ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଆଇନ ଅଫିମ ଚାଷ ଉପରେ ପୋଲିସର ମିଳିତ ଚଢ଼ାଉ। ଯଶିପୁର ଥାନା ଗୋପୀନାଥପୁର ଗାଁରେ ଚାଲିଥିଲା ବେଆଇନ ଅଫିମ ଚାଷ । ବିଶେଷ ସୂତ୍ରରୁ ଖବର ପାଇ ଯଶିପୁର ପୋଲିସ, ବନବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏକ ଏକରରୁ ଉର୍ଦ୍ଧ ଜାଗାରେ ହୋଇଥିବା ଦେଢ଼ କୋଟିରୁ ଅଧିକ ଟଙ୍କାର ଅଫିମ ଗଛକୁ ନଷ୍ଟ କରାଯାଇଛି । ପୂର୍ବରୁ ମଧ୍ୟ ଏଭଳି ଅଫିମ ଚାଷ ନଷ୍ଟ କରିଛି ପ୍ରଶାସନ l ଘଟଣାରେ ଯଶିପୁର ଥାନାରେ NDPS ଆଇନ ଧାରା ୧୮ ଅନୁଯାୟୀ ୧୧ ଓ ୧୨ ଦୁଇଟି ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ଓ ଅବୈଧ ଅଫିମ ଚାଷ ସହିତ ଜଡିତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କରଞ୍ଜିଆ SDPO ସୂଚନା ଦେଇଛନ୍ତି।
ବ୍ୟବସାୟୀ ବଳରାମ ସାହାଣୀ ନିଖୋଜ ଘଟଣା: ଦ୍ୱିତୀୟ ଦିନରେ ଗାର୍ଲଫ୍ରେଣ୍ଡକୁ ମାରାଥନ ଜେରା
ବ୍ୟବସାୟୀ ବଳରାମ ସାହାଣୀ ନିଖୋଜ ଘଟଣା। ଦ୍ୱିତୀୟ ଦିନରେ ଗାର୍ଲଫ୍ରେଣ୍ଡକୁ ମାରାଥନ ଜେରା। ପୋଲିସ ହାତରେ ବଡ଼ ସୁରାଗ। ଶେଷ ଦିନ ରିମାଣ୍ଡରେ ପ୍ରେମିକା ଦେଇଛି ଚାଞ୍ଚଲ୍ୟକର ସୁରାଗ। ନିଶା କାରବାରକୁ ନେଇ ଘଟିଛି ଅଘଟଣ। ସାତ ବର୍ଷ ତଳର ପ୍ରେମ ପ୍ରତାରଣାରୁ ଅପହରଣର ସଙ୍ଗୀନ କାହାଣୀ । ୨୦୧୯ରେ ବ୍ୟବସାୟୀ ବଳରାମ ସାହାଣି ଅପହରଣ ମାମଲାରେ ସାଙ୍ଘାତିକ ଟୁଇଷ୍ଟ। ଅପହରଣ ପଛରେ ସମ୍ପୃକ୍ତ ଥିବା ଗାର୍ଲଫ୍ରେଣ୍ଡ ରଶ୍ମିତା ସ୍ବାଇଁଙ୍କୁ ରିମାଣ୍ଡରେ ନେଇ ଝାଳବୁହା ଜେରା କରୁଛି ପୋଲିସ। ରିମାଣ୍ଡରେ ନେଇ ସାତ ବର୍ଷ ତଳର ଲଭ ଷ୍ଟୋରୀରୁ ହେଟ ଷ୍ଟୋରି ସତ କାଢିବାକୁ ଚେଷ୍ଟା କରୁଛି ପୋଲିସ୍। ସେପଟେ ତଦନ୍ତ ବେଳେ ବଳରାମ ସାହାଣୀ ସମ୍ପର୍କରେ ଅନେକ ସୂଚନା ମିଳିଛି। ବଳରାମ ବିବାହିତ ଥିଲେ।
୨୦୧୯ ମସିହା ବେଳକୁ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ। ବାପା ଭରତପୁର ଅଞ୍ଚଳରେ ମାଛ ବ୍ୟବସାୟ କରୁଥିଲେ। ମା’ ବାପାଙ୍କୁ ବ୍ୟବସାୟରେ ସାହାଯ୍ୟ କରୁଥିଲେ। ବଳରାମ କେନ୍ଦ୍ରାପଡାର ହୋଇଥିବା ବେଳେ ସପରିବାର ଚନ୍ଦକା SOG କ୍ୟାମ୍ପ ନିକଟରେ ଭଡାରେ ରହୁଥିଲେ। ଠିକ ଏହି ସମୟରେ ରଶ୍ମିତାଙ୍କ ସହ ତାଙ୍କର ପରିଚୟ ହେଲା। ରଶ୍ମିତା ଭୁବନେଶ୍ୱର ଡେ଼ଲ୍ଟା ଛକ ନିକଟରେ ରହୁଥିଲେ। ଗଞ୍ଜେଇ ବେପାର କରୁଥିଲେ। ଧୀରେ ଧୀରେ ରଶ୍ମିତାଙ୍କ ସହ ତାଙ୍କର ନିବିଡ଼ତା ବଢିଥିଲା। ଯେଉଁଥିପାଇଁ ବିଭିନ୍ନ ବାହାନା କରି ବଳରାମ ରଶ୍ମିତାଙ୍କ ପାଖରେ ରାତି ବିତାଉଥିଲେ। କିନ୍ତୁ ହଠାତ ବଳରାମ ନିଖୋଜ ହେବା ପରେ ପରିବାର ୨୦୧୯ରେ ଚନ୍ଦକା ଥାନାରେ ଏକ ମାମଲା ରୁଜୁ କରିଥିଲା। ୭ ବର୍ଷ ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ ରେ ପୁଣି ରିଓପନ ହୋଇଛି କେସ। ଘଟଣାରେ ବଳରାମଙ୍କ ଗାର୍ଲଫ୍ରେଣ୍ଡକୁ ପନ୍ଦର ଦିନ ତଳେ ଗଞ୍ଜାମରୁ ଗିରଫ କରିଥିଲା ପୋଲିସ। ଏବେବି ନିଖୋଜ ବ୍ୟବସାୟୀଙ୍କର କୌଣସି ପତ୍ତା ମିଳିନି।
କୁଚିଣ୍ଡା ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସ୍ତରୀୟ ସାଙ୍ଗଠନିକ ସମୀକ୍ଷା ବୈଠକ
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସ୍ତରୀୟ ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲା ସଭାପତି ରୋହିତ ପୂଝାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ଜ଼ିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଟପ୍ପୋ, ଅଜିତ ମହାପାତ୍ର,ବିଜେଡିର ବରିଷ୍ଟ ପଦାଧିକାରୀ ଓ ଦଳୀୟକର୍ମୀ ଉପସ୍ଥିତ ଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଅସୁବିଧା ପାଉଥିବା ଲୋକଙ୍କୁ ନେଇ ବିଜେଡି ସଂଗଠିତ ହେଵା ସହିତ ଆନ୍ଦୋଳନ ମାଧ୍ୟମରେ କର୍ମୀଙ୍କୁ ଏକଜୁଟ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା। ନିର୍ବାଚନ ସମୟରେ ବିଜେପି ଦେଇଥିବା ମିଥ୍ୟା ପ୍ରତିଶୃତି ଲୋକଲୋଚନକୁ ଆଣିବା ସହ ଆଗାମୀ ଦିନରେ ଦଳୀୟକର୍ମୀଙ୍କୁ ଏକତ୍ରିତ କରି ବିଜେଡିକୁ ଆହୁରି ମଜଭୁତ କରିବା ନେଇ ଆଲୋଚନା ହୋଇଥିଲା।

