spot_img
Home Blog Page 1540

ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ଟ୍ରାମି ; ୧୩୦ରୁ ଅଧିକଙ୍କ ମୃତ୍ଯୁ, ୪୦ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ଫିଲିପାଇନ୍ସରେ ଭୟଙ୍କର ଘୂର୍ଣ୍ଣିଝଡ଼ । ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ଟ୍ରାମି । ଘୂର୍ଣ୍ଣିଝଡ଼ ପ୍ରଭାବରେ ଫିଲିପାଇନ୍ସରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି । ଏଥିରେ ୧୩୦ରୁ ଅଧିକଙ୍କର ମୃତ୍ଯୁ ହୋଇଥିବାବେଳେ ୪୦ ଜଣ ନିଖୋଜ ଅଛନ୍ତି । ହଜାର ହଜାର ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି । ପ୍ରବଳ ବର୍ଷା ପବନ ଯୋଗୁ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଛି । ମାଟିତଳେ ଅନେକ ଲୋକ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି । ରେସ୍କ୍ଯୁ ଟିମ୍ ଉଦ୍ଧାର କାର୍ଯ୍ଯ ଜାରି ରହିଛି ।

ଗ୍ଯାସ ଟାଙ୍କିଫାଟି ଜଳିଗଲା ୧୦ ବଖରା ଘର

ଗଞ୍ଜାମ : ଗ୍ଯାସ ଟାଙ୍କିଫାଟି ଜଳିଗଲା ୧୦ ବଖରା ଘର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଭୋର ସମୟରେ ଘର ଭିତରେ କୌଣସି କାରଣରୁ ଗ୍ଯାସ ଟାଙ୍କି ବିସ୍ଫୋରଣ ହୋଇଥିଲା । ଏଥିରେ ୪ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଘର ଭିତରେ ଆସବାବପତ୍ର ସହ ଅନେକ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସମ୍ବଲପୁରରେ ଆଜି ମୋ ବସ ସେବା ବନ୍ଦ

ସମ୍ବଲପୁର : ସମ୍ବଲପୁରରେ ଆଜି ମୋ ବସ ବନ୍ଦ । ମହିଳା କର୍ମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ ବସ ଚଳାଚଳ । ଦରମା କାଟ ଓ ବସରେ ଅବ୍ଯବସ୍ଥା ବିରୋଧରେ ମହିଳା କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଗାଡ଼ିରେ ପ୍ରବଳ ଭିଡ଼ ହେଉଥିବାରୁ ଟିକେଟ କାଟିବାରେ ଅସୁବିଧା ହେଉଛି । ଏହାଛଡ଼ା ଅନେକ ସମୟରେ କର୍ମଚାରୀଙ୍କ ଦରମା କାଟ କରାଯାଉଛି। ଏହାକୁ ପ୍ରତିବାଦ କରିବା ସହ ତୁରନ୍ତ ସମସ୍ଯାର ସମାଧାନ ଦାବିରେ ଧାରଣାରେ ବସିଛନ୍ତି ମହିଳା କର୍ମଚାରୀ ।

ଗାଁରେ ବୁଲିଛି ମହାବଳ ବାଘ ! ଠେଙ୍ଗା ଧରି ଜଗୁଛନ୍ତି ଲୋକ

ଗଞ୍ଜାମ : ବାଘ ଭୟରେ ଥରହର ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳ । ସଞ୍ଜ ନହେଉଣୁ ପଡ଼ିଯାଉଛି ତାଟିକବାଟ । ସାରା ରାତି ଟାୟାର ଜାଳି, ଠେଙ୍ଗା ଧରି ବାଘକୁ ଜଗୁଛନ୍ତି ଲୋକ । ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ଼ ଗାଁରେ ବାଘ ବୁଲୁଥିବାନେଇ କିଛି ଲୋକ ଦେଖିବା ପରେ ଆତଙ୍କ ଖେଳିଯାଇଛି । ପାଦଚିହ୍ନ ଏକ ମହାବଳର ହୋଇଥିବା ନେଇ ବନ ବିଭାଗ ସୂଚନା ଦେବାପରେ କୋକୁଆ ଭୟ ଖେଳିଯାଇଛି । ବାଘର ଗତିବିଧି ପରିଖିବା ପାଇଁ ବନ ବିଭାଗ ଟ୍ରାପ୍ କ୍ୟାମେରା ଲଗାଇଛି । ତେବେ ଲୋକମାନେ ସନ୍ଧ୍ଯାରୁ ତାଟିକବାଟ ଦେଇ ଘରେ ରହୁଥିବାବେଳେ ଗାଁ ମୁଣ୍ଡରେ ଟାୟାର ଜାଳି ବାଘକୁ ଜଗି ରହିଛନ୍ତି । ତେବେ ବାଘଟି କେଉଁଠୁ ଆସିଛି ଏବଂ ଗତିବିଧି କଣ ରହୁଛି ତାହା ଉପରେ ବନ ବିଭାଗ ନଜର ରଖିଛି ।

ଶ୍ରମିକ ବିରୋଧୀ ନୀତିକୁ ବିରୋଧ, ୧୮ ଦଫା ଦାବିରେ ଆଜି ଦେଶବ୍ଯାପୀ ୨୪ ଘଣ୍ଟିଆ ଧର୍ମଘଟ

ରାଉରକେଲା : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ । ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣକୁ ବିରୋଧ ସହ ୧୮ ଦଫା ଦାବିରେ ଆଜି ଦେଶବ୍ଯାପୀ ୨୪ ଘଣ୍ଟିଆ ଧର୍ମଘଟ ପାଳନ କରୁଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ । ଦେଶର ସମସ୍ତ ଇସ୍ପାତ କାରଖାନା ଓ ଖଣି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ କରାଯାଉଛି ।

ସଂଗଠନର ଦାବି ଅନୁସାରେ, ସେଲ ଅଧିନରେ ପରିଚାଳିତ ସମସ୍ତ ଇସ୍ପାତ କାରଖାନାର ଶ୍ରମିକ ଓ କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ, ୩୯ ମାସର ବକେୟା ଏରିୟର ଅର୍ଥ ପ୍ରଦାନ ସହ ବୋନସ ଫର୍ମୁଲା ପରିବର୍ତ୍ତନ, ଗ୍ରାଚ୍ୟୁଇଟି ସିଲିଂର ଉଛେଦ କରାଯାଉଛି । ଆନ୍ଦୋଳନକୁ ସଫଳ କରିବା ପାଇଁ ରାଉରକେଲା ଶ୍ରମିକ ସଂଘ ବିକ୍ଷୋଭକୁ ଓହ୍ଲାଇଛି । ରାଉରକେଲା ଇସ୍ପାତ କାରଖାନାର ସମସ୍ତ ଫାଟକ ସମ୍ମୁଖରେ ସକାଳ ୬ଟାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧର୍ମଘଟ ଜାରି ରହିଛି । ଦାବି ପୂରଣ ନହେଲେ ଆଗକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିବ ବୋଲି ଶ୍ରମିକ ସଂଗଠନ ଚେତାବନୀ ଦେଇଛି ।

ଭାରତ ଓ ଚୀନ ସୀମାରେ ଫେରୁଛି ସ୍ବାଭାବିକ ଅବସ୍ଥା

ନୂଆଦିଲ୍ଲୀ : ଆଜି ଓ ଆସନ୍ତାକାଲି ସୁଦ୍ଧା ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରୁ ସୀମାରୁ ଉଚ୍ଛେଦ ପ୍ରକ୍ରିୟା। ପୂର୍ବ ଲଦାଖର ଡେମଚୋକ ଓ ଦେପସଙ୍ଗରୁ ଉଚ୍ଛେଦ ପ୍ରକ୍ରିୟା ଶେଷ ହେବ। କୂଟନୈତିକ, ସାମରିକ ଓ ସେନା ସ୍ତରରେ ବ୍ଯାପକ ଆଲୋଚନା ପରେ ଭାରତ ଓ ଚୀନ ଏହି ନିଷ୍ପତ୍ତି ନେଇଥିଲେ। ଗତ ଅକ୍ଟୋବର ୨୩ ତାରିଖରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ଯରେ ଆଲୋଚନା ହୋଇଥିଲା। ଗତ ୨୫ ତାରିଖରେ LACରୁ ୫ଟି ଲେଖାଏଁ ତମ୍ବୁ ହଟାଇଥିଲେ ଭାରତ ଓ ଚୀନ। ଗତ ଚାରି ବର୍ଷ ଧରି ଚାଲିଥିବା ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ବର୍ତ୍ତମାନ ଧୀରେ ଧୀରେ ଶେଷ ହେବାକୁ ଯାଉଛି । ଉଭୟ ପାର୍ଶ୍ଵରୁ ସମସ୍ତ ତମ୍ବୁ ଏବଂ ଅସ୍ଥାୟୀ ନିର୍ମାଣ ସମ୍ପୂର୍ଣ୍ଣ ରୂପେ ହଟାଯିବା ପରେ ଏକ ମିଳିତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।

ଆଜିଠୁ ୱାୟନାଡରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଚାର ଆରମ୍ଭ ; ସାମିଲ ହେବେ ବହୁ ହେଭିୱେଟ

କେରଳ :  ଆଜିଠାରୁ କେରଳ ୱାୟନାଡରେ ପ୍ରଚାର ଆରମ୍ଭ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି। ୟୁଡିଏଫର ମିଳିତ ପ୍ରାର୍ଥୀ ପ୍ରିୟଙ୍କାଙ୍କ ଲାଗି ଏକାଠି ହୋଇଛନ୍ତି କଂଗ୍ରେସର ହେଭିୱେଟ। ଗତ ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଥିଲେ ପ୍ରିୟଙ୍କା। ଏଥିରେ ସାମିଲ ହୋଇଥିଲେ ଭାଇ ରାହୁଲ ଗାନ୍ଧି, ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ସଂସଦୀୟ ଦଳ ଅଧ୍ଯକ୍ଷା ସୋନିଆ ଗାନ୍ଧି। ସେପଟେ ପ୍ରିୟଙ୍କାଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ନବ୍ଯା ହରିଦାସ। ସେ ବର୍ତ୍ତମାନ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅଛନ୍ତି।

ତେଣେ ଇଣ୍ଡି ମେଣ୍ଟକୁ ଅଗ୍ରାହ୍ୟ କରି ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଦଳର ସାଧାରଣ ସମ୍ପାଦକ ସଥ୍ୟନ ମୋକେରି । ଶାସକ ଏଲଡିଏଫ ପକ୍ଷରୁ ସେ ପ୍ରାର୍ଥୀ ହୋଇଛନ୍ତି । ୧୯୮୭ରୁ ୨୦୦୧ ଯାଏ ନାଦାପୁରମ ବିଧାନ ସଭା କ୍ଷେତ୍ରରୁ ତିନିଥର ବିଧାୟକ ଥିଲେ ମେକେରି । ସେ ବି ଜଣେ ଚାଷୀ ନେତା । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ସିପିଆଇର ଆନ୍ନି ରାଜାଙ୍କୁ ୩ ଲକ୍ଷ ୬୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ଫୁଲବାଣୀ ମାତୃଶିଶୁ କେନ୍ଦ୍ରରେ ସଂଘାତିକ ତ୍ରୁଟି

 

ନନ୍ଦିଘୋଷ ବ୍ୟୁରୋ: ନବଜାତ ଶିଶୁପୁତ୍ର ବଦଳରେ ଶିଶୁକନ୍ଯାକୁ ରେଫର କରିଦେଲେ ଡାକ୍ତର । ଫୁଲବାଣୀ ମାତୃଶିଶୁ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ସଂଘାତିକ ତ୍ରୁଟି । ଅଭିଯୋଗ ଅନୁସାରେ ଗତ ୨୫ ତାରିଖରେ ଫୁଲବାଣୀ କାଚେରାସାହିର  ଲିଜା ମୁଖୀ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁପୁତ୍ରଟି ଅସୁସ୍ଥ ଥିବାରୁ ଏସଏନସିୟୁରେ ତାର ଚିକିତ୍ସା ଚାଲିଥିଲା । ତେବେ ଦେହ ଅତି ଗୁରୁତର ଥିବା ଦର୍ଶାଇ ବ୍ରହ୍ମପୁର ଏମକେସିଜିକୁ ଡାକ୍ତର ରେଫର କରିଥିଲେ । ଉଭୟ ବାପାମାଆ ଶିଶୁପୁତ୍ରଟିକୁ ନେଇ ବ୍ରହ୍ମପୁର ଯାଇଥିଲେ । ମାତ୍ର ସେଠାରେ ଭର୍ତ୍ତି କରିବା ପରେ ତାହା ଏକ ଶିଶୁପୁତ୍ର ନୁହେଁ ବରଂ ଶିଶୁକନ୍ଯା ବୋଲି ଡାକ୍ତର କହିଥିଲେ । ଏନେଇ ତୁରନ୍ତ ଫୁଲବାଣୀ ମାତୃଶିଶୁ କେନ୍ଦ୍ର ସହ ଯୋଗାଯୋଗ କରିବା ପରେ ତାଙ୍କ ଶିଶୁପୁତ୍ର ଏବେବି ସେଠାରେ ରହିଥିବା ଛୁଆଟିର ବାପା ଜାଣିବାକୁ ପାଇଥିଲେ । ଅନ୍ଯପଟେ ଶିଶୁକନ୍ଯାଟି ରାଇକିଆ ବ୍ଲକ ବାଲିଗାଡା ଗାଁର କିରଣ ପ୍ରଧାନ ଓ ଶାମୁକା ପ୍ରଧାନଙ୍କର ବୋଲି ଜଣାପଡ଼ିଛି । ଝିଅଟିର ବାପାମାଆଙ୍କୁ ଆମ୍ବୁଲାନ୍ସ ଦ୍ବାରା ମେଡିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁର ମେଡିକାଲକୁ ପଠାଇଦେଇଛନ୍ତି । ଅନ୍ଯପଟେ ଶିଶୁପୁତ୍ରଟିକୁ ବି ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଫୁଲବାଣୀ ଟାଉନଥାନାରେ ଶିଶୁପୁତ୍ରର ପରିବାର ଅଭିଯୋଗ କରିଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏତେ ଏଭଳି ପ୍ରଶ୍ନ ଉଠୁଛି ଏଭଳି ସଂଘାତିକ ତ୍ରୁଟି ପଛରେ ଦାୟୀ କିଏ । ଶିଶୁପୁତ୍ର ବଦଳରେ ଶିଶୁକନ୍ଯାକୁ କିଏ କଲା ରେଫର ? ରେଫର ଆଗରୁ କାହିଁକି ଭଲଭାବରେ ତର୍ଜମା କରାଯାଇନଥିଲା ? ଏନଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ବାନ୍ଧବୀଙ୍କୁ ହତ୍ୟା କଲା ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ କାନପୁରରେ ଲୋମହର୍ଷକ ହତ୍ଯା। ୩୨ ବର୍ଷ ବୟସ୍କା ବାନ୍ଧବୀଙ୍କୁ ହତ୍ଯା କଲା ପ୍ରେମିକ। କେବଳ ଏତିକି ନୁହେଁ, କାନପୁରର ଭିଆଇପି ଇଲାକାରେ ତାଙ୍କର ମୃତଦେହ ପୋତି ଦେଇଛି ପ୍ରେମିକ। ଅନ୍ଯ ଜଣେ ମହିଳାଙ୍କ ସହ ଅଭିଯୁକ୍ତଙ୍କ ପ୍ରେମ ସମ୍ପର୍କକୁ ପ୍ରେମିକା ବିରୋଧ କରିବା ପରେ ଘଟିଛି ହତ୍ଯାକାଣ୍ଡ। ବଡକଥା ହେଉଛି ଫିଲ୍ମ ଦୃଶ୍ଯମ ଦେଖିବା ପରେ ଏଥିରେ ଅନୁପ୍ରାଣୀତ ହୋଇ ଏଭଳି କାଣ୍ଡ ଘଟାଇଥିଲା ଅଭିଯୁକ୍ତ। ସୂଚନା ଅନୁସାରେ ଏକତା ଗୁପ୍ତା ଓ ଜିମ୍ ଟ୍ରେନର ବିଶାଳ ସୋନିଙ୍କ ମଧ୍ଯରେ ସମ୍ପର୍କ ରହିଥିଲା। ତେବେ ଅନ୍ଯ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ବିଶାଳଙ୍କ ଉପରେ କ୍ଷୁବ୍ଧ ହେଉଥିଲେ ଏକତା। ଏହାକୁ ନେଇ ସେମାନଙ୍କ ମଧ୍ଯରେ ତିକ୍ତତା ବଢିଥିଲା। ଏକତା ଗୁପ୍ତା ବିବାହିତ ଥିଲେ। ବିଶାଳ ଓ ଏକତାଙ୍କ ସହ ସମ୍ପର୍କକୁ ବିରୋଧ କରି ଏକତାଙ୍କ ସ୍ବାମୀ ଅଭିଯୋଗ କରିବା ପରେ ବିଶାଳ ଥରେ ଗିରଫ ବି ହୋଇଥିଲେ। ଗତ ଜୁନ ୨୪ରେ ଜିମରେ ଏକତା ପହଞ୍ଚିବା ପରେ ବିଶାଳଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଏକତାଙ୍କୁ ସୋନି ପ୍ରବଳ ମାଡ ମାରିଥିଲେ। ସେ ମରିଯିବା ପରେ ତାଙ୍କ ମୃତଦେହକୁ କାନପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବାସଭବନ ପଛପଟେ ପୋତିଦେଇଥିଲେ ବିଶାଳ। ବଲିଉଡ ମୁଭି ଦୃଶ୍ଯମ କଥାବସ୍ତୁ ଅନୁସାରେ ମୃତଦେହକୁ ଏକ ଭିଆଇପି ଏରିଆରେ ପୋତିବାକୁ ଚାହିଁଥିଲା ଅଭିଯୁକ୍ତ। କାରଣ ପୋଲିସ ଭିଆଇପି ଇଲାକାରେ ଏଭଳି ଘଟଣା ଘଟିଛି ବୋଲି ସହଜରେ ସନ୍ଦେହ କରିପାରିବ ନାହିଁ। ପରେ ଚାରିମାସ ପରେ ଏକତାଙ୍କ ହତ୍ଯା ସମ୍ପର୍କରେ ପୋଲିସ ସବୁକିଛି ଜାଣିବା ପରେ ମୃତଦେହ କରିଛି ଉଦ୍ଧାର। ବିନା ମୋବାଇଲରେ ଅଭିଯୁକ୍ତ ବୁଲୁଥିବାରୁ ତାଙ୍କୁ ଧରିବାରେ ବିଳମ୍ବ ହୋଇଥିଲା।

ଉତ୍ତରପ୍ରଦେଶରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ପୋଲିସ ବର୍ଦ୍ଦିରେ କଳଙ୍କ। ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା। ଶହ ଶହ ଲୋକଙ୍କ ନାରାବାଜି। ଚିନହାଟ ପୋଲିସ ଥାନା ଅଞ୍ଚଳରେ ଘଟିଛି ଘଟଣା। ୩୨ ବର୍ଷ ବୟସ୍କ ଡ୍ରେସ ସପ୍ଲାୟର ମୋହିତ ପାଣ୍ଡେଙ୍କ ମୃତ୍ଯୁକୁ ନେଇ ବି ବଢିଛି ରାଜନୀତି। ସେପଟେ ଚିନାହାଟ ପୋଲିସ ଥାନା ଅଧିକାରୀ ଅବିନାଶ କୁମାର ଚତୁର୍ବେଦୀ ଓ ଅନ୍ଯ ୨ ଜଣଙ୍କ ବିରୋଧରେ ହତ୍ଯା ମାମଲା ରୁଜୁ ହୋଇଛି। ଗୋମତୀନଗରର ବୈଭବ କୁଣ୍ଡ ଅଞ୍ଚଳର ମୋହିତ ଏକ ଡ୍ରେସ ପ୍ରସ୍ତୁତ ୟୁନିଟ ଚଳାଉଥିଲେ ଏବଂ ଭାଇ ଶୋଭା ରାମଙ୍କ ସହ ବ୍ଯବସାୟ କରୁଥିଲେ। ଜଣେ ମାଲପରିବହନ କରୁଥିବା ଡ୍ରାଇଭରର ଅଭିଯୋଗ କ୍ରମେ ଗତ ଶୁକ୍ରବାର ଜୈନାବାଦରୁ ପୋଲିସ ମୋହିତଙ୍କୁ ଗିରଫ କରିଥିଲା।  ପରେ ଥାନାକୁ ଭାଇ ଶୋଭାରାମ ଯାଇଥିବାବେଳେ ତାଙ୍କୁ ମଧ୍ଯ ପୋଲିସ ଅଟକ ରଖିଥିଲା। ତେବେ ଥାନାରେ ଥିବାବେଳେ ମୋହିତଙ୍କ ସ୍ବାସ୍ଥ୍ଯାବସ୍ଥା ଗୁରୁତର ହୋଇଥିଲା ଏବଂ ପୋଲିସ ତାଙ୍କୁ ପ୍ରଥମେ ସିଏଚସି ଓ ପରେ RMLIMS ହସ୍ପିଟାଲକୁ ନେଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟିହୋଇଥିଲା। ପରିବାର ଓ ସ୍ଥାନୀୟ ଲୋକେ ହାଜତ ମୃତ୍ଯୁ ଅଭିଯୋଗ କରି ହଙ୍ଗାମା ସୃଷ୍ଟିକରିଥିଲେ। ଭାଇ ଶୋଭାରାମ ଅଭିଯୋଗ କରିଛନ୍ତି- ଥାନାରେ ତାଙ୍କ ଭାଇଙ୍କୁ ପାଣି ବି ଦିଆଯାଇନଥିଲା। ଗୁରୁତର ଅବସ୍ଥାରେ ଥିବା ସତ୍ତ୍ବେ ତାଙ୍କୁ ମେଡିକାଲକୁ ନିଆଯାଇ ନଥିଲା। ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ପୋଲିସ କମିଶନର ଅମରେନ୍ଦ୍ର ସେନଗାର। ସେପଟେ ଏହି ଘଟଣାକୁ ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ।