spot_img
Home Blog Page 1555

ମହିଳାଙ୍କ ପାଇଁ ସୁରକ୍ଷିତ ଦେଶର ଏହି ୫ ସହର

ନନ୍ଦିଘୋଷ ବ୍ୟୁରୋ: କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆମ ଦେଶରେ ପ୍ରତି ୨୦ ମିନିଟରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି  । ଏଭଳି ଅଭିଯୋଗ ସାମନାକୁ ଆସିବା ପରେ ଦେଶରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି  । ଅପରାଧ ହାର, ସର୍ବସାଧାରଣ ପରିବହନ ସ୍ଥିତି, ରାତି ସମୟରେ ସୁରକ୍ଷା, ଆଇନ ବ୍ୟବସ୍ଥା ଓ ସାମାଜିକ ବାତାବରଣକୁ ନେଇ ଏହି ୫ ସହର ମହିଳାଙ୍କ ପାଇଁ ସର୍ବୋତ୍ତମ ଅଟେ  ।

ଅପେକ୍ଷାକୃତ କମ ଅପରାଧ ଦର ଓ ଭଲ ଆଧାରଭୂତ ସଂରଚନା ପାଇଁ ଜଣାଯାଏ ମହାରାଷ୍ଟ୍ରର ପୁଣେ  । ଯୁବପୀଢୀଙ୍କ ଜନସଂଖ୍ୟା ବହୁଳ ଓ ପ୍ରଗତିଶୀଳ ସଂସ୍କୃତି କାରଣରୁ ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ ଅଟେ  । ସାଧାରଣ ପରିବହନ ଓ ମହିଳା ସୁରକ୍ଷା ମାମଲାରେ ଏହି ସହର ଆଗରେ ରହିଛି  ।

 ଦେଶର ଅନ୍ୟ ସହର ମୁକାବିଲାରେ କର୍ଣ୍ଣାଟକର ବେଙ୍ଗାଲୁରୁ ସୁରକ୍ଷିତ ସହର ଭାବେ ଗଣାଯାଏ  । କସମୋପଲିଟାନ ସଂସ୍କୃତି, ଆଇଟି କମ୍ପାନୀ ହବ୍‌ ଓ ପରିବେଶ ମହିଳାଙ୍କ ସୁରକ୍ଷା ପାଇଁ ଅନୁକୂଳ ରହିଥାଏ  । ପ୍ରାୟ ରାତି ସାରା ଉଜାଗର ରହିଥାଏ ବେଙ୍ଗାଲୁରୁ ସହର  ।

ମହିଳାଙ୍କ ସୁରକ୍ଷା ପାଇଁ ତେଲାଙ୍ଗାନାର ହାଇଦ୍ରାବାଦ ସହର ପ୍ରାୟ ନୂଆ ପ୍ରୟାସ କରିଆସୁଛି  । ମହିଳାଙ୍କ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ସ୍ଥାନ ତଥା ବସ ମେଟ୍ରୋ,ଟ୍ୟାକ୍ସି ଅଟୋ ଆଦିରେ ସି ଟିମ୍‌ ସମସ୍ତ ବ୍ୟବସ୍ଥା କରିଆସୁଛି  ।

 ଋଢିବାଦୀ ସଂସ୍କୃତି କାରଣରୁ ତାମିଲନାଡୁର ଚେନ୍ନାଇ ମହିଳାଙ୍କ ପାଇଁ ସୁରକ୍ଷିତ ଅଟେ  । ଏଠାରେ ବସ ଓ ମେଟ୍ରୋରେ ମହିଳାଙ୍କ ସଂରକ୍ଷିତ ସିଟ୍‌ର ବ୍ୟବସ୍ଥା କରାୟାଇଛି  । ସେହିପରି ଅପରାଧ ହାର ଅନ୍ୟ ସହର ତୁଳନାରେ ଏଠାରେ କମ ରହିଛି  ।

 ମହିଳାଙ୍କ ପାଇଁ ଗୁଜୁରାଟର ଅହମ୍ମଦାବାଦ ସୁରକ୍ଷିତ ସହର ରୂପେ ବିବେଚନା କରାଯାଏ । ଏଠାରେ ଅପରାଧ ହାର ଅନ୍ୟ ସହର ମୁକାବିଲାରେ କମ ହୋଇଥାଏ  । ସହରର ପରିଚ୍ଛନ୍ନତା, ସୁରକ୍ଷିତ ସର୍ବସାଧାରଣ ସ୍ଥାନ ଓ ସମ୍ମାନଜନକ ସାମାଜିକ ବାତାବରଣ ମହିଳାଙ୍କ ପାଇଁ ଅନୁକୂଳ ସ୍ଥାନ ହୋଇଥାଏ  ।

 

ଆଜିବି ବାଙ୍କୀରେ ୨୦ ଟଙ୍କାରେ ମିଳୁଛି ଏକ କିଲୋ ମାଛ

ବାଙ୍କୀ: ଆଜି ବି ବାଙ୍ଗୀରେ ୨୦ ଟଙ୍କାରେ ମିଳୁଛି କେଜିଏ ମାଛ। ବାଙ୍କୀ ବଜାର ନିକଟସ୍ଥ ତାରିଣୀ ଛକରେ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି ଚୁନା ମାଛ । ଗତକାଲି ମଧ୍ଯ ଏଠାରେ ମାଛ କେଜିକୁ ୨୦ ଟଙ୍କା ରହିଥିବା ବେଳେ ଆଜି ବି ସମାନ ଦାମ ରହିଛି।

ମହାନଦୀ ଜଳସ୍ତର କମିଥିବାରୁ ସ୍ଥାନୀୟ ମତ୍ସ୍ଯଜୀବୀଙ୍କ ଜାଲରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ପଡିଥିଲା । କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ଜାଲରେ ପଡ଼ିଥିବା ବେଳେ ,ମାଛ ନଷ୍ଟ ହୋଇଯିବା ଭୟରେ ୨୦ ଟଙ୍କାରେ ମାଛ ବିକ୍ରି କରିଦେଇଛନ୍ତି ମତ୍ସ୍ଯଜୀବୀ । ୨୦ ଟଙ୍କାରେ ମାଛ କିଣିବାକୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜଣେ ଜଣେ ଗ୍ରାହକ ୫ କିଲୋ ଲେଖାଏଁ ମାଛ କିଣିନେଉଥିବା ନେଇ କହିଛନ୍ତି ।

କେଉଁଠି ଜୀବନ ନେଇଗଲା ବିଦ୍ୟୁତ ତାର କେଉଁଠି ଜୀବନ ନେଲା ହାତୀ

ରାୟଗଡ଼ା: ଗୁଣୁପୁରରେ ହାତୀ ମୃତ । ଫୁଲପୁଟି ସାନ ନଦୀ ବ୍ରିଜ୍ ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ବିଦ୍ୟୁତ୍ ଖୁଣ୍ଟ ପାଖରେ ହାତୀଟିର ମୃତଦେହ ପଡ଼ିରହିଛି । ହାତୀ ମୃତ୍ୟୁର କାରଣ ଅଷ୍ପଷ୍ଟ ରହିଥିବାବେଳେ ବିଦ୍ଯୁତ ଆଘାତରୁ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୩ରୁ ୪ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ୨ଟି ହାତୀ ବୁଲୁଥିଲେ । ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରୁଥିଲେ । ଗତକାଲି ରାତିରେ ମଧ୍ଯ ହାତୀ ଦୁଇଟି ଖାଦ୍ଯ ସନ୍ଧାନରେ ଗାଁରେ ବଲୁଥିଲେ । ଏହି ସମୟରେ ବିଦ୍ଯୁତ ଆଘାତ ଲାଗି ଗୋଟିଏ ହାତୀର ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି ।

ସେପଟେ ହାତୀ ଘଉଡାଇବା ହେଲା କାଳ। ବଣାଇ ବନବିଭାଗ ସହ ହାତୀ ଘଉଡାଇବା ବେଳେ ଜଣେ ମୃତ। ମୁଣ୍ଡା ବସ୍ତିର ଗୋବିନ୍ଦ ମୁଣ୍ଡା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ବଣାଇ ବନାଞ୍ଚଳ ସରସରାର କୁଲୁକୁତାରେ ଅଘଟଣ। କୁଲୁକୁତା ମୁଣ୍ଡା ବସ୍ତି ନିକଟରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ଗୋବିନ୍ଦ ମୁଣ୍ଡା ବନବିଭାଗ ସହ ହାତୀ ଘଉଡାଇବାକୁ ବାହାରିଥିଲେ। ହାତୀ ଘଉଡାଇବା ବେଳେ ହାତୀ ଆକ୍ରମଣ କରିଥିଲା।

ଘଟଣାସ୍ଥଳରେ ବନବିଭାଗ ଉପସ୍ଥିତ ରହିଛି। ମୃତଦେହ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ଗାଁରେ ଉତ୍ତେଜନା ଦେଖାଦେଇଛି l

୫ ମହଲାରୁ ଡେଇଁ ଜୀବନ ହାରିଲେ ଭୁବନେଶ୍ବର ଆଇଆଇଟି ଛାତ୍ରୀ

ଭୁବନେଶ୍ୱର: ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ହେଲେ ବିଟେକ ତୃତୀୟ ବର୍ଷର କ୍ରୀତିକା ରାଜ । ୫ ମହଲାରୁ ଡେଇଁ ସେ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀଙ୍କ ଘର ବାହାର ରାଜ୍ଯରେ ।

ସହପାଠୀଙ୍କ କହିବାକୁ ଅନୁସାରେ କିଛିଦିନ ଧରି ସେ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ତେବେ ଆତ୍ମହତ୍ଯାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କଲେଜ ତରଫରୁ ମୃତ ଛାତ୍ରୀଙ୍କ ପରିବାରକୁ ଖବର ଦିଆଯାଇଛି ।

ଏହି ଫିଲ୍ମ ପାଇଁ ରଜନୀକାନ୍ତଙ୍କୁ ୨୮୦ କୋଟି ଓ ନାଗାର୍ଜୁନଙ୍କୁ ମାତ୍ର ୨୪ କୋଟି

ହାଇଦ୍ରାବାଦ: ରଜନୀକାନ୍ତଙ୍କ ଆଗାମୀ ବଡ ପ୍ରୋଜେକ୍ଟ ଅକ୍ଟୋବର ୧୦ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।  ନାମ ହେଉଛି – ଭେଟ୍ଟିଆନ୍  । ଏହି ଚଳଚ୍ଚିତ୍ରର  ରିଲିଜ ପାଇଁ ପଥ ପରିଷ୍କାର ହୋଇଯାଇଛି  । ଏହାର କାରଣ ହେଉଛି ସାଉଥ ସୁପରଷ୍ଟାର ସୂର୍ଯ୍ୟା, ତାଙ୍କ ଚଳଚ୍ଚିତ୍ର କାଙ୍ଗୁଭାର ରିଲିଜ ଡେଟ୍‌କୁ ସ୍ଥଗିତ ରଖିଛନ୍ତି। କିନ୍ତୁ ତାଙ୍କର ଆଉ ଏକ ଚଳଚ୍ଚିତ୍ର କୁଲିକୁ ନେଇ ଚର୍ଚ୍ଚା ଚାଲିଛି। ଯେଉଁ ଫିଲ୍ମର ସୁଟିଂ ୫ ଜୁଲାଇରେ ହାଇଦ୍ରାବାଦରେ ଆରମ୍ଭ ହୋଇଛି  ।

କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ୩ ମିନିଟର ଘୋଷଣା ଭିଡିଓ ମୁକ୍ତିଲାଭ କରିଛି ​​| ଏଥିରେ ରଜନୀକାନ୍ତଙ୍କ ଗଜବ ଅନ୍ଦାଜ ଦେଖିବାକୁ ମିଳିଛି ​​ । ଭିଡିଓରେ ସୁନା ଜିନିଷକୁ ଛାଡି ବାକି ସବୁକିଛି ବ୍ୟତୀତ କଳା ଏବଂ ଧଳା ଥିଲା  । ରଜନୀକାନ୍ତଙ୍କ ବ୍ୟତୀତ ନାଗାର୍ଜୁନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ।

 ଏକ ରିପୋର୍ଟରେ କୁହାଯାଇଛି ଯେ ରଜନୀକାନ୍ତ କୁଲି ପାଇଁ ୨୬୦ ରୁ ୨୮୦ କୋଟି ଟଙ୍କା ନେଇଛନ୍ତି। ତେବେ ନିର୍ମାତାମାନେ ଏନେଇ କିଛି ସ୍ପଷ୍ଟ କରିନାହାଁନ୍ତି। ନିକଟରେ ସିନେଜୋଶରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଫିଲ୍ମରେ ନାଗାର୍ଜୁନଙ୍କୁ ୨୪ କୋଟି ଟଙ୍କାର ଅଫର ମିଳିଛି । ସେ ସାଇମନ୍ ନାମକ ଏକ ଡନ୍ ଭୂମିକାରେ ଅଭିନୟ କରୁଛନ୍ତି  । ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି  । ତେବେ ନାଗାର୍ଜୁନଙ୍କ ପାଉଣା ରଜନୀକାନ୍ତଙ୍କ ତୁଳନାରେ ବହୁତ କମ୍ ଅଟେ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ପ୍ରତ୍ୟେକ ଅପଡେଟ୍ ପାଇଁ ଅପେକ୍ଷା କରିଛନ୍ତି  । ଚଳିତ ବର୍ଷ ଆରମ୍ଭରେ ରଜନୀକାନ୍ତଙ୍କ ଚଳଚ୍ଚିତ୍ର ଲାଲ ସଲାମକୁ ସେତେଟା ଭଲ ରେସପନ୍ସ ମିଳିନଥିଲା  ।

ଏହି ଚଳଚିତ୍ରରେ ରଜନୀକାନ୍ତଙ୍କ ଏକ କ୍ୟାମୋ ଥିଲା  । ଫିଲ୍ମର ନିର୍ମାଣ ଝିଅ ଐଶ୍ବର୍ଯ୍ୟାଙ୍କ କାନ୍ଧରେ ଥିଲା  । ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା ସତ  । କିନ୍ତୁ ଫିଲ୍ମର ସୁଟିଂ ପରେ କିଛି ଦୃଶ୍ୟ ନିଖୋଜ ହୋଇଯାଇଥିବା ଜଣାପଡିଛି। ଏହା ପରେ ପୁନର୍ବାର କିଛି ପାର୍ଟ ସୁଟିଂ ପାଇଁ ନିଶ୍ପତ୍ତି ନିଆଯାଇଥିଲା। ଯେତେବେଳେ ପୁନଃ ସୁଟ୍ ହୋଇପାରିଲା ନାହିଁ, ଅବଶିଷ୍ଟ ଫୁଟେଜ୍ ସହିତ ଫିଲ୍ମ ରିଲିଜ୍ ହେବାକୁ ପଡିଲା  ।

ଉତ୍ତର ପ୍ରଦେଶର ଯୁବତୀଙ୍କୁ ଦୁବାଇରେ ଫାଶୀଦଣ୍ଡ, ପିଏମଙ୍କୁ ପରିବାରର ନିବେଦନ

ବାନ୍ଦା: ଉତ୍ତର ପ୍ରଦେଶ ବାନ୍ଦା ଜିଲ୍ଲାର ଯୁବତୀ ଶାହଜାଦିଙ୍କୁ ଦୁବାଇରେ ମିଳିବ ଫାଶୀଦଣ୍ଡ  । ସେପ୍ଟେମ୍ବର ୨୧ରେ ଶହଜାଦିଙ୍କୁ ଫାଶୀଦଣ୍ଡ ହେବ ବୋଲି ଶୁଣାଣି କରିଛନ୍ତି ଦୁବାଇ କୋର୍ଟ  । ଶାହଜାଦିଙ୍କ ବାପାମା ପିଏମ ମୋଦି ଓ ସିଏମ ଯୋଗୀଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରି ଝିଅର ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି  । ଶହଜାଦିଙ୍କୁ ଜୋର ଜବରଦସ୍ତ ଝିଅର ହତ୍ୟାରେ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ।

ଶାହଜାଦିଙ୍କ ପରିବାର ୟୁପିର ବାନ୍ଦା କୋର୍ଟରେ ଆଗ୍ରା ଯୁବକ ଉଜୈର, ତାଙ୍କ ପିଉସୀ ପିଇସା ସମେତ ୪ ଜଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି  । ଏ ସମସ୍ତ ଅଭିଯୁକ୍ତଙ୍କୁ ଜେରା କରିବାକୁ ଶାହଜାଦିଙ୍କ ବାପା ନିବେଦନ କରିଛନ୍ତି  ।  କୋର୍ଟର ଆଦେଶରେ ପୋଲିସ ଧାରା ୩୭୦, ୩୭୦ ଏ, ୪୧୯, ୪୨୦, ୩୮୬,୩୧୧ ଓ ୩୬୭ ଆଧାରରେ ମାମଲା ରୁଜୁ କରିଛି  ।

ବାନ୍ଦା ଜିଲ୍ଲା ମୁଗଲି ଗାଁ ବାସିନ୍ଦା ଶବ୍ବୀର ଖାନ୍‌ର ତିନି ଝିଅଙ୍କ ମଧ୍ୟରୁ ସବୁଠାରୁ ସାନ ଝିଅ ଶାହଜାଦି ୮ବର୍ଷ ବୟସରେ ଚୁଲିରେ ରୋଷେଇ କରିବା ସମୟରେ ଜଳି ଯାଇଥିଲେ  । ଜଳିବା ପରେ ତା ଚେହେରା ଖରାପ ହୋଇଯାଇଥିଲା । ଶାହଜାଦି ସେବେଠାରୁ ସେବା ମନୋବୃତ୍ତି ରଖି ଏକ ଏନଜିଓ ସଂସ୍ଥା ସହ ଜଡିତ ଥିଲେ  । ଏହାପରେ ଆଗ୍ରା ଯୁବକ ଉଜୈରଙ୍କ ସହ ଶାହଜାଦିଙ୍କ ଫେସବୁକରେ ବନ୍ଧୁତା ହୋଇଥିଲା  ।

ଶାହଜାଦିଙ୍କ ଚେହେରାର ଚିକିତ୍ସା ଦୁବାଇରେ କରିବା ପାଇଁ ଉଜୈର ତାଙ୍କୁ କହିଥିଲା  । ଦୁବାଇରେ ତାର ସମ୍ପର୍କୀୟ ରହୁଥିବାରୁ କିଛି ଅସୁବିଧା ହେବନି କହି ଶାହଜାଦିକୁ ଦୁବାଇ ନେଇଯାଇଥିଲା ଉଜୈର  । ଉଜୈର ତାଙ୍କ ଝିଅକୁ ଦେଢ ଲକ୍ଷ ଟଙ୍କାରେ ଦୁବାଇରେ ବିକ୍ରି କରିଥିବା ନେଇ ଶାହଜାଦିର ପରିବାର ଅଭିଯୋଗ କରିଛନ୍ତି  । ସେଠାରେ ତାଙ୍କ ଝିଅକୁ ଏକ ୪ ମାସ ଛୁଆର ମୃତ୍ୟୁ ମାମଲାରେ ଫସାଇ ଦିଆଯାଇଛି  । ଅଭିଯୋଗ ହୋଇଛି ଯେ ଶାହଜାଦି ମାଲିକଙ୍କ ଅସୁସ୍ଥ ଶିଶୁର ଠିକ ଭାବେ ଦେଖାଶୁଣା ନ କରିବାରୁ ଛୁଆର ମୃତ୍ୟୁ ହୋଇଥିଲା  । ନା ଝିଅକୁ ଦୁବାଇରୁ ଭାରତ ଆସିବାକୁ ଦିଆଯାଉଛି ନା ସେଠାରେ ଶାନ୍ତିରେ ରହିବାକୁ ଦିଆଯାଉଛି  । ଏବେ ସେଠାରେ ତାକୁ ମୃତ୍ୟୁଦଣ୍ଡ ଶୁଣାଣି କରାଯାଇଛି  ।

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ମେଡାଲ ବର୍ଷା

ପ୍ୟାରିସ: ପାରାଲିମ୍ପିକ୍ସରେ ଭାରତର ଜଲୱା । ମଙ୍ଗଳବାର ଦିନ ମେଡାଲ ବର୍ଷା । ଷଷ୍ଠ ଦିନରେ ୫ଟି ପଦକ ଜିତିଲେ ଭାରତୀୟ କ୍ରୀଡ଼ାବିତ । ଯାହାମଧ୍ୟରେ ରହିଛି ୨ ରୌପ୍ୟ ଓ ୩ କାଂସ୍ୟ ପଦକ। ଦୀପ୍ତି ଜୀବନଜୀ ପଦାର୍ପଣ ପାରାଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ । ମହିଳା ୪୦୦ ମିଟର ଦୌଡ଼ରେ ମେଡାଲ ଜିତିଛନ୍ତି ଦିପ୍ତୀ ଆସିଥିଲା।

ପୁରୁଷ ଉଚ୍ଚଡିଆଁରେ ଶରଦ କୁମାର ୧.୮୮ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ମାରିୟାପାନ୍ ଥଙ୍ଗାଭେଲୁ ୧.୮୫ ମିଟର ପ୍ରଦର୍ଶନ ସହ କାଂସ୍ୟ ପଦକ ପାଇଛନ୍ତି । ପୁରୁଷ ଜାଭଲିନରେ ଅଜୀତ ସିଂହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୬୫.୬୨ ମିଟର ଦେବା ସହ ରୌପ୍ୟ ଓ ସୁନ୍ଦର ସିଂହ ଗୁରଜାର ୬୪.୯୬ ମିଟର ଥ୍ରୋ କରି କାଂସ୍ୟ ପଦକ ପାଇଛନ୍ତି। ଏହାସହ ଭାରତର ପଦକ ସଂଖ୍ଯା ୨୦କୁ ବୃଦ୍ଧି ପାଇଛି । ଯାହାକି ଭାରତର ସର୍ବକାଳୀନ ରେକର୍ଡ । ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୧୯ ପଦକ ଜିତିଥିଲା । ଚଳିତ ପାରାଅଲିମ୍ପିକ୍ସରେ ଭାରତ ଏଯାଏଁ ୩ଟି ସ୍ବର୍ଣ୍ଣ, ୭ଟି ରୌପ୍ଯ ଓ ୧୦ଟି କାଂସ୍ଯ ପଦକ ଜିତିଛି ।

ଜମ୍ମୁ ଓ କାଶ୍ମୀରରେ ଆଜି ନିର୍ବାଚନ ପ୍ରଚାର କରିବେ ରାହୁଲ ଗାନ୍ଧୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଆଜି ନିର୍ବାଚନ ପ୍ରଚାର କରିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାନିହାଲରୁ ନିର୍ବାଚନ ଲଢୁଥିବା ପୂର୍ବତନ ଜମ୍ମୁ ଓ କାଶ୍ମୀର କଂଗ୍ରେସ ମୁଖ୍ଯ ବିକାର ରସୋଲ ୱାନିଙ୍କ ଲାଗି ପ୍ରଚାର କରିବେ ରାହୁଲ। ରାମବନ ଜିଲ୍ଲାର ଗୁଲରେ ସେ ୱାନିଙ୍କ ସପକ୍ଷରେ ପ୍ରଚାର କରିବେ।

ସେହିପରି ଅନନ୍ତନାଗ ଜିଲ୍ଲାର ଦୋରୁରେ ଆୟୋଜିତ ସାଧାରଣ ସଭାରେ ରାହୁଲ ଉଦବୋଧନ ଦେବା ସହ ପୂର୍ବତନ ମନ୍ତ୍ରୀ ଗୁଲାମ ଅହମ୍ମଦ ମୀରଙ୍କ ଲାଗି ପ୍ରଚାର କରିବେ। ବିଧିବଦ୍ଧ ଭାବେ ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିବେ ରାହୁଲ।

୯୦ ଆସନ ବିଶିଷ୍ଟ ଜମ୍ମୁ ଓ କାଶ୍ମୀର ଭୋଟ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ତିନି ପର୍ଯ୍ୟାୟରେ ହେବ। ନିର୍ବାଚନରେ କଂଗ୍ରେସର ତାରକା ପ୍ରଚାରକ ହେବେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ୨୦୧୯ରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲାଗି ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେବ।

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ କରିବେ ଆବେଦନକାରୀ

ଭୁବନେଶ୍ବର: ସୁଭଦ୍ରା ଯୋଜନା ପାଇଁ ଆଜିଠୁ ଫର୍ମ ଦାଖଲ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ସ୍ଥାନରେ ଫର୍ମ ଦାଖଲ ହୋଇପାରିବ । ଏଥିପାଇଁ ପୂର୍ବରୁ ଫର୍ମ ବଣ୍ଟନ କରାଯାଇଥିଲା । ଫର୍ମକୁ ପୂରଣ କରି ଆବଦେନକାରୀ ଦାଖଲ କରିବେ । ଫର୍ମ ସହିତ ଅବେଦନକାରୀଙ୍କୁ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ ।

କୌଣସି ସମସ୍ଯା ହେଲେ ଏଥିପାଇଁ ଟୋଲଫ୍ରି ନମ୍ବର ମଧ୍ଯ ଜାରି କରାଯାଇଛି । ଯୋଜନାର ଲାଭ ପାଇବା ପାଇଁ ଲୋକମାନେ ଭିଡ ଜମାଉଥିବା ବେଳେ କିଛି ଲୋକ ଆବେଦନ ଶେଷ ହୋଇଯିବ ବୋଲି କହି ଅଧିକ ଭୟଭୀତ କରୁଥିବା ନଜର ଆସିଛି । ସୋମବାର ଉନ୍ମୋଚିତ ହୋଇଥିବା ସୁଭଦ୍ରା ପୋର୍ଟାଲରେ ସମସ୍ତ ପ୍ରକାର ତଥ୍ଯ ରହିଛି । ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର ୱେବ ପୋର୍ଟାଲରେ ଉପଲବ୍ଧ ଅଛି ।

ତେବେ ବିଜେପି ସରକାର ନିର୍ବାଚନୀ ପ୍ରତିଶୃତି ପାଳନ କରୁନଥିବାରୁ ସବୁଠି ଅସନ୍ତୋଷ ଲାଗି ରହିଛି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଗାଇଡଲାଇନ୍ ଓ ଆବେଦନ ପ୍ରକ୍ରିୟା ଯୋଗୁ ବାଦ୍ ପଡ଼ୁଛନ୍ତି ଲକ୍ଷ ଲକ୍ଷ ମହିଳା । ରାଜ୍ୟର ସବୁ ମହିଳାମାନଙ୍କୁ ସାମିଲ କରାଯିବାର ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଥିବାରୁ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମାସକୁ ମାତ୍ର ୮୩୩ ଟଙ୍କା ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ l ଏଥିରେ ମା ମାନେ କିପରି ଉଦ୍ଯୋଗୀ ହେବେ ବୋଲି ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରେ ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଛୁରାମାଡ଼

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଛୁରା ମାଡ଼ । ସହିଦ ନଗର ମହର୍ଷି କଲେଜ ରୋଡରେ ବାଇକ ଚାଳକଙ୍କୁ ଦୁଇ ଯୁବକ ଛୁରାମାଡ଼ କରିଛନ୍ତି । ଆହତ ଯୁବକ ହେଲେ ସୂର୍ଯ୍ଯନଗର ଅଞ୍ଚଳର ଏନ୍ କାର୍ତ୍ତିକ । ଅଭିଯୋଗ ଅନୁସାରେ ମହର୍ଷି କଲେଜ ଅଞ୍ଚଳରେ ଯିବା ସମୟରେ କାରରେ ଯାଉଥିବା ଦୁଇ ଯୁବକଙ୍କ ସହ ଗାଡ଼ି ସାଇଡ ମରାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାଇକ ଚାଳକଙ୍କ ଛାତିକୁ ଦୁଇ ଯୁବକ ଛୁରା ମାଡ଼ କରିଥଇଲେ । କାର୍ତ୍ତିକଙ୍କ ଦୁଇ ହାତରେ ଗଭୀର କ୍ଷତ ହୋଇଛି । ଘଟଣାସ୍ଥଳରେ ସହିଦ ନଗର ଥାନା ପୋଲିସ ପହଞ୍ଚି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଆକ୍ରମଣ କରିଥିବା ଯୁବକ ପୁରୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ଛୁରୀ ଫୋପାଡ଼ି ଫେରାର ହୋଇଯାଇଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।