ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ବିଗିଡ଼ିଲା ବାୟୁମଣ୍ଡଳ ସ୍ଥିତି। ଆଜି ସକାଳେ 181 AQI ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣର ଦୁଇଟି ଷ୍ଟେସନ ରହିଛି। ଲିଙ୍ଗରାଜ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳରେ ସ୍ଥିତି ଉଦବେଗଜନକ ରହିଛି। ଏଠାରେ 228 AQI ରେକର୍ଡ କରାଯାଇଛି। ସେହିପରି ପଟିଆ ଷ୍ଟେସନ ଅଧୀନସ୍ଥ ଅଞ୍ଚଳରୁ 134 AQI ରେକର୍ଡ ହୋଇଛି। ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ବୋଲି ବିବେଚନା କରାଯାଉଥିବା ବେଳେ ୫୧ରୁ ୧୦୦ ମଧ୍ୟରେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ମଧ୍ୟରେ ‘ମଧ୍ୟମ’, ୨୦୧ରୁ ୩୦୦ ମଧ୍ୟରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ‘ଅତ୍ୟନ୍ତ ଖରାପ’ ଓ ୪୦୧ରୁ ୫୦୦ ମଧ୍ୟରେ ରହିଲେ ‘ଗୁରୁତର’ ବୋଲି ବିବେଚନା କରାଯାଏ। ସେପଟେ ତାଳେଚର 233 AQI, ବାଲେଶ୍ୱର 117 AQI, ରାଉରକେଲା 190 AQI ଓ ଅନୁଗୁଳ 171 AQI ରହିଛି। ଗତକାଲି ସୁଦ୍ଧା କଟକର ସ୍ଥିତି ଭଲ ଥିଲା। ହେଲେ ଆଜି ସକାଳେ ଏହା 126 AQI ହେବାରୁ ଚିନ୍ତା ବଢୁଛି। ଗତକାଲି ବାଣ ଫୁଟିବାରୁ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ଭୁବନେଶ୍ୱର ଏକ ଧଳା ଚାଦର ପରି ଦୃଶ୍ୟମାନ ହେଉଛି।
ବାଣ ନିଆଁରେ ପୋଡ଼ି ହୋଇ ୩ ଶିଶୁ ମୃତ
କୋଲକାତା: ପଶ୍ଚିମବଙ୍ଗର ହାୱାଡା ଅନ୍ତର୍ଗତ ଉଲୁବେଡି଼ଆରେ ଅଘଟଣ । ବାଣ ନିଆଁରେ ଚାଲିଗଲା ୩ ଶିଶୁଙ୍କ ଜୀବନ । ଉଲୁବେଡ଼ିଆ ପୌର ପରିଷଦ ଅନ୍ତର୍ଗତ ୨୯ ନମ୍ୱର ୱାର୍ଡସ୍ଥିତ ରାଣୀତାଲାରେ ବାଣ ଫୁଟାଇବା ବେଳେ ଏକ ଘରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ସେହି ଘରେ ଥିବା ୩ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।
ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ମୃତକମାନେ ହେଲେ ୧୧ ବର୍ଷ ବୟସ୍କ ଶ୍ରାବନ୍ତିକା ମିସ୍ତ୍ରୀ, ୨ ବର୍ଷର ଇଶାନ ଧାରା ଓ ମମତାଜ ଖାତୁନ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ହରିୟାଣା ପରାଜୟକୁ ଗ୍ରହଣ କରିପାରୁନି କଂଗ୍ରେସ, ନିର୍ବାଚନ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଧମକ
ନୂଆଦିଲ୍ଲୀ: ହରିୟାଣା ନିର୍ବାଚନକୁ ନେଇ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ନାଲି ଆଖି ଦେଖାଇଛି କଂଗ୍ରେସ । ନିର୍ବାଚନରେ ପରାଜୟକୁ କଂଗ୍ରେସ ସହଜରେ ଗ୍ରହଣ କରିପାରୁନାହିଁ । ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳର ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ନିର୍ବାଚନ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଧମକ ଦେଇଛି କଂଗ୍ରେସ ।
ଏହାସହ ଦଳ କହିଛି, ଏହା କୌଣସି ଆଶର୍ଯ୍ୟର କଥା ନୁହେଁ, ଅଭିଯୋଗକୁ ଯାଞ୍ଚ କରି ନିର୍ବାଚନ କର୍ତ୍ତୃପକ୍ଷ ନିଜକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଏହାସହ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଉତ୍ତର ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ କହିଛି । ହରିୟାଣା ନିର୍ବାଚନରେ ଅନୀୟମିତତା ଅଭିଯୋଗ ଆଣି ନିର୍ବାଚନ କମିଶନ କଂଗ୍ରେସ ଚିଠି ଲେଖିଥିଲା ।
କଂଗ୍ରେସର ଅଭିଯୋଗକୁ ନିର୍ବାଚନ କର୍ତ୍ତୃପକ୍ଷ ମଙ୍ଗଳବାର ଭିତ୍ତିହୀନ କହି ଖାରଜ କରିଦେଇଥିଲେ । ନିର୍ବାଚନ ଆୟୋଗ କଂଗ୍ରେସକୁ ନିର୍ବାଚନ ପରେ ଭିତ୍ତିହୀନ ଅଭିଯୋଗ ନକରିବାକୁ ପରାମର୍ଶ ଦେଇଥିଲେ । ହରିୟାଣା ନିର୍ବାଚନରେ କଂଗ୍ରେସ ପରାଜୟର ସାମ୍ନା କରୁଥିବା ବେଳେ ଭିତ୍ତିହୀନ ଅଭିଯୋଗ କରିଥିବାରୁ ନିର୍ବାଚନ ଆୟୋଗ ଦଳକୁ ସମାଲୋଚନା କରିଥିଲେ । ଏପରି ଦାୟିତ୍ୱହୀନ ଅଭିଯୋଗ ଜନସାଧାରଣଙ୍କ ମଧ୍ୟରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରିପାରେ ବୋଲି ଆୟୋଗ କହିଥିଲେ ।
ଦୁଇ ଶିଶୁଙ୍କୁ ବଳି ଅଭିଯୋଗ, ମନ୍ଦିର ନିକଟରୁ ଶବ ଉଦ୍ଧାର
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨ ଶିଶୁଙ୍କୁ ବଳି ସନ୍ଦେହ । ଦେବବନ୍ଦରେ ୨ ଜଣ ଶିଶୁଙ୍କ ଶବଠାବ ହେବା ପରେ ଘଟଣାକୁ ନେଇ ତୀବ୍ର ଉତ୍ତେଜନା । ଶହ ଶହ ଲୋକଙ୍କ ବିକ୍ଷୋଭ । ପରିବାର ଲୋକେ କହିଲେ, ତନ୍ତ୍ର ସାଧନା ପାଇଁ ପିଲାଙ୍କୁ ଦିଆଯାଇଛି ବଳି ।
ଦେବବନ୍ଦ ଅନ୍ତର୍ଗତ ଭାୟଲ ଗ୍ରାମରେ ୧୧ ବର୍ଷ ବୟସ୍କ ଦେବ ଓ ୯ ବର୍ଷ ବୟସ୍କ ମାହୀଙ୍କ ଶବ ସ୍ଥାନୀୟ ଏକ ମନ୍ଦିର ନିକଟରୁ ମିଳିବା ପରେ ତନ୍ତ୍ର ସାଧନା କାରଣରୁ ସେମାନଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଗତକାଲି ଦୁଇ ଶିଶୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ବହୁ ଖୋଜାଖଷାଜି କରିବା ପରେ ମନ୍ଦିର ନିକଟରୁ ସେମାନଙ୍କ ପରିବାର ଲୋକେ ସେମାନଙ୍କ ମୃତଦେହ ଦେଖିବାକୁ ପାଇଥିଲେ ।
ଦୁଇ ଶିଶୁଙ୍କ ହାଡ ଭାଙ୍ଗିଥିବାରୁ ଦୁର୍ଘଟଣାରେ ସେମାନଙ୍କ ମୃତ୍ଯୁ ଘଟିଥିବା ପୋଲିସ ସନ୍ଦେହ କରିଛି । ଘଟଣାର ଯାଞ୍ଚ କରୁଛନ୍ତି ଏସପି ସାଗର ଜୈନ ।

