spot_img
Home Blog Page 1440

୭ ଦିନର ବିବାଦ ପରେ ମଣ୍ଡପ ଆଗରୁ ହଟିଲା ବାଲି, ବିସର୍ଜନ ହେଲେ ମାଆ ଦୁର୍ଗା

ଯାଜପୁର: ମଣ୍ଡପ ସାମ୍ନାରୁ ବାଲି ହଟିବା ପରେ ମାଆ ଦୁର୍ଗାଙ୍କର ହେଲା ବିସର୍ଜନ । ଯାଜପୁର ଟାଉନ୍ ଥାନା ରାମବାଗ ଦୂର୍ଗା ପୂଜା ମଣ୍ଡପରେ ପୂଜା ପରେ ମାଆଙ୍କର ବିସର୍ଜନ ହୋଇପାରି ନଥିଲା । ସାମାନ୍ୟ ଜାଗା ବିବାଦ ପାଇଁ ମଣ୍ଡପ ସାମ୍ନାରେ ବାଲି ଥିବାରୁ ମାଆଙ୍କର ବିସର୍ଜନ ହୋଇପାରି ନଥିଲା । ଘଟଣାକୁ ନେଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ମାଆଙ୍କୁ ଯଥା ଶୀଘ୍ର ପାଣିରେ ପକାଯାଉ ବୋଲି ଦାବି ହୋଇଥିଲା ।

ଶେଷରେ ପ୍ରଶାସନ ମଣ୍ଡପ ସାମ୍ନାରୁ ବାଲି ହଟାଇ ମାଆଙ୍କୁ ବିସର୍ଜନ କରାଇବାକୁ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଯାଜପୁର ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ କ୍ରମେ ଜେସିପି ସାହାଯ୍ୟରେ ବାଲିକୁ ଉଠାଯାଇ ମାଆଙ୍କର ବସର୍ଜନ କରାଯାଇଛି । ଦୀର୍ଘ ୭ ଦିନ ପରେ ଶାନ୍ତି ଶୃଙ୍ଖଳାର ସହ ମାଆଙ୍କର ବିସର୍ଜନ ହୋଇଛି ।

ଆସୁଛି ବାତ୍ୟା ‘ଦାନା’: ପ୍ରଶାସନର ପ୍ରସ୍ତୁତି, ଚିନ୍ତାରେ ଚାଷୀ

ଭୁବନେଶ୍ବର: ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’ । ଭାରତୀୟ ପାଣିପାଗ ବିଭାଗ ଏହା ସ୍ପଷ୍ଟ କରିବା ପରେ ସାରା ରାଜ୍ୟରେ ବାତ୍ୟାକୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିରେ ଲାଗିଛନ୍ତି । ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାର ଜିଲ୍ଲା ପ୍ରଶାସନ ମଧ୍ୟ ବାତ୍ୟା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାରି ଭିତରେ ସାଧାରଣ ଲୋକଙ୍କ ସହ ଚାଷୀଙ୍କ ମନରେ ଛନକା ପଶିଛି । ଅମଳ ହେବାକୁ ଥିବା ଧାନ ଓ ପନିପରିବା ବାତ୍ୟାର କରାଳ ଆଁରେ ଚାଲିଯିବା ପରେ କ’ଣ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି ଚାଷୀ ପରିବାର ।

ଚାଷୀ ଗଣୁଛି ପ୍ରମାଦ

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଭୟଭୀତ ଅବସ୍ଥାରେ ଅଛନ୍ତି ଅସ୍ତରଙ୍ଗ ଅଞ୍ଚଳବାସୀ । ଫସଲ ଅମଳ ସମୟରେ ଦାନା ବାନ୍ଧୁଛି ବାତ୍ଯା ‘ଦାନା’ । ଏବେ ଧାନ ଗଛରେ କେଣ୍ଡା ବାହାରୁଥିବାବେଳେ ଶୀତ ଦିନିଆ ପନିପରିବା ଅମଳ ହେବାକୁ ବସିଛି । ଏହି ସମୟରେ ଯଦି ବାତ୍ୟା ହୁଏ ତେବେ ବର୍ଷା ଓ ପବନରେ ଧାନ ଓ ପନିପରିବା ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ବାତ୍ୟାକୁ ନେଇ ବିଭିନ୍ନ ଛକ, ବଜାର, ଗାଁରେ ଆଲୋଚନା ଆରମ୍ଭ ହୋଇ ଗଲାଣି । ଅନ୍ୟପଟେ ସ୍ଥାନୀୟ ମତ୍ସ୍ଯ ବିଭାଗ ତରଫରୁ ସଚେତନ ପରେ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ଫେରି ଆସିବା ସହ ସୁରକ୍ଷିତ ସ୍ଥାନକୁ ନିଜ ଜାଲ, ଡ଼ଙ୍ଗା ସହ ଯନ୍ତ୍ରାସ ନେଇଯାଇଛନ୍ତି ।

ଧାନ ଉଜାଡ଼ିବ ‘ଦାନା’

ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଧାନ ଚାଷକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି । କବିସୂର୍ଯ୍ୟନଗର, ପୋଲସରା ଓ ବୁଗୁଡା ଅଞ୍ଚଳର ବହୁ ଜମିରେ ଫସଲ ନୂଆଁଇ ପଡି ରହିଥିବା ଦେଖିବାକୁ ମିଳିଛି । ଆଗକୁ ବର୍ଷା ପବନ ଅଧିକ ହେଲେ ବହୁ ପରିମାଣର ଫସଲ ନଷ୍ଟ ହେବାର ଆଶଙ୍କା କରିଛନ୍ତି ଚାଷୀ ।

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ l ଭଞ୍ଜନଗରରେ ଦିବ୍ୟଜ୍ୟୋତି ପରିଡା ସବଡ଼ିଭିଜନର ସମସ୍ତ ବିଡ଼ିଓ, ତହସିଲଦାର, ମେଡିକାଲ ଅଧିକାରୀଙ୍କ ସହ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିଛନ୍ତି । ବାତ୍ୟାରେ ଯେକୌଣସି ପରିସ୍ଥିତିକୁ ପ୍ରଶାସନ ମୁକାବିଲା କରିବା ପାଇଁ ପ୍ରସ୍ତୁତି ରହିଛି l ଗତ ତିତିଲି ବାତ୍ୟା ସମୟରେ ସୋରଡ଼ା, ଭୁତ ପଙ୍କାଳ ଓ ଭଞ୍ଜନଗର ବାଇବାଲି ଆଦି ଅଂଚଳରେ ବ୍ଯାପକ କ୍ଷୟକ୍ଷତି ହୋଇଥିଲା ।

ଏଇ କାମ କଲେ ଏଲନ ମସ୍କ ପ୍ରତିଦିନ ଦେବେ ୮ କୋଟି ୪୦ ଲକ୍ଷ ଟଙ୍କା !

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଟେସଲା ସିଇଓ ଏଲନ୍ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସେ ପ୍ରତିଦିନ ଜଣେ ମନୋନୀତ ଭୋଟରଙ୍କୁ ୧ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୮ କୋଟି ୪୦ ଲକ୍ଷ ଟଙ୍କା ଦେବେ  । ଏହି ଟଙ୍କା ସେ ସେମାନଙ୍କୁ ଦେବେ ଯିଏ ଏକ ଆବେଦନ ଉପରେ ଦସ୍ତଖତ କରିବ । ଆବେଦନରେ ଅଭିବ୍ୟକ୍ତିର ଅଧିକାର ବଜାୟ ରଖିବା ଏବଂ ଅସ୍ତ୍ରଶସ୍ତ୍ର ରଖିବା ହକ୍ ବାବଦରେ ଉଲ୍ଲେଖ ଅଛି ।  କୁହାଯାଉଛି, ରାଷ୍ଟ୍ରପତିଙ୍କ ହେବା ପାଇଁ ଏହା ହେଉଛି ଡୋନାଲ୍ଡ  ଟ୍ରମ୍ପଙ୍କ ନୂଆ ପଦକ୍ଷେପ । କମଲା ହାରିସଙ୍କ ଡେମୋକ୍ରାଟିକ୍ ପାର୍ଟିର ନେତାମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ମସ୍କ ତାଙ୍କ X ଆକାଉଣ୍ଟରେ ପୋଷ୍ଟ କରିଛନ୍ତି

ବର୍ତ୍ତମାନ ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ, ଆମେରିକାର PAC ଯିଏ ସ୍ୱାଧିନ ଅଭିବ୍ୟକ୍ତି ଅଧିକାର ଏବଂ ଅସ୍ତ୍ରଶସ୍ତ୍ର ରଖିବା  ଅଧିକାରକୁ ସମର୍ଥନ କରି, ଆମ ଆବେଦନରେ  ଦସ୍ତଖତ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ  ଏକ ମିଲିୟନ୍ ଡଲାର୍ ଦିଆଯିବ !

ପ୍ରଥମ ଏବଂ ଦ୍ୱିତୀୟ ସଂଶୋଧନ ବାକ୍ ସ୍ୱାଧୀନତା ଏବଂ ଅସ୍ତ୍ରଶସ୍ତ୍ର ବହନ କରିବାର ଅଧିକାରକୁ ଗ୍ୟାରେଣ୍ଟି ଦେଇଥାଏ  । ଏଥିରେ ଦସ୍ତଖତ କରି ଏହାକୁ ସମର୍ଥନ କରନ୍ତୁ । ୧ ମିଲିୟନ୍ ଡଲାର୍ ପାଇବାକୁ, ଯେଉଁମାନେ ଏହି ଆବେଦନପତ୍ରରେ ଦସ୍ତଖତ କରୁଛନ୍ତି ସେମାନେ ନିଶ୍ଚିତ ଭାବରେ ପଞ୍ଜୀକୃତ ଭୋଟର ଏବଂ ସାତୋଟି ସ୍ୱିଙ୍ଗ୍ ରାଜ୍ୟ ମଧ୍ୟରୁ ଗୋଟିଏରେ ରହିବା ଆବଶ୍ୟକ  । ଏହି ରାଜ୍ୟଗୁଡ଼ିକରେ ଆରିଜୋନା, ଜର୍ଜିଆ, ମିଚିଗାନ୍, ନେଭାଡା, ଉତ୍ତର କାରୋଲିନା, ପେନସିଲଭାନିଆ ଏବଂ ୱିସ୍କନ୍ସିନ୍ ଅନ୍ତର୍ଭୁକ୍ତ  ।

ଅକ୍ଟୋବର ୨୦ରେ ଏଲନ୍ ମସ୍କ ପ୍ରଥମ ଚେକ୍ ମଧ୍ୟ ଦେଇଥିଲେ । ଜନ୍ ଡ୍ରେହର୍ ଏହାର ବିଜେତା ହୋଇଥିଲେ  । ରଏଟର୍ସ ନ୍ୟୁଜ୍ ଅନୁଯାୟୀ , ଚେକ୍ ଡ୍ରେହରଙ୍କୁ ହସ୍ତାନ୍ତର କରୁଥିବାବେଳେ ମସ୍କ କହିଥିଲେ, ଜନ୍ ଏ ବିଷୟରେ କିଛି ଜାଣି ନଥିଲେ। ଏହା ପରେ ମସ୍କ ପିଟ୍ସବର୍ଗର ଏକ ଇଭେଣ୍ଟରେ ଜଣେ ମହିଳାଙ୍କୁ ଦ୍ୱିତୀୟ ଚେକ୍ ଦେଇଥିଲେ ।

ଟ୍ରମ୍ପଙ୍କ ଏହି ଘୋଷଣା ଉପରେ ଡେମୋକ୍ରାଟିକ୍ ପାର୍ଟି ପ୍ରଶ୍ନ ଉଠାଇଛି। ପେନସିଲଭାନିଆର ଡେମୋକ୍ରାଟିକ୍ ଗଭର୍ଣ୍ଣର ଜୋଶ ଶାପିରୋ ଏ ସମ୍ପର୍କରେ ଆଇନ ଶୃଙ୍ଖଳା ଏଜେନ୍ସିରୁ ତଦନ୍ତ ଦାବି କରିଛନ୍ତି । ଏନପିସିର ‘ମିଟ୍ ଦି ପ୍ରେସ୍’ କାର୍ଯ୍ୟକ୍ରମରେ ଶାପିରୋ କହିଛନ୍ତି , ମୁଁ ଭାବୁଛି ଏହାକୁ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ଧ୍ୟାନ ଦେବା ଉଚିତ୍ | ଏହା ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି ।  ମସ୍କଙ୍କ  ଯୋଜନା ବହୁତ ଚିନ୍ତାଜନକ  ।

ଉଭୟ ଟ୍ରମ୍ପ ଏବଂ ହାରିସଙ୍କ ପାଇଁ ପେନସିଲଭାନିଆ ରାଜ୍ୟ ଜିତିବା ଜରୁରୀ ଅଟେ । କାରଣ ଏହି ରାଜ୍ୟ ନିର୍ବାଚନ କିଏ ଜିତିବ ତାହା ସ୍ଥିର କରିବ ।  ଏଥିରେ ଆମେରିକାର  PAC  ଭୋଟରଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରିବା ପାଇଁ ବିଭିନ୍ନ ପ୍ରୟାସ କରିଛି । ମେ ୨୦୨୪ ରେ, ଏଲନ୍ ମସ୍କ ‘ଆମେରିକାର ରାଜନୈତିକ କାର୍ଯ୍ୟ କମିଟି’ ଗଠନ କରିଥିଲେ । କହାଯାଉଛି, ଡେମୋକ୍ରାଟିକ୍ ପାର୍ଟି ପରିବର୍ତ୍ତେ ରିପବ୍ଲିକାନ୍ ପାର୍ଟିର ସମର୍ଥନ ଲୋଡ଼ିବା ପାଇଁ ମସ୍କ ଏହାକୁ ତିଆରି କରିଛନ୍ତି । ସେ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ କ୍ରମାଗତ ଭାବେ ପ୍ରଚାର କରୁଛନ୍ତି ।

ବିଜେବି ଏମ୍.ଏ.ଜେ.ଏମ୍.ସି ଆଲୁମିନାର ପ୍ରଥମ ବନ୍ଧୁ ମିଳନ

ଭୁବନେଶ୍ୱର: ବିଜେବି ଏମ୍.ଏ.ଜେ.ଏମ୍.ସି ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠନ ହୋଇଥିବା ଆଲୁମିନା ଆସୋସିଏସନର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅକ୍ଟୋବର ୨୦ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ଆୟୋଜିତ ଏହି ମିଳନ ପର୍ବରେ ୨ ଶହରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତେ ନିଜ ନିଜର ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତ୍ତକୁ ପୁନଃ ସ୍ମରଣ କରିଥିଲେ ଏବଂ ନାଚଗୀତ ଓ ଭୋଜିଭାତର ମଜା ନେଇଥିଲେ। ଏହି ଦିବସ ଆଲୁମିନାର ସମସ୍ତ ସଦସ୍ୟଙ୍କ ପାଇଁ ଏକ ସୁବର୍ଣ୍ଣ ଦିନ ଥିଲା । ଏହି ଅବସରରେ ସବୁଜ ପରିବେଶ ଲକ୍ଷ୍ୟରେ ‘ବୃକ୍ଷ ବନ୍ଧୁ’ କାର୍ଯ୍ୟକ୍ରମ ଜରିଆରେ ଆଲୁମିନାର ଶତାଧିକ ସଦସ୍ୟ ମାନଙ୍କୁ ଉପସ୍ଥିତ ଅତିଥିମାନେ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରାଯାଇଥିଲା । ତେବେ ଆଗାମୀ ଦିନରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ଦକ୍ଷ କରିବା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନେଇଛି।

ଆୟୋଜିତ ଏହାର ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେବି କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ନଳୀନ କୁମାର ପାତ୍ର ଯୋଗ ଦେଇଥିଲେ। ଉପଦେଷ୍ଟା ସ୍ବୟଂ ପ୍ରକାଶ ମହାପାତ୍ର, ସଭାପତି ଦିଲ୍ଲୀପ କୁମାର ରାଉତ, ସାଧାରଣ ସମ୍ପାଦକ ଲିପୁନ କୁମାର ପରିଡ଼ାଙ୍କ ସମେତ ଆଲୁମିନା ଆସୋସିଏସନ୍ ର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ, ବୈଠକକୁ ଯୁଗ୍ମ ସମ୍ପାଦକ ବିବର୍ତ୍ତନ ପଣ୍ଡା ପରିଚାଳନା କରିଥିଲେ।

ଓଡ଼ିଶାରେ ଲ୍ଯାଣ୍ଡଫଲ୍ କରିବ ବାତ୍ଯା !

ଭୁବନେଶ୍ବର : ଓଡ଼ିଶାରେ ଲ୍ଯାଣ୍ଡଫଲ୍ କରିବ ବାତ୍ଯା ! ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ପୁରୀ ଓ ସାଗରଦୀପ ମଧ୍ଯରେ ଲ୍ଯାଣ୍ଡଫଲ୍ କରିବ ବାତ୍ଯା ଦାନା । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଲ୍ଯାଣ୍ଡଫଲ୍ କରିବ । ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ ବାତ୍ଯା । ଘଣ୍ଟାକୁ ୧୦୦-୧୧୦ କିଲୋମିଟର ବେଗରେ ବହିବ ପବନ । ଝଟକା ପବନ ରହିବ ୧୨୦ କିଲୋମିଟର । ପ୍ରଭାବରେ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ୨୪ରେ ମୂଷଳ ଧାରାରେ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ଆଲର୍ଟ । ଏହି ସବୁ ଜିଲ୍ଲାରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କଟକ, କେନ୍ଦ୍ରାପଡା, ନୟାଗଡ଼, କନ୍ଧମାଳ ଏବଂ ଗଜପତିକୁ ସତର୍କତା ଜାରି କରାଯାଇଛି ।

ମା’ ଦଶମଲ୍ଲୀ ଠାକୁରାଣୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ନିମାପଡ଼ା : ପୁରୀ ଗୋପ ଥାନା ମା’ ଦଶମଲ୍ଲୀ ଠାକୁରାଣୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍। ଅଣ୍ଢରା ଇଚ୍ଛାପୁର ପଞ୍ଚାୟତର ପ୍ରତ୍ୟକ୍ଷ ଗ୍ରାମଦେବୀ ମା’ ଦଶମଲ୍ଲୀ ଠାକୁରାଣୀଙ୍କ ପୂଜା ପାଇଁ ପ୍ରତ୍ୟକ ଦିନ ପୂଜକ ପୂଜା କରିବାକୁ ଆସୁଥିବା ବେଳେ ମନ୍ଦିର ଖୋଲା ଥିବାର ଦେଖିଥିଲେ। ପରେ ମା’ ଙ୍କ ଆଖି ଏବଂ ମୁକୁଟ ନଥିବାର ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ମନ୍ଦିରରୁ ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ପଶି ମା’ଙ୍କ ଆଖି, ମଥା ଟିକା ଏବଂ ମୁକୁଟ ସମେତ ପାର୍ଶ୍ବ ଦେବାଦେବୀଙ୍କର ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟି ନେଇଥିବାର ଜାଣିବାକୁ ପାଇଥିଲେ l ଘଟଣା ସମ୍ପର୍କରେ ଗ୍ରାମବାସୀ ଗୋପ ପୋଲିସକୁ ଅବଗତ କରାଇଥିବା ବେଳେ  ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଏପରି ଅଭାବନିୟ ଘଟଣା ଅଣ୍ଢରା ଇଚ୍ଛାପୁର ପଞ୍ଚାୟତରେ ପ୍ରଥମ ଥର ଘଟିଥିବାରୁ ଅଞ୍ଚଳର ମା’ଙ୍କ ଭକ୍ତ ଓ ଗ୍ରାମବାସୀ ମାନଙ୍କୁ ଶକ୍ତ ଆଘାତ ଦେଇଛି।

ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ, କୋରାପୁଟ -କୋତୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦ

ଜୟପୁର : ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ। ଚିମିଡିପାଲି ଷ୍ଟେସନ ୟାର୍ଡରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। କୋରାପୁଟ -କୋତୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦ ହୋଇଛି। ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଲୋକୋ ପାଇଲଟ୍। ଇଂଜିନ ସହ ୪ଟି ବଗି ପାରି ହେବା ପରେ ୫ ନଂ ବଗି ଲାଇନଚ୍ୟୁତ ହୋଇଛି। ବଚେଲିରୁ ଲୁହାପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ  ଯାଉଥିଲା। କୋରାପୁଟ ଓ ବିଶାଖାପାଟଣାରୁ ଉଧାରକାରୀ ଟିମ ଘଟଣାସ୍ଥଳକୁ ଯାଇଛନ୍ତି।

ଅନ୍ଧବିଶ୍ବାସକୁ ଭରସା ! ଚୋର ଧରିବାକୁ ହେଲା କୁଲା ପୂଜା

ବାସୁଦେବପୁର : ପୋଲିସ ଉପରୁ ବିଶ୍ବାସ ତୁଟିଗଲା । ଚୋର ଧରିବାକୁ ହେଲା କୁଲା ପୂଜା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଣସାହି ଗାଁରେ । ଅଭିଯୋଗ ଅନୁସାରେ ତପନ କୁମାର ଧରଙ୍କ ଘରୁ ଚୋରି ହୋଇଥିଲା । ଏନେଇ ପୋଲିସରେ ଅଭିଯୋଗ ପରେ ବି ଚୋର ଧରାନପଡ଼ିବାରୁ ଅନ୍ଧବିଶ୍ବାସକୁ ଭରସା କରିଥିଲେ ତପନ । ଚୋରକୁ ଧରିବାକୁ ଗୁଣିଆ ସହାୟତାରେ କରାଯାଇଥିଲା ପୂଜାର୍ଚ୍ଚନା । ଏକ କୁଲାକୁ ଶୁଦ୍ଧ କରିବା ସହ ସେଥିରେ ସିନ୍ଦୂର ଲଗାଇ ପୂଜା କରାଯାଇଥିଲା । ଦୁଇ ଜଣ ବ୍ଯକ୍ତି ଉପାସ ରହି କୁଲା ଧିରିଥିଲେ । ଚୋରି କରିଥିବା ନେଇ ସନ୍ଦେହ ହେଉଥିବା ଲୋକଙ୍କ ନାଁ କହିଥିଲେ । ଯେଉଁ ଲୋକଙ୍କ ନାଁ କହିବା ବେଳେ କୁଲାଟି ଡାହାଣ ପାଖକୁ ବୁଲିଲା ସେହି ଲୋକଙ୍କୁ ଚୋର ବୋଲି ମାନିନେଇଥିଲେ ।  ମାତ୍ର ସଂପୃକ୍ତ ଚୋରି କରିନଥିବା ନେଇ କହିଲେ ମଧ୍ଯ ଗ୍ରାମବାସୀ ତାକୁ ହିଁ ଚୋର ବୋଲି ଭାବିନେଇଛନ୍ତି । ଆଇନ ଉପରୁ ଭରସା ତୁଟାଇ ଏଭଳି ଅନ୍ଧବିଶ୍ବାସ ମାଧ୍ଯମରେ ଚୋର ଧରିବାକୁ ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛି କୃଷି ବିଭାଗ

ଭୁବନେଶ୍ବର :  ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛି କୃଷି ବିଭାଗ । ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ସହଳ କିସମ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ । ସମ୍ଭବ ହେଲେ କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ ନଚେତ ସମସ୍ତ କଟା ଧାନ ପଲିଥୁନ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ କଟା ଓ ଅମଳ ଯନ୍ତ୍ର ଉପଲବ୍ଧ ଥିଲେ ବିଲରୁ ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ । ମଧ୍ଯମ ଓ ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ । ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି । ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମ୍ବଡା ସାଇହାଲୋଥୀନ କିମ୍ବା ୨ମି.ଲି. ହିସାବରେ କ୍ଲୋରୋପାଇରିଫସ ଓ ସାଇପରମେଥୀନ ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରନ୍ତୁ । ସେହିପରି ମକା ଓ ମିଲେଟ ଜାତୀୟ ଫସଲ ତୁରନ୍ତ ଅମଳ କରି ଦିଅନ୍ତୁ । ମୁଗ, ବିରି, ଚିନାବାଦାମ ଆଦି ଫସଲ ଥିବା ଚାଷ ଜମିରୁ ପାଣି କାଟିବାର ବ୍ୟବସ୍ଥା କରନ୍ତୁ । ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ଉପଯୁକ୍ତ ରୋଗପୋକ ନିରୋଧକ ଔଷଧ ବ୍ୟବହାର କରନ୍ତୁ । ପନିପରିବା ତଳି ଘେରାରୁ ଅତ୍ୟଧିକ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ ଓ ତଳିକୁ ଧଳା ଜରି ଦ୍ବାରା ଆଚ୍ଛାଦିତ କରନ୍ତୁ ।  ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । ବିଲରେ ଥିବା ପନିପରିବା ଫସଲରୁ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ରଞ୍ଜାରେ ମାଡିଥିବା ଲତା ଜାତୀୟ ପନିପରିବାକୁ ସୁରକ୍ଷିତ ରଖିବା ପାଇଁ ଭଲ ଭାବରେ ବାନ୍ଧି ଦିଅନ୍ତୁ ।  ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ରହିଛି । ଏଣୁ ଏଥିପ୍ରତି ଆବଶ୍ଯକ ବ୍ଯବସ୍ଥା କରନ୍ତୁ । କଦଳୀ, ଅମୃତ ଭଣ୍ଡା ଆଦି ଗଛରେ ଢିରା ଦିଅନ୍ତୁ ।

GPS କଲା ହଇରାଣ ! ୫ଫୁଟ ପାଣିରେ ପସିଗଲା କାର୍

ଖୋର୍ଦ୍ଧା : ଜିପିଏସ ସହାୟତାରେ ଆସି ଫସିଲେ ବାପା ପୁଅ। ପ୍ରବଳ ବର୍ଷା ଯୋଗୁଁ ଅଣ୍ଡର ପାସ ଭିତରେ ୫ଫୁଟ ପାଣିରେ ପସିଗଲା କାର୍। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଟଣୀ ଅଣ୍ଡର ପାସ ତଳେ। ବାଲେଶ୍ଵରରୁ ଭବାନୀ ଶଙ୍କର ଦାସ ତାଙ୍କ ପୁଅ ସହିତ ଏକ କାର ଯୋଗେ ଜଟଣୀକୁ ଆସିଥିଲେ । ପ୍ରବଳ ବର୍ଷା ଯୋଗୁ ଓଭର୍ ବ୍ରିଜ ତଳେ ଗାଡିଟିକୁ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଓଭର୍ ବ୍ରିଜ ତଳେ ୪ ରୁ ୫ ପୁଟ ପାଣି ଅଛି ବୋଲି ସେ ଜାଣିନଥିଲେ। ଗାଡିଟିକୁ ନେବା ସମୟରେ ଗାଡିଟି ଭାସି ଯାଇଥିଲା। ଫଳରେ ସେ କାର ଡୋରକୁ କୌଶଳ କ୍ରମେ ଖୋଲି ବେକେ ପାଣିରେ ପହଁରି ଉପରକୁ ଆସିଥିଲେI ଏଭଳି ଘଟଣା ଘଟିବା ପରେ ରେଲୱେ ପକ୍ଷରୁ ଦୁଇ ପଟେ ବ୍ୟାରିକେଡ ଲଗା ଯାଇ ସେହି ସ୍ଥାନକୁ ବନ୍ଦ କରାଯାଇଛି I