spot_img
Home Blog Page 155

ସନ୍ଦେହର ଦୋଛକିରେ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା

ନନ୍ଦିଘୋଷ ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାକୁ ପୂରିଲାଣି ୯୨ ଘଣ୍ଟା । ହେଲେ ପୋଲିସ ହାତରେ ଧରା ପଡିନାହାନ୍ତି ଅପରାଧୀ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢିଛି । ପ୍ରାୟ ୫୦ ଜଣଙ୍କୁ ପଚରାଉଚରା କରାଯାଇଥିବା ବେଳେ ୭ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ‘ସିଡିଆର’ ଓ ‘ସିସିଟିଭି’ ଫୁଟେଜ ଆଧାରରେ ବି ତଦନ୍ତ ଜାରି ରହିଛି ।  ଯାଞ୍ଚ ବେଳେ ପୋଲିସ ସନ୍ଦେହରେ ଥିବା କିଛି ଗାଡ଼ିକୁ ଚିହ୍ନଟ କରାଯାଇଛି । ଏବେ ପୋଲିସ ହାତରେ ଲାଗିଛି ପୀତବାସଙ୍କ ମୋବାଇଲ କଲ ଡିଟେଲ୍ସ  ଓ ବ୍ୟବଚ୍ଛେଦ ରିପୋର୍ଟ ।

ସନ୍ଦେହର ଦୋଛକିରେ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଘଟଣାକୁ ୫ ଦିନ ବିତିଥିଲେ ବି ପୋଲିସ ହାତରେ ଲାଗିନି ଠୋସ ସୁରାକ । ଏବେ ବି ଅନ୍ଧାରରେ ବାଡ଼ି ବୁଲାଉଛି ତଦନ୍ତକାରୀ ଦଳ । ପ୍ରାୟ ୫୦ ଜଣଙ୍କୁ ପଚରାଉଚରା, ୭ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ସିଆଇଏଏଫ୍ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଜଣେ ଯବାନ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଥିବା ସୂଚନା ମିଳିଛି । ଅଟକ ଥିବା ଯୁବକମାନେ ଦିଗପହଣ୍ଡି, ହିଞ୍ଜିଳି ଓ ପିତଳ ଅଞ୍ଚଳର।  ଶୀଘ୍ର ଅପରାଧୀଙ୍କୁ ଧରାଯିବ କହିଛନ୍ତି ଏସପି ସରବଣା ବିବେକ. ଏମ । କିଏ, କ’ଣ ପାଇଁ, କେତେବେଳେ ଆସିଥିଲେ ତାହାର ତଦନ୍ତ କରାଯାଉଛି । ୬ଟି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଛାନବିନ କରୁଛି । ଘଟଣା ଦିନ ଅର୍ଥାତ କୁମାର ପୂର୍ଣ୍ଣିମା ରାତିରେ ପୀତବାସ ନିଜ କାମ ସାରି ନୂଆ ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲକୁ ଖାଇବା ସାମଗ୍ରୀ ଆଣିବାକୁ ଯାଇଥିଲେ । ପୀତବାସ ହୋଟେଲରୁ ଖାଇବା ନେଇ ଘରକୁ ଯିବା ବେଳେ ଦୁଇଜଣ ହେଲମେଟଧାରୀ ସୁପାରି କିଲର୍ ପୀତବାସଙ୍କୁ ଗନ ପଏଣ୍ଟରୁ ଗୁଳି କରି ହତ୍ୟା କରିଥିଲେ । ପୋଲିସ ହାତରେ ଲାଗିଛି ‘ସିଡିଆର’ ଓ ‘ସିସିଟିଭି’ ଫୁଟେଜ୍ । ଏହା ହିଁ ପୋଲିସକୁ ସୁରାକ ଦେଇଥିବା କହିଛନ୍ତି ଏସପି । ହେଲେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଏସପି ।

ସହରର ଅନ୍ୟତମ ପ୍ରବେଶପଥ  ଫାଷ୍ଟ ଗେଟଠାରୁ ଆରମ୍ଭ କରି ବଡ଼ବଜାର ଥାନା, ବିଜୁ ପଟ୍ଟନାୟକ ପାର୍କ, ମାର୍କେଟର ମଧ୍ୟ ଭାଗରେ ଥିବା ପୀତବାସଙ୍କ ଚାମ୍ବର, ଗେଟବଜାର, ଲୋଚାପୋଡା ରୋଡ଼ ସମେତ ସହରର ୬୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ଯାଞ୍ଚ ବେଳେ ପୋଲିସ ସନ୍ଦେହରେ ଥିବା କିଛି ଗାଡ଼ିକୁ ଚିହ୍ନଟ କରାଯାଇଛି । ପୋଲିସ ହାତରେ ଲାଗିଛି ପୀତବାସଙ୍କ ମୋବାଇଲ କଲ ଡିଟେଲ୍ସ । କିଏ, କେତେବେଳେ, କେତେ ସମୟ କଥା ହୋଇଥିଲେ ତାହାର ବିସ୍ତୃତ ତଥ୍ୟ ପୋଲିସ ହାତରେ ଲାଗିଛି ।

ତଦନ୍ତର ମନ୍ଥର ଗତି ମଧ୍ୟରେ ପୀତବାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି ତାହା ଗୁପ୍ତ ରଖା ଯାଇଛି । କେଉଁ ପିସ୍ତଲରୁ ଗୁଳି କରାଯାଇଛି ସେନେଇ ବାଲାଷ୍ଟିକ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପ୍ରଚୁର ରକ୍ତ ସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ପୀତବାସଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏମକେସିଜି ଏଫଏମଟି ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ସୁଦୀପା ଦାସ ।

ବରିଷ୍ଠ ଆଇନଜୀବୀଙ୍କୁ ଗନ ପଏଣ୍ଟରେ ହତ୍ୟା ମାମଲାରେ କେଉଁ ମାନେ ସମ୍ପୃକ୍ତ ?  ହତ୍ୟା ପଛରେ କାହାର ଆହତ ରହିଛି କି ? ଘଟଣା ପଛର ପକୃତ କାରଣ କ’ଣ ? ରାଜନୈତିକ ନା ବ୍ୟବସାୟୀକ ଶତ୍ରୁତା ? ଘଟଣା ପଛରେ ଏଭଳି ମାଳ ମାଳ ପ୍ରଶ୍ନ ଛିଡା ହୋଇଥିବା ବେଳେ ପୋଲିସର କେବେ ରହସ୍ୟ ଉନ୍ମୋଚନ କରିବ ତା’ଉପରେ ସମସ୍ତଙ୍କ ନଜର ।

୧୧ ଦିନ ବିତିଲା, ଧରାପଡ଼ିଲେନି SI କେଳେଙ୍କାରୀର ମାଷ୍ଟରମାଇଣ୍ଡ

ନନ୍ଦିଘୋଷ ବ୍ୟୁରୋ: କୁଆଡେ ଗଲା ଶଙ୍କର ପୃଷ୍ଟି ? କୁଆଡେ ଗଲା ମୁନା ମହାନ୍ତି ? କେବେ ଧରାହେବେ ଏସଆଇ ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ? ପୋଲିସ ଚାକିରି ବିକ୍ରି ଘଟଣାରେ ୧୧୪ ଆଶାୟୀଙ୍କୁ ବାନ୍ଧି ବାହାବା ନେଉଛନ୍ତି ପୋଲିସ ଓ କ୍ରାଇମବ୍ରାଞ୍ଚ । ତଦନ୍ତ କେବଳ ସିଲିକନ, ପଞ୍ଚସଫ୍ ଲିମିଟେଡ ଭିତରେ ଅଟକି ଯାଇଛି । ଧରାପଡ଼ିଛନ୍ତି ମାତ୍ର ୫ ଜଣ ଦଲାଲ । ଗୁଜରାଟର ITI ଲିମିଟେଡ ବେଆଇନ ଭାବେ ସବଲେଟିଂ କଲା । ସବୁ ଜାଣିଥିଲା ଓପିଆରବି । ହେଲେ ଏପର୍ଯ୍ୟନ୍ତ ନା ଆଇଟିଆଇ ଲିମିଟେଡର କୌଣସି ଅଧିକାରୀଙ୍କୁ ପଚାରିଲାଣି ନା ଓପିଆରବିର ମୁଖିଆ ଓ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଅଣାଗଲାଣି । ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ସିବିଆଇ ତଦନ୍ତ ନେଇ ବିରୋଧୀ ଦାବି କରି ଆସୁଛନ୍ତି । ସେପଟେ ସିବିଆଇ ତଦନ୍ତ ନେଇ ଆଦେଶ ଦେବାକୁ ହାଇକୋର୍ଟରେ ଦାଏର ହୋଇଛି ଜନସ୍ଵାର୍ଥ ମାମଲା । ତଥାପି ନିଘୋଡ଼ ନିଦରେ ସରକାର ।

୧୧ ଦିନ ବିତିଲା, ଧରାପଡ଼ିଲେନି SI କେଳେଙ୍କାରୀର ମାଷ୍ଟରମାଇଣ୍ଡ । କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିଙ୍କ ଏବେ ସୁଦ୍ଧା ଟେର ପାଉନି। ସେପଟେ ସହଯୋଗୀ ମୁନା ମହାନ୍ତି ବି ଫେରାର। କ୍ରାଇମବ୍ରାଞ୍ଚ କେବଳ ଗୋଟିଏ ଦୁଇଟି ପ୍ରେସ ବିଜ୍ଞପ୍ତି ଜାରି କରି କାମ ସାରିଦେଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କ୍ରାଇମବ୍ରାଞ୍ଚର ତଦନ୍ତ କେବଳ ସିଲିକନ ଟେକ୍ ଲ୍ୟାବ ଓ ପଞ୍ଚସଫ୍ଟ ଲିମିଟେଡ ପାଖରେ ଅଟକି ଯାଇଛି । ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପାଇଁ ଗତ ଜାନୁଆରୀରୁ ହୋଇଥିଲା ଏକ ପ୍ରକାର ଷଡ଼ଯନ୍ତ୍ର । ଗୁଜୁରାଟର ଆଇଟିଆଇ ଲିମିଟେଡକୁ ପରୀକ୍ଷା ପରିଚାଳନା ପାଇଁ ଚୁକ୍ତି କରିଥିଲା ଓପିଆରବି । ଚୁକ୍ତିପତ୍ରରେ ସବଲେଟିଂ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନଥିଲା । କିନ୍ତୁ ଗୁଜରାଟର ଆଇଟିଆଇ ପାଖରୁ ରିଚ୍ ମାଇଣ୍ଡସ୍ ଓ ବେଆଇନ ଭାବେ ସିଲିକନ ଟେକ୍ ଲ୍ୟାବକୁ ପରିଚାଳନା ଦାୟିତ୍ଵ ଟେକି ଦେଲା । ଯାହାକୁ ନେଇ ସରକାର ଓ ଓପିଆରବି ମଧ୍ୟରେ ହୋଇଥିଲା ଆଭ୍ୟନ୍ତରୀଣ କନ୍ଦଳ । ଏଥିଲାଗି ଗତ ମାର୍ଚ୍ଚରେ ହେବାକୁ ଥିବା ପରୀକ୍ଷା ହୋଇପାରି ନଥିଲା । ଗହନ କଥା ହେଉଛି ଚାକିରି ବିକ୍ରି ଷଡ଼ଯନ୍ତ୍ର ନେଇ ଆଇଟିଆଇଠାରୁ ଠିକା ପାଇଥିବା ରିଚ୍ ମାଇଣ୍ଡସ୍ ଅଂଶୀଦାରଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ଜଣେ ଅଂଶୀଦାରଙ୍କ ଅଭିଯୋଗ ଆଧାରରେ ରିଚ୍ ମାଇଣ୍ଡସକୁ ପରୀକ୍ଷା ପରିଚାଳନା ଦାୟିତ୍ଵରୁ ବାଦ ଦିଆଯାଇଥିଲା । ଘଟଣାର ତଦନ୍ତ ପାଇଁ ଓପିଆରବି ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ । କିନ୍ତୁ କମିଟି କ’ଣ ରିପୋର୍ଟ ଦେଲା ତାହା ଆଜି ଯାଏଁ ସାର୍ବଜନୀନ ହେଲାନାହିଁ । ଅନ୍ୟପଟେ ଚାକିରି ବିକ୍ରି ଷଡ଼ଯନ୍ତ୍ର ସମ୍ପର୍କରେ ସୁରାକ ପାଇବା ପରେ ତତ୍କାଳୀନ ଓପିଆରବି ଅଧ୍ୟକ୍ଷ ସନ୍ତୋଷ କୁମାର ଉପାଧ୍ୟାୟ ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲେ । ଆଇଟିଆଇ କେନ୍ଦ୍ରୀୟ ପିଏସୟୁ ହୋଇଥିବାରୁ କ୍ରାଇମବ୍ରାଞ୍ଚ କ’ଣ ତା’ର ଅଧିକାରୀଙ୍କୁ ଜେରା କରିପାରୁନି କି ?

ଗତ ମାର୍ଚ୍ଚ ୮ ଓ ୯ ତାରିଖରେ ଏସଆଇ ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ ଆଡମିଟ୍ କାର୍ଡ ଜାରି କରାଯିବା ପୂର୍ବରୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନେକ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଅଭ୍ୟାସ ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ମାର୍ଚ୍ଚ ୩ ତାରିଖରୁ ଉଭାନ ହୋଇଯାଇଥିବା ପରୀକ୍ଷାର୍ଥୀଙ୍କ ସାଙ୍ଗ ସାଥିମାନେ ଏ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିଥିଲେ ମଧ୍ୟ ତାକୁ ସେତେଟା ଗୁରୁତ୍ଵ ଦିଆଯାଇଥିଲା । ପ୍ରଶ୍ନପତ୍ର ଲିକ୍ କରି ଚାକିରି ବିକ୍ରି କରିବା ଯୋଜନାରେ ବହୁ ବରିଷ୍ଠ ଅଧିକାରୀ ସାମିଲ ବୋଲି ରିଚ୍ ମାଇଣ୍ଡ୍ କମ୍ପାନୀର ଜଣେ ଅଂଶୀଦାର ପ୍ରଥମେ ମୌଖିକ ଓ ପରେ ବିଧିବଦ୍ଧ ଅଭିଯୋଗ କରିବାରୁ ଯୋଜନା ପଣ୍ଡ ହୋଇଥିଲା । କମ୍ପାନୀ ସହ ଜଡ଼ିତ ଅନ୍ୟ ଜଣେ ବ୍ୟକ୍ତି ଓଡ଼ିଶାରେ ପରୀକ୍ଷା ପରିଚାଳନା କରୁଥିବା ନେଇ ଜଣାପଡିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କିଛି ପୋଲିସ ଅଧିକାରୀ ସାମିଲ ଥିବା ନେଇ ଅଂଶୀଦାର ମଧ୍ୟ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଲବ କରାଯାଇଥିଲା । ହେଲେ ସେ ଅଧିକାରୀ ଜଣକ ଉତ୍ତର ରଖିଲେ କି ନାହିଁ ଆଜି ଯାଏଁ ଜଣାପଡିନାହିଁ ।

ଏସଆଇ କେଳେଙ୍କାରୀରେ ଗତ ୨୯ ସେପ୍ଟେମ୍ବରରେ ଶ୍ରୀକାକୁଲମରୁ ଧରାପଡ଼ିଥିଲେ ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲ । କେବେ ଧରା ହେବେ ମାଷ୍ଟରମାଇଣ୍ଡ ଏବଂ କାହିଁକି ଚୁପ ପୋଲିସ ମୁଖିଆ ? ଏପର୍ଯ୍ୟନ୍ତ OPRBକୁ କ୍ରାଇମବ୍ରାଞ୍ଚ ଜେରା କରିନି । କେବେ ବଡ଼ ବଡ଼ ଅଧିକାରୀଙ୍କୁ ପାଖରେ କ୍ରାଇମବ୍ରାଞ୍ଚ ପହଞ୍ଚିପାରିବ ନା ସବୁକିଛି ପୁଣିଥରେ ନାଲି ଫିତା ତଳେ ଚାପି ହୋଇଯିବ ତାହା ଦେଖିବାକୁ ବାକି ରହିଛି ।

ଟ୍ରମ୍ପ ହତାଶ, ମିଳିଲାନି ନୋବେଲ ଶାନ୍ତି ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଫୁସକିଗଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ବାହାଦୁରୀ । ୭ଟି ଯୁଦ୍ଧ ବନ୍ଦ କରିଥିବାରୁ ନୋବେଲ ଲାଗି ହକଦାର ଦାବି କରୁଥିବା ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର । ଛଡ଼ାଇ ନେଇଛନ୍ତି ଭେନେଜୁଏଲାର ଗଣତନ୍ତ୍ରବାଦୀ ନେତ୍ରୀ ମାରିଆ କୋରିନା ମାଚୋଡ଼ୋ । ଏକଛତ୍ରବାଦ ବିରୋଧରେ କରିଆସିଛନ୍ତି ଶାଣିତ ସଂଗ୍ରାମ ।

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଫୁସକି ଗଲା ଟ୍ରମ୍ପ, ସରିଫ ଓ ନେତନ୍ୟାହୁଙ୍କ ବାହସ୍ଫୋଟ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ମିଳିଲାନ ନୋବେଲ । ସର୍ବୋଚ୍ଚ ପୁରସ୍କାର ଲାଗି ନିଜକୁ ଯୋଗ୍ୟ ବୋଲି ଡିଣ୍ଡିମ ପିଟୁଥିବା ଟ୍ରମ୍ପଙ୍କ ନାଁ କାଟି ଦେଲେ ନୋବେଲ କମିଟି । ମିଳାଇଗଲା ୭ ମାସରେ ୭ଟି ଯୁଦ୍ଧ ବନ୍ଦ କରିବାର ବାହାଦୂରୀ । ଭାରତ-ପାକିସ୍ତାନ, ଇସ୍ରାଏଲ-ଇରାନ, ରାୱାଣ୍ଡା- କଙ୍ଗୋ, ଥାଇଲାଣ୍ଡ-କାମ୍ବୋଡିଆ, ଆର୍ମେନିଆ-ଅଜରବୈଜାନ, ଇଜିପ୍ଟ-ଇଥିଓପିଆ ଏବଂ ସର୍ବିଆ-କୋସୋଭୋ ଯୁଦ୍ଧ ବନ୍ଦ କରିଥିବାରୁ ନୋବେଲ ଲାଗି ସେ ଉପଯୁକ୍ତ ବୋଲି କହିଆସୁଥିଲେ ଟ୍ରମ୍ପ । କେବଳ ଏତିକି ନୁହେଁ ଟ୍ରମ୍ପଙ୍କ ମୁଖପାତ୍ର ସାଜିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ଫିଲ୍ଡ ମାର୍ଶାଲ ଅସୀମ ମୁନିର, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ହୋଇଛନ୍ତି ଭାଣ୍ଡିଆ । ଗତ ଜୁଲାଇରେ ନେତନ୍ୟାହୁ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ସହ ବୈଠକ ବେଳେ ପ୍ରଦାନ କରିଥିଲେ ମନୋନୟନ ପତ୍ର । ଅପରେସନ ସିନ୍ଦୂର ବେଳେ ଯୁଦ୍ଧ ବନ୍ଦ ଲାଗି ଟ୍ରମ୍ପଙ୍କ ସହ ଭାରତ ସରକାର କଥା ହୋଇ ନଥିଲେ ବୋଲି କେନ୍ଦ୍ର ସରକାର ଯୁକ୍ତି କରୁଥିଲେ ବି ଏହି ପ୍ରସଙ୍ଗରେ ବାହସ୍ଫୋଟ ମାରିଚାଲିଛନ୍ତି ଟ୍ରମ୍ପ । ଏପରିକି ନୋବେଲ ଘୋଷଣାର କିଛି ସମୟ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ ଟ୍ରମ୍ପ । କହିଥିଲେ- କିଛି କରି ନଥିବା ଲୋକଙ୍କୁ ୨୦୦୯ରେ ମିଳିଥିଲା ନୋବେଲ । ଟ୍ରମ୍ପଙ୍କ ନାମକୁ ସୁପାରିସ କରିଥିଲେ ଇସ୍ରାଏଲ, ପାକିସ୍ତାନ, ଆଜରବୈଜାନ, ଆର୍ମେନିଆ, ଥାଇଲାଣ୍ଡ ଓ କାମ୍ବୋଡିଆ ।

ଗଣତନ୍ତ୍ର ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚୋଡ଼ୋ । ଏକଛତ୍ରବାଦ ହଟାଇ ଗଣତନ୍ତ୍ର ପ୍ରତିଷ୍ଠାରେ ନେଇଥିଲେ ପ୍ରମୁଖ ଭୂମିକା । ଆଇରନ ଲେଡି ଭାବେ ଜଣାଶୁଣା ମାରିଆ ଗତ ୨୦୨୫ରେ ଟାଇମ୍ସ ମାଗାଜିନରେ ସର୍ବାଧିକ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପାଇଥିଲେ ସ୍ଥାନ । ସମଗ୍ର ଲାଟିନ ଆମେରିକାରେ ଗଣତନ୍ତ୍ରର ଦୂତ ସାଜିଥିଲେ ମାରିଆ । ନିକୋଲାସ ମାଦୁରୋଙ୍କ ଏକଛତ୍ର ଶାସନ ବିରୋଧରେ କରିଥିଲେ ସଂଗ୍ରାମ । ମାନବାଧିକାର ପ୍ରସଙ୍ଗରେ ୨୦୧୪ରେ ସଂସଦରୁ ବହିଷ୍କୃତ ହୋଇଥିଲେ ମାରିଆ ।

ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ଲାଗି ଆସିଥିଲା ୩୩୮ ମନୋନୟନ । ସେଥିରେ ଥିଲେ ୨୪୪ ବ୍ୟକ୍ତି ବିଶେଷ ଓ ୯୪ଟି ସଂଗଠନ ।

ଦିଲ୍ଲୀରୁ ଫେରିଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବ୍ୟକ୍ତିଗତ କାର୍ଯ୍ୟରେ ସେ ଗତ କିଛିଦିନ ଧରି ଦିଲ୍ଲୀରେ ଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ଦଳର ଜନସମ୍ପର୍କ ପଦଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ନବୀନ ଦିଲ୍ଲୀରେ ଫେରିବା ପରେ ଏବେ ନୂଆପଡ଼ା ଉପନିର୍ବାଚନ ଓ ପଦଯାତ୍ରା କାର୍ଯ୍ୟକ୍ରମ ଆଗକୁ ସରଗରମ ହେବ ।

ପ୍ରାୟ ଦେଢ ମାସ ତଳେ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ୍ ଅପରେସନରୁ ସୁସ୍ଥ ହୋଇ ନବୀନ ନବାସ ଫେରିଥିଲେ । କିଛି ଦିନ ଦଳୀୟ ନେତା ଓ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସେ କିଛି ଦିନ ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ନିଜ ବନ୍ଧୁଙ୍କୁ ଭେଟିବା ସହ ପରିବାର ସହ ରହିଥିଲେ । ଦିଲ୍ଲୀରେ ଥିବା ସମୟରେ ସେ ବିକାନେର ହାଉସରେ ଆୟୋଜିତ ୱାଇଲ୍ଡ ଲାଇଫ ଚାରିଟି ଏକଜିବିସନ ବୁଲି ଦେଖିଥିଲେ । ଦିଲ୍ଲୀରୁ ସେ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଦେବା ସହ ରାଜ୍ୟର ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ମତ ରଖୁଥିଲେ ।

ଓଡ଼ିଶା ସ୍କୁଲ ତୀରନ୍ଦାଜୀ ଚାମ୍ପିଅନସିପରେ ୧୨ ପଦକ ସହ ବେଦାନ୍ତ ଆଲୁମିନିୟମର ଖେଳାଳି ଚାମ୍ପିଅନ

ନନ୍ଦିଘୋଷ ବ୍ୟୁରୋ: ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମର ପ୍ରୟାସ । କଳାହାଣ୍ଡି ଜିଲ୍ଲାର ତୀରନ୍ଦାଜଙ୍କ ସଫଳତା । ବେଦାନ୍ତର ତୃଣମୂଳ କ୍ରୀଡା ପଦକ୍ଷେପ ଯୋଗୁଁ ଯୁବ ତୀରନ୍ଦାଜମାନେ ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ ପଦକ ସହ ଚାମ୍ପିଅନ ହୋଇଛି । ସୁନ୍ଦରଗଡ଼ରେ ଭାରତୀୟ ସ୍କୁଲ ଗେମ୍ସ ଫେଡେରେସନ (SGFI) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ତୀରନ୍ଦାଜମାନେ ମିଳିତ ଭାବରେ ମୋଟ ୮ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ନିଜ ପ୍ରତିଭା ଦେଖାଇଛନ୍ତି ।

ବେଦାନ୍ତ ଲାଞ୍ଜିଗଡ଼ର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ଯୁବ ତୀରନ୍ଦାଜମାନଙ୍କୁ ବିଶେଷଜ୍ଞ ପ୍ରଶିକ୍ଷଣ, ବିଶ୍ୱସ୍ତରୀୟ ଉପକରଣ ଓ ପ୍ରତିଯୋଗିତାମୂଳକ ପ୍ରଦର୍ଶନ ସହିତ ସମର୍ଥନ କରେ । ଯାହା ସ୍ଥାନୀୟ ପ୍ରତିଭାକୁ ପୋଷଣ କରିବା ପାଇଁ ବେଦାନ୍ତର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ।

ସଫଳତାକୁ ନେଇ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ବେଦାନ୍ତ ଲାଞ୍ଜିଗଡ଼ରେ, ଆମେ ବିଶ୍ୱାସ କରୁ ଯେ ପ୍ରକୃତ ପ୍ରଗତି ସମ୍ପ୍ରଦାୟ ନିମନ୍ତେ ଆମେ ସୃଷ୍ଟି କରୁଥିବା ସୁଯୋଗ ଦ୍ୱାରା ମାପ କରାଯାଏ । ଆମର ଯୁବ ତୀରନ୍ଦାଜମାନଙ୍କ ଉଲ୍ଲେଖନୀୟ ସଫଳତା ତୃଣମୂଳ ସ୍ତରର ପଦକ୍ଷେପଗୁଡ଼ିକର ପରିବର୍ତ୍ତନକାରୀ ଶକ୍ତିକୁ ପ୍ରତିଫଳିତ କରେ ଯାହା ଲୁକ୍କାୟିତ ସମ୍ଭାବନାକୁ ଉନ୍ମୁକ୍ତ କରିପାରିବା ସହ ଚାମ୍ପିଅନଙ୍କୁ ବିଶ୍ୱସ୍ତରରେ ଠିଆ କରିବ । ଆମେ କଳାହାଣ୍ଡିର ଯୁବ ପ୍ରତିଭାକୁ ସଶକ୍ତ କରିବା, ସେମାନଙ୍କୁ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉତ୍କର୍ଷତା ହାସଲ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତିବଦ୍ଧ

୨୦୧୮ରେ ଆରମ୍ଭ ହୋଇଥିବା, ବେଦାନ୍ତର କ୍ରୀଡା ତାଲିମ ପଦକ୍ଷେପ ସ୍ଥାନୀୟ ସମ୍ପ୍ରଦାୟରୁ କ୍ରୀଡା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରେ । ଗୁଣାତ୍ମକ ଉପକରଣ ଏବଂ ତାଲିମ ଭିତ୍ତିଭୂମିର ପ୍ରବେଶ ସହିତ ତୀରନ୍ଦାଜୀ ଏବଂ ଆଥଲେଟିକ୍ସରେ ବିଶେଷଜ୍ଞଙ୍କ ନେତୃତ୍ୱରେ ତାଲିମ ପ୍ରଦାନ କରାଯାଉଛି । ଏହି ପଦକ୍ଷେପ ଦେଶବ୍ୟାପୀ ପ୍ରତିଯୋଗିତାରେ ଅଂଶଗ୍ରହଣକୁ ମଧ୍ୟ ସହଜ କରିଥାଏ । ଆଜି ପର୍ଯ୍ୟନ୍ତ, ଏହି କାର୍ଯ୍ୟକ୍ରମ ଅଧୀନରେ ୧୦୦ରୁ ଅଧିକ ଯୁବ ତୀରନ୍ଦାଜଙ୍କୁ ତାଲିମ ଦିଆଯାଇଛି । ଯେଉଁମାନେ ଗତବର୍ଷ ରାଜ୍ୟ ଓ ଜାତୀୟ ଚାମ୍ପିଅନସିପରେ ସାମୂହିକ ଭାବରେ ୫୦ରୁ ଅଧିକ ପଦକ ଜିତିଛନ୍ତି । ଯାହା ତୃଣମୂଳ ସ୍ତରର କ୍ରୀଡା ବିକାଶ ପ୍ରତି ବେଦାନ୍ତର ନିରନ୍ତର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି ।

ଆସାମ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲା ; ଦୁଇ ପିଏସଓ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଡ଼ ହେବାରେ ଲାଗିଛି ଆସାମ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲା। ଜୁବିନଙ୍କ ଦୁଇ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀଙ୍କୁ ଗିରଫ କରିଛି ଆସାମ ପୋଲିସ। ସେମାନେ ହେଲେ ନନ୍ଦେଶ୍ବର ବୋରା ଓ ପରେଶ ବୈଶ୍ୟ। ଦୀର୍ଘ ଦିନ ଧରି ଜୁବିନଙ୍କ ସୁରକ୍ଷାରେ ସେମାନେ ଥିଲେ ନିୟୋଜିତ। ସେମାନଙ୍କୁ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଛି। ସେମାନଙ୍କ ବିରୋଧରେ କିଛି ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ସେମାନଙ୍କୁ ସସପେଣ୍ଡ କରାଯାଇଥିଲା। ଗତ ୪ରୁ ୫ ବର୍ଷ ମଧ୍ୟରେ ସେମାନେ ପ୍ରାୟ ୧ କୋଟି ଟଙ୍କାର କାରବାର କରିଥିଲେ। ବୋରାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଓ ବୈଶ୍ୟଙ୍କ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଥିଲା। ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରିବା ଲାଗି ଏହି ଦୁଇ ଜଣଙ୍କ ଆକାଉଣ୍ଟରେ ଜୁବିନ ଟଙ୍କା ରଖିଥିବା ଜଣାଯାଇଛି। ଜୁବିନଙ୍କ ପତ୍ନୀ ଗରିମା ସାଇକିଆ ଗର୍ଗ କହିଛନ୍ତି- ସାମାଜିକ କାର୍ଯ୍ଯ ଲାଗି ଏହି ଟଙ୍କା ଜମା ରଖାଯାଇଥିଲା ଏବଂ ଏହାର ଖର୍ଚ୍ଚକୁ ସେମାନେ ଡାଏରୀରେ ଲିପିବଦ୍ଧ କରୁଥିଲେ। ଏହି ଦୁଇ ଅଫିସର ଜୁବିନଙ୍କ ସହ ପ୍ରାୟ ୧୦ ବର୍ଷ ଧରି ରହିଥିଲେ। ଜୁବିନଙ୍କୁ ଉଲଫା ସଂଗଠନର ଧମକ ପରେ ଏହି ଦୁଇ ଅଫିସରଙ୍କୁ ନିଯୁକ୍ତି ଦେଇଥିଲା ଆସାମ ପୋଲିସ। ତେଣେ ଜୁବିନ ମାମଲାରେ ନ୍ୟାୟ ମାଗିଛନ୍ତି ତାଙ୍କ ଭଉଣୀ ପାମେ ବୋର୍ଥାକୁର।

ଆଫଗାନିସ୍ତାନର ବିଭିନ୍ନ ସ୍ଥାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନର ବିଭିନ୍ନ ସ୍ଥାନ ଉପରେ ପାକିସ୍ତାନର ହମଲା। କାବୁଲସ୍ଥିତ ତେହରିକ-ଇ-ତାଲିବାନ ପାକିସ୍ତାନର ବିଭିନ୍ନ ଶିବିର ଉପରେ ପାକିସ୍ତାନୀ ଜେଟ କରିଛନ୍ତି ଏୟାରଷ୍ଟ୍ରାଇକ। ଏହାକୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ଯରେ ସମ୍ପର୍କ ତିକ୍ତ ହୋଇଛି। ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାଁ ମୁତାକିଙ୍କ ଭାରତ ଗସ୍ତ ବେଳେ ପାକିସ୍ତାନର ରେଡ ଅଲଗା କିଛି ସୂଚୀତ କରୁଛି। ଭାରତ ଓ ଆଫଗାନିସ୍ତାନ ମଧ୍ଯରେ ସମ୍ପର୍କକୁ ଟାର୍ଗେଟ କରି ପାକିସ୍ତାନ ଏହି ହମଲା କରିଥିବା ଚର୍ଚ୍ଚା ହେଉଛି। ପାକିସ୍ତାନ ତାଲିବାନ ବା ତେହରିକ-ଇ-ତାଲିବାନ ପାକିସ୍ତାନକୁ ଆଫଗାନିସ୍ତାନ ସରକାର ପାଣ୍ଠି ପ୍ରଦାନ କରୁଥିବାରୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଆସୁଥିଲା ପାକିସ୍ତାନ।

ଟିଟିପି ମୁଖ୍ୟ ନୁର ୱାଲି ମେହସୁଦଙ୍କୁ ଟାର୍ଗେଟ କରି କାବୁଲର ସାହିଦ ଅବଦୁଲ ହକ୍ ସ୍କୋୟାର ନିକଟରେ ଏହି ହମଲା କରାଯାଇଥିଲା। ୨୦୧୮ରେ ମେହସୁଦ ସଂଗଠନର ନେତୃତ୍ବ ନେଇଆସୁଥିଲେ। ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନର ବିଭିନ୍ନ ସାମରିକ ବ୍ୟକ୍ତିତ୍ବଙ୍କୁ ଟାର୍ଗେଟ କରିଆସୁଛି ଟିଟିପି। ସେପଟେ ପାକିସ୍ତାନରେ ତେହରିକ-ଏ-ଲବୈ-ପାକିସ୍ତାନ ପକ୍ଷରୁ ଆନ୍ଦୋଳନ ଡାକରା ଯୋଗୁ ଦେଶରେ ଇଣ୍ଟରନେଟ ସେବା ରଦ୍ଦ କରାଯାଇଛି।

କଡ଼ା ସୁରକ୍ଷା ଭିତରେ ଦରଘା ବଜାର ; କଦମରସୁଲ ଅଂଚଳରେ ନମାଜ ପାଠ ଯୋଗୁ ସୁରକ୍ଷା ବଳ ମୁତୟନ

କଟକ : କଟକ ଦରଘା ବଜାର ଅଂଚଳରେ ଆଜି ଅଧିକ ସୁରକ୍ଷା ବଳ ମୁତୟନ। ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରିଛନ୍ତି। ପରିସ୍ଥିତି ଏବେ ସାମାନ୍ଯ ଥିଲେ ସୁଦ୍ଧା ଆଜି ଶୁକ୍ରବାର କଦମରସୁଲ ଅଂଚଳରେ ନମାଜ ପାଠ ଓ ଗହଳି ଲାଗୁଥିବାରୁ ଏଭଳି ଫୋର୍ସ ମୁତୟନ କରାଯାଇଛି। କେନ୍ଦ୍ରୀୟ ବଳ ଓ ରାଜ୍ଯ ପୋଲିସ ବଳ ପଇଁତରା ମାରୁଛନ୍ତି। ଦୁର୍ଗା ଭସାଣକୁ ନେଇ ଝଗଡ଼ା ପରେ ଏହାକୁ ନେଇ କଟକରେ ବଡ଼ ଧରଣର ହିଂସାକାଣ୍ଡ ହୋଇଥିଲା। ବ୍ୟାପକ ପୋଡ଼ା ଜଳା, ଭଙ୍ଗାରୁଜା ହୋଇଥିଲା। ଏପରିକି ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ କର୍ଫ୍ୟୁ ଜାରି ସହିତ ଇଣ୍ଟରନେଟ ବନ୍ଦ କରିବାକୁ ପଡ଼ିଥିଲା। କିଛି ଦିନ ହେଲାଣି ସ୍ଵାଭାବିକ ସ୍ଥିତି ଫେରି ଆସିଛି।

 

ନକଲି ପୋଲିସ ପାଇଁ ଅସଲି ପୋଲିସ ସସପେଣ୍ଡ

ଭଦ୍ରକ : ଧରାପଡ଼ିଲା ନକଲି ପୋଲିସ, ଅସଲି ପୋଲିସ ନିଲମ୍ଵିତ। ଅସଲି ପୋଲିସଙ୍କ ନିର୍ଦ୍ଦେଶରେ ଫିଲଡକୁ ଯାଇ ଥିବା ନକଲି ପୋଲିସ ଧରାପଡ଼ିବା ପରେ ହୋଇଛି ଆକ୍ସନ। ଅସଲି ପୋଲିସକୁ ନିଲମ୍ଵିତ କରାଯାଇଛି। ଏହି ଘଟଣା ହେଉଛି ଭଦ୍ରକର। ଭଦ୍ରକ ଗ୍ରାମାଞ୍ଚଳ ଥାନାର ସବ ଇନ୍ସପେକ୍ଟର କାର୍ତିକ ଜେନାଙ୍କୁ ସସପେଣ୍ଡ କରିଛନ୍ତି ଏସପି। ଭଦ୍ରକ ଗ୍ରାମାଞ୍ଚଳ ଥାନା ରସିକବାଦ ଗାଁର ଏକ ପାରିବାରିକ କଳହ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା।

ସବ ଇନ୍ସପେକ୍ଟର କାର୍ତ୍ତିକ ଜେନା ତଦନ୍ତ ପାଇଁ ନିଜେ ଗାଁକୁ ନ ଯାଇ ଧୁଷୁରୀ ଥାନା ଖପରା ପଦାର ପିୟୁଷ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକଙ୍କୁ ପଠାଇଥିଲେ। ସେହି ଯୁବକ ଜଣକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାର ଅଭିନୟ ବି କରିଥିଲେ। ପରେ କିଛି ଟଙ୍କା ମଧ୍ୟ ମାଗିଥିଲେ। ଏହାକୁ ନେଇ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ସଂପୃକ୍ତ ଯୁବକଙ୍କୁ ଅଟକ ରଖିଥିଲେ ଓ ପୋଲିସକୁ ଡାକିଥିଲେ। ଏହା ପରେ ସବୁ କଥା ଜଣାପଡ଼ିଥିଲା। ସଂପୃକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଇଥିଲା। ଏହି ଘଟଣାକୁ ନେଇ ସବଇନ୍ସପେକ୍ଟର କାର୍ତ୍ତିକ ଜେନାଙ୍କୁ ଏସପି ସସପେଣ୍ଡ କରିଛନ୍ତି।

ଫିଲିପାଇନ୍ସରେ ବଡ଼ଧରଣର ଭୂମିକମ୍ପ ; ସୁନାମୀ ଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ: ଫିଲିପାଇନ୍ସରେ ବଡ଼ ଧରଣର ଭୂମିକମ୍ପ । ଆଜି ସକାଳୁ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭.୪ ଥିଲା । ଭୟରେ ଘରୁ ବାହାରି ଆସିଲେ ଲୋକେ । ସ୍ଥାନୀୟ କର୍ତ୍ତୃପକ୍ଷ ସୁନାମି ଚେତାବନୀ ଜାରି କରିଛନ୍ତି ଏବଂ ନାଗରିକମାନଙ୍କୁ ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ, ଫିଲିପାଇନ୍ସରେ ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତର ରିପୋର୍ଟ ନାହିଁ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ । ମାଣ୍ଡାନିଓ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରେ ବି ସୁନାମୀ ଆଲର୍ଟ ଜାରି କରାଯାଇଛି।