spot_img
Home Blog Page 1387

ଦୀର୍ଘ ଦିନ ପରେ ପାଇଲେ ଅଧିନାୟକତ୍ୱ, ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳିଛନ୍ତି ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ : ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡେଭିଡ ୱାର୍ନର ଦୀର୍ଘ ସମୟ ପରେ ଅଧିନାୟକତ୍ୱ ପାଇଛନ୍ତି । ଅଷ୍ଟ୍ରେଲୀୟ କ୍ରିକେଟ୍ ଦ୍ବାରା ଏହି ପ୍ରତିବନ୍ଧକ ହଟାଯିବା ପରେ ୱାର୍ନର ବର୍ତ୍ତମାନ ବିଗ୍ ବ୍ୟାସ ଲିଗରେ ସିଡନୀ ଥଣ୍ଡରଙ୍କୁ ଅଧିନାୟକ କରୁଥିବା ଦେଖିବାକୁ ମିଳିବ । ବାସ୍ତବରେ ଅଷ୍ଟ୍ରେଲୀୟ କ୍ରିକେଟ୍ ୱାର୍ଣ୍ଣରଙ୍କ ଉପରେ ୫ ବର୍ଷର ପ୍ରତିବନ୍ଧକ ଲଗାଇଥିଲା, ୱାର୍ଣ୍ଣର ଅଷ୍ଟ୍ରେଲିଆ କ୍ରିକେଟ୍ ରେ କୌଣସି ଦଳର ଅଧିନାୟକ ହୋଇପାରି ନଥିଲେ ।

ଏହି ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିଗ୍ ବ୍ୟାସ୍ ଲିଗ୍ ର ନୂଆ ସିଜନରେ ଅଧିନାୟକ ହେବାକୁ ପ୍ରସ୍ତୁତ  । ସିଡନୀ ଥଣ୍ଡରର ଅଧିନାୟକ ହେବା ପରେ ଡେଭିଡ ୱାର୍ନର କହିଛନ୍ତି, “ଏହି ସିଜନରେ ପୁନର୍ବାର ଥଣ୍ଡର ଅଧିନାୟକ ହେବା ମୋ ପାଇଁ ବହୁତ କିଛି । ମୁଁ ଆରମ୍ଭରୁ ଦଳର ଏକ ଅଂଶ ଥିଲି ଏବଂ ବର୍ତ୍ତମାନ ମୋ ନାମ ସାମ୍ନାରେ ଏକ ‘C’ ସହିତ ଫେରିବା ଭଲ ଲାଗେ  । ମୁଁ ଆଗରୁ ନେତୃତ୍ୱ ନେବାକୁ ଏବଂ ଆଗାମୀ ଯୁବ ପ୍ରତିଭାମାନଙ୍କ ସହ ମୋର ଅଭିଜ୍ଞତା ବାଣ୍ଟିବାକୁ ଅପେକ୍ଷା କରିଛି। ”

୨୦୧୮ ମସିହାରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା | ଯେଉଁଥିରେ ୱାର୍ଣ୍ଣର ବଲ୍ ଟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ୱାର୍ଣ୍ଣରକୁ ୫ ବର୍ଷ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ର କୌଣସି ଦଳର ଅଧିନାୟକ ହେବାକୁ ବାରଣ କରିଥିଲା । ଗତ ମାସରେ କ୍ରିକେଟ୍ ଅଷ୍ଟ୍ରେଲିଆର ଆଚରଣ ସଂହିତା ଆୟୋଗର ଏକ ନିଷ୍ପତ୍ତି ବର୍ତ୍ତମାନ ୱାର୍ଣ୍ଣରଙ୍କୁ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବାକୁ ଅନୁମତି ଦେଇଛି ।

ଡେଭିଡ ୱାର୍ନର ଦୀର୍ଘ ଦିନ ଧରି ଆଇପିଏଲରେ ଦିଲ୍ଲୀ ରାଜଧାନୀ ପାଇଁ କ୍ରିକେଟ୍ ଖେଳିଛନ୍ତି ।  ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ୱାର୍ନର ଦିଲ୍ଲୀ ଦଳର ଅଧିନାୟକତ୍ୱ କରିଛନ୍ତି । ଏହା ବ୍ୟତୀତ ୱାର୍ଣ୍ଣର ତାଙ୍କ ଅଧିନାୟକତ୍ୱ ସମୟରେ ସନରାଇଜର୍ସ ହାଇଦ୍ରାବାଦକୁ ଆଇପିଏଲ୍ ଟାଇଟଲ୍ ଜିତିଛନ୍ତି ।

‘ଭୁଲ ଭୁଲେୟା -୩’ ବନାମ ‘ସିଙ୍ଘମ ଏଗେଇନ’: କାହାର କେତେ ରୋଜଗାର ?

ମୁମ୍ବାଇ: ଅଜୟ ଦେବଗନ୍ ଏବଂ ଅକ୍ଷୟ କୁମାରଙ୍କ ‘ସିଙ୍ଘମ ଏଗେଇନ’ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ ଭୁଲେୟା -୩’ ଗୋଟିଏ ଦିନରେ ରିଲିଜ ହୋଇଥିଲା ।  ଗୋଟିଏ ପଟେ ଏକ ଭୟଙ୍କର-କମେଡି ଫିଲ୍ମ ଏବଂ ଅନ୍ୟ ପଟେ ଏକ ଆକ୍ସନ୍ ଚଳଚ୍ଚିତ୍ର ଅଛି  । ଏଭଳି ପରିସ୍ଥିତିରେ ଦର୍ଶକମାନେ କ’ଣ ଦେଖିବେ ସେ ବିଷୟରେ କେବଳ ଗୋଟିଏ ବିକଳ୍ପ ଅଛି  । ନଭେମ୍ବର ୧ରେ ମୁକ୍ତିଲାଭ କରିଥିବା ଉଭୟ ଚଳଚ୍ଚିତ୍ର ହେଉଛି ମଲ୍ଟି ଷ୍ଟାରର୍ ଯାହା ପାଇଁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ  । ଯଦିଓ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଆଡଭାନ୍ସ ବୁକିଂରେ ଆଗୁଆ ଥିଲା, ତଥାପି ‘ବାଜିରାଓ’ ବାଜି ମାରି ନେଇଛି । ବର୍ତ୍ତମାନ ଉଭୟ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରିଲିଜ ହେବାର ୫ ଦିନ ହେଲା ।

ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ସିଙ୍ଘମ ଏଗେଇନ’ ଚଳଚ୍ଚିତ୍ରର ରୋଜଗାରରେ ସାମାନ୍ୟ ହ୍ରାସ ଘଟିଛି  । ଯେଉଁଥିରେ ପ୍ରତମ ଦିନରେ ଭଲ ସଂଗ୍ରହ ହୋଇଥିଲା । ବର୍ତ୍ତମାନ ପୂର୍ବ ଦିନର ରୋଜଗାର ବିଷୟରେ କହିବାକୁ ଗଲେ, ସ୍କାନିଲ୍କର ରିପୋର୍ଟ ଅନୁଯାୟୀ, ୫ ନଭେମ୍ବରରେ ଏହି ଫିଲ୍ମ ୧୩.୫୦ କୋଟି ଟଙ୍କା ରୋଜଗାର କରିଛି  । ବର୍ତ୍ତମାନ ଏହାର ମୋଟ ସଂଗ୍ରହ ୧୫୩.୨୫ କୋଟିରେ ପହଞ୍ଚିଛି ।

କାର୍ତ୍ତିକ ଆର୍ଯ୍ୟନଙ୍କ ଭୟଙ୍କର କମେଡି ଚଳଚ୍ଚିତ୍ର ‘ଭୁଲ ଭୁଲେୟା -୩’ ‘ବିଷୟରେ  କହିବାକୁ ଗଲେ କାର୍ତ୍ତିକ ଆର୍ଯ୍ୟନ୍, ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ଲୋକମାନେ ଅପେକ୍ଷା କରିଥିଲେ କିନ୍ତୁ ବର୍ତ୍ତମାନ ରୋଜଗାର ଦିନକୁ ଦିନ ହ୍ରାସ ପାଉଛି । ସ୍କାନିଲ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମ ୫ଦିନରେ ୧୩ କୋଟି ଟଙ୍କା ସଂଗ୍ରହ କରିଛି । ଏହି ପରିସ୍ଥିତିରେ ଫିଲ୍ମର ମୋଟ ସଂଗ୍ରହ ୧୩୭ କୋଟି ଟଙ୍କା ହୋଇଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଆଗରେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଗଣତିର ପ୍ରାଥମିକ ରିପୋର୍ଟ ଅନୁସାରେ ଆଗୁଆ ଅଛନ୍ତି ଡୋନାଲଡ ଟ୍ରମ୍ପ। ସେ ୯ ରାଜ୍ୟରେ ଜିତିଛନ୍ତି। ତାଙ୍କୁ ମିଳିଲାଣି ୯୫ଟି ଇଲେକଟୋରାଲ କଲେଜ। ସେପଟେ କମଳା ହାରିସ ୫ ରାଜ୍ୟ ହାତେଇଛନ୍ତି। ତାଙ୍କୁ ମିଳିଛି ୨୭ଟି ଇଲେକଟୋରାଲ କଲେଜ। । ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮ ।  ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଚଳିତ ନିର୍ବାଚନରେ କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ଆଗରେ ଅଛନ୍ତି ଟ୍ରମ୍ପ। ପୁରା ଅନ୍ତର୍ଜାତୀୟ ସମୁଦାୟ ଆମେରିକାର ଏହି ରାଷ୍ଟ୍ରପତି ନିର୍ବାଚନ ଉପରେ ନଜର ରଖିଛି। କିଛି ସ୍ଥାନରେ ଏବେ ବି ଭୋଟିଂ ଚାଲିଛି।

ଆମ୍ବ ଗଛକୁ ଧକ୍କା ଦେଲା କାର, ୨ ମୃତ

କୋଣାର୍କ : ଗତ ବିଳମ୍ବିତ ରାତ୍ରରେ କୋଣାର୍କ ଜୁଣେଇ ଛକ ନିକଟରେ ଦୁର୍ଘଟଣା । ଆମ୍ବ ଗଛକୁ ଧକ୍କା ଦେଲା ଦ୍ରୁତଗାମୀ କାର । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ନିଆଳି ଥାନା ଅନ୍ତର୍ଗତ ବିନିସପୁର ଗାଁର ବିଶ୍ଵଜିତ୍ ସାହୁ ଓ ପ୍ରଦୀପ ସାହୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ହେଲେ ତପନ ସାହୁ  । ଗତ ରାତିରେ ଦୁର୍ଘଟଣା ହୋଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କୋଣାର୍କ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣା ହୋଇଛି ।

ପଦାରେ ପଡ଼ିଲା ମାହାଙ୍ଗା ବିଜେପି କଳି

ନନ୍ଦିଘୋଷ ବ୍ୟୁରୋ: ମାହାଙ୍ଗାରେ ପଦାରେ ପଡିଲା ବିଜେପି କଳି। କଟକ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକରେ ହାତାହାତି ହୋଇଛନ୍ତି ବିଜେପି କର୍ମୀ। ବାରଙ୍ଗ ଆରା ମଣ୍ଡପରେ ବିଜେପି କର୍ମୀଙ୍କ ଭିତରେ ହାତାହାତି ହୋଇଛି। ମହାଙ୍ଗା ସ୍ଵାଧୀନ ବିଧାୟକ ସାରଦା ପ୍ରଧାନଙ୍କର ବ୍ୟାନରରେ ଫଟୋ ମାରିବାକୁ କେନ୍ଦ୍ର କରି ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି। ମହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ସମର୍ଥକ ବିରୋଧ କରି ଫଟୋ ଉପରେ ଛକି ପକାଇବାକୁ ଯିବା ବେଳେ ତୁଷାର ଚକ୍ରବର୍ତ୍ତି ଓ ଅଭୟ ବାରିକଙ୍କ ସମର୍ଥକମାନେ ଧକ୍କା ମାରିଥିଲେ। ଏହି ସମୟରେ ମାହାଙ୍ଗା ଯୁବମୋର୍ଚ୍ଚାର ବିପ୍ର ପ୍ରସାଦ ଦାସ ଓ ବିକାଶ ସ୍ୱାଇଁଙ୍କ ମୁହଁ ଫାଟିଥିଲା। ଦିନକୁ ଦିନ ମାହାଙ୍ଗା ବିଜେପିରେ କଳି ଉଗ୍ର ରୂପ ନେବାରେ ଲାଗିଛି।

ସୋସିଆଲ ମିଡିଆରେ ଗୁଜବକାରୀଙ୍କୁ କଡ଼ା ଜବାବ ଦେଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: କଣ୍ଟାବାଞ୍ଜି ଓ ହିଞ୍ଜିଳିରୁ ନିର୍ବାଚନ ଲଢ଼ିବା ନେଇ ମୁହଁ ଖୋଲିଲେ ନବୀନ। ସୋସିଆଲ ମିଡିଆରେ ଗୁଜବକାରୀଙ୍କୁ କଡ଼ା ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି। ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ। ଏପରି ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭଲ ଭାବେ ଚିହ୍ନି ସାରିଲେଣି ଓଡ଼ିଶାବାସୀ। ମହାପ୍ରଭୁ ଜଗନ୍ନାଥ ଏହି ଅପପ୍ରଚାରକାରୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା। ଆମେରିକାର ହଷ୍ଟନରେ ହେବାକୁ ଥିବା ରଥଯାତ୍ରାକୁ ବାତିଲ କରିଛି ଇସ୍କନ। କହିଛି, ରଥଯାତ୍ରା ବଦଳରେ ଗୌର ନିତାଇ ସଙ୍କୀର୍ତ୍ତନ ଯାତ୍ରା କରାଯିବ। ଏନେଇ ସୂଚନା ଦେଇଛନ୍ତି ଇସ୍କନର ରାଷ୍ଟ୍ରୀୟ ଜନସମ୍ପର୍କ ନିର୍ଦ୍ଦେଶକ ଯୁଧିଷ୍ଠିର ଗୋବିନ୍ଦ ପ୍ରଭୁ। ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇ ରଥଯାତ୍ରା ବଦଳରେ ସଙ୍କୀର୍ତ୍ତନ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଦିନିଆ ରଥଯାତ୍ରା ବାତିଲ କରିବା ନେଇ ପୁରୀ ଗଜପତି ମହରାଜ ଇସ୍କନକୁ ଚରମବାଣୀ ଶୁଣାଇଥିଲେ। ଯଦି ଇସ୍କନ କର୍ତ୍ତୃପକ୍ଷ ନିଷ୍ପତ୍ତି ପରିବର୍ତ୍ତନ ନକରନ୍ତି, ତେବେ ଆଇନଗତ ଲଢ଼େଇ କରାଯିବ ବୋଲି କହିଥିଲେ ଗଜପତି। ଏପରିକି ଜଗନ୍ନାଥ ପ୍ରେମୀ ମଧ୍ୟ ଇସ୍କନର ଏହି ନିଷ୍ପତ୍ତିକୁ ବିରୋଧ କରିବାକୁ ଆହ୍ବାନ ଦେଇଥିଲେ ଗଜପତି ମହାରାଜ।

ଲମତାପୁଟ: ସ୍ବାମୀ ସାମନାରେ ସ୍ତ୍ରୀକୁ ହତ୍ୟା ଘଟଣା : ତଦନ୍ତରୁ ଜଣା ପଡ଼ିଲା ସ୍ବାମୀର ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ସସପେନ୍ସ ଉପରୁ ପରଦା ହଟାଇଲା କୋରାପୁଟ ନନ୍ଦପୁର ପୋଲିସ । ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଗୁମର ଖୋଲିବାରେ ପୋଲିସ ସମର୍ଥ ହୋଇଛି । ମୁଖ୍ୟଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା ସହ ଦୁଇ ସହଯୋଗୀକୁ ଗିରଫ କରିଛି ପୋଲିସ । ମାଳିଖୁଡିବି ଗାଁର ମହେଶ ମାଳି ଏବଂ ସୋମନାଥ ଭୋଇକୁ ଗିରଫ କରିଛି ପୋଲିସ  l ଏମାନେ ୮ ଦିନ ପୂର୍ବରୁ ସାବିଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ l ଗତକାଲି ହତ୍ୟା କରିବା ପରେ ଲୁଟର ଅଭିନୟ କରି ନିଜକୁ ଗଛରେ ବାନ୍ଧି ଘଟଣାକୁ ଚାପିଦେବା ପ୍ଲାନ କରିଥିଲା ମୁଖ୍ୟଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା। କୋରାପୁଟ ନନ୍ଦପୁର ଥାନା କୁମାର ଗାନ୍ଧଣା ଗ୍ରାମ ପଂଚାୟତ ହାରିଆମୁଣ୍ଡା ଗାଁରେ ଗତକାଲି ଘଟିଥିଲା ଏହି ବର୍ବରକାଣ୍ଡ  l ସୋମବାର ସକାଳୁ ସୁଭଦ୍ରା ଯୋଜନାରେ  ଆଧାର ଅପଡେଟ କରିବାକୁ ସ୍ବାମୀ ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କେନ୍ଦ୍ରକୁ ଆସିଥିଲେ l ଆଧାର କେନ୍ଦ୍ରରେ କାମ ସାରି ବାଇକରେ ଘରକୁ ଫେରୁଥୁବା ସମୟରେ  ରାସ୍ତାକଡ଼ରେ କିଛି ଯୁବକ ଆଗରୁ ଛିଡା ହୋଇ ରହିଥିଲେ। ଦୁର୍ବୃତ୍ତମାନେ ସ୍ବାମୀ-ସ୍ତ୍ରୀଙ୍କୁ ଅକସ୍ମାତ ଠେଙ୍ଗାରେ ପିଟି ଥିଲେ । ପରେ ସ୍ବାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ସମସ୍ତ ଘଟଣା ଉପରୁ ପରଦା ହଟାଇ ସତ ପଦାକୁ ଆଣିଛି ନନ୍ଦପୁର ପୋଲିସ । ଘଟଣାରେ ସ୍ବାମୀର ମୁଖ୍ୟ ଭୂମିକା ବୋଲି ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି ।

କିଏ ହେବେ ଓଡ଼ିଶା ପିସିସି ସଭାପତି ?

ନନ୍ଦିଘୋଷ ବ୍ୟୁରୋ: କିଏ ହେବେ ଓଡ଼ିଶା ପିସିସି ସଭାପତି। ସରିଛି ଚୟନ ପ୍ରକ୍ରିୟା। ଏଆଇସିସି ଦ୍ବାରା ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ ଶୁଣିଛନ୍ତି ନେତାଙ୍କ ପ୍ରସ୍ତାବ। ଖୁବଶୀଘ୍ର ହାଇକମାଣ୍ଡଙ୍କୁ ରିପୋର୍ଟ ଦେବା ସହ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ। ତେବେ ରେସରେ ଦୁଇ ବରିଷ୍ଠ ନେତା ଭକ୍ତଚରଣ ଦାସ ଓ ମହମ୍ମଦ ମୋକିମଙ୍କ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାହା ମୁଣ୍ଡରେ ହାଇକମାଣ୍ଡ ସୁନା କଳସ ଢାଳିବେ ତାହାକୁ ଅପେକ୍ଷା କରିଛନ୍ତି ରାଜ୍ୟ କଂଗ୍ରେସ ନେତା ଓ କର୍ମୀ।

ସରିଲା ମାନସ ମଂଥନ, ଆସିଲା ନାଁ । ନେତା ବି କହିଲେ ମୁଖିଆ କେମିତି ହେବା ଦରକାର। ରେସର ଆଗରେ ଭକ୍ତ ଓ ମୋକିମ । ପର୍ଯ୍ୟବେକ୍ଷକଙ୍କ ରିପୋର୍ଟରେ ହାଇକମାଣ୍ଡ ମାରିବେ ମୋହର । କଂଗ୍ରେସ ନେତା ଭକ୍ତ ଚରଣ ଦାସ  କିମ୍ବା ମହମ୍ମଦ ମୋକିମ । ଏହି ଦୁଇ ନେତାଙ୍କ ମଧ୍ୟରୁ ଜଣେ ଧରିବେ ଓଡ଼ିଶା କଂଗ୍ରେସ ମଙ୍ଗ । ଏଆଇସିସି ଦ୍ବାରା ନିଯୁକ୍ତ  ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ ଓ ମିନାଷୀ ନଟରାଜନ ଓଡ଼ିଶା ନେତାଙ୍କ ଠାରୁ ମୁଖୀଆ ଚୟନ ମତ ନେଇ ଫେରିବା ପରେ କଂଗ୍ରେସ ଅନ୍ଦର ମହଲରେ ଏଲହି ଦୁଇନେତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ।

ବିଧାୟକ ତାରା ପ୍ରସାଦ ବାହୀନପତୀ ଖୋଲାଖୋଲି ଭାବେ ଭକ୍ତ ଚରଣ ଦାସଙ୍କୁ ପରବର୍ତ୍ତୀ ପିସିସି ସଭାପତି କରିବାକୁ ଚୟନ କମିଟି ସଦସ୍ୟକୁ ପ୍ରସ୍ତାବ ଦେଇଛନ୍ତି । ତାରାଙ୍କ ସହ ଅଧିକାଶ ବିଧାୟକ ଓ ନେତାଙ୍କ ପ୍ରସ୍ତାବ ବି ଭକ୍ତ ଦାସଙ୍କୁ ପିସିସି ସଭାପତି କରିବା ସପକ୍ଷରେ ପ୍ରସ୍ତାବ ଦେଇଛନ୍ତି । ଦିଲ୍ଳୀରେ ମଧ୍ୟ ଭକ୍ତଙ୍କ ଦବଦବା ଥିବାରୁ ପିସିସି ସଭାପତି ରେସରେ ସେ ଅଧିକ ଶକ୍ତିଶାଳୀ ହୋଇଛନ୍ତି । ଅନ୍ୟପଟେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା  ଲାଗି ମଧ୍ୟ  ଅନ୍ୟଲକ ଗୋଷ୍ଠୀ ଜୋରଦାର ପ୍ରସ୍ତାବ ଦେଇଛନ୍ତି ଚୟନ କମିଟି ପାଖରେ ।  ପିସିସି ରେସରେ ଆଗରେ ଥିବା ଦୁଇନେତା ଭକ୍ତ ଚରଣ ଦାସ ଓ  ମହମ୍ମଦ ମୋକିମ କିନ୍ତୁ କହିଛନ୍ତି ହାଇକମାଣ୍ଡ ସଭାପତି ଦାୟିତ୍ବ ନେଇ  ଯାହା ନିଷ୍ପତି ନେବେ ।   ଆମେ କଂଗ୍ରେସ ପାଇଁ କାମ କରୁଛୁ ।

ବରିଷ୍ଠ ନେତା ଭକ୍ତ ଚରଣ  ଦାସ  ଦଳର ବରିଷ୍ଠ ନେତା ସହ ବିଭିନ୍ନ ରାଜ୍ୟର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇ ଆସିଛନ୍ତି ।  ଜଣେ ଆଦିବାସୀ ଚେହେରା। ସେହିପରି ସଂଖ୍ୟାଲଘୁ ସମ୍ପଦ୍ରାୟର ସହ କଂଗ୍ରେସର ସଙ୍କଟ ସମୟରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ହାଇକମାରଣ୍ଡ ଦେଇଥିବା ଦାୟିତ୍ବକୁ ସଫଳତାର ସହ ତୁଲାଇଛନ୍ତି । ଯୁବ ଚେହେରା ଭାବରେ ତାଙ୍କ ଦଳ ଭିତରେ ଦବଦବା ବି କିଛି କମ ନାହିଁ । ଦଳରି ବରିଷ୍ଠ ନେତାମାନେ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ  ଭକ୍ତ ଚରଣ ଦାସ ଓ ମହମ୍ମଦ ମୋକିମ ଯିଏ ବି ପିସିସି ସଭାପତି ହୁଅନ୍ତୁ ଆମେ ତାଙ୍କୁ ସହଯୋଗ କରିବୁ ।ସେହିପରି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଛନ୍ତି ହାଇକମାଣ୍ଡ ଚୁଡ଼ାନ୍ତ ନିଷ୍ପତି ନେବ ।

୨୪ ବର୍ଷ ଭିତରେ ଓଡ଼ିଶା କଂଗ୍ରେସ ୬ଜଣ ପିସିସି ସଭାପତି  ପାଇଛି । ହେଲେ ଦଳର ଭୋଟ ପ୍ରତିଶତ ୩୩ ପ୍ରତିଶତରୁ ହ୍ରାସ ପାଇଁ ୧୩ ପ୍ରତିଶତରେ ପହଞ୍ଚିଛି । ଓଡ଼ିଶା କଂଗ୍ରେସର ଏପରି ସଙ୍କଟ ପରିସ୍ଥିତିରେ ଭକ୍ତ ନାଁ ମୋକିମ କିଏ ସଂଞ୍ଜିବନୀ ଦେଇ କଂଗ୍ରେସକୁ ଓଡ଼ିଶାରେ ଶକ୍ତିଶାଳୀ କରିବେ ସେ ଚିନ୍ତାରେ ହାଇକମାଣ୍ଡ ।

 

ଆସିଲା ବାତ୍ଯା ଦାନା କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଆସିଲା ବାତ୍ଯା ଦାନା କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ । ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହାଜର ଟଙ୍କା କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ବ୍ଲକ ଭିତରୁ ୧୩୧ଟି ପ୍ରଭାବିତ ହୋଇଛି । ୧୧ ହଜାର ୬୩୭ ଗାଁ ପ୍ରଭାବିତ ହୋଇଛି । ୪୧ ଲକ୍ଷ ୪ ହଜାର ଲୋକ ପ୍ରଭାବିତ ହୋଇଥିଲେ । ୩୬୨୯୩୫.୩୭ ହେକ୍ଟର ଜମି ପ୍ରଭାବିତ ହୋଇଛି । ଫସଲ ପ୍ରଭାବିତ ଅଞ୍ଚଳ ୧୭୨୩୫୬.୮୧ ହେକ୍ଟର ଜମି । ୮୨୯୨.୮୨ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ କ୍ଷତି ପୂରଣ ଇନପୁଟ ସବସିଡି ଭିତରକୁ ଆସିବ । ୮୭୮୫୫.୪୭ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି  । ୮୨ କୋଟି ୯୨ ଲକ୍ଷ ୮୨ ହଜାର ଟଙ୍କାର ଫସଲ ନଷ୍ଟ । ୧୬୪୧୭ ଘର ଆଂଶିକ ବା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତି ହୋଇଛି । କୃଷି, ଶକ୍ତି, ପଞ୍ଚାୟତିରାଜ, ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ ବିଭାଗର କ୍ଷତି ହୋଇଛି । ଏହି ସବୁ ବିଭାଗରେ ୫୧୨ କୋଟି ୨୬ ଲକ୍ଷ ୧୬ ହଜାର ଟଙ୍କା କ୍ଷତି ହୋଇଛି । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୩ କୋଟି ୭୩ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ମୋଟ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଗୁଡ଼ିକୁ କ୍ଷତି ପୂରଣ ରାଶି ଯିବ । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।