କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କୁ ପୁଣି ଡେଡଲାଇନ ଦେଲେ ଆନ୍ଦୋଳନରତ ଡାକ୍ତର। ଆଜି ସୁଦ୍ଧା ଦାବି ପୂରଣ ନହେଲେ ଆସନ୍ତାକାଲି ଠାରୁ ରାଜ୍ଯବ୍ଯାପୀ ଧର୍ମଘଟ କରାଯିବ ବୋଲି ଧମକ ଦେଇଛନ୍ତି ଡାକ୍ତର। ସେପଟେ ଆଜି ଆନ୍ଦୋଳନରତ ଡାକ୍ତରଙ୍କ ସହ ମୁଖ୍ଯମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାଯାଇଛି। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା ପରଠାରୁ ଦୁଇମାସ ଧରି ଚାଲିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦୁଷ୍କର୍ମ ଓ ହତ୍ଯାରେ ଶିକାର ହୋଇଥିବା ଡାକ୍ତରଙ୍କୁ ନ୍ୟାୟ ଦେବା, ରାଜ୍ଯ ସ୍ବାସ୍ଥ୍ୟ ସଚିବ ଏନଏସ ନିଗମଙ୍କୁ ବାହାର କରିବା, କର୍ମକ୍ଷେତ୍ରରେ ଡାକ୍ତରଙ୍କୁ ନିରାପତ୍ତା, କେନ୍ଦ୍ରୀୟ ରେଫରାଲ ବ୍ଯବସ୍ଥା, ସ୍ବାସ୍ଥ୍ଯସେବା ଭିତ୍ତିଭୂମିର ସଂସ୍କାର, ପର୍ଯ୍ୟାପ୍ତ ସିସିଟିଭି ବ୍ଯବସ୍ଥା ଆଦି ଦାବିରେ ଅଟଳ ରହିଛନ୍ତି ଡାକ୍ତର। ଆନ୍ଦୋଳନରତ ଡାକ୍ତର କହିଛନ୍ତି- ସମସ୍ତ ଦାବି ପୂରଣ ନେଇ ଆଲୋଚନା ସକାଶେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାତ୍ରମାନେ ଆହ୍ବାନ ଦେଇଛନ୍ତି। ମାତ୍ର ସରକାର ତାହା ଶୁଣୁନାହାନ୍ତି। ଯଦି ସରକାର ଦାବି ନ ଶୁଣିଲେ ତେବେ ଆସନ୍ତାକାଲିଠାରୁ ଉଭୟ ସରକାରୀ ଓ ଘରୋଇ ମେଡିକାଲ କଲେଜ ପ୍ରତିଷ୍ଠାନର ଡାକ୍ତରମାନେ ରାଜ୍ଯବ୍ଯାପୀ ଆନ୍ଦୋଳନକୁ ଓହ୍ଲାଇବେ ।
ପଡ଼ିଛି ଅଜଣା ବ୍ୟାଗ, ଅଛି କି ବୋମା ?
ସମ୍ବଲପୁର: ସମ୍ବଲପୁର ଅଇଁଠାପାଲିରେ ପଡ଼ିଛି ଅଜଣା ବ୍ୟାଗ । କେହି ଜଣେ ବ୍ୟାଗଟିକୁ ଫିଙ୍ଗି ଚାଲିଯାଇଥିବା ଅଭିଯୋଗ । ବ୍ୟାଗରେ ବୋମା ଥିବା ସନ୍ଦେହ କରାଯାଉଥିବା ବେଳେ ତାକୁ ନେଇ ପୂରା ସହରରେ ଆତଙ୍କ ଖେଳିଯାଇଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
ସ୍ପା ମାଲିକ ସାବଧାନ ! ଅନୈତିକ କାମ ଚାଲିଥିଲେ, ନାମ ନେବ
ଭୁବନେଶ୍ବର: ରାଜଧାନୀରେ ଥିବା ସ୍ପା ଓ ପାର୍ଲରରେ ହେବ ଚଢ଼ାଉ । ଅନୈତିକ କାମ କରୁଥିଲେ ହୋଇଯାନ୍ତୁ ସାବଧାନ । ସମସ୍ତ ଆଇଆଇସିଙ୍କୁ ରୁଟିନ ଚେକ ପାଇଁ ନିର୍ଦ୍ଦେଶ ଦେଲେ ଡିସିପି । ଦୀପାବଳି ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ପୋଲିସ ।
ରାଜଧାନୀରେ ବଦଳୁଛି ଦେହ ବେପାରର ତରିକା । ବଡି ମସାଜ ସାଙ୍ଗକୁ ମିଳୁଛି ସ୍ପେଶାଲ ସର୍ଭିସ । ବଡ଼ଗଡ଼ ଥାନା ଅନ୍ତର୍ଗତ ରବି ଟକିଜ ଛକରେ ଥିବା ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରୁ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଚାକିରି ଦେବା ଆଳରେ ଯୁବତୀଙ୍କୁ ଆଣି ଅନୈତିକ କାରବାରରେ ଲିପ୍ତ କରୁଥିଲେ ସ୍ପା ମାଲିକ । ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ଉଦ୍ଧାର ହୋଇଥିଲା । ତଦନ୍ତ ପରେ ସ୍ପାର ମାଳିକାଣୀଙ୍କ ସମେତ ଅନ୍ୟ ୨ ଜଣ ଗିରଫ ହୋଇଥିଲେ । ରାଜଧାନୀର ଅନେକ ସ୍ଥାନରେ ଏଭଳି ମସାଜ ପାର୍ଲର ଓ ସ୍ପା ଖୋଲି ଯୁବତୀଙ୍କୁ ଅନୈତିକ କାରବାରରେ ଲିପ୍ତ କରାଉଥିବା ଘଟଣା ସାମ୍ନାକୁ ଆସିବା ପରେ ନିଜ ନିଜ ଥାନା ଅଞ୍ଚଳରେ ଚଢ଼ାଉ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।
କିଛିଦିନ ତଳେ ଠିକ ସମାନ ଷ୍ଟାଇଲରେ ଖାରବେଳନଗର ଏକ ଆୟୁର୍ବେଦିକ ସେଣ୍ଟରରେ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଥିଲା ପୋଲିସ । ଗତ ୬ ବର୍ଷ ଭିତରେ ଏଭଳି ୭୯ଟି ସେକ୍ସ ରାକେଟ ଠାବ କରିଛି ପୋଲିସ । ୨୫୬ ଜଣ ଗରାଖ ଓ ୨୦୯ ଜଣ ରୂପଜିବୀଙ୍କୁ ସର୍ଟ ଷ୍ଟେ ହୋମକୁ ପଠାଯାଇଛି । ଡିଜିପି ୱାଇ.ବି. ଖୁରାନିଆ ଟୁଇନ ସିଟି ପୋଲିସ କମିଶନର ଥିବା ବେଳେ ରାଜଧାନୀରେ ଚାଲିଥିବା ସେକ୍ସ ରାକେଟ ଉପରେ ମାରାଥନ ରେଡ଼ ହୋଇଥିଲା । କୋର୍ଟରେ ଏସବୁ ପ୍ରମାଣିତ ହେବା ପରେ ସଂପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ବିଦେଶୀ ଯୁବତୀଙ୍କ ଭିସା ମଧ୍ୟ କଳା ତାଲିକାଭୁକ୍ତ କରିବାକୁ ଗୃହ ବିଭାଗକୁ ଚିଠି ଲେଖିଥିଲା ପୋଲିସ ।
ଆଗକୁ ଦୀପାବଳି ଓ ନୂଆବର୍ଷ । ତେଣୁ ଏଭଳି କାରବାର ଓ ମାନବ ଚାଲାଣ ରୋକିବା ପାଇଁ କମିଶନରେଟ ପୋଲିସ ପୂରା ପ୍ରସ୍ତୁତ ଥିବା କହିଛନ୍ତି ଡିସିପି ।
ସ୍କୁଲ ପାଚେରୀ ନିକଟରେ ବିସ୍ଫୋରଣ
ଦିଲ୍ଲୀ: ରୋହିଣୀ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ ନିକଟରେ ବିସ୍ଫୋରଣ । ସ୍କୁଲର ପାଚେରୀ ନିକଟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣ ଖବର ପାଇବା ପରେ ପୋଲିସ ଓ ଏଫଏସଏଲର ଟିମ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଡଗ୍ ସ୍କ୍ଵାଡ୍, ଆଣ୍ଟି ଟେରର ୟୁନିଟ ସହ ଏନଏସଜି କମାଣ୍ଡୋ ଆସି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।
ଆଶ୍ଵସ୍ତିର ଖବର ହେଉଛି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ରୋହିଣୀ ଡିସିପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଜଣେ ପ୍ରତକ୍ଷଦର୍ଶୀ ବିସ୍ଫୋରଣ ସମୟରେ ଭିଡିଓ ପୋଲିସକୁ ହସ୍ତାନ୍ତର କରିଛନ୍ତି । ବିସ୍ଫୋରଣର ତୀବ୍ର ଅତି ଉଚ୍ଚକ୍ଷମତା ସମ୍ପନ୍ନ ଥିବାରୁ ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସର ସ୍ପେଶାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିସ୍ଫୋରଣର ତୀବ୍ରତା ଏତେ ଜୋରଦାର ଥିଲା ଯେ ଆଖପାଖରେ ଥିବା ଗାଡିଗୁଡିକର କାଚ ଭାଙ୍ଗି ଯାଇଛି । ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ସିଆରପିଏଫ୍ ସ୍କୁଲ ନିକଟରେ କିଛି ଦୋକାନ ଥିବାରୁ ଏଥିରୁ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

