ବିଞ୍ଝାରପୁର : 5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା। ନବୀନ ସରକାର ସମୟରେ କରଯାଇଥିଲା ସ୍କୁଲର ଉନ୍ନତିକରଣ। ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟକୁ ଏହି ମାନ୍ଯତା ମିଳିଛି। ଯାଜପୁର ଜିଲ୍ଲାରେ ୧୨ ଟି ବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ବିଞ୍ଝାରପୁର ବ୍ଲକର ଏକ ମାତ୍ର ସ୍କୁଲ ଭାବେ ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟ ଏହି ମାନ୍ୟତା ପାଇଛି । ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହ ଭିତ୍ତିଭୁମି, ସ୍ମାର୍ଟ କ୍ଲାସରୁମ, ପିଲାଙ୍କ ପାଇଁ ପ୍ରଶସ୍ଥ ଖେଳ ପଡିଆ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଥିବ ତେବେ ସେହି ବିଦ୍ୟାଳୟ ଗୁଡିକ ପିଏମଶ୍ରୀ ଶ୍ରେଣୀରେ ଅନ୍ତର୍ଗତ ହେବ। ପୂର୍ବ ସରକାର ସମୟରେ 5T ସ୍କୁଲ ମଧ୍ଯରେ ଏହି ସ୍କୁଲର ଉନ୍ନତିକରଣ କରାଯାଇଥିବା ସହ ସ୍ଥାନୀୟ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ଏହି ସ୍କୁଲ ପାଇଁ ଅନେକ ଅବଦାନ ରହିଛି। ପିଏମଶ୍ରୀ ମାନ୍ୟତା ପାଇବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଅଂଚଳବାସୀ ନିଜର ଖୁସୀ ବ୍ୟକ୍ତ କରିଛନ୍ତି।
ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ, ଚିକିତ୍ସାଳୟରେ ପରିବାର ଲୋକଙ୍କ ଉତ୍ତେଜନା !
ଅନୁଗୁଳ : ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ । ଶିଶୁ ବଦଳକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବର ୨୭ରେ ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ ସାହିର ବାପୁ ଗୋଛାୟତଙ୍କ କଣିହାଁ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଶିଶୁଟିର ଓଜନ କମ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗତ ୨୮ ତାରିଖ ଦିନ ଶିଶୁଟିକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଶିଶୁଟିକୁ ଆଇସିୟୁର ୧୬ନମ୍ୱର ବେଡରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ମଙ୍ଗଳବାର ଦିନ ଶିଶୁଟିକୁ ୧୨ନମ୍ବର ବେଡକୁ ସ୍ଥାନନ୍ତରିତ କରାଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଶିଶୁଟିକୁ କାହିଁକି ସ୍ଥାନାନ୍ତରିତ କରାଗଲା ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ । ଅଧିକ ଅକ୍ସିଜେନ ପାଇଁ ଶିଶୁଟିକୁ ସ୍ଥାନାନ୍ତରିତ କରାଯାଇଥିବା କହିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଗତକାଲି ସନ୍ଧ୍ୟାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିବା ପରେ ମେଡିକାଲରେ ଚାପା ଉତ୍ତେଜନା ଦେଖା । ଶିଶୁଟିକୁ ବଦଳ କାରାଯାଇଥିବା ଅଭିଯୋଗ କରି ପାରିବାର ଲୋକ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଅନୁଗୁଳ ଟାଉନ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା ।…
ସ୍କୁଲ ପୋଷାକର ରଙ୍ଗ ବଦଳାଇଲେ ରାଜ୍ଯ ସରକାର
ଭୁବନେଶ୍ବର : ବଦଳିଲା ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ । ସ୍କୁଲ ପୋଷାକର ରଙ୍ଗ ବଦଳାଇ ଦେଇଛନ୍ତି ରାଜ୍ଯ ସରକାର । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପ୍ଯାଣ୍ଟ ରଙ୍ଗ ଇଷତ୍ ଖଇରିଆ ରଙ୍ଗ କରାଯାଇଥିବାବେଳେ ଚନ୍ଦନ ରଙ୍ଗର ଚେକ୍ ସାର୍ଟ କରାଯାଇଛି । ଛାତ୍ରୀମାନଙ୍କ ପାଇଁ ଇଷତ ଖଇରିଆ ରଙ୍ଗର ଜ୍ୟାକେଟ ମଧ୍ଯ ରହିଛି । ଯେଉଁ ବିଦ୍ଯାଳୟରେ ପୁରୁଣା ଡିଜାଇନର ପୋଷାକ ବିତରଣ ସରିନଥିବ କିମ୍ବା ସିଲାଇ କରିବାକୁ ଦିଆଯାଇନଥିବ ସେହି ବିଦ୍ଯାଳୟରେ ଏହି ଡିଜାଇନ ପୋଷାକ ପ୍ରଦାନ କରାଯିବ । ଏହା ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡିକ ପାଇଁ ଲାଗୁ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ଯମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ନୂଆ ୟୁନିଫର୍ମ ବଣ୍ଟନ କରାଯିବ । କିଛିଦିନ ପୂର୍ବରୁ ବିଭାଗୀୟ ମନ୍ତ୍ରୀ କହିଥିଲେ, ଆସନ୍ତାବର୍ଷରୁ ପୋଷାକର ରଙ୍ଗ ବଦଳିବ । ହେଲେ ଅଚାନକ ୟୁନିଫର୍ମ ପରିବର୍ତ୍ତନକୁ ନେଇ ଛାତ୍ରଛାତ୍ରୀ ଓ ବ୍ଯବସାୟୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଶଳାର ଠେଙ୍ଗା ମାଡ଼ରେ ଭିଣୋଇ ମୃତ
କଳାହାଣ୍ଡି : ଶଳା ମାଡ଼ରେ ଭିଣୋଇ ମୃତ। କଳାହାଣ୍ଡି ଥୁଆମୂଳ ରାମପୁର ଥାନା ରାଣୀଡୁମେର ଗାଁର ଘଟଣା। ହରି ଗଉଡଙ୍କ ଠେଙ୍ଗା ମାଡ଼ରେ ଭିଣେଇ ଟିମା ଗଉଡ ପ୍ରାଣ ହରାଇଛନ୍ତି। ଶଳା ଏବଂ ଭିଣୋଇଙ୍କ ମଧ୍ଯରେ ବଚସା ପରେ ଭିଣୋଇକୁ ଆକ୍ରମଣ କରିଥିଲେ ହରି। ଘଟଣା ସ୍ଥଳରେ ଟିମା ଗଉଡଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅନ୍ୟପଟେ ଗୁରୁତର ସୁରେଖା ଗଉଡଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ପରିବାରରେ ଶୋକାକୂଳ ପିରିବେଶ।.. 
ବକ୍ସ ଅଫିସରେ ‘ସ୍ତ୍ରୀ-୨’ର ରେକର୍ଡ ଭାଙ୍ଗି ପାରିଲାନି ‘ଦେବରା’
ନନ୍ଦିଘୋଷ ବ୍ୟୁରୋ : ଜୁନିଅର NTRଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ୨୭ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା । ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ବହୁତ ଭଲ ରୋଜଗାର କରିଥିଲା । ଚଳଚ୍ଚିତ୍ର ବିଷୟରେ ଯେଉଁଭଳି ଭାବରେ ହାଇପ୍ରୋଫାଇଲ୍ ସୃଷ୍ଟି ହୋଇଥିଲା, ଲାଗୁଥିଲା ଯେ ଉଦଘାଟନୀ ଦିନ ପରେ ମଧ୍ୟ ଫିଲ୍ମ ଚମତ୍କାର କରିବ । କିନ୍ତୁ ଯଦି ଆମେ ଏହି ଚଳଚ୍ଚିତ୍ରକୁ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ଅଭିନୀତ ସ୍ତ୍ରୀ-୨ ସହିତ ତୁଳନା କରୁ, ତେବେ ରୋଜଗାର ଦୃଷ୍ଟିରୁ ଦେବରା ଫିଲ୍ମ ସ୍ତ୍ରୀ-୨ର ରେକର୍ଡ ଭାଙ୍ଗି ପାରିଲା ନାହିଁ । ୪୬ ଦିନରେ ମଧ୍ୟ ସ୍ତ୍ରୀ-୨ ବକ୍ସ ଅଫିସରେ ଭଲ ରୋଜଗାର କରୁଥିବାବେଳେ ‘ଦେବରା’ର ହିନ୍ଦୀ ସଂସ୍କରଣ ବକ୍ସ ଅଫିସରେ ପଛରେ ପଡିଛି ।
‘ଦେବରା’ ଏକ ଉଚ୍ଚ ବଜେଟ୍ ଚଳଚ୍ଚିତ୍ର ଯେଉଁଥିରେ ଜୁନିଅର NTRର ଏକ ଡବଲ ଭୂମିକାରେ ନଜର ଆସିଥିବାବେଳେ ଏହି ଚଳଚ୍ଚିତ୍ରରେ ଜାନଭୀ କପୁର ଏବଂ ସେଫ ଅଲି ଖାନ ମଧ୍ୟ ଅଭିନୟ କରିଛନ୍ତି। ଉଭୟ ବଲିଉଡ ଅଭିନେତା ଏହି ଚଳଚ୍ଚିତ୍ର ସହିତ ତେଲୁଗୁ ଡେବ୍ୟୁ କରିଛନ୍ତି। ‘ଦେବରା’ ରିଲିଜ୍ ହେବା ପରେ, ପ୍ରଥମ ସପ୍ତାହ ଶେଷର ରୋଜଗାର ଭଲ, କିନ୍ତୁ ପରେ ରୋଜଗାର କମିବାରେ ଲାଗିଛି । ସ୍ତ୍ରୀ-୨ ବହୁତ ଭଲ ରୋଜଗାର କରୁଛି ।
ପୁଣେରେ ହେଲିକପ୍ଟର ଦୁର୍ଘଟଣା, ୩ ମୃତ
ପୁଣେ : ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ୩ଜଣଙ୍କ ମୃତ୍ଯୁ ହୋଇଥିଲା ସୂଚନା। ଘନ କୁହୁଡି ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଆଶଙ୍କା। ମୃତକଙ୍କ ମଧ୍ଯରେ ୨ ପାଇଲଟ ଏବଂ ଜଣେ ଇଞ୍ଜିନିୟର ଥିଲେ। ସକାଳ ୬.୪୫ ମିନିଟରେ ପ୍ଲେନ କ୍ରାସ୍ ହୋଇଛି।
ପୁଣେ ବାବଧାନ ପାହାଡ ଅଞ୍ଚଳରେ ପ୍ଲେନ କ୍ରାସ୍ ହୋଇଛି। ମୃତକ ଦୁଇ ପାଇଲଟ୍ ହେଲେ ପରମଜିତ୍ ସିଂ ଏବଂ ଜି.କେ ପିଲାଇ। ମୃତକ ଇଞ୍ଜିନିୟର ହେଲେ ପ୍ରିତମ ଭରଦ୍ବାଜ। ହେଲିକପ୍ଟର ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ଘଟଣାସ୍ଥଳରେ ଦୁଇଟି ଆମ୍ବୁଲାନ୍ସ ଏବଂ ଚାରିଟି ଦମକଳ ଗାଡି ଉପସ୍ଥିତ ଅଛି ।
ଦ୍ୱିତୀୟ ଥର ପାଇଁ ପାକିସ୍ତାନର ଅଧିନାୟକତ୍ୱ ଛାଡିଲେ ବାବର ଆଜମ
ନନ୍ଦିଘୋଷ ବ୍ୟୁରୋ : ବାବର ଆଜମ ଆଉ ଦିନିକିଆ ଏବଂ ଟି୨୦ ରେ ପାକିସ୍ତାନର ଅଧିନାୟକ ହେବେ ନାହିଁ । ସେ ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପାଇଁ ବାବର ଆଜମ ପାକିସ୍ତାନର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ଆଜାମ ମଧ୍ୟରାତ୍ରିରେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନର ଅଧିନାୟକତ୍ୱ ଛାଡିବା ବିଷୟରେ ସୂଚନା ଦେଇଛନ୍ତି । ବାବର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ବାରା ସେ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେଇ ପାରିବେ। ସେ କହିଛନ୍ତି ଯେ ଜଣେ ଖେଳାଳି ଭାବରେ ସେ ଦଳରେ ଅବଦାନ ଜାରି ରଖିବେ।
ତେବେ ଗତ ବର୍ଷ ଏକଦିବସୀୟ ବିଶ୍ୱକପ ପରେ ବାବର ଆଜମ ପାକିସ୍ତାନର ଅଧିନାୟକତ୍ୱ ଛାଡିଥିଲେ । କିନ୍ତୁ, ତେବେ ଚଳିତ ବର୍ଷ ଏପ୍ରିଲରେ ପିସିବି ତାଙ୍କୁ ହ୍ବାଇଟ୍ ବଲ୍ କ୍ରିକେଟରେ ଅଧିନାୟକ ଭାବରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମଧ୍ୟ ଚଳିତ ବର୍ଷର ଟି -୨୦ ବିଶ୍ୱକପ ଖେଳିଛି । ବର୍ତ୍ତମାନ ବାବର ଆଜାମ ପାକିସ୍ତାନର ଅଧିନାୟକତ୍ୱରୁ ସମ୍ପୂର୍ଣ୍ଣ ଇସ୍ତଫା ଦେଇଛନ୍ତି ।
ସୋସିଆଲ ମିଡିଆରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାବର ଆଜାମ ଘୋଷଣା କରିଛନ୍ତି ଯେଉଁଥିରେ ସେ କାହିଁକି ଏହି ନିଷ୍ପତ୍ତି ନେଉଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି। ପ୍ରଶଂସକଙ୍କୁ ବାବର ଆଜମ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି ଯେ, ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ କ୍ରିକେଟ୍ ଦଳର ନେତୃତ୍ୱ ନେବା ମୋ ପାଇଁ ଗୌରବର ବିଷୟ । ମୁଁ ଅଧିନାୟକତ୍ୱରୁ ବହୁତ କିଛି ଶିଖିବାକୁ ପାଇଲି ।କିନ୍ତୁ, ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ଅଧିନାୟକତ୍ୱ ଛାଡିବା ମୋ ପାଇଁ ଉପଯୁକ୍ତ ସମୟ ।
ଅଧିନାୟକ ପଦ ଛାଡିବାର କାରଣ ବିଷୟରେ ବାବର ଆଜମ ଆହୁରି ମଧ୍ୟ କହିଛନ୍ତି। ସେ ବର୍ତ୍ତମାନ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏବଂ ଏଥିପାଇଁ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶଂସକମାନଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସେ ଅଧିନାୟକ ଭାବରେ ନୁହେଁ ବରଂ ଜଣେ ଖେଳାଳି ଭାବରେ ଦଳରେ ସହଯୋଗ କରିବାକୁ ଚାହୁଁଛନ୍ତି ।
ହିଜବୁଲ୍ଲା ଗଡ଼କୁ ଟାର୍ଗେଟ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍
ନନ୍ଦିଘୋଷ ବ୍ୟୁରୋ : ଲେବାନନରେ ଇସ୍ରାଏଲର ସ୍ଥଳ ଅଭିଯାନ ଜାରି ରହିଛି । ହିଜବୁଲ୍ଲା ଗଡ଼କୁ ଟାର୍ଗେଟ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ । ଆତଙ୍କବାଦୀଙ୍କୁ ନିପାତ କରାଯିବା ଏବଂ ସେମାନଙ୍କ ଭିତ୍ତିଭୂମି ନଷ୍ଟ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ନସରଲ୍ଲାକୁ ହତ୍ୟାର ପ୍ରତିଶୋଧ ନେବା ସଂଗଠନ ପକ୍ଷରୁ ଇସ୍ରାଏଲର ଗିଲୋଟ୍ ବେସ୍ ଓ ତେଲ ଅବିବର ଉପାନ୍ତ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ହେଜବୁଲ୍ଲା ଗଡ଼ ଦହିୟେରେ ରହୁଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବାକୁ ଚେତାବନୀ ଦିଆଯାଇଥିଲା । ଗତ ଦୁଇ ସପ୍ତାହ ମଧ୍ୟରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଲେବାନନରେ ଇସ୍ରାଏଲ ଆକ୍ରମଣରେ ଅତି କମରେ ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୭୨ ଜଣ ଆହତ ହୋଇଛନ୍ତି । ଇସ୍ରାଏଲକୁ ଲେବାନନରୁ ଅଲଗା କରୁଥିବା ବ୍ଲୁ ଲାଇନ୍ ନିକଟରେ ହିଜବୁଲ୍ଲା ସଦସ୍ୟମାନେ ଖୋଳିଥିବା ଭୂତଳ ସୁଡ଼ଙ୍ଗର ଏକ ନେଟୱର୍କରେ ଇସ୍ରାଏଲର ସ୍ୱତନ୍ତ୍ର ସେନା ପ୍ରବେଶ କରିଛି । ସିରିଆର ଦମାସ୍କସ ଉପରେ ରାତାରାତି ଇସ୍ରାଏଲ ଆକ୍ରମଣରେ ଟିଭି ଆଙ୍କର ସଫା ଅହମଦ ଓ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ସେନା ସ୍ଥାନୀୟ ସମୟ ରାତି ପ୍ରାୟ ୨ଟା ବେଳେ ‘ଅଧିକୃତ ଗୋଲାନ୍ ହାଇଟ୍ସ’ ଦିଗରୁ ଡ୍ରୋନ୍ ଓ ବିମାନ ଯୋଗେ ଦମାସ୍କସକୁ ଟାର୍ଗେଟ କରିଥିଲା । ଏପଟେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାର ଗୁପ୍ତ ବଙ୍କର ଭିତରେ ବିଷାକ୍ତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଇସ୍ରାଏଲର ଏକ ଗଣମାଧ୍ୟମ ଦାବି କରିଛି । ବଙ୍କର ଉପରେ ୮୦ ଟନ୍ ବଙ୍କର-ବିଧ୍ବଂସୀ ବୋମା ପକାଇବା ପରେ ହୋଇଥିବା ବିସ୍ଫୋରଣ ଯୋଗୁଁ ବିଷାକ୍ତ ବାଷ୍ପ ଓ ପ୍ରବଳ ଧୂଆଁରେ ବଙ୍କର ଭିତରେ ନିଃଶ୍ୱାସ ନେବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଶ୍ବାସରୁଦ୍ଧ ହୋଇ ନସରଲ୍ଲାର ମୃତ୍ୟୁ ହୋଇଥିଲା। ଆକ୍ରମଣ ସ୍ଥଳରୁ ନସରଲ୍ଲାର ମୃତଦେହ ଉଦ୍ଧାର ହେବା ପରେ କୌଣସି ଆଘାତ ଲାଗି ନ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଲୁଟ୍ କରିବାକୁ ଆସି ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ, ଦୁଇ ଜଣଙ୍କୁ ଅଟକ ରଖିଲା ପୋଲିସ
ଭୁବନେଶ୍ବର : ରାଜଧାନୀରେ ବର୍ବରକାଣ୍ଡ । ଲୁଟ୍ କରିବାକୁ ଆସି ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ଏନେଇ ଗତକାଲି ଚାଞ୍ଚଲ୍ଯ ଖେଳିବା ପରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ମୈତ୍ରୀବିହାର ଥାନା ପୋଲିସ । ପୀଡ଼ିତା ଥାନାରେ ଅଭିଯୋଗ କରିବାପରେ ବିଭିନ୍ନ ସ୍ଥାନରେ ରେଡ୍ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଗତ ରବିବାର ବିଳମ୍ବିତ ରାତିରେ ରାଜଧାନୀର ଛାତି ଉପରେ ଘଟିଥିଲା ଛାତିଥରା ଘଟଣା । ରାତି ପ୍ରାୟ ୨ଟା ବେଳେ ଦୁଇ ଜଣ ଲୁଟେରା ଲୁଟ୍ କରିବାକୁ ଆପାର୍ଟମେଣ୍ଟରେ ପଶିଥିଲେ । ଏକ ଘରର ବାଲକୋନି ଖୋଲାଥିବା ଦେଖି ସେହି ଘରେ ପଶିଥିଲେ । ସେହି ଘରେ ୨ ବର୍ଷର ଝିଅ ସହ ରହୁଥିଲେ ମହିଳା । କେହି ନଥିବାରୁ ସୁୟୋଗ ନେଇ ଶିଶୁକନ୍ଯାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏହାପରେ ଗହଣା ଲୁଟି ଫେରାର ହୋଇଯାଇଥିଲେ । ଏଭଳି ଭୟଙ୍କର ଘଟଣା ରାଜଧାନୀରେ ଆତଙ୍କ ଖେଳାଇଦେଇଥିବାବେଳେ କମିଶନରେଟ ପୋଲିସ ପାଇଁ ଚ୍ଯାଲେଞ୍ଜ ସୃଷ୍ଟି ହୋଇଛି । ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି । ମାନବାଧିକାର କର୍ମୀ ଜୟନ୍ତ ଦାସ ମାମଲା ରୁଜୁ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।
ଜେଲରୁ ବାହାରିଲେ ରାମ ରହିମ, ବାଗପତ ଆଶ୍ରମରେ ୨୦ ଦିନ ବିତାଇବେ
ରୋହତକ : ଦୁଷ୍କର୍ମ ମାମଲାରେ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ୨୦ ଦିନ ପାରୋଲ ମିଳିବା ପରେ ଜେଲରୁ ବାହାରିଛନ୍ତି। ସେ ବୁଧବାର ସକାଳେ ରୋହତକଙ୍କ ସୁନାରିଆ ଜେଲରୁ ବାହାରି ଉତ୍ତର ପ୍ରଦେଶର ବାଗପତସ୍ଥିତ ବର୍ଣ୍ଣୱା ଆଶ୍ରମକୁ ଯାଇଥିଲେ । ଗତ ଚାରି ବର୍ଷ ମଧ୍ୟରେ ରାମ ରହିମ ୧୫ ତମ ଥର ପାରୋଲରେ ଜେଲରୁ ବାହାରିଛନ୍ତି ।
ସୋମବାର ନିର୍ବାଚନ ଆୟୋଗ ଗୁରୁମିତ ରାମ ରହିମଙ୍କ ପାରୋଲ ଅନୁରୋଧକୁ ଅନୁମୋଦନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି ଯେ ହରିୟାଣା ସରକାର ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କ ପାରୋଲକୁ ବିଚାର କରିପାରନ୍ତି। ଏଥିପାଇଁ ତାଙ୍କ ପାରୋଲ୍ ଆବେଦନରେ ଲେଖାଯାଇଥିବା ତଥ୍ୟ ସତ୍ୟ ହେବା ଉଚିତ୍ । ଆହୁରି ମଧ୍ୟ, ନିର୍ବାଚନ ପାଇଁ ମଡେଲ ଆଚରଣ ସଂହିତା ସମ୍ବନ୍ଧୀୟ ଅନ୍ୟାନ୍ୟ ସର୍ତ୍ତଗୁଡିକ ପୂରଣ ହେବା ଉଚିତ୍ ।
ନିର୍ବାଚନ ଆୟୋଗର ଅନୁମୋଦନ ପରେ ହରିୟାଣା ସରକାର ତୁରନ୍ତ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବରରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ମୁକ୍ତି ନିଷ୍ପତ୍ତି ନିଆଯାଇଥିଲା । ହରିୟାଣା ଏବଂ ପଞ୍ଜାବରେ ତାଙ୍କର ବହୁତ ପ୍ରଭାବ ଥିବା ପରି ବିବେଚନା କରାଯାଏ । ଗୁରୁମିତ ରାମ ରହିମ ୨୦ ଦିନ ପାଇଁ ପାରୋଲ ମାଗିଥିଲେ । ପାରୋଲ ଅବଧି ସମୟରେ ଉତ୍ତରପ୍ରଦେଶର ବାଗପତରେ ରହିବାକୁ ସେ ଦାବି କରିଥିଲେ। ପାରୋଲ ଅବଧିରେ ଗୁରୁମିତ ରାମ ରହିମଙ୍କୁ ହରିୟାଣା ପ୍ରବେଶ କରିବାକୁ ଅନୁମତି ନାହିଁ। ସେ ବ୍ୟକ୍ତିଗତ ଭାବରେ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ କୌଣସି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ ନାହିଁ ।ଏହା ବ୍ୟତୀତ ତାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ରାମ ରହୀମ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ।

