spot_img
Home Blog Page 1541

ଭୁବନେଶ୍ଵରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର : କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା। ରାଜଧାନୀ ଭିତରକୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଦଶହରା ବେଳେ ବିଭିନ୍ନ ସ୍ଥାନରେ ଡିଲ ପାଇଁ ହୋଇଥିଲା ଯୋଜନା। ଟାର୍ଗେଟରେ ଥିଲେ କିଛି ପ୍ରତିଷ୍ଠିତ କଲେଜର ଇଞ୍ଜିନିୟରିଂ ଛାତ୍ର। ବିଶେଷ ସୁତ୍ରରୁ ଖବର ପାଇବା ପରେ ରାଜଧାନୀ ଉପକଣ୍ଠ ଗଙ୍ଗପଡା ଠାରେ ଏକ ସୁଇଫ୍ଟ ଡିଜେଆର କାରରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ପ୍ୟାକେଟ ଜବତ କରିଥିଲା ପୋଲିସ । ସାଧା ପୋଷାକରେ ପୋଲିସ ଗାଡିଟିକୁ ଅଟକାଇବା ବେଳେ ପୋଲିସକୁ ଧକ୍କା ଦେଇ ଖସିବାକୁ ଉଦ୍ୟମ କରିଥିଲା ନିଶା ମାଫିଆ। ଶେଷରେ କାଇମାଟିଆ ପାଟଣା ନିକଟରେ ଗଞ୍ଜେଇ ଭର୍ତ୍ତି ଗାଡିଟିକୁ ଜବତ କରାଯାଇଥିଲା। ହେଲେ ଡ୍ରାଇଭର ସମେତ ୨ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଛାନବିନ ଆରମ୍ଭ କରିଛି ।

ବର୍ଦ୍ଧମାନ ଗ୍ରୁପର ମାଲିକଙ୍କୁ ଡିଜିଟାଲ ଆରେଷ୍ଟ କରି ଠକିନେଲେ ୭ କୋଟି !

ନୂଆଦିଲ୍ଲୀ : ସାଇବର ଠକେଇର ଏକ ନୂଆ କେସ୍ ସାମ୍ନାକୁ ଆସିଛି । ଯେଉଁଥିରେ ବର୍ଦ୍ଧମାନ ଗ୍ରୁପର ମାଲିକ ଏସ. ପି . ଓସଓ୍ୱାଲଙ୍କୁ ୭ କୋଟି ଟଙ୍କାର ଚୂନା ଲାଗାଇଦେଇଛନ୍ତି ସାଇବର ଠକ । ଏଥିରେ ତାଙ୍କୁ ଫେକ୍  ଏସବିଆଇ କଲ୍ କରି ଫର୍ଜି ଆରେଷ୍ଟ ଓ୍ୱାରେଣ୍ଟ  ଦେଖାଇବା ସହ ଡିଜିଟାଲୀ ଆରେଷ୍ଟ ମଧ୍ୟ ରଖାଯାଇଥିଲା । ଏହି ଘଟଣାର ୪୮ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ବର୍ଦ୍ଧମାନ ଗ୍ରୁପର ମାଲିକଙ୍କୁ ଚୂନା ଲଗାଇଥିବା ଏହି ଠକଙ୍କୁ କାବୁ କରିଛି ପଞ୍ଜାବ ପୋଲିସ । ପୋଲିସ ସୂଚନା ମୁତାବକ ଏହି ଦୁଇ ଠକଙ୍କ ଠାରୁ ୫.୨୫ କୋଟି ଟଙ୍କା ଜବତ କରାଯାଇଛି । ଏହି ଗ୍ୟାଙ୍ଗର ଅନ୍ୟ ୭ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛି ପୋଲିସ । ସମସ୍ତ ଠକ ଆସାମ ଏବଂ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ଏହି ସାଇବର ଠକ ବର୍ଦ୍ଧମାନ ଗ୍ରୁପର ମାଲିକଙ୍କ ଠାରୁ ଲୁଟିଥିବା ୭ କୋଟି ଟଙ୍କାକୁ ଅଲଗା ଅଲଗା ଆକାଉଣ୍ଟ ଜରିଆରେ ଉଠାଯାଇଛି । ହେଲେ ଏତେ ବଡ଼ ଠକାମି ହେଉଥିବା ସମୟରେ ଏସ. ପି . ଓସଓ୍ୱାଲଙ୍କୁ ତିଳେ ବି ସନ୍ଦେହ ହୋଇନଥିଲା ।

ସୁନ୍ଦରଗଡ଼ କୁତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ୫ଜଣ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୁତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ୩ ଜଣ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। କୁତ୍ରା ବ୍ଲକ ଉପରବାହାଲରେ ଥିବା ପର୍ଯ୍ୟଟନସ୍ଥଳୀ ଡୁଙ୍ଗଲେଇ ପାହାଡ଼ରେ ଦୁଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୫ ଆହତ ହୋଇଛନ୍ତି। ସଂଘର୍ଷର ପକୃତ କାରଣ ଜଣା ପଡି ନଥିବାବେଳେ ଘଟଣାକୁ ନେଇ କୁତ୍ରାରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ଆଜି କୁତ୍ରାରେ ଦୋକାନ ବଜାର ବନ୍ଦ କରାଯାଇଛି। କୁତ୍ରା ପୋଲିସ ମାମଲାର ତଦନ୍ତ ଜାରି ରଖିଛି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।

ଘନାଉଛି ଆଉ ଏକ ଯୁଦ୍ଧ, ଇସ୍ରାଏଲର ପରବର୍ତ୍ତୀ ଟାର୍ଗେଟରେ ଇରାନ !

ନନ୍ଦିଘୋଷ ବ୍ୟୁରୋ : ଏବେ ପଶ୍ଚିମ ଏସିଆରେ ଅଶାନ୍ତ ପରିବେଶ । ଆଗାମୀ ସମୟରେ ମଧ୍ୟ ଜାରି ରହିପାରେ ଏପରି ପରିସ୍ଥିତି । ସେପଟେ ଆମେରିକା ମଧ୍ୟ ଇସ୍ରାଏଲକୁ ସାହାଯ୍ୟ କରିବା ନେଇ ଘୋଷଣା କରିଦେଇ ସାରିଲାଣି । ଅନ୍ୟପକ୍ଷେ ବର୍ତ୍ତମାନର ବିବାଦ ପଶ୍ଚିମ ଏସିଆରେ ତିକ୍ତକାକୁ ଆହୁରି ଘନିଭୂତ କରିଦେଇଛି, ଯାହା ଫଳରେ ଆଉ ଏକ ଗଲ୍ଫ  ଯୁଦ୍ଧ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଇସ୍ରାଏଲରେ ଏବେ ବି ଯୁଦ୍ଧ ପରିସ୍ଥିତି ଜାରି ରହିଛି  ଏବଂ ବର୍ଷ ବର୍ଷ ଧରି ପଡୋଶୀ ଦେଶରେ ମଧ୍ୟ ଆକ୍ରମଣ ହେଉଛି । ଇସ୍ରାଇଲ ଉପରେ ପାଲେଷ୍ଟାଇନ  ସଂଗଠନ ହମାସ, ଲେବାନାସ ରୁ ହିଜ୍ଜିବୁଲ୍ଲାହ, ୟମନ ରୁ ହୁତୀ ବିଦ୍ରୋହୀ, ଇରାକ ଏବଂ ସିରିଆ ଲଗାତାର ମିଶିକରି ମିଶାଇଲ ଆକ୍ରମଣ କରୁଛନ୍ତି ।  ସେପଟେ ଇରାନ ଉପରେ ବି ଆକ୍ରମଣର କଳାବାଦଲ ରହିଛି । ଏହା  ଭିତର ବି ଇସ୍ରାଏଲ ସେନା ନିଜ ଶତ୍ରୁଙ୍କୁ ଗୋଟି ଗୋଟି କରି ମାରୁଛି । ଯାହାକୁ ଦେଖିଲେ ଏହି ଯୁଦ୍ଧ ଶେଷ ହେବା ଭଳି ଲାଗୁ ନାହିଁ  ।

ଯୁଦ୍ଧ ଆରମ୍ଭ କରିଥିଲା ହମାସ କିନ୍ତୁ ଏହାକୁ ଇସ୍ରାଏଲ ଶେଷ କରିବା ପରି ଜଣାପଡୁଛି । ଅକ୍ଟୋବର ୭ , ୨୦୨୩ରେ ସର୍ବପ୍ରଥମେ ହମାସର ସେନା ଇସ୍ରାଏଲରେ ପଶି ନରସଂହାର କରିଥିଲେ । ଯାହାର ପରିଣାମ ସ୍ୱରୂପ ଇସ୍ରାଏଲ ସେନା ପାଲେଷ୍ଟାଇନ ଏବଂ ଗାଜାକୁ ଧ୍ୱସଂ କରିଦେଲାଣି । ଯାହା ପରେ ଏବେ ବିପଦରେ ରହିଛନ୍ତି ହମାସର ସହଯୋଗୀ ରାଷ୍ଟ୍ର । ସପ୍ତାହ ଧରି ଲେବନାନରେ ଜୋରଦାର ଆକ୍ରମଣ କରି ଧୂଳିସାତ୍ କରିଦେଲା ଇସ୍ରାଏଲ ସେନା । ଏହାରି ମଧ୍ୟରେ ହେଜବୁଲ୍ଲାର କାର୍ଯ୍ୟକାରୀ ପରିଷଦ ମୁଖ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି ଏବଂ ଇସ୍ରାଏଲର ପ୍ରତିରକ୍ଷା ବାହିନୀ ହୁତି ବିଦ୍ରେହୀମାନଙ୍କ ଉପରେ ବୋମା ପକାଇଛି ।

ହେଜବୁଲ୍ଲା ହେଉଛି ଲେବାନୀୟ ଆତଙ୍କବାଦୀ ସଂଗଠନ । ସୂଚନା ଅନୁଯାୟୀ, ଯେତେବେଳେ ହମାସ ଇସ୍ରାଏଲରେ ପ୍ରବେଶ କରି ହତ୍ୟାକାଣ୍ଡ ଘଟାଇଥିଲା, ସେତେବେଳେ ଇସ୍ରାଏଲ ଏହି ଆକ୍ରମଣର ପ୍ରତିଉତ୍ତର ସମାନ ଭାବେ ଭୟଙ୍କର ହେବ ବୋଲି ନିଷ୍ପତ୍ତି ନେଇଥିଲା । ପ୍ରଥମେ ଇସ୍ରାଏଲ ହମାସରେ ବଡ଼ ବଡ଼ ଏୟାରଷ୍ଟ୍ରାଇକ କରି ଧ୍ୱସଂ କରିଦେଲା । ଏହା ପରେ ଏବେ ଇସ୍ରାଏଲ ଟାଗେର୍ଟରେ ହମାସକୁ ସମର୍ଥନ କରୁଥିବା ସଂଗଠନ ଲେବନାନ ଏବଂ ହୁତୀ  ।

ନିକଟରେ ଇରାନର ରାଜଧାନୀ ତେହରାନରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା । ଯାହାର ଦୋଷ ଇସ୍ରାଏଲ ଉପରେ ପଡିଲା । ଏହି ଆକ୍ରମଣ ପରେ କ୍ରୋଧରେ ଜର୍ଜରିତ ଇରାନ ଏହାର ପ୍ରତିଶ୍ରୋଧ ନେବାକୁ ଅଣ୍ଟା ଭିଡିଛି । ଏବେ ଇରାନ ନା କେବଳ ହେଜବୁଲ୍ଲାକୁ ସମର୍ଥନ କରୁଛି ବରଂ ଯୁଦ୍ଧ ପାଇଁ ଯଥା ସମ୍ଭବ ସହାୟତା ମଧ୍ୟ ଯୋଗାଉଛି । ଯାହା ଫଳରେ ପଶ୍ଚିମ ଏସିଆରେ ଭୟଙ୍କର ସ୍ଥିତି ଉପୁଜୁଛି । ଏହି କ୍ଷେତ୍ରରେ ଏବେ ଏକ ବଡ଼ ଧରଣର ଯୁଦ୍ଧ ନେଇ ଆଶଙ୍କା କରାଯାଉଛି ।

ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଏହାର ପ୍ରଭାବ କେବଳ ଏହି ଦୁଇ ରାଷ୍ଟ୍ର ଉପରେ ନୁହେଁ ବରଂ ଗଲ୍ଫ କ୍ଷେତ୍ରର ଅନ୍ୟ ଦେଶମାନଙ୍କରେ ଯଥା ଆରବ, କୁବେତ, ଓମାନ ଏବଂ ସଂଯୁକ୍ତ ଆରବ ରାଷ୍ଟ୍ର ମାନଙ୍କ ଉପରେ ପଡିବ । ଇରାନ ସହ ଅନେକ ସଙ୍ଗଠନ ଯେପରିକି ଲେବନାନର ହେଜବୁଲ୍ଲା, ୟମନର ହୁତୀ ବିଦ୍ରୋହୀ ଯୋଡି ହୋଇଯାଇଛନ୍ତି । ଅନ୍ୟପକ୍ଷେ ସାଉଦି ଆରବ , ସଂଯୁକ୍ତ ଆରବ ଲମିରେଟ୍ସ  ଏବଂ ଅନ୍ୟାନ୍ୟ ରାଷ୍ଟ୍ର ନୀରବ ରହିଛନ୍ତି । କତାର ଏବେ ଖୋଲାଖୋଲି ଭାବେ କାହାକୁ ସମର୍ଥନ କରିନାହିଁ କିମ୍ୱା ବିରୋଧ ମଧ୍ୟ କରିନାହିଁ । ବିଶେଷଜ୍ଞଙ୍କ ମତରେ ଯଦି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୁଏ , ତେବେ ଏହା ଆଞ୍ଚଳିକ ବିବାଦର ରୂପ ନେଇ ପାରେ ,ଯେଉଁଥିରେ ଗଲ୍ଫ ଦେଶ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି ।

ଲେବାନନ ଉପରେ ପୁଣି ଇସ୍ରାଏଲର ଆକ୍ରମଣ, ଏୟାରଷ୍ଟ୍ରାଇରେ ୪ ମୃତ

ନନ୍ଦିଘୋଷ ବ୍ୟୁରୋ : ଲେବାନନ ଉପରେ ଆଜି ପୁଣି ଇସ୍ରାଏଲର ଜବରଦସ୍ତ ଆକ୍ରମଣ। ରାଜଧାନୀ ବେରୁତର ଏକାଧିକ ଠିକଣାରେ ହୋଇଛି ଏୟାର ଷ୍ଟ୍ରାଇକ। ଆଜିର ଆକ୍ରମଣରେ ବେରୁତରେ ୪ ଜଣଙ୍କ ମୃତ୍ଯୁ ହୋଇଥିବା ଖବର ମିଳିଛି। ଗତକାଲିର ଆକ୍ରମଣରେ ୧୦୫ ଜଣଙ୍କ ମୃତ୍ଯୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ହମଲାରେ ୧ ହଜାରରୁ ଅଧିକ ଲେବାନନ ନାଗରିକଙ୍କ ମୃତ୍ଯୁ ଘଟିଲାଣି। ୬ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।ହେଜବୁଲ୍ଲାର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଲାଣି ଇସ୍ରାଏଲ । ହେଜବୁଲ୍ଲାକୁ ମୂଳପୋଛ କରିବାକୁ ଏବେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧରେ ।

ନସରୁଲ୍ଲା ସମେତ ପ୍ରମୁଖ କମାଣ୍ଡରମାନଙ୍କ ମୃତ୍ୟୁ ଇରାନକୁ ସ୍ତବ୍ଧ କରିଦେଇଛି । ଇସଲାମିକ ଦେଶ ଏକଜୁଟ ହୋଇ ଇସ୍ରାଏଲକୁ ରୋକିବାକୁ ଆହ୍ବାନ ଦେଇ ନିଜେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅଲି ଖେମିନି। ଇସ୍ରାଏଲର ଘନଘନ ଆକ୍ରମଣ ଇରାନ, ସିରିୟା, ଇରାକ୍ ଓ ୟେମେନରେ ଆତଙ୍କ ସୃଷ୍ଟି କରିଛି। ନସରଲ୍ଲା ନିହତ ହେବା ପୂର୍ବରୁ ୧୨ ଶୀର୍ଷ କମାଣ୍ଡର ମଧ୍ୟ ନିପାତ ହୋଇସାରିଛନ୍ତି । ଏବେ ହେଜବୁଲ୍ଲାର ନେତୃତ୍ବ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ନସରଲ୍ଲାର ଉତ୍ତରାଧିକାରୀ ଖୋଜାଚାଲିଛି । ଏପଟେ ଘନଘନ ଆକ୍ରମଣକୁ ଦେଖି ଲେବାନନ ରାଜଧାନୀ ବେରୁତର ରଫିକ ହରାରୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି।

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ନବୀନ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର  । ଭାରତୀୟ ସିନେମାରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବା ନେଇ ଘୋଷଣା ହୋଇଛି ।  ଆସନ୍ତା ଅକ୍ଟୋବର ୭ ତାରିଖରେ ୭୦ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ଦିଆଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଘୋଷଣା କରିଛନ୍ତି ।

ଆଗରୁ ସେ ପଦ୍ମ ଭୂଷଣ ବି ପାଇଛନ୍ତି। ୭୪ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ୩ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୮୦ ଓ ୯୦ ଦଶକରେ ସବୁଠୁ ଲୋକପ୍ରିୟ ଅଭିନେତା ଥିଲେ ମିଥୁନ। ହିନ୍ଦି, ବଙ୍ଗଳା ସହିତ ଅନେକ ଭାଷାର ଫିଲ୍ମରେ ସେ ଅଭିନୟ କହିଛନ୍ତି। ୧୯୭୬ରେ ଡେବ୍ୟୁ କରିଥିଲେ ମୃଗୟା ଫିଲ୍ମରେ। ଏଥିରେ ସେ ଜାତୀୟ ପୁରସ୍କାର ପାଇଥିଲେ। ପରେ ୧୯୯୨ରେ ତାହାଦେର୍ କଥା ଓ ୧୯୯୮ରେ ସ୍ଵାମୀ ବିବେକାନନ୍ଦ ଫିଲ୍ମ ପାଇଁ ସେ ଜାତୀୟ ପୁରସ୍କାର ପାଇଛନ୍ତି। ଡିସକୋ ଡାନସର ଫିଲ୍ମ ଜରିଆରେ ସେ ଆଧୁନିକ ନାଚକୁ ହିନ୍ଦି ଫିଲ୍ମରେ ଏଣ୍ଟ୍ରି କରାଇଥିଲେ। ତାଙ୍କ ପ୍ରମୁଖ ଫିଲ୍ମରେ ଅଛି ଅଗ୍ନିପଥ, ମୁଝେ ଇନସାଫ ଚାହିୟେ, ହମ୍ ସେ ହେ ଜମାନା, ପସନ୍ଦ ଅପନି ଅପନି, ଘର ଏକ ମନ୍ଦିର, ଗଙ୍ଗା ଯମୁନା ସରସ୍ବତୀ ଇତ୍ୟାଦି। ଫାଲକେ ପୁରସ୍କାର ପାଇଁ ତାଙ୍କ ନାଁ ଘୋଷଣା ହେବା ପରେ ମିଥୁନ ଚକ୍ରବର୍ତ୍ତୀ ବହୁତ ଖୁସି ପ୍ରକାଶ କରିଛନ୍ତି।

ସେପଟେ ଭର୍ସାଟାଇଲ ଆକ୍ଟର ମିଥୁନ ଚକ୍ରବର୍ତ୍ତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  । ସେ ତାଙ୍କୁ ଦାଦା ସାହେବ ଫାଲକେ ପରି ସମ୍ମାନୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଓଡ଼ିଆ ସିନେମା ସମେତ ପରଦାରେ ଅନେକ ସ୍ମରଣୀୟ ଭୂମିକାରେ ଚମତ୍କାର ଅଭିନୟକୁ ପ୍ରଶଂସା କରିଛନ୍ତି ନବୀନ।

 

ଆସନ୍ତାକାଲି ଜାମ୍ମୁ ଓ କାଶ୍ମୀରରେ ଶେଷ ଭୋଟ୍, ୪୦ ଆସନରେ ଭାଗ୍ଯ ପରୀକ୍ଷା କରିବେ ୪୪୯ ପ୍ରାର୍ଥୀ

ଶ୍ରୀନଗର : ଆସନ୍ତାକାଲି ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନ ଲାଗି ମଇଦାନରେ ଅଛନ୍ତି ୪୪୯ ପ୍ରାର୍ଥୀ । ତ୍ରେହଗାଓଁ, କୁପଓ୍ବାରା, ସୋପୋର, ବାରମୁଲ୍ଲା, ଗୁଲମାର୍ଗ, ବାନ୍ଦିପୋରା, ଉଦ୍ଧମପୁର ଓ୍ବେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ ହେବ ଭୋଟ । ଜମ୍ମୁ ଅଞ୍ଚଳର ୨୩ ଓ କାଶ୍ମୀର ଅଞ୍ଚଳର ୧୭ ଆସନରେ ହେବ ଭୋଟ ।

ବାରମୁଲ୍ଲାରେ ୧୦୭, କୁପଓ୍ବାରାରେ ୭୫, ବାନ୍ଦିପୋରାରେ ୪୬ ପ୍ରାର୍ଥୀ ରହିଛନ୍ତି। ୧ ହଜାର ୪୮୪ ପୋଲିଂ ଷ୍ଟେସନରେ ମୋଟ ୧୨ ଲକ୍ଷ ଭୋଟର କରିବେ ମତଦାନ । ହାଇପ୍ରୋଫାଇଲ ଆସନ ହନ୍ଦବାରାରେ ଏନସିରୁ ପ୍ରାର୍ଥୀ ହୋଇଛନ୍ତି ଚୌଧୁରୀ ମହମ୍ମଦ ରମଜାନ, ପିପୁଲ୍ସ କନଫରେନ୍ସରୁ ପ୍ରାର୍ଥୀ ହୋଇଛନ୍ତି ଏହାର ଅଧ୍ଯକ୍ଷ ସାଜ୍ଜଦ ଗନି ଲୋନ ଓ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଗୁଲାମ ମହମ୍ମଦ ମୀର । ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିଲା ୫୭.୦୩ ପ୍ରତିଶତ ମତଦାନ । ଅଧିକାଂଶ ସ୍ଥାନରେ ନ୍ଯାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି।

ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ ; ଘଟଣାସ୍ଥଳରେ ଜଣେ ମୃତ ଓ ୧୫ ଜଣ ଆହତ

ଯାଜପୁର : ଯାଜପୁର ଜାତୀୟ ରାଜପଥ-୧୬ ଜାରକା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ ସହ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜାରକା ଠାରେ ଛିଡା ହୋଇଥିବା ଟ୍ରକକୁ ଭାରସାମ୍ୟ ହରାଇ ପଛରୁ ପିଟିଲା ବସ୍। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ପୋଲିସର ତନାଘନା ଜାରି।

ଘରୋଇ କଲେଜରେ ପୁଣି ରାଗିଂ ଅଭିଯୋଗ, ମାଡ଼ମାରି ୨ ମହଲା ଛାତରୁ ଛାତ୍ରଙ୍କୁ ଠେଲିଦେଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ଘରୋଇ କଲେଜରେ ଛାତ୍ରଙ୍କୁ ରାଗିଂ। ଗତ ରାତିରେ ଛାତ୍ରଙ୍କୁ ରାଗିଂ ପରେ ମାଡ ମାରି ଦୁଇ ମହଲା ଉପରୁ ତଳକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ଘରୋଇ କଲେଜ ହଷ୍ଟେଲରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି।

ଜଣେ ଛାତ୍ରକୁ ପ୍ରଥମେ ରୁମ୍ ଭିତରେ ମାଡ ମାରିବା ସହ ଭିଡିଓ ତିଆରି କରି ପରେ ଦୁଇ ମହଲା ଛାତ ଉପରୁ ଠେଲି ଦେଇଥିଲେ। ପରେ କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ହଷ୍ଟେଲ ଭିତରକୁ ମଦ ଆଣି ଛାତ୍ରମାନେ ନିଶାସକ୍ତ ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଗିଂର ଶିକାର ଛାତ୍ର। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୩ ଦିନ ଧରି ଅଶାନ୍ତ ବାତାବରଣ ପରେ ଭଦ୍ରକ ସ୍ଥିତିରେ ସାମାନ୍ୟ ସୁଧାର

ଭଦ୍ରକ : ୩ ଦିନ ଧରି ଅଶାନ୍ତ ବାତାବରଣ ପରେ ଭଦ୍ରକରେ ସୁଧୁରୁଛି ସ୍ଥିତି। ଆଜି ସକାଳ ୬ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସାରା ଜିଲ୍ଲାରେ ବଳବତ୍ତର ରହିଛି ଧାରା ୧୬୩। ୨ ରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଇଛି ପ୍ରଶାସନ।

ଧାମନଗର ଓ ଦୋବଲରେ ମଧ୍ୟ ବନ୍ଦ ରହିଥିବା ସମସ୍ତ ଦୋକାନବଜାର କଟକଣା ମଧ୍ୟରେ ଖୋଲିବ। ସ୍ଥିତିକୁ ନଜରରେ ରଖି ଆହୁରି ୪୮ ଘଣ୍ଟା ବନ୍ଦ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ଲିଜ୍ ଲାଇନ୍ ମାଧ୍ୟମରେ ଇଣ୍ଟରନେଟ ଯୋଗାଇ ଦିଆଯିବ। ଫଳରେ ବ୍ୟାଙ୍କ୍, କର୍ପୋରେଟ୍ ସଂସ୍ଥା ସହ ବଡବଡ ଶିଳ୍ପ ସଂସ୍ଥାକୁ ମିଳିବ ଇଣ୍ଟରନେଟ୍ ।

ଆଜିଠାରୁ ବ୍ୟାଙ୍କରେ ଦେଣନେଣ ହୋଇପାରିବ । ଗିରଫ ସଂଖ୍ୟା ୧୫ ରେ ପହଞ୍ଚିଥିବାବେଳେ ଆଗକୁ ଏହି ସଂଖ୍ୟା ବଢିବା ସମ୍ଭାବନା ରହିଛି । ଗୁଜବରେ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିଆଇଜି। ଘଟଣାରେ ସମ୍ପୃକ୍ତ ନଥିଲେ ଭୟଭୀତ ନହୋଇ ଘରେ ରହିଲେ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଡିଆଇଜି।