ଦ୍ର ଆଦିବାସୀ ବିକାଶ ମନ୍ତ୍ରୀ ଓଡ଼ିଆ ଆଦିବାସୀ, ରାଷ୍ଟ୍ରପତି ଓଡ଼ିଆ ଆଦିବାସୀ ଝିଅ, ବିଜେପି ଆଦିବାସୀଙ୍କୁ ଉପରେ ବସାଇ ଦେଖାଇବାକୁ ଚାହିଁଲା ଯେ ଆଦିବାସୀ ତାଙ୍କ ଫୋକସ । ଏମିତି ଛବି ଦେବାକୁ ଚାହିଁଲା ହେଲେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭୋଟ । ଆଦିବାସୀଙ୍କୁ ବ୍ୟବହାର କରି ପ୍ରତୀକକରଣର ରାଜନୀତି କରୁଛି ବିଜେପି । ଲୋକଙ୍କ ସୁବିଧା ଅସୁବିଧା ପାଇଁ ସରକାରଙ୍କ ଦୃଷ୍ଟି ନାହିଁ । ତିନି ମାସ ଭିତରେ ଚାଉଳ ଦେବା ବ୍ୟବସ୍ଥା କିପରି ଭୁସୁଡ଼ିଲା ଏହି ଚାରି ମାସରେ? ଠିକ ସମୟରେ ଚାଉଳ ମିଳିନି । ଅକ୍ଟୋବର ଚାଉଳ ନଭେମ୍ବରରେ ଦିଆଗଲା । ତାହା ବି ମୃତ୍ୟୁ ପରେ । ଏହା ସରକାରଙ୍କ ବିଫଳତା । ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀଙ୍କ ମୁଣ୍ଡରେ ଏହି ଦୋଷ ପଡୁଛି । ଏହି ଅବହେଳା ଅପରାଧିକରଣ । ତେଣୁ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫଦାରୀ ଦାବି କରିଛି ବିଜେଡି । ଲୋକଙ୍କ ପ୍ରତି ସେ ଅବହେଳା କରିଛନ୍ତି । ଖାଦ୍ୟ ପହଞ୍ଚାଇ ପାରିଲେ ନାହିଁ ସରକାର । ଚାଉଳ ନ ଦେଲେ ମାଣ୍ଡିଆ ବାଣ୍ଟିବାର ନିୟମ ଅଛି, ହେଲେ କାହା କଥାରେ ଦିଆଗଲାନି । ଯୋଗାଣ ମନ୍ତ୍ରୀ କେବଳ ରାସନ କାର୍ଡ କାଟିବାର ଭୟ କାହିଁକି ଦେଖାଉଛନ୍ତି ? EKYC ପଛୁଆ ଅଞ୍ଚଳରେ କେମିତି ହେବ ଯେଉଁଠି ଇଣ୍ଟରନେଟ୍ ସୁବିଧା ନାହିଁ । ନ କଲେ ଚାଉଳ ବନ୍ଦ କରୁଛନ୍ତି । ଅନ୍ୟ ଉପରେ ଦୋଷ ଲଦିବାରୁ ନିବୃତ୍ତ ରୁହନ୍ତୁ । ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । ମୋହନ ମାଝୀ, ଜୁଏଲ ଓରାମ ଓ ରାଷ୍ଟ୍ରପତିଙ୍କ ଘରେ ଆମ୍ବ ଟାକୁଆ ଯାଉ ରନ୍ଧା ହୁଏ କି? ଆଦିବାସୀଙ୍କୁ ଉପହାସ କରିଛନ୍ତି । ଏହି ସରକାରରେ ଅଧ ଡଜନ ଆଦିବାସୀ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । PMOର ନିର୍ଦ୍ଦେଶରେ ରାଜ୍ୟ ଚାଲିଛି । ଷ୍ଟାମ୍ପ ଲଗାଇ ସରକାର ଚାଲିଛି । ଓଡ଼ିଆ କଣ ଚାହାଁନ୍ତି, ବିଜେପି ଜାଣିନି । ମୂଳ ଆଦର୍ଶ ନାଗପୁରରେ ମରାଠୀ ହୋଇ ଗୁଜୁରାଟରେ ଗୁଜୁରାଟୀ ଅନୁବାଦ ହୋଇ ଦିଲ୍ଲୀରେ ହିନ୍ଦୀରେ ଅନୁବାଦ ହୋଇ ଓଡ଼ିଶା ଆସୁଛି । ଦିନ ବେଳା ମିଛ କହୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଆମ୍ବ ଟାକୁଆ ପାରମ୍ପରିକ ଖାଦ୍ୟ କହିଲେ । ମୁକେଶ ମହାଲିଙ୍ଗ, ପ୍ରଭାତୀ ପରିଡା ଓ କୃଷ୍ଣ ପାତ୍ର କ’ଣ ଆଦିବାସୀ ? ସେମାନେ ଏହା କହିବାର ଅଧିକାର ନାହିଁ । ବିଜେପି ପ୍ରତିଶୋଧ ପରାୟଣ ରାଜନୀତି କରୁଛନ୍ତି । ଯେଉଁ ବ୍ୟବସ୍ଥା ନବୀନ ପଟ୍ଟନାୟକ କରିଥିଲେ, ତାକୁ ଭାଙ୍ଗି ଆଜି ପରିଣାମ ଭୋଗୁଛନ୍ତି ରାଜ୍ୟ ସରକାର । ୨୦୦୧ ରେ ୭୦% ଦାରିଦ୍ର୍ୟ ଥିଲେ । ହେଲେ ଗତ ୨୪ ବର୍ଷରେ ୬୦% ହ୍ରାସ ପାଇ ୧୦ ଲକ୍ଷ ତଳକୁ ଖସିଛି । ଯାହା ଦେଶରେ ସବୁଠାରୁ ଦ୍ରୁତ । ହେଲେ ଏବେ ସରକାର କିଏ ଚଳାଉଛି ଜଣା ନାହିଁ ? ଦଲାଲ ବୁଲିଛନ୍ତି ସରକାରୀ ଅଫିସରେ । RDC ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏମିତି ବହୁତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟପାଳଙ୍କ ପୁଅ, ବଢ ଠାକୁର ବଳଭଦ୍ର ପଡି଼ବା, ଭରତପୁର, ମଦ ମୃତ୍ୟୁ ରିପୋର୍ଟ ଆସିଲା ନାହିଁ । ଲୋକେ ଅନେକ ଆଶା ରହି ବିଜେପିକୁ ଭୋଟ ଦେଇଥିଲେ । ଯେବେ ବଡ ଠାକୁର ବଳଭଦ୍ର ପଡିଗଲେ, ଜଣା ପଡିଗଲା ଯେ ବିଜେପି ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା, ଉପ ମୁଖ୍ୟମନ୍ତ୍ରୀଙ୍କ କ୍ଷମା, ଜିଲ୍ଲାପାଳ ଯାଏଁ ଯିଏ ବ୍ୟବସ୍ଥା ନଷ୍ଟ କରିଛନ୍ତି, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ବାଦୀ କରିଛି ବିଜେଡି ।
କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କଡା଼ ମୁକାବିଲା। କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର। ପ୍ରଥମେ ଟ୍ରମ୍ପ ଆଗୁଆ ରହିଥିଲେ। ପରେ କିନ୍ତୁ କମଳା କଡ଼ା ଟକ୍କର ଦେଇଛନ୍ତି। ବର୍ତ୍ତମାନ ଟ୍ରମ୍ପ ୨୪୭ ଇଲେକଟୋରାଲ କଲେଜ ଜିତି ଆଗୁଆ ଥିବା ବେଳେ କମଳା ୨୧୪ ଟି ଇଲେକଟୋରାଲ କଲେଜ ଜିତିଛନ୍ତି। ତେବେ ସୁଇଂ ରାଜ୍ୟଗୁଡ଼ିକରେ ଟ୍ରମ୍ପ ଆଗୁଆ ରହିଛନ୍ତି। ତେଣୁ ସେ ଆଡଭାନଟେଜରେ ଅଛନ୍ତି। ଆମେରିକାର ମୋଟ୍ ଇଲେକ୍ଟୋରାଲ୍ କଲେଜ ସଂଖ୍ଯା ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଏବେ କଡ଼ା ଟକ୍କର ଚାଲିଥିବାରୁ କିଏ ଜିତିବ ତାହା କରିବା ମୁସ୍କିଲ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଙ୍ଗିଲା ବାହାଘର !
ନନ୍ଦିଘୋଷ ବ୍ୟୁରୋ : କିଏ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛି ତାହା ଜାଣିବା ପାଇଁ ସମଗ୍ର ବିଶ୍ୱ ଅପେକ୍ଷା କରିଛି । ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍ ହୋଇଥିବା ବେଳେ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ନଭେମ୍ବର ୫ରେ ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଏହା ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ପୋଷ୍ଟ ଭାଇରାଲ ହେଉଛି ।
ରେଡ୍ଡିଟ୍ ପୋଷ୍ଟରେ ଜଣେ ୨୬ ବର୍ଷ ବର୍ଷିୟା ମହିଳା ଦାବି କରିଛନ୍ତି, ସେ ଭୋଟ୍ ଦେଉ ନ ଥିବାରୁ ତାଙ୍କ ଭାବି ସ୍ବାମୀଙ୍କ ସହ ଥିବା ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି । ମହିଳା ଲେଖିଛନ୍ତି ଯେ, ମୋର ୨୬ ବର୍ଷିୟା ଭାବି ସ୍ବାମୀ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁ ନାହାନ୍ତି । ମୁଁ ଏକ ନୈତିକ ସଙ୍କଟ ଦେଇ ଗତି କରୁଛି ।
ସେ କେବଳ ଭୋଟ୍ ଦେବାକୁ ମନା କରିଦେଇଛନ୍ତି କାରଣ ସେ କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ନାହିଁ। ଆମର ରାଜନୈତିକ ଦୃଷ୍ଟିକୋଣ ଅତ୍ୟନ୍ତ ସମାନ ତେଣୁ ମୁଁ ବୁଝିପାରୁ ନାହିଁ, ଏହି ଭୋଟ୍କୁ ନେଇ ସେ କହିଁକି ଉଦାସୀନ? ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ଜଣେ ମହିଳା ଏବଂ ଫ୍ଲୋରିଡା ରେ ରହେ ।
ମହିଳାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି, ଯେଉଁଥିରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ସୋସିଆଲ୍ ମିଡିଆ ୟୁଜର୍ସ ଲେଖିଛନ୍ତି, ଆପଣ ତାଙ୍କର କାର୍ଯ୍ୟ, ଆଚରଣକୁ ପସନ୍ଦ କରନ୍ତି ନାହିଁ, କେବଳ ନିଜକୁ ନିୟନ୍ତ୍ରଣ କର । ଯଦି ଭୋଟ୍ ଦେଉଥିବା ବ୍ୟକ୍ତିଙ୍କ ସହିତ ରହିବା ତୁମ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ । ତେବେ ତୁମେ ତାଙ୍କ ସହିତ ସମ୍ପର୍କ ଭାଙ୍ଗିବା ଉଚିତ୍ । ଅନ୍ୟ ଜଣେ ଲେଖିଛନ୍ତି ଯେ ରାଜନୀତି ଅନ୍ତତଃପକ୍ଷେ ବ୍ୟକ୍ତିଗତ ଜୀବନଠାରୁ ଦୂରରେ ରହିବା ଉଚିତ୍।
ଜନ୍ମମାଟିରେ କମଳା ହାରିସଙ୍କ ପାଇଁ ପୂଜାର୍ଚ୍ଚନା
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉତ୍କଣ୍ଠା ବଢୁଥିବା ବେଳେ ଏବେ ବି କିଛି ସ୍ଥାନରେ ଭୋଟିଂ ଜାରି ରହିଛି । କିଏ ବାଜି ମାରିବ ତାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କମଳା ହାରିସଙ୍କ ବିଜୟ ପାଇଁ ତାଙ୍କ ଜନ୍ମମାଟି ଥିରୁଭରୁର ଜିଲ୍ଲାର ଥୁଲସେନ୍ଦ୍ରପୁରମ୍ ଗାଁର ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି । କମଲା ହାରିସ୍ ଦକ୍ଷିଣ ଏସିଆର ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ହୋଇପାରନ୍ତି । ଲକ୍ଷ ଲକ୍ଷ ଆମେରିକୀୟ ବର୍ତ୍ତମାନ ନିଜର ମତଦାନ ସବ୍ୟସ୍ତ କରୁଛନ୍ତି। ଏଭଳି ପରିସ୍ଥିତିରେ ହଜାର ହଜାର ମାଇଲ ଦୂରରେ ଥିବା ଲୋକମାନେ କମଳା ହାରିସଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି । କମଳା ହାରିସ ବିଜୟ ହୁଅନ୍ତୁ, ଏହି ଆଶାରେ ଗ୍ରାମବାସୀ ମନ୍ଦିରରେ ପ୍ରାର୍ଥନା କରିବା ସହିତ ବ୍ୟାନର ଲଗାଇ ଖୁସି ମନାଉଛନ୍ତି । କେବଳ ସେତିକି ନୁହେଁ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବ୍ୟାନରରେ କମଳାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମବାସୀ। ୨୦୨୦ ଅଗଷ୍ଟରେ କମଳା ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟ୍ ପ୍ରାର୍ଥୀ ଭାବରେ ମନୋନୀତ ହେବାପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା । ସେହିବର୍ଷ ଉପରାଷ୍ଟ୍ରପତି ନିର୍ବାଚନରେ କମଳାଙ୍କ ବିଜୟ ପରେ ପୁରା ଗାଁ ଉତ୍ସବ ପାଳନ କରିଥିଲା । ଥୁଲସେନ୍ଦ୍ରପୁରମ୍ କମଳାଙ୍କ ଜେଜେବାପା ତଥା ପୂର୍ବତନ ଭାରତୀୟ କୂଟନୀତିଜ୍ଞ ପି.ବି ଗୋପାଳନଙ୍କ ପୈତୃକ ଗ୍ରାମ । କମଳାଙ୍କ ମାତା ଶ୍ୟାମଳା ପି.ବି ଗୋପାଳନଙ୍କ ଝିଅ ।
ପରଲୋକରେ ଗାୟିକା ଶାରଦା ସିହ୍ନା
ନୂଆଦିଲ୍ଲୀ : ଆରପାରିରେ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନା । ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଶାରଦା । ସ୍ବାସ୍ଥ୍ରଅବସ୍ଥା ବିଗିଡିବାରୁ ସେ କିଛି ଦିନ ହେବ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଶାରଦାଙ୍କ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
୧୯୫୨ ଅକ୍ଟୋବର ୧ ତାରିଖରେ ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାରଦା । ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି । ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ । ୨୦୧୮ରେ ଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶାରଦା ସିହ୍ନା ଛଠ୍ ପୂଜା ଉପରେ ଆଧାରିତ ‘ହୋ ଦୀନାନାଥ’ ଗୀତକୁ ଲୋକେ ବେଶ୍ ପ୍ରଶଂସା କରିଥିଲେ।
ଘରେ ଶୋଇଥିବା ବେଳେ ନିଆଁ ଲାଗି ମାଆ ଓ ଝିଅଙ୍କ ମୃତ
ସମ୍ଵଲପୁର : ସମ୍ଵଲପୁର ମାନେଶ୍ଵରରେ ନିଆଁ ଲାଗି ମାଆ ଝିଅଙ୍କ ମୃତ୍ୟୁ। ଘରେ ଶୋଇଥିବା ବେଳେ ନିଆଁ ଲାଗି ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ନେହଲତା ଦୀକ୍ଷିତ ଓ ସୈରେନ୍ଦ୍ରୀ ଦିକ୍ଷୀତ। ସ୍ନେହଲତାଙ୍କ ବୟସ ପ୍ରାୟ ୯୦ ବର୍ଷ ହେବ ଓ ସୈରେନ୍ଦ୍ରୀଙ୍କ ବୟସ ପ୍ରାୟ ୬୦ ବର୍ଷ। ସେମାନେ ଦ୍ଵିତୀୟ ମହଲାରେ ରହୁଥିଲେ। ନିଆଁ ଲାଗିଥିବାର ଖବର ପରେ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲେ। କେମିତି ନିଆଁ ଲାଗିଲା, ଏଯାଏ ସ୍ପଷ୍ଟ ହୋଇନି। ପୋଲିସ ଆସି ତଦନ୍ତ କରୁଛି। ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚିଛି। ସେପଟେ ମୃତକଙ୍କ ସାନ ଝିଅ ଅଭିଯୋଗ କରିଛନ୍ତି, ଜମି ବାଡ଼ି ପାଇଁ ମାଆ ଓ ବଡ଼ ଭଉଣୀଙ୍କୁ ହତ୍ଯା କରାଯାଇଛି। ନିଜର ଭାଇ ଓ ଭାଉଜ ଏହି କାଣ୍ଡ କରିଥିବା ସେ ଅଭିଯୋଗ କରିଛନ୍ତି। ପୁଅ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।
ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର, ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ
ଭୁବନେଶ୍ବର : ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଇଡକୋ ଜୁନିୟର୍ ମ୍ୟାନେଜର ବିଜୟ ଉଦୟସିଂଙ୍କ ଘର ସମେତ ଭୁବନେଶ୍ଵର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଚଢ଼ାଉରେ ୮ଜଣ ଡିଏସପି ୮ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି । ଆର୍ଯ୍ୟବିହାର ୫୦୪ ପ୍ଳଟରେ, ପୁରୀ ବାଲୁଖଣ୍ଡ ୪୩୦ B ବ୍ଲକ୍ ଚତୁର୍ଥ ମହଲାରେ ଥିବା ଫ୍ଲାଟ୍ ରେ, ଜଙ୍କିଆ ମୁଣ୍ଡମ୍ବାରେ ଥିବା ପୈତୃକ ଘରେ, ଭୁବନେଶ୍ଵର ଇଡକୋ କାର୍ଯ୍ୟାଳୟରେ, ଜଙ୍କିଆଠାରେ ଥିବା କ୍ରସରରେ ଓ ଭୁବନେଶ୍ଵର ସାମନ୍ତରାପୁରଠାରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢାଉ ଜାରି ରହିଛି ।
୭ ଦିନ ଯାଏଁ ପାଗରେ ପରିବର୍ତ୍ତନ ନାହିଁ
ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି । ଆଜିଠାରୁ ୭ ଦିନ ଯାଏଁ ପାଗ କୌଣସି ପରିବର୍ତ୍ତନ ନାହିଁ । ଆଦ୍ରତା ଓ ଗୁଳୁଗୁଳି ପାଇଁ କାଁଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର , କଟକ, ଗଂଜାମ ଓ ପୁରୀ ଜିଲ୍ଲାର ଗୋଟେ ଓ ଦୁତି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ସେହିପରି ଆସନ୍ତାକାଲି କେନ୍ଦ୍ରାପଡା,ଜଗତସିଂପୁର ,କଟକ,ଗଂଜାମ , ଗଜପତି, କନ୍ଧମାଳ ନୟାଗଡ ମୟୂରଭଞ୍ଜ କେନ୍ଦୁଝର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରରହିବ । ସେପଟେ ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ମାତ୍ରାଧିକ ଥିବାରୁ ଶୀତ ଅନୁଭବ ହେଉନାହିଁ । ଏହାସହ ଦିନର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହୁଛି । ଧୀରେ ଧୀରେ ଶୀତ ଯଦିଓ ପଡ଼ିଲାଣି କିନ୍ତୁ ଏହିସବୁ କାରଣରୁ ତାହା ଅନୁଭବ ହେଉନାହିଁ । ଆଉ କିଛିଦିନ ପରେ ଅର୍ଥାତ ଆଗାମୀ ସପ୍ତାହ ଆଡକୁ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଗତ ୨୪ ଘଂଟାରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି ।
ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି । ମନ୍ଦିର ବାହାରେ ଥିବା ହୁଣ୍ଡି ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି । ଏହାସହ ଗର୍ଭଗୃହରେ ରହିଥିବା ମା’ଙ୍କ ରୂପାର ଛତା ସହ ରୂପାର ମୁଖାକୁ ଚୋରିକରି ନେଇଛନ୍ତି । ଆଜି ଭୋରରୁ ପୂଜକ ମନ୍ଦିର ଖୋଲିବା ସମୟରେ ତାଲା ଭାଙ୍ଗି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । କେବଳ ଗୋଟିଏ ତାଲା ନୁହେଁ ବରଂ ଗର୍ଭଗୃହକୁ ଯିବା ନିମନ୍ତେ ରହିଥିବା ତିନୋଟି କବାଟର ତାଲାକୁ ଭାଙ୍ଗି କବାଟ ଖୋଲି ଚୋର ମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି । ଗୋଟିଏ ପଟେ ମନ୍ଦିରରେ ଆଲୋକିକରଣ ବ୍ୟବସ୍ଥା ନଥିବା ବେଳେ ସିସିଟିଭି ଥାଇ ମଧ୍ୟ କାମ କରୁନାହିଁ । ତେଣୁ ଏଭଳି ଚୋରି ହୋଇଛି । ଆଉ ଏଥିପାଇଁ ମନ୍ଦିର ପ୍ରଶାସନ ହିଁ ଦାୟୀ ବୋଲି କହିଛନ୍ତି ଭକ୍ତ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାରାତାରିଣୀ ମନ୍ଦିରରେ ତହସିଲଦାର ଏବଂ ଆରାଇ ଉପସ୍ଥିତ ଅଛନ୍ତି । ମାଙ୍କ ସେବାରେ ବିଳମ୍ବ ପାଇଁ ତହସିଲଦାର ଦୁଃଖି ପ୍ରକାଶ କରିବାସହିତ ସେବା କାର୍ଯ୍ୟ ଠିକରେ ଚାଲିବା ପାଇଁ ସେବାୟତ ଏବଂ ଏସଡିପିଓଙ୍କ ସହ ଆଲୋଚନା କରିଛନ୍ତି ତହସିଲଦାର ।

