spot_img
Home Blog Page 1520

ଜାଣନ୍ତୁ କେଉଁ ଫିଲ୍ମ ରୋଜଗାର କଲାଣି ଅଧିକ ଟଙ୍କା ?

ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଅବସରରେ ବଲିଉଡର ଦୁଇଟି ଫିଲ୍ମ ରିଲିଜ ହୋଇଥିବାବେଳେ ଟକ୍କର ଚାଲିଛି । ’ଭୁଲଭୁଲେୟା- ୩’ ଏବଂ ’ସିଙ୍ଘମ ଏଗେନ’ ରିଲିଜ ହୋଇଛି । ଏହି ଦୁଇ ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ମଲ୍ଟିଷ୍ଟାର ଫିଲ୍ମ ’ସିଙ୍ଘମ ଏଗେନ’ରେ ଅଜୟ ଦେବଗନଙ୍କ ସହ ଅକ୍ଷୟ କୁମାର, ରଣବୀର ସିଂ, କରିନା କପୁର,ଦୀପିକା ପାଦୁକୋନ, ଟାଇଗର ସ୍ରଫ୍ ଏବଂ ଅର୍ଜୁନ କପୁରଙ୍କ ଭଳି ଅଭିନେତାମାନେ ନଜର ଆସିଛନ୍ତି ।  କେବଳ ଏତିକି ନୁହେଁ ସଲମାନ ଖାନ ମଧ୍ୟ ଏଥିରେ ନଜର ଆସିଛନ୍ତି । ସେପଟେ ଭୁଲ ଭୁଲେୟା ୩ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ପ୍ରଂଶସା ସାଉଁଣ୍ଟୁଛି । ଏଥିରେ ମାଧୁରୀ ଦିକ୍ଷିତ, ବିଦ୍ୟା ବାଲାନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭଳି କଳାକାରମାନେ ନଜର ଆସିଛନ୍ତି । ଏହି ଦୁଇ ଫିଲ୍ମ ମଧ୍ୟ କଡ଼ା ଟକ୍କର ହେଉଥିବାବେଳେ ବକ୍ସ ଅଫିସରେ ମଧ୍ୟ ରୋଜଗାର ପାଖାପାଖି ସମାନ ରହିଛି ।

ସିଙ୍ଘମ ଏଗେନ ପ୍ରଥମରୁ ଭଲ ରୋଜଗାର କରିଛି । ଭାରତରେ କେବଳ ୪୩. ୫୦ ଟଙ୍କା ରୋଜଗାର କରିଛି । ସେପଟେ ଭୁଲ ଭୁଲେୟା ୩୫. ୫୦ କୋଟି ଟଙ୍କା ରୋଜଗାର କରିଛି । ଦିଲ୍ଲୀ ଏନସିଆଣ ଏବଂ କୋଲକାତାରେ ଉଭୟ ଫିଲ୍ମ ପାଇଁ କମ ହଲ ମିଳିଛି । ଯାହାକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ମାତ୍ର ଉଭୟ ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି ।

ଦୀପାବଳି ପରେ ଦିଲ୍ଲୀରେ ଅବସ୍ଥା ସଙ୍ଗୀନ

ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ପରେ ଦିଲ୍ଲୀରେ ନାହିଁ ନଥିବା ସ୍ଥିତି। ଅତି ଖରାପ ଅବସ୍ଥାକୁ ଗଲା ବାୟୁ ଗୁଣବତ୍ତା। ଦିଲ୍ଲୀର ୬୯ ପ୍ରତିଶତ ପରିବାର ହୋଇଛନ୍ତି ଆକ୍ତାମାକ୍ତା। ଏହି ପରିବାରଗୁଡିକର ଜଣେ କିମ୍ବା ଅଧିକ ସଦସ୍ଯ ପ୍ରଦୂଷଣଜନିତ ସମସ୍ଯାର ଶିକାର ହୋଇଛନ୍ତି। ଅନେକ ସ୍ଥାନରେ ଏକ୍ଯୁଆଇ ୯୯୯ ହୋଇଥିବା ଯୋଗୁ ସମ୍ପୂର୍ଣ୍ଣ ବିଷବଳୟ ଘେରରେ ରହିଛି ଦିଲ୍ଲୀ। ସାରା ଦିଲ୍ଲୀରେ ଏହି ଭୟାବହତା ବ୍ଯାପିଛି। ଦିଲ୍ଲୀର ୪୬ ପ୍ରତିଶତ ଲୋକଙ୍କ ନାକରୁ ଅବାରିତ ପାଣି ବାହାରିବା ସୂଚନା ମିଳିଛି। ସ୍ଥିତିର ମୁକାବିଲା ଆଣ୍ଟି ସ୍ମୋକ ଗନ ନିୟୋଜିତ ହୋଇଥିଲେ ବି କାମ ଦେଇନାହିଁ। ଆଗକୁ ସ୍ଥିତି ଅଧିକ ବିପଜ୍ଜନକ ହେବା ଆଶଙ୍କା କରାଯାଉଛି। ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ ।

ବିରାଟ- ରୋହିତଙ୍କ ସ୍ଥାନ ନେବେ ଏହି ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଟିମି ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ଲଗାତାରଭାବେ ବିଫଳ ହେଉଛନ୍ତି । ଟେଷ୍ଟରେ ଚଳିତ ବର୍ଷ ଖରାପ ପ୍ରଦର୍ଶନ କରିଛନ୍ତି ଏହି ଦୁଇ ଖେଳାଳି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟ ଏବଂ ରୋହିତି ସେମିତି ଆଖିଦୃଶିଆ ପ୍ରଦର୍ଶନ କରୁନାହାନ୍ତି । ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କୁ ଦଳରୁ ବିଶ୍ରାମ ଦିଆଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମାତ୍ର ଏମାନଙ୍କ ଜାଗା କେଉଁ ଖେଳାଳି ନେବେ ତାକୁ ନେଇଥ କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହୋଇଛି । ଟି-୨୦ରୁ ଅବସର ଘୋଷଣା କରିଥିବା ଏହି ଦୁଇ ଖେଳାଳି ଟେଷ୍ଟ ଏବଂ ଦିନିକିଆରେ ଖେଳ ଜାରି ରଖିଛନ୍ତି । କିନ୍ତୁ ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ଏମାନଙ୍କ ସ୍ଥାନରେ ସାଇ ସୁଦର୍ଶନ ବିକଳ୍ପ ହେବେ ବୋଲି କୁହାଯାଇଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ ସାଇ ସୁଦର୍ଶନ ଏବେ ଦମଦାର ଫର୍ମରେ ରହିଛନ୍ତି ।

ଘରୋଇ ମାଟି ସାଙ୍ଗକୁ ବିଦେଶ ମାଟିରେ ମଧ୍ୟ ସାଇ ସୁଦର୍ଶନଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଏଣୁ ସେ ଦଳରେ ନିୟମିତ ଖେଳାଳିଭାବେ ସ୍ଥାନ ପାଇବେ । ରୋହିତ ଏବଂ ବିରାଟଙ୍କ ମଧ୍ୟରୁ ଜଣଙ୍କ ସ୍ଥାନରେ ଖେଳିବେ ବୋଲି କୁହାଯାଇପାରେ । ସେ ଟି ଇଣ୍ଡିଆର ବ୍ୟାକଅପ ଖେଳାଳିଭାବେ ସ୍ଥାନ ପାଇବେ । ପୂର୍ବରୁ ଅଷ୍ଟ୍ରେଲିଆରେ ଶତକୀୟ ପାଳି ଖେଳି ରେକର୍ଡ ସୃଷ୍ଟି କରିଥିବା ସାଇ ସୁଦର୍ଶନଙ୍କ ଦଳରେ କେଉଁ ସ୍ଥାନରେ ଖେଳାଉଛନ୍ତି ତାହା ବେଶ ଗୁରୁତ୍ବ ବହନ କରୁଛି । ସେପଟେ ବିରାଟ-ରୋହିତଙ୍କ ଅବଦାନ ଟିମ ଇଣ୍ଡିଆ ପାଇଁ କଣ ରହିଛି ତାହା କେହି କେବେ ମଧ୍ୟ ଭୁଲିପାରିବେ ନାହିଁ । ଏଣୁ ଏମାନଙ୍କୁ ଅଣଦେଖା କରି ବିସିସିଆଇ ଅନ୍ୟ ଖେଳାଳିଙ୍କ ସ୍ଥାନ ଦେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଛି । ମାତ୍ର ବିକଳ୍ପଭାବେ ସାଇ ସୁଦର୍ଶନ ରହିବେ ବୋଲି କୁହାଯାଇପାରେ ।

ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ

ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ । ଅଳ୍ପକେ ବର୍ତିଲେ ଡ୍ରାଇଭର । ଆମ୍ବୁଲାନ୍ସ ସହ ମଦ ବୋଝେଇ ଟ୍ରକ ଧକା ହେବା ଫଳରେ ଓଲଟି ପଡିଛି ମିନି ଟ୍ରକ । NH 16 ବଡ଼ଚଣା ଥାନା ଅଧୀନ କଡେଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।  ଖୋର୍ଦ୍ଧାର ଏକ ମଦ ଡିପୋରୁ ମଦ ବୋଝେଇ ମିନି ଟ୍ରକଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ କଡେଇ ଛକ ନିକଟରେ ପଛପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଯାହା ଫଳରେ ମଦ ବୋଝେଇ ଗାଡିଟି ଜାତୀୟ ରାଜପଥରେ ଓଲଟି ପଡିଥିଲା । ତେବେ ମଦ ଗୁଡିକ ରାସ୍ତାରେ ପଡି ରହିଥିବା ବେଳେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ଉପସ୍ଥିତି ରେ ମଦ ଗୁଡିକୁ ରାସ୍ତାରୁ ଉଠାଇ ଅନ୍ୟ ଏକ ଗାଡିକୁ ସ୍ଥାନାନ୍ତର କରାଯାଉଛି।

ଆଜି ୬ ଘଣ୍ଟିଆ ଜୟପୁର ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଜିଏସଟି ବିଭାଗର ଚଢାଉ ଚାପରେ ଜୁଏଲାରୀ ଦୋକାନୀଙ୍କ ମୃତ୍ଯୁ ଅଭିଯୋଗ ଘଟଣା । ଜିଏସଟି ବିଭାଗର ମାତ୍ରାଧିକ କାର୍ଯ୍ଯାନୁଷ୍ଠାନ ପ୍ରତିବାଦରେ ଜୟପୁର ବନ୍ଦ। ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର ଅଫ କମର୍ସ । ଏହି ସମୟରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଛି । ଗତ ଧନତେରାସ ଦିନ ଜୟପୁରର ବିଭିନ୍ନ ସ୍ଥାନରେ ସିଟିଜିଏସଟି ବିଭାଗ ରେଡ୍ କରିଥିଲା ।  ଏହି ସମୟରେ ନ୍ୟୁ ବାସବି ଜୁଏଲାରୀରେ ମଧ୍ଯ ଚଢାଉ ହୋଇଥିଲା । ଏହାର ମାଲିକ ପି.ହରପ୍ରସାଦ ରାଓଙ୍କ ଘର ସିଜ୍ କରି ୬ରୁ ୭ ଘଣ୍ଟା ଧରି ରେଡ୍ କରାଯାଇଥିଲା । ସେବେଠୁ ହରପ୍ରସାଦ ଭୟଭୀତ ହୋଇ ଚାପଗ୍ରସ୍ତ ଥିଲେ । ପୂର୍ବରୁ ମଧ୍ଯ ବାରମ୍ବାର ଏଭଳି ଚଢାଉ ହୋଇଥିଲା । ଏଣୁ ଲୋକ ଲଜ୍ଜାକୁ ସହିନପାରି ସେ ଚିନ୍ତାଗ୍ରସ୍ତ ଥିଲେ । ଗୁରୁବାର ରାତିରେ ଦୀପାବଳି ପାଳନ କରି ହରପ୍ରସାଦ ଶୋଇଥିବାବେଳେ ଗତକାଲି ସକାଳୁ ଆଉ ଉଠିନଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜିଏସଟି ବିଭାଗର ମାତ୍ରାଧିକ କାର୍ଯ୍ଯାନୁଷ୍ଠାନ ଯୋଗୁ ତାଙ୍କର ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି ।

ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ

ନନ୍ଦିଘୋଷ ବ୍ୟୁରୋ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଧରମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ।  ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟର ଅଭିଭାବକ ମାନେ ବିଦ୍ୟାଳୟର ଫାଟକରେ ତାଲା ପକାଇଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମାତ୍ର ତିନି ଜଣ ଶିକ୍ଷକ ରହିଛନ୍ତି । ଫଳରେ ପାଠ ପଢ଼ା ବାଧା ପ୍ରାପ୍ତ ହେଉଛି । ଗତ ୩୦ ତାରିଖରେ ଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ବଦଳି ହୋଇଥିବା ବେଳେ ଗତ କାଲି ଅନ୍ୟ ଜଣେ ଶିକ୍ଷକ  ବିଦ୍ୟାଳୟରେ ଯୋଗଦାନ କରିଛନ୍ତି । ମନ ଇଛା ବ୍ଲକ ଶିକ୍ଷା ପ୍ରଶାସନ ଧରମପୁର ବିଦ୍ୟାଳୟରୁ ଶିକ୍ଷକ ମାନଙ୍କୁ ବଦଳି କରୁଥିବାରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ଫାଟକରେ ତାଲା ପକାଇଛନ୍ତି । ଛାତ୍ର ଛାତ୍ରୀ ମାନେ ଫାଟକ ବାହାରେ ବସି ରହିଥିଲେ । ସେପଟେ ଘଟଣାର ଅନୁଧ୍ୟାନ ପାଇଁ ସ୍କୁଲରେ ପହଞ୍ଚିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ।

ଫତେଗଡ଼ରୁ ଆସିଲା ଅଭାବନୀୟ ଖବର, ଯୁବକଙ୍କୁ ଗଛରେ ବାନ୍ଧି ମାରିଲେ ନିସ୍ତୁକ ମାଡ଼

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଂଚଳରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ଅଭିଯୋଗ। ଅତି ଅମାନୁଷିକ ଭାବେ କିଛି ଲୋକ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି। ଆକ୍ରମଣର ଶିକାର ଯୁବକଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ମୁମୂର୍ଷୁ ଅବସ୍ଥାରେ ରାସ୍ତା ପାର୍ଶ୍ଵରେ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ତାଙ୍କ ହାତ ବାନ୍ଧି ଦିଆ ଯାଇଥିବା ବେଳେ ସେ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରିପାରିନଥିଲେ। ଜଣେ ମହିଳା ଓ ପୁରୁଷ କାଠ ଫାଳିଆ ଧରି ତାଙ୍କୁ ମାଡ଼ ମାରୁଥିବା ଭିଡିଓରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। କେଉଁ କାରଣ ପାଇଁ ଏହି ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏପଟେ ତାଙ୍କ ପରିବାରକୁ ଗାଁରେ ବାସନ୍ଦ କରାଯାଇ ନଳକୂପ ବ୍ୟବହାର କରିବାକୁ ବାରଣ କରାଯାଇଛି। ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭାପୁର ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲ୍ ପଠାଯାଇଛି ।

ଲରେନ୍ସ ବିଷ୍ନୋଇର ଡର : ପପୁ ଯାଦବ କହିଲେ,ସଲମାନକୁ ମାର କି ଯାହାକୁ ମାର ମୋର କିଛି ଯାଏଆସେ ନାହିଁ

ନନ୍ଦିଘୋଷ ବ୍ୟୁରୋ: ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ଘଟଣା ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହୁଛି । ସଲମାନଙ୍କୁ ବାରମ୍ବାର ଧମକ ଦେଉଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ସାମନାକୁ ଆସିଛି ବଡ଼ ଖବର । ସାଂସଦ ପପୁ ଯାଦବ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି । ପପୁ କହିଥିଲେ କି, ଯଦି ସରକାର ଅନୁମତି ଦିଅନ୍ତି ତାହେଲେ ୨୪ ଘଣ୍ଟା ଭିତରେ ଲରେନ୍ସ ଗ୍ୟାଙ୍ଗକୁ ସଫା କରିଦେବେ । କିନ୍ତୁ ଏବେ ଯେତେବେଳେ ପପୁଙ୍କୁ ଧମକ ମିଳିଛି ସେ କହିଛନ୍ତି କି, ସଲମାନଙ୍କୁ ମାରନ୍ତୁ କି ଆଉ ଯାହାକୁ ମାରନ୍ତୁ ମୋର କିଛି ଯାଏ ଆସେ ନାହିଁ ।

ସାଂସଦ ପପୁ ଯାଦବ ଫେସବୁକରେ ଲାଇଭ ଆସି କହିଥିଲେ କି, ମୋର କାହା ସହ ବ୍ୟକ୍ତିଗତ ଶତୃତା ନାହିଁ । ଯଦି ଲରେନ୍ସ ମୋତେ ମାରିବା ପାଇଁ ଚାହିଁବେ ତାହେଲେ ମାରି ପାରିବେ । ମୁଁ ଆପଣଙ୍କୁ ଅଟକାଇ ପାରିବି ନାହିଁ । ଯେଉଁ ଭାବୁଛନ୍ତି କି, ମୁଁ ଡରିଗଲି ମୋତେ ମାରି ଦିଅନ୍ତୁ । ମୁଁ ମଧ୍ୟ ଶୀଘ୍ର ମରିବାକୁ ଚାହୁଁଛି । ତେବେ ସେ ଫେସବୁକରେ ଲାଇଭ ଆସି କହିଥିବା ଏଭଳି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାସହ ସେ କହିଛନ୍ତି ଲରେନ୍ସ ଯଦି ଚାହିଁବେ ସଲମାନଙ୍କୁ ମାରନ୍ତୁ । ତାଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ବ  । ଏଥିରେ ମୋର କିଛି ଯାଏଆସେ ନାହିଁ ।

ଏଥର ଆଇପିଏଲରେ ଏହି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା !

ନନ୍ଦିଘୋଷ ବ୍ୟୁରୋ: ୨୦୨୫ ଆଇପିଏଲ ସିଜିନରେ ଖେଳାଳିଙ୍କ ଦମା ବଢ଼ିବ । ଗୁରୁବାର ଦଳମାନେ ନିଜର କିଛି ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ଛାଡ଼ି ଦେଇଛନ୍ତି । ତେବେ ଅକ୍ସନରେ ଏଥର ବହୁ ଖେଳାଳିମାନେ ବଡ଼ ଦାମରେ କିଣାହେବେ । କାରଣ ପୂର୍ବରୁ ଅଧିନାୟକ ଭାବେ ଅଭିଜ୍ଞତା ରଖିଥିବା ଖେଳାଳିଙ୍କୁ ମଧ୍ୟ ଫ୍ରାଞ୍ଚାଇଜମାନେ ଫ୍ରି କରି ଦେଇଛନ୍ତି । ଏହି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି କେ.ଏଲ ରାହୁଲ, ଋଷଭ ପନ୍ଥ ଏବଂ ଇଶାନ କିଶାନ । ତେବେ ଏହି ତିନି ଖେଳାଳି ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସାଙ୍ଗକୁ ବଡ଼ ସଟ ଖେଳିବାର ଅଭିଜ୍ଞତା ରହିଛି । ପନ୍ଥ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କେ.ଏଲ ରାହୁଲ ଲକ୍ଷ୍ନୌ ଏବଂ ପଞ୍ଜାବ କିଙ୍ଗ୍ସରେ ଅଧିନାୟକ ପଦ ସମ୍ଭାଳିଛନ୍ତି । ଏଣୁ ଏହି ଖେଳାଳିଙ୍କୁ କିଣିବା ପାଇଁ ଦଳମାନଙ୍କ ମଧ୍ୟରେ ଟଙ୍କା ବର୍ଷା ହେବ । ସବୁଠାରୁ ଅଧିକ ଟଙ୍କା ରହିଛି ପଞ୍ଜାବ କିଙ୍ଗ୍ସ ପାଖରେ । ପଞ୍ଜାବ କେବଳ ୨ ଜଣ ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ରିଲିଜ କରି ଦେଇଛି । ତେବେ ଇଶାନ, ପନ୍ତ ଏବଂ ରାହୁଲ କେଉଁ ଦଳରେ ସାମିଲ ହେଉଛନ୍ତି ତାହା ଉପରେ ରହିଛି ପ୍ରଂଶସକଙ୍କ ନଜର ।

ସରପଞ୍ଚଙ୍କ ସ୍ବାମୀ ନାଁରେ ସାଙ୍ଘାତିକ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଦେବାକୁ କହି ବୃଦ୍ଧଙ୍କଠାରୁ ନେଉଥିଲେ ଲାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଦେବାକୁ କହି ବୃଦ୍ଧଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । କଲ୍ୟାଣପୁର ସରପଞ୍ଚଙ୍କ ସ୍ଵାମୀଙ୍କ ନାଁରେ ଆସିଛି ଏହି ସାଙ୍ଘାତିକ ଅଭିଯୋଗ | ପଇସା ନଫେରାଇବାରୁ ଥାନାରେ ଏତଲା ଦେଇଛନ୍ତି ସମ୍ପୃକ୍ତ ବୃଦ୍ଧ ।  ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତର ସରପଞ୍ଚ ସୁଶ୍ରୀ ସଂଗୀତା ନାୟକଙ୍କ ସ୍ଵାମୀ ସ୍ମୃତି ରଞ୍ଜନ ନାୟକ ରୁଦ୍ରପୁର ଗାଁର ଚକ୍ରଧର ପତିଙ୍କ ଠାରୁ ବର୍ଷେ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଇଦେବାକୁ କହି ଦଶ ହଜାର ଟଙ୍କା ଲାଞ୍ଚ ନେଇଥିଲେ। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଘର ନଦେବାରୁ ସେ ଫୋନରେ ପଇସା ଫେରସ୍ତ ମାଗିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ନମିଳିବାରୁ ସେ ତାଙ୍କ ପଇସା ଫେରସ୍ତ ମାଗିଥିଲେ | କିନ୍ତୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ତାଙ୍କୁ ଦୂରବ୍ୟବହାର କରିଥିଲେ। ଯାହାକୁ ନେଇ ତାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତି | ଅନ୍ୟପଟେ ପଞ୍ଚାୟତର ପ୍ରାୟ ସମସ୍ତ କାର୍ଯ୍ୟ ସରପଞ୍ଚ ନକରି ତାଙ୍କ ସ୍ଵାମୀ କରୁଥିବା ମଧ୍ୟ୍ୟ ଅଭିଯୋଗ ହୋଇଛି | ତେଣୁ ଶୀଘ୍ର ଘଟଣାର ଉଚିତ ତଦନ୍ତ କରିବାକୁ ଦାବି ହୋଇଛି ।