ଲକ୍ଷ୍ନୌ : ଆଲିଗଡ ମୁସଲିମ ୟୁନିଭର୍ସିଟିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହି ବିଶ୍ବବିଦ୍ୟାଳୟର ସଂଖ୍ଯାଲଘୁ ମାନ୍ଯତା ବଳବତ୍ତର ରହିବ ବୋଲି କହିଛନ୍ତି ଅଦାଲତ। ଏହି ବିତର୍କିତ ମାମଲାର ଶୁଣାଣି ଲାଗି ଗଠିତ ୭ଜଣିଆ ଖଣ୍ଡପୀଠ ମଧ୍ଯରୁ ୪ ଜଣ ବିଚାରପତି ସଂଖ୍ଯାଲଘୁ ମାନ୍ଯତା ସପକ୍ଷରେ ରାୟ ଦେଇଥିବାବେଳେ ୩ ବିଚାରପତି ବିରୋଧରେ ମତ ଦେଇଥିଲେ। ୧୯୬୭ରେ ଏସଂକ୍ରାନ୍ତ ଏକ ମାମଲାର ବିଚାର କରି ନିଜେ ସୁପ୍ରିମକୋର୍ଟ ଏହି ବିଶ୍ବବିଦ୍ୟାଳୟକୁ ସଂଖ୍ଯାଲଘୁ ମାନ୍ଯତା ଦିଆଯାଇପାରିବ ନାହିଁ ବୋଲି ଦର୍ଶାଇଥିଲେ। ତେବେ ଆଜି ସେହି ପୁରୁଣା ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ସଂଖ୍ଯାଲଘୁ ମାନ୍ଯତା ପ୍ରସଙ୍ଗରେ ଆଜିଜ ବେଶା ବନାମ କେନ୍ଦ୍ର ସରକାର ମାମଲାରେ ୧୯୬୭ରେ ସୁପ୍ରିମକୋର୍ଟ ଦର୍ଶାଇଥିଲେ- ଏକ ଷ୍ଟାଚ୍ଯୁଟ ଅନୁସାରେ ଗଠିତ ବିଶ୍ବବିଦ୍ୟାଳୟକୁ ସଂଖ୍ଯାଲଘୁ ମାନ୍ଯତା ପ୍ରଦାନ କରାଯାଇପାରିବ ନାହିଁ। ପ୍ରଧାନବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଜେ.ବି. ପାର୍ଦ୍ଦିୱାଲ ପ୍ରସ୍ତାବ ସପକ୍ଷରେ ରାୟ ଦେଇଥିବାବେଳେ ବିରୋଧରେ ରାୟ ଦେଇଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତ ଓ ଏସ.ସି. ଶର୍ମା।
ଅନ୍ତର୍ଜାତୀୟ ଲେଖକ ସଲମାନ ରୁସିଦଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଲେଖକ ସଲମାନ ରୁସିଦଙ୍କ ଲିଖିତ ବିବାଦୀୟ ଉପନ୍ୟାସ ଦ ସାଟାନିକ ଭର୍ସେସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ । ତତକାଳୀନ ରାଜୀବ ଗାନ୍ଧି ସରକାର ୧୯୮୮ରେ ଏହି ପୁସ୍ତକର ଆମଦାନି ଉପରେ କୌଣସି କଟକଣା ଲାଗୁ କରିବାର ପ୍ରମାଣ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । କଟକଣା ସଂକ୍ରାନ୍ତରେ ଯଥାର୍ଥ ବିଜ୍ଞପ୍ତି ଦାଖଲ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ସେପରି କୌଣସି କଟକଣା ଜାରି ହୋଇନାହିଁ ବୋଲି କହିଛନ୍ତି କୋର୍ଟ ।
ଫଳରେ ଏହି ତଥାକଥିତ ନିଷେଧାଦେଶ ବିରୋଧରେ ଆଗତ ଏକ ପିଟିସନକୁ ବନ୍ଦ କରିଛନ୍ତି ଅଦାଲତ । ଜଷ୍ଟିସ ରେଖା ପାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ପିଟିସନ ଅଯଥାର୍ଥ ଏବଂ ପିଟିସନରକାରୀ ଆଇନ ଅନୁସାରେ ହିଁ କୌଣସି ପଦକ୍ଷେପ ନେଇପାରିବେ । ୧୯୮୮ରେ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବୁକର ପ୍ରାଇଜ ବିଜେତା ଏହି ପୁସ୍ତକକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିଲେ ।
ଈଶ୍ବର ନିନ୍ଦା ଦର୍ଶାଇ ସାରା ବିଶ୍ବରେ ଏହି ପୁସ୍ତକ ବିରୋଧରେ ମୁସଲିମ ସମ୍ପ୍ରଦାୟ ସ୍ବର ଉତ୍ତୋଳନ କରିଥିଲେ । ୧୯୮୮ ଅକ୍ଟୋବର ୫ରେ କେନ୍ଦ୍ର ପରୋକ୍ଷ କର ଓ ଶୁଳ୍କ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ପୁସ୍ତକର ଆମଦାନି ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ସେ ପୁସ୍ତକ ଆମଦାନି କରିପାରୁନାହାନ୍ତି ବୋଲି ଅଭିଯୋଗ କରି ଏହା ବିରୋଧରେ ସନ୍ଦୀପନ ଖାନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ନିଷେଧାଦେଶ ସଂକ୍ରାନ୍ତ କୌଣସି ବିଜ୍ଞପ୍ତି ଉପଲବ୍ଧ ହୋଇପାରି ନଥିଲା । ଏନେଇ ୨୦୧୯ରେ ସେ କୋର୍ଟରେ ପିଟିସନ ଫାଇଲ କରିଥିଲେ । ଏହା ସହ ଏହି ବହି ଆମଦାନି ଲାଗି ତାଙ୍କୁ ଅନୁମତି ଦିଆଯାଉବୋଲି ଆବେଦନ କରିଥିଲେ ।
ଜାମମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ
ଶ୍ରୀନଗର: ଜାମମୁ କାଶ୍ମୀରରେ ସେନାର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ସୋପୋର ଅଂଚଳରେ ଏବେବି ଚାଲିଛି ସୁରକ୍ଷାକର୍ମୀଙ୍କ ଅପରେସନ। ଆତଙ୍କୀମାନଙ୍କ ଠାରୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଆଉ କିଛି ଆତଙ୍କୀ ଲୁଚିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ।
ସୋପୋର ପାନୀପୋରା ଅଂଚଳରେ ଆସି ଲୁଚିଥିଲେ ଏହି ଆତଙ୍କୀ । ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ଖବର ପରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ। ଆତଙ୍କୀଙ୍କ ନିକଟରେ ସୁରକ୍ଷାକର୍ମୀ ପହଞ୍ଚିବା ପରେ ଗୁଳିମାଡ଼ କରିଥିଲେ ଆତଙ୍କୀ। ଏହାର କଡ଼ା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ଆତଙ୍କୀଙ୍କ ଚିହ୍ନଟ ହୋଇପାରିନାହିଁ। ଆତଙ୍କୀଙ୍କୁ ନିପାତ କରିବାତୁ ସେନା ପକ୍ଷରୁ ଜୋରଦାର ଅଭିଯାନ ଚାଲିଛି।
ଜମ୍ମୁ କାଶ୍ମୀର ବିଧାନସଭାରେ ପୁଣି ହଙ୍ଗାମା, ଟେବୁଲ ଉପରେ ଚଢି ହୋହାଲ୍ଲା
ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବିଧାନସଭାରେ ନାହିଁ ନଥିବା ସ୍ଥିତି। ଧାରା ୩୭୦କୁ ନେଇ ବିଧାନସଭାରେ ଗତକାଲି ହଙ୍ଗମା ସୃଷ୍ଟି ହୋଇଥିବାବେଳେ ଆଜି ପୁଣି ସେହି ଅବସ୍ଥା ଅଧିକ ଉଗ୍ର ହୋଇଛି। ଶାସକ ଓ ବିରୋଧୀ ବିଧାୟକ ଗୃହ ଭିତରେ ହାତାହାତି ହେବା ସହ ଧକ୍କା ମାରିବା ଦେଖାଯାଇଛି। ଏପରିକି କିଛି ବିଧାୟକ ଟେବୁଲ ଉପରେ ଚଢି ହଙ୍ଗାମା କରିଛନ୍ତି।
ବାଚସ୍ପତି ବି କିଛି କରିବା ଅବସ୍ଥାରେ ନଥିବା ଦେଖାଯାଉଛି। ଜମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ଯତା ଦେବା ସଂକ୍ରାନ୍ତରେ ନିର୍ବାଚିତ ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଗତ ୬ ତାରିଖରେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହି ପ୍ରସ୍ତାବ ପ୍ରତ୍ଯାହାର ନହେବା ଯାଏ ଗୃହ କାର୍ଯ୍ୟ ଚଳାଇଦିଆଯିବ ନାହିଁ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ। ଏହାକୁ ନେଇ ତିନି ଦିନ ଧରି ଚାଲିଛି ହଟ୍ଟଗୋଳ।
ବିଗତ ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଥିଲା। ଏହି ଧାରାକୁ ପୁନଃଲାଗୁ ନିମନ୍ତେ ନ୍ଯାସନାଲ କନଫରେନ୍ସ ଦାବି କରିବା ସହ ମୁଖ୍ଯ ନିର୍ବାଚନ ପ୍ରସଙ୍ଗ କରିଥିଲା। ବିଧାନସଭା ପରି ପବିତ୍ର ଗୃହରେ ବିଧାୟକଙ୍କ ଏପରି କାଣ୍ଡ ଦେଶରେ ସାମ୍ବିଧାନିକ ବ୍ଯବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଇକୋଟୁରିଜିମ୍ରୁ ସାଢେ ୭ ଫୁଟର କୁମ୍ଭୀର ଉଦ୍ଧାର
ବାଲେଶ୍ବର: ବିଚିତ୍ରପୁର ଇକୋଟୁରିଜିମରୁ ସାଢ଼େ ୭ ଫୁଟର କୁମ୍ଭୀର ଉଦ୍ଧାର। ବିଳମ୍ବିତ ରାତିରେ ବନବିଭାଗର ୩୦ ଜଣିଆ ଟିମ୍ କୁମ୍ଭୀରଟିକୁ ଉଦ୍ଧାର କରିଛି। ଗତ କାଲି ମଧ୍ୟାହ୍ନରେ ହେନ୍ତାଳ ବଣ ଭିତରେ କୁମ୍ଭୀର ଦେଖିଥିଲେ ମତ୍ସ୍ୟଜୀବୀ ।
ଏନେଇ ବନବିଭାଗକୁ ଖବର ଦେଇଥିଲେ। କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ ଭିତର କନିକାର ରେସ୍କ୍ୟୁ ଟିମ୍, ଉଦୟପୁର ଫରେଷ୍ଟର, ଜଳେଶ୍ଵର ରେଞ୍ଜର ଓ ସବୁଜ ବାହିନୀ ଜାଲ ଲଗାଇ ଖୋଜା ଖୋଜି କରିଥିଲେ। କୁମ୍ଭୀରକୁ ଉଦ୍ଧାର ପରେ ଭିତର କନିକାକୁ ସ୍ଥାନାନ୍ତର କରାଯାଇଛି । ବଉଳା ପ୍ରଜାତିର କୁମ୍ଭୀରଟି ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଦାନା ପ୍ରଭାବରେ ଚାଲିଆସିଥିବା ଅନୁମାନ କରାଯାଉଛି।
ପୁଣି ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ
ମୁମ୍ବାଇ: ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ଯା ଧମକ।ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଆସିଛି ଏହି ଧମକପୂର୍ଣ୍ଣ ଫୋନକଲ। ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଛି ଏହି ଧମକପୂର୍ଣ୍ଣ ଫୋନକଲ। ଏହାପରେ ବର୍ଲି ଥାନାରେ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ସଲମାନଙ୍କୁ ହତ୍ଯା କରିବାକୁ ନେଇ ଏହା ଚତୁର୍ଥ ଧମକପୂର୍ଣ୍ଣ ଫୋନକଲ। ପୂର୍ବରୁ ସଲମାନଙ୍କ ଉଦ୍ଦେଶ୍ୟରେ ଧମକ ଦେଇଥିବା ବିକ୍ରମ ନାମକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ବିକ୍ରମକୁ କର୍ଣ୍ଣାଟକରୁ ଗିରଫ କରିଥିଲା ପୋଲିସ। ବିକ୍ରମ ଫୋନ କରି ୫ କୋଟି ଟଙ୍କା ଦେବାକୁ ଧମକ ଦେଇଥିଲା।
ବିଷ୍ଣୋଇ ସମୁଦାୟ ମନ୍ଦିରକୁ ଯାଇ କୃଷ୍ଣସାର ମୃଗ ଶିକାର ଘଟଣାରେ ଭୁଲ ମାଗିବାକୁ ଦାବି କରିଥିଲା ବିକ୍ରମ। ଗତକାଲି ଶାହରୁଖ ଖାନଙ୍କୁ ହତ୍ଯା କରିବାକୁ ମଧ୍ୟ ପୋଲିସକୁ ଆସିଥିଲା ଫୋନକଲ। ମୁମ୍ବାଇ ବାନ୍ଦ୍ରା ପୋଲିସକୁ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ଛତିଶଗଡ଼ ରାୟପୁରରୁ ଆସିଥିଲା ଏହି ଫୋନକଲ।

